କେବଳ ଦିଲ୍‌ଟା ହିନ୍ଦୁସ୍ଥାନୀ

ଓଁ ଅଭିଜ୍ଞାନ ସାହୁ

କିଛି ଦିନ ତଳେ ସାହି କ୍ଲବ୍‌ର ମୁଖିଆ ନରିଭାଇଙ୍କ ସଭାପତିତ୍ୱରେ ଦେବୀ ଘରେ ମିଟିଂଟିଏ ବସିଥିଲା। ସେଠି ବଜାରର ଦୋକାନୀମାନଙ୍କ ଭିତରେ ଆଲୋଚନା ଚାଲିଥିଲା ଯେ ଚାଇନା ଜିନିଷକୁ ଛାଡ଼ି ଦେଲେ କେମିତି ସେମାନଙ୍କ ବେପାର ଚାଲିବ? ଅନ୍ତତଃ ମାଲ ସରିବା ଯାଏ ଚାଇନା ଜିନିଷ ବିକ୍ରି ପାଇଁ ଅନୁମତି ମିଳୁ ବୋଲି ସେମାନେ ସ୍ଥାନୀୟ କ୍ଲବ୍‌ ଟୋକାଙ୍କ ଆଗରେ ଗୁହାରି କଲେ। କ୍ଲବ୍‌ ପିଲାଏ କିନ୍ତୁ କହି ସାରିଥିଲେ ଆଉ ସହି ହେବନି। ଚୀନା ଜିନିଷ ବିକ୍ରି ବନ୍ଦ କରିବାକୁ ହେବ। ଚାଇନା ମାଲ୍‌କୁ ରାସ୍ତାରେ ଗଦାଇ ଜାଳିବାକୁ ହେବ।

ତେବେ ମିଟିଂରେ ପଛରେ ବସିଥିବା ହରି ସାହୁକୁ ବିଶେଷ ବିବ୍ରତ ହେଉଥିବାର ଦେଖି ଜଣେ ପଚାରିଲା- ‘ହରିଆ ଭାଇ, ତୁମର ତ ପୂଜା ସାମଗ୍ରୀର ଦୋକାନ। ତୁମେ ଏତେ ଚିନ୍ତାରେ କାହିଁକି?’ ହରି ଭାଇ କହିଲା- ଭାଇ, ଆର ମାସରୁ ଆମର ପୂଜା ସିଜନ୍‌ ଆରମ୍ଭ ହେବ। ପ୍ରତି ମାସରେ ଦିଇ ତିନିଟା ପୂଜା। କରୋନା ଯୋଗୁଁ ପୂଜାପୂଜି ପାଇଁ ମାଲମତା ସେମିତି ବାହାରୁ ଆସିପାରୁନି। ତୁମେ ତ ଜାଣ, ଶସ୍ତା ସୁନ୍ଦର ଜିନିଷ ଉପରେ ଗରାଖଙ୍କ ଆଖି ବୋଲି ଚାଇନା ତିଆରି ଠାକୁର ମୂର୍ତ୍ତି ମାର୍କେଟ୍‌ ଟାଣୁଛି। କେବେଠୁ ଲୋକାଲ ତିଆରି ମୂର୍ତ୍ତି ବିକ୍ରି ବନ୍ଦ ହେଇଗଲାଣି। ପୂଜା ବଜାରରେ ଅଭାବକୁ ଦେଖି ଦି’ପଇସା କମେଇବାର ବ୍ୟବସ୍ଥାରେ ଥିଲି। ଗାନ୍ଧୀଙ୍କ ୧୫୦ ବର୍ଷ ଜୟନ୍ତୀ ପାଇଁ ଚାଇନା ତିଆରି ଗାନ୍ଧୀ ମୂର୍ତ୍ତିର ଏବେ ଭାରି ଡିମାଣ୍ଡ। ତା’ଛଡ଼ା ସ୍ୱାଧୀନତା ଦିବସ, ଗାନ୍ଧୀ ଜୟନ୍ତୀ ପାଇଁ କିସମ କିସମର ଗାନ୍ଧୀ ମୂର୍ତ୍ତି, ତିନି ମାଙ୍କଡ ମୂର୍ତ୍ତି, ତ୍ରିରଙ୍ଗା ଟୋପି ଆଣି ଦୋକାନରେ ଗଦେଇଚି। ଏଣେ ସାହି ପିଲାଏ କହୁଚନ୍ତି ଚାଇନା ଜିନିଷ ବିକ୍ରି ବନ୍ଦ କର। କେହି କେହି କହୁଚନ୍ତି ଚାଇନା ତିଆରି ଜିନିଷ ଆଣି ରାସ୍ତାରେ ଜଳାଇ ଦିଅ। ମୋ ଦୋକାନରେ ଗଣେଶ, ଲକ୍ଷ୍ମୀ, ସାଇବାବା, ଗାନ୍ଧୀଜୀ, ନେତାଜୀଙ୍କ ମୂର୍ତ୍ତି ସବୁ ଚାଇନା ତିଆରି। ତାକୁ ଜାଳି ଦେବାକୁ ହାତ ଯିବଟି? ବେପାର ମାନ୍ଦା ଟାଇମ୍‌ରେ ଏ ସବୁ ଯାହା ଚାଲିଛି, କ’ଣ କରିବି ମୋତେ ବୁଦ୍ଧି ବାଟ ଦିଶୁନି।’

ଏଥର କ୍ଲବ୍‌ ପିଲାଏ ଟିକିଏ ଚିନ୍ତିତ ଦିଶିଲେ। ହରିଆ ଭାଇ ଆମକୁ ଧର୍ମ ସଙ୍କଟରେ ପକେଇଲ। ଚାଇନା ତିଆରି ଠାକୁର ହୁଅନ୍ତୁ ପଛକେ ଠାକୁର ତ? ତାକୁ ଫୋପାଡ଼ିବା ବା ଜାଳିବା ସମ୍ଭବ ନୁହେଁ। ଏବେ କ’ଣ କରାଯିବ?

ବେଶ୍‌ କିଛି ସମୟ ଧରି ବିଚାର ଆଲୋଚନା ଚାଲିଲା। ଶେଷରେ ଗୋବର୍ଦ୍ଧନ କହିଲା, ‘ଦେଖ, ଯେତେବେଳେ ସ୍ଥିର ହୋଇଛି ଯେ ଚାଇନା ଜିନିଷ ଛାଡ଼ିବା, ସେତେବେଳେ ଛାଡ଼ିବାକୁ ବାଧ୍ୟ। କିନ୍ତୁ ହରି ଭାଇର କଥା ଶୁଣିବା ପରେ ଭାବୁଛୁ ଯେ ଆମ ନେତା ନରି ଭାଇ ଯାହା କହିବେ, ତାକୁ ମାନିବା। ଏବେ ନରି ଭାଇ ତୁମେ କିଛି କହ।’

ଏହା ଶୁଣି ନରି ଭାଇ କିଛି ସମୟ ଧ୍ୟାନସ୍ଥ ହୋଇ ବସିଲା ଭଳି ଆଖି ବୁଜି ବସିଲା। ତା’ ପରେ ହଠାତ୍ କହିଲା- ଶୁଣ, ଯାହା ତ ହେବାର ହେଲାଣି, ଦୋକାନୀମାନେ ଏବେ ପ୍ରତିଜ୍ଞା କରନ୍ତୁ ଯେ ଏଣିକି ଆଉ ଚାଇନା ମାଲ ଆଣିବେ ନାହିଁ। ଆମ ଲୋକାଲ ମାଲ କିଣି ବିକିବେ। ଆଉ ହରି ଭାଇ ଦୋକାନରେ ଯେତିକି ଚାଇନା ତିଆରି ପୂଜା ଜିନିଷ ଅଛି ତାହା ସେ ବିକ୍ରି କରି ସାରି ଦେଉ। ଏ ଚୀନକୁ ପାରି ହେବ ନାହିଁ। ସେ ଏତେ ଭିତରକୁ ଭେଦି ଯାଇଛି ବୋଲି କିଏ ଜାଣିଥିଲା ଭଲା? ଆମ ଜାତୀୟ ପତାକା ଠାରୁ ଆରମ୍ଭ କରି ଆମ ଠାକୁର ମୂର୍ତ୍ତି ପର୍ଯ୍ୟନ୍ତ ସେ ତିଆରି କରି ଆମକୁ ଦଉଛି! ଏ କଥା ଜମାରୁ ଜଣାପଡୁ ନ ଥିଲା।

ଏହା ଶୁଣି ଏମ.ଏ. ପାସ କରିଥିବା ସତିଆ କହିଲା- ନରି ଭାଇ ତୁମେ ଜାଣିନାହଁ କି ତୁମ ଘର ଭିତରେ ଓ ବାହାରେ ସବୁ ଜିନିଷ, ତୁମ ଜାମାଯୋଡ଼, ଚଷମା, କଲମ, ମୋବାଇଲ, ବୋତଲ, ଛତା, ଜୋତା ସବୁ କିଛି ଏହି ଚୀନ ବାଲାଏ ତିଆରି କରି ଯୋଗାଉଛନ୍ତି। କେବଳ ଯାହା ଆମର ‘ଦିଲ୍‌ଟା ହିନ୍ଦୁସ୍ଥାନୀ’ ହୋଇ ରହିଯାଇଛି!

ଖାନନଗର, କଟକ
ମୋ: ୯୪୩୭୦୧୦୭୫୮

ସମ୍ବନ୍ଧିତ ଖବର