ଅର୍ଥନୈତିକ ଅଭିବୃଦ୍ଧି ଲାଗି କୃଷି

କୃଷି ଆଲୋଚନା - ଦିବାକର ନାୟକ

ଦେଶର ଅର୍ଥନୈତିକ ଅଭିବୃଦ୍ଧି ୨୦୧୯-୨୦ରେ ୪.୨% ହାରରେ ସୀମିତ ଅଛି। ଗତ ୧୧ ବର୍ଷରେ ଯେଉଁ ଅଭିବୃଦ୍ଧି ହାର ଥିଲା ସେସବୁର ତୁଳନାରେ ଏହା କମ୍‌। ୨୦୦୮-୦୯ ମସିହାରେ ଆନ୍ତର୍ଜାତିକ ଆର୍ଥିକ ସମସ୍ୟା ଯୋଗୁ ଭାରତର ଅର୍ଥନୀତି ପ୍ରଭାବିତ ହୋଇଥିଲା; ଫଳରେ ଅଭିବୃଦ୍ଧି ହାର ୩.୧% ହାରରେ ସୀମିତ ଥିଲା। ୨୦୨୦-୨୧ ମସିହାରେ କରୋନାର ପ୍ରଭାବରେ ଏହା ଆହୁରି ସଙ୍କୁଚିତ ହେବ। ତେବେ, ସଙ୍କୋଚନର ହାରକୁ କମାଇବାରେ କୃଷି ଅଭିବୃଦ୍ଧି ସହାୟକ ହୋଇପାରେ। ଯଦିଓ କୃଷି କାର୍ଯ୍ୟକୁ ସମସ୍ତ ପ୍ରକାର ଲକ୍‌ଡାଉନ୍‌ ବା ସଟ୍‌ଡାଉନ୍‌ରୁ ମୁକ୍ତ କରାଯାଇଛି, ତଥାପି ଏହା ପ୍ରଭାବିତ ହେବା ନିଶ୍ଚିତ। ୨୦୨୦-୨୧ ମସିହାରେ କୃଷି ଅଭିବୃଦ୍ଧି ହାର ୩% ହାର ପାଖାପାଖି ହେବ ବୋଲି ବିଭିନ୍ନ ସରକାରୀ ଓ ବେସରକାରୀ ସ˚ସ୍ଥା ଆକଳନ କରିଛି। କିନ୍ତୁ ଯଦି ବର୍ଷ ସରିବା ସୁଦ୍ଧା ସ୍ବାଭାବିକ ବର୍ଷା ହୁଏ ତଥା ସରକାରଙ୍କ କରୋନାକାଳୀନ କୃଷିଭିତ୍ତିକ ଯୋଜନା ସହିତ ରିହାତି ବ୍ୟବସ୍ଥା ଆଦି କାର୍ଯ୍ୟକାରୀ ହୁଏ, ତେବେ କୃଷି ଅଭିବୃଦ୍ଧି ହାର ୪%ରୁ ଅଧିକ ମଧୢ ହୋଇପାରେ।

ଜୁନ୍‌ ମାସର ପ୍ରଥମ ତିନି ସପ୍ତାହରେ ସ୍ବାଭାବିକ ଠାରୁ ୨୨% ଅଧିକ ବର୍ଷା ହୋଇଛି। କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ, ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳର ବର୍ଷାକୁ ଦେଖିଲେ ଜଣାପଡ଼େ, ଦେଶରେ ୬% (ଦକ୍ଷିଣାଞ୍ଚଳ)ରୁ ୪୪% (କେନ୍ଦ୍ରାଞ୍ଚଳ) ଅଧିକ ବର୍ଷା ହୋଇଛି। ଠିକ୍‌ ଏହି ସମୟରେ ଗତ ବର୍ଷ ୩୦% (କେନ୍ଦ୍ରାଞ୍ଚଳ)ରୁ ୩୭% (ପୂର୍ବାଞ୍ଚଳ) କମ୍‌ ବର୍ଷା ହୋଇଥିଲା। ମୌସୁମୀର ପ୍ରଥମ ଭାଗରେ ବର୍ଷାର ପରିମାଣ ସ୍ବାଭାବିକ ଠାରୁ ଅଧିକ ଥିବାରୁ ଫସଲ ବୁଣାବୁଣି ଅଧିକ ହୋଇଛି। ଜୁନ୍‌ ମାସରୁ ଜୁଲାଇ ମାସର ପ୍ରଥମ ସପ୍ତାହ ମଧୢରେ ୫୮ ନିୟୁତ ହେକ୍ଟର ଜମିରେ ଫସଲ ବୁଣା ସରିଲାଣି; ଯାହାକି ଗତ ବର୍ଷ ଏହି ସମୟରେ ୪୦.୩ ନିୟୁତ ହେକ୍ଟରରେ ସୀମିତ ଥିଲା। ଏ ବର୍ଷ ଠିକ୍‌ ସମୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବା ଏହା ଦେଶ ସାରା ବିକ୍ଷିପ୍ତ ଭାବେ ହୋଇଥିବାରୁ ଅଧିକ ଚାଷ ଜମିରେ ଫସଲ ବୁଣା ଯାଇ ପାରିଛି। ଜୁଲାଇ ମାସର ଦ୍ବିତୀୟ ସପ୍ତାହ ସୁଦ୍ଧା ଖରିଫ ଋତୁରେ ଯେତେ ପରିମାଣରେ ଫସଲ ହୁଏ, ତାର ୮୦% ଜମିରେ ବୁଣାବୁଣି ସରିଲାଣି। ଗତ ବର୍ଷର ଏହି ସମୟ ସୁଦ୍ଧା ଯେତେ ଫସଲ ବୁଣାବୁଣି ହୋଇଥିଲା, ତାହା ତୁଳନାରେ ଏ ବର୍ଷ ୧୮.୫% ଅଧିକ ଫସଲ ବୁଣା ହେଲାଣି। ପ୍ରବାସୀ ଶ୍ରମିକମାନେ ମଧୢ ନିଜ ନିଜ ଜମିରେ କୃଷି କାର୍ଯ୍ୟରେ ସାମିଲ ହୋଇଥିବାରୁ ଚାଷୀଙ୍କ ଖର୍ଚ୍ଚ କମିଛି। ଭାରତରେ ଯେତେ ଜଳ ଭଣ୍ତାର ଅଛି, ସେଗୁଡ଼ିକରେ ଜଳର ପରିମାଣ ଗତ ବର୍ଷ ଏହି ସମୟରେ ଯାହା ଥିଲା, ତା’ର ୫୫% ଅଧିକ ଅଛି। ଏହିସବୁ କୃଷିଜାତ ଫସଲର ଅଧିକ ଉତ୍ପାଦନ ପାଇଁ ସହାୟକ ହେବ। ଏହି ସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ୨୦୨୦-୨୧ ମସିହାରେ ୨୯୮.୩ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି। ୨୦୧୯-୨୦ ମସିହାରେ ଏହା ୨୯୫.୭ ନିୟୁତ ଟନ୍‌ ଥିଲା।

ବଡ଼ କଥା ହେଲା, ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ କିଛି ଟଙ୍କା ହେବା ଦରକାର, ଯାହାଦ୍ବାରା ସେମାନେ ବିଭିନ୍ନ ଖାଉଟି ଦ୍ରବ୍ୟ କିଣି ବଜାରରେ ତାର ଚାହିଦା ବଢ଼ାଇ ପାରିବେ। ଏହା ଉତ୍ପାଦନ ବୃଦ୍ଧିରେ ସହାୟକ ହେବ।

କରୋନା ପ୍ରଭାବିତ ବିଗତ ଛଅ ମାସ ଅବଧିରେ ଗ୍ରାମାଞ୍ଚଳରେ ଜନଧନ ଯୋଜନା ଜରିଆରେ ବ୍ୟାଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଯାଇଛି। ୨୦୨୦-୨୧ ମସିହାରେ ଚାଷୀଙ୍କ ଠାରୁ ୩୮.୨ ନିୟୁତ ଟନ୍‌ ଧାନ ଓ ଗହମ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯାଇଛି। ବୟାଳିଶ ଲକ୍ଷ ଚାଷୀ ଏହାଦ୍ବାରା ୭୩,୫୦୦ କୋଟି ଟଙ୍କା ଗଲା ଛଅ ମାସ ଭିତରେ ପାଇଛନ୍ତି। ୬,୪୦୦ କୋଟି ଟଙ୍କା ବୀମା ବାବଦରେ ଚାଷୀଙ୍କ ପାଖକୁ ଯାଇଛି। ଗ୍ରାମାଞ୍ଚଳରେ କାମ ଯୋଗାଇବା ଯୋଜନାରେ ଗଲା ଜୁନ୍‌ ମାସରେ ଯେତିକି ପରିବାରକୁ ସହାୟତା ମିଳଛି, ତାହା ବିଗତ ବର୍ଷର ଜୁନ୍‌ ମାସ ତୁଳନାରେ ଦେଢ଼ ଗୁଣରୁ ଅଧିକ। ପିଏମ୍‌ କିଷାନ୍‌ ଯୋଜନା ଜରିଆରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏକ କିସ୍ତିର ଟଙ୍କା ଦିଆଯାଇଛି। ଓଡ଼ିଶା ସରକାର ମଧୢ ବିଭିନ୍ନ ଚାଷୀ କୈନ୍ଦ୍ରିକ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସାହାଯ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଉଛନ୍ତି। ଏହାଛଡ଼ା କରୋନା ସମୟରେ ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ କିଛି ଟଙ୍କା ପହଞ୍ଚାଇବାର ବ୍ୟବସ୍ଥା ମଧୢ ହୋଇଛି। ଏହିସବୁ କୃଷିରେ ବିନିଯୁକ୍ତ ହେବାର ଆଶା ଅଧିକ ଯାହା କୃଷି ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ଦେଶର ଏକ ବିଶାଳ ଚାଷୀ ବର୍ଗ ଆର୍ଥିକ ଭାବେ ଅଧିକ ବ୍ୟୟ କରିବାକୁ ସମର୍ଥ ହେଲେ ବଜାର ଚଳଚଞ୍ଚଳ ହେବ ଏବ˚ ଏହା ଦେଶର ଜିଡିପି ବୃଦ୍ଧିରେ ସହାୟକ ହେବ।

ଓଡ଼ିଶା ଭଳି ରାଜ୍ୟ, ଯେଉଁଠି ଜଳସେଚନର ସୁବିଧା ବହୁତ କମ୍‌, ସେଠାରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ମୌସୁମୀର ସ୍ବାଭାବିକତା ଅପରିହାର୍ଯ୍ୟ। ଓଡ଼ିଶାରେ ଗତ ବର୍ଷ ଜୁନ୍‌ ମାସରୁ ଜୁଲାଇ ମାସର ତୃତୀୟ ସପ୍ତାହ ମଧୢରେ ୩୧% କମ୍‌ ବର୍ଷା ହୋଇଥିବା ବେଳେ ଏ ବର୍ଷ ସେହି ସମୟ ମଧୢରେ ୯% କମ୍‌ ବର୍ଷା ହୋଇଛି। କିନ୍ତୁ ଓଡ଼ିଶାରେ ଅଞ୍ଚଳ ଭିତ୍ତିକ ବୃଷ୍ଟିପାତରେ ସମାନୁପାତିକତା ନାହିଁ। ଚାରିଟି ଜିଲ୍ଲାରେ ଅର୍ଥାତ୍‌ ଝାରସୁୁଗୁଡ଼ା, ମାଲକାନାଗିରି, ବୌଦ୍ଧ ଓ ନୂଆପଡ଼ାରେ ୨୦% ଅଧିକ ବର୍ଷା ହୋଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅର୍ଥାତ୍‌ କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର ଓ ଜଗତ୍‌ସି˚ହପୁରରେ ଯେଉଁଠାରେ ଖରିଫ ଋତୁରେ ଧାନ ମୁଖ୍ୟ ଫସଲ, ସେଠାରେ ୬୦% କମ୍‌ ବର୍ଷା ହୋଇଛି। କୋଡ଼ିଏଟି ଜିଲ୍ଲାରେ ଯଦିଓ ବିଭିନ୍ନ ଜାଗାରେ ବର୍ଷାର ଅସମାନତା ଅଛି, ଜୁଲାଇ ମାସର ତୃତୀୟ ସପ୍ତାହ ଯାଏ ବର୍ଷାର ପରିମାଣ ହାରାହାରି ସ୍ବାଭାବିକ ରହିଛି। ପୁରୀରେ ଯଦିଓ ୬୦% କମ୍‌ ବର୍ଷା ହୋଇଛି, ଏହି ଜିଲ୍ଲାର ମୁଖ୍ୟ ଫସଲ ଧାନର ୮୦%ରୁ ଅଧିକ ଚାଷ ଜମି ଜଳସେଚିତ। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଜଳସେଚନର ସୁବିଧା ଅନ୍ୟ ଜିଲ୍ଲାଗୁଡ଼ିକ ତୁଳନାରେ ଅଧିକ। ଏହି ଜିଲ୍ଲାଗୁଡ଼ିକର ସମସ୍ତ ଧାନଚାଷ ହେଉଥିବା ଜମିର ହାରାହାରି ୬୦% ଜଳସେଚିତ। ତେବେ କୃଷିକାର୍ଯ୍ୟ ପାଇଁ ଜୁଲାଇ ଓ ଅଗଷ୍ଟ ମାସ ଗୁରୁତ୍ବପୂର୍ଣ୍ଣ। ଯଦି ଅଗଷ୍ଟ ମାସରେ ଭଲ ବର୍ଷା ହୁଏ, ତେବେ ଚାଷ ଭଲ ହେବ। ଏବେ ଏକ ଲଘୁଚାପ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ଯାହା ଚାଷ କାମରେ ଚଞ୍ଚଳତା ଆଣିଦେବ ଏବ˚ ରାଜ୍ୟର କୃଷକମାନଙ୍କୁ ମଧୢ ଲାଭବାନ କରିପାରେ। ଯଦି ଭଲ ଚାଷ ହୁଏ, ତେବେ ତାହା ଜାତୀୟ ଆୟ ବୃଦ୍ଧିରେ ସହାୟକ ହେବ।

ପୂର୍ବତନ ଡିନ୍‌, କୃଷି ମହାବିଦ୍ୟାଳୟ
ଓୟୁଏଟି, ଭୁବନେଶ୍ବର

ସମ୍ବନ୍ଧିତ ଖବର