ବିଶ୍ବମାରୀର ଆତଙ୍କ-ଛାୟାରେ ୨୦୨୦ ନଭେମ୍ବରରେ ସାଉଦି ଆରବର ରାଜଧାନୀ ରିୟାଧ୍ରେ ଅନୁଷ୍ଠିତ ହେବ ଜି-୨୦, ଅର୍ଥାତ୍ କୋଡ଼ିଏଟି ରାଷ୍ଟ୍ରଙ୍କର ଶିଖର ସମ୍ମିଳନୀ। ୟାର ବିଷୟ ରହିଚି ‘ଏକବି˚ଶ ଶତାବ୍ଦୀରେ ସମସ୍ତଙ୍କର ବିକାଶ’ (ରିଅଲାଇଜି˚ ଅପର୍ଚୁନିଟିଜ୍ ଫର୍ ଅଲ୍’) ଭାରତ ସହିତ ଅନ୍ୟ ବିଶିଷ୍ଟ ଊଣେଇଶଟି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଏଥିରେ ଅ˚ଶ ଗ୍ରହଣ କରିବେ। ପାଠକେ ଅବଶ୍ୟ ଜାଣନ୍ତି ଯେ ଏ ଜି-୨୦ ଗୋଷ୍ଠୀ, ବିଶ୍ବର ଅଗ୍ରସରୀ ଓ ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କର ଏକ ମଞ୍ଚ, ଯେଉଁଠି ସେମାନେ ତାଙ୍କର ନିଜ ନିଜର ରାଷ୍ଟ୍ରମୁଖ୍ୟଙ୍କ ମାଧ୍ୟମରେ, ବିଶ୍ବର ଭବିଷ୍ୟତ ବିଷୟରେ ଚିନ୍ତା କରିବେ। ଏ ଚିନ୍ତା, ଏହି ଗୋଷ୍ଠୀ ୟା ପୂର୍ବରୁ ଏଭଳି ଭାବରେ କେବେ ରେଖାଙ୍କିତ କରି ନ ଥିଲା। କୁହାଯାଇପାରେ ଯେ ଭାରତର ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ବାସ’ ସ୍ଲୋଗାନ୍ କେବଳ ଏକ ଶାସକୀୟ ଆଜେଣ୍ତା ହୋଇ ରହିନାହିଁ, ଏହା ବିଶ୍ବର ସମକାଳୀନ ଚିନ୍ତନକୁ ଗଭୀର ଭାବେ ସ୍ପର୍ଶ କରି ଏବେ ବିଶ୍ବର ଏକ ଅଗ୍ରସରୀ ରାଷ୍ଟ୍ର-ଗୋଷ୍ଠୀର ବିଚାରଧାରା ଭାବରେ ସ୍ବୀକୃତ ହୋଇଚି।
ଆପାତତଃ କଥା ଯେତେ ସହଜ ଜଣାପଡ଼ୁଚି ସେତେ ସହଜ ଆଦୌ ନୁହେଁ। ଭାରତର ବିଶ୍ବ-ନାୟକତ୍ବର ଏକ ପ୍ରଭାବଶାଳୀ ସ˚କେତ ଏଥିରେ ଦେଖାଯାଇପାରେ। ଜି-୨୦ର ନଭେମ୍ବର ସମ୍ମିଳନୀ ପାଇଁ ଯେଉଁ ଆଜେଣ୍ତା ପ୍ରସ୍ତୁତ କରାଯାଇଚି, ତାର ଅନୁଧ୍ୟାନ କରୁଥିଲି। ଦେଖିଲି ଯେ ଏଥିରେ ଗୁଡ଼ିଏ ଭଲ ଭଲ କଥା କୁହାଯାଇଚି ସିନା, କେଉଁ ଅର୍ଥ ନେଇ ଏଭଳି ବିଚାରବିମର୍ଶ ଗୁରୁତ୍ବପୂର୍ଣ୍ଣ, ତାର ଦାର୍ଶନିକ ପୃଷ୍ଠଭୂମି ଆଲୋକିତ ହୋଇନାହିଁ। ବିଶ୍ବୀକରଣ ବା ଗ୍ଲୋବାଲାଇଜେସନ୍ ଯେ ଏବେ ଠିକ୍ ତାର ବିପରୀତ ଏକ ସନ୍ଦର୍ଭର ସମ୍ମୁଖୀନ ହେଉଚି (ଡି.ଗ୍ଲୋବାଲାଇଜେସନ୍) ତାର ଅନୁମାନ ଲୋକକ୍ଷେତ୍ରରେ ଚର୍ଚ୍ଚିତ ହେଉନାହିଁ, ଯଦିଓ ବିଶ୍ବୀକରଣର ଆଜେଣ୍ତାରୁ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ଜାଣି ଏବେ ବିଶ୍ବୀକରଣକୁ ଏକ ନୂଆ ଅର୍ଥ ଓ ସାମୂହିକ ସମ୍ପୃକ୍ତି ଦେବାର ପ୍ରୟାସ ହେଉଚି। ଏ ପ୍ରୟାସ ଜି-୨୦ର ବିଚାର ବିମର୍ଶ ମାଧ୍ୟମରେ ରୂପାୟିତ ହେବ। ଏ ପ୍ରୟାସ ହେଉଚି ବିଶ୍ବୀକରଣକୁ ଅର୍ଥନୈତିକ କାର୍ଯ୍ୟକ୍ରମରୁ ମୁକ୍ତ କରି, ବଜାରତନ୍ତ୍ରର ସର୍ବାଧିକାରକୁ ଅଗ୍ରାହ୍ୟ କରି, ଏକ ମାନବୀୟ ଅର୍ଥ ପ୍ରଦାନ। ଯେମିତି ଜି-୨୦ର ଆଲୋଚନାରେ ରହିବ ବିଶ୍ବମାନବର ମଙ୍ଗଳ, ପୃଥ୍ବୀ ଗ୍ରହର ସୁରକ୍ଷା ଓ ଜ୍ଞାନକୌଶଳର ସମବଣ୍ଟନ। ଲକ୍ଷ୍ୟ କରିବେ, ଏଥିରେ ବିତ୍ତୀୟ ନିୟନ୍ତ୍ରଣ ନାହିଁ, ବଜାର ବିଚାର ନାହିଁ କି ସମ୍ପନ୍ନଙ୍କ ଧନ ବିନିଯୋଗର କଳ୍ପନା ନାହିଁ। ଆପାତତଃ ଏଥିରେ ରାଜନୀତି ନାହିଁ କି ଅର୍ଥନୀତି ନାହିଁ। ଦେଖିବାକୁ ରହିଲା ଆଲୋଚନା ଶେଷରେ ବିଶ୍ବର ଏ ବଡ଼ ଦେଶମାନେ (ଭାରତ, ଆମେରିକା, ୟୁକେ, ୟୁରୋପିଆନ୍ ୟୁନିଅନ୍, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଇଣ୍ତୋନେସିଆ, ଇଟାଲି, ଜାପାନ, କୋରିଆ, ମେକ୍ସିକୋ, ରୁଷ, ସାଉଦି ଆରଦ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ) ଶେଷରେ କି ସ˚କଳ୍ପରେ ସହମତ ହେବେ। କିନ୍ତୁ ଯେଉଁଥିପାଇଁ ମୁଁ ଏ ପ୍ରସଙ୍ଗର ଅବତାରଣା କରୁଚି ତାହା ହେଉଚି ଲୋକକ୍ଷେତ୍ରରେ ବିଶ୍ବୀକରଣର ନୂଆ ଦର୍ଶନ। ବିଶ୍ବ ବଜାରରୁ ବିଶ୍ବ ମାନବ ଆଡ଼କୁ ଦୃଷ୍ଟି ବଦଳିବାର ଏ ଚିତ୍ର ଏକ ବିରାଟ ପରିବର୍ତ୍ତନ। ବିଶ୍ବମାନବର ଅର୍ଥ ବିଶ୍ବର ‘ସମସ୍ତ ଲୋକ’ (କାହାକୁ ବି ଛାଡ଼ି ଆଗକୁ ଯିବାର ନାହିଁ), ଏ ଧାରଣାଟି ବିଶ୍ବ ମଞ୍ଚରେ ଆବିର୍ଭୂତ ହେଲା କିପରି? ଉଦାରବାଦୀ ଚିନ୍ତନରେ ପୁଞ୍ଜିବାଦୀ ଅର୍ଥନୀତି ଏକପ୍ରକାରର ବ୍ୟକ୍ତି-ସ୍ବାର୍ଥ ଆଣି ପ୍ରବେଶ କରାଇଥିଲା, ଯାହା ଫଳରେ ଉପକୃତଙ୍କ ପଛରେ ବଞ୍ଚିତଙ୍କର ଗୋଟିଏ ବଡ଼ ପଟୁଆର ମାନବୀୟ ଅବହେଳା ଓ ଦୁର୍ଦଶାର ସଙ୍କେତ ହୋଇ ବରାବର ରହି ଚାଲିଲା। ସାମ୍ୟବାଦୀ ଅର୍ଥନୀତିରେ ଅକ୍ଷମ ଓ ଅସହାୟଙ୍କ ସ୍ଥାନ କେନ୍ଦ୍ରୀୟ ଯୋଜନା (ସେଣ୍ଟ୍ରାଲାଇଜ୍ଡ ପ୍ଲାନି˚)ରେ ନ ଥିଲା। ସମାଜବାଦୀଙ୍କ କ୍ରାନ୍ତିରେ ବି ଏଇମାନେ କ୍ରାନ୍ତିଧାରା ବାହାରେ ରହିଗଲେ। ସତ୍ୟର ଅସ୍ବୀକାର କାହିଁକି କରିବା?
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ବାସ’, କେବଳ ଶାସନତନ୍ତ୍ରରେ ନୁହେଁ ଲୋକନୀତିରେ ମଧ୍ୟ ‘ସବ୍’ ବା ‘ସମସ୍ତ’ର ପ୍ରବେଶ କରାଇଲା। ଏ ‘ସମସ୍ତ’ର ଅର୍ଥ ବଞ୍ଚିତ, ଅବହେଳିତ, ପ୍ରତ୍ୟାଖ୍ୟାତ ଓ ସୀମାନ୍ତବର୍ତ୍ତୀ ସମସ୍ତେ କର୍ମଜୀବୀ, ଶ୍ରମଜୀବୀ ଓ ମସୀଜୀବୀଙ୍କ ସହିତ ମିଶି ସେହି ବିଶାଳ ଲୋକ ସମୁଦାୟର ନିର୍ମାଣ କଲେ ଯାହାଙ୍କ ପାଇଁ ଏ ଦେଶ, ରାଷ୍ଟ୍ର, ଏ ସରକାର ଓ ଏ ଯୋଜନା। କହିବାରେ ଦ୍ବିଧା ନାହିଁ ଯେ ପ୍ରଧାନମନ୍ତ୍ରୀ ମୋଦୀ, ବିଶ୍ବର ବିଭିନ୍ନ ମଞ୍ଚରୁ ଏ ଉଦ୍ଘୋଷଣ କରି ଭାରତୀୟ ଗଣତନ୍ତ୍ରର ‘ସମୂହ ଚିନ୍ତନ’ର ଅବତାରଣା କରିଚନ୍ତି, ଓ ସେହି ସାମୂହିକତାର ତତ୍ତ୍ବ ଏବେ କରୋନା ପରବର୍ତ୍ତୀ ବିଶ୍ବରେ ବହୁପାକ୍ଷିକତା (ମଲ୍ଟିଲାଟେରାଲିଜମ୍)ର ନୀତିସୂତ୍ର ଭାବରେ ବ୍ୟବହୃତ ହେବ। ମୋଦୀଜୀଙ୍କ ରାଷ୍ଟ୍ରନୀତି ‘ସବ୍’ ବା ‘ସମୂହ’ର ଏ ପରିକଳ୍ପନା ଏକ ନୈତିକ ଶକ୍ତି ଭାବରେ ଆସିଲା କୋଉଠୁ? ଇଏ ଆସିଲା ଭାରତୀୟତାର ଅନ୍ତଃସ୍ରୋତରୁ! ଇଶାବାସ୍ୟ ଉପନିଷଦ୍ର ପ୍ରଥମ ମନ୍ତ୍ରର ପ୍ରଥମ ବାକ୍ୟରେ ଯେଉଁ ‘ଇଶାବାସ୍ୟମ୍ ଇଦ˚ ସର୍ବ˚’ ତାର ଅର୍ଥ ହେଉଚି ଏ ଯାହାସବୁ ଦୃଶ୍ୟମାନ, ତହିଁରେ ଈଶ୍ବରଙ୍କ ନିବାସ, ଅର୍ଥାତ୍ ଈଶ୍ବର ‘ସର୍ବ’ରେ, ‘ସବୁ’ରେ, ‘ସବ୍’ରେ, ‘ସମସ୍ତ’ରେ, ‘ଅଲ୍’ରେ! ସାର୍ବିକତାର ଏ ଦର୍ଶନ ଐଶ୍ବରୀୟ। ଯେହେତୁ ସବୁରେ ଈଶ୍ବର ବିଦ୍ୟମାନ, ସେହେତୁ କେହି ବି ନ୍ୟୂନ ନୁହେଁ, ନୀଚ ନୁହେ, ପରିତ୍ୟକ୍ତ ନୁହେଁ। ଏ ଦର୍ଶନର ରାଜନୈତିକ ପ୍ରବକ୍ତା ଗାନ୍ଧୀଜୀ।
ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଥିଲାବେଳେ ୧୯୦୪ରେ, ତାଙ୍କର ଜଣେ ଇ˚ରେଜ ବନ୍ଧୁଙ୍କ ଠାରୁ ରସ୍କିନ୍ଙ୍କର ‘ଅନ୍ ଟୁ ଦିସ୍ ଲାସ୍ଟ’ ବହି ଖଣ୍ତିଏ ଉପହାର ସୂତ୍ରରେ ପାଇଥିଲେ। ସୁଦୀର୍ଘ ଚବିଶ ଘଣ୍ଟାର ରେଳଯାତ୍ରାରେ ଅବସର ବିନୋଦନ ପାଇଁ ଗାନ୍ଧୀ ଏ ବହି ଖଣ୍ତିକ ପଢ଼ିବା ଆରମ୍ଭ କରିଥିଲେ ଓ ସେ ବହିର ଚୈତନ୍ୟ-ପ୍ରବାହ ସହିତ ଏଭଳି ଏକାତ୍ମ ହୋଇ ଯାଇଥିଲେ ଯେ ସେ ସାରା ରାତି, ଜାଗ୍ରତ ରହି ଏ ବହିଟିକୁ ଶେଷ କରିଥିଲେ। ଏ ବହିର ପ୍ରଭାବ ଏତେ ଗଭୀର ଥିଲା ଯେ ଗାନ୍ଧୀ ସ˚କଳ୍ପ କରିଥିଲେ ଏ ବହିର ମାର୍ଗରେ ହିଁ ସେ ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିବେ। ରସ୍କିନ୍ ସେ ବହିରେ ତିନିଟି ନିଷ୍କର୍ଷ ଦେଇଥିଲେ: (୧) ବ୍ୟକ୍ତିର ମଙ୍ଗଳ, ସମସ୍ତଙ୍କ ମଙ୍ଗଳରେ ନିହିତ (୨) କୌଣସି କାର୍ଯ୍ୟ ବଡ଼ ନୁହେଁ ବା ଛୋଟ ନୁହେଁ, ଜୀବିକା ନିର୍ବାହ ପାଇଁ କରାଯାଉଥିବା ସମସ୍ତ କାର୍ଯ୍ୟ ସମାନ ଭାବରେ ମୂଲ୍ୟବାନ (୩) ଶ୍ରମଜୀବୀ ଯଥା ଜମି ଚଷୁଥିବା କୃଷକ ଓ ନିଜ ହାତରେ କଳା ଉତ୍ପାଦନ କରୁଥିବା ହସ୍ତଶିଳ୍ପୀଙ୍କ ଜୀବନ ବରଣୀୟ, ଶ୍ରେୟ। ଗାନ୍ଧୀ ଏଇ ତିନି ନିଷ୍କର୍ଷରୁ ତାଙ୍କର ରାଜନୈତିକ ଦର୍ଶନ ପାଇଲେ ଓ ଚାରିବର୍ଷ ପରେ ଏ ବହିର ଗୁଜରାଟୀ ଅନୁବାଦ ପ୍ରସ୍ତୁତ କଲେ। ସେ ବହିର ନାଁ ଦେଲେ ‘ସର୍ବୋଦୟ’। ଅନ୍ ଟୁ ଦିସ୍ ଲାସ୍ଟ’ର ଅନୁବାଦ ‘ସର୍ବୋଦୟ’ କାହିଁକି? ‘ଅନ୍ ଟୁ ଦିସ୍ ଲାସ୍ଟ’ର ଆକ୍ଷରିକ ଅନୁବାଦ ହେବ ‘ଏହି ଶେଷ ଲୋକଟି ପର୍ଯ୍ୟନ୍ତ’, ଅର୍ଥାତ୍ ସବାଶେଷ ଲୋକଟି ବି ଗୁରୁତ୍ବପୂର୍ଣ୍ଣ, ଇଏ ବି ବିକାଶର ଟ୍ରେନ୍ରେ ଚଢ଼ିବ, ୟା ପାଇଁ ବି ଜାଗା ରହିବ, ଇଏ ବି ସମ୍ମାନର ପାତ୍ର ହେବ। ସର୍ବୋଦୟ ଆଉ କ’ଣ କି? ସମସ୍ତଙ୍କର ଉଦୟ, ଯେଉଁ ସମସ୍ତଙ୍କ ଭିତରେ ସବାଶେଷ ଲୋକଟି ବି ସାମିଲ୍!
ଗାନ୍ଧୀଜୀଙ୍କ ‘ସର୍ବୋଦୟ’ର ‘ସର୍ବ’ ଉପନିଷଦୀୟ ଇଦ˚ ସର୍ବ˚ର ସେହି ସର୍ବ ଯହିଁରେ ଈଶ୍ବରଙ୍କ ନିବାସ। ୟାକୁ ଆଉ ଟିକେ ଗଭୀର ସ୍ତରରେ ଦେଖିଲେ ଏଇଆ ଦିଶିବ ଯେ ଭାରତରେ ବିକାଶର ରାଜନୀତି ଏକ ଆଧୢାତ୍ମିକ ପ୍ରୟୋଗ। ଦୁଃଖର କଥା ଯେ ଭାରତୀୟ ରାଜନୈତିକ ଚିନ୍ତନରେ ଗାନ୍ଧୀଙ୍କ ପରବର୍ତ୍ତୀ କାଳରେ ବିନୋବାଜୀଙ୍କ ଭୂଦାନ ଓ ଗ୍ରାମଦାନ ତଥା ଜୟପ୍ରକାଶଜୀଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଗାନ୍ଧୀଙ୍କ ‘ସର୍ବୋଦୟ’କୁ ଅପ୍ରତ୍ୟାଶିତ ଭାବରେ ଏଭଳି ପଥଚ୍ୟୁତ କରି ଦେଲା ଯେ ‘ସର୍ବୋଦୟ’ ଏକ ରାଜନୈତିକ ଦର୍ଶନ ଭାବରେ ପ୍ରତିଷ୍ଠା ପାଇବା ଆଗରୁ ବିତର୍କିତ ହୋଇ ନଷ୍ଟ ହୋଇଗଲା।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ବାସ’ ଉଦ୍ଘୋଷଣରେ ଗାନ୍ଧୀଙ୍କୁ କେବଳ ରାଜନୀତିରେ ପୁନର୍ଜୀବିତ କରିନାହାନ୍ତି, ସର୍ବୋଦୟକୁ ଗଣତନ୍ତ୍ରର ଶ୍ରେଷ୍ଠ ପରିଭାଷା ଭାବରେ ବିଶ୍ବକୁ ଅର୍ପଣ କରିଚନ୍ତି। ମୋର କେତେକ ଉଦାରବାଦୀ ବିଦ୍ବାନ ବନ୍ଧୁ ଏ ଶ୍ରେୟ ମୋଦୀଙ୍କୁ ଦେବାପାଇଁ ପ୍ରସ୍ତୁତ ନୁହନ୍ତି। ଟିକିଏ ଅସୂୟାମୁକ୍ତ ହୋଇ ଚିନ୍ତା କଲେ ସେମାନେ ଅବଶ୍ୟ ଦେଖିବେ ଯେ ସବୁ ସମୟରେ ସବୁ ରାଜନେତାମାନେ ଚାଲୁ ଭାଷାରେ ତାଙ୍କର ଗହନ ଅଭୀଷ୍ଟ ସ˚ପ୍ରେଷଣର ଉଦ୍ୟମ କରିଚନ୍ତି, ସେହି ଚାଲୁ ଭାଷାର ପ୍ରୟୋଗ ବାସ୍ତବତାର ଧରାତଳରେ ବାରମ୍ବାର ପରୀକ୍ଷିତ ହୋଇଚି ଓ ଲୋକାସ୍ଥା ନିର୍ମାଣର ନିଅଁ ପଡ଼ିଚି। କିନ୍ତୁ ଏ ପର୍ଯ୍ୟନ୍ତ ଚାଲୁଭାଷା ପ୍ରୟୋଗକାରୀ ଅନ୍ୟ କୌଣସି ରାଜନେତା ଭାରତର ରାଷ୍ଟ୍ରୀୟ ଅଭୀପ୍ସାକୁ ରାଷ୍ଟ୍ରୀୟ ବୌଦ୍ଧିକ ପରମ୍ପରା ସହିତ ଯୋଡ଼ି ନ ଥିଲେ। ମୋଦୀ ଯୋଡ଼ିଚନ୍ତି। ଏ ତାଙ୍କର ଦୂରଦର୍ଶୀ ଭାରତୀୟତାର ପ୍ରମାଣ, ରାଜନୈତିକ ଧୂଆଁବାଣ ନୁହେଁ। ଲୋକଙ୍କ ପାଖରେ ବକ୍ତବ୍ୟ ପହଞ୍ଚାଇବା ପାଇଁ ରାଜନୈତିକ ଭାଷା ନିର୍ମାଣ ଜରୁରୀ। ଶବ୍ଦକୁ ବ୍ରହ୍ମ କହିଲା ବେଳେ ଭାରତୀୟ ମନୀଷି ଶବ୍ଦର ସୁଦୂରପ୍ରସାରୀ ସର୍ବମୟତାକୁ ଦେଖିଥିଲେ। ଏପରିକି ପାଶ୍ଚାତ୍ୟ ଦାର୍ଶନିକ ଵିଟ୍ଗେନ୍ଷ୍ଟେଇନ୍ ବି କହିଲେ, ‘ଏ ବିଶ୍ବ ଭାଷାର ଏକ ଇନ୍ଦ୍ରଜାଲ’ (ଵଲ୍ର୍ଡ ଇନ୍ ଏ ଭୋକାବୁଲାର୍ ଜଗ୍ଲେରି’)। କିନ୍ତୁ ସର୍ବୋଦୟ କ’ଣ ଏ ବିଦ୍ବାନମାନଙ୍କ ଦୃଷ୍ଟିରେ ଇନ୍ଦ୍ରଜାଲ? ନୁହେଁ, କାରଣ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ବାସ’ରେ ଭାରତୀୟ ଦାର୍ଶନିକ ଚିନ୍ତନର ପ୍ରମାଣ ସିଦ୍ଧ ପରମ୍ପରା ଉପସ୍ଥିତ। ଏବେ ଏ ଖଣ୍ତବାକ୍ୟ ତା’ର ସୌନ୍ଦର୍ଯ୍ୟ ପାଇଁ ଯଦି କାହାକୁ ଇନ୍ଦ୍ରଜାଲ ଭଳି ପ୍ରତେ ହେଉଥାଏ, ତେବେ ସେ ତାହାହିଁ ମନେ କରୁ। କିନ୍ତୁ ଆମେ ବୁଝୁ ଯେ ଭାରତୀୟତାର ବିକାଶ ମନ୍ତ୍ର ସମସ୍ତଙ୍କୁ ସାଙ୍ଗରେ ନେଇ, ସମସ୍ତଙ୍କ ପାଇଁ ଓ ସମସ୍ତଙ୍କ ବିଶ୍ବାସର ଆଧାରରେ ଉପସ୍ଥାପିତ କରି ଦିଆଯାଇଚି। ଆମେ ଆଶା କରୁଚୁ ଯେ ସବାଶେଷ ଲୋକଟି ବି ବିକାଶର ଟ୍ରେନ୍ରେ ଚଢ଼ିବ ଓ ତା’ପାଇଁ ମଧୢ ଆସନଟିଏ ସୁରକ୍ଷିତ ଥିବ। ଏବେ ସମୟ ଆସିଚି ଭାରତୀୟ ଚିନ୍ତନର ‘ସର୍ବୋଦୟ’କୁ ଏକ ରାଜନୈତିକ ଦର୍ଶନ ଭାବରେ ଉପସ୍ଥାପିତ କରିବାର। ମୋଦୀଜୀ ରିୟାଧ୍ରେ ତାଙ୍କର ଅଭିଭାଷଣରେ ବିଶ୍ବକୁ ତାଙ୍କ ଦ୍ବାରା ପରିବର୍ଦ୍ଧିତ ଓ ପରିମାର୍ଜିତ ‘ସର୍ବୋଦୟ’ର ଦର୍ଶନ ଉପହାର ଦେଲେ ଭାରତୀୟତାର ପରାକାଷ୍ଠା ପ୍ରମାଣିତ କରିବେ ଓ ‘ସର୍ବୋଦୟ’ ସମକାଳୀନ ରାଜନୈତିକ ତତ୍ତ୍ବ ଭାବରେ ଗୃହୀତ ହେବ। ଜି-୨୦ର ଆଜେଣ୍ତାରେ ମୋଦୀଙ୍କ ସର୍ବୋଦୟର ବିନ୍ୟାସ କରାଯାଇଚି, କିନ୍ତୁ ସ୍ବୀକାର ନ କରି। କାରଣ, ଆଜେଣ୍ତା ନିର୍ମାତାମାନେ ତାଙ୍କର ପ୍ରଭୁପାଠର ବାହାରକୁ ଆସି ଭାରତୀୟ ପାଠକୁ ମର୍ଯ୍ୟାଦା ଦେବେ ନାହିଁ। ଆମକୁ ଏ ଦର୍ଶନ ଆଧୁନିକ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପାଠ ଭାବରେ ଉପସ୍ଥାପିତ କରିବାକୁ ପଡ଼ିବ। ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ବାସ’ ପାଠର ପ୍ରବର୍ତ୍ତକ ମୋଦୀଙ୍କ ଠାରୁ ଅଧିକ ବଳଶାଳୀ ଓ ଲୋକପ୍ରିୟ ନେତା ବିଶ୍ବର ବିଚାର ମଞ୍ଚରେ ଏଯାଏଁ କେହି ନ ଥିଲେ। ଏହାହିଁ ଭାରତୀୟତାର ପାଠ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସମୟ।
‘କୁର୍ଜାରବେଇଟ୍’ ବୋଲି ଗୋଟିଏ ଜର୍ମାନ ଶବ୍ଦ ଅଛି, ୟାର ଅର୍ଥ ହେଲା ଦୁର୍ବିପାକ ସମୟରେ କମ୍ପାନିଗୁଡ଼ିକ କ୍ଷତି କମେଇବା ପାଇଁ ଯେତେବେଳେ ଶ୍ରମିକ ଓ ପରିଚାଳକମାନଙ୍କୁ କାର୍ଯ୍ୟରୁ ଅନ୍ତର କରିବା (ଲେ ଅଫ୍) ଆରମ୍ଭ କରିବେ ସେତେବେଳେ ସରକାର କମ୍ପାନିମାନଙ୍କୁ ସହାୟତା ପ୍ରଦାନ କରି ଶ୍ରମିକ ଓ ପରିଚାଳକମାନଙ୍କୁ ଲେ ଅଫ୍ରୁ ରକ୍ଷା କରିବେ। ଏ ଶବ୍ଦ ବର୍ତ୍ତମାନ କରୋନା ବେଳର ଏକ ରାଷ୍ଟ୍ରନୀତି ଭାବରେ ବିଶ୍ବର ସବୁ ବିକଶିତ ରାଷ୍ଟ୍ର ଗ୍ରହଣ କରି ନେଇଚନ୍ତି। ବହୁ ପୁରୁଣା ଜର୍ମାନ୍ ଶ୍ରମ କାନୁନ୍ରୁ ବାହାରି ଏ ଶବ୍ଦ ଆଜି ବିଶ୍ବରେ ଏକ ରଣନୀତି ଭାବରେ ସ୍ବୀକୃତି ଓ ପ୍ରତିଷ୍ଠା ପାଇ ସାରିଲାଣି। ଏ କଥା ସମ୍ଭବ ହେଲା କାରଣ ଜର୍ମାନ୍ମାନେ ତାଙ୍କର ଏ ପୁରୁଣା ଶ୍ରମ କାନୁନ୍କୁ ପୁନର୍ନବା କରି ଏକ ବଡ଼ ତତ୍ତ୍ବ ଭାବରେ ପ୍ରତିଷ୍ଠିତ କଲେ। ଇଦ˚ ସର୍ବ˚, ଅର୍ଥାତ୍ ‘ଏ ସବୁ’ ମୋଦୀଙ୍କ ପରିପକ୍ବ ହାତରେ ଏକ ଅଗ୍ରସରୀ ‘ସର୍ବୋଦୟ’ରେ ପରିଣତ ହୋଇଚି, ୟାକୁ ଆମେ ତତ୍ତ୍ବାୟିତ କରିବାରେ କାର୍ପଣ୍ୟ କାହିଁକି? ‘ସର୍ବୋଦୟ’ର ପ୍ରୟୋଗରେ ସହଭାଗିତା, ସାମୁଦାୟିକତା ଓ ବିଶ୍ବସନୀୟତାର ଭାଷା ବିଶ୍ବରେ ଆଉ କୌଣସି ଦେଶରେ ଆବିଷ୍କୃତ ହୋଇ ନାହିଁ। ଏ ଭାଷାର ବ୍ୟାଖ୍ୟା ଯଦି ମୋଦୀଜୀ ପ୍ରକୃତରେ ରିୟାଧ୍ରେ କରନ୍ତି ତେବେ ୟୁରୋ-ଆମେରିକାନ୍ ରାଷ୍ଟ୍ରମାନେ ଜି-୨୦ର ଆଜେଣ୍ତାକୁ ତାଙ୍କର ବଜାରତାନ୍ତ୍ରିକ ହେଜିମୋନିକ୍ ପର˚ପରା ଦ୍ବାରା କବଳିତ କରିପାରିବେ ନାହିଁ। ବିଶ୍ବର ସର୍ବସାଧାରଣଙ୍କ ପାଇଁ ଏ ପ୍ରଭୁ ରାଷ୍ଟ୍ରମାନଙ୍କ ତୁଣ୍ତରେ କଲ୍ୟାଣକାରୀ ବାଣୀ ନ ଥିବା ବେଳେ ଭାରତୀୟ ବାଙ୍ମୟର ଏ ସକାରାତ୍ମକ ହସ୍ତକ୍ଷେପ ବିଶ୍ବନେତୃତ୍ବ-ଦିଗରେ ଭାରତକୁ ଗୋଟିଏ ବଡ଼ ପାହୁଣ୍ତ ଆଗକୁ ନେଇଯିବ। ସଭ୍ୟତାର ଭାଷାରେ ଅସଭ୍ୟତାର ମୁକାବିଲା କରିବା ଏବେ ମଧୢ ସମ୍ଭବ। ସବିଶେଷ ମଣିଷର ଆଖିରେ ବିଶ୍ବମାନବର ଭାଷା ପଢ଼ିବା ଏବେ ବି ବାକି ଅଛି।
ବାଗର୍ଥ, ଏନ୍ ୨/୨୬
ଆଇଆର୍ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮