ବେଦର ଜ୍ଞାନ ଓ ମଣିଷ ଜୀବନ

ବରଦା ପ୍ରସନ୍ନ ଦାସ

ସମଗ୍ର ମାନବ ଜାତି ପାଇଁ ବେଦ ଉଦ୍ଦିଷ୍ଟ। ବେଦରେ ସ˚ସ୍କୃତ ଭାଷାର ନିକଟବର୍ତ୍ତୀ ବୈଦିକ ଭାଷାରେ ଲିଖିତ ସର୍ବମୋଟ ୨୦,୫୦୦ଟି ମନ୍ତ୍ର ରହିଛି। ଋକ୍‌, ଯଜ୍ଜୁ, ସାମ ଓ ଅଥର୍ବ ଏହିପରି ଚାରି ଭାଗରେ ବିଭକ୍ତ ବେଦରେ ମନୁଷ୍ୟର କାର୍ଯ୍ୟ କିଭଳି ହେବା ଉଚିତ; ଦେଶ, ସମାଜ ଓ ପରିବାର ପ୍ରତି ତାର କର୍ତ୍ତବ୍ୟ କିଭଳି ହେବ; ସେ ସଂପର୍କରେ ଦିଗ୍‌ଦର୍ଶନ ରହିଛି। ଏହି ସବୁକୁ ଜାଣିଲେ ନିଶ୍ଚିତ ଭାବେ ମନୁଷ୍ୟର ଏକ ସାମଗ୍ରିକ ବିକାଶ ସାଧିତ ହୋଇପାରିବ। ସୃଷ୍ଟିର ପ୍ରାରମ୍ଭରେ ଈଶ୍ବର ଏହି ବେଦ ଜ୍ଞାନକୁ ଋଷିମାନଙ୍କୁ ପ୍ରଦାନ କରିଥିଲେ ବୋଲି ବିଶ୍ବାସ କରାଯାଏ। ଅଗ୍ନି, ବାୟୁ, ଆଦିତ୍ୟ ଓ ଅଙ୍ଗିରା ଏପରି ଚାରି ଜଣ ଋଷିଙ୍କୁ ବେଦ ଜ୍ଞାନ ପ୍ରଦାନ କରାଯାଇଥିଲା। ବିଶ୍ବାସ କରାଯାଏ ଯେ ସେହି ଚାରିଜଣ ଋଷିଙ୍କ ହୃଦୟ ଅତ୍ୟନ୍ତ ପବିତ୍ର ଥିବା ଦୃଷ୍ଟିରୁ ସେମାନଙ୍କ ହୃଦୟରେ କେବଳ ବେଦ ଜ୍ଞାନ ପ୍ରକଟ ହୋଇଥିଲା। ଈଶ୍ବର ସର୍ବବିଦ୍ୟମାନ ହୋଇଥିବାରୁ ଋଷିମାନଙ୍କ ହୃଦ୍‌ଦେଶରେ ପ୍ରେରଣାର ସ୍ରୋତ ରୂପେ ସେ ହିଁ ବେଦ ଜ୍ଞାନର ନିର୍ଝରିଣୀର ସୃଷ୍ଟି କରିଥିଲେ।

ପରମାତ୍ମାଙ୍କ ଶାସନର ସ˚ବିଧାନ ହେଉଛି ବେଦ। ଆଦି କାଳରୁ ଏହା ମନୁଷ୍ୟମାନଙ୍କ ଏକ ସମନ୍ବୟୀ ଜୀବନ ଲାଗି ମାର୍ଗ ଦର୍ଶନ କରିବାରେ ଲାଗିଥିଲା। କିନ୍ତୁ ଦୁଃଖର କଥା, କାଳକ୍ରମେ ମନୁଷ୍ୟ ଈଶ୍ବରଙ୍କ ଠାରୁ ଦୂରେଇ ଯିବା ସହିତ ବେଦ ଠାରୁ ମଧ୍ୟ ଦୂରେଇ ଗଲା। ତେବେ, ମହାପୁରୁଷ ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ନେତୃତ୍ବରେ ବେଦର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହେବା ପରେ ତାହା ଏକ ଅଭିଯାନରେ ପରିଣତ ହୋଇଛି। କିନ୍ତୁ ସେଥି ଲାଗି ସେ ତାଙ୍କ ସମୟରେ ଅନ୍ଧବିଶ୍ବାସଗ୍ରସ୍ତଙ୍କ ବିଷ ଦୃଷ୍ଟିର ଶିକାର ହୋଇଥିଲେ।

ଅତୀତରେ ଧର୍ମୀୟ ଅନ୍ଧବିଶ୍ବାସକୁ ଖଣ୍ତନ କରିଥିବାରୁ ବୈଜ୍ଞାନିକ ଗାଲିଲିଓଙ୍କୁ ଆମରଣ ଜେଲ ଯାତନା ଦିଆଯାଇଥିଲା। ବୈଜ୍ଞାନିକ ବ୍ରୁନୋଙ୍କୁ କିରାସିନି ଢାଳି ନିଆଁ ଲଗାଇ ମାରି ଦିଆଯାଇଥିଲା। ସକ୍ରେଟିସ୍‌ ନୂତନ ଜ୍ଞାନ ପ୍ରଦାନ କରୁଥିବାରୁ ତାଙ୍କ ଉପରେ ଅଭିଯୋଗ ଲାଗିଲା ଯେ ସେ ଯୁବବର୍ଗଙ୍କ ମନକୁ କଳୁଷିତ କରୁଛନ୍ତି। ତେଣୁ ତାଙ୍କୁ ହେମଲକ ନାମକ ବିଷ ପିଇ ମରିବାକୁ ବାଧ୍ୟ କରାଗଲା। ସେହିଭଳି ମହର୍ଷି ଦୟାନନ୍ଦଙ୍କୁ ମଧ୍ୟ ବିଷ ଦେଇ ହତ୍ୟା କରାଯାଇଥିଲା। ଏହା ଯଦିଓ ସତ ଯେ ଅନ୍ଧବିଶ୍ବାସ ଦ୍ବାରା ଆକ୍ରାନ୍ତ ମଣିଷମାନେ ସର୍ବଦା ସତ୍ୟର ପଥକୁ ଓଗାଳିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ଯାହା ତା’ ଠାରୁ ଅଧିକ ମହତ୍ତର ସତ୍ୟ, ତାହା ହେଲା ସେମାନଙ୍କ ହୀନ ପ୍ରୟାସ ସତ୍ତ୍ବେ ମହାପୁରୁଷମାନଙ୍କ ଔଜ୍ଜ୍ବଲ୍ୟ ମଳିନ ହୋଇନାହିଁ। ତେଣୁ ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ଅନବଦ୍ୟ ଉଦ୍ୟମ ଅମର ରହିଛି ଓ ଆଗକୁ ରହିବ।

ବେଦ କହିଥାଏ ଯେ ଦୁଃଖୀର ଦୁଃଖ ନିବାରଣ କରିବା ମନୁଷ୍ୟର ପରମ କର୍ତ୍ତବ୍ୟ। ଏହା ହିଁ ବେଦ ଜ୍ଞାନର ମର୍ମାର୍ଥ। ଏହାର ଅର୍ଥ ରୋଗୀକୁ ଓାୖଷଧ ପ୍ରଦାନ, କ୍ଷୁଧାର୍ତ୍ତକୁ ଅନ୍ନଦାନ, ତୃଷାର୍ତ୍ତକୁ ଜଳଦାନ, ନିର୍ବସ୍ତ୍ରକୁ ବସ୍ତ୍ର ପ୍ରଦାନ, ଅଜ୍ଞାନକୁ ଜ୍ଞାନ ଦାନ ଇତ୍ୟାଦି ଭଳି ସେବାମୂଳକ କାର୍ଯ୍ୟ ମନୁଷ୍ୟକୁ ଈଶ୍ବରଙ୍କ ନିକଟତର କରିଥାଏ। ଅତଏବ ପରମେଶ୍ବରଙ୍କୁ ପୂଜା କରିବାର ଏକ ସୁନ୍ଦର ପ୍ରଣାଳୀ ହେଉଛି ସେବା। କିନ୍ତୁ ପୂଜା ବୋଇଲେ ମନୁଷ୍ୟ ବିଚାର କରୁଛି ଯେ ତାହା କେବଳ କାଷ୍ଠ ବା ପାଷାଣ ପ୍ରତିମାର ପୂଜନରେ ସୀମିତ। ସୁତରାଂ, ମୂର୍ତ୍ତି ପୂଜନରେ ସୀମିତ ନ ରହି ଆମେ ଆମ ପୂଜନର ପରିସରକୁ ସେବା କ୍ଷେତ୍ରକୁ ବ୍ୟାପ୍ତ କରିବା ଆବଶ୍ୟକ।

ବେଦ ହେଉଛି ବିଶ୍ବର ପ୍ରଥମ ଜ୍ଞାନ। ତେବେ ପ୍ରଶ୍ନ ଉଠେ ଯେ ବେଦ କାହିଁକି ସାଧାରଣ ଲୋକଙ୍କଠାରୁ ଦୂରେଇ ଗଲା। ଏହାର ଏକ କାରଣ ହେଲା ବ୍ରାହ୍ମଣ ପ୍ରାଧାନ୍ୟ ସମାଜରେ ସଂସ୍କୃତ ଭାଷାକୁ ସାଧାରଣ ଲୋକଙ୍କ ପହଞ୍ଚ ଠାରୁ ବାହାରେ ରଖାଗଲା। ଫଳରେ ସ˚ସ୍କୃତ ଭାଷାରେ ରଚିତ ବେଦ ଅଧ୍ୟୟନ ଲୋକମାନଙ୍କଠାରୁ ଦୂରେଇ ଗଲା। ଅତୀତରେ ଗୁରୁକୁଳ ଶିକ୍ଷା ବ୍ୟବସ୍ଥାରେ ଆଶ୍ରମମାନଙ୍କରେ ଶିଷ୍ୟମାନେ ସ˚ସ୍କୃତ ଭାଷାରେ ଶିକ୍ଷା ଲାଭ କରିବା ସହ ବେଦ ଓ ଅନ୍ୟାନ୍ୟ ଶାସ୍ତ୍ରର ଅଧ୍ୟୟନ କରୁଥିଲେ। କାଳ କ୍ରମେ ପୂର୍ବରୁ ବର୍ଣ୍ଣିତ କାରଣ ଲାଗି ସ˚ସ୍କୃତ ଭାଷା ତାର ନିଜ ଭୂମିରେ ଅପାଂକ୍ତେୟ ହୋଇ ପଡ଼ିଲା। ଆଜିକାଲି କେବଳ କର୍ମକାଣ୍ଡ କରୁଥିବା କିଛି ବ୍ରାହ୍ମଣଙ୍କ ମୁହଁ‌େର ବିକୃତ ସଂସ୍କୃତ ମନ୍ତ୍ର ବିଦ୍ୟମାନ ହୋଇ ରହିଛି। ଏଭଳି ସ୍ଥଳେ ବେଦର ଲୋକପ୍ରିୟତା ବୃଦ୍ଧି କରିବାର ଆଶା ଏକ ମରୀଚିକାତୁଲ୍ୟ ମନେହୁଏ। ତେବେ ଏହା ମଧ୍ୟ କହିବା ଉଚିତ ଯେ ବିଦେଶରେ ଏବେ ବେଦ ଜ୍ଞାନ ପ୍ରତି ଆଗ୍ରହ କ୍ରମେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତରେ ବେଦର ପ୍ରାଧାନ୍ୟକୁ ସ୍ଥାପନ କରିବା ଲାଗି ପଥିକୃତ ଉଦ୍ୟମ କରାଯିବା ଉଚିତ।

ଯୁଗ୍ମ ନିର୍ଦ୍ଦେଶକ, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଶା ସରକାର, ଭୁବନେଶ୍ବର
ମୋ-୯୮୬୧୧୪୫୬୮୭

ସମ୍ବନ୍ଧିତ ଖବର