ସା˚ପ୍ରତିକୀ: ସଂକ୍ରମଣ, ସାଂପ୍ରଦାୟିକତା ଓ ସରକାର

ରାମଚନ୍ଦ୍ର ଗୁହା

ଚତୁର୍ଦଶ ଶତାବ୍ଦୀରେ ଇଉରୋପ୍‌ ଓ ଏସିଆର ଅଧିକା˚ଶ ଅଞ୍ଚଳକୁ ଛାରଖାର କରିଦେଇଥିବା ବ୍ୟୁବୋନିକ୍‌ ପ୍ଲେଗ୍‌ ମହାମାରୀ ‘କଳା କରଣ’ ବା ‘ବ୍ଲାକ୍‌ ଡେଥ୍‌’ ଭାବେ କୁଖ୍ୟାତ। ଏହା ଦ୍ବାରା ମାନବ ସମାଜ ଅକଥନୀୟ ଦୁର୍ଦଶା ଭୋଗିଥିଲା; ନିଜର ବିଚାର-ବୁଦ୍ଧି ହରାଇ ପଶୁ ପାଲଟି ଯାଇଥିଲା। ଏ ସ˚ପର୍କରେ କିଛି ଦିନ ତଳେ ‘ଫାଇନାନ୍‌ସିଆଲ୍‌ ଟାଇମ୍‌ସ’ରେ ଏକ ନିବନ୍ଧ ପ୍ରକାଶ ପାଇଥିଲା। ନିବନ୍ଧକାର କଲମ୍ବୀୟ ଐତିହାସିକ ସାଇମନ୍‌ ସ୍କାମା ଏଥିରେ ଦର୍ଶାଇଛନ୍ତି: କ୍ଷମତାଶାଳୀ ଓ ସଂଖ୍ୟାଗରିଷ୍ଠ ଶକ୍ତି ସର୍ବଦା ବଳି ପାଇଁ ଛେଳି ଖୋଜିଥାଏ। ତେଣୁ, ପ୍ଲେଗ୍‌-ଆକ୍ରାନ୍ତ ଶକ୍ତି, ଇହୁଦୀ ସଂପ୍ରଦାୟକୁ ଟାର୍ଗେଟ୍‌ କରିଥିଲା। ‘ବ୍ଲାକ୍‌ ଡେଥ୍‌’ ସମୟରେ ଇହୁଦୀମାନେ କୂଅରେ ବିଷ ମିଶାଉ ଥିବାର ଅଭିଯୋଗ କେତେକ ଅଞ୍ଚଳରେ ହୋଇଥିଲା। ଆଉ କେତେକ ଅଞ୍ଚଳରେ ଅଭିଯୋଗ ହୋଇଥିଲା, ଖ୍ରୀଷ୍ଟିଆନଙ୍କ ସର୍ବନାଶ ପାଇଁ ସେମାନେ ଏହି ମହାମାରୀ ସୃଷ୍ଟି କରିଛନ୍ତି।

ସ୍କାମା ଲେଖିଛନ୍ତି: ମଧ୍ୟ ଯୁଗୀୟ ଇଉରୋପ୍‌ରେ ଏହି ମହାମାରୀ ବେଳେ ଖ୍ରୀଷ୍ଟିଆନମାନେ ଇହୁଦୀଙ୍କ ଉପରେ ଆକ୍ରମଣ କରିଥିଲେ। କେବଳ ସେତେ ବେଳେ ନୁହେଁ, ମହାମାରୀ କାଳରେ ସର୍ବଦା ସ˚ଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହୋଇଛି। ଊନବି˚ଶ ଶତାବ୍ଦୀରେ ଯେତେ ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବ ତଟରେ ହଇଜା ମହାମାରୀ ବ୍ୟାପି ଥିଲା, ପ୍ରୋଟେଷ୍ଟାଣ୍ଟ୍‌ ଆମେରିକାନ୍‌ ଯେଉଁମାନେ ମୂଳତଃ ଇ˚ଲିସ୍‌, କାଥ୍‌ଲିକ୍‌ ଆଇରିସ୍‌ ଆମେରିକାନ୍‌ମାନଙ୍କୁ ଟାର୍ଗେଟ୍‌ ବା ନିଶାଣ କରିଥିଲେ। ପ୍ରୋଟେଷ୍ଟାଣ୍ଟ୍‌ ଆଙ୍ଗ୍‌ଲୋ-ଆମେରିକାନ୍‌ମାନେ, ଆଇରିସ୍‌ ପ୍ରବାସୀମାନଙ୍କୁ ରୋଗର ବାହକ ଭାବେ ଆଖ୍ୟାୟିତ କରିବା ସହ ପୋପ୍‌ଙ୍କ ଅନୁଗାମୀ କହି ଆକ୍ରମଣ କରିଥିଲେ। ଇଉରୋପ୍‌ ଓ ଆମେରିକାରେ ମହାମାରୀର ଇତିହାସ ସଂପର୍କରେ ସ୍କାମାଙ୍କ ନିବନ୍ଧରେ ବିଶଦ ଭାବେ ବର୍ଣ୍ଣିତ। ଆଧୁନିକ ଭାରତର ମହାମାରୀ ଉପରେ ହୋଇଥିବା ଦୁଇଟି ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ବାବଦରେ ମୁଁ କହିବି। ୧୮୯୬ରେ ବମ୍ବେରେ ଘଟିଥିବା ପ୍ଲେଗ୍‌ର କୁପ୍ରଭାବ ସ˚ପର୍କରେ ଐତିହାସିକ ପ୍ରଶାନ୍ତ କିଦମ୍ବୀ ଲେଖିଥିବା ଏକ ନିବନ୍ଧ ୨୦୦୨ରେ ‘ଦ ଜର୍ନାଲ୍‌ ଅଫ୍‌ ମଡର୍ନ‌୍‌ ହିଷ୍ଟ୍ରି’ରେ ପ୍ରକାଶ ପାଇଥିଲା। ଔପନିବେଶୀୟ ପ୍ରଶାସନର ପ୍ଲେଗ୍‌-ବିରୋଧୀ ନୀତି ଯେ ପକ୍ଷପାତିତାପୂର୍ଣ୍ଣ ଥିଲା, ତାହା ସେ ଜାଣିବାକୁ ପାଇଥିଲେ। ଫଳ ସ୍ବରୂପ ସହରାଞ୍ଚଳ ଏବ˚ ଆଖ-ପାଖରେ ବାସ କରୁଥିବା ଦରିଦ୍ର ଆକ୍ରମଣ ଓ ପକ୍ଷପାତିତାର ଶିକାର ହୋଇଥିଲେ। ବସ୍ତି ଅଞ୍ଚଳରେ ବାସକରୁଥିବା ଲୋକେ ପ୍ଲେଗ୍‌ର ମୁଖ୍ୟ ବାହକ ବୋଲି ଉଭୟ ବ୍ରିଟିସ୍‌ ଏବ˚ ସ୍ବଚ୍ଛଳ ଭାରତୀୟ ବିଶ୍ବାସ କରି ନେଇଥିଲେ। ଫଳରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା, ସେମାନେ ବାସ କରୁଥିବା ଶହ ଶହ ଘର ପୋଡ଼ି ଦିଆଯାଇଥିଲା। ଫଳରେ ସହସ୍ରାଧିକ ବମ୍ବେବାସୀ ନିରାଶ୍ରୟ ହୋଇ ଯାଇଥିଲେ।

୧୯୧୮ର ଇନ୍‌ଫ୍ଲୁଏନ୍‌ଜା ମହାମାରୀରେ ସାରା ଭାରତରେ ୧.୨ କୋଟି ଲୋକଙ୍କ ପ୍ରାଣ ଯାଇଥିଲା। ଏ ସ˚ପର୍କରେ ଗତ ବର୍ଷ ‘ଟ୍ରାନ୍‌ଜାକ୍‌ସନ୍‌ସ ଅଫ୍‌ ଦ ରୟାଲ୍‌ ହିଷ୍ଟ୍ରୋରିକାଲ୍‌ ସୋସାଇଟି’ରେ ଡେଭିଡ୍‌ ଆର‌୍‌ନଲ୍‌ଡଙ୍କ ଏକ ନିବନ୍ଧ ପ୍ରକାଶ ପାଇଥିଲା। ସେତେ ବେଳେ ମଧ୍ୟ ଧନିକଙ୍କ ତୁଳନାରେ ଦରିଦ୍ର ଅଧିକ ଭୋଗିଥିଲେ। କେନ୍ଦ୍ରୀୟ ପ୍ରଦେଶର ତତ୍‌କାଳୀନ ପରିମଳ କମିସନର‌୍‌ଙ୍କ ରିପୋର୍ଟ‌୍‌ରୁ ଉଦ୍ଧାର କରି ଆର‌୍‌ନଲ୍‌ଡ ନିଜ ନିବନ୍ଧରେ ସ୍ଥାନ ଦେଇଛନ୍ତି: ମହାମାରୀ ଗ୍ରାମାଞ୍ଚଳରେ ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଥିଲା। ଲୋକେ ସ˚ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ମହାମାରୀ ସଙ୍ଗକୁ ଖାଦ୍ୟ ଓ ପୋଷାକର ଅଭାବ ପରିସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ନେଇଯାଇଥିଲା। ସେ ସମୟରେ ପ˚ଜାବର ପରିମଳ କମିସନର‌୍‌ ମଧ୍ୟ ଏକା କଥା ଲେଖିଥିଲେ: ଗରିବ ଓ ଗ୍ରାମାଞ୍ଚଳର ଲୋକେ ହିଁ ଅଧିକ କଷ୍ଟ ଭୋଗୁଛନ୍ତି; ସେହିମାନେ ଯେଉଁମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ, ଖାଦ୍ୟ ଓ ପୋଷାକର ଅଭାବ ତଥା ଯେଉଁମାନଙ୍କୁ ଚିକିତ୍ସା ସହାୟତା ମିଳୁନାହିଁ। ସ˚ପ୍ରତି ଭାରତରେ ‘କୋଭିଡ୍‌-୧୯’ର ସ˚କ୍ରମଣ, ଚତୁର୍ଦଶ ଶତାବ୍ଦୀର ଉଇରୋପୀୟ ‘ବ୍ଲାକ୍‌ ଡେଥ୍‌’ ଏବ˚ ବ୍ରିଟିସ୍‌ ରାଜ୍‌ର ମହାମାରୀ କଥା ମନେପକାଇଦେଉଛି। ଧାର୍ମିକ ସ˚ଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରାଯାଉଛି। ଶ୍ରମଜୀବୀ, ଯେଉଁମାନଙ୍କ ସ୍ଥିତି ଏ ପର୍ଯ୍ୟନ୍ତ ଅତ୍ୟନ୍ତ ଦୁର୍ବଳ ରହିଆସିଛି, ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ତେବେ, ଅତୀତର ଇଉରୋପ୍‌ ଏବ˚ ଏବର ଭାରତ ମଧ୍ୟରେ ପାର୍ଥକ୍ୟ ଗୋଟିଏ। ମଧ୍ୟ ଯୁଗୀୟ ଇଉରୋପ୍‌ର ରାଜ୍ୟସମୂହ ଖ୍ରୀଷ୍ଟିଆନ ଧାର୍ମିକ ବ୍ୟବସ୍ଥା ପ୍ରତି ଅନ୍ଧ ଭାବେ ଉତ୍ସର୍ଗୀକୃତ ଥିଲେ। କାଗଜ-ପତ୍ରରେ ଭାରତ ଏବେ ବି ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ବ୍ରିଟିସ୍‌ ରାଜ୍‌ ସ˚ପୂର୍ଣ୍ଣ ପ୍ରଭୁତ୍ବ ଦାବି କରୁଥିବା ଶାସନ ବ୍ୟବସ୍ଥା ଥିଲା। ସ୍ବାଧୀନ ଭାରତ, ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର। ଏହାର ନିର୍ବାଚିତ ପ୍ରତିନିଧିମାନେ ଏପରିକି ଅତି ଗରିବ ଓ ନିଷ୍ପେଷିତ ମତଦାତାଙ୍କ ନିକଟରେ ଉତ୍ତରଦାୟୀ।

‘କୋଭିଡ୍‌-୧୯’ର ତାଣ୍ତବ ପରିପ୍ରେକ୍ଷୀରେ ସରକାରର କାର୍ଯ୍ୟକଳାପ ଏବ˚ ସର୍ବସାଧାରଣରେ ପ୍ରଧାନମନ୍ତ୍ରୀଙ୍କ ବୟାନ ଶ୍ରେଣୀଗତ ପକ୍ଷପାତିତାକୁ ସ୍ପଷ୍ଟ ସୂଚାଉଛି। ତାଲାବନ୍ଦ ବା ଲକ୍‌ଡାଉନ୍‌ ଜରୁରୀ ଥିଲା। ତେବେ, ଏଥି ପାଇଁ ଉପଯୁକ୍ତ ଯୋଜନା କରାଯାଇ ନ ଥିଲା। ଭାରତ ଭଳି ଦକ୍ଷିଣ ଆଫ୍ରିକାର ଅର୍ଥନୀତି ସହରାଞ୍ଚଳରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭରଶୀଳ। ସେଠାରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରକୁ ଫେରିଯିବା ପାଇଁ ପୂରା ତିନି ଦିନ ସମୟ ଦିଆଯାଇଥିଲା। ଭାରତରେ କାହିଁକି ସେପରି କରାଗଲାନାହିଁ? ସେମାନେ ଫେରିଯିବା ପାଇଁ ଆମ ପାଖରେ ଯଥେଷ୍ଟ ସ˚ଖ୍ୟକ ବସ୍‌ ଓ ଟ୍ରେନ୍‌ ଥିଲା। ଲକ୍‌ଡାଉନ୍‌ ପୂର୍ବରୁ ସେମାନେ ଯେଉଁଠି ଇଚ୍ଛା ବିନା ସମସ୍ୟାରେ ପହଞ୍ଚିପାରିଥାଆନ୍ତେ। ସହରାଞ୍ଚଳରେ ବାସ କରୁଥିବା ମଧ୍ୟବିତ୍ତ ଶ୍ରେଣୀର ନିଜସ୍ବ ନିରାପତ୍ତା ବେଶ୍‌ ସୁଦୃଢ଼। ସେମାନଙ୍କ ପାଇଁ ପ୍ରାଦେଶିକ ସ୍ତରର ସହାୟତା ଅନାବଶ୍ୟକ। ସେମାନେ ନିଜସ୍ବ ବିକଶିତ ସୁରକ୍ଷା କବଚ ମଧ୍ୟରେ ରହୁଛନ୍ତି। ସେମାନଙ୍କର ଘର, ଆୟ, ବ୍ୟାଙ୍କ୍‌ ଜମା, ଅବସରକାଳୀନ ଭତ୍ତା ଆଦି ଅଛି। ଆକସ୍ମିକ ଭାବେ କିଛି ଘଟି, ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲେ, ସେମାନେ ନିଜସ୍ବ ସ˚ପଦ ବଳରେ ତିଷ୍ଠି ଯାଇପାରିବେ। ତେବେ, ସହରାଞ୍ଚଳରେ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ମଜୁରିଆଙ୍କ ପାଖରେ ଏସବୁ ନାହିଁ। ତେଣୁ, ସେମାନେ କାମ ନ ପାଇବା କ୍ଷଣି, ଗ୍ରାମକୁ ଫେରିବା ଛଡ଼ା ଅନ୍ୟ ଗତି ନାହିଁ। ଗ୍ରାମରେ ପହଞ୍ଚିଗଲେ କୌଣସି ପ୍ରକାରେ ବର୍ତ୍ତି ଯାଇପାରିବେ। ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରତି ଧ୍ୟାନ ଦେଇନାହାନ୍ତି। ନିଜ ଭାଷଣରେ ବାରମ୍ବାର ‘ବାଲ୍‌କୋନି’ କଥା ଉଠାଇ, ଏହା ସ୍ପଷ୍ଟ କରିଛନ୍ତି ଯେ, ମଧ୍ୟବିତ୍ତଙ୍କ ନିରାପତ୍ତା ଉପରେ ତାଙ୍କର ଧ୍ୟାନ କେନ୍ଦ୍ରୀଭୂତ। ଏହା ଏକ ଗୁରୁତର ବିଚ୍ୟୁତି। ‘କୋଭିଡ୍‌-୧୯’ର ବିତ୍ପାତ କାଳରେ ହଜାର ହଜାର ଲୋକ ରାସ୍ତାରେ ଚାଲିଚାଲି ଶହ ଶହ କିଲୋମିଟର‌୍‌ ଦୂରରେ ଥିବା ନିଜ ନିଜର ଗ୍ରାମକୁ ଫେରୁଥିବା ବେଳେ ପୁଲିସ୍‌ଠାରୁ ନିର୍ଘାତ ଲାଠି ମାଡ଼ ଖାଉଥିବାର ହୃଦୟ ବିଦାରକ ଦୃଶ୍ୟ କୌଣସି ସଭ୍ୟ ମଣିଷ କେବେ ହେଲେ ଭୁଲିପାରିବନାହିଁ।

ଆଉ କିଛି ପକ୍ଷପାତିତାର ଦୃଷ୍ଟାନ୍ତ। ‘ଲକ୍‌ଡାଉନ୍‌’ ଲାଗୁ ହେବା ପରେ ସୁଦୂର ଉତ୍ତରାଖଣ୍ତରୁ ଗୁଜରାଟୀ ତୀର୍ଥଯାତ୍ରୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ବିଳାସପୂର୍ଣ୍ଣ ବସ୍‌ର ବ୍ୟବସ୍ଥା କରାଗଲା। ତାହା ପରେ ଭାରତର କୋଚି˚ କ୍ୟାପିଟାଲ୍‌ ବୋଲି କୁହାଯାଉଥିବା ରାଜସ୍ଥାନର କୋଟାରେ ଥିବା ମଧ୍ୟବିତ୍ତ ପରିବାରର ଛାତ୍ର-ଛାତ୍ରୀଙ୍କୁ ବସ୍‌ ଯୋଗେ ବିହାର ଓ ଉତ୍ତର ପ୍ରଦେଶ ଫେରାଇ ଅଣାଗଲା। ଏହା ସତ୍ତ୍ବେ ବିଭିନ୍ନ ରାଜ୍ୟ ସରକାରଙ୍କର ବାରମ୍ବାର ଅନୁରୋଧ ସତ୍ତ୍ବେ ବିଭିିନ୍ନ ସହରରେ ଥିବା ଆଶ୍ରୟହୀନ ମଜୁରିଆଙ୍କୁ ସେମାନଙ୍କ ଜିଲ୍ଲାଗୁଡ଼ିକୁ ଫେରିବା ପାଇଁ କେନ୍ଦ୍ର ସରକାର ରେଳଗାଡ଼ିର ବ୍ୟବସ୍ଥା କରୁନାହାନ୍ତି। ଦେଶର ସ˚ଖ୍ୟାଗରିଷ୍ଠଙ୍କ ପକ୍ଷପାତୀ ରୂପ ମଧ୍ୟ ସାମନାକୁ ଆସିସାରିଲାଣି। ନିଜାମୁଦ୍ଦିନରେ ତବଲିଘି ମରକଜ ଏକ ଦାୟିତ୍ବହୀନ କାର୍ଯ୍ୟକ୍ରମ ଥିଲା। ଯେଉଁମାନେ ଏହାକୁ ଅନୁମତି ଦେଇଥିଲେ ଏବ˚ ଯେଉଁମାନେ ଏହି ସମାବେଶ ଆୟୋଜନର ପୃଷ୍ଠପୋଷକତା କରିଥିଲେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ଜରୁରୀ। ତେବେ, ଅଭିଯୁକ୍ତଙ୍କ ବିରୋଧରେ କୌଣସି ଆଇନଗତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ପରିବର୍ତ୍ତେ, ଏହି ବାହାନାରେ ଭାରତୀୟ ମୁସଲମାନସମୂହ ବିରୋଧରେ ଘୃଣାର ବ୍ୟାପକ ପ୍ରସାରଣ ଏବ˚ ଅପପ୍ରଚାର ଚାଲିଛି। ଏକାଧିକ ଟେଲିଭିଜନ୍‌ ଚାନେଲ୍‌ରେ ଶାସକ ଦଳର ଜଣେ ବରିଷ୍ଠ ସା˚ସଦ ଏବ˚ କର୍ଣ୍ଣାଟକର କିଛି ବିଧାୟକ ଯେଉଁ ଭଳି ଅଶାଳୀନ ମନ୍ତବ୍ୟ ଦେଇ ଚାଲିଛନ୍ତି ଏବ˚ ଯେଉଁ ଭଳି ଭାବେ ସେଗୁଡ଼ିକର କ୍ରମାଗତ ପ୍ରସାରଣ ବାରମ୍ବାର ଚାଲିଛି, ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ। ସେମାନଙ୍କ ମନ୍ତବ୍ୟର ବିଷୟବସ୍ତୁ ସ˚ପୂର୍ଣ୍ଣ ସା˚ପ୍ରଦାୟିକ। ଏପରିକି କେନ୍ଦ୍ର ସରକାରର ମୁଖପାତ୍ରମାନେ ମଧ୍ୟ ପ୍ରତି ଦିନ ଧର୍ମ ଆଧାରରେ ମନ୍ତବ୍ୟ ଦେଉଛନ୍ତି। ଏ ଭଳି ନ କରିବା ପାଇଁ ବିଳମ୍ବରେ ଉପଦେଶାତ୍ମକ ନିର୍ଦେଶ ଦିଆଯାଇଥିଲା। ତେବେ, ଏହା ପୂର୍ବରୁ ଯାହା କ୍ଷତି ହେବା କଥା ହୋଇସାରିଛି। ମୁସଲମାନ ବିକ୍ରେତା, ଶ୍ରମିକ, କାରିଗର ଆଦିଙ୍କୁ କେବଳ ସେମାନଙ୍କର ଧର୍ମ ବିଶ୍ବାସ ଆଧାରରେ ବାସନ୍ଦ କରାଯାଉଥିବାର ଖବର ଭାରତର ସବୁ ଅଞ୍ଚଳରୁ ଆସିବାରେ ଲାଗିଛି।

ମୁସଲମାନ ସ˚ପ୍ରଦାୟ ବିରୋଧରେ ଏ ଭଳି ଅସହିଷ୍ଣୁତା ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ବୈଶିଷ୍ଟ୍ୟପୂର୍ଣ୍ଣ। ସେ ଏ ବାବଦରେ ମୁହଁ ନ ଖୋଲିବା କାରଣରୁ ଏହାର ପ୍ରସାରଣ ଘଟିଥିବା କେହି ଅସ୍ବୀକାର କରିପାରିବେନାହିଁ। ନିକଟରେ ଏକ ଟେଲିଭିଜନ୍‌ ଅଭିଭାଷଣରେ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ କହିଥିଲେ, ଅନେକ ହିନ୍ଦୁ ଉତ୍ସବ ଶୀଘ୍ର ପାଳିତ ହେବ। ତେବେ, ସେହି ଅଭିଭାଷଣରେ ସେ ରମଜାନ ବା ଇଦ କଥା ଉଠାଇ ନ ଥିଲେ। ଏହାକୁ ତ ଆଉ ଅନିଚ୍ଛାକୃତ କହାଯାଇପାରିବନାହିଁ। ଯାହା ହେଉ ମଧ୍ୟ-ପ୍ରାଚ୍ୟର କିଛି ତୈଳ ଉତ୍ପାଦନକାରୀ ରାଷ୍ଟ୍ରର ସରକାରୀ ପଦାଧିକାରୀଙ୍କ ପକ୍ଷରୁ କଠୋର ଟ୍ବିଟ୍‌ ଆସିବା ପରେ ପ୍ରଧାନମନ୍ତ୍ରୀ ବାଧ୍ୟ ହୋଇ ଟ୍ବିଟ୍‌ କଲେ- ବ୍ୟାଧି କୌଣସି ବର୍ଣ୍ଣ ବା ଧର୍ମ ଚିହ୍ନେନାହିଁ। ଏହା ପୂର୍ବରୁ ସା˚ପ୍ରଦାୟିକ ଭୂତାଣୁ ସାରା ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଡ଼ିିଯାଇସାରିଥିଲା। କରୋନା ମହାମାରୀ କୌଣସି ବଡ଼ ଧରଣର ଭୂକ˚ପ ବା ଝଡ଼-ବାତ୍ୟା ସହ ସମାନ। ଏହା ହଠାତ୍‌ ଆସିଲା ଏବ˚ ପ୍ରସ୍ତୁତ ନ ଥିବା ସମାଜ ଓ ପ୍ରଦେଶଗୁଡ଼ିକୁ ଗ୍ରାସ କଲା। ତେବେ, ଏହା ପହଞ୍ଚିବା କଥା ଜାଣିବା ପରେ ଏବ˚ ଏହାର ଉପଦ୍ରବ କ୍ଷମତା ବାବଦରେ ବୁଝିବା ପରେ, ଆମେ ବୁଦ୍ଧିମାନତା ଓ ମାନିବକତାର ସହ ପଦକ୍ଷେପ ନେବା କଥା। ଅପରପକ୍ଷେ ଆମର ଗଣତାନ୍ତ୍ରିକ ସରକାର ବ୍ରିଟିସ୍‌ ରାଜ୍‌ ପରି ଗରିବଙ୍କ ପ୍ରତି ଧ୍ୟାନ ଦେଲାନାହିଁ ବା ଦେଉନାହିଁ। ଆମର ତଥାକଥିତ ଆଧୁନିକ ସମାଜ ଧାର୍ମିକ ସ˚ଖ୍ୟାଲଘୁଙ୍କ ପ୍ରତି ତୀବ୍ର ଘୃଣା ପ୍ରଦର୍ଶିତ କରିଚାଲିଛି, ଯାହା ଏକଦା ମଧ୍ୟ ଯୁଗୀୟ ଇଉରୋପ୍‌ରେ ଘଟିଥିଲା।

ସମ୍ବନ୍ଧିତ ଖବର