ସୋଭିଏତ୍ ରୁଷିଆର ସ୍ବୈରଶାସକ ଜୋସେଫ୍ ଷ୍ଟାଲିନ୍ଙ୍କ ସମୟରେ ‘ବ୍ୟକ୍ତି ଉପାସନା’ ନାମକ ଶବ୍ଦର ପ୍ରଚଳନ ଆରମ୍ଭ ହୋଇଥିବା ବିଶ୍ବାସ କରାଯାଏ। ୧୯୫୩ରେ ଷ୍ଟାଲିନ୍ଙ୍କ ପରଲୋକ ହୋଇଥିଲା। ସେ ଦୁଇ ଦଶନ୍ଧିରୁ ଅଧିକ କାଳ କ୍ଷମତାରେ ଥିଲେ। ଷ୍ଟାଲିନ୍ଙ୍କୁ ନେଇ କିପରି ଏକ ବ୍ୟକ୍ତି ଉପାସକ ଗୋଷ୍ଠୀ ଗଢ଼ିଉଠିଥିଲା ଏବ˚ ତାହା ଦ୍ବାରା କିପରି ଦେଶ ଓ ଦଳର ପ୍ରଭୂତ କ୍ଷତି ହୋଇଥିଲା, ଏ ସ˚ପର୍କରେ ତାଙ୍କ ମୃତ୍ୟୁର ତିନି ବର୍ଷ ପରେ ମୁହଁ ଖୋଲିଥିଲେ ତାଙ୍କ ଉତ୍ତରାଧିକାରୀ ନିକିତା କ୍ରୁସ୍ଚେଭ୍। କମ୍ୟୁନିଷ୍ଟ୍ ଦଳର ବି˚ଶତମ ବାର୍ଷିକ ଅଧିବେଶନ ଅବସରରେ ଷ୍ଟାଲିନ୍ଙ୍କ ବ୍ୟକ୍ତି ଉପାସକ ଗୋଷ୍ଠୀ ଉପରେ ସେ ନିଜର ବକ୍ତବ୍ୟ ରଖିଥିଲେ। ସେ କହିଥିଲେ- ‘ଜଣେ ବ୍ୟକ୍ତିଙ୍କୁ ଶୀର୍ଷରେ ବସାଇବା, ତାଙ୍କୁ ମହାମାନବ ଭାବେ ଆଖ୍ୟାୟିତ କରିବା, ଭଗବାନଙ୍କ ସହ ସମାନ କରିଦେବା, ମାର୍କ୍ସବାଦ-ଲେନିନ୍ବାଦ ବିରୋଧୀ। ଜଣେ ମଣିଷ ସବୁ କିଛି ଜାଣେ, ସବୁ କିଛି ଦେଖିପାରେ, ସମସ୍ତଙ୍କ ପାଇଁ ଭାବିପାରେ, ଯେକୌଣସି କାମ କରିପାରେ, ତାହା ଦ୍ବାରା କୌଣସି ତ୍ରୁଟି ହୁଏନାହିଁ; ଏହା ମାର୍କ୍ସବାଦ-ଲେନିନବାଦରେ ନାହିଁ କି ଏହି ବାଦ ଏହାକୁ ପ୍ରଶ୍ରୟ ଦିଏନାହିଁ।’
‘ବ୍ୟକ୍ତି ଉପାସନା’ ବା ‘cult of personality’ ଅଭିବ୍ୟକ୍ତିଟିକୁ ୧୯୫୬ରେ ଅଭିଧାନରେ ଗ୍ରହଣ କରାଯାଇଥିଲା; ଯଦିଓ ବହୁ ପୂର୍ବରୁ ଏହାର ପ୍ରଚଳନ ଥିଲା; ଏପରିକି ଷ୍ଟାଲିନଙ୍କ ପୂର୍ବରୁ ମଧ୍ୟ। ଇଟାଲିର ମୁସୋଲିନି ଏବ˚ ଜର୍ମାନିର ହିଟଲରଙ୍କ ଦୃଷ୍ଟାନ୍ତ ଦିଆଯାଇପାରେ। ଏ ଦୁହେଁ ମଧ୍ୟ ନିଜକୁ ଭଗବାନ-ସମ ଦେଖାଇବା ତଥା ଦଳ ଓ ଦେଶର ଏକକ ମୁଖ୍ୟ ଦର୍ଶାଇବା ପାଇଁ ବ୍ୟାପକ ପ୍ରଚାର କରୁଥିଲେ। ଏ ଭଳି ପ୍ରଚାରରେ ଶାସନ କଳକୁ ବ୍ୟବହାର କରାଯାଉଥିଲା। ଦୁହେଁ ଅସୀମ କ୍ଷମତା ଉପଭୋଗ କରୁଥିଲେ। ଦୁହେଁ ଥିଲେ ଚରମ ସ୍ବେଚ୍ଛାଚାରୀ, ପ୍ରଭୁବାଦୀ ଏବ˚ ଅନ୍ୟମାନଙ୍କଠାରୁ ପୂର୍ଣ୍ଣ ଆନୁଗତ୍ୟ ଓ ଆଜ୍ଞାନୁବର୍ତ୍ତିତା ଦାବି କରୁଥିଲେ।
ଷ୍ଟାଲିନଙ୍କ ପୂର୍ବରୁ ମୁଖ୍ୟତଃ ଦକ୍ଷିଣପନ୍ଥୀ ସ୍ବୈରଶାସକମାନେ ବ୍ୟକ୍ତି ଉପାସନା ସହ ସ˚ଶ୍ଳିଷ୍ଟ ଥିଲେ। ଆଉ ତାଙ୍କ ପରେ ଆସିଲେ ମୁଖ୍ୟତଃ ବାମପନ୍ଥୀ ସ୍ବୈରଶାସକଗଣ; ଯଥା- ଚାଇନାର ମାଓ ଜେଡଙ୍ଗ୍, କ୍ୟୁବାର ଫିଡେଲ୍ କାଷ୍ଟ୍ରୋ, ଭିଏତନାମର ହୋ ଚି ମିନ, ଭେନିଜୁଏଲାର ହୁଗୋ ଚାଭେଜ। ଏମାନଙ୍କ ମଧ୍ୟରେ ମାଓ ଥିଲେ ସବୁଠାରୁ ଅଧିକ କ୍ଷମତାଶାଳୀ; ତାଙ୍କର ଉପାସକଙ୍କ ସ˚ଖ୍ୟା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥିଲା। କାରଣ, ତାଙ୍କ ଦେଶର ଆକାର ବଡ଼ ଏବ˚ ଜନସ˚ଖ୍ୟା ମଧ୍ୟ ଅଧିକ। କୋଟି କୋଟି ଲୋକ, ତାଙ୍କ ଆଗରେ ମୁଣ୍ତ ନୁଅାଁଉ ଥିଲେ ଏବ˚ ତାଙ୍କ ମୁଖ ନିଃସୃତ ପ୍ରତ୍ୟେକଟି ଶବ୍ଦକୁ ଭଗବାନଙ୍କ ବାଣୀ ଭଳି ମନେ କରୁଥିଲେ। ୧୩ ଅଗଷ୍ଟ ୧୯୬୭ରେ ‘ପେକି˚ସ ଲିବରେସନ ଆର୍ମି ଡେଲି’ରେ ଏହି ମର୍ମରେ ଘୋଷଣା କରାଯାଇଥିଲା: ଚେଆରମ୍ୟାନ ମାଓ ବିଶ୍ବର ସବୁଠାରୁ ପ୍ରତିଭାବାନ ଓ ଅସାଧାରଣ ବ୍ୟକ୍ତିତ୍ବ। ଚାଇନା ତଥା ବିଦେଶରେ କର୍ମଜୀବୀ ଶ୍ରେଣୀର ସ˚ଘର୍ଷକାଳୀନ ଅଭିଜ୍ଞତା ଉପରେ ତାଙ୍କ ଚିନ୍ତାଧାରା ଆଧାରିତ ଏବ˚ ତାହା ଅଭେଦ୍ୟ ସତ୍ୟ। ମାଓଙ୍କ ନିର୍ଦେଶାବଳୀ ଆମେ ଆଖି-ବୁଜି କାର୍ଯ୍ୟକାରୀ କରିବା; ତାହା ଆମ ପାଇଁ ବୋଧୢ କି ଅବୋଧୢ, ସେଥିରେ କିଛି ଯାଏଆସେ ନାହିଁ। ଆମେ ତାଙ୍କ ଚିନ୍ତାଧାରାର ଅନେକ ଅ˚ଶ ଏବେ ନ ବୁଝିଲେ ବି ଭବିଷ୍ୟତରେ ବୁଝିପାରିବା। ତେଣୁ, ତାଙ୍କ ନିର୍ଦେଶ ସଙ୍ଗେସଙ୍ଗେ କାର୍ଯ୍ୟକାରୀ କରିବାରୁ ବିରତ ହେବାନାହିଁ।
ଷ୍ଟାଲିନ-ଉପାସନା ଦ୍ବାରା ରୁଷିଆର ହୋଇଥିବା କ୍ଷତି ବାବଦରେ କ୍ରୁସ୍ଚେଭ କହିବାର ସାତ ବର୍ଷ ପୂର୍ବରୁ ଡ. ବି.ଆର, ଆମ୍ବେଦକର, ଆମକୁ ଏ ବାବଦରେ ଚେତାବନୀ ଦେଇଥିଲେ। ‘ବୀର-ପୂଜା’ ବା ‘ବ୍ୟକ୍ତି ଉପାସନା’ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ଭାରତୀୟମାନେ ଏହି ପାଲରେ ପଡ଼ିବାର ଆଶଙ୍କା ଅଧିକ ବୋଲି ସେ ଭାବୁଥିଲେ। ଆମ ସାଧାରଣତନ୍ତ୍ରର ସମ୍ବିଧାନ କାର୍ଯ୍ୟକାରୀ ହେବା ପୂର୍ବରୁ ସେ କହିଥିଲେ- ‘ଧର୍ମରେ ଭକ୍ତିଭାବ ଆତ୍ମାର ମୁକ୍ତି ପାଇଁ ଏକ ମାର୍ଗ ହୋଇପାରେ। କିନ୍ତୁ, ରାଜନୀତିରେ ଭକ୍ତି ବା ବୀର-ପୂଜା ନିଶ୍ଚିତ ଭାବେ ଅଧୋଗତିର ମାର୍ଗ ଏବ˚ ଶେଷରେ ଏହା ସ୍ବୈରତନ୍ତ୍ରକୁ ରୂପାନ୍ତରିତ ହୋଇଥାଏ।’
୧୯୭୦ ବେଳକୁ ଭାରତୀୟମାନେ ଆମ୍ବେଦକରଙ୍କ ଚେତାବନୀ ଭୁଲିସାରିଥିଲେ। ସେମାନେ ନିଜର ସ୍ବାଧୀନତା ଓ ସ୍ବତନ୍ତ୍ରତାକୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପାଦ ତଳେ ସମର୍ପି ଦେଲେ। ଫଳ ସ୍ବରୂପ ଇନ୍ଦିରା ଆମର ସ୍ବାଧୀନ-ସ୍ବାୟତ୍ତ ଅନୁଷ୍ଠାନଗୁଡ଼ିକୁ ଦମନ କରିବା ଆରମ୍ଭ କଲେ। କ˚ଗ୍ରେସ ଦଳର ତୋଷାମଦିଆ ସଭାପତି କେବଳ ନିଜ ପାଇଁ ନୁହେଁ, ସାରା ଦେଶର ଜନତା ନିମନ୍ତେ କହିଲେ- ‘ଇନ୍ଦିରା ହେଉଛନ୍ତି ଭାରତ ଏବ˚ ଭାରତ ହେଉଛି ଇନ୍ଦିରା।’ ଆମ୍ବେଦକରଙ୍କ ପୂର୍ବାନୁମାନ ସତ୍ୟ ହେଲା। ରାଜନୀତିରେ ଭକ୍ତି ଦେଶକୁ ରସାତଳଗାମୀ କରିଦେଲା ଏବ˚ ଗଣତନ୍ତ୍ର କ୍ରମଶଃ ସ୍ବୈରତନ୍ତ୍ର ଆଡ଼କୁ ଗତି କଲା।
ହିଟଲର, ମୁସୋଲିନି, ଷ୍ଟାଲିନ, ମାଓ ଏବ˚ କାଷ୍ଟ୍ରୋ ମୃତ୍ୟୁ ପର୍ଯ୍ୟନ୍ତ ନିରଙ୍କୁଶ କ୍ଷମତା ଉପଭୋଗ କରିଥିଲେ। ତେବେ, ଭାରତର ପ୍ରଭୁବାଦୀ ଶାସିକା ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ। ମାତ୍ର ଦୁଇ ବର୍ଷର ନିରଙ୍କୁଶ କ୍ଷମତା ଉପଭୋଗ କରିପାରିଥିଲେ। ଶେଷରେ ବାଧ୍ୟ ହୋଇ ଜରୁରିକାଳୀନ ପରିସ୍ଥିତି ହଟାଇ ନିର୍ବାଚନ କରାଇଥିଲେ ଏବ˚ ନିର୍ବାଚନ ପରିଣାମ ସେ ତଥା ତାଙ୍କ ଦଳ ବିରୋଧରେ ଯାଇଥିଲା। ପରବର୍ତ୍ତୀ ଦଶନ୍ଧି ମଧ୍ୟରେ ସେ ଦଳି ଦେଇଥିବା ସ୍ବାଧୀନ-ସ୍ବାୟତ୍ତ ଅନୁଷ୍ଠାନଗୁଡ଼ିକ ଧୀରେଧୀରେ ପୁନର୍ବାର ମୁଣ୍ତ ଟେକିଥିଲେ। ଗଣମାଧ୍ୟମ ଅଧିକ ମୁକ୍ତ ହୋଇଥିଲା; ନ୍ୟାୟପାଳିକା ଅଧିକ ସ୍ବାଧୀନ ହୋଇଥିଲା; ସର୍ବୋପରି ନାଗରିକ ସମାଜର ବୃଦ୍ଧି ଓ ବିକାଶ ଘଟିଥିଲା।
ଜରୁରିକାଳୀନ ପରିସ୍ଥିତି ସମାପ୍ତ ହେବାର ଦୁଇ ଦଶନ୍ଧି ପରେ ମୁଁ ‘ଗାନ୍ଧୀ ପରବର୍ତ୍ତୀ ଭାରତ’(India After Gandhi) ଲେଖିବା ଆରମ୍ଭ କରିଥିଲି। ୨୦୦୭ରେ ଏହା ପ୍ରକାଶିତ ହୋଇଥିଲା। ସେତେବେଳେ ମୁଁ ଭାରତକୁ ‘ପଚାଶ-ପଚାଶ ଗଣତନ୍ତ୍ର’ ଭାବେ ଆଖ୍ୟାୟିତ କରିଥିଲି। ଏହାର ସାତ ବର୍ଷ ପରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲେ। ତାଙ୍କ ପ୍ରଧାନମନ୍ତ୍ରିତ୍ବ ସହ ଆମ ଗଣତନ୍ତ୍ର ପୁଣି ଥରେ ନିମ୍ନଗାମୀ ହେବା ଆରମ୍ଭ କଲା। ତାଙ୍କ ସରକାର ଗଣମାଧ୍ୟମର କଣ୍ଠରୋଧ କଲା। ନ୍ୟାୟପାଳିକାର ମୁଷ୍କଛେଦନ କଲା। ସ୍ବାଧୀନ ନାଗରିକ ସମାଜ ଓ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେଲା। ଇନ୍ଦିରା ଗାନ୍ଧୀ ସୁଦ୍ଧା ହାତ ମାରି ନ ଥିବା ସାର୍ବଜନୀନ ଅନୁଷ୍ଠାନ, ଯଥା- ସେନା, ନିର୍ବାଚନ ଆୟୋଗ, ଭାରତୀୟ ରିଜର୍ଭ୍ ବ୍ୟାଙ୍କ୍, ଯେଉଁଗୁଡ଼ିକ ଏକଦା ସ୍ବାଧୀନ-ସ୍ବାୟତ୍ତ ଭାବେ ସଗର୍ବେ ମୁଣ୍ତ ଟେକି ଛିଡ଼ାହୋଇଥିଲେ, ଏବେ ଶାସକ ଦଳର ପଞ୍ଝାରେ। ପ୍ରଧାନମନ୍ତ୍ରୀ ଏଗୁଡ଼ିକୁ ମଧ୍ୟ ନିଜ ଅକ୍ତିଆରକୁ ଆଣିସାରିଲେଣି।
ସାର୍ବଜନୀନ ଅନୁଷ୍ଠାନଗୁଡ଼ିକର ଅଧଃପତନ ସହ ‘ବ୍ୟକ୍ତି ଉପାସନା’ ବଢ଼ିବାରେ ଲାଗିଛି। କେବଳ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବର ପ୍ରଚାର ପାଇଁ ୨୦୧୪ରୁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ଚାଲିଛି। ସବୁଠି ପ୍ରଧାନମନ୍ତ୍ରୀଙ୍କ ମୁହଁ, ପ୍ରଧାନମନ୍ତ୍ରୀଙ୍କ ଛବି। ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ ସଭ୍ୟ, ମନ୍ତ୍ରୀ, ସା˚ସଦ ଓ ବିଧାୟକଙ୍କ ପାଇଁ ଏବେ ‘ମୋଦୀ ହିଁ ଭାରତ ଏବ˚ ଭାରତ ହିଁ ମୋଦୀ’। ଇନ୍ଦିରାଙ୍କ ସମୟରେ ଯାହା ଘଟିଥିଲା, ଏବେ ମଧ୍ୟ ତାହା ଘଟୁଛି। ଜାତୀୟ ଗଣମାଧ୍ୟମ ଚାପରେ ହେଉ ବା ପ୍ରବର୍ତ୍ତନାରେ, ମୋଦୀଙ୍କ ଜୟଗାନରେ ଲାଗିଛି। ଗଣମାଧ୍ୟମ ଜରିଆରେ ଜନତାକୁ କହାଯାଉଛି- ମୋଦୀ ସର୍ବଜ୍ଞ ଓ ନିର୍ଭୁଲ୍।
ଭାରତରେ ‘କୋଭିଡ୍ ୧୯’ ସ˚କ୍ରମଣ ବ୍ୟାପିବା ପରେ ‘ବ୍ୟକ୍ତି ଉପାସନା’କୁ ଅଧିକ ପ୍ରସାରିତ କରିବା ପାଇଁ ସୁଯୋଗ ମିଳିଗଲା। ସୁନ୍ଦର ଭାବେ ଲିଖିତ ମୋଦୀଙ୍କ ଭାଷଣଗୁଡ଼ିକୁ ପ୍ରସାର ଭାରତୀ ମାଧ୍ୟମରେ ଏମିତି ପରିବେଷଣ କରାଗଲା ଯେ ଲୋକେ ସେଥିରୁ ‘ଇଣ୍ତିଆନ୍ ପ୍ରିମିଅର୍ ଲିଗ୍’ର ମଜା ପାଇଲେ। ତାହା ପରେ ଏକ ବିପଜ୍ଜନକ ପାଣ୍ଠି ଗଠନ କରାଗଲା- ‘ପିଏମ୍ କେଆର୍ସ’। ୧୯୪୮ରୁ ଆମ ଦେଶରେ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠି ଅଛି। ବଦନ୍ୟ ବ୍ୟକ୍ତି ଓ ସ˚ସ୍ଥା ନିୟମିତ ଉକ୍ତ ପାଣ୍ଠିକୁ ଦାନ ଦିଅନ୍ତି। ଭୂକ˚ପ, ବାତ୍ୟା, ବନ୍ୟା, ମହାମାରୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉକ୍ତ ପାଣ୍ଠିରେ ଥିବା ଅର୍ଥ ଜନ-ମଙ୍ଗଳ କାର୍ଯ୍ୟରେ ଲଗାଯାଏ। ‘କୋଭିଡ୍ ୧୯’ର ସ˚କ୍ରମଣ ଆରମ୍ଭ ହେବା ବେଳକୁ ସେହି ପାଣ୍ଠିରେ ଆଠ ହଜାର କୋଟି ଟଙ୍କା ଗଚ୍ଛିତ ଥିଲା। ତାହା ଛଡ଼ା ପ୍ରତ୍ୟେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଅଛି। ଉକ୍ତ ପାଣ୍ଠିର ଉଦ୍ଦେଶ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠି ସହ ସମାନ।
ମୋଦୀଙ୍କ ପୂର୍ବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଏହି ପାଣ୍ଠିର ଅର୍ଥ କାମରେ ଲଗାଇଛନ୍ତି। ଏହାକୁ ନେଇ କେବେ, କୌଣସି ସମସ୍ୟା ହୋଇନାହିଁ। ତେବେ, ମୋଦୀ ଅନାବଶ୍ୟକ ଭାବେ ଏକ ନୂଆ ପାଣ୍ଠି ଗଠନ କଲେ। ଏହା ଏକ ପ୍ରକାରର ବ୍ୟକ୍ତିଗତ ପାଣ୍ଠି। ଏହାର ନାମ ମଧ୍ୟ ସୁପରିକଳ୍ପିତ ଭାବେ ଦିଆଗଲା- ‘ପିଏମ୍ କେଆର୍ସ’; ଜରୁରିକାଳୀନ ପରିସ୍ଥିତିରେ ନାଗରିକ ସହାୟତା ଓ ରିଲିଫ୍ ପାଣ୍ଠି (Citizens Assistance and Relief in Emergency Situations)। ଏଥି ପାଇଁ ଉଦ୍ଦିଷ୍ଟ େଵବ୍ସାଇଟ୍ରେ ତାଙ୍କର ବିରାଟ ଫଟୋ। ପୁଣି, ଏହି ପାଣ୍ଠି ମାଧ୍ୟମରେ ଯାହା କିଛି ବଣ୍ଟାଗଲା, ଔଷଧ ହେଉ ବା ଖାଦ୍ୟ ପୁଡ଼ିଆ, ତାହା ଉପରେ ମଧ୍ୟ ମୋଦୀଜୀ। ଏକ ଜାତୀୟ ଦୁର୍ବିପାକ ‘ବ୍ରାଣ୍ତ୍ ମୋଦୀ’ ପ୍ରଚାର କାର୍ଯ୍ୟକ୍ରମରେ ପରିଣତ ହୋଇଛି।
ଷ୍ଟାଲିନ ଯେପରି ନିଜକୁ ଦଳ, ଦେଶ ତଥା ଜନତାର ମୁଖ୍ୟ ଭାବେ ଉପସ୍ଥାପିତ କରାଇଥିଲେ, ମୋଦୀ ପ୍ରଚାର ମାଧ୍ୟମରେ ଠିକ୍ ସେହିପରି କରୁଛନ୍ତି। ଆଉ ନିଜର ପ୍ରଚାର ପାଇଁ ହିଟଲର ଓ ମୁସୋଲିନିଙ୍କ ଭଳି ସରକାରୀ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି। ସେ ସର୍ବଜ୍ଞ ଓ ନିର୍ଭୁଲ- ଏହି ବାର୍ତ୍ତା କ୍ରମାଗତ ଭାବେ ଲୋକଙ୍କ ପାଖକୁ ଯାଉଛି। ମାଓ ଜେଡଙ୍ଗଙ୍କ କାର୍ଯ୍ୟ ପଦ୍ଧତି ସହ ମଧ୍ୟ ମୋଦୀଙ୍କର ସାମଞ୍ଜସ୍ୟ ରହିଛି। ଏକଦା ରାଷ୍ଟ୍ରର ସମୃଦ୍ଧି ନିମନ୍ତେ ଘରର ସମସ୍ତ ଲୌହ ଉପକରଣକୁ ଭାଟି(furnance)ରେ ତରଳାଇଦେବା ପାଇଁ ମାଓ ନିର୍ଦେଶ ଦେଇଥିଲେ, ଯାହା ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇଥିଲା। ସେହି ପରି ନୋଟବନ୍ଦୀ କରାଇ ମୋଦୀ ଦେଶର ଅର୍ଥନୀତିକୁ ଜାଣିଶୁଣି ବିପର୍ଯ୍ୟୟ ମୁଖକୁ ଠେଲିଦେଲେ। ମାଓଙ୍କ ଭଳି ମୋଦୀ ମଧ୍ୟ ନିଜ ଦଳର ଅନ୍ୟ ନେତାଙ୍କୁ ଆଗକୁ ଆସିବାକୁ ଦେଉନାହାନ୍ତି। ବେରୋଜଗାର ଯୁବ ଗୋଷ୍ଠୀ, ତାଙ୍କର ମୁଖ୍ୟ ସମର୍ଥକ। ଆଉ ମୋଦୀ ନିଜେ ହିଁ ସେମାନଙ୍କୁ ସିଧାସଳଖ ନିଜର ଭାଷଣ ମାଧ୍ୟମରେ ଅନ୍ଧ କରି ରଖିଛନ୍ତି। ଶାସନ କଳ ତଥା ଦଳକୁ କେବଳ ନିଜର ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି। ମାଓଙ୍କ ପରି ସେ ମଧ୍ୟ କହୁଛନ୍ତି, ବୁଝ ବା ନ ବୁଝ, ମୋ ନିର୍ଦେଶ ପାଳନ କରିଚାଲ।
କୌଣସି ବ୍ୟକ୍ତିଙ୍କୁ ଭଗବାନ ସମ ଦେଖିବା ମାର୍କ୍ସବାଦ-ଲେନିନବାଦ ବିରୋଧୀ ବୋଲି କ୍ରୁସ୍ଚେଭ ଯାହା କହିଥିଲେ, ତାହା ଠିକ କି ଭୁଲ ମୁଁ ଜାଣେନା। ତେବେ, ଭାରତୀୟ ଜନତା ପାର୍ଟିର ଇତିହାସକୁ ଦେଖିଲେ ସେଥିରେ ଏ ଭଳି ‘ବୀର-ପୂଜା’ କେବେ ନ ଥିଲା। ଭାଜପା ସର୍ବଦା ‘ବ୍ୟକ୍ତି ଉପାସନା’ର ବିରୋଧ କରୁଥିଲା। ଅନେକ ବର୍ଷ ତଳୁ କ˚ଗ୍ରେସର ଏ ଭଳି ଆଭିମୁଖ୍ୟର ନିନ୍ଦା କରିଆସିଥିଲା। ଜଵାହରଲାଲ ନେହରୁଙ୍କଠାରୁ ଆରମ୍ଭ କରି ଇନ୍ଦିରା, ରାଜୀବ ଓ ସୋନିଆଙ୍କ ପର୍ଯ୍ୟନ୍ତ ସମସ୍ତେ ଦଳ ଓ ଦେଶଠାରୁ ନିଜକୁ ଊର୍ଦ୍ଧ୍ବରେ ଦେଖୁଥିବା ବିଷୟ ଭାଜପା ପାଇଁ କୌଣସି ସମୟରେ ଗ୍ରହଣୀୟ ନ ଥିଲା। ପ୍ରଧାନମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀ ଥିଲେ ନିଆରା ବ୍ୟକ୍ତିତ୍ବ। ସେ ନିଜ ସାଥୀ-ସହକର୍ମୀମାନଙ୍କୁ ଦବାଇ ରଖୁ ନ ଥିଲେ। ଦଳରେ ସେ ନିଜକୁ ‘ତ୍ରିମୂର୍ତ୍ତି’ଙ୍କ ମଧ୍ୟରେ ଜଣେ ବୋଲି କହୁଥିଲେ। ଅନ୍ୟ ଦୁଇ ଜଣ- ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ। ଏ ତିନିହେଁ ଏକତ୍ର ସରକାରର କେନ୍ଦ୍ରରେ ଥିଲେ। ପୁଣି, ଭାଜପାର ମୁଖ୍ୟମନ୍ତ୍ରୀମାନେ ଥିଲେ ସ୍ବାଧୀନ ଓ କ୍ଷମତାଶାଳୀ। ଏହି ‘ତ୍ରିମୂର୍ତ୍ତି’ ସେମାନଙ୍କୁ ସମ୍ମାନ ଦେଉଥିଲେ। ଏବେ ଭାଜପାର ଆଦର୍ଶ ସ˚ପୂର୍ଣ୍ଣ ବଦଳିସାରିଛି। ଷ୍ଟାଲିନ ଏକଦା ଦଳ ଓ ଦେଶ ପାଇଁ ଯାହା ଥିଲେ, ମୋଦୀ ଏବେ ଠିକ ତାଙ୍କ ପରି ଏକଛତ୍ରବାଦୀ।
ଇନ୍ଦିର ଯେପରି ଏକଦା ମହାମାନବୀ ଥିଲେ ଏବ˚ ମୋଦୀ ଯେପରି ଏବେ ମହାମାନବ; ଭବିଷ୍ୟତରେ ଏ ଭଳି ଘଟିବ ବୋଲି ଆମ୍ବେଦକର ଆଶଙ୍କା କରୁଥିଲେ। ଗଣତନ୍ତ୍ରରେ ଭକ୍ତି, ଅନ୍ଧ ଭାବେ ‘ବୀର-ପୂଜା’ ଆଶଙ୍କା, ତାଙ୍କୁ ବିବ୍ରତ କରୁଥିଲା। ତାଙ୍କ ଆଶଙ୍କା ଏବେ ସତ୍ୟରେ ପରିଣତ ହୋଇଛି! ଶାସକ ଦଳ ମୋଦୀଙ୍କୁ ହିନ୍ଦୁଙ୍କ ତ୍ରାଣକର୍ତ୍ତା ଭଗବାନ ଭାବେ ଚିତ୍ରଣ କରୁଛି। ଏକ ସ୍ବାଧୀନ ଗଣତନ୍ତ୍ରରେ ସମସ୍ତେ ଜଣେ ବ୍ୟକ୍ତିଙ୍କ ଉପାସନା କରିବେ ବୋଲି ବିଶ୍ବାସ ହୁଏନାହିଁ; କିନ୍ତୁ, ଅତ୍ୟନ୍ତ ପରିତାପର ବିଷୟ ଯେ ଏହା ଘଟିଛି।
ବ୍ୟକ୍ତି ଉପାସନାର ଇତିହାସକୁ ଯଦି ତନ୍ନ ତନ୍ନ କରି ଦେଖିବା, ଯେଉଁ ଦେଶରେ ଏ ଭଳି ଘଟିଛି, ସେହି ଦେଶ ବିପର୍ଯ୍ୟୟ ଭୋଗିଛି। ନରେନ୍ଦ୍ର ମୋଦୀ ବି ଦିନେ ପ୍ରଧାନମନ୍ତ୍ରୀ ରହିବେନାହିଁ; କିନ୍ତୁ, କିଏ ଜାଣେ, ସେହି ଦିନ କେବେ ଆସିବ! ତେବେ, ତାହା ପୂର୍ବରୁ ମୋଦୀ ଉପାସନା ଦେଶର ଅଶେଷ କ୍ଷତି କରିସାରିଥିବ; ଆମର ସ୍ବାଧୀନ-ସ୍ବାୟତ୍ତ ଅନୁଷ୍ଠାନ, ଅର୍ଥନୀତି, ସାମାଜିକ ଜୀବନ ଓ ନୈତିକତା ଧ୍ବସ୍ତ-ବିଧ୍ବସ୍ତ ହୋଇସାରିଥିବ।