ବନ୍ୟାକୁ ଆମେ କିଭଳି ଦେଖୁଁ!

ଯୋଗେନ୍ଦ୍ର ଯାଦବ

‘ଏହା ଏକ ବାର୍ଷିକ ମାମଲା। ପ୍ରତି ବର୍ଷ ବନ୍ୟା ଆସେ, ଧ୍ବ˚ସଲୀଳା ସୃଷ୍ଟି କରେ; ବିପର୍ଯ୍ୟୟ ଆଣେ। ତାହା ପରେ ପହଞ୍ଚେ ରିଲିଫ୍‌, ଆମେ ସାନ୍ତ୍ବନା ପାଉ। କ୍ରମେ ଜଳ ସ୍ତର ହ୍ରାସ ପାଏ। ଦିନ ଦିନ ଧରି ବୁଡ଼ିରହିଥିବା ସ୍ଥଳ ଭାଗ ଦୃଶ୍ୟ ହୁଏ। ଜୀବନ ପୁଣି ଥରେ ନିୟମିତ ହୁଏ। ପୁଣି ଥରେ ସମସ୍ତେ ଜୀବନ-ଜୀବିକାରେ ମାତନ୍ତି। ଏହା ନିତ୍ୟ-ନୈମିତ୍ତିକ।’

ଏହା ଆସାମ ବନ୍ୟାର ବର୍ଣ୍ଣନା ହୋଇପାରେ; କିନ୍ତୁ, ନୁହେଁ! ଏହା ପି ସାଇନାଥଙ୍କ ନିବନ୍ଧ ହୋଇପାରେ; କିନ୍ତୁ, ନୁହେଁ!

ଏହା ଲେଖିଥିଲେ ଫଣୀଶ୍ବରନାଥ ‘ରେଣୁ’; ବି˚ଶ ଶତାବ୍ଦୀର ଭାରତର ଅନ୍ୟତମ ପ୍ରଖ୍ୟାତ ଗାଳ୍ପିକ। ଏହା ପ୍ରକାଶ ପାଇଥିଲା ଜାନୁଆରି ୧୯୪୮ରେ; ‘ସୋସାଲିଷ୍ଟ ପାର୍ଟି’ର ସାପ୍ତାହିକ ପତ୍ରିକା ‘ଜନତା’ରେ। ଶୀର୍ଷକ ଥିଲା- ‘କୋଶୀ ଡାୟନ’। ବନ୍ୟା ଏବ˚ ଏକ ବନ୍ଧ ମାଧ୍ୟମରେ କୋଶୀ ନଦୀକୁ ଶାନ୍ତ କରିବା ପୃଷ୍ଠଭୂମିରେ ଫଣୀଶ୍ବରନାଥଙ୍କର ଅନେକ ରଚନା ସୃଷ୍ଟ। ତାଙ୍କର ସବୁଠାରୁ ପ୍ରସିଦ୍ଧ ସୃଷ୍ଟି ‘ପରତୀ ପରିକଥା’ ମଧ୍ୟ ଏହି ପୃଷ୍ଠଭୂମିରେ ରଚିତ। ଯେତେ ବେଳେ ଏକ ବନ୍ଧର ନିର୍ମାଣ ସତ୍ତ୍ବେ ୧୯୬୪ରେ କୋଶୀ ନଦୀରେ ପୁଣି ଥରେ ବନ୍ୟା ଆସିଲା, ସେ ଆଉ ଏକ ଶାଣିତ ରଚନା ସୃଷ୍ଟି କରିଥିଲେ। ‘ପୁରାନୀ କହାନୀ: ନୟା ପଥ’ ଶୀର୍ଷକରେ ତାହା ‘ଧର୍ମଯୁଗ’ରେ ପ୍ରକାଶ ପାଇଥିଲା।

ଏବର ବନ୍ୟା ପରିପ୍ରେକ୍ଷୀରେ ମଧ୍ୟ ତାଙ୍କ ଗଳ୍ପ ଓ ନିବନ୍ଧ ପ୍ରାସଙ୍ଗିକ। ଏହା ରାଜନୈତିକ ଓ ନୀତିଗତ ବିଫଳତାର ବୟାନ। ଜନତା ପ୍ରତି ସରକାରର ଦୃଷ୍ଟି ନାହିଁ। ଯୋଜନାକାରୀ ତଥା ନୀତି ନିର୍ଦ୍ଧାରକମାନେ ଶୋଇଛନ୍ତି। ସମସ୍ୟାର ସମାଧାନ ପାଇଁ ରାଜନୈତିକ ଇଚ୍ଛା-ଶକ୍ତି ନାହିଁ। ବର୍ଷ ବର୍ଷ ଧରି ଏହା ହିଁ ଚାଲିଛି।

ଫଣୀଶ୍ବରନାଥଙ୍କ ରଚନାର ସାତ ଦଶନ୍ଧି ପରେ ବି ପ୍ରତି ବର୍ଷ ଆସାମ ଓ ବିହାରରେ ବନ୍ୟା ଆସୁଛି। ଅନ୍ୟ କେଉଁଠି କେଉଁଠି ନିୟମିତ ବାତ୍ୟା ହେଉଛି। ଉତ୍ତର ଭାରତରେ ପ୍ରତି ବର୍ଷ ଗ୍ରୀଷ୍ମ ପ୍ରବାହ ଏବ˚ କେରଳରେ ମୌସୁମୀ ଜନିତ ବିପର୍ଯ୍ୟୟ। ପ୍ରତି ବର୍ଷ କାଜୀର˚ଗା ଜାତୀୟ ଉଦ୍ୟାନ ବୁଡ଼ୁଛି ଏବ˚ ବନ୍ୟା ଜଳରେ ମରୁଛନ୍ତି ହଜାର ହଜାର ବନ୍ୟ ପ୍ରାଣୀ। କିଛି ମଣିଷ ବି ମରୁଥିବେ। ଶହେରୁ ଅଧିକ ମଣିଷ ମଲେ ଯାଇ ଖବର ହୁଏ। ସିମଳାରେ ତୁଷାରପାତ ହେବା ଭଳି ପ୍ରତି ବର୍ଷ ଉତ୍ତର ବିହାର ଜଳାର୍ଣ୍ଣବ ହୁଏ। ୨୦୧୭ରେ ଉତ୍ତର ବିହାରରେ ବନ୍ୟା ଜନିତ ମୃତ୍ୟୁ ସ˚ଖ୍ୟା ପାଞ୍ଚ ଶହ ଟପିଯାଇଥିଲା। ଏହାର ଊଣେଇଶଟି ଜିଲ୍ଲାରେ ବନ୍ୟା ତାଣ୍ତବ ଲୀଳା ସୃଷ୍ଟି କରିଥିଲା। ହଜାର ହଜାର ଏକର‌ ଉର୍ବର ଜମିରେ ବାଲି ଚରି ଯାଇଥିଲା। ଉକ୍ତ ପ୍ରାକୃତିକ ବିପର୍ଯ୍ୟୟ ଏବେ ଅନେକ ଭୁଲିସାରିବେଣି।

ଏ ବର୍ଷ ମଧ୍ୟ ଆସାମ ଓ ବିହାରରେ ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ, ଗଣମାଧ୍ୟମରେ ସେ ବାବଦରେ ବିଶେଷ ଚର୍ଚ୍ଚା ନାହିଁ। ଅପରପକ୍ଷେ ସଚ୍ଚିନ ପାଇଲଟ-ଅଶୋକ ଗହଲୋତ ନାଟକକୁ ମାତ୍ରାଧିକ ପ୍ରାଧାନ୍ୟ ଦିଆଯାଉଛି। କିଛି ଦିନ ତଳେ ମୋ ପୁଅ ଏକ ଖବର ପ୍ରତି ମୋର ଦୃଷ୍ଟି ଆକର୍ଷିତ କରିଥିଲା: ବ୍ରିଟିସ୍‌ ଫୁଟ୍‌ବଲ୍‌ କ୍ଲବ୍‌ ‘ଆର‌୍‌ସେନାଲ୍‌’ ପକ୍ଷରୁ ଏକ ଭିଡିଓ ବାର୍ତ୍ତା- ‘ଦୃଢ଼ ରହ ଆସାମ, ଆମେ ତୁମ ସଙ୍ଗେ ଅଛୁ।’ (Stay Strong Assam/We are with you)।

ପୁଅ, ମୋତେ ପଚାରିଲା- ମୁଁ କୌଣସି ଭାରତୀୟ ତାରକା ଖେଳାଳି ବା ଅନ୍ୟ କୌଣସି ସେଲିବ୍ରିଟିଙ୍କ ପାଖରେ କେବେ, ଏ ପରି ପ୍ରତିକ୍ରିୟା ଦେଖିଛି କି? ମୋ ପାଖରେ କୌଣସି ଉତ୍ତର ନ ଥିଲା। ସତ୍ୟ ସର୍ବଦା ଅପ୍ରିୟ ଓ କଠୋର। ଦିଲ୍ଲୀରେ ବର୍ଷା ହୋଇ ନାଳ-ନର୍ଦମା ଜଳାର୍ଣ୍ଣବ ହେବା କିଛି ନୂଆ କଥା ନୁହେଁ। ଏ ଥର ଜଳାର୍ଣ୍ଣବ ନାଳରେ ଜଣେ ଅଟୋ-ଚାଳକଙ୍କ ଜୀବନ ଗଲା। ଏହାକୁ ନେଇ ଜାତୀୟ ଗଣମାଧ୍ୟମ ପଡ଼ିଲା-ଉଠିଲା। ତେବେ, ବିହାର ଓ ଆସାମରେ ତିନି ସପ୍ତାହ ଧରି ବନ୍ୟାର ବିଭୀଷିକା ଏ ଯାଏ ବଡ଼ ଧରଣର ଖବର ପାଲଟିପାରିନାହିଁ। ଏ ବାବଦରେ ରାଜଧାନୀରେ କୌଣସି ପ୍ରତିକ୍ରିୟା ନାହିଁ। ରାଜଧାନୀ ନୂଆ ଦିଲ୍ଲୀ ପାଇଁ ଭାରତର ଉତ୍ତର-ପୂର୍ବ ସର୍ବଦା ଏକ ଦୂର ଅଞ୍ଚଳ। ‘ଜାତୀୟ ଜନ ପ˚ଜିକା’ ବା ‘ନେସ୍‌ନାଲ୍‌ ପପୁଲେସନ୍‌ ରେଜିଷ୍ଟର‌୍‌’ ବେଳେ ନା କୌଣସି ପ୍ରତିକ୍ରିୟା ପ୍ରକାଶ ପାଇଥିଲା ନା ଅଖିଳ ଗୋଗୋଇଙ୍କ ଗିରଫଦାରି ବେଳେ। ଅଖିଳ ଏବେ ବି ବିନା ବିଚାରରେ ଜେଲ୍‌ରେ ଶଢ଼ୁଛନ୍ତି। କିନ୍ତୁ, ସେ ବା ତାଙ୍କ ଭଳି ଅନ୍ୟମାନେ କେବେ ଖବରରେ ନାହାନ୍ତି।

ତେବେ, ଗଣମାଧ୍ୟମ ଓ ରାଜନୈତିକ ନିରବତା କେବଳ ଏକମାତ୍ର ସମସ୍ୟା ନୁହେଁ। ଦିଲ୍ଲୀ ଠାରୁ ଆରମ୍ଭ କରି ପାଟନା ଓ ଗୁଆହାଟୀ ପର୍ଯ୍ୟନ୍ତ ଆମ ନୀତି ନିର୍ଦ୍ଧାରକମାନେ ଗୁରୁତର ମାନସିକ ବିକାରଗ୍ରସ୍ତ। ଜାଣତରେ ହେଉ ବା ଅଜ୍ଞାନତାବଶତଃ ସେମାନଙ୍କ ଆଗରେ ଉପସ୍ଥାପିତ ସାକ୍ଷ୍ୟ-ପ୍ରମାଣ ଉପରେ ସେମାନେ ଦୃଷ୍ଟି ପକାଉନାହାନ୍ତି।

ସେମାନେ ବୋଧହୁଏ ଧରି ନେଇଛନ୍ତି, ଆସାମ ଓ ବିହାରରେ ଘଟୁଥିବା ବାର୍ଷିକ ବନ୍ୟା ଦୁର୍ବିପାକ ମଣିଷର ନିୟନ୍ତ୍ରଣ କ୍ଷମତା ବାହାରେ। ତେଣୁ, ଆକସ୍ମିକ ଭୂମିକ˚ପକୁ ଯେମିତି ଦେଖାଯାଏ, ବନ୍ୟା ବିପର୍ଯ୍ୟୟକୁ ମଧ୍ୟ ସେହି ପରି ଦେଖୁଛନ୍ତି। ଉଦ୍ଧାର, ରିଲିଫ୍‌ ଓ ଥଇଥାନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସୀମିତ।

ଏହାର ଅର୍ଥ କ’ଣ ବୁଝାପଡ଼ୁନାହିଁ। ବନ୍ୟା କୌଣସି ଏକ ଦୁର୍ଘଟନା ନୁହେଁ। ହିମାଳୟର ତରାଇ ଅଞ୍ଚଳ ଏବ˚ ବ୍ରହ୍ମପୁତ୍ର ଉପତ୍ୟକାରେ ବନ୍ୟା ନିୟମିତ। ତିବ୍ବତରୁ ବହିଆସିଥିବା ବ୍ରହ୍ମପୁତ୍ର ନଦୀ ଏବ˚ ନେପାଳର ପର୍ବତ ଅଞ୍ଚଳରୁ ଉତ୍ତର ବିହାର ଅଭିମୁଖୀ ହୋଇଥିବା ଛୋଟ-ବଡ଼ ନଦ-ନଦୀଗୁଡ଼ିକର ଜଳ ଆମର ଜୀବନ। ଏଗୁଡ଼ିକ ବିନା ଭାରତର ଏକ ବଡ଼ ଅଞ୍ଚଳ ମରୁଭୂମିରେ ପରିଣତ ହୁଅନ୍ତା। ତେଣୁ, ଏଗୁଡ଼ିକ ଆମ ପାଇଁ ଆଶୀର୍ବାଦ। ପୁଣି, ଏକ ସଙ୍ଗେ ଏଗୁଡ଼ିକ ଆମ ପାଇଁ ଅଭିଶାପ। ବର୍ଷାଦିନେ ନଦୀରେ ବନ୍ୟା ଆସିବା ପ୍ରାକୃତିକ। ଆମେ ଶତାବ୍ଦୀ ଶତାବ୍ଦୀ ଧରି ଏହା ଦେଖିଆସିଲେଣି। କିନ୍ତୁ, ଏଥିରୁ ଉଦ୍ଧାର ପାଇବା ପାଇଁ ବା ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ଆମେ ଉଚିତ ପଦକ୍ଷେପ ନେଉନାହେଁ।

ବନ୍ୟା ପ୍ରାକୃତିକ ଏବ˚ ବନ୍ୟା ଜନିତ କ୍ଷୟ-କ୍ଷତି ମଧ୍ୟ ପ୍ରାକୃତିକ। ପୁଣି, ‘ବିକାଶ’ ନାମରେ ମଣିଷ ପରିବେଶ ଉଜାଡ଼ିବା କାରଣରୁ ବନ୍ୟା ସମସ୍ୟା ଗୁରୁତର ହୋଇଚାଲିଛି। ଅବବାହିକା କ୍ଷେତ୍ରରେ ଜଙ୍ଗଲ-ଧ୍ବ˚ସ, ନଦୀ କୂଳ ଓ ନିଶ୍ଚିତ ବନ୍ୟା-ପ୍ଲାବନ ଆଶଙ୍କା ଥିବା ସମତଳ ଭୂମିର ସହରୀକରଣ, ଆର୍ଦ୍ରଭୂମିର ଅନଧିକାର ଜବରଦଖଲ, ଚାଷ ପ୍ରଣାଳୀରେ ପରିବର୍ତ୍ତନ ଆଦି ସମସ୍ୟାକୁ ଅଧିକ ଗୁରୁତର କରିଚାଲିଛି। ଏହା ସହ ବନ୍ୟାର ନିୟନ୍ତ୍ରଣ ପାଇଁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନାହିଁ; କେବଳ ତାଳି-ପକା କାମ ହେଉଛି। ତେଣୁ, କ୍ଷୟକ୍ଷତି ବଢ଼ିଚାଲିଛି।

ଆମର ବନ୍ୟା ନିୟନ୍ତ୍ରଣ ନୀତି ତ୍ରୁଟିପୂର୍ଣ୍ଣ ବୋଲି ବିଜ୍ଞାନୀ ଓ ବିଦ୍ବାନ୍‌ମାନେ ବାରମ୍ବାର କହୁଛନ୍ତି। ବିହାରର ଦୃଷ୍ଟାନ୍ତ ଦେଉଛି। ଦୀନେଶ କୁମାର ମିଶ୍ର ଜଣେ ଯନ୍ତ୍ରୀ ଏବ˚ ଜଳ ବିଶେଷଜ୍ଞ। ସେ ‘ବାଢ଼ (ବଢ଼ି) ମୁକ୍ତି ଅଭିଯାନ’ ନାମକ ସ୍ବେଚ୍ଛାସେବୀ ସ˚ଗଠନ ଚଳାଉଛନ୍ତି। କୋଶୀ ନଦୀରେ ବନ୍ୟା ପାଇଁ ସରକାରର ତ୍ରୁଟିପୂର୍ଣ୍ଣ ନିର୍ମାଣ ନୀତି ଦାୟୀ, ଏହା ସେ କ୍ରମାଗତ କହିଚାଲିଛନ୍ତି। ବନ୍ୟା ରୋକିବା ପାଇଁ ଯେଉଁ ଆଡ଼ିବନ୍ଧ କରାଯାଇଛି, ତାହା ହିଁ ବନ୍ୟା ଜନିତ କ୍ଷୟ-କ୍ଷତି ବଢ଼ାଉଥିବା ସେ କହୁଛନ୍ତି। ସ୍ବାଧୀନତା ପରେ ବିହାରରେ ଆଡ଼ିବନ୍ଧର ଲମ୍ବରେ କୋଡ଼ିଏ ଗୁଣରୁ ଅଧିକ ବୃଦ୍ଧି ଘଟିଛି। ଏହାର କୌଣସି ସୁଫଳ ମିଳିନାହିଁ। ବର˚ ତିନି ଗୁଣ ଅଧିକ ଅଞ୍ଚଳ ବନ୍ୟା-ପ୍ଲାବିତ ହୋଇଛି। ସେ କହୁଛନ୍ତି, ଆମକୁ ବନ୍ୟା ସହ ବଞ୍ଚିବା ଶିକ୍ଷା କରିବାକୁ ହେବ।

ଆସାମରେ ମଧ୍ୟ ଏକା ପରି ଘଟିଥିବା ଭୂତତ୍ତ୍ବବିଜ୍ଞାନୀ ପ୍ରଫେସର୍‌ ଦୁଲାଲ ସି ଗୋସ୍ବାମୀ ଓ ପରିବେଶବିଦ ପାର୍ଥ ଜେ ଦାସ କହୁଛନ୍ତି। ଯାନ୍ତ୍ରିକ ପଦ୍ଧତିରେ ବନ୍ୟା ରୋକିବା ପାଇଁ ଯେଉଁ ପଦକ୍ଷେପମାନ ନିଆଯାଉଛି, ତାହାର ସେମାନେ ସମାଲୋଚନା କରୁଛନ୍ତି। ପ୍ରାକ୍‌-ସ୍ବାଧୀନତା କାଳରେ ଯାନ୍ତ୍ରିକ ପଦ୍ଧତିରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିଲା। ତେବେ, କୌଣସି ସୁଫଳ ମିଳୁ ନ ଥିଲା। ଏହା ସତ୍ତ୍ବେ ଏବେ ବି ଆମେ ସମାନ ପଦ୍ଧତି ଗ୍ରହଣ କରିବା ଦୁର୍ଭାଗ୍ୟଜନକ ବୋଲି ଦୁହେଁ କହୁଛନ୍ତି। ସେମାନଙ୍କ ଭାଷାରେ- ଆମେ ଏବେ ବି ଏକ ପୁରୁଣାକାଳିଆ ପଦ୍ଧତି ଅବଲମ୍ବନରେ ପ୍ରଳୟଙ୍କରୀ ବନ୍ୟାର ସଫଳ ମୁକାବିଲା କରିପାରିବା ବୋଲି ଭାବୁଛେ।

ପ୍ରଫେସର‌୍‌ ଦୁଲାଲ ଗୋସ୍ବାମୀ କହନ୍ତି- ବନ୍ୟାର ସଫଳ ମୁକାବିଲା ପାଇଁ ଆମର ଲୋଡ଼ା ଏକ ସମନ୍ବିତ ଯୋଜନା। ଅନେକ ପରିବେଶ ବିଶେଷଜ୍ଞ ତାଙ୍କର ମତକୁ ସମର୍ଥନ କରନ୍ତି। ସମନ୍ବିତ ଯୋଜନାର ଅର୍ଥ- ଆମକୁ ଏକ ସଙ୍ଗେ ଜଳ ପରିଚାଳନା, ଭୂମି ବ୍ୟବହାର, କୃଷି, ପରିବହନ, ସହରୀକରଣ ଓ ପରିବେଶ ସ˚ରକ୍ଷଣ ବାବଦରେ ଭାବିବାକୁ ହେବ। କେବଳ ଭାରତର ଭୌଗୋଳିକ ସୀମା ମଧୢରେ ବନ୍ୟା ସମସ୍ୟାର ସମାଧାନର ପନ୍ଥା ପାଇବା ସ˚ଭବ ନୁହେଁ। ବ୍ରହ୍ମପୁତ୍ରରେ ବନ୍ୟା ସମସ୍ୟାର ସଫଳ ମୁକାବିଲା ପାଇଁ ସମଗ୍ର ଉପତ୍ୟକା ଅଞ୍ଚଳ- ଚାଇନା, ଭୁଟାନ, ବା˚ଲାଦେଶ ଓ ଭାରତକୁ ଦେଖିବାକୁ ହେବ। ପଡ଼ୋଶୀ ଦେଶମାନଙ୍କ ସହ ପାରସ୍ପରିକ ସ˚ପର୍କ ରକ୍ଷା ନ କଲେ, ଏହି ବିପତ୍ତିରୁ ଉଦ୍ଧାର ପାଇବା ସ˚ଭବ ନୁହେଁ। ଆମକୁ ପରସ୍ପର ସହ ତଥ୍ୟ ଆଦାନପ୍ରଦାନ କରିବାକୁ ହେବ; ଜଳ ନିଷ୍କାସନ ଭଳି ବ୍ୟାପାରରେ ପାରସ୍ପରିକ ସହାୟତା ଓ ସହଯୋଗ ବି ଲୋଡ଼ା। ଅନ୍ୟ ଅର୍ଥରେ କହିଲେ ଏଥି ପାଇଁ ଦରକାର ନୀତି ଓ ରାଜନୀତି; କୂଟନୀତି ଓ ବିକାଶ; ଯନ୍ତ୍ର ଓ ପରିବେଶ ବିଜ୍ଞାନ।

ଏହି ଚିନ୍ତାଧାରା ସ˚ପୂର୍ଣ୍ଣ ନୂତନ ବି ନୁହେଁ। ୧୯୫୪ର ବନ୍ୟା ନିୟନ୍ତ୍ରଣ ନୀତି ଅନେକ ପୁରୁଣା ହେଲାଣି। ସେତେ ବେଳେ ଆମେ ଭାବୁଥିଲେ ଆଧୁନିକ ଯନ୍ତ୍ର ବିଜ୍ଞାନ ଦ୍ବାରା ପ୍ରକୃତି ଉପରେ ବିଜୟ ସ˚ଭବ। ଏବେ ଆମେ ଜାଣିଲେଣି, ସେହି ଧାରଣା ଭ୍ରମାତ୍ମକ। ଏବେ ଆମେ ପ୍ରକୃତି ଓ ପରିବେଶ ବାବଦରେ ଅଧିକ ଜାଣିଲେଣି ଏବ˚ ସଚେତନ ହେଲେଣି। ଜଳବାୟୁ ପରିବର୍ତ୍ତନ ମାମଲାକୁ ଅଧିକ ଗମ୍ଭୀର କରିପାରେ, ଏହା ଆମେ ଭଲ ଭାବେ ବୁଝିସାରିଲେଣି। ପୂର୍ବାପେକ୍ଷା ଗତ ଦୁଇ ଦଶନ୍ଧିରେ ବନ୍ୟା ବିଭୀଷିକା ଅଧିକ ବଢ଼ିଛି। ଏହା ଆମ ପାଇଁ ଚେତାବନୀ। ତେଣୁ, ଆମକୁ ଉପଯୁକ୍ତ ପଦକ୍ଷେପ ନେବାକୁ ହେବ।

ଏଥିପାଇଁ ଲୋଡ଼ା ଜାତୀୟ ସ୍ତରୀୟ ରାଜନୈତିକ ଇଚ୍ଛା-ଶକ୍ତି। ଟେଲିଭିଜନ୍‌ ଷ୍ଟୁଡିଓରେ ବସି ଯୁକ୍ତି-ତର୍କ କରିବା ବା ନୂଆ ଅଭ୍ୟନ୍ତରୀଣ ଶତ୍ରୁ ସୃଷ୍ଟି କରିବା, ରାଷ୍ଟ୍ରବାଦ ନୁହେଁ। ରାଷ୍ଟ୍ର ପାଇଁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବା, ବିଭିନ୍ନ ସମସ୍ୟାର ସମାଧାନ ପନ୍ଥା ବାହାର କରିବା, ସେଥି ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିବା, ଜାତୀୟ ସମ୍ବଳର ଉଚିତ ବିନିଯୋଗ କରିବା ହେଉଛି ପ୍ରକୃତ ରାଷ୍ଟ୍ରବାଦ। ସକାରାତ୍ମକ ରାଷ୍ଟ୍ରବାଦର ଜୟଯାତ୍ରା ପାଇଁ ଆସନ୍ତୁ ଆମେ ଆସାମ ଓ ବିହାରର ବନ୍ୟା ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ଏବ˚ ପଦକ୍ଷେପ ନେବା।

[email protected]

ସମ୍ବନ୍ଧିତ ଖବର