ମାର୍ଚ୍ଚ ୨୨ ତାରିଖଟି ଥିଲା ଏକ ଅଭୂତପୂର୍ବ ଦିନ। କାରଣ କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ଯେଉଁମାନେ ଜୀବନକୁ ପରବାୟ ନ କରି ଆମ ସକାଶେ ଠିଆ ହୋଇଥିଲେ, ଅତ୍ୟାବଶ୍ୟକ ସେବା ଯୋଗାଇ ଦେଉଥିଲେ, ସେହିଭଳି ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ଘଣ୍ଟଘଣ୍ଟା ଧ୍ବନି ଓ ତାଳି ସହିତ ଏ ଦେଶ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସତରେ ଗୋଟାଏ ପ୍ରତ୍ୟୟ ଆସୁଥିଲା ଏ ମଣିଷ ଜାତି ଏହି ନୂଆ ମହାମାରୀ କବଳରୁ ରକ୍ଷା ପାଇଯିବ। କିନ୍ତୁ ତାହା ହେଲା ନାହିଁ। ସାରା ଭାରତକୁ ତାଲାବନ୍ଦ କାରଣରୁ ଘର ଭିତରେ ବନ୍ଦ ହୋଇ ରହିବାକୁ ହେଲା। ଏତିକି ବେଳେ ‘କ୍ବାରାନ୍ଟାଇନ୍’ ବୋଲି ଇଂରେଜୀ ଶବ୍ଦଟିଏ ବାରମ୍ବାର ଶୁଣିବାକୁ ମିଳୁଛି, ଯାହାର ଓଡ଼ିଆ ଭାଷାନ୍ତର କରାଯାଇଛି ‘ସଙ୍ଗରୋଧ’।
ଏଇ ‘ସଙ୍ଗରୋଧ’ ବିଷୟରେ ଆଲୋଚନା କଲା ବେଳେ ଜାଣିବାକୁ ମିଳୁଛି ଯେ ନୂତନ ଭାବେ ବ୍ୟବହୃତ ଶବ୍ଦଟି ସହିତ କିଛି ପୁରାତନ ଶବ୍ଦର ସଂପର୍କ ରହିଛି। ଶ୍ରୀମଦ୍ ଭଗବଦ୍ ଗୀତାର ୧୫ମ ଅଧୢାୟ ‘ପୁରୁଷୋତ୍ତମ ଯୋଗ’ରେ ରହିଛି:
ନ ରୂପ ମସ୍ୟେହ ତଥୋପଲଭ୍ୟତେ, ନାନ୍ତୋ ନ ଚାର୍ଦିନ ଚ ସ˚ପ୍ରତିଷ୍ଠା,
ଅଶ୍ବତଥମେନ˚ ସୁବିରୂଢ଼ ମୂଳ, ମସଙ୍ଗ ଶସ୍ତ୍ରେଣ ଦୃଢେ଼ନଛିତ୍ବା- (୩ ସ୍କନ୍ଧ)
ଏହାର ଅର୍ଥ ହେଉଛି ସ˚ସାର ଏକ ଅଶ୍ବତ୍ଥ ବୃଷ। ଯାହାର ଆଦି ବା ଅନ୍ତ ନାହିଁ। ଏହାର ସୁଦୃଢ଼ ମୂଳକୁ ଅସଙ୍ଗ ରୂପକ ଶସ୍ତ୍ର ଦ୍ବାରା ଛେଦନ କର। (ଏଠାରେ ‘ଅସଙ୍ଗ’ ଶବ୍ଦଟି ବୈରାଗ୍ୟ ଅର୍ଥରେ ବ୍ୟବହୃତ ହୋଇଛି।) ଯେଉଁମାନେ ଅଭିମାନଶୂନ୍ୟ, ମୋହ ସହିତ ତଥା ଅନାସକ୍ତ ସେମାନେ ପରମାତ୍ମାଙ୍କ ସହିତ ସର୍ବଦା ସ˚ଯୁକ୍ତ ହୋଇଥାଆନ୍ତି।
ଏବେ ‘ଅସଙ୍ଗ’ ଓ ‘ସଙ୍ଗରୋଧ’ ଶବ୍ଦ ଦୁଇଟିକୁ ଅନୁଧୢାନ କରିବା। ‘ଅସଙ୍ଗ’ ବ୍ୟକ୍ତି ସଖା-ସହୋଦରହୀନ ହୋଇପାରେ, କିନ୍ତୁ ‘ନିଃସଙ୍ଗ’ ନୁହେଁ। ‘ଅସଙ୍ଗ’ ବ୍ୟକ୍ତି ସବୁ କୋଳାହଳ ମଧୢରେ ଦୃଢ଼ ଓ ଅବିଚଳ ରହିବାକୁ ସମର୍ଥ। ଭଗବତ୍ ଗୀତା ଦ୍ବାରା ବହୁ ଭାବରେ ପ୍ରଭାବିତ ଉତ୍କଳମଣି ଗୋପବନ୍ଧୁ ଦାସ ଏହି ‘ଅସଙ୍ଗ’ ଶବ୍ଦଟିକୁ ‘ବନ୍ଦୀର ଆତ୍ମକଥା’ ପ୍ରାରମ୍ଭରେ ପ୍ରୟୋଗ କରିଛନ୍ତି।
‘‘ଛାଡ଼ି ଧନ ରତ୍ନ ଘରଦ୍ବାର ମାୟା, ଅସଙ୍ଗ ଶସ୍ତ୍ରେ ଯେ ସାଜିଅଛି କାୟା।
ଅହି˚ସା ବଳରେ ଯେହୁ ବଳୀୟାନ୍, ଏ ରଣ ପ୍ରାଙ୍ଗଣେ ତାର ଏକା ସ୍ଥାନ।’’
ଏଠାରେ ବର୍ଣ୍ଣିତ ‘ଅସଙ୍ଗ’ ବ୍ୟକ୍ତି ହେଉଛି ସେହି ଯିଏ ସଂସାର କୋଳାହଳ ଭିତରେ ରହି ମଧ୍ୟ ଧୀର ମନ ଓ ସ୍ଥିର ଚିତ୍ତ ପ୍ରଦର୍ଶନ କରନ୍ତି। ଉପରୋକ୍ତ ପଦରେ ଉତ୍କଳମଣି ଯାହା କହିଛନ୍ତି ତାହାର ମର୍ମାର୍ଥ ହେଲା- ପରାଜୟ ଆସନ୍ନ ବା ଭବିଷ୍ୟତ୍ ଯନ୍ତ୍ରଣାଦାୟକ ବା ଆତ୍ମବଳିଦାନ ଅବଶ୍ୟମ୍ଭାବୀ ବୋଲି ଜାଣି ସୁଦ୍ଧା ‘ଅସଙ୍ଗ’ ବ୍ୟକ୍ତି ବିଚଳିତ ନ ହୋଇ ତା’ର ଦୃଢ଼ ଇଚ୍ଛାଶକ୍ତିର ପ୍ରଦର୍ଶନ କରି ସବୁ କିଛିର ସମ୍ମୁଖୀନ ହୋଇଥାଏ।
କିନ୍ତୁ ‘ନିଃସଙ୍ଗ’ ଶବ୍ଦର ଅର୍ଥଟି ‘ଅସଙ୍ଗ’ ଠାରୁ ଭିନ୍ନ। ଏହା ହେଉଛି ଏଭଳି ଏକ ଏକୁଟିଆପଣ ଯାହା ଦ୍ବାରା ମନୁଷ୍ୟ ବିଚଳିତ ହୋଇଥାଏ। ଏହା ‘ଅସଙ୍ଗ’ ଭଳି ସକାରାତ୍ମକ ନୁହେଁ। ତେଣୁ ନିଃସଙ୍ଗ ମଣିଷଟି ଦୁଃଖୀ, ଶଙ୍କାକୁଳ ଓ ପ୍ରତ୍ୟୟହୀନ। ସେ ବନ୍ଧୁ ଲୋଡୁଛି କିନ୍ତୁ ବନ୍ଧୁ ନାହାନ୍ତି। ‘ନିର୍ବାସିତର ବିଳାପ’ (ମଧୁସୂଦନ ରାଓ)ରେ ନିଃସଙ୍ଗତାର ମର୍ମଦାହ ବର୍ଣ୍ଣିତ।
ସୁତରାଂ, ତଳେ ପ୍ରଦତ୍ତ ପଦଟିକୁ ଦେଖନ୍ତୁ।
‘‘ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ, ଲ˚ଘି ଭୀଷଣ ଗିରି ସମୁଦ୍ର ବକ୍ଷ।
ଦେଖନ୍ତି ପ୍ରିୟଜନ ମୁଖ କମଳ, ହୁଅନ୍ତା ଏ ସନ୍ତାପିତ ପ୍ରାଣ ଶୀତଳ।’’
ନିଃସଙ୍ଗ ବ୍ୟକ୍ତି ଆତ୍ମୀୟସ୍ବଜନଙ୍କ ସ୍ନେହ ଓ ପ୍ରେମର ଅଭାବରେ ମ୍ରିୟମାଣ ହୁଏ। କିନ୍ତୁ ଏହା ଯେ ମଣିଷକୁ ଦୁର୍ବଳ କରିପକାଏ, ତାହା ନୁହେଁ। ବେଳେ ବେଳେ ଏହା ସାଧାରଣକୁ ଅସାଧାରଣ ମଧୢ କରିଦିଏ। ମଣିଷ ଭିତରେ ନିଃସଙ୍ଗତାଜନିତ ଦୁଃଖ ବା ବିରହ ସର୍ଜନଶୀଳତାର ଉତ୍ସକୁ ଫିଟାଇଦିଏ। ବିଶ୍ବ ସାହିତ୍ୟର ଅନେକ ଅମୂଲ୍ୟ ଗ୍ରନ୍ଥର ସୃଷ୍ଟି ଏହି ନିଃସଙ୍ଗତାବୋଧରୁ ହୋଇଛି। ହେନରିଙ୍କ ଗଳ୍ପମାଳାରୁ ଆରମ୍ଭ କରି ପଣ୍ଡିତ ଜୱହରଲାଲ ନେହରୁଙ୍କ ‘ବିଶ୍ବ ଇତିହାସ’ର ରଚନା କାରାଗାରରୁ ହୋଇଛି।
ଏହି ପ୍ରସଙ୍ଗରେ ମନେ ପଡ଼େ କବି ବେଣୁଧର ରାଉତଙ୍କର ‘ପିଙ୍ଗଳାର ସୂର୍ଯ୍ୟ’ କବିତାଟି। ଶ୍ରୀମଦ୍ ଭାଗବତରେ ଅବଧୂତଙ୍କ ଚବିଶ ଗୁରୁଙ୍କ ମଧ୍ୟରୁ ପିଙ୍ଗଳା ଜଣେ। ପିଙ୍ଗଳା ଉପାଖ୍ୟାନଟି ସଂକ୍ଷେପରେ ଏହିପରି। ଜନୈକ ଧନୀ ପୁତ୍ର ପାଇଁ ପ୍ରତୀକ୍ଷାରତା ପିଙ୍ଗଳା ଗଣିକା ବିନିଦ୍ର ରଜନୀ ଅତିବାହିତ କଲା ପରେ ବୁଝିପାରୁଛି ଯେ ‘ପର ପୁରୁଷ’ ଲାଗି ଏଭଳି ଆବେଗଭରା ମନରେ ଅପେକ୍ଷା କରିବା ବଦଳରେ ବରଂ ‘ପରମ ପୁରୁଷ’ଙ୍କୁ ନିଜ ଭିତରେ ଆବିଷ୍କାର କରିବା ଅଧିକ ଅର୍ଥପୂର୍ଣ୍ଣ। ସୁତରାଂ, ଗୋଟାଏ ରାତିର ନିଃସଙ୍ଗତାବୋଧ ଭିତରେ ପିଙ୍ଗଳା ଅନ୍ତରରେ ସୂର୍ଯ୍ୟ ଉଦୟ ହୋଇଛି ଏବଂ ପିଙ୍ଗଳା ଆଉ ପୂର୍ବ ଭଳି ହୋଇ ରହିନାହିଁ।
ଏବେ ‘ସଙ୍ଗରୋଧ’ ଶବ୍ଦଟିକୁ ବିଚାରକୁ ନେବା। ‘ସଙ୍ଗରୋଧ’ର ଅର୍ଥ ମଧ୍ୟ ଏକାକିତ୍ବ। କିନ୍ତୁ ଏହା ମଣିଷ ଉପରେ କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରବର୍ତ୍ତନ କରାଯାଇଥିବା ଏକ ପରିସ୍ଥିତି, େଯମିତି ବର୍ତ୍ତମାନ କରୋନା ସଂକ୍ରମଣ କାଳରେ ସରକାରଙ୍କ ଆଦେଶରେ କରାଯାଇଛି। ଏହା ଏକ ଅସ୍ଥାୟୀ ସ୍ଥିତି। ଏହି ପରିସ୍ଥିତି ଭିତର ଦେଇ ଯାଉଥିବା ବ୍ୟକ୍ତି ଜାଣନ୍ତି ଯେ କୌଣସି କାରଣ ଲାଗି କିଛି ଦିନ ସକାଶେ ତାଙ୍କୁ ଅଲଗା ବା ସାଙ୍ଗସାଥୀ ବା ଆତ୍ମୀୟସ୍ବଜନଙ୍କ ଠାରୁ ପୃଥକ୍ କରି ରଖାଯାଇଛି। ଏଥିରେ ରହିଥିବା ‘ରୋଧ’ ଶବ୍ଦଟି ପ୍ରଣିଧାନଯୋଗ୍ୟ। ରୋଧ କରାଯିବାର ଅର୍ଥ ବଳପୂର୍ବକ ଅଟକା ଯିବା। ଏବେ ଯେମିତି ହୋଇଛି। ସାଙ୍ଗସାଥୀ ଭିତରେ ରହିବାକୁ ପ୍ରବଳ ଆଗ୍ରହ କିନ୍ତୁ ସରକାରଙ୍କ ଛାଟ ଅଟକାଇ ଦେଇଛି। ତେଣୁ ତାକୁ ନ ମାନି କିଛି ଦିନ ଲୋକେ ବାହାରକୁ ବାହାରିଲେ। ସେମାନଙ୍କୁ ଅଟକାଇବା ଲାଗି ସରକାରଙ୍କୁ ବଳ ପ୍ରୟୋଗ କରିବାକୁ ହେଲା। ତେବେ ଅନେକ ମଧ୍ୟ ନିଜ ଦାୟିତ୍ବକୁ ହୃଦୟଙ୍ଗମ କରି ନିଜେ ନିଜକୁ ‘ସଙ୍ଗରୋଧ’ କରି ରଖୁଛନ୍ତି। ‘ସଙ୍ଗରୋଧ’ର ଏ ସମୟ ନିଃସଙ୍ଗତାଜର୍ଜର ବ୍ୟକ୍ତିଙ୍କ ଭଳି ଆବେଗର ସ୍ଫୁରଣ କରି ନ ଥାଇପାରେ, କିନ୍ତୁ ସମୟ କାଟିବା ଲାଗି ଅନେକ ବିଚଳିତମନା ବ୍ୟକ୍ତି ଏକାଗ୍ର ଚିତ୍ତ ହୋଇ ଚିତ୍ର ଆଙ୍କୁଛନ୍ତି, ଗପ ବା କବିତା ଆଦି ଲେଖୁଛନ୍ତି। ସେମାନେ କେବେ ସର୍ଜନଶୀଳ ଥିଲେ ବୋଲି ଭୁଲି ଯାଇଥିଲେ। ହୁଏତ କରୋନା ମହାସଂକ୍ରମଣ ଆସି ନ ଥିଲେ ସେମାନଙ୍କ ଏଭଳି ସର୍ଜନଶୀଳତା କେବେ ହେଲେ ହୁଏତ ଆକାର ପାଇ ନ ଥାଆନ୍ତା। ଅଥଚ, ଏବେ ତାହା ‘ସଙ୍ଗରୋଧ’ କାଳରେ ଫୁଟି ବାହାରୁଛି।
ତେବେ କଥା ହେଲା ଯଦି ଏବେ ‘ସଙ୍ଗରୋଧ’ରେ ରହିଥିବା କିଛି ବ୍ୟକ୍ତି ସେମାନଙ୍କ ଖାଲି ସମୟରେ ନିଃସଙ୍ଗତାବୋଧରୁ ବାହାରି ଆତ୍ମନିବିଷ୍ଟ ହୋଇ ନିଜ ଭିତରେ ‘ଅସଙ୍ଗ’ ସୁଲଭ ଧୈର୍ଯ୍ୟ, ଆତ୍ମିକ ଶକ୍ତି, ମନୋବଳ ଆଦି ହାସଲ କରିପାରିବେ, ତେବେ ସେମାନଙ୍କ ଲାଗି ଏ କରୋନା ସଂକ୍ରମଣର କାଳଟି ଏକ ଅର୍ଥପୂର୍ଣ୍ଣ ସମୟ ହୋଇପାରେ।
ଅବସରପ୍ରାପ୍ତ ପ୍ରଫେସର
ଉତ୍କଳ ବିଶ୍ବବିଦ୍ୟାଳୟ
ପ୍ଲଟ୍: ବି-୩୫, ସହିଦନଗର, ଭୁବନେଶ୍ବର
ଅସଙ୍ଗ, ନିଃସଙ୍ଗ ଓ ସଙ୍ଗରୋଧ
ସ˚ଘମିତ୍ରା ମିଶ୍ର
/sambad/media/post_attachments/wp-content/uploads/2020/04/gaga7g89a7g98a7dg98adgadgggggggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)