ଚାକିରିଆ ଜୋଇଁ

ଅଜୟ କୁମାର ଜେନା

ଉଚ୍ଚ ଶିକ୍ଷିତ ଏବଂ ସଫଳ ବ୍ୟବସାୟୀ ହୋଇ ସୁଦ୍ଧା ସେ କାହିଁକି ଅସହାୟ ମନେ କରୁଥିଲା? ପୁଣି ବିଶେଷ କରି ବିବାହ ଋତୁ ଚାଲିଥିବା ବେ‌ଳେ? ଚିହ୍ନା ପରିଚିତଙ୍କ ଭିତରେ ସେ ପରିଗଣିତ ହେଉଥିଲା ଅତ୍ୟନ୍ତ ଯୋଗ୍ୟ ଏବ˚ ପାରିବାର ଭାବେ। ତଥାପି ହାତକୁ ଦି’ହାତ ହେବାରେ ସେ ଅସମର୍ଥ ଥିଲା। ଏମିତି କାହିଁକି ବୋଲି ସେ ବାରମ୍ବାର ନିଜକୁ ପଚାରୁଥିଲା ମଧ୍ୟ। ବେଳେ ବେଳେ ଏ ନେଇ ଏକ ଅବ୍ୟକ୍ତ ଅସ୍ବସ୍ତିବୋଧ ତାକୁ ଘୋଟି ଯାଉଥିଲା। ସେ ଜାଣି ପାରୁ ନ ଥିଲା ଯେ ତାର ଭୁଲ ରହିଲା କେଉଁଠି?

ସେ ଥିଲା ଜଣେ ଭଲ ଛାତ୍ର। ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର। ଶିକ୍ଷା ପରେ କୌଣସି ସରକାରୀ ଚାକିରି ନ କରି ନିଜ ଗୋଡ଼ରେ ନିଜେ ଛିଡ଼ା ହେବାର ପ୍ରୟାସ ଥିଲା ତାର ସ୍ବାଧୀନଚେତା ମନର ପରିଚାୟକ। ତାର ପଦସ୍ଥ ବାପା ଓ ଶିକ୍ଷିତା ମାଆ ତାକୁ ସମର୍ଥନ ଜଣାଇଥିଲେ। ସୁତରାଂ, ସେ ନିଜ ଲକ୍ଷ୍ୟପଥରେ ଆଗେଇ ଥିଲା। କିନ୍ତୁ ଏହି ମାର୍ଗରେ ସେ ପ୍ରଥମ ହତାଶାର ଶିକାର ହେଲା ଯେତେବେଳେ ସେ ବିବାହ ବଜାରରେ ଅଦରକାରୀ ଭାବେ ପଡ଼ି ରହିଲା। ତାର ଆତ୍ମୀୟସ୍ବଜନମାନେ ତା’ ପାଇଁ କନ୍ୟା ଅନ୍ବେଷଣରେ ଲାଗିପଡ଼ିଲେ। ଆମ ରାଜ୍ୟରେ ଯେମିତି ହୋଇଥାଏ, ସେମିତି ହେଲା। ଯୁବୋଦ୍ୟୋଗୀ ମହାଶୟଙ୍କ ଲାଗି ଅନେକ ଖୋଜାଲୋଡ଼ା ପରେ ମଧ୍ୟ ମନଲାଖି କନ୍ୟା ଯୋଗାଡ଼ କରାଯାଇ ପାରିଲା ନାହିଁ। ସୁତରାଂ, ଜଣେ ମଧ୍ୟସ୍ଥିଙ୍କ ସହଯୋଗ ଦରକାର ପଡ଼ିଲା। ଭାଗ୍ୟକୁ ଏଥର ପାତ୍ରୀ ନିର୍ବାଚନ ହେଲା ଓ ତା ସହ ବିବାହ ଲଗ୍ନ ମଧ୍ୟ ସ୍ଥିର ହୋଇଗଲା। ତେବେ ଏହାର ମାତ୍ର କିଛି ଦିନ ପରେ ଅତର୍କିତ ଭାବେ ଦିନେ ମଧୢସ୍ଥି ଆସି ଜଣାଇଲେ ଯେ କନ୍ୟା ପକ୍ଷ ବାହାଘର ଲାଗି ଅମଙ୍ଗ। ଜଣାପଡ଼ିଲା ଯେ ସଚିବାଳୟରେ ବଡ଼ବାବୁ ଥିବା କନ୍ୟାର ମାମୁ କୁଆଡେ଼ ଏ ପ୍ରସ୍ତାବରେ ଆପତ୍ତି ଉଠାଇଛନ୍ତି। ତାଙ୍କ କହିବାର କଥା – ଜ୍ବାଇଁ ଗୋଟେ କମ୍ପାନି ଖୋଲି ଚାଳିଶ ପଚାଶ ପିଲାଙ୍କୁ ରଖିଛନ୍ତି ସତ, କିନ୍ତୁ ଏମିତି କେତେ କମ୍ପାନି ଆସୁଛି, କିଛି ଦିନ ପରେ ଚାଲିଯାଉଛି। ବେପାରର କ’ଣ କିଛି ନିଶ୍ଚିତତା ଅଛି? ଆଜି ଭଲ ଅଛି, କାଲି ଭଲ ନ ରହିଲେ? ବାସ୍‌, ଏତିକି କଥାରେ ବାହାଘର ଭାଙ୍ଗିଗଲା।

ଏହାର ଛଅ ମାସ ପରର କଥା। ତା’ କାର୍ଯ୍ୟାଳୟର କନିଷ୍ଠ ସହଯୋଗୀ ତାଙ୍କ ବାହାଘରକୁ ନିମନ୍ତ୍ରଣ କଲେ। ଯିବାକୁ ତାର ଇଚ୍ଛା ନ ଥିଲେ ବି ସେ ରାଜି ହେଲା। କାରଣ ନିଜ ଅନୁଷ୍ଠାନର କାହାର ଏକ ମାଙ୍ଗଳିକ କାର୍ଯ୍ୟକୁ ଏଡ଼ାଇ ଦେଇ ହେବ ବା କେମିତି? ତେବେ ସେହି ବିବାହ ଭୋଜିରେ ଅଗତ୍ୟା ସେ ଆଶା କରି ନ ଥିବା ଭଳି ଘଟଣା ଘଟିଲା। ସେଠାରେ ଯାହାଙ୍କ ସହିତ ତାର ଦେଖା ହୋଇଗଲା, ସେ ଥିଲେ ସେହି ମଧ୍ୟସ୍ଥି।

ବିସ୍ମିତ ହୋଇ ସେ ପଚାରିଲା- ଆପଣ, ଏଇଠି? କ’ଣ କରୁଛନ୍ତି?

ମଧ୍ୟସ୍ଥି ଟିକିଏ ଅପ୍ରସ୍ତୁତ ହୋଇ କହିଲେ- ସାର୍‌, ସବୁ ବିଧିର ଖେଳ। ଖରାପ ଭାବିବେ ନାହିଁ। ଆପଣଙ୍କ ଲାଗି ଯେଉଁ କନ୍ୟାକୁ ମୁଁ ସ୍ଥିର କରିଥିଲି, ସେ ଆପଣଙ୍କ ଦପ୍ତରର ଏହି ବାବୁଙ୍କୁ ବାହା ହେଉଛି।

ଟିକିଏ ବିସ୍ମିତ ହୋଇ ସେ ପଚାରିଲା- ଏଥିରେ ତାଙ୍କର ସେ ମାମୁଙ୍କ କୌଣସି ବିରୋଧ ନାହିଁ?

ମଧ୍ୟସ୍ଥି କହିଲେ- ନା, ମାମୁ କହିଲେ ଯେ ଚାକିରିଆର କିଛି ଭଲ ମନ୍ଦ ନ ଥାଏ। ଆଜି ଚାକିରି ଅଛି ତ ଭଲ, କାଲି ନାହଁ ତ ଆଉ କୋଉଠି କରିବ। ପୁଣି ଗୋଟିଏ ଛାଡ଼ି ଆଉ ଗୋଟିଏକୁ ଗଲେ ତାର ଉନ୍ନତି ହୋଇ ଚାଲିବ। ତେଣୁ ଚାକିରିଆ ଜୋଇଁ ସବୁଠୁ ଭଲ!

ଘରକୁ ଫେରିବା ବେଳେ ସେ ଭାବୁଥିଲା ଯେ ଆମ ରାଜ୍ୟରେ ଚାକିରିଆଙ୍କ ଏତେ ଡିମାଣ୍ଡ କାହିଁକି?

ଚକ୍ରଗଡ଼, ନରସି˚ହପୁର, କଟକ
ଫୋନ. ନ˚:୯୮୬୧୧୨୧୧୯୪

ସମ୍ବନ୍ଧିତ ଖବର