ଆର. ଅଜିତ କୁମାର ଓ କିଷନ ଯାଦବ କିଏ? ଏମାନେ ଦୁହେଁ ପରସ୍ପରକୁ ଚିହ୍ନନ୍ତି ନାହିଁ। ଅଜିତ କୁମାର ରହନ୍ତି ତାମିଲନାଡୁରେ ଏବଂ କିଷନ ରହନ୍ତି ମୁମ୍ବାଇରେ। କିନ୍ତୁ ଦୁହେଁ ଏକ ପ୍ରକାର ମହତ ଉଦ୍ଦେଶ୍ୟ ଦ୍ବାରା ପରିଚାଳିତ ହୋଇ କରୋନା ସଂକ୍ରମଣ କାଳରେ ମାନବିକତାର ଆଲୋକ ପ୍ରଦାନ କରିବାରେ ଲାଗିଛନ୍ତି।
ଅଜିତ କୁମାର ପ୍ରତିଦିନ ତିନିଟି ଖବରକାଗଜ ପଢ଼ନ୍ତି- ଗୋଟିଏ ଇଂରେଜୀ ଏବଂ ଦୁଇଟି ତାମିଲ ଭାଷୀ। ତାଙ୍କର ଉଦ୍ଦେଶ୍ୟ ଦେଶବିଦେଶର ଖବର ଜାଣିବା ନୁହେଁ, ତାଙ୍କ ଉଦ୍ଦେଶ୍ୟ ହେଉଛି କରୋନାକାଳୀନ ଲକ୍ଡାଉନ୍ ବେଳେ ତାଙ୍କ ରାଜ୍ୟରେ କେଉଁଠି କିଏ ନିତାନ୍ତ ଅସୁବିଧାରେ ଅଛି ତାକୁ ଠାବ କରି ତା’ ପାଖରେ ପହଞ୍ଚି ତାକୁ ସାହାଯ୍ୟ କରିବା। ଗଲା ମାର୍ଚ୍ଚ ମାସ ଠାରୁ ସେ ଏଭଳି କରି ଆସୁଛନ୍ତି। ସେମିତି କିଷନ ଯାଦବଙ୍କ କାମ ହେଲା ଯେଉଁ ପରିବାରର ସବୁ ସଦସ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଉଛନ୍ତି, ସେମାନଙ୍କ ଘରେ ପହଞ୍ଚି ଯଦି ସେମାନଙ୍କର କୌଣସି ପୋଷା କୁକୁର ଥାଏ ତାର ଯତ୍ନ ନେବା।
କରୋନା ସଂକ୍ରମଣ କାଳରେ ‘ଲକ୍ଡାଉନ୍’ ଠାରୁ ଆରମ୍ଭ କରି ଜୀବିକା ହାନି, ସଂକ୍ରମଣର ଭୟ ତଥା ପ୍ରିୟଜନଙ୍କ ମୃତ୍ୟୁ ଭଳି ଘଟନାର ଘନଘଟା ଭିତରେ ଅଧିକାଂଶ ବ୍ୟକ୍ତି ଉଦାସ ଏବଂ ହତାଶାବୋଧର ଶିକାର ହୋଇପଡ଼ିଥିବା ବେଳେ ଏହି ଦୁଇ ଜଣ ସେମାନଙ୍କ ନିଆରା ଢଙ୍ଗରେ ମାନବିକତା ପ୍ରଦର୍ଶନ କରିବା ସ୍ଥାନୀୟ ଅଞ୍ଚଳରେ ଦୃଷ୍ଟାନ୍ତ ପାଲଟିବା ସହିତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି। କରୋନା ସଂକ୍ରମଣ ସମୟରେ ଏଭଳି ମାନବିକତାର ଅସଂଖ୍ୟ ଉଦାହରଣ ଦେଖିବାକୁ ମିଳିଛି, ଯହିଁରେ ପ୍ରତିଫଳିତ ହୋଇଛି ଭୂତାଣୁ ବିରୋଧରେ ମାନବତାର ପ୍ରକୃତ ବିଜୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/hand.jpg)