ଖଜା ନେଇ ନ ଯାଆନ୍ତୁ ବିହାରୀ ବାବୁ!

ସଂସ୍କୃତି ଆଲୋଚନା - ଦୁଷ୍ମନ୍ତ କୁମାର ମହାନ୍ତି

ଗତ ଡିସେମ୍ବର ମାସରେ ରାୟଗଡ଼ା ଜିଲ୍ଲା ‘ସୂଚନା ଓ ଲୋକ ସମ୍ପର୍କ’ ଅଧିକାରୀଙ୍କ ଅଫିସରେ ବସିଥିବା ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ଦୁଇ ଜଣ ଅଧିକାରୀ ଦିଲ୍ଲୀରୁ ଆସି ପହଞ୍ଚିଲେ। ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧମାନଙ୍କ ଦ୍ବାରା ତିଆରି ‘କାପଡ଼ା ଗନ୍ଦା’ ଓ ସଉରାମାନଙ୍କ ଚିତ୍ରକଳା ‘ଇଡ଼ିତାଳ’କୁ ଜି.ଆଇ. (ଭୌଗୋଳିକ ସ୍ବୀକୃତି) ମାନ୍ୟତା ଦେବା ସଂପର୍କରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବା ପାଇଁ ସେମାନେ ତଥ୍ୟ ସଂଗ୍ରହ କରିବାକୁ ଆସିଥିଲେ। ସେମାନେ ସେ ସଂକ୍ରାନ୍ତରେ କିଛି ଲେଖା ଚାହିଁଲେ। ଲୋକସମ୍ପର୍କ ଅଧିକାରୀ ଓ ମୋ ପାଖରେ ଯେତିକି ତଥ୍ୟ ଥିଲା, ତାହା ଦେଲୁ। ଅଧିକ ତଥ୍ୟ ପାଇଁ ସେମାନେ ବିଷମ କଟକ ଓ ପୁଟାସିଙ୍ଗ ଯିବା ଉଚିତ ବୋଲି ପରାମର୍ଶ ଦେଲୁ। କାରଣ ବିଷମ କଟକରେ ଡଙ୍ଗରିଆମାନଙ୍କ ବିକାଶ ନିମନ୍ତେ ‘ଡି.କେ.ଡି.ଏ.’ ନାମକ ଏକ ସଂସ୍ଥା କାର୍ଯ୍ୟ କରେ ଏବଂ ପୁଟାସିଙ୍ଗରେ ଲାଞ୍ଜିଆ ସଉରାମାନଙ୍କର ବିକାଶ ନିମନ୍ତେ ବିଭିନ୍ନ ସଂସ୍ଥା କାର୍ଯ୍ୟ କରୁଛନ୍ତି। ଏତିକି ବେଳେ ମନେ ପଡ଼ିଗଲା କିଭଳି ରସଗୋଲାର ଜି.ଆଇ. ମାନ୍ୟତା ପଶ୍ଚିମବଙ୍ଗ ନେଇଗଲା। କେବଳ ସେତିକି ନୁହେଁ ଜୟଦେବ ତାଙ୍କର ବୋଲି ବଙ୍ଗୀୟମାନେ ଅନବରତ ଦାବି କରି ଆସୁଛନ୍ତି। ପୁଣି ମହାରାଷ୍ଟ୍ରର ଭାଇମାନେ ‘ବାସି ତୋରାଣି’ର ଉପାଦେୟତା ସମ୍ପର୍କରେ ଜାଣି ପାରି ଓଡ଼ିଆ ଲୋକଙ୍କର ଏହି ଅତି ପ୍ରାଚୀନ ପ୍ରିୟ ଖାଦ୍ୟକୁ ତାଙ୍କର ବୋଲି କହିଲେ। ଶେଷକୁ ଥିଲେ ବିହାରୀ ଭାଇମାନେ ଯେଉଁମାନେ ଦାବି କଲେଣି ଯେ ଖଜା ସେମାନଙ୍କର। ତା ଅର୍ଥ ଯାହା ଆମ ପରମ୍ପରା, ସଂସ୍କୃତି ଓ ଆମ ଜୀବନର ଅଭିନ୍ନ ଅଂଶ ଭାବେ ଅନାଦି କାଳରୁ ରହି ଆସିଛି ତାକୁ ନିଜ ପଟକୁ ନେଇଯିବା ଲାଗି ବାହାର ରାଜ୍ୟର ଲୋକେ ଉଦ୍ୟମ କରୁଛନ୍ତି। ଏହା ସେମାନଙ୍କ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ସହିତ ଏହା ଜରିଆରେ ସେମାନେ ଏ ସବୁର ବେପାର ବଣିଜ ଉପରେ କର୍ତ୍ତୃତ୍ବ ପାଇଯିବେ। ଏହା ଯେ ଓଡ଼ିଶା ଓ ଲକ୍ଷଲକ୍ଷ ଓଡ଼ିଆଙ୍କ ସ୍ବାଭିମାନ ଉପରେ ଆଘାତ, ତାହା କହିବା ବାହୁଲ୍ୟ ମାତ୍ର। ସେ ପରିପ୍ରେକ୍ଷୀରେ ପିପିଲି ଚାନ୍ଦୁଆ ହେଉ ବା ନୀଳଗିରିର ପଥର ବାସନ ହେଉ ଅଥବା ସମ୍ବଲପୁର ଓ ସୋନପୁର ଅଞ୍ଚଳର ପାଟ ହେଉ ବା କଟକର ତାରକସି ଶିଳ୍ପ ହେଉ ଅଥବା ଆମ ବିଭିନ୍ନ ଅଞ୍ଚଳର ପାରଂପରିକ ଖାଦ୍ୟପେୟ ହେଉ; ଏ ସବୁ ଯେ ଆମର ପ୍ରାଚୀନ ସଂସ୍କୃତି ପରଂପରାର ଅଂଶ ତାହା ସିଦ୍ଧ କରିବା ଲାଗି ଆମକୁ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ହେବ।

ଏବେ ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସଉରାମାନଙ୍କ କଥାକୁ ଆସିବା। ସେମାନଙ୍କ ଭିତରେ ରହିଥିବା ଅନେକ ପାରଂପରିକ ଜ୍ଞାନ ବାହାର ଦୁନିଆ‌ ଲାଗି ଗୁହ୍ୟ ହୋଇ ରହିଛି। ‘କାପଡ଼ା ଗନ୍ଦା’ ହେଉଛି ଏକ ଚଦର ଯାହା ଡଙ୍ଗରିଆମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥାଏ। ଏଥିରେ ଅତ୍ୟନ୍ତ ଆକର୍ଷଣୀୟ ଚିତ୍ର ରହିଥାଏ। ଧଳା ସୁତାର ବାନ୍ଧ ଲୁଗାରେ ସବୁଜ, ଲାଲ ଓ କଳା ଇତ୍ୟାଦି ରଙ୍ଗର ସୂତା ବ୍ୟବହାର କରି ଡଙ୍ଗରିଆ ଯୁବତୀମାନେ ବିଭିନ୍ନ ପ୍ରକାର ଚଦର ତିଆରି କରନ୍ତି। ଏହି ରଙ୍ଗ ସବୁ ବିଭିନ୍ନ ଫଳ ଫୁଲରୁ ତିଆରି ହୁଏ। ଏସବୁ ରଙ୍ଗ ବ୍ୟବହାର ପଛରେ ମଧ୍ୟ ସେମାଙ୍କର ଜୀବନ ଶୈଳୀ ପ୍ରକୃତି ପୂଜା, ପରମ୍ପରା ଓ ଈଶ୍ବର ଚେତନା ଇତ୍ୟାଦି ଅନ୍ତର୍ନିହିତ। ଏହି ଚଦରର ଚାହିଦା ରାୟଗଡ଼ା ଅଞ୍ଚଳ ଅତିକ୍ରମ କରି ଭାରତର ବଡ଼ ବଡ଼ ସହର ଏପରିକି ବିଦେଶରେ ମଧ୍ୟ ରହିଛି। ଏହାର ବଜାର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ସେହିପରି ସଉରାମାନଙ୍କର ‘ଇଡ଼ିତାଳ’ ଚିତ୍ର କଳା ଏକ ଅନବଦ୍ୟ ସୃଷ୍ଟି, ଯାହାର ଉପଯୋଗ ହକି ବିଶ୍ବ କପ୍‌ ସମୟରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଚିତ୍ରମୟ କରାଯିବାରେ ହୋଇଥିଲା। ‘ଇଡ଼ିତାଳ’ ସଉରାମାନଙ୍କର ସାମାଜିକ ଓ ଧର୍ମୀୟ ଜୀବନ ସହ ଜଡ଼ିତ। ତା ସହିତ ଏହା ସେମାନଙ୍କ କଳା ନିପୁଣତାର ପରିଚୟ ଦେଇଥାଏ। ଏହା ଦ୍ବାରା ଗୃହ କାନ୍ଥର ଶୋଭା ବର୍ଦ୍ଧନ ହୋଇଥାଏ ସତ, କିନ୍ତୁ ଏହା ସହିତ ଏଥିରେ ପିତୃପୁରୁଷଙ୍କୁ ସ୍ମରଣ କରିବା ବା ଘରକୁ ଭୂତପ୍ରେତ ବା ଦୁଷ୍ଟ ଗ୍ରହଙ୍କ ପ୍ରଭାବରୁ ଦୂରରେ ରଖିବା ଭଳି ଭାବ ନିହିତ ଥାଏ।

ଏବେ ସମୟ ଆସିଛି, ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ, ଖାଦ୍ୟ ତଥା ବିଭିନ୍ନ ପାରଂପରିକ ବିଭବକୁ ଭୌଗୋଳିକ ମାନ୍ୟତା ଦେବା ପାଇଁ ପଥୀକୃତ ଉଦ୍ୟମ ଆରମ୍ଭ ହେଉ। କାରଣ ଏ ସବୁ ଭିତରେ ଓଡ଼ିଆମାନଙ୍କ ସମୃଦ୍ଧ ପ୍ରାଚୀନତା ନିହିତ ଅଛି। କେବଳ ସେତିକି ନୁହେଁ, ‘ଜି.ଆଇ.’ ମାନ୍ୟତା ଲାଭ କଲା ପରେ ସଂପୃକ୍ତ ଦ୍ରବ୍ୟ ଉପରେ ସ୍ବତ୍ତ୍ବାଧିକାର ସାବ୍ୟସ୍ତ ହେଉଥିବାରୁ ଏହା ବେପାରବଣିଜ କ୍ଷେତ୍ରକୁ ପ୍ରଶସ୍ତ କରିବା ସହିତ ରାଜ୍ୟର ଲୋକମାନଙ୍କ ଲାଗି ଜୀବିକାର ମାର୍ଗ ମଧ୍ୟ ସୁଗମ କରିଥାଏ। ଓଡ଼ିଶାର ମାତୃଭାଷା ଏକ ପ୍ରାଚୀନ ଶାସ୍ତ୍ରୀୟ ଭାଷା। ଏହି ରାଜ୍ୟର ଏକ ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ ପରଂପରା ରହିଛି। ଏହାର କଳା ସ୍ଥାପତ୍ୟର ଉତ୍କର୍ଷ କଥା ଜଗତ୍‌ ବିଦିତ। ଓଡ଼ିଶାର ପରଂପରାରେ ପ୍ରାଚୀନତାର ଯେଉଁ ରସ ଓ ବିଭବ ଅଛି, ତାକୁ ଅନ୍ୟ କେହି ଆମ ଠାରୁ ଅପହରଣ କରିନେବା ପୂର୍ବରୁ ଆମକୁ ସତର୍କ ରହିବାକୁ ହେବ। ବିହାରୀ ବାବୁମାନେ ଆମ ଖଜାକୁ ନେଇ ନ ଯାଆନ୍ତୁ! ଏଥିଲାଗି ରାଜନେତା, ବୁଦ୍ଧିଜୀବୀ ଓ ସଚେତନ ନାଗରିକ; ସମସ୍ତେ ଏକତ୍ର ହୁଅନ୍ତୁ।

ରାୟଗଡ଼ା
ମୋ- ୯୪୩୭୮୬୩୨୯୯

ସମ୍ବନ୍ଧିତ ଖବର

Comments are closed.