ହି˚ସାମୁକ୍ତ, ଶାନ୍ତିପୂର୍ଣ୍ଣ ବିକାଶ ସମ୍ଭବ କି?

ସମାଜ ଚିନ୍ତନ - ଧନେଶ୍ବର ସାହୁ

ସଭ୍ୟତା ନିରନ୍ତର ଭାବରେ ଗତିଶୀଳ। ମାନବ ସଭ୍ୟତା ଏକ ଆଦିମ ସ୍ଥିତିରୁ କେତେ କେତେ ସ୍ତର ଓ ସୋପାନ ଦେଇ ଆଜିର ସ୍ଥିତିକୁ ଆସିପାରିଛି। ଚିନ୍ତା ଚେତନାର ବିକାଶ ପରଠାରୁ ବିଭିନ୍ନ ବିଷୟରେ ମାନବିକ ଅନୁସନ୍ଧିତ୍ସା ପ୍ରକାଶ ପାଇଛି ଓ ସେହି ପ୍ରକ୍ରିୟାରେ ଜ୍ଞାନବିଜ୍ଞାନ, ନୂଆ ନୂଆ ପ୍ରଯୁକ୍ତିର ଅଭ୍ୟୁଦୟ ଘଟିଛି। ଏହି ଧାରାରେ ମନୁଷ୍ୟର ସାମର୍ଥ୍ୟ ବୃଦ୍ଧି ପାଇଛି ଓ ଏପରିକି ନୂତନ ଜ୍ଞାନ ବା ପ୍ରଯୁକ୍ତି ସଭ୍ୟତାର ଉତ୍ତରଣରେ ସହାୟକ ହୋଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ବିଶ୍ବ ଦୃଶ୍ୟପଟରେ ଏକ ମୂଲ୍ୟଭିତ୍ତିକ ମାନବ ସମାଜ ଦୃଢ଼ ଭିତ୍ତି ନେଇ ପାରି ନାହିଁ। ଏକ ନ୍ୟାୟାଧାରିତ ସୁସ୍ଥ ସମାଜ ପାଇଁ ମନୁଷ୍ୟର ପ୍ରୟାସ ସଫଳ ହୋଇନାହିଁ। ବିଶ୍ବର ପ୍ରତ୍ୟେକ ବ୍ୟକ୍ତି ଖାଇ ପିଇ ସୁସ୍ଥ ହୋଇ ବଞ୍ଚିବ, ମର୍ଯ୍ୟାଦାର ଅଧିକାରୀ ହେବ ଓ ନିଜ ଅନ୍ତର୍ନିହିତ ସୃଜନ ସାମର୍ଥ୍ୟର ବିକାଶ ପାଇଁ ସୁଯୋଗ ପାଇବ, ଏହା ଦୁନିଆରେ ସମ୍ଭବ ହୋଇନାହିଁ। ସେହିପରି ବିଶ୍ବରୁ ସମସ୍ତ ଯୁଦ୍ଧ, ହି˚ସା, ସନ୍ତ୍ରାସବାଦ, ଶୋଷଣ, ନୃଶ˚ସତା ଓ ଅମାନବିକତାର ବିଲୋପ ହେଉ ନାହିଁ। ସଭ୍ୟତାର ଅନେକ ବିକାଶ ହୋଇଛି, ଜ୍ଞାନବିଜ୍ଞାନ, ପ୍ରଯୁକ୍ତି, ବିଭିନ୍ନ ସାମାଜିକ, ସା˚ସ୍କୃତିକ ସ˚ଗଠନ, ଆନ୍ତର୍ଜାତିକ ସ˚ସ୍ଥାମାନ ଗଢ଼ି ଉଠିଛି; ତଥାପି ଦୁନିଆର ନୈତିକ ଦୃଶ୍ୟପଟରେ ଏକ ଗୁଣାତ୍ମକ ପରିବର୍ତ୍ତନ ସାର୍ବଜନୀନ ଭାବରେ ଦୃଢ଼ ଭିତ୍ତି ନେଇପାରି ନାହିଁ। ସମାଜ, ସଭ୍ୟତା ଓ ସ˚ସ୍କୃତିର ଇତିହାସ ଅନୁଶୀଳନ କରିଥିବା ବହୁ ସମାଜ-ବିଜ୍ଞାନୀ ମାନବୀୟ ଅପୂର୍ଣ୍ଣତାର ବହୁ ଚିତ୍ର ପ୍ରଦାନ କରିଥାନ୍ତି। କେବଳ ଭୌତିକ ବିକାଶ ବା ସାମର୍ଥ୍ୟର କୌଶଳ ଦୁନିଆରେ ଶାନ୍ତି, ସଦ୍‌ଭାବନା ଓ ମୈତ୍ରୀ ପ୍ରତିଷ୍ଠା କରିବାରେ ଯେ ସଫଳ ହୋଇନାହିଁ, ଏହା ଏକ ସାଧାରଣ ଉପଲବ୍‌ଧି। ନୃବିଜ୍ଞାନୀଙ୍କ ବିଶ୍ଳେଷଣରୁ କେତେ ଗୋଟି ଉଦାହରଣ ଦିଆଯାଇପାରେ। ଯେଉଁମାନେ ପ୍ରଥମେ ଘୋଡ଼ାମାନଙ୍କୁ ଗୃହପାଳିତ ପଶୁ ଭାବରେ ପାଳନ କରିବାରେ ସାମର୍ଥ୍ୟ ହାସଲ କଲେ, ସେମାନେ ଅନ୍ୟ ଉପରେ ଆକ୍ରମଣ କରିବାର ବହୁ ରୋଚକ କାହାଣୀ ରହିଛି। କୃଷିର ଜ୍ଞାନ ହାସଲ ପରେ ବିଭିନ୍ନ ଭୂଖଣ୍ତରେ ଗ୍ରାମୀଣ ସ˚ସ୍କୃତିର ବିକାଶ ପର୍ବ ଆରମ୍ଭ ହୋଇଛି। କୃଷି କ୍ଷେତରେ ନରବଳି ଦେଲେ ଫସଲ ଭଲ ହେବ ଏହି ଅଜ୍ଞତା ବିଭିନ୍ନ ଭୂଖଣ୍ତରେ ମାନବିକ ନୃଶ˚ସତାର ଚିତ୍ର ଦେଇଥାଏ। ତେବେ କୃଷି ସଭ୍ୟତା ଭିତରୁ ସାରା ପୃଥିବୀରେ ସାମନ୍ତବାଦର ବିକାଶ ଘଟିଛି ଓ ଦାସତ୍ବ ପ୍ରଥା ସୃଷ୍ଟି ହୋଇଛି। ବିଭିନ୍ନ ପ୍ରାଚୀନ ସଭ୍ୟତାରେ ଦାସତ୍ବ ପ୍ରଥା, ସାମାଜିକ ଭେଦଭାବ ଓ ଏପରିକି ଅସ୍ପୃଶ୍ୟତାର ଭାବନା ସୃଷ୍ଟି ହୋଇଛି। କୃଷିଭିତ୍ତିକ ସମାଜରେ ଶାସକ ଓ ସାମନ୍ତବାଦୀମାନେ ଜମିକୁ ବ୍ୟକ୍ତିଗତ ସମ୍ପତ୍ତି କରିଛନ୍ତି ଓ ସମାଜର ଅଗଣିତ ମଣିଷଙ୍କର ଶ୍ରମକୁ ଶୋଷଣ କରିବାକୁ ଲାଗିଛନ୍ତି। ଆଦିମ ସମାଜରେ ଯେଉଁ ସାମ୍ୟବାଦ ଥିଲା ସଭ୍ୟତାର ବିକାଶଧାରାରେ ତାହା ଲୋପ ପାଇଛି ଓ ସମାଜର ମୁଷ୍ଟିମେୟ ବ୍ୟକ୍ତି ଜମିର ମାଲିକ ହେବା ସହ ଅନ୍ୟମାନଙ୍କୁ ନାନା ଭାବରେ ଶୋଷଣ କରିଛନ୍ତି।

ସଭ୍ୟତାର କ୍ରମବିକାଶ ଧାରାରେ ୟୁରୋପୀୟ ନବ-ଜାଗରଣ ଥିଲା ଏକ ଯୁଗାନ୍ତକାରୀ ଘଟଣା। ତା’ର ପରିଣାମରୁ ସପ୍ତଦଶ ଶତାବ୍ଦୀର ଆରମ୍ଭରୁ ଆଧୁନିକ ବିଜ୍ଞାନର ବିକାଶ ପର୍ବ ଆରମ୍ଭ ହେଲା। ବିଶାଳ ଓ ଜଟିଳ ପ୍ରକୃତିର ବିଭିନ୍ନ ରହସ୍ୟକୁ ଜାଣିବାର ଯେଉଁ ଅନୁସନ୍ଧିତ୍ସା ପ୍ରକାଶ ପାଇଲା, ସେଥିରୁ ଧୀରେ ଧୀରେ ପ୍ରକୃତିର ନାନା ରହସ୍ୟ ଓ ନିୟମ ମଣିଷ ଆବିଷ୍କାର କଲା। ବିଜ୍ଞାନର ଯୁଗ ଆସିବା ପରେ କେତେ କେତେ ଯୁଗାନ୍ତକାରୀ ଆବିଷ୍କାର ଓ ଉଦ୍ଭାବନ ଜ୍ଞାନର ଦିଗନ୍ତକୁ ନାନା ଦିଗରେ ବିସ୍ତାରିତ କରି ଚାଲିଲା। ବିଜ୍ଞାନର ବିକାଶ ପର୍ବର ଦୁଇ ଶହ ବର୍ଷ ପରେ ଆରମ୍ଭ ହେଲା ପ୍ରଯୁକ୍ତିର ଯୁଗ। ବୈଜ୍ଞାନିକ ନିୟମ ଓ ପ୍ରାକୃତିକ ଏକରୂପତାକୁ ପ୍ରୟୋଗ କରି ନାନା ପ୍ରାଯୁକ୍ତିକ ଉପକରଣ ନିର୍ମାଣ କରାଗଲା। ସେହି ପ୍ରକ୍ରିୟାରେ ୟୁରୋପରେ ଶିଳ୍ପ ବିପ୍ଳବର ଯୁଗ ଆସିଲା। ଶିଳ୍ପ ବିପ୍ଳବ ଓ ଯନ୍ତ୍ରର ପ୍ରୟୋଗ ମନୁଷ୍ୟର ସାମର୍ଥ୍ୟ ବେଶ୍‌ ବୃଦ୍ଧି କରିପାରିଲା ଓ ଉତ୍ପାଦନ କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଲା। ୟୁରୋପୀୟ ସମାଜରେ ଯେଉଁ ଅର୍ଥନୈତିକ ବ୍ୟବସ୍ଥା ରହିଥିଲା, ସେଥିରେ ଭୟଙ୍କର ଆଲୋଡ଼ନର ସୂତ୍ରପାତ ହେଲା। ଶିଳ୍ପ ବିପ୍ଳବର ପରିଣାମରୁ ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦର ଯୁଗ ଆରମ୍ଭ ହେଲା। ୟୁରୋପର କୃଷିଭିତ୍ତିକ ସମାଜ ଯେତେବେଳେ ଶିଳ୍ପ ଯୁଗକୁ ରୂପାନ୍ତରିତ ହେଲା ବହୁ ବ୍ୟକ୍ତି ସେମାନଙ୍କ ବୃତ୍ତି ହରାଇଲେ। ପାରମ୍ପରିକ କୌଳିକ ବୃତ୍ତିମାନ ନଷ୍ଟ ହେବାକୁ ବସିଲା ଓ ବହୁ କାରିଗର ଓ କୃଷକ ରୋଜଗାର ପାଇଁ ସହରାଭିମୁଖୀ ହେଲେ। ଯେଉଁମାନେ ଶିଳ୍ପ ଓ କାରଖାନାର ମାଲିକ ଥିଲେ ସେମାନେ ଅଗଣିତ ଶ୍ରମଜୀବୀ ମଣିଷଙ୍କର ଶ୍ରମକୁ ନାନା ଅମାନବିକ ଭାବରେ ଶୋଷଣ କଲେ। ଶସ୍ତା ଶ୍ରମଶକ୍ତିରେ ରୂପାନ୍ତରିତ ହୋଇଥିବା ଅଗଣିତ ମଣିଷ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ସ୍ଥିତିରେ କାଙ୍ଗାଳ ହୋଇଚାଲିଲେ। ବଡ଼ ବଡ଼ କଳକାରଖାନାରେ ଶ୍ରମିକ ହୋଇ କାର୍ଯ୍ୟ କରୁଥିବା ଅସ˚ଖ୍ୟ ନରନାରୀ ଓ ସେମାନଙ୍କର ପରିବାରର ଦୁଃଖଦୁର୍ଦଶାର କାହାଣୀ ଥିଲା ଅମାନବିକ ଓ ଅବର୍ଣ୍ଣନୀୟ। ସମାଜର ମୁଷ୍ଟିମେୟ ଲୋକ ଯେଉଁମାନେ ପୁଞ୍ଜିପତି ଓ ଶିଳ୍ପପତି ହୋଇ ଉତ୍ପାଦନ ପ୍ରକ୍ରିୟାକୁ ନିୟନ୍ତ୍ରଣ କଲେ ସେମାନେ ପ୍ରାଚୁର୍ଯ୍ୟର ଜୀବନ ବଞ୍ଚିଲେ, ଅପରପକ୍ଷରେ ଶ୍ରମଜୀବୀ ଅଗଣିତ ମେହନତୀ ମଣିଷ ଜୀବନର ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ ହେଲେ। ଶିଳ୍ପ ବିପ୍ଳବର ଅନ୍ୟ ଏକ ପରିଣାମ ଥିଲା ସାମ୍ରାଜ୍ୟବାଦର ବିସ୍ତାର। ଶିଳ୍ପୋନ୍ନତ ପଶ୍ଚିମ ଦେଶମାନେ ସେମାନଙ୍କର ଜିନିଷ ବିକ୍ରି କରିବା ପାଇଁ ଓ କଞ୍ଚାମାଲ ସ˚ଗ୍ରହ କରିବାକୁ ଏସିଆ ଓ ଆଫ୍ରିକାର ଅଧିକା˚ଶ ଦେଶମାନଙ୍କରେ ନିଜର ସାମ୍ରାଜ୍ୟବାଦର ବିସ୍ତାର କଲେ। ସାମ୍ରାଜ୍ୟବାଦ ବିସ୍ତାର ପଶ୍ଚାତରେ ଅର୍ଥନୈତିକ ଶୋଷଣ ହିଁ ମୁଖ୍ୟ ଆଭିମୁଖ୍ୟ ଥିଲା। ଏଥିପାଇଁ ଶିଳ୍ପୋନ୍ନତ ଦେଶମାନଙ୍କ ଭିତରେ ତୀବ୍ର ପ୍ରତିଯୋଗିତା ଓ ଏପରିକି ଯୁଦ୍ଧର ପରିବେଶ ଲାଗି ରହିଥିଲା। ସଭ୍ୟତାର ଇତିହାସରେ ହଜାର ହଜାର ଯୁଦ୍ଧ ଓ ବି˚ଶ ଶତାବ୍ଦୀର ମଧୢ ଭାଗରେ ଦୁଇଟି ବିଶ୍ବ ଯୁଦ୍ଧ ମାନବ ସଭ୍ୟତାର ଅନ୍ଧକାରର କାହାଣୀ। ବୈଷମ୍ୟ, ଶୋଷଣ ଓ କ୍ରୂରତା ସଭ୍ୟତା ଇତିହାସର ନିଚ୍ଛକ ବାସ୍ତବତା।

ବିଭିନ୍ନ ସଭ୍ୟତାର ଇତିହାସରେ କିଛି ଦାର୍ଶନିକ ଓ ମନୀଷୀ ଏକ ସୁନ୍ଦର ସମାଜର ସ୍ବପ୍ନ ଦେଖିଛନ୍ତି ଓ ଏକ ଅହି˚ସ ଓ ନ୍ୟାୟପୂର୍ଣ୍ଣ ସମାଜର ପରିକଳ୍ପନା କରିଛନ୍ତି। ସମାଜର ଅବହେଳିତ, ନିଷ୍ପେଷିତ ଓ ନିର୍ଯାତିତ ମଣିଷମାନଙ୍କର ଦୁଃଖ ଦୂର କରିବାକୁ ନାନା ନୀତିବୋଧ ଓ ଆଦର୍ଶର ବାର୍ତ୍ତା ଧର୍ମ, ଦର୍ଶନ ଓ ସାହିତ୍ୟରେ ପ୍ରଚାରିତ ହୋଇଛି, ତଥାପି ଏକ ସାମ୍ୟ ଓ ମୈତ୍ରୀର ସମାଜ ସମ୍ଭବ ହୋଇ ନାହିଁ। ବିକାଶର ଧାରା ଯେତେ ଆଗକୁ ଯାଉଛି, ସଭ୍ୟତାର ସଙ୍କଟ ସେତେ ତୀବ୍ର ହୋଇ ଉଠୁଛି।

ଶିଳ୍ପ ବିପ୍ଳବ ପରେ ପୃଥିବୀରେ ଯେଉଁ ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦର ଯୁଗ ଆସିଲା, ସେଥିରେ ସମାଜରେ ବୈଷମ୍ୟ, ଶୋଷଣ ଓ ମାନବୀୟ ଦୁର୍ଦଶା ବହୁ ଭାବରେ ବୃଦ୍ଧି ପାଇଲା। ଏହି ପୃଷ୍ଠଭୂମିରେ ସାମ୍ୟବାଦ ଓ ସମାଜବାଦର ଅବଧାରଣା ଚିନ୍ତା ରାଜ୍ୟରେ ଏକ ବୈପ୍ଳବିକ ଆଲୋଡ଼ନ ଥିଲା। ଊନବି˚ଶ ଶତାବ୍ଦୀର ମହାନ ଚିନ୍ତାନାୟକ କାର୍ଲ ମାର୍କ‌୍‌ସ ଦର୍ଶାଇଲେ ଯେ ମଣିଷର ଦୁଃଖ ଦୁର୍ଦଶା ଅବଶ୍ୟମ୍ଭାବୀ ନୁହେଁ କିମ୍ବା ଈଶ୍ବରୀୟ ଅଭିଶାପ ନୁହେଁ। ଏହା ପୂର୍ବରୁ ପୃଥିବୀର ବିଭିନ୍ନ ଭୂଖଣ୍ତରେ ସୃଷ୍ଟି ହେଉଥିବା ମହାମାରୀ ଓ ପ୍ରାକୃତିକ ଦୁର୍ବିପାକକୁ ମଣିଷ ଈଶ୍ବରୀୟ ଦଣ୍ତ ବୋଲି ବିଶ୍ବାସ କରୁଥିଲା। ମଣିଷର ଦୁର୍ଦଶା ହେଉଛି ଶୋଷଣ ଭିତ୍ତିକ ଅର୍ଥନୈତିକ ବ୍ୟବସ୍ଥାର ପରିଣତି। ପ୍ରାକୃତିକ ଦୁର୍ବିପାକ ଓ ମହାମାରୀମାନଙ୍କୁ ଯେ ବୈଜ୍ଞାନିକ ଜ୍ଞାନକୌଶଳ ସାହାଯ୍ୟରେ ନିୟନ୍ତ୍ରଣ କରାଯାଇ ପାରିବ, ଐତିହାସିକ ଘଟଣା ପ୍ରବାହ କିପରି ସମାଜର ଅର୍ଥନୈତିକ ବ୍ୟବସ୍ଥା ଦ୍ବାରା ପ୍ରଭାବିତ ହେଉଛି ଓ ସମାଜର ରାଜନୈତିକ, ସା˚ସ୍କୃତିକ ଏବ˚ ନୈତିକ ଆଦର୍ଶ ସମାଜର ଭୌତିକ ଓ ଆର୍ଥିକ ବ୍ୟବସ୍ଥାର ପରିଣତି; ଏ ସବୁର ବସ୍ତୁନିଷ୍ଠ ବିଶ୍ଳେଷଣ ଏକ ନୂଆ ଦୁନିଆ ନିର୍ମାଣ ଦିଗରେ ଅନେକଙ୍କୁ ପ୍ରେରଣା ଯୋଗାଇଥିଲା। ସମାଜରୁ ସକଳ ଦାରିଦ୍ର୍ୟ, ଶୋଷଣ ଓ ବୈଷମ୍ୟ ଦୂର ହେଲେ ସାମ୍ୟ ଓ ମୈତ୍ରୀର ଯୁଗ ଆସିପାରିବ। ସମାଜର ଉତ୍ପାଦନ ପ୍ରକ୍ରିୟାକୁ ରାଷ୍ଟ୍ରୀୟ ନିୟନ୍ତ୍ରଣ ଭିତରେ ରଖି ପୁଞ୍ଜିବାଦର ବିଲୋପ ଘଟାଇଲେ ସାମ୍ୟବାଦର ଯୁଗ ଆସିବ ଓ ସାମ୍ୟବାଦର ପ୍ରତିଷ୍ଠା ଦ୍ବାରା ବିଶ୍ବରୁ ନାନା ମାନବକୃତ ମନ୍ଦର ଅବସାନ ସମ୍ଭବ ହେବ ବୋଲି ବିଚାର ସୃଷ୍ଟି ହୋଇଥିଲା।

ବି˚ଶ ଶତାବ୍ଦୀରେ କେତେକ ରାଷ୍ଟ୍ରରେ ସମାଜବାଦୀ ବିପ୍ଳବ ସ˚ଘଟିତ ହୋଇ ବିଶ୍ବ ଦୃଶ୍ୟପଟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବୈଚାରିକ ସ୍ତରରେ ସାମ୍ୟବାଦ ଯେତେ ମାନବିକ ଓ ନ୍ୟାୟିକବୋଧ ହେଲେ ମଧୢ ତାହା ସଫଳ ହେଲା ନାହିଁ ଓ ସାମ୍ପ୍ରତିକ ବିଶ୍ବରେ ବହୁରାଷ୍ଟ୍ରୀୟ କମ୍ପାନି ଓ ପୁଞ୍ଜିବାଦ ଏକ ବିଶାଳ ଶକ୍ତି ଭାବରେ ଉଦ୍‌ଭବ ହେବା ମନେହୁଏ। ଦାନା-କନା ବନାମ ବ୍ୟକ୍ତି ସ୍ବାଧୀନତା ଭିତରେ ଦ୍ବନ୍ଦ୍ବ ସମାଜବାଦ ବିକାଶ ଯୁଗରେ ବିତର୍କର ବିଷୟ ଥିଲା। ସାମ୍ୟବାଦର ବିକାଶ ଯୁଗରେ ତାକୁ ପ୍ରତିହତ କରିବା ପାଇଁ ଜନକଲ୍ୟାଣକାରୀ ପରିକଳ୍ପନା ମାନ ଗଣତାନ୍ତ୍ରିକ ରାଷ୍ଟ୍ରର ଆଭିମୁଖ୍ୟ ହୋଇଥିଲା। ଗଣତନ୍ତ୍ର, ପୁଞ୍ଜିବାଦ ଓ ଜନକଲ୍ୟାଣକାରୀ ଯୋଜନା ଯେ ସମତାଳ ଭାବେ ରହିପାରିବ ଏହା ବେଶ୍‌ ଆକର୍ଷଣୀୟ ମନେ ହେଉଥିଲା।

ସାମ୍ପ୍ରତିକ ପୁଞ୍ଜିବାଦ ଯେ ନବ-ସାମ୍ରାଜ୍ୟବାଦ, ଉପଭୋକ୍ତାବାଦ ଓ ଉତ୍କଟ ବୈଷମ୍ୟର ଏକ ବୀଭତ୍ସ ଚିତ୍ର ଦେଉଛି ତାହା ଆଜିର ଉପଲବ୍‌ଧି। ଏତଦ୍‌ ବ୍ୟତୀତ ସୀମିତ ପ୍ରାକୃତିକ ସ˚ସାଧନମାନଙ୍କୁ ଶେଷ କରି ଦେବା ଓ ପ୍ରାକୃତିକ ପରିବେଶର ଧ୍ବ˚ସସାଧନ କରି ମାନବ ସଭ୍ୟତାକୁ ସ˚କଟ ଭିତରକୁ ନେବା ଆଧୁନିକ ପୁଞ୍ଜିବାଦୀ ଅର୍ଥନୀତିର ବଡ଼ କୁପରିଣାମ। ବି˚ଶ ଶତାବ୍ଦୀର ଆଉ ଜଣେ ଚିନ୍ତାନାୟକ ମହାତ୍ମା ଗାନ୍ଧୀ ବିକାଶର ଏକ ଭିନ୍ନ ରୂପରେଖ ପରିକଳ୍ପନା କରିଥିଲେ। ସେ ଅନେକା˚ଶରେ ଯନ୍ତ୍ର-ବିରୋଧୀ ଓ ବଡ଼ ବଡ଼ ପ୍ରକଳ୍ପର ସମାଲୋଚକ ଥିଲେ। ତେବେ ବିକାଶ ସହିତ ସେ ଯେଉଁ ବିଚାରକୁ ସ˚ଯୁକ୍ତ କରିଥିଲେ ତାହାର ଏକ ସାର୍ବଜନୀନ ମୂଲ୍ୟ ରହିଥିବା ମନେହୁଏ। ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଯେ କୌଣସି ବିକାଶର ପରିକଳ୍ପନା ସହ ପରିବେଶର ସୁରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଏତଦ୍‌ବ୍ୟତୀତ ସେହି ବିକାଶ କାମ୍ୟ ଯାହା ସମାଜକୁ ସାମ୍ୟ ଦିଗରେ ପରିଚାଳିତ କରିବ। ନିରନ୍ତର ବିକାଶ, ସୁସ୍ଥ ପରିବେଶ ଓ ସମତା ହିଁ ବିକାଶର ନୂତନ ଆଭିମୁଖ୍ୟ ବୋଲି ଗାନ୍ଧୀଙ୍କ ବିଚାର ରହିଥିଲା। ଏକ ହି˚ସାମୁକ୍ତ ଶାନ୍ତିପୂର୍ଣ୍ଣ ବିଶ୍ବର ପରିକଳ୍ପନା ପାଇଁ ବିକାଶର ରୂପରେଖ କ’ଣ ହେବା ଦରକାର, ତାହା ଏକ ମୁକ୍ତ ପ୍ରଶ୍ନ।

ଏ-୧୨, ଭାଗୀରଥି ବିହାର, ଢେଙ୍କାନାଳ
ମୋ: ୯୪୩୮୫୪୭୮୯୫

ସମ୍ବନ୍ଧିତ ଖବର