ୟୁଜିସି ଏତେ ପରୀକ୍ଷା ସର୍ବସ୍ବ କାହିଁକି?

ପରୀକ୍ଷା ପ୍ରସଙ୍ଗ - ଧନଦାକାନ୍ତ ମିଶ୍ର

ଆମ ଦେଶର ଶିକ୍ଷା ବ୍ୟବସ୍ଥା ଯେ ପରୀକ୍ଷା ସର୍ବସ୍ବ, ଜୁଲାଇ ୬ରେ ଜାରି କରାଯାଇଥିବା ଭାରତର ଉଚ୍ଚଶିକ୍ଷା ନିୟାମକ- ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଦ୍ବାରା ସର୍ବଶେଷ ନିର୍ଦ୍ଦେଶାବଳୀ ଦ୍ବାରା ପୁଣି ପ୍ରମାଣିତ ହେଇଛି। ନିର୍ଦ୍ଦେଶାବଳୀରେ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିମ୍ନଲିଖିତ ଭାବରେ ପରୀକ୍ଷା କରିବାକୁ ଆଦେଶ ଦିଆଯାଇଛି- “ସେପ୍‌ଟେମ୍ବର ୨୦୨୦ ଶେଷ ସୁଦ୍ଧା ବିଶ୍ୱବିଦ୍ୟାଳୟଗୁଡ଼ିକ ଅଫଲାଇନ (କଲମ ଏବଂ କାଗଜ)/ ଅନଲାଇନ୍/ ମିଶ୍ରିତ (ଅନଲାଇନ୍ + ଅଫଲାଇନ୍) ପ୍ରଣାଳୀରେ ପରୀକ୍ଷା ଶେଷ କରିବେ”। ୟୁଜିସି ଦ୍ବାରା ଗଠିତ ଏକ ବିଶେଷଜ୍ଞ କମିଟି ଦୁଇ ସପ୍ତାହର ବିଚାର ବିମର୍ଶ କଲା ପରେ ଏହି ଦୁଇ ପୃଷ୍ଠାର ନିର୍ଦ୍ଦେଶନାମା ଆଣିଥିଲା ଯାହା ଏପ୍ରିଲ ଶେଷ ସପ୍ତାହରେ ଦିଆଯାଇଥିବା ପୂର୍ବ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରିଥିଲା। ୟୁଜିସି ଏହାର ଯଥାର୍ଥତା ବିଷୟରେ ଉଲ୍ଲେଖ କରି କହିଛି- ‘କୌଣସି ଶିକ୍ଷା ବ୍ୟବସ୍ଥାରେ ଛାତ୍ରମାନଙ୍କର ଶୈକ୍ଷିକ ମୂଲ୍ୟାଙ୍କନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। ପରୀକ୍ଷାରେ ପ୍ରଦର୍ଶନ ଛାତ୍ରଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ ଏବଂ ଆତ୍ମସନ୍ତୋଷ ପ୍ରଦାନ କରେ ଏବଂ ଏହା ଦକ୍ଷତା ଓ ବିଶ୍ୱସନୀୟତାର ପ୍ରତିଫଳନ ଯାହା ବିଶ୍ୱସ୍ତରୀୟ ଗ୍ରହଣୀୟତା ପାଇଁ ଆବଶ୍ୟକ। ଦୁର୍ଭାଗ୍ୟବଶତଃ, ବହୁ ବର୍ଷୀୟ ଡିଗ୍ରି ପ୍ରୋଗ୍ରାମର ଅନ୍ତିମ ସେମିଷ୍ଟାର ପରୀକ୍ଷା ଅପେକ୍ଷା କାର୍ଯ୍ୟ ଦକ୍ଷତା ଏବଂ ବିଶ୍ୱସନୀୟତା ସାମଗ୍ରିକ ଶିକ୍ଷା ବ୍ୟବସ୍ଥା ଉପରେ ଅଧିକ ନିର୍ଭରଶୀଳ!

ବର୍ତ୍ତମାନ କୋଭିଡ ମହାମାରୀ ଏକ ଅଭୂତପୂର୍ବ ବିପର୍ଯ୍ୟୟ ଭାବରେ ଦେଶ ଆଗରେ ଉଭା ହେଇଛି ଓ ଏହାର ସଂକ୍ରମଣ ଦିନକୁ ଦିନ ପ୍ରବଳ ହେବାରେ ଲାଗିଛି। ଏପରି ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ୟୁଜିସି ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ସମଗ୍ର ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ନିରାଶା ଏବଂ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ବାର୍ଷିକ ପରୀକ୍ଷା ହେତୁ ଆମ ଦେଶରେ ଛାତ୍ରଛାତ୍ରୀମାନେ ଅତ୍ୟଧିକ ମାନସିକ ଯନ୍ତ୍ରଣା ଏବଂ ଚାପରେ ରହିଥାନ୍ତି। ଆମେ ସମସ୍ତେ ବିଭିନ୍ନ ପର୍ଯ୍ୟାୟରେ ବୋର୍ଡ ପରୀକ୍ଷାର ଏହି ପରମ୍ପରା ସହ ପରିଚିତ। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତି ବିଦ୍ୟାର ଦୁନିଆରେ ଏହି ପାରମ୍ପରିକ ପରୀକ୍ଷା ସର୍ବସ୍ବ ଶିକ୍ଷା ବ୍ୟବସ୍ଥାର ଖୁବ୍ କମ୍ ପ୍ରାସଙ୍ଗିକତା ରହିଯାଇଛି, ଯହିଁରେ ପ୍ରମାଣପତ୍ର, ଗ୍ରେଡ୍, ଏବଂ ରୢାଙ୍କ୍ ବା କ୍ରମିକ ସ୍ଥାନ ଆଦିର ମୂଲ୍ୟ ଖୁବ କମ୍। ବରଂ ଚାକିରି କ୍ଷେତ୍ରରେ ମୂଲ୍ୟବାନ ହେଲା ସୃଜନଶୀଳତା, ଜଟିଳ ସମସ୍ୟା ସମାଧାନ କରିବାର ଦକ୍ଷତା, ନିଜ ଚିନ୍ତାଧାରା ବ୍ୟକ୍ତ କରିବାର କ୍ଷମତା ଓ ଅନ୍ୟମାନଙ୍କ ସହିତ ମିଶି ସଫଳତାର ସହ କାର୍ଯ୍ୟ କରିବାର ପ୍ରବୃତ୍ତି। ଏ ସବୁର ଅଭାବ ଯୋଗୁ ଆଜି ସଂଖ୍ୟାଧିକ ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ସାଧାରଣ ଚାକିରିଟିଏ ପାଇବାରେ ଅକ୍ଷମ।

ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଯେତେବେଳେ ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ ବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ, ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷା ନୀତିରେ ଶିକ୍ଷା ବ୍ୟବସ୍ଥାର ସଂସ୍କାର ପାଇଁ ପରୀକ୍ଷା ସଂସ୍କାର ଏକ ପ୍ରମୁଖ ଲକ୍ଷ୍ୟ ଭାବେ ରହି ଆସିଛି। ଡ. ରାଧାକୃଷ୍ଣନ୍ କହିଥିଲେ- ‘ଯଦି ଆମେ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଗୋଟିଏ ସଂସ୍କାର ସକାଶେ ପରାମର୍ଶ ଦେବାକୁ ଚାହୁଁ, ତେବେ ତାହା ପରୀକ୍ଷା ସଂସ୍କାର ହେବା ଉଚିତ।’ ପରବର୍ତ୍ତୀ କମିଟିଗୁଡ଼ିକ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ପରୀକ୍ଷା ସଂସ୍କାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂତନ ଶିକ୍ଷା ନୀତି ପରୀକ୍ଷାଗୁଡ଼ିକୁ ଅଧିକ ସମୟୋପଯୋଗୀ ଏବଂ ସ୍ମରଣ ଶକ୍ତି ପରିବର୍ତ୍ତେ ମୂଳ ଧାରଣା ବା ତତ୍ତ୍ବ ଗୁଡିକୁ ବୁଝିବା ଉପରେ ଗୁରୁତ୍ୱ ଦେଇଥାଏ। ସେଥିପାଇଁ ଚୂଡ଼ାନ୍ତ ପରୀକ୍ଷା ପରିବର୍ତ୍ତେ ନିରନ୍ତର ପରୀକ୍ଷଣ ଉପରେ ଅଧିକ ଗୁରୁତ୍ବ ଦିଆଯିବା ବିଧେୟ, ଯେଉଁ କଥା ନୂଆ ଶିୀକ୍ଷାନୀତି-୨୦୨୦ରେ କୁହାଯାଇଛି। ଚାକିରି ପାଇଁ ହେଉ କିମ୍ବା ଉଚ୍ଚଶିକ୍ଷା ପାଇଁ ହେଉ ଯୋଗ୍ୟତା ନିରୂପଣ ପାଇଁ ପ୍ରାର୍ଥୀଙ୍କ ମୂଲ୍ୟାଙ୍କନ କରିବା ସକାଶେ ପ୍ରତିଦ୍ବନ୍ଦ୍ବିତା ମୂଳକ ପରୀକ୍ଷା ଯଥାର୍ଥ। ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ବହୁ ବର୍ଷ ଧରି କମିଟି ଏବଂ କମିସନଙ୍କ ଉଦ୍ୟମ ସତ୍ତ୍ୱେ ଭାରତରେ ଶିକ୍ଷା ବ୍ୟବସ୍ଥା ସର୍ବଦା ବିଶ୍ୱସ୍ତରୀୟ ଶ୍ରେଷ୍ଠ ମାନକ ଗ୍ରହଣ କରିବାରେ ପଛରେ ପଡ଼ିଛି। ବ୍ୟବସ୍ଥା ବଦଳୁଛି ବୋଲି ପ୍ରତୀତ ହେଉଥିବା ବେଳେ ବସ୍ତୁତଃ ପୁରୁଣା ବ୍ୟବସ୍ଥା ହିଁ ରହୁଛି। କୋଚିଂ କ୍ଲାସର ଦୁର୍ଦଶା, ପରୀକ୍ଷା ଚାପ ଏବଂ ବିଫଳତା କାରଣରୁ ଛାତ୍ର ଆତ୍ମହତ୍ୟା, ପ୍ରଶ୍ନପତ୍ର ଲିକ‌୍ ହେବା ଏବଂ କପି କରିବା ଆଦି ଏକ ଗଭୀର ରୋଗର ଲକ୍ଷଣ ମାତ୍ର, ଯାହାର ନିରାକରଣ ଏବଂ ଚିକିତ୍ସା କରିବାରେ ଦେଶ ଆଜି ପର୍ଯ୍ୟନ୍ତ ଅସମର୍ଥ ହୋଇଛି।

ଏହି ନିବନ୍ଧ ଲେଖା ହେବା ବେଳକୁ ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ଏବଂ ଅନ୍ୟ କେତେକ ରାଜ୍ୟ ୟୁଜିସି ନିର୍ଦ୍ଦେଶାବଳୀ ବିରୁଦ୍ଧରେ ଅଦାଲତକୁ ଯିବାକୁ ନିଷ୍ପତ୍ତି କରିଛନ୍ତି। ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଦେଶର ସବୁ ରାଜ୍ୟ ଏଥିରେ ସାମିଲ ହୁଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ତଥାପି ୟୁଜିସିର ଉପାଧ୍ୟକ୍ଷ ଟିଭିରେ କହିଛନ୍ତି ଯେ ଯେହେତୁ ମଦ ଦୋକାନ ବି ଖୋଲିଲାଣି, ଯୁଜିସି ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କରିବାରେ କୌଣସି ଅସୁବିଧା ନାହିଁ! ତାଙ୍କର ପୁଣି କହିବାର କଥା ହେଲା ପଞ୍ଚାୟତ ସ୍ତରରେ କୁଆଡ଼େ ଇଣ୍ଟରନେଟର ସୁବିଧା ଉପଲବ୍‌ଧ! ଏହା ବାସ୍ତବତା ପ୍ରତି ଉପହାସ ଛଡ଼ା ଆଉ କ’ଣ ହୋଇପାରେ? ଅନ୍ତିମ ବର୍ଷର ଛାତ୍ରମାନଙ୍କର ଟର୍ମିନାଲ୍ ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ପାସ କରିବା ପାଇଁ ଏକ ବିକଳ୍ପ ମୂଲ୍ୟାଙ୍କନ ପ୍ରକ୍ରିୟା ବ୍ୟବହାର କରାଯାଇଛି। ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଅଧିକ ଚାପରେ ଥିବା କ୍ଷେତ୍ରରେ କାହିଁକି ସମାନ ଉପାୟରେ ସେମାନଙ୍କୁ ପାସ କରାଯାଇପାରିବ ନାହିଁ ଏହାର କୌଣସି ସ୍ପଷ୍ଟ ଉତ୍ତର ନାହିଁ। ଆହୁରି ଦୁର୍ଭାଗ୍ୟର ବିଷୟ ହେଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସମେତ ଅନେକ ବିଶ୍ୱବିଦ୍ୟାଳୟ ଚୂଡ଼ାନ୍ତ ପରୀକ୍ଷା ପାଇଁ ଦୁଇ ଥର ସମୟ କ୍ର‌େମ ଘୋଷଣା କରି ମଧ୍ୟ ବିଭିନ୍ନ କାରଣରୁ ପରୀକ୍ଷା ଘୁଞ୍ଚାଇଛନ୍ତି। ଓଡ଼ିଶା ସରକାର ପ୍ରଥମେ ପରୀକ୍ଷା କରିବେ ନାହିଁ ବୋଲି ଘୋଷଣା କଲା ପରେ ପୁଣି କରିବା ନିଷ୍ପତ୍ତି ନେଇଥିଲେ ମଧ୍ୟ କୋଭିଡ୍ ପ୍ରକୋପ ବଢ଼ିବାର ଦେଖି ପୁଣି ପରୀକ୍ଷା ସ୍ଥଗିତ କରିଛନ୍ତି। ଏହାଦ୍ବାରା ପିଲାମାନଙ୍କ ଉପରେ ଯେ କି ପ୍ରକାର ମାନସିକ ଚାପ ପଡ଼ିଛି, ସେ ଦିଗରେ କାହାର ଦୃଷ୍ଟି ନାହିଁ।

ଅଧିକାଂଶ ବିକଶିତ ଦେଶ ବିଶ୍ୱବିଦ୍ୟାଳୟ ସ୍ତରରେ କେନ୍ଦ୍ରୀଭୂତ ଟର୍ମିନାଲ ପରୀକ୍ଷା ବ୍ୟବସ୍ଥାରୁ ବହୁ ଦୂରକୁ ଯାଇସାରିଲେଣି। ଭାରତରେ, ଆମେ ବହୁ ବିଳମ୍ବରେ ସେମିଷ୍ଟାର୍ ବ୍ୟବସ୍ଥାକୁ ଗ୍ରହଣ କଲେ। ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ସାଧାରଣ ସେମିଷ୍ଟାର ପରୀକ୍ଷାରେ ମଧ୍ୟ ପରୀକ୍ଷା ଖାତା ଏକ ତୃତୀୟ ପକ୍ଷ ଦ୍ୱାରା ମୂଲ୍ୟାଙ୍କନ କରାଯାଏ। ଏହା ପଶ୍ଚାତ୍‌ମୁଖୀ। ଯେତେବେଳେ ଆଇଆଇଟି, ଆଇଆଇଏମ୍, ନାଇଜର(NISERs), ଏମ୍‌ସ (AIIMS) ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଠ୍ୟକ୍ରମ ଶିକ୍ଷା ଦେଉଥିବା ପ୍ରଫେସରଙ୍କ ଦ୍ୱାରା ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସହିତ ଉତ୍କର୍ଷ ବଜାୟ ରଖିବାରେ ସକ୍ଷମ, ଆମେ ଏହି ବ୍ୟବସ୍ଥାକୁ ସବୁଠାରେ ଲାଗୁ କରିବାରେ କାହିଁକି ଅସମର୍ଥ? ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରି ଏକ ଶୀର୍ଷ ବିଶ୍ୱବିଦ୍ୟାଳୟ ମଧ୍ୟ ଏହାର ଅଧ୍ୟାପକଙ୍କ ଦ୍ବାରା ସେମାନଙ୍କ ଛାତ୍ରମାନଙ୍କର ମୂଲ୍ୟାଙ୍କନ କରିବାରେ ବିଶ୍ୱାସ କରେନାହିଁ। ନୂତନ ଶିକ୍ଷା ନୀତି (୨୦୨୦)ର ସୁପାରିସ ଅନୁସାରେ ‘ଚୂଡ଼ାନ୍ତ ଯୋଗ୍ୟତା ପ୍ରମାଣପତ୍ର ପାଇଁ ଉଦ୍ଦିଷ୍ଟ ଶେଷ ପରୀକ୍ଷା ସମେତ ସମସ୍ତ ମୂଲ୍ୟାଙ୍କନ ପ୍ରଣାଳୀ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ସ୍ଥିର କରାଯିବ। ବର୍ତ୍ତମାନର ପ୍ରଚଳିତ ଯୁଜିସିର ପସନ୍ଦ ଆଧାରିତ କ୍ରେଡିଟ୍ (ଚଏସ ବେସ୍‌ଡ କ୍ରେଡିଟ) ବ୍ୟବସ୍ଥାରେ ସଂଶୋଧନ କରି ତାକୁ ଉନ୍ନତ କରାଯିବ; ଯାହାଦ୍ବାରା ଶିକ୍ଷା ବ୍ୟବସ୍ଥାର ମୌଳିକ ଦୃଷ୍ଟିକୋଣକୁ ସ୍ପଷ୍ଟ କରିବା ସହ ନୂତନ ଦୃଷ୍ଟିଭଙ୍ଗୀ ଏବଂ ପରିବର୍ତ୍ତନଶୀଳତା ପାଇଁ ଯଥେଷ୍ଟ ସୁଯୋଗ ରହିବ। ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡିକ ମଧ୍ୟ ଅତ୍ୟଧିକ ମୂଲ୍ୟ ବହନକାରୀ ଏକକ ପରୀକ୍ଷା ପରି ବ୍ୟବସ୍ଥା ଠାରୁ ଦୂରେଇ ଯିବା ସହ ଅଧିକ ନିରନ୍ତର ଏବଂ ବିସ୍ତୃତ ମୂଲ୍ୟାଙ୍କନ ଦିଗରେ ଗୁରୁତ୍ବ ଦେବା ଆବଶ୍ୟକ।’ ଯଦି କେବଳ ୟୁଜିସି ଏହି ନୂତନ ଶିକ୍ଷା ନୀତିକୁ ଠିକ୍ ଭାବରେ ପଢ଼ନ୍ତେ, ତେବେ ସରକାରଙ୍କ ନୀତିକୁ ବିରୋଧ କରୁଥିବା ଭଳି ଏକ ଅପରିଣାମଦର୍ଶୀ ନିର୍ଦ୍ଦେଶାବଳୀ ଆଣନ୍ତେ ନାହିଁ। ଏବଂ ଅଯଥାରେ ଏତେ ସଂଖ୍ୟକ ନିରୀହ ଛାତ୍ରଛାତ୍ରୀଙ୍କ ପାଇଁ ଦୁଃଖ ଓ ଯନ୍ତ୍ରଣା ସୃଷ୍ଟି କରନ୍ତେ ନାହିଁ!

[email protected]

ସମ୍ବନ୍ଧିତ ଖବର