ଗୋଆର ମୁକ୍ତି ଗାଥା

ଇତିହାସ ଆଲୋଚନା - ସ˚ଜୀବ ଚୋପ୍ରା

ଭାରତବର୍ଷର ପଶ୍ଚିମରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଗୋଆ (ଏବେ ଏକ ରାଜ୍ୟ)ର ମୁକ୍ତି ଏବ˚ ଭାରତରେ ତାର ମିଶ୍ରଣ ଆଧୁନିକ ଭାରତ ଇତିହାସର ଏକ ଅବିସ୍ମରଣୀୟ ଅଧୢାୟ। ଜେନେରାଲ୍‌ ଜେ.ଏନ୍‌. ଚୌଧୁରୀଙ୍କ ବିଚକ୍ଷଣ ନେତୃତ୍ବରେ ହୋଇଥିବା ‘ଅପରେସନ ବିଜୟ’ ଏକ ଐତିହାସିକ ଉପଲବ୍‌ଧି ଥିଲା। ମାତ୍ର ଅଢେ଼ଇ ଦିନ (୧୮ ଡିସେମ୍ବର ୧୯୬୧ ସକାଳଠାରୁ ୧୯ ଡିସେମ୍ବର ୧୯୬୧ ଦିନ ୨ଟା) ମଧୢରେ ସୁଚିନ୍ତିତ ଯୋଜନା କ୍ରମେ ‘ଅପରେସନ ବିଜୟ’ ଗୋଆ ମୁକ୍ତିକୁ ସୁନିଶ୍ଚିତ କରିଥିଲା। ସେତେବେଳର ପର୍ତ୍ତୁଗୀଜ ଶାସନାଧୀନ ଗୋଆର ଶାସନ ମୁଖ୍ୟ ଗଭର୍ନର ମାନୁଏଲ୍‌ ଏନ୍ତେନିର ଭସାଲୋ ଇ ସିଲ୍‌ଭା ତତ୍କାଳୀନ ଗୋଆ ରାଜଧାନୀ ଭାସ୍କୋଡ଼ାଗାମାଠାରେ ଆତ୍ମସମର୍ପଣ କରିଥିଲେ। ଉଲ୍ଲେଖନୀୟ ଯେ ଗୋଆ ମୁକ୍ତ ହେବାର ବହୁ ପୂର୍ବରୁ ଗୋଆ ମାନଚିତ୍ରକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ଦିଆଯାଇ ସାରିଥିଲା। ଭାରତର ମାନଚିତ୍ରରେ ଗୋଆ, ଡାମନ, ଡିୟୁ ତଥା ଦାଦ୍ରା ନଗର ହାବେଲୀ ଉପରେ ଛୋଟ ‘କଳା ଟେପ୍‌’ ଲଗେଇ ଦିଆଯାଇ ଗୋଆ ମୁକ୍ତିକୁ ଏକ ମାନ୍ୟତା ପ୍ରଦାନ କରାଯାଇ ସାରିଥିଲା।

ଗୋଆ ମୁକ୍ତି ବିଷୟରେ ଚର୍ଚ୍ଚା ବେଳେ ଏକ ପ୍ରଶ୍ନ ଉଠେ ଯେ ଗୋଆକୁ ସ୍ବାଧୀନତା ମାନ୍ୟତା ପ୍ରଦାନ ଦିଗରେ ଭାରତ କାହିଁକି ବିଳମ୍ବିତ ନିଷ୍ପତ୍ତି ନେଇଥିଲା? ୧୯୨୮ ବେଳକୁ ଗୋଆର ମୁକ୍ତି ପାଇଁ ଟି.ବି. ଚୁନ୍‌ହାଙ୍କ ବଳିଷ୍ଠ ନେତୃତ୍ବରେ ଗୋଆ କ˚ଗ୍ରେସ କମିଟି ଗଠିତ ହୋଇ ସାରିଥିଲା। ଯେଉଁ ସମୟରେ ଭାରତରେ ସାଇମନ୍‌ କମିସନ୍‌ଙ୍କ ବିରୋଧରେ ଜନ ଆନ୍ଦୋଳନ ତେଜିଥିଲା, ସେହି ସମୟରେ ମୁକ୍ତିକାମୀ ଗୋଆ ଅଧିବାସୀମାନେ ସାହସର ସହ ପର୍ତ୍ତୁଗୀଜ୍‌ ଉପନିବେଶ ନିୟମ ୧୯୭୦ର ବିରୋଧରେ ସ˚ଗ୍ରାମକୁ ପ୍ରଖର କରିଥିଲେ। ସେହି ଘଡ଼ିସନ୍ଧି କ୍ଷଣରେ କ˚ଗ୍ରେସ ସୁଦୂର ଆସାମରେ ବ୍ରିଟିସ ଚା’ ବଗିଚାମାନଙ୍କରେ ଦୟନୀୟ ଅବସ୍ଥାରେ କାର୍ଯ୍ୟରତ ‘କୁନ୍‌ବୀ’ ଶ୍ରମଜୀବୀଙ୍କୁ ଗୋଆ ଫେରାଇ ଆଣିବାରେ ପ୍ରଶ˚ସନୀୟ ପଦକ୍ଷେପ ନେଇଥିଲା। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୩୮ ମସିହାରେ ପ୍ରାନ୍ତୀୟ ଗୋଆ କ˚ଗ୍ରେସ କମିଟି ବମ୍ବେଠାରେ ପ୍ରତିଷ୍ଠା କରି ଗୋଆରେ ନାଗରିକ ଅଧିକାର ଏବ˚ ପ୍ରତିନିଧିମୂଳକ ସରକାର ଗଠନ ଦିଗରେ ରାଜନୈତିକ ଆନ୍ଦୋଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୧୯୪୬ରେ ଗୋଆ କ˚ଗ୍ରେସ ଏକ ନୀତିଗତ ନିଷ୍ପତ୍ତି ନେଇଥିଲା ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେହି ନୀତିଗତ ନିଷ୍ପତ୍ତି ଥିଲା, ‘‘ଗୋଆ କ˚ଗ୍ରେସ କମିଟି ପୂର୍ଣ୍ଣପ୍ରାଣରେ ଭାରତୀୟ ରାଷ୍ଟ୍ରୀୟ କ˚ଗ୍ରେସର ‘ଭାରତ ଛାଡ଼’ ନିଷ୍ପତ୍ତିକୁ ସମର୍ଥନ କରିବା ସହ ପର୍ତ୍ତୁଗୀଜ ସରକାରଙ୍କୁ ଗୋଆ, ଡାମନ ଏବ˚ ଡିୟୁକୁ ଛାଡ଼ିବାକୁ ଅନୁରୋଧ କରୁଛି, ଯଦ୍ଦ୍ବାରା ଗୋଆ ନିବାସୀମାନେ ଭାରତର ଅନ୍ୟ ନିବାସୀଙ୍କ ସହ ଉଜ୍ଜ୍ବଳ ଭବିଷ୍ୟତକୁ ପ୍ରାପ୍ତ କରିପାରିବେ।’’

୧୯୪୬ ବେଳକୁ ଦମନକାରୀ ପର୍ତ୍ତୁଗୀଜ ସରକାର ବିରୋଧରେ ଡ. ରାମ ମନୋହର ଲୋହିଆଙ୍କ ନେତୃତ୍ବରେ ଆଇନ ଅମାନ୍ୟ ଆନ୍ଦୋଳନ ଗୋଆରେ ଆରମ୍ଭ ହୋଇ ବ୍ୟାପକ ଜନସମର୍ଥନ ହାସଲ କରିଥିଲା। ଏହାଦ୍ବାରା ଗୋଆର ସ୍ବାଧୀନତା ସ˚ଗ୍ରାମୀ ଏବ˚ ଭାରତର ଅନ୍ୟ ସ୍ବାଧୀନତା ସ˚ଗ୍ରାମୀମାନେ ଭାବଗତ ଏବ˚ ଚିନ୍ତନରେ ଏକୀକୃତ ହୋଇପାରିଥିଲେ। ମହାତ୍ମା ଗାନ୍ଧୀ ‘ହରିଜନ’ ପତ୍ରିକାରେ ଲେଖିଥିଲେ ‘ସେ (ଡ. ଲୋହିଆ) ଗୋଆରେ ନାଗରିକ ଅଧିକାର ଦିଗରେ ପ୍ରଶ˚ସନୀୟ ଯୋଗଦାନ କରିଛନ୍ତି। କ୍ଷୁଦ୍ର ପର୍ତ୍ତୁଗୀଜ ଉପନିବେଶ, ବ୍ରିଟିସ ସରକାରଙ୍କ ଦମନ ଲୀଳାକୁ ଅନୁସରଣ କରିବା ଦିଗରେ ସତର୍କ ରହିବେ। ପ୍ରସିଦ୍ଧ ଲେଖକ ଦୁର୍ଗାଦାସଙ୍କ ମତରେ ସେହି ସମୟରେ ଭାରତୀୟ ନେତୃବୃନ୍ଦଙ୍କ ମଧୢରେ ବିଦେଶୀ ଉପନିବେଶ ସରକାରଙ୍କ ପ୍ରତ୍ୟାହାର ସମୟ ଉପରେ ମତଭେଦ ଥିଲା। ନେହରୁ ଏବ˚ ଗାନ୍ଧୀ ଆଲୋଚନା ମାଧୢମରେ ସମସ୍ୟା ସମାଧାନ ଉପରେ ପ୍ରାଧାନ୍ୟ ଦେଉଥିଲା ବେଳେ ଲୌହପୁରୁଷ ବଲ୍ଲଭ ଭାଇ ପଟେଲ କଠୋର ପଦକ୍ଷେପ ଉପରେ ଗୁରୁତ୍ବାରୋପ କରିଥିଲେ। ଏହାଛଡ଼ା ତତ୍କାଳୀନ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଏହି ସମସ୍ୟାର ସମାଧାନ ପାଇଁ ଆନ୍ତର୍ଜାତିକ ହସ୍ତକ୍ଷେପ ଚାହୁଁଥିବାରୁ ଗୋଆ ମୁକ୍ତି ସ˚ଗ୍ରାମୀମାନଙ୍କ ପ୍ରଚେଷ୍ଟାରେ ଭଟ୍ଟା ଆଣିଥିଲା।

କିନ୍ତୁ ଆନ୍ତର୍ଜାତିକ ହସ୍ତକ୍ଷେପ ଅତ୍ୟନ୍ତ ଜଟିଳ ଏବ˚ ଅସମ୍ଭବ ହେଲା। ବ୍ରିଟେନ ମଧୢ ଏକ ବିଚିତ୍ର ପରିସ୍ଥିତିରେ ପଡ଼ିଥିଲା। ଗୋଟିଏ ପଟେ ବ୍ରିଟେନ୍‌ ମହାରାଣୀ କମନ୍‌େଵଲ୍‌ଥର ଅଧୢକ୍ଷ ଥିଲା ବେଳେ ଅନ୍ୟ ପଟେ ନାଟୋର ସଦସ୍ୟ ଥିଲେ। ପର୍ତ୍ତୁଗାଲ ଭାରତ ବିପକ୍ଷରେ ଆନ୍ତର୍ଜାତିକ ନ୍ୟାୟାଳୟରେ କେସ୍‌ କରିଥିଲା। କିନ୍ତୁ ୧୯୬୦ ଏପ୍ରିଲରେ ଏହି କେସ୍‌ରେ ଭାରତ ଜୟଯୁକ୍ତ ହୋଇଥିଲା।

ଗୋଆର ମୁକ୍ତି ସ˚ଗ୍ରାମ ଅନେକ ଉତ୍‌ଥାନ ଏବ˚ ପତନ ଦେଇ ଗତି କରିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା ଭାବରେ ୨୧ ଜୁଲାଇ ୧୯୫୪ରେ ଗୋଆ ମୁକ୍ତି ସ˚ଗ୍ରାମୀମାନେ ଆଜାଦ ଗୋମନ୍ତକ ଦଳର ନେତୃତ୍ବ ସହ ବମ୍ବେରୁ ଦାଦ୍ରା ପର୍ଯ୍ୟନ୍ତ ପଦଯାତ୍ରା କରି ସେଠାକାର ପୁଲିସ୍‌ ଷ୍ଟେସନକୁ ଅକ୍ତିଆର କରି ସେଇଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଏହା ପ୍ରବଳ ଜନ ସମର୍ଥନ ହାସଲ କରିଥିଲା। ୨୯ ଜୁଲାଇରେ ନଗର ହାବେଲୀର ନାରୋଲୀ ଆଜାଦ ଗୋମନ୍ତକ ଦଳ ଏବ˚ ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ ଦ୍ବାରା ମୁକ୍ତ ଘୋଷିତ ହୋଇଥିଲା। ପରବର୍ତ୍ତୀ ଘଟଣାକ୍ରମରେ ମୁକ୍ତି ସ˚ଗ୍ରାମୀମାନେ ଗୋଆ ପିପୁଲ ପାର୍ଟିର ସମର୍ଥନ ପାଇ ସିଲଭାସାଠାରେ ୧୯୫୪, ଅଗଷ୍ଟ ୨ ତାରିଖରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ସେହି ଦିନ ଏ.ପି.ଏ କର୍ମାଲକମରଙ୍କୁ ଶାସନ ଦାୟିତ୍ବ ହସ୍ତାନ୍ତର ମଧୢ ହୋଇଥିଲା। ଆନ୍ତର୍ଜାତିକ ନ୍ୟାୟାଳୟରେ ଭାରତ କେସ୍‌ ଜିତିବା ପରେ ବରିଷ୍ଠ ପରିଷଦ ଆନୁଷ୍ଠାନିକ ଭାବରେ ଭାରତରେ ଏହାର ବିଲୟର ଦାବି ଉପସ୍ଥାପନ କରିଥିଲେ। ଦାଦ୍ରା ଏବ˚ ନଗର ହାବେଲୀ ଆଇନ ୧୯୬୧ ତତ୍‌କ୍ଷଣାତ୍‌ ପାରିତ ହୋଇ ଗୋଆରେ ପର୍ତ୍ତୁଗୀଜ ଉପନିବେଶ ଶାସନର ଅବସାନ ଘଟାଇବା ସହ ନୂତନ ଯୁଗର ସୂତ୍ରପାତ କରିଥିଲା ।

ବରିଷ୍ଠ ଆଇ.ଏ.ଏସ୍‌.

ସମ୍ବନ୍ଧିତ ଖବର