ସ୍କୁଲ ଶିକ୍ଷା- ନୂଆ ମିଶାଣ, କିନ୍ତୁ ପୁରୁଣା ଅଙ୍କ

ଶିକ୍ଷା ନୀତି-୨୦୨୦ - ଅଜିତ ମହାନ୍ତି

ଅ‌ନେକ ପ୍ରତୀକ୍ଷା, ତର୍କ-ବିତର୍କ, ବିଚାର ଆଲୋଚନା ପରେ ଦେଶର ନୂଆ ଶିକ୍ଷା ନୀତି ଘୋଷିତ ହେଲା। ଆଗରୁ ଏମିତି ନୀତିମାନେ ବହୁ ଆଡ଼ମ୍ବର ସହ ଘୋଷିତ ହୋଇଛନ୍ତି, ଅନେକ ହଇଚଇ ସୃଷ୍ଟି କରିଛନ୍ତି। କିନ୍ତୁ ଶେଷରେ ବିଶେଷ କିଛି ବଦଳି ନାହିଁ। ସ୍ଥୂଳତଃ, ଶିକ୍ଷା ବ୍ୟବସ୍ଥା ବିଶେଷ କିଛି ବଦଳେଇ ପାରିନାହିଁ, ବିଶେଷ କରି ସରକାରୀ ଜନଶିକ୍ଷା ବ୍ୟବସ୍ଥା। ବାରମ୍ବାର ବିଭିନ୍ନ ଶିକ୍ଷା କମିସନ ଓ ଶିକ୍ଷା ନୀତି ଏବଂ ଶେଷରେ, ଶିକ୍ଷା ଅଧିକାର ଆଇନ ପୂର୍ବର ଆଲୋଚନାରେ ଶିକ୍ଷାର ଦ୍ବୈତ ପ୍ରଥା- ସରକାରୀ ଓ ବେସରକାରୀ ଶିକ୍ଷା, ଅର୍ଥାତ୍ ମୁଖ୍ୟତଃ ବ୍ୟବସାୟିକ ଏବଂ ଇଂରେଜୀ ମାଧ୍ୟମ ବ୍ୟବସ୍ଥା ଓ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାର- ଉଚ୍ଛେଦ କରିବା ପାଇଁ ଦୃଢ଼ ମତ ଓ ପ୍ରତିଶ୍ରୁତି ସତ୍ତ୍ବେ ଉଚ୍ଚ-ନୀଚ ଗୋଷ୍ଠୀଙ୍କ ପାଇଁ ଦୁଇଟି ସ୍ତରର ଶିକ୍ଷା ବ୍ୟବସ୍ଥାକୁ ଉଠାଇ ଦିଆଯାଇ ପାରିଲା ନାହିଁ ଏବଂ ଶିକ୍ଷାରେ ପାତର-ଅନ୍ତର ନୀତି ଅପରିବର୍ତ୍ତିତ ରହିଲା। ମାନବ ସମ୍ବଳ ବିକାଶର କାର୍ଯ୍ୟକ୍ରମ ଓ ଶିକ୍ଷା ବ୍ୟବସ୍ଥା‌େର ସମ୍ବଳ ଥିବା ବାଲାଙ୍କ ପାଇଁ ଗୋଟିଏ ଏବଂ ସମ୍ବଳରୁ ବଂଚିତ ଗୋଷ୍ଠୀଙ୍କ ପାଇଁ ଅନ୍ୟ ଏକ ନିମ୍ନମାନର ସରକାରୀ ଶିକ୍ଷା। ବର୍ତ୍ତମାନର ୨୦୨୦ ନୀତିରେ ମଧ୍ୟ ଏ ଦ୍ବୈତ ସ୍ତରୀୟ ଶିକ୍ଷା ବ୍ୟବସ୍ଥା ଅପରିବର୍ତ୍ତିତ। ବୋଧହୁଏ ସେଇଥିପାଇଁ ମାନବ ସମ୍ବଳ ବିକାଶ ବିଭାଗର ନାମ ବଦଳି ପୁଣି ସେଇ ପୁରୁଣା ଶିକ୍ଷା ବିଭାଗ ହେଲା ଏ ନୂଆ ନୀତିରେ- ବିଭାଗ ପୁରୁଣା, ସାଜସଜ୍ଜା ନୂଆ।

ଏଣିକି ପ୍ରଶ୍ନ, ଶିକ୍ଷା ଦେଶର ମାନବ ସମ୍ବଳର ବିକାଶ କରିବ ନା ନୂଆ ବାଗରେ ପୁରୁଣା ଶିକ୍ଷା ଦେବ? ପ୍ରଥମେ ଦେଖିବା କ’ଣ ବଦଳିଛି ପିଲାଙ୍କ ସ୍କୁଲ ଶିକ୍ଷାରେ। ଅଠର ବର୍ଷ ବୟସ ପର୍ଯ୍ୟନ୍ତ ଶିକ୍ଷାର ନୂଆ ଯୋଜନାରେ ପୁଣି ଥରେ ନୂଆ ମିଶାଣ। ଆଗରୁ ତିନି ବର୍ଷର ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଏବଂ ୧୦+୨ ବର୍ଷର ବିଦ୍ୟାଳୟ ଶିକ୍ଷାର ମିଶାଣ ବଦଳିଲା- ଏଣିକି ଶିକ୍ଷା ହେବ ୫+୩+୩+୪, ଗାୟ ମୋଟ ୧୫ ବର୍ଷର ଶିକ୍ଷା। ପୂର୍ବ ବ୍ୟବସ୍ଥାର ପ୍ରାକ୍-ବିଦ୍ୟାଳୟ ବା ଅଙ୍ଗନବାଡ଼ି ଶିକ୍ଷାର ତିନି ବର୍ଷ- ତିନି ବର୍ଷ ବୟସରୁ ୬ ବର୍ଷ ପର୍ଯ୍ୟନ୍ତ ଶିକ୍ଷା-ଏବଂ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ବର୍ତ୍ତମାନ ଏକତ୍ର ହୋଇ ପ୍ରଥମ ପାଞ୍ଚ ବର୍ଷର ଶିକ୍ଷାରେ ସାମିଲ ହେବେ। ପ୍ରାଥମିକ ସ୍ତରର ଅବଶିଷ୍ଟ ଶ୍ରେଣୀମାନେ, ଅର୍ଥାତ୍ ୮ରୁ ୧୧ ବର୍ଷ ବୟସର ପିଲାଙ୍କ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀ ହେବ ପରବର୍ତ୍ତୀ ୩ ବର୍ଷ। ୟା’ପରେ ମାଧ୍ୟମିକ ସ୍ତରର ତିନି ବର୍ଷ: ୧୧ରୁ ୧୪ ବର୍ଷ ପିଲାଙ୍କର ଷଷ୍ଠରୁ ଅଷ୍ଟମ ଶ୍ରେଣୀ। ସ୍କୁଲ ଶିକ୍ଷାର ଶେଷ ପର୍ଯ୍ୟାୟ, ପୁରୁଣା ଢାଞ୍ଚାରେ ନବମ ଓ ଦଶମ ଏବଂ ଯୁକ୍ତ ଦୁଇ ଶ୍ରେଣୀମାନ ଏକାଠି ହୋଇ ୧୪ରୁ ୧୮ ବର୍ଷ ପିଲାଙ୍କ ପାଇଁ ସେକେଣ୍ଡାରି ସ୍କୁଲ ପର୍ଯ୍ୟ‌ାୟ ଚାରି ବର୍ଷର। ୫+୩+୩+୪ ଶିକ୍ଷାର ଗଣିତ ପ୍ରଥମତଃ ପ୍ରାକ୍-ବିଦ୍ୟାଳୟ ଏବଂ ବିଧିବଦ୍ଧ ସ୍କୁଲ ଶିକ୍ଷାର ପ୍ରଭେଦକୁ ଅଗ୍ରାହ୍ୟ କରିଛି। ପିଲାମାନେ ସିଧାସଳଖ ପାଠ ନ ପଢ଼ି ଲେଖା-ପଢ଼ା ଓ ଗଣିତ ଶିକ୍ଷା ନ କରି, ଖେଳକୁଦ ଓ ବିଭିନ୍ନ ପ୍ରକାରର କାର୍ଯ୍ୟ ଓ ସହଜ ପରିବେଶର ଅଭିଜ୍ଞତା ମାଧ୍ୟମରେ ବିଧିବଦ୍ଧ ଶିକ୍ଷା ପାଇଁ ପ୍ରସ୍ତୁତ ହେବେ, ଏଇ ଉଦ୍ଦେଶ୍ୟରେ ୩ରୁ ୬ ବର୍ଷ ପିଲାଙ୍କ ପାଇଁ ଥିଲା ପ୍ରାକ୍-ବିଦ୍ୟାଳୟ ଶିକ୍ଷା ଯାହା ପିଲାଙ୍କର ଆଦ୍ୟ ଚିନ୍ତନ, ଭାଷା ବ୍ୟବହାର, ପରିବେଶ ସହିତ ବୁଝାମଣା ଓ ସମସ୍ୟା ସମାଧାନ ପାଇଁ ସୃଜନଶୀଳତାର ବିକାଶ ଲାଗି ଉଦ୍ଦିଷ୍ଟ ଥିଲା। ପିଲାଙ୍କ ମାନସିକ ବିକାଶ ଓ ସ୍କୁଲ ଶିକ୍ଷା ପାଇଁ ପୂର୍ବ ପ୍ରସ୍ତୁତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରାକ୍ ବିଦ୍ୟାଳୟ ବା ଆଦ୍ୟ ଶୈଶବର ପରିଚର୍ଯ୍ୟା ଓ ଶିକ୍ଷାର ଜାତୀୟ ନୀତିରେ ମଧ୍ୟ ଏ ପ୍ରକାର ପ୍ରାକ୍-ପ୍ରସ୍ତୁତିର ଅଣ-ବିଧିବଦ୍ଧ ଶିକ୍ଷା ଅନୁମୋଦିତ ହୋଇଥିଲା। ମନସ୍ତାତ୍ତ୍ବିକ ଦୃଷ୍ଟିରୁ ପିଲାଙ୍କ ବୌଦ୍ଧିକ ବିକାଶର ସ୍ତର ପ୍ରାୟ ପାଞ୍ଚ-ଛଅ ବର୍ଷ ବେଳକୁ ବଦଳେ ଏବଂ ପିଲାଏ ଭିନ୍ନ ବାଗରେ ଚିନ୍ତା କରିବା ଆରମ୍ଭ କରନ୍ତି; ତେଣୁ, ଏଇଠୁ ଆରମ୍ଭ ହୁଏ ପିଲାଙ୍କର ବିଧିବଦ୍ଧ ଶିକ୍ଷା, ଲେଖା-ପଢ଼ା ଓ ଗଣିତ ଜ୍ଞାନ। ମାତ୍ର, ୨୦୨୦ର ଏହି ନୂଆ ଶିକ୍ଷା ନୀତିରେ ଏ ଦୁଇଟି ସ୍ତରକୁ ମିଶାଇ ୩ରୁ ୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷା ଖେଳ ମାଧ୍ୟମରେ ହେବ ଏବଂ ଭାଷା ବିକାଶ ଉପରେ ପ୍ରାଥମିକତା ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଆଠରୁ ୧୧ ବର୍ଷ ବୟସର ପିଲାଙ୍କ ପାଇଁ ପରବର୍ତ୍ତୀ ତିନି ବର୍ଷର ପାଠ, ଅର୍ଥାତ୍ ତୃତୀୟରୁ ପଞ୍ଚମ ଶ୍ରେଣୀ ଶିକ୍ଷାର ନୂଆ ନୀତିରେ ପ୍ରାଥମିକତା ରହିଛି ପିଲାଙ୍କ ପ୍ରସ୍ତୁତି, ନିଜର ପରୀକ୍ଷା-ନିରୀକ୍ଷା ଦ୍ବାରା ତଥ୍ୟର ଅନୁସନ୍ଧାନ, ବୁଝାମଣା ଏବଂ ପିଲାଙ୍କ ନିଜ ଅଭିଜ୍ଞତା ଉପରେ ପର୍ଯ୍ୟବସିତ ଶିକ୍ଷା ଉପରେ। ତା ପରବର୍ତ୍ତୀ ୩ ବର୍ଷ, ୧୧ରୁ ୧୪ ବର୍ଷ ପିଲାଙ୍କ ପାଇଁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପଢ଼ାରେ ନିଜ ଅନୁଭୂତ ପରୀକ୍ଷା ନିରୀକ୍ଷା ଦ୍ବାରା ବିଜ୍ଞାନ ଓ ଗଣିତ ଶିକ୍ଷା, ତଥା କଳା, ସାମାଜିକ ଜ୍ଞାନ ଇତ୍ୟାଦି ଶିକ୍ଷା ଉପରେ ପ୍ରାଥମିକତା ଦିଆଯାଇଛି। ବିଦ୍ୟାଳୟ ଶିକ୍ଷାର ଶେଷ ପର୍ଯ୍ୟାୟରେ ୨୦୨୦ ନୀତିର ଶେଷ ଚାରି ବର୍ଷର ସେକେଣ୍ଡାରି ଶିକ୍ଷା- ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ। ଏ ପର୍ଯ୍ୟାୟରେ ନୂଆ ନୀତିର ପରିକଳ୍ପନା ଅନୁସାରେ ପିଲାଏ ଆସ୍ତେ ଆସ୍ତେ ଏକାଧିକ ବିଷୟବସ୍ତୁରୁ ଅଳ୍ପ ସଂଖ୍ୟକ ବା ଏକମାତ୍ର ବିଷୟରେ ଅଧିକ ଧ୍ୟାନ ଦେବା ଶିଖିବେ ଏବଂ ନିଜର ଭବିଷ୍ୟତ କର୍ମ ଯୋଜନା ପାଇଁ ନିଜକୁ ପ୍ରସ୍ତୁତ କରିବେ। ଶିକ୍ଷା ବ୍ୟବସ୍ଥାର ଏ ଯେଉଁ ନୂଆ ମିଶାଣ, ତାହା କେତେ ଦୂର ପିଲାଙ୍କ ବୌଦ୍ଧିକ ଓ ଶୈକ୍ଷିକ ବିକାଶର ପ୍ରତି‌ଷ୍ଠିତ ଜ୍ଞାନ ଉପରେ ପର୍ଯ୍ୟବସିତ, ତାହା ବିଚାର୍ଯ୍ୟ। ତେ‌େବ, ଏ କଥା ସ୍ପଷ୍ଟ ଯେ ଏ ନୂଆ ମିଶାଣର ଯେଉଁ କାରଣ ଦିଆଯାଇଛି ଏବଂ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ସମ୍ପୂର୍ଣ୍ଣ ଭାବରେ ବିଜ୍ଞାନସମ୍ମତ ନୁହେଁ। କେବଳ ଏତିକି କୁହାଯାଇପାରେ ଯେ ପ୍ରାକ୍-ବିଦ୍ୟାଳୟ ଶିକ୍ଷା, କୁନିପିଲାଙ୍କ ଖେଳ ଓ ଅନୁଭବ ମାଧ୍ୟମର ଶିକ୍ଷା, ଆସ୍ତେ ଆସ୍ତେ ବ୍ୟବସାୟିକ ଶିକ୍ଷା ପ୍ରଭାବରେ ଏବଂ ପିଲାଙ୍କୁ ଶୀଘ୍ର ଶୀଘ୍ର ପାଠ ପଢ଼ାଇବାର ମାନସିକତାରେ ବିଧିବଦ୍ଧ ଲେଖା ପଢ଼ା ଓ ଗଣିତ ଶିକ୍ଷାରେ ପରିଣତ ହୋଇସାରିଥିଲା, ଅନ୍ତତଃ ସରକାରୀ ଅଙ୍ଗନବାଡ଼ି କାର୍ଯ୍ୟକ୍ରମର ବାହାରେ ଥିବା ସହରୀ ଓ ମଧ୍ୟମ-ଉଚ୍ଚ ବର୍ଗର ପିଲା ଓ ସେମାନଙ୍କ ବାପାମାଆଙ୍କ ପାଇଁ। ପିଲାଙ୍କଠାରୁ ତାଙ୍କର ଶୈଶବ ଛଡ଼ାଇ ନେବାର ଏ ଆଧୁନିକ ଶିକ୍ଷା ବ୍ୟାଧି, ବର୍ତ୍ତମାନ ନୂଆ ଶିକ୍ଷା ନୀତି, ୨୦୨୦ରେ ସରକାରୀ ମାନ୍ୟତା ପାଇଗଲା। ପିଲାଦିନ ପୁଣି ହଜିଗଲା।

ସ୍କୁଲ ଶିକ୍ଷା ପରିପ୍ରେକ୍ଷୀରେ ନୂଆ ନୀତିର ନୂଆ ମିଶାଣ ପରେ, ଅନ୍ୟ କେତେକ ନୂଆ ଦିଗ ସମ୍ବନ୍ଧରେ ବର୍ତ୍ତମାନ ଆଲୋଚନା କରାଯାଉ। ପ୍ରଥମେ, ଶିକ୍ଷାର ସର୍ବନିମ୍ନ ମୌଳିକ ଉପାଦାନ- ଶିକ୍ଷାର ମାଧ୍ୟମ ଓ ଭାଷା କଥା ଦେଖାଯାଉ। ଅନ୍ତତଃ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଏ ନିଜ ମାତୃଭାଷା କିଂବା ଆଂଚଳିକ ଭାଷାରେ ପାଠ ପଢ଼ିବେ, ଏହା ହେଉଛି ନୂଆ ଶିକ୍ଷା-ନୀତିର ସ୍ବୀକୃତ ପନ୍ଥା। ମାତୃଭାଷା ମାଧ୍ୟମର ଶିକ୍ଷା ବିଜ୍ଞାନ ସମ୍ମତ ଓ ବିଶ୍ବ ସ୍ତରରେ ବହୁ ଆଦୃତ। ଏ କଥା ଗବେଷଣାରୁ ପ୍ରତିଷ୍ଠିତ ଯେ ଶିକ୍ଷାର ଗୁଣାତ୍ମକ ମାନ ରକ୍ଷା ପାଇଁ ମାତୃଭାଷା ମାଧ୍ୟମର ବିକଳ୍ପ ନାହିଁ। ତେଣୁ ନୂଆ ନୀତିର ଏ ଘୋଷଣା ନିଶ୍ଚୟ ଅଭିନନ୍ଦନୀୟ। ତେବେ, ମାତୃଭାଷା-ମାଧ୍ୟମ ଶିକ୍ଷା ସାଂବିଧାନିକ ସ୍ବୀକୃତ ହୋଇଥିଲେ ମଧ୍ୟ ଏବଂ ପୂର୍ବର ଶିକ୍ଷା ନୀତି ସମେତ ୨୦୦୫ ମସିହା‌େର NCERT ଦ୍ବାରା ପ୍ରବର୍ତ୍ତିତ ଜାତୀୟ ପାଠ୍ୟ ଖସଡ଼ାରେ ଏହା ଦେଶ ପାଇଁ ଅନୁମୋଦିତ ହୋଇଥିଲେ ମଧ୍ୟ ଏହା ବାସ୍ତବତାରେ ପରିଣତ ହୋଇପାରି ନାହିଁ। ବରଂ, ଏହା ସତ୍ତ୍ବେ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟ ମାତୃଭାଷା ମାଧ୍ୟମ ସ୍କୁଲଗୁଡ଼ିକୁ ଇଂରେଜୀ ମାଧ୍ୟମରେ ପରିଣତ କରିଛନ୍ତି। ଓଡ଼ିଶାରେ ୨୦୧୪ ମସିହାରେ ଆଦିବାସୀ ପିଲାଙ୍କ ପାଇଁ ମାତୃଭାଷା ମାଧ୍ୟମ ଶିକ୍ଷା ନୀତି ଘୋଷିତ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଆଂଶିକ ଏବଂ ଏ ନୀତି ସତ୍ତ୍ବେ, ସରକାର ଆଦିବାସୀ ପିଲାଙ୍କୁ ଇଂରେଜୀ ମାଧ୍ୟମ ଶିକ୍ଷା ଦେବାର ଅନେକ କାର୍ଯ୍ୟକ୍ରମ- ଅନ୍ବେଷା, ଆଦର୍ଶ ବିଦ୍ୟାଳୟ ଇତ୍ୟାଦି- ପ୍ରଚଳିତ କରିଛନ୍ତି। ତେଣୁ ରାଜ୍ୟମାନଙ୍କରେ କେତେଦୂର ମାତୃଭାଷାରେ ଶିକ୍ଷାଦାନ ହୋଇପାରିବ, ତାହା ଏକ ବଡ଼ ପ୍ରଶ୍ନ। ବର୍ତ୍ତମାନ ଯେଉଁ ହାରରେ ଇଂରେଜୀ ମାଧ୍ୟମର ପ୍ରଭାବ ବଢ଼ି ଚାଲିଛି, ସେ ହାରରେ ଜନସଂଖ୍ୟା ବୃଦ୍ଧି ହାର ଓ ଓଡ଼ିଆରୁ ଇଂରେଜୀ ମାଧ୍ୟମକୁ ଯାଉଥିବା ପିଲାଙ୍କ ହାର ହିସାବରେ ଦେଖାଯାଇଛି ଯେ ୨୦୩୨ ମସିହା ବେଳକୁ ଦୂରଦୂରାନ୍ତରେ କିଛି ଗରିବ ଶ୍ରେଣୀର ପିଲାଙ୍କୁ ଛାଡ଼ି ଦେଲେ ଓଡ଼ିଆ ମାଧ୍ୟମ ସ୍କୁଲମାନଙ୍କରେ ଆଉ ପିଲା ନଥିବେ। ଏ ପ୍ରକାର ପରିସ୍ଥିତିରେ ମାତୃଭାଷାରେ ଶିକ୍ଷା ନୀତି କେତେଦୂର ବାସ୍ତବ ପରିବର୍ତ୍ତନ ଆଣିବ, ତାହା ଚିନ୍ତନୀୟ।

ସ୍କୁଲ ଶିକ୍ଷାରେ ପରୀକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥାରେ ଅନେକ ପ୍ରସ୍ତାବ ରହିଛି। ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପର୍ଯ୍ୟାୟମାନଙ୍କରେ ବିଶେଷ ମୂଲ୍ୟାୟନ ହେବ। ପରୀକ୍ଷା ପାଇଁ ବୋର୍ଡ ମାନଙ୍କ‌ର ପୁନର୍ବିନ୍ୟାସ କରାଯିବ ଏବଂ ଶିକ୍ଷାରେ ଅଧିକ ଗୁରୁତ୍ବ ଓ ଭିନ୍ନ ମିଶାଣ ସତ୍ତ୍ବେ ପାଠ୍ୟକ୍ରମ ହ୍ରାସ ପାଇବ। ପିଲାଙ୍କ ଶିକ୍ଷାକୁ ବିଶ୍ବସ୍ତରୀୟ କରିବା ଲକ୍ଷ୍ୟ ସହିତ ପିଲାଙ୍କ ପାଠ ବୋଝ ହ୍ରାସର ଲକ୍ଷ୍ୟ ମଧ୍ୟରେ ସନ୍ତୁଳନ ଆଣିବା ଏକ ବଡ଼ ଆହ୍ବାନ ଏବଂ ବର୍ତ୍ତମାନର ବ୍ୟବସ୍ଥା ଓ ଆର୍ଥିକ ସମ୍ବଳରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ନ ହେଲେ ଏ ପ୍ରକାର ଉନ୍ନତ ମାନର ଶିକ୍ଷା ଦେବା କେବଳ ଏକ ଘୋଷିତ ଆଦର୍ଶ ହୋଇ ରହିଯିବ। ପିଲାଙ୍କର ଶିକ୍ଷଣର ପରିଣାମ ଓ ପରିବର୍ତ୍ତନର ମୂଲ୍ୟାୟନ ପାଇଁ ଗୋଟାକ ପରେ ଗୋଟାଏ ପଦ୍ଧତି ଘୋଷିତ ହୋଇଛି ଏବଂ କିଛି ଦିନ ପାଇଁ ଏ ପଦ୍ଧତିର ସ୍ଲୋଗାନ ଘୋଷରା ହେବା ପରେ ପୁଣି ବଦଳିଛି। ବର୍ତ୍ତମାନ ନୂଆ ନୀତିର ନୂଆ ଘୋଷଣା-୩୬୦ ଡିଗ୍ରିର ସ୍ବୟଂ-ସମ୍ପୂର୍ଣ୍ଣ ଅଗ୍ରଗତି କାର୍ଡ- ପ୍ରତ୍ୟେକ ପିଲା ପାଇଁ ଶିକ୍ଷଣ ଫଳାଫଳ ଜଣେଇବ। ଆଗରୁ ଶିକ୍ଷାନୀତିରେ ଏବଂ ଶିକ୍ଷା ପରିଚାଳନାରେ ଏଇ ଭଳି ଅନେକ ଢାଞ୍ଚାର ପରୀକ୍ଷା ସରିଛି। ବିନା ପରୀକ୍ଷାରେ ସବୁ ପିଲା ଉତ୍ତୀର୍ଣ୍ଣ ହେବେ, ନିରନ୍ତର ସାମଗ୍ରିକ ମୂଲ୍ୟାୟନ କରାଯିବ ଏବଂ ଏକକାଳୀନ ପରୀକ୍ଷା ବାତିଲ ହେବ ଇତ୍ୟାଦି ଅନେକ ପ୍ରକାରର ପଦ୍ଧତି କିଛି ଦିନର ରୋମାଞ୍ଚ ପରେ ବଦଳିଛି। ତେଣୁ ଏ ଯେଉଁ ନୂଆ ୩୬୦ ଡିଗ୍ରି ଅଗ୍ରଗତି ପରିମାପକ ତାହା ପୁଣି ଏକ ନୂଆ ସ୍ଲୋଗାନ ହେବ, କିନ୍ତୁ ବଦଳିବ କ’ଣ?

ଗୁଣାତ୍ମକ ଶିକ୍ଷା ପାଇଁ ସର୍ବନିମ୍ନ ସୁବିଧା ଓ ଶିକ୍ଷଣ ପ୍ରକ୍ରିୟାର ମାନ ସମ୍ପୂର୍ଣ୍ଣ ରୂପେ ନ ବଦଳିଲେ, ୨୦୨୦ର ଶିକ୍ଷା ନୀତି କେବଳ କିଛି ପ୍ରାସାଧନିକ ପରିବର୍ତ୍ତନ ଓ ଅଳ୍ପ ଦିନ‌ର ରୋମାଞ୍ଚ ପରେ ପୂର୍ବ ଶିକ୍ଷା ନୀତି ମାନଙ୍କ ବାଟରେ ଯାଇ ଘଷରା ହେବ। ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷକମାନଙ୍କର ଗୁଣାତ୍ମକ ପରିବର୍ତ୍ତନ ଓ ଶିକ୍ଷକ-ପ୍ରସ୍ତୁତି ବିଷୟରେ ନୂଆ ନୀତି ଘୋଷିତ ହୋଇଛି। ଶିକ୍ଷକ ପ୍ରଶିକ୍ଷଣ ପାଇଁ ନୂଆ ଜାତୀୟ ପାଠ୍ୟ ଖସଡ଼ା ୨୦୨୧ ମସିହାରେ ତିଆରି ହେବ ଏବଂ ୨୦୩୦ ମସିହା ସୁଦ୍ଧା ଚାରି ବର୍ଷର ସମନ୍ବିତ ବି.ଇ.ଡି. ଡିଗ୍ରି ଶିକ୍ଷକମାନଙ୍କ ପାଇଁ ସର୍ବନିମ୍ନ ଯୋଗ୍ୟତା ହେବ। ଶିକ୍ଷକତାର ମାନ, ମର୍ଯ୍ୟାଦା ଏବଂ ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷା ଏତେ ନିମ୍ନ ସ୍ତରରେ ଅଛି ଯେ ଏ ପ୍ରକାର ଉଚ୍ଚ ଲକ୍ଷ୍ୟ ଅବାସ୍ତବ ମନେହେଉଛି।

ପ୍ରତ୍ୟେକ ଶିଶୁର ଅନ୍ତର୍ନିହିତ ପ୍ରତିଭାର ପୂର୍ଣ୍ଣ ବିକାଶ ଏବଂ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଶିକ୍ଷାର ବିଶ୍ବ ସ୍ତରୀୟ ଲକ୍ଷ୍ୟ। ମାତ୍ର, ମୂଳରୁ ବଡ଼ ଓ ସାନ ବର୍ଗର ଲୋକଙ୍କ ପାଇଁ ଦୁଇ ସ୍ତରୀୟ ବ୍ୟବସ୍ଥା ଫଳରେ ଶିକ୍ଷା ସମାଜକୁ ବିଭାଜିତ କରିଛି ବିଭିନ୍ନ ଶ୍ରେଣୀରେ ଓ ବିଭିନ୍ନ ସୁଯୋଗ ଦ୍ବାରା। ତେଣୁ ଏ ନୂତନ ଶିକ୍ଷା ନୀତି କାହା ପାଇଁ? – ଏ କଥା ଆଗ ବିଚାର କରାଯାଉ ଏବଂ ଏ ନେଇ ଜାତୀୟ ବିତର୍କ ହେଉ। ଆଶା ଥିଲା ଯେ ଶିକ୍ଷା ଆଧୁନିକ ବିକାଶର ନୂଆ ମନ୍ତ୍ର, ନୂଆ ଈଶ୍ବର। ମାତ୍ର ଏ ଈଶ୍ବର ତ ସମାଜକୁ, ସନ୍ତାନମାନଙ୍କୁ ଅର୍ଥନୀତିର ମାନଦଣ୍ଡରେ ବିଭିନ୍ନ ସ୍ତରରେ ବାଣ୍ଟି ସାରିଛନ୍ତି। ଶିକ୍ଷା କ’ଣ କେବଳ ଲକ୍ଷ-ଲକ୍ଷ ଟଙ୍କା ବ୍ୟୟ କରି ଉନ୍ନତମାନର ଶିକ୍ଷା କିଣୁଥିବାର ସାମର୍ଥ୍ୟ ଥିବା ପିଲାଙ୍କ ପାଇଁ ନାଁ ଏ ଦେଶର ସମସ୍ତ ଅମୃତର ସନ୍ତାନମାନଙ୍କ ପାଇଁ? ବର୍ତ୍ତମାନର ବିଭାଜିତ ବ୍ୟବସ୍ଥାରେ, ମନେ ହେଉଛି ଏ ସବୁ ଦେଖାଣିଆ ପରିକଳ୍ପନା ଓ ଆଦର୍ଶର ନୀତିମାନ କେବଳ ଈଶ୍ବରଙ୍କ ଇତର ସନ୍ତାନମାନଙ୍କ ପାଇଁ ଯେଉଁମାନଙ୍କୁ ଶିକ୍ଷାର ଭଗବାନ ଠକି ସାରିଛନ୍ତି ବାରମ୍ବାର। ଏ ନୂଆ ଶିକ୍ଷା ନୀତି, ୨୦୨୦ ପୁଣି ଥରେ ସେଇମାନଙ୍କୁ ଭଣ୍ଡେଇ ଦେବ ନାହିଁ ତ?

ପ୍ରାକ୍ତନ ପ୍ରଫେସର, ଜେ.ଏନ୍‌. ୟୁ.
[email protected]

ସମ୍ବନ୍ଧିତ ଖବର