ଗତ ଜୁଲାଇ ୩୧ ତାରିଖ ଶୁକ୍ରବାର ‘ସମ୍ବାଦ’ରେ ପ୍ରକାଶିତ ‘ବନ୍ଦେ ଉତ୍କଳ ଜନନୀ, ଅର୍ଥ ଓ ଅର୍ଥାନ୍ତର’ ପ୍ରବନ୍ଧଟି ପଢ଼ିଲି। ଏହି ଗବେଷଣାତ୍ମକ ପ୍ରବନ୍ଧଟି ଉପାଦେୟ। ତେବେ, ଏହା ଦ୍ବାରା ସ୍ଥାୟୀ ହେବାକୁ ଯାଉଥିବା କେତେକ ଭୁଲକୁ ସୁଧାରିବା ଆବଶ୍ୟକ।

Advertisment

ଏକଥା ସତ ଯେ, ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତଟି ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବା ସମଗ୍ର ଓଡ଼ିଆଙ୍କ ପାଇଁ ଏକ ଆନନ୍ଦର ବିଷୟ। ଅନେକ ଦିନ ଧରି ବିଭିନ୍ନ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନ ଏଥିପାଇଁ ଚେଷ୍ଟା କରି ଆସୁଥିଲେ। ଏପରିକି ଓଡ଼ିଶା ବିଧାନସଭାରେ ଏହା ଏକାଧିକବାର ଗୃହୀତ ହେଇଛି ଏବ˚ ଏକାଧିକ ବାଚସ୍ପତିଙ୍କର ଏ ଦିଗରେ ବ୍ୟକ୍ତିଗତ ହସ୍ତକ୍ଷେପ ରହିଛି। ତଥାପି କୌଣସି କାରଣରୁ ସରକାର ଏହାକୁ ବିଧିବଦ୍ଧ ଭାବରେ ଗ୍ରହଣ କରି ନଥିଲେ। ବିଳମ୍ବରେ ହେଲେ ମଧୢ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାନସିକ ସ୍ତରରେ ସମଗ୍ର ଓଡ଼ିଶା ଏହି ସଙ୍ଗୀତକୁ ଅନେକ ଆଗରୁ ପ୍ରାଦେଶିକ ସଙ୍ଗୀତ ଭାବେ ମର୍ଯ୍ୟାଦା ପ୍ରଦାନ କରି ଆସୁଛି।

ବ୍ୟକ୍ତିଗତ ଭାବରେ ମୁଁ କୌଣସି ଦ୍ବନ୍ଦ୍ବ ବା ଯୁକ୍ତିରେ ସ˚ଶ୍ଳିଷ୍ଟ ହେବାକୁ ଚାହେଁନାହିଁ। ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ଥିବା ବେଳେ ଏହି ସଙ୍ଗୀତର ସିିଡିି ପ୍ରସ୍ତୁତି ସହିତ ମୁଁ ଜଡ଼ିତ ଥିଲି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସ˚ସ୍କୃତି ବିଶ୍ବବିଦ୍ୟାଳୟକୁ ଏହି ସଙ୍ଗୀତର ସିିଡିି ପ୍ରସ୍ତୁତିର ଦାୟିତ୍ବ ଦେଇଥିଲେ। ତେଣୁ ସିିଡିର ଗୀତରେ ଶବ୍ଦ, ତାଳ, ଲୟ ଇତ୍ୟାଦି ନିର୍ଭୁଲ ହେବା ଆବଶ୍ୟକ ବୋଲି ଆମେ ଅନେକ ସ୍ତରରେ ଏହାକୁ ନେଇ ଆଲୋଚନା କରିଥିଲୁ। ସିିଡି ପ୍ରସ୍ତୁତ ହେବା ପରେ ୨୦୧୨ ମସିହାରେ ସ˚ସ୍କୃତି ବିଭାଗ ମାଧୢମରେ ତାହା ଗୃହ ବିଭାଗକୁ ପଠାଯାଇଥିଲା। ସେ ସମୟରେ ବିଭାଗୀୟ ମନ୍ତ୍ରୀ ମହେଶ୍ବର ମହାନ୍ତି, ଶାସନ ସଚିବ ଅଶୋକ କୁମାର ତ୍ରିପାଠୀ, ନିର୍ଦ୍ଦେଶକ ବିଜୟ ନାୟକ ଏବ˚ ସର୍ବୋପରି ପ୍ରଫେସର ଗୁରୁ ରାମହରି ଦାସ; ଏହା ସହିତ ସଂଶ୍ଳିଷ୍ଟ ଥିଲେ। କିନ୍ତୁ ସେତେବେଳେ ସମ୍ପୂର୍ଣ୍ଣ ସଙ୍ଗୀତଟି ନୁହେଁ, କେବଳ କେତୋଟି ନିର୍ଦ୍ଦିଷ୍ଟ ପଦକୁ ବିଭିନ୍ନ କାରଣରୁ ବିଧାନସଭାର ନିର୍ଣ୍ଣୟକ୍ରମେ ସେଥିରେ ସ୍ଥାନ ଦିଆଯାଇଥିଲା। ବର୍ତ୍ତମାନ ସମ୍ପୂର୍ଣ୍ଣ ଗୀତଟିକୁ ଗ୍ରହଣ କରାଯାଇଥିବା ଅଧିକ ଯୁକ୍ତିଯୁକ୍ତ ଏବ˚ ଗ୍ରହଣୀୟ। ଏବେ ପ୍ରସଙ୍ଗକୁ ଆସିବା। ପ୍ରଥମତଃ ମାତୃ ବନ୍ଦନାର ଦ୍ବିତୀୟ ପଦରେ ସରକାରଙ୍କ ଦ୍ବାରା ଲିଖିତ ସଙ୍ଗୀତରେ ‘ଘନ ଘନ ବନଭୂମି ରାଜିତ ଅଙ୍ଗେ’ ବୋଲି ଦିଆଯାଇଛି। କିନ୍ତୁ ପ୍ରକାଶିତ ପ୍ରବନ୍ଧରେ ପ୍ରାବନ୍ଧିକ କହିଛନ୍ତି ଯେ ଏହା ‘ଘନ ବନଭୂମି’ ହେବା କଥା। ତେବେ, ୧୯୩୧ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଦ୍ବାରା ଲିଖିତ ‘ଦୁନ୍ଦୁଭି’ ନାମକ ପୁସ୍ତକର ପ୍ରଥମ ସ˚ସ୍କରଣରେ ନିଜେ ଲେଖକ ଏହାକୁ ‘ଘନ ଘନ ବନଭୂମି’ ବୋଲି ଲେଖିଛନ୍ତି। ‘ଦୁନ୍ଦୁଭି’ ପୁସ୍ତକଟି ଗୋପୀନାଥ ପ୍ରେସ ଭଦ୍ରକ ଦ୍ବାରା ପ୍ରକାଶିତ। ତେଣୁ ମୋ ମତରେ ଏହାକୁ ଗ୍ରହଣ କରାଯିବା ଉଚିତ। ଦ୍ବିତୀୟରେ (ସରକାରଙ୍କ ପ୍ରଦତ୍ତ ସଂସ୍କରଣରେ) ପଞ୍ଚମ ପଦରେ ‘ଉତ୍କଳ ସୁରବର ଦର୍ପିତ ଗେହା’ ପଦରେ ‘ସୁରବର’ ଶବ୍ଦକୁ ନେଇ ପ୍ରାବନ୍ଧିକ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ତେଣୁ ଏହାର ଏକ ବିସ୍ତୃତ ବ୍ୟାଖ୍ୟା କରିଛନ୍ତି। ଏଠାରେ ମୁଁ ମଧ୍ୟ କହିବାକୁ ଚାହେଁ ଯେ ‘ଦୁନ୍ଦୁଭି’ ପୁସ୍ତକରେ କାନ୍ତକବି ଏହାକୁ ‘ଶୂର ବର’ ବୋଲି ଲେଖିଛନ୍ତି। ତେଣୁ ସରକାରଙ୍କ ଲେଖାର ସ˚ଶୋଧନ ଆବଶ୍ୟକ।

ପୂର୍ବତନ କୁଳପତି
ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟ, ଭୁବନେଶ୍ବର