ରାମଙ୍କ ଅନ୍ତୁଡ଼ିଶାଳ

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ରାମ ଜନ୍ମସ୍ଥାନକୁ ନେଇ ପୁଣି ବିବାଦର ସୂତ୍ରପାତ। ମୁଁ ଏଠି ରାମ, ଦାମ, ଶ୍ୟାମ ଵାଲା ରାମର କଥା କହୁ ନାହିଁ, କହୁଛି ଭାରତୀୟ ସଂସ୍କୃତିର ନମସ୍ୟ, ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ କଥା। ଲୋକଙ୍କ ମନରେ କ୍ରୋଧ ଓ ବିଷାଦ; ଏତେ ବଡ଼ ମହାପୁରୁଷଙ୍କ ଜନ୍ମସ୍ଥାନ ବିଷୟଟି ଏତେ ବର୍ଷ ହେଲା ନିର୍ଦ୍ଧାରିତ ହେଇପାରୁନାହିଁ। କିଛିମାସ ହେଲା ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଅବସ୍ଥିତ ରାମ ଜନ୍ମଭୂମିର ବିବାଦ ଥମି ଆସିଲା ବେଳକୁ ଏବେ ନେପାଳ ଦେଶର ପ୍ରଧାନମନ୍ତ୍ରୀ ଖଡ୍‌ଗ ପ୍ରସାଦ ଶର୍ମା ଓଲିଙ୍କର ଦାବି ଯେ ରାମଚନ୍ଦ୍ରଙ୍କ ଜନ୍ମ ହୋଇଥିଲା ସେ ଦେଶର ଅଖ୍ୟାତ ପଲ୍ଲୀ ଅଯୋଧ୍ୟା ଠାରେ। ଭାରତ, ନେପାଳୀ ଐତିହ୍ୟ ସହ ପ୍ରବଞ୍ଚନା କରି ରାମ ଭାରତରେ ଜନ୍ମିତ ବୋଲି ଦାବି କରୁଛି।

ଅବଶ୍ୟ ଏପରି ଏକ ବକ୍ତବ୍ୟ ଦେଇ ଅକାରଣରେ ବିବାଦ ସୃଷ୍ଟି କରିଥିବାରୁ ନେପାଳର ନାଗରିକମାନେ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଖପ୍ପା, କିନ୍ତୁ ଚିନ୍ତାର ବିଷୟ ଏହି ଯେ ଭାରତର ମଧ୍ୟ କେତେକ ରାଜନୈତିକ ଓ ଧାର୍ମିକ ଦଳର ନେତା ଏବେ ଖଡ୍‌ଗ ହସ୍ତ। ଧର୍ମ କିମ୍ବା ସଂସ୍କୃତି ନାମରେ ଲୋକଙ୍କୁ ମତାଇବା ଖୁବ ସହଜ ଓ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଗଲେ ଅବସ୍ଥା ବେଳେ ବେଳେ ନିୟନ୍ତ୍ରଣର ବାହାରକୁ ଚାଲିଯାଏ। ସେପରି ଅବସ୍ଥା ସୃଷ୍ଟି ହେବା ଆଗରୁ ଯେଉଁ କେତୋଟି ସାଧାରଣ କଥା ଆମେ ଭାବିବା ଦରକାର, ତାହା ସୂଚେଇ ଦେବା ହିଁ ଏହି ଆଲେଖ୍ୟର ଉଦ୍ଦେଶ୍ୟ।

କଥା ହେଲା, ଶ୍ରୀରାମଚନ୍ଦ୍ର ହେଲେ ବିଶାଳ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଉଜ୍ଜ୍ବଳ ନକ୍ଷତ୍ର ସଦୃଶ। ପୃଥିବୀ ପ୍ରସିଦ୍ଧ ପୌରାଣିକ ଗ୍ରନ୍ଥ ରାମାୟଣ ହିଁ ରାମଚନ୍ଦ୍ରଙ୍କ ଜୀବନୀ ଓ କୀର୍ତ୍ତିଗାଥାର ଉତ୍ସ। ତାଙ୍କୁ ନେଇ ଲେଖା ଯାଇଥିବା ଜୀବନ ବୃତ୍ତାନ୍ତ ସର୍ବଜନବିଦିତ, ଯଦିଓ ଏହାକୁ ପ୍ରମାଣ କରିବା ପାଇଁ କୌଣସି ଲିଖିତ ବା ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଆମ ପାଖରେ ନାହିଁ। ମହର୍ଷି ବାଲ୍ମୀକି ଯେ ରାମାୟଣ ରଚନା କଲାବେଳେ ତଥ୍ୟଭିତ୍ତିକ ଗବେଷଣା କରି ବା ରାମଚନ୍ଦ୍ରଙ୍କର ବନବାସ ଓ ଜୟଯାତ୍ରା ସମୟରେ ତାଙ୍କର ଅନୁଧାବନ କରି ଖବର ସଂଗ୍ରହ କରିଥିଲେ, ଏମିତି ଭାବିବା ଭୁଲ ହେବ। କାରଣ ଏହି ଗ୍ରନ୍ଥରେ ଅନେକ ଅଲୌକିକ ଘଟଣାର ଉପସ୍ଥାପନା କରାଯାଇଛି। ହେଲେ ରାମାୟଣର ରଚୟିତା ଯେ ମନରୁ ଗଢ଼ି ରାମଙ୍କ ଚରିତ୍ର ଚିତ୍ରଣ କରିଥିବେ ତାହା ମଧ୍ୟ କହିଲେ ଠିକ ହେବ ନାହିଁ। କିନ୍ତୁ ଏ କଥା ସମ୍ଭବ ଯେ ରାମ, ସୀତା ଓ ଅନ୍ୟାନ୍ୟ ଚରିତ୍ର ମାଧ୍ୟମରେ ବାଲ୍ମୀକି ମଣିଷର ସୁଗୁଣ, ମୂଲ୍ୟବୋଧ ଓ ଆଦର୍ଶର ନିଦର୍ଶନ ଦେବାକୁ ଚାହିଁଛନ୍ତି ରାମାୟଣର କାହାଣୀ ମାଧ୍ୟମରେ।

ସେହିପରି ଏହି କାହାଣୀକୁ ଆର୍ଯ୍ୟାବର୍ତ୍ତ ଓ ଦକ୍ଷିଣ ଭାରତ, ଏମିତିକି ଲଙ୍କା ଭଳି ଭାରତ ବାହାରର ଅଞ୍ଚଳ ସମୂହରେ ବିସ୍ତାରିତ କରିଛନ୍ତି। ଯେମିତି ରାମଚନ୍ଦ୍ର ସେ ସମୟର ବୀର ଓ ମର୍ଯ୍ୟାଦାବନ୍ତ କୌଣସି ରାଜାଙ୍କର ଆଦର୍ଶ, ସାମୂହିକ ସୁଗୁଣର ପ୍ରତୀକ, ରାମାୟଣର ପୃଷ୍ଠଭୂମି ମଧ୍ୟ ସେ ସମୟର ସାରା ଭାରତ ଭୂଖଣ୍ଡର ଭୌଗୋଳିକ ଓ ରାଜନୈତିକ ପରିସ୍ଥିତିର ଏକ ସମଷ୍ଟିଗତ ଚିତ୍ର। ସେଇଥିପାଇଁ ତ ଦେଶର ଅଧିକାଂଶ ପୁର, ପଲ୍ଲୀ, ନଗର, ପ୍ରାନ୍ତରରେ ରାମାୟଣରେ (ମହାଭାରତରେ ମଧ୍ୟ) ବର୍ଣ୍ଣିତ କିଛି ଘଟଣା ଘଟିଥିଲା ବୋଲି ସେଠାକାର ବାସିନ୍ଦା ଦାବି କରନ୍ତି, କିଛି ‘ଅକାଟ୍ୟ’ ପ୍ରମାଣ ସହ ମଧ୍ୟ। ତେଣୁ ରାମଙ୍କୁ ଶ୍ରଦ୍ଧା କରୁଥିବା ବ୍ୟକ୍ତି ତାଙ୍କୁ ଜଣେ ରକ୍ତମାଂସଧାରୀ ବ୍ୟକ୍ତି ଅପେକ୍ଷା ଆଦର୍ଶ ଓ ମୂଲ୍ୟବୋଧର ଜଣେ ପ୍ରତୀକ ଅବା ପରିକଳ୍ପନା ବୋଲି ଭାବିବା ଉଚିତ ଓ ଭକ୍ତି ଭାବ ପ୍ରଦର୍ଶନ କରିବା ଉଚିତ।

ନେପାଳୀ ନେତା ଓଲି ଉଠାଇଥିବା ଦାବି କିଛି ନୂଆ କଥା ନୁହେଁ। ପୂର୍ବରୁ ଏମିତି ଦାବି ହୋଇଛି। ରାମାୟଣ ଅନୁସାରେ ସୀତା ଜନକ ରାଜାଙ୍କ କନ୍ୟା। ନେପାଳ କହେ ଯେ ସେଠାକାର ଜନକପୁରୀ ହେଉଛି ରାଜା ଜନକଙ୍କ ରାଜ୍ୟ। ସେମିତି ନେପାଳ ଦେଶରେ ଅବସ୍ଥିତ ବାଲ୍ମୀକି ଆଶ୍ରମ ନାମରେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କଥା କୁହାଯାଇଥାଏ। ଆଜି ନେପାଳ ଏକ ସାର୍ବଭୌମ ରାଷ୍ଟ୍ର ହୋଇପାରେ, ହେଲେ ବୈଦିକ ଯୁଗରେ ଏହା ଥିଲା ଭାରତୀୟ ସଭ୍ୟତାର ଅଂଶବିଶେଷ। ତେଣୁ, ସଂସ୍କୃତିର ପ୍ରତୀକଗୁଡ଼ିକର ଉତ୍ପତ୍ତି ଓ ସ୍ୱତ୍ୱ ନେଇ ପୃଥକ ଗୋଷ୍ଠୀ, ରାଜ୍ୟ ବା ଦେଶ ଭିତରେ ଏମିତି ବିବାଦ ଗୁଡ଼ିକର ଅନେକ ନଜିର ରହିଛି। ଉଦାହରଣ ସ୍ୱରୂପ ରସଗୋଲା ବିବାଦ କଥା ମନେ ପକାଯାଇପାରେ। ଜୟଦେବଙ୍କ ବିଷୟରେ ପୁଣି ଓଡ଼ିଶା ଓ ବଙ୍ଗଳା ଭିତରେ ବିବାଦ। ବୁଦ୍ଧଦେବଙ୍କ ଜନ୍ମସ୍ଥାନ ନେପାଳରେ ନୁହେଁ, ବରଂ ଓଡ଼ିଶା ଭୂଇଁରେ ବୋଲି କିଛି ଦିନ ତଳେ ହୁରି ଉଠିଥିଲା।

କିନ୍ତୁ ପୁରୁଷୋତ୍ତମ ରାମଙ୍କ ଅନ୍ତୁଡ଼ିଶାଳର ବିବାଦକୁ ନେଇ ଆମେ ଯଦି ହିଂସା ଓ ଦ୍ୱେଷ ସୃଷ୍ଟି କରିବା, ତେବେ କୌଣସି ସୁଫଳ ମିଳିବ ନାହିଁ। ରାମଚନ୍ଦ୍ରଙ୍କୁ ସାରା ଭାରତ ସତ୍ୟ, ଧର୍ମ, କର୍ତ୍ତବ୍ୟନିଷ୍ଠା ଇତ୍ୟାଦିର ପ୍ରତୀକ ରୂପେ ପୂଜା କରି ଆସୁଛି ଯୁଗ ଯୁଗ ଧରି। ଇଣ୍ଡୋ‌େନସିଆରେ ରାମାୟଣ ଓ ପ୍ରଭୁ ରାମଚନ୍ଦ୍ରଙ୍କ ଆଦର ସର୍ବଜନବିଦିତ। କିନ୍ତୁ ସେହି ଦେଶ ରାମଙ୍କ ଉପରେ ନିଜର କର୍ତ୍ତୃତ୍ବ ଜାହିର କରିବା ଲାଗି ଉଦ୍ୟମ କରେନାହିଁ। ସେହି ପରିପ୍ରେକ୍ଷୀରେ ରାମଙ୍କୁ ନିଜର ବୋଲି ନେପାଳ ପକ୍ଷରୁ ଦାବି କରାଯିବା ବିରକ୍ତିକର। ତେବେ କେତେକ ଗୋଷ୍ଠୀର ମତରେ ନେପାଳର ଦାବି ଉପରେ ଗୁରୁତ୍ବ ପ୍ରଦାନ କରାଯିବା ଅନାବଶ୍ୟକ। କାରଣ ଏହାଦ୍ବାରା ଶ୍ରୀରାମଙ୍କ ଚରିତ୍ର ପଛରେ ରହିଥିବା ଆଦର୍ଶ ଓ ମୂଲ୍ୟବୋଧ ସଂକୁଚିତ ହେବାର ସମ୍ଭାବନା ନାହିଁ।

ସୌଭାଗ୍ୟ ନଗର, ଭୁବନେଶ୍ୱର
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର