ଦେଶ, ମଣିଷ

କହିବାର ଅଛି - ଦାଶ ବେନହୁର

ପ୍ରତିଟି ଦେଶ ମଣିଷର ଜୀବନ-ଦୋଳି। ସୁଖ, ଦୁଃଖ, ସ୍ୱପ୍ନ ସବୁ ସେଇଠି।

ମଣିଷମାନଙ୍କୁ ନେଇ ଦେଶ। ହେଲେ ମଣିଷ ଯାହା, ଦେଶ କ’ଣ ସେଇଆ?

ପ୍ରତିଟି ଦେଶ ମଣିଷ-ସମଷ୍ଟିକୁ ନେଇ ତିଆରି। ତା’ସହିତ ସରକାର, ନିଜି ସ୍ବାତନ୍ତ୍ର୍ୟ, ନିର୍ଦ୍ଦିଷ୍ଟ କ୍ଷେତ୍ରର କଥା ମଧୢ ଅଛି। ଏ ସବୁ ଥାଇ ମଧୢ ଅନ୍ୟ ଦେଶ ଓ ସରକାରମାନେ ଯଦି କୌଣସି ଭୂଖଣ୍ତକୁ ଗୋଟିଏ ଦେଶ ବୋଲି ନ ମାନିଲେ ତେବେ ତାହା ଦେଶରେ ଗଣା ହେବନାହିଁ। ଏଇ ଦେଶପଣର ପରିଚୟକୁ ନେଇ ସାରା ଜଗତ୍‌ରେ ଅନେକ ଭୂଖଣ୍ତ ଆଜି ବି ନିଜର ସ୍ବତନ୍ତ୍ରତା ପାଇପାରିନାହାନ୍ତି। ସୀମା ବିବାଦର ଅନ୍ତ ନାହିଁ। ବଡ଼ମାଛର ସାନ ଉପରେ ଲୋଲୁପ ଦୃଷ୍ଟି ଭଳି ଏତେ ଏତେ କଟକଣା, ଆନ୍ତର୍ଜାତିକ ଆଇନ ଓ ଜାତିସ˚ଘ ଭଳି ସ˚ସ୍ଥା ଥାଇ ମଧୢ କଳି ତକରାଳର ପରିସ୍ଥିତି ସବୁବେଳେ ଲାଗିରହିଛି। ବଡ଼ ବଡ଼ ଦେଶମାନେ ଅନ୍ୟଦେଶରୁ ଖଣ୍ତେ ଅକ୍ତିଆର କରିନେବାଟାକୁ ଆଜିର ଆଧୁନିକ ସମୟରେ ବି ନିଜର ଉତ୍କୃଷ୍ଟ ବୈଦେଶିକ ନୀତି ବୋଲି ବିଚାର କରୁଛନ୍ତି।

ଆମେ କହୁ ସାଧାରଣ ମଣିଷର ଆଦର୍ଶ ହେଉଛି- ‘‘ପର ଦ୍ରବ୍ୟେଷୁ ଲୋଷ୍ଟ୍ରବତ୍‌’’। ‘ଲୋଷ୍ଟ୍ର’ ମାନେ ଟେକା ଖଣ୍ତେ। ଅନ୍ୟର ଦ୍ରବ୍ୟ ସୁନାମୁଣ୍ତା ହୋଇଥିଲେ ମଧ୍ୟ ତାହାକୁ ଅଦରକାରୀ ଗୋଡ଼ି ବା ଟେକା ଖଣ୍ତେ ବୋଲି ମନେ କରିବ। ମାତ୍ର ରାଜ୍ୟ ପାଇଁ ନୀତିଟା ଅଲଗା। ଯେତେ ପାରୁଛ ମାଡ଼ିଯାଅ। ‘‘ଏକ୍‌ସପାଣ୍ତ୍‌ ଅର‌୍‌ ପେରିସ୍‌’’। ତୁମେ ପଡ଼ୋଶୀ ରାଜ୍ୟମାନଙ୍କୁ ଅକ୍ତିଆର କରି ଡରେଇ ହରେଇ ପାରୁନାହଁ ତ ନିଜେ ମର। କାରଣ ଆଉ କେହି ତୁମକୁ ନିଶ୍ଚୟ ଅଧିକାର କରିନେବ ବା ମାରିଦେବ। ସେଇଥିପାଇଁ ଇତିହାସରେ ଆମେ ଅହରହ ଯୁଦ୍ଧ ବିଭୀଷିକା, ରକ୍ତପାତ, ଲୁଣ୍ଠନର କଥା ପାଉ। କେତେ କେତେ ଶାସକ ତାଙ୍କର ସାରା ଜୀବନ ଯେ ଯୁଦ୍ଧଭୂମିରେ କଟାଇଛନ୍ତି ତା’ର ହିସାବ ନାହିଁ। ବୀରପଣର ବଡ଼ କଥା ଥିଲା ଦିଗ୍‌ବିଜୟ। ଅନ୍ୟର ଭୂମି ଯେ ଅକ୍ତିଆର କରିପାରେ ସେ ବୀର। ବୀର ଭୋଗ୍ୟା ବସୁନ୍ଧରା।

ସାଧାରଣ ମଣିଷ ଚୋରି କଲେ ଅପରାଧ, ହେଲେ ଦେଶ ତରଫରୁ ନିୟୋଜିତ ହୋଇ ଅନ୍ୟ ଦେଶରେ କେହି ଚୋରି କଲେ ତାହା ପାରିଲାପଣିଆ। ମଣିଷଟେ ପଡ଼ୋଶୀର ଜମି ଉପରେ ଅକ୍ତିଆରୀ ମନୋଭାବ ପୋଷଣ କଲେ ସେ ସଇତାନ୍‌, ହେଲେ ଗୋଟେ ଦେଶ ଆଉ ଗୋଟେ ଦେଶର ଭୂମି ମାଡ଼ିବସିଲେ ତାହା ତା’ର ଜିତାପଟ।

ମଣିଷକୁ ନେଇ ଦେଶ। ଅଥଚ ମଣିଷର ଆଦର୍ଶ ଓ ଦେଶର ଆଦର୍ଶ ଏକା କଥା ନୁହେଁ। ରାଜନୀତିରେ ଏ ଦିଗଟି ପ୍ରକୃତରେ ଆଜିର ବିଶ୍ବପ୍ରେକ୍ଷାପଟରେ ଗଭୀର ଅନୁଶୀଳନର ଅପେକ୍ଷା ରଖେ।

ଦେଶ କଥା କହିଲା ବେଳେ ମନେ ରଖିବା ଦରକାର ଯେ ପୂର୍ବର ରାଜ୍ୟ ବ୍ୟବସ୍ଥା ଆଜିର ଦେଶ ବିଚାରଠାରୁ ପୂରା ଅଲଗା। ଆଧୁନିକ ସମୟର ରାଷ୍ଟ୍ର ବା ଦେଶ ପୁରୁଣା ସମୟର ରାଜ୍ୟ ବା କିଙ୍ଗ୍‌ଡମ୍‌ ନୁହେଁ। କେଉଁ ପୁରାତନ କାଳରୁ ଶାସନ ଓ କ୍ଷେତ୍ର ଉଭୟ ରାଜା-ନିୟନ୍ତ୍ରିତ ଥିଲା। ରାଜା କେଉଁଠି ତ କେଉଁଠି ମହାରାଜା, ସମ୍ରାଟ୍‌, ସୁଲତାନ୍‌, ଜାର‌୍‌। ସେଇ ଏକା କଥା। ରାଜା ବା ସମ୍ରାଟ୍‌ ତାଙ୍କର ପାରିଷଦ ବର୍ଗଙ୍କୁ ନେଇ ଶାସନ କରୁଥିଲେ। ସମ୍ପୂର୍ଣ୍ଣ ବ୍ୟବସ୍ଥାଟି ଥିଲା ଜଣେ ବ୍ୟକ୍ତିର ହାତରେ। ସମୟ ସମୟରେ ଏହି ବ୍ୟକ୍ତି-ବିଚାର ବି ଗୋଟାଏ ଗୋଷ୍ଠୀ ହାତକୁ ଚାଲିଯାଉଥିଲା। ରାଜ-ଶାସନ ପ୍ରକ୍ରିୟାଟି ଏତେ ପୁରୁଣା ଯେ ଆମର ସମସ୍ତ ଶାସ୍ତ୍ର, ପୁରାଣ, ଧର୍ମଗ୍ରନ୍ଥ ସେଇ ରାଜା ରାଣୀଙ୍କ କଥା ହିଁ କହେ। ଆଜିର ଯୁଗରେ ଆଉ ରାଜା, ରାଣୀ, କଟୁଆଳ ଶବ୍ଦର ବ୍ୟବହାର ହେଉନାହିଁ। ପୁରୁଣାକାଳର ମନ୍ତ୍ରୀ ଶବ୍ଦଟି ହିଁ ଶାସକଙ୍କ ସ୍ଥାନରେ ଆମେ ବ୍ୟବହାର କରୁଛୁ। କଥା ପଡ଼ିଲେ କହୁଛୁ, ‘‘ରାଜାନୁଗତ ଧର୍ମ।’’ ଏ ଧର୍ମ କିନ୍ତୁ ଆଧ୍ୟାତ୍ମିକ ବିଶ୍ୱାସର କଥା ନୁହେଁ, ସାମାଜିକ ବ୍ୟବସ୍ଥା ବି ନୁହେଁ। କେବଳ ପ୍ରଶାସନିକ ବ୍ୟବସ୍ଥା। ଅଥଚ ପୁରୁଣା ସମୟରେ ରାଜାଙ୍କ ହାତରେ ଆଧ୍ୟାତ୍ମିକ, ସାମାଜିକ, ସା˚ସ୍କୃତିକ, ଆର୍ଥନୀତିକ ଓ ଶାସନିକ ଆଦି ସବୁକଥା ଛାଡ଼ି ଦେବା ପରି ଆଜି ଆମେ ଜୀବନର ସକଳ ବିଭାବକୁ ଶାସକଙ୍କ ହାତରେ ଛାଡ଼ିଦେଉଛୁ।

ଏହା କିନ୍ତୁ ଠିକ୍‌ ନୁହେଁ। ସେଇ ମଣିଷ ଅଛନ୍ତି, ଭୂମି ଅଛି, ଇତିହାସ ଅଛି ହେଲେ ରାଜ୍ୟ-ବ୍ୟବସ୍ଥା ଆଉ ନାହିଁ। ଏ ପରିକି ସେ କାଳର ମନ୍ତ୍ରୀ, ରାଜା, ରାଣୀ, କଟୁଆଳ, ରାଜନଅର, ପାରିଧି, ପଲଟଣ କିଛି ବି ନାହିଁ। ରାଜ୍ୟ ଥିଲା ଜଣେ ରାଜାଙ୍କର ଶାସନ କ୍ଷେତ୍ର। ମନ୍ତ୍ରୀ ଥିଲେ ରାଜାଙ୍କର ମନ୍ତ୍ରଣାଦାତା। ଆଉ କ’ଣ ସେ କଥା ଅଛି? ଅଥଚ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରତିନିଧିଙ୍କ ଭିତରୁ ଯେଉଁମାନଙ୍କ ହାତରେ ଶାସନ-ଭାର ଟେକି ଦେଇଛୁ ସେମାନଙ୍କୁ କହୁଛୁ ମନ୍ତ୍ରୀ। ସତେ ଯେମିତି ଆମ ଅଭିଧାନମାନଙ୍କରେ ଆଉ କୌଣସି ଶବ୍ଦ ନାହିଁ! ରାଜ୍ୟ, ରାଜ୍ୟପାଳ, ରାଜଭବନ, ମନ୍ତ୍ରୀ ଆଦି ଶବ୍ଦଗୁଡ଼ିକ ଗଣତାନ୍ତ୍ରିକ ବିଚାର ସହ ଖାପ ଖାଆନ୍ତି ନାହିଁ। ଆମେ ସିନା ବ୍ରିଟିସ୍‌ ଶାସନରୁ ଅଲଗା ହୋଇ ସ୍ବାଧୀନ ହେଲୁ କିନ୍ତୁ ସେ ଶାସନ ବ୍ୟବସ୍ଥାର ସବୁକଥା ନିଜ ଭିତରେ ରଖିଲୁ। ସେମାନେ ରାଜା ଅମଳରୁ ଗଣତନ୍ତ୍ର କରି ମନ୍ତ୍ରୀ ରଖିଛନ୍ତି, ଆମେ ସେଇକଥା କରିଛୁ। ତାଙ୍କ ଦେଶରେ ରାଣୀ ରାଷ୍ଟ୍ରମୁଖ୍ୟା। ଆମ ବିଚାର ମଧୢ ସେଇଭଳି। ଗଣତନ୍ତ୍ର ହେଲେ ମଧ୍ୟ ସେମାନେ ରାଜ-ପରମ୍ପରାରେ ବିଶ୍ୱାସୀ। ରାଜନଅରରେ ସୋରିଷ ଫୁଟିଲେ ଆଜି ବି ଇ˚ଲଣ୍ତ୍‌ରେ ଖବରକାଗଜ ଓ ସମସ୍ତ ସମ୍ବାଦ-ସରବରାହ ସ˚ସ୍ଥାରେ ତାହା ପ୍ରଥମ ବାକ୍ୟ ହୁଏ।

ଆମେ କାହିଁକି ସେ କଥା ରଖିବା?

ଭାରତ, ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ର। ଅଥଚ ମନ୍ତ୍ରୀ-ଶାସନ ଥାଇ ମଧୢ ଏହା ଏକ ରାଜତନ୍ତ୍ର ପରି ଆଚରଣ କରେ। ସଭାକୁ ପ୍ରତିନିଧି-ଶାସକ ଆସିଲେ ସି˚ହାସନ ଭଳି ଚଉକି ପଡ଼େ। ଏ ପ୍ରତିନିଧି-ଶାସକମାନେ କେଉଁଠିକି ଗଲେ ଲୋକଙ୍କୁ ଘରୁ ଆଣି ରାସ୍ତାକଡ଼ରେ ବାଉଁଶ ଅର୍ଗଳି ଆରପଟେ ହାତହଲେଇବା ପାଇଁ ବ୍ୟବସ୍ଥା କରାଯାଏ। ଶାସକ ଆସିବେ, ତାଙ୍କ କାମ ସାରି ଯିବେ। ବଡିଗାର୍ଡ ରହନ୍ତୁ, ପୁଲିସ୍‌ ଜଗନ୍ତୁ, ସହର ବା ରାସ୍ତାସାରା ଧାଡ଼ି ଧାଡ଼ି ଲୋକଯାତ୍ରାର ଏ ପ୍ରହସନ କାହିଁକି?

ଦେଶ କାଇଁ? ଗଣତନ୍ତ୍ର କାହିଁ? ଗଣତନ୍ତ୍ରକୁ ରାଜତନ୍ତ୍ର କରିବାର ଉତ୍ସୁକତା ଆମ ଭିତରେ ଏତେ ଅଧିକ ଯେ ଆମେ ଶାସକମାନଙ୍କୁ ଅଶ୍ଳୀଳ ଭାବେ ଟଙ୍କାମାଳ ପିନ୍ଧାଉ, ତାଙ୍କ ଆଗମନରେ ସାରା ରାସ୍ତାଘାଟ ବାନା ବୈରଖରେ ସଜାଉ। ଟିଭି, ଖବରକାଗଜ, କାନ୍ଥବାଡ଼ ଫାଟିପଡ଼ନ୍ତି ଗୁଣଗାନ କରି। ଆଗରୁ ରାଜାମାନଙ୍କର ଜଣେ ଜଣେ ଭାଟ ଥିଲେ। ଏବେ ଜଣେ ଜଣେ ମନ୍ତ୍ରୀଙ୍କର ସହସ୍ର ଭାଟ। ପୂରା ଶାସନବ୍ୟବସ୍ଥା ଭାଟତନ୍ତ୍ରରେ ପରିଣତ। ଚାଳିଶଫୁଟ ଲମ୍ବର କୁନି ସଡ଼କଟିଏ ସୁଦ୍ଧା ସେମାନଙ୍କର ନାଁକୁ ମାର୍ବଲ ଫଳକରେ ଖୋଦେଇକରି ଧରିବସୁଛି। ସବୁଆଡ଼େ ଫଳକ ଆଉ ଫଳକ। କେଉଁ ରାଜା ମହାରାଜା କେତେଟା ଫଳକ ପିଟିଥିଲେ କେଉଁଠି?

ଏହା ଗଣତନ୍ତ୍ର ନୁହେଁ ନୂଆ ରାଜତନ୍ତ୍ର। ଆମେ ଦେଶ ବା ରାଷ୍ଟ୍ର ଗଢ଼ିନାହୁଁ ନୂଆ ରାଜ୍ୟ ଗଢ଼ିଛୁ। ଆମେ ନାଗରିକ ପାଲଟି ନାହୁଁ, ନୂଆ ପ୍ରଜା ପାଲଟିଛୁ। ଆମେ କ’ଣ ଆଉ ମଣିଷ ହୋଇ ଅଛୁ? କେହି ବୁଝାଇବା ଦରକାର ନାହିଁ। ନିଜକୁ ନିଜେ ମୁଁ କେତେ ମାତ୍ରାରେ ମଣିଷ ବୋଲି ଭାବନା କରି ପାଞ୍ଚ ମିନିଟ୍‌ ବସିପଡ଼ିଲେ ଉତ୍ତର ଆପେ ମିଳିଯିବ। ଆଜି ଯେ ସମାଜର, ସ˚ସାରର ବିକଟାଳ ଅବସ୍ଥା, ସେଥିପାଇଁ ମଣିଷ ଦାୟୀ ନା ପଶୁପକ୍ଷୀ, ଗଛଲତା?

ଦେଶ ଓ ମଣିଷ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ମଣିଷକୁ ଛାଡ଼ି ଦେଶ ନାହିଁ। ଅଥଚ ମଣିଷ ଭାବୁଛି ମୁଁ ଭୁଲ କରି ଚାଲିଥିବି, ମୂର୍ଖାମି କରି ଚାଲିଥିବି, ତା’କୁ ଦେଶ ସଜାଡ଼ିବ। ଦେଶ ଗଣତନ୍ତ୍ର କରେ ନାହିଁ କି ଭାଟତନ୍ତ୍ର କରେ ନାହିଁ, ଏଇ ମଣିଷ କରେ। ମଣିଷ ନ ବଦଳିଲେ ଦେଶ ଯେ ବଦଳିଯିବ ଏ କଥା ଆଶା କରିବା ବୃଥା।

ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦାୟିତ୍ବମୂଳକ ଶାସନ-ବ୍ୟବସ୍ଥା ବୋଲି ତର୍ଜମା କରାଯାଏ। ଗଣତନ୍ତ୍ର କାହାର ଦାୟିତ୍ବ? ଦେଶର? ସରକାରଙ୍କର? ଅନେକ କ୍ଷେତ୍ରରେ ଦେଖାଯାଇଛି ଶିକ୍ଷିତ ଲୋକେ ଗଣତନ୍ତ୍ରକୁ ଦାୟିତ୍ବମୂଳକ-ସରକାରୀ ବ୍ୟବସ୍ଥା କହି ନିଜେ ନିହାଲ ହୋଇଯାଆନ୍ତି। ଗଣତନ୍ତ୍ର ପ୍ରକୃତରେ ହେଉଛି ସାଧାରଣ ମଣିଷର ଦାୟିତ୍ବ। ଯେଉଁ ଦେଶରେ ମଣିଷ-ସମୂହଟି ଦାୟିତ୍ବହୀନ ସେ ଦେଶ ଆଉ ଯାହା କରିପାରେ ହେଲେ ଗଣତନ୍ତ୍ର ଶାସନ ଆଣିପାରିବ ନାହିଁ।

କହିବାର ଅଛି ଯେ ଏ ରାଷ୍ଟ୍ର ଗଢ଼ିବାର ପ୍ରକ୍ରିୟା ମୋଟେ ଅଧିକ ଦିନର ନୁହେଁ। ଆମେ ୧୯୪୭ରେ ସ୍ବାଧୀନତା ପାଇବା ଯାଏ ବ୍ରିଟିସ୍‌ ରାଜତ୍ବର ଏକ ଅ˚ଶ ହୋଇ ଥିଲୁ। ଏପରିକି ୧୯୪୯ ଯାଏ ରାଜା, ରାଜତନ୍ତ୍ର ଭାରତର କେତେକ ଅଞ୍ଚଳରୁ ତଥାପି ଯାଇ ନ ଥିଲା। ବିଶ୍ବ ସ୍ତରରେ ମଧୢ ୧୯୪୦ ଓ ୧୯୫୦ ଭିତରେ ହିଁ ଔପନିବେଶିକତା ମାଧୢମରେ ଚାଲିଥିବା ଜଗତ୍‌ବ୍ୟାପୀ ଛାୟା-ରାଜତନ୍ତ୍ର ଧୀରେ ଧୀରେ ଅପସରିବାକୁ ଆରମ୍ଭ କରିଥିଲା। ସ୍ବାଧୀନ ଭାରତର ଜନ୍ମ ସେତିକି ବେଳେ।

ଆଜି ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ ଓଡ଼ିଶା ଭଳି ଭୌଗୋଳିକ କ୍ଷେତ୍ର ବିଶିଷ୍ଟ ଗୋଟାଏ ସମୁଦ୍ର ଗର୍ଭିତ ଦ୍ବୀପ ଇ˚ଲଣ୍ତର ଲୋ‌େକ ଏତେ ଦୂରରୁ ଆସି କେମିତି ପଦାନତ କରି ରଖିଥିଲେ ଏତେ ବଡ଼ ଭାରତକୁ? ଭାରତ କେବଳ ନୁହେଁ ପୃଥିବୀର ଦୁଇ ତୃତୀୟା˚ଶ ଅ˚ଚଳକୁ? ଏ କଥା ସମ୍ଭବ ହୋଇଥିଲା ଇ˚ରେଜ ମଣିଷଙ୍କ ଦ୍ବାରା। ମଣିଷ ଯେତେବେଳେ ଦେଶ ସହିତ ଏକ ହୁଏ ସେତେବେଳେ ଯାଇ ଗୋଟାଏ ଦେଶ ସବଳ ହୁଏ। ଏ ସବଳପଣ କିନ୍ତୁ ଅନ୍ୟ ଦେଶର ସ୍ବତ୍ବ-ଅପହରଣର କାରଣ ହେବା ସର୍ବାଦୌ ନିନ୍ଦନୀୟ।

ଦେଶ ଓ ମଣିଷ ସମ୍ପର୍କରେ ଆଲୋଚନା କଲାବେଳେ ଆମେ ପୁଣି ମୂଳ କଥାକୁ ଭାବିବା ଦରକାର। ମଣିଷର ସୁଖଦୁଃଖ ବିଚାର ଭଳି କ’ଣ ଦେଶର ବିଚାର ହେବା ଉଚିତ? ମଣିଷର ବଡ଼ ଆବଶ୍ୟକତା ହେଉଛି ଆତ୍ମରକ୍ଷା। ଆତ୍ମରକ୍ଷା ଲାଗି ମଣିଷର ଯେ କୌଣସି ଭୁଲକୁ ଆଇନ ମଧୢ କ୍ଷମା କରିଦିଏ। ସେମିତି ଦେଶର ଜାତୀୟ ସ୍ବାର୍ଥ। ଯେଉଁ କଥାରେ ରାଷ୍ଟ୍ରୀୟ ସ୍ବାର୍ଥ ବିପଦଗ୍ରସ୍ତ ହେବାର ସମ୍ଭାବନା ଥାଏ ସେ କ୍ଷେତ୍ରରେ ମଣିଷର ଆତ୍ମରକ୍ଷା କଥାଟିକୁ ମଧୢ ଜଳାଞ୍ଜଳି ଦେବାକୁ ପଡ଼େ। ମଣିଷକୁ ନେଇ ଦେଶ। ଦେଶର ସୁରକ୍ଷା ଆଗରେ ବ୍ୟକ୍ତିର ଆତ୍ମରକ୍ଷା ସମର୍ପିତ। ନଚେତ୍‌ ରାଷ୍ଟ୍ର ରାଷ୍ଟ୍ର ହୋଇ ରହିବ ନାହିଁ କି ଦେଶ ଦେଶ ହୋଇ ରହିବନାହିଁ।

ଆଜିର ଜଗତ୍‌କରଣ ଯୁଗରେ ଯଦି କୌଣସି କଥା ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି ତେବେ ତାହା ହେଉଛି ବ୍ୟକ୍ତିର ଦେଶ ପ୍ରତି ଆନୁଗତ୍ୟ। ରାଜନୈତିକ ଆଦର୍ଶଗତ ପାର୍ଥକ୍ୟ ଆଳରେ ଅନେକ ମଣିଷ ଦେଶ ପ୍ରତି ଅନାସ୍ଥା ପ୍ରକଟ କରିବା ଏକ ସାଧାରଣ କଥା ପାଲଟିଛି। ଭୁଲିଯିବା ଉଚିତ ନୁହେଁ ଯେ ଦେଶର ଅର୍ଥ ସରକାର ନୁହେଁ। ସରକାରୀ ଆଦର୍ଶ ବା ସରକାରୀ ଦଳର ଆଦର୍ଶକୁ ଦେଶର ଆଦର୍ଶ ମନେ କରି ଦେଶ ବିରୋଧୀ ହେବାଠାରୁ ବଡ଼ ଜଘନ୍ୟ ଅପରାଧ ଆଉ କିଛି ନାହିଁ। ଅପର ପକ୍ଷରେ ସରକାରକୁ ସମାଲୋଚନା କରାଯିବାର ଅର୍ଥ ଦେଶର ସମାଲୋଚନା ବୋଲି ବିବେଚନା କରିବା ଏକ ରାଜନୈତିକ ଭ୍ରଷ୍ଟାଚାର ଅଟେ।

ଗୋଟିଏ ମୂଲ୍ୟବାନ କଥା ହେଲା ମଣିଷ ମାତ୍ରେ ସେ ସ୍ବତ୍ବାଧିକାର-ପ୍ରବଣ। ଅନେକ ସମୟରେ ଏହା ତା’ର ଅନ୍ୟ ସ୍ବତ୍ବ-ଅପହରଣ-ଲାଳସାରେ ପରିଣତ ହୁଏ। ଏହି ସ୍ବତ୍ବ-ଅପହରଣ-ଲାଳସାକୁ ପ୍ରତିହତ କରିବା ଲାଗି ସମାଜବାଦ ଓ ସାମ୍ୟବାଦର ସୃଷ୍ଟି। ଅଥଚ ଆଶ୍ଚର୍ଯ୍ୟର କଥା ସାରା ପୃଥିବୀରେ ଆଜି ସମାଜବାଦୀ, ସାମ୍ୟବାଦୀ, ପୁଞ୍ଜିବାଦୀ ସମସ୍ତେ ଏହି ସ୍ବତ୍ବ-ଅପହରଣ ଜିଘା˚ସାରେ ପ୍ରମତ୍ତ। ରାଜନୀତିରେ, ଅର୍ଥନୀତିରେ, ବେପାର ବଣିଜରେ ଏପରିକି ସା˚ସ୍କୃତିକ କ୍ଷେତ୍ରରେ ବି ଅଧିକା˚ଶ ଦେଶ ଅନ୍ୟର ଇଲାକା ଭିତରକୁ ଧସେଇ ପଶିବାକୁ ଆଗଭର।

କହିବାର ଅଛି, ଆଜି ଅଧିକା˚ଶ ବଳୁଆ ଦେଶ ଆପଣା ବିଚାର କ୍ଷେତ୍ରରେ ମାତ୍ରାଧିକ କଳୁଷିତ। ତା’ର କାରଣ ଦେଶ ଭିତରେ ଥିବା ମଣିଷମାନେ ହିଁ ସର୍ବତ୍ର କଳୁଷିତ ହେବା ଆରମ୍ଭ କରିଛନ୍ତି। ପୁରୁଣା ଭାରତର ବିଚାର ଅନୁସାରେ ସାରା ବସୁଧା କେବଳ ଗୋଟାଏ ଏକକ-ଭୂଖଣ୍ତ ନୁହେଁ, ଗୋଟିଏ କୁଟୁମ୍ବ। ସମସ୍ତେ ମଣିଷପଣିଆରେ ବାନ୍ଧିହେଲେ ଯାଇ ଏ କଥା ସମ୍ଭବ।

ସମସ୍ତେ ବୁଝିବା ଦରକାର ଯେ ବଞ୍ଚିବାର ସୁଖ ଅପହରଣରେ ନାହିଁ। ଇତିହାସ ଏ କଥା ବହୁବାର ପ୍ରମାଣିତ କରିଛି। ଦେଶ, ମଣିଷ ଉଭୟ ଏ ଭାବନା ସହ ସହବଦ୍ଧ ହେବା ଆବଶ୍ୟକ।

[email protected]

ସମ୍ବନ୍ଧିତ ଖବର