ଭାଇରସ ଓ ନିର୍ବାଚନ

ଆମେରିକାରୁ ପତ୍ର - ଅନାଦି ନାୟକ

ଆମେରିକାରେ ସବୁଠାରୁ ବଡ଼ ସମସ୍ୟା ବର୍ତ୍ତମାନ ହେଲା କରୋନା ଭାଇରସ୍। ଆଜି ସୁଦ୍ଧା ଏକ ଲକ୍ଷ ବାଉନ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇ ମଲେଣି ଅଥଚ ମୃତ୍ୟୁର ବିଭୀଷିକା ବନ୍ଦ କରାଯାଇପାରିନାହିଁ। କେବେ କରାଯିବ ତାର ମଧ୍ୟ କୌଣସି ଠିକଣା ନାହିଁ। ସବୁଆଡ଼େ ଲୋକମାନେ ଏଥିପାଇଁ ଚିନ୍ତିତ। ପୁଣି କେତେ ଜାଗାରେ ଏପରି ଲୋକ ଅଛନ୍ତି ଯେଉଁମାନେ ବିଶ୍ୱାସ କରୁଛନ୍ତି ଯେ ‘‘କରୋନା ଭାଇରସ୍ କଥାଟା ଏକ ଧୂଆଁବାଣ। ମୋ ଭଳି ଭଲ ଲୋକକୁ ଏ ରୋଗ କେବେ ହେଲେ ଧରିବ ନାହିଁ।” କୌଣସି କଥା ଥରେ ବିଶ୍ୱାସରେ ପଡ଼ିଗଲେ ତାକୁ ଯୁକ୍ତି କରି ଛଡ଼ାଇ ପାରିବା ସମ୍ଭବ ନୁହେଁ। ତାହା ହିଁ ହେଉଛି। ଡାକ୍ତର ଓ ବୈଜ୍ଞାନିକମାନେ କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ କିମ୍ବା ତାକୁ ଦୂର କରିବା ପାଇଁ ଯେତେ ଯାହା କଲେ ବି ସେମାନଙ୍କର ପରାମର୍ଶକୁ ବହୁ ଲୋକ ମାନୁ ନାହାନ୍ତି। ଫଳରେ କରୋନା ଭାଇରସ୍‌ ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରି ଚାଲିଛି। ଦେଶର ଅର୍ଥନୀତିକୁ ମଜଭୁତ କରିବା ନାଆଁରେ ଟ୍ରମ୍ପ୍‌ ସରକାର ପ୍ରାଥମିକ ଅବସ୍ଥାରେ ଯାହା କରିବା କଥା କଲେ ନାହିଁ। ରୋଗଟା ଆପେ ଆପେ ଚାଲିଯିବ ବୋଲି ଟ୍ରମ୍ପ୍‌ ନିଜକୁ ନିଜେ କହିଲେ ଓ ନିଜର ବିଶ୍ୱାସକୁ ନିଜର ସମର୍ଥକମାନଙ୍କ ଠାରେ ଯୋଡ଼ି ଦେଲେ। ରୋଗଟା କିନ୍ତୁ ଆପେ ଆପେ ଗଲା ନାହିଁ। ବରଂ ଗୋଟାଏ ସ୍ଥାନରୁ ଆଉ ଗୋଟାଏ ସ୍ଥାନକୁ ଡେଇଁଲା ଓ ଚକ୍ରବୃଦ୍ଧି ହାରରେ ଲୋକଙ୍କୁ ଆକ୍ରାନ୍ତ କରି ଚାଲିଲା। ଘଟଣାଟି ଏବେ ଦେଶର ସବୁ ସ୍ତରରେ ଥିବା ଚିନ୍ତାଶୀଳ ଲୋକଙ୍କୁ ଚିନ୍ତାରେ ପକାଇଛି। କ୍ଲାସ୍ ମାନଙ୍କରେ କେତେ ଛାତ୍ର ନିରାପଦରେ ବସି ପାରିବେ ସେ କଥାର ଯୋଜନା କଲେଜର ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀମାନେ କରୁଛନ୍ତି। ଅନେକ ଜାଗାରେ ପାଠପଢ଼ା ‌‘‘ରିମୋଟ୍”ରେ ଚାଲିଛି।

ନିମ୍ନ ଓ ମଧ୍ୟବିଦ୍ୟାଳୟର ପିଲାମାନେ ଘରେ ବସି ପାଠ ପଢୁଛନ୍ତି। ହାଇସ୍କୁଲ ମାନଙ୍କର ବି ସେଇକଥା। ପିଲାମାନେ ଘରେ ବସି ଅଥୟ ହେଉଛନ୍ତି। ଛୋଟପିଲା ଘରେ ଥିବା ବେଳେ ବାପାମାଆଙ୍କ ଭିତରୁ କାହାରି ଜଣକୁ ଘରେ ରହିବାକୁ ପଡୁଛି। ସେମାନେ କାମକୁ ଯାଇ ପାରୁ ନାହାନ୍ତି। ଦୋକାନ ବଜାର, କଳକାରଖାନା ସାଙ୍ଗକୁ ଅଫିସ୍ ସବୁ ବନ୍ଦ। ମୋଟ ଉପରେ ସବୁ ରକମର କାମଦାମ, ଯିବା ଆସିବା,ଦେଣ ନେଣ ବନ୍ଦ ହୋଇ ଯାଇଛି। ଲୋକେ କମ୍ପ୍ୟୁଟର ଯୋଗେ ଘରେ ବସି କାମ କରୁଛନ୍ତି। ତଥାପି କେତେକ କାମ ପାଇଁ ଲୋକ ନଗଲେ ନଚଳେ। ପାଣି ପାଇପର ମିସ୍ତ୍ରି, ଇଲେକ୍ଟ୍ରିସିଆନ୍, କମ୍ପ୍ୟୁଟରର ମରାମତକାରୀ– ଏ ଭଳି ଲୋକଙ୍କ ପାଇଁ କାମ ଯଥେଷ୍ଟ ଅଛି। ମାତ୍ର ଯେଉଁମାନେ ଅଳ୍ପ ପାଠର ମଳିମୁଣ୍ଡିଆ ସେମାନଙ୍କ ପାଇଁ ଅବସ୍ଥାଟି ବଡ଼ ଖରାପ। ଗତ ତିନି ମାସ ଭିତରେ ଆମେରିକାର ଉତ୍ପାଦନ ୩୦% କମି ଯାଇଛି। ଏପରି କମିବାଟା ଗତ ୮୦ ବର୍ଷ ଭିତରେ କେବେ ଘଟି ନଥିଲା। ଏହାର ମାନସିକ ପ୍ରତିକ୍ରିୟା ଲୋକଙ୍କ ଭିତରେ ତ ନିଶ୍ଚୟ ହେବ।

ରାଷ୍ଟ୍ରପତି ନିର୍ବାଚନ ଆଗକୁ ଆସୁଛି। ନିର୍ବାଚନ ପାଇଁ ଦିନ ଠିକ୍ ହୋଇଛି ନଭେମ୍ବର ୩। ବେକାରି, କରୋନା ଭାଇରସ୍, ବିଦେଶୀ ଯୁଦ୍ଧ– ଏମିତି ବହୁ ସମସ୍ୟା ଦେଶବାସୀଙ୍କ ଆଗରେ ଏଠି ରହିଛି। ଦେଶର ଭୋଟରମାନେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କଠାରୁ ନିର୍ଦ୍ଦେଶ ଚାହୁଛନ୍ତି। ମାତ୍ର ଟ୍ରମ୍ପ୍‌ ଏ ବିଷୟରେ ଚୁପ୍। ‘‘ଲୋକେ ମରିବା କଥା ତ ମରିବେ’’- ଏଇ ହେଲା ତାଙ୍କର ମନୋଭାବ। ଲୋକଙ୍କର ମରିବାଟାକୁ ରାଷ୍ଟ୍ରପତି ଗୁରୁତର ବୋଲି ଭାବିବା ଜଣାପଡୁନାହିଁ। ଦେଶର ଅର୍ଥନୀତିକୁ ଖରାପ କରିବା ପାଇଁ କରୋନା ଭାଇରସ୍‌ର କୋକୁଆ ଭୟ ସୃଷ୍ଟି କରାଯାଇଛି ବୋଲି ସେ ବାରମ୍ବାର କହି ଚାଲିଛନ୍ତି। ସୁଖର କଥା ଯେ ତାଙ୍କର ଏ ଭଳି ବକ୍ତବ୍ୟକୁ ଆଜିକାଲି ବେଶି କେହି– ଏପରିକି ତାଙ୍କ ନିଜ ପାର୍ଟିର ଲୋକ ମଧ୍ୟ – ଶୁଣୁ ନାହାନ୍ତି। ନାକ ଟେକୁଛନ୍ତି। ଏହା ପଛରେ କାରଣ ମଧ୍ୟ ରହିଛି। ଦେଶରେ ଯେତିକି ଗୋଳମାଳ ହେବ ଓ ଧସ୍ତାଧସ୍ତି ଚାଲିବ ତାଙ୍କ ପାଇଁ ପରିସ୍ଥିତିଟି ସେତିକି ଉପଯୋଗୀ ହେବ ବୋଲି ସେ ଭାବୁଛନ୍ତି।

କରୋନା ଭାଇରସ୍‌ର ପ୍ରକୋପ ଦେଶ ସାରା ହୁଲସ୍ତୁଲ ପକାଇଥିବା ବେଳେ ଆମେରିକାର ଜଣେ ପ୍ରଖ୍ୟାତ ଜନନେତା ଜନ୍ ଲୁଇସ୍‌ଙ୍କର ମୃତ୍ୟୁ ଘଟିଲା। ଆମେରିକାରେ କଳା ଲୋକଙ୍କୁ ସମାନ ଅଧିକାର ଦେବା ଲାଗି ଗତ ପଚାଶ ବର୍ଷ ଭିତରେ ଯେତେ ରକମର ଆନ୍ଦୋଳନ ହୋଇଛି ସେ ସବୁଥିରେ ସେ ଭାଗ ନେଇଛନ୍ତି। ମାର୍ଟିନ ଲୁଥର କିଙ୍ଗ୍‌ଙ୍କୁ ସେ ଗୁରୁ କରି ମାନନ୍ତି। ନାଗରିକ ଅଧିକାର ପାଇଁ ଛାତ୍ରମାନଙ୍କ ଭିତରେ ଅହିଂସକ ଆନ୍ଦୋଳନ ପାଇଁ ଆଗ୍ରହ ବଢ଼ାଇବା ଦରକାର ପଡିଲା। ଏଣୁ ସେତେବେଳେ ଛାତ୍ର ଥିବା ଜନ୍ ଲୁଇସ୍ ଓ ଆଉ କେତେକ ସାଥୀ “ଅହିଂସକ ଆନ୍ଦୋଳନର ସହଯୋଗୀ ଛାତ୍ରସଂଘ” Students’ nonviolence coordination committee ଗଠନ କଲେ। ଜନ୍ ଲୁଇସ୍‌ଙ୍କୁ ତାର ସଭାପତି ଭାବରେ ମନୋନୀତ କରାଗଲା। ଆମେରିକାର ଚଳନ୍ତି ବ୍ୟବସ୍ଥାର ବିଭେଦକ ରୀତିନୀତିକୁ ସେ ଗ୍ରହଣ କଲେ ନାହିଁ। ତା’ ବିରୋଧରେ ପ୍ରତିବାଦ କଲେ। ଫଳରେ ତାଙ୍କୁ ବାରମ୍ବାର ଜେଲ ଯିବାକୁ ହେଲା। ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲିସ୍‌ଠାରୁ ପିଟା ଖାଇ ତାଙ୍କର ମୁଣ୍ଡ ଫାଟିଲା। ଅପର ପକ୍ଷରୁ ଯେତେ ଉତ୍ତେଜନା ସୃଷ୍ଟି କରାଗଲେ ସୁଦ୍ଧା ଛାତ୍ରମାନେ କେହି ହାତ ଉଠାଇଲେ ନାହିଁ। ପରିସ୍ଥିତି ବଦଳିଲା। କଳା ଲୋକମାନେ ସବୁ ପ୍ରକାରର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ କ୍ଷମତା ହାସଲ କଲେ। ୧୯୮୬ ମସିହାରେ ଜନ୍ ଲୁଇସ ପ୍ରଥମ ଥର ପାଇଁ ଆମେରିକାର ଲୋକ ସଭାକୁ ନିର୍ବାଚିତ ହେଲେ। ସେହି ଦିନରୁ ପ୍ରତି ଦୁଇ ବର୍ଷରେ ଥରେ ସେ ଜର୍ଜିଆ ପ୍ରଦେଶ‌େର ଥିବା ନିଜ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଆସିଛନ୍ତି। ତାଙ୍କ ମୃତ ଦେହକୁ ଧରିଥିବା ଏକ୍ କଫିନ୍‌କୁ ଜାତୀୟ ପତାକାରେ ଆବୃତ କରି ଆମେରିକାର ବିଧାୟକ ସଭା ଭିତରେ ତାଙ୍କୁ ସମ୍ମାନ ଦିଆଗଲା। ସେଠାରୁ ସମ୍ମାନର ସହିତ ଜର୍ଜିଆର ରାଜଧାନୀ ଆଟଲାଣ୍ଟାକୁ କଫିନଟିକୁ ନିଆଗଲା ଯେଉଁଠାରେ ତିନିଜଣ ପୂର୍ବତନ ରାଷ୍ଟ୍ରପତି– ବିଲ୍ କ୍ଲିଣ୍ଟନ, ଜର୍ଜ ବୁସ୍ ଓ ବାରାକ୍ ଓବାମା–ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ। “ଅହିଂସକ ପଦ୍ଧତିରେ ସମାଜ ପରିବର୍ତ୍ତନ” କଥାଟା ବହୁତ ଆଲୋଚିତ ହେଲା। ମନେପଡ଼ିଲା– ଓଡ଼ିଶାର ବିଭିନ୍ନ ଗାଆଁରେ ଆଚାର୍ଯ୍ୟ ହରିହର ଦାସଙ୍କ ସହିତ ଭୂଦାନ ପାଇଁ ତରୁଣ କର୍ମୀମାନେ ବୁଲୁଥିବା ବେଳେ ଜନ୍ ଲୁଇସ୍ ଓ ତାଙ୍କ ସାଥୀମାନେ ମାର୍ଟିନ ଲୁଥର କିଙ୍ଗ୍‌ଙ୍କ ନେତୃତ୍ୱରେ ଆମେରିକାର ଦକ୍ଷିଣାଞ୍ଚଳରେ କଳା ଲୋକଙ୍କ ନାଆଁ ଭୋଟର ତାଲିକାକୁ ଆଣୁଥିଲେ। ଜଳଖିଆ ଦୋକାନରେ ଖାଇବାକୁ ବସି ଓ ଶୋଭାଯାତ୍ରା କରି ମାଡ଼ ଖାଉଥିଲେ। ପୃଥିବୀର ଦୁଇଟି ଭିନ୍ନ ଭିନ୍ନ ଜାଗାରେ ସମାଜ ପରିବର୍ତ୍ତନ ପାଇଁ ତରୁଣମାନେ ନିଜ ନିଜ ଢଙ୍ଗରେ ଅହିଂସକ ପ୍ରକ୍ରିୟାର ପ୍ରୟୋଗ କରୁଥିଲେ। ଜନ୍ ଲୁଇସ ଥିଲେ ଆମେରିକାର ଗାନ୍ଧୀବାଦୀ। ତାଙ୍କୁ ଆମେରିକାର ପାର୍ଲାମେଣ୍ଟରେ ବିବେକ ବା conscience ବୋଲି କୁହାଯାଉଥିଲା I

ନାଗରିକ ଅଧିକାରକୁ ପୂର୍ଣ୍ଣ କରିବା ଦିଗରେ ଆମେରିକାରେ ଏବେ ମଧ୍ୟ ଅନେକ କାମ ବାକି ଅଛି। ମାର୍ଟିନ ଲୁଥର କିଙ୍ଗ୍ ଓ ତାଙ୍କ ସହିତ କାମ କରୁଥିବା ଲୋକଙ୍କ ଭିତରୁ ଅନେକେ ସେପୁରକୁ ଗଲେଣି। ସେମାନଙ୍କ ଭିତରେ ଜନ୍ ଲୁଇସ ଥିଲେ ବୟସରେ ସବୁ ଠାରୁ ସାନ। ଏବେ ତାଙ୍କର ମୃତ୍ୟୁରେ ସହକର୍ମୀମାନଙ୍କ ଭିତରେ ଏକ ନୂଆ ଆତ୍ମବୋଧ ଆସିଛି: “ ନିକଟାଇବ ଦୃଶ୍ୟନ୍ତେ କୃତାନ୍ତ ନଗରୀ ଦ୍ରୁମାଃ’’।

୧୯୬୦ ଦଶନ୍ଧିର ଆମେରିକା ଓ ଆଜିର ଆମେରିକା ଭିତରେ ପ୍ରଭେଦ ବହୁତ। ଏ ଦେଶର କଳା ଲୋକମାନେ ଆଗ ପରି ଅଲଗା ହୋଇ ବସୁ ନାହାନ୍ତି କି ସେମାନଙ୍କ ପାଇଁ ବସିବାକୁ ଅଲଗା ନୀଚ ସ୍ଥାନ ରଖା ଯାଉ ନାହିଁ। ଆଇନ ବଳରେ, ବିଚାର ପରିବର୍ତ୍ତନ ଯୋଗେ ଓ ନୂଆ ଧରଣର ଶିକ୍ଷା ପାଇ କଳା ଗୋରା ସବୁ ଲୋକଙ୍କ ଭିତରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମତା ଊଣା ଅଧିକେ ଆସିଛି। ମାତ୍ର ଏ ସମତାର ପ୍ରତ୍ୟୟ ସବୁ ଜାଗାରେ, ସମାନ ଭାବରେ ହୋଇପାରିନାହିଁ। ସତୁରି ବର୍ଷର ସାମ୍ବିଧାନିକ ଅଧିକାର ସତ୍ତ୍ୱେ ଭାରତବର୍ଷର ଦଳିତ ଶ୍ରେଣୀୟ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କେତେ ରକମର ଗଞ୍ଜଣାର ଭୁକ୍ତଭୋଗୀ ହେଉଛନ୍ତି। ଉଚ୍ଚ ସ୍ଥାନରେ ରହିବା ଯେଉଁମାନଙ୍କର ଅଭ୍ୟାସରେ ପଡ଼ିଯାଇଛି ସେମାନେ ନିଜର ଉଚ୍ଚଜାଗା ଛାଡ଼ିବାକୁ ନାରାଜ। ଜାତିଆଣ କଥାଟା ବେଆଇନ ହେଲେ ବି ଏବେ ସୁଦ୍ଧା ତାହା ଲୋକଙ୍କ ଚାଲି ଚଳଣରେ ଦେଖାଯାଉଛି। ଠିକ୍ ସେମିତି କଳା ଲୋକ ବୋଲି କାହାରିକୁ କୌଣସି କ୍ଷେତ୍ରରେ ବାଛନ୍ଦ କରାଯିବା ବେଆଇନ। ମାତ୍ର ଲୋକଙ୍କ ଚାଲି ଚଳଣରେ ଏଭଳି ବାଛ ବିଚାର ସବୁ ବେଳେ ଓ ସବୁ ଜାଗାରେ ଦେଖାଯାଉଛି।

ଗତ ମଇ ମାସ ୨୬ ତାରିଖରେ ମିନେସୋଟା ପ୍ରଦେଶର ମିନିଆପୋଲିସ୍ ସହରରେ ଜର୍ଜ ଫ୍ଲଏଡ ନାମକ ଜଣେ କଳା ଲୋକକୁ ତିନି ଜଣ ପୁଲିସବାଲା ସନ୍ଦେହ କରି ଧରିଲେ। ତାକୁ କାବୁ କରିବାକୁ ଯାଇ ସେମାନେ ତା ହାତରେ କଡ଼ି ପକାଇଲେ ଓ ତାକୁ ମୁହଁ ମଡ଼େଇ ଭୂଇଁ ଉପରେ ଶୁଆଇଲେ। ଜଣେ ପୁଲିସ୍ବାଲା ତା ବେକ ଉପରେ ଆଣ୍ଠୁ ଦେଇ ତାକୁ ଚାପି ରଖିଲା। ‘‘ନିଃଶ୍ୱାସ ନେଇ ପାରୁନାହିଁ” “ମାଆଲୋ, ମାଆଲୋ” ବୋଲି ସେ ଯେତେ କହିଲେ ବି ପୁଲିସବାଲା ତା କଥା ଶୁଣିଲେ ନାହିଁ। ଲୋକଟିର ନିଃଶ୍ୱାସ ବନ୍ଦ ହୋଇଗଲା। ଜର୍ଜ ଫ୍ଲଏଡର ପୁଲିସ୍ ହାତରେ ଘଟିଥିବା ମୃତ୍ୟୁକୁ କେନ୍ଦ୍ର କରି ଏବେ ସମୁଦାୟ ଆମେରିକାରେ ହୁଲସ୍ତୁଲ ଚାଲିଛି। ଦେଢ଼ ଶହ ବର୍ଷ ତଳେ ଏଠି କ୍ରୀତଦାସ ପ୍ରଥା ଲୋପ ହେବା ଦିନରୁ କଳା ଲୋକଙ୍କୁ ସେମାନଙ୍କର ଆଇନ ଅନୁମୋଦିତ ଅଧିକାରରୁ ବଞ୍ଚିତ କରିବା ଲାଗି ଗୁପ୍ତ ସଂସ୍ଥାମାନେ କାମ କରି ଆସିଛନ୍ତି। ଜାଗା ଜାଗାରେ କଳା ଲୋକଙ୍କ ଉପରେ ଆକ୍ରମଣ ହୋଇ ଆସିଛି। ବାରାକ ଓବାମା ରାଷ୍ଟ୍ରପତି ହେବା ପରେ କଳା ଲୋକଙ୍କ ଭିତରେ ଆତ୍ମବିଶ୍ୱାସ ଯେମିତି ବଢ଼ିଛି, କଳା ଲୋକଙ୍କ ବିରୋଧରେ ସାମ୍ପ୍ରଦାୟିକ ବିଦ୍ୱେଷ ମଧ୍ୟ ସେହି ଅନୁପାତରେ ବୃଦ୍ଧିପାଇଛି। ଡୋନାଲ୍‌ଡ ଟ୍ରମ୍ପ୍‌ ଓ ତାଙ୍କ ସରକାର ପରୋକ୍ଷରେ ସାମ୍ପ୍ରଦାୟିକ ବିଦ୍ୱେଷକୁ ଖାଲି ସମର୍ଥନ କରୁ ନାହାନ୍ତି; ତାକୁ ଉତ୍ସାହିତ କରୁଛନ୍ତି। ଫଳରେ ଆମେରିକାର ଚିନ୍ତାଶୀଳ ମହଲରେ ଦୁଶ୍ଚିନ୍ତା ବଢ଼ିଛି।

ରାଷ୍ଟ୍ରପତି ପଦ ପାଇଁ ଡିମୋକ୍ରାଟିକ ଦଳ ତରଫରୁ ଜୋ ବାଇଡେନ୍ ମନୋନୀତ ହେବା ନିଶ୍ଚିତ। କୌଣସି ଜଣେ ଭଦ୍ର ମହିଳାଙ୍କୁ ସେ ନିଜର ଉପରାଷ୍ଟ୍ରପତି ପଦ ପାଇଁ ବାଛିବେ ବୋଲି ଆଗରୁ ଘୋଷଣା କରିଛନ୍ତି। ଯାହା ଜଣାପଡୁଛି, କୌଣସି ଜଣେ କଳା ମହିଳାଙ୍କୁ ସେ ବାଛିବେ। (ପାଠକ ଏ ଲେଖା ପଢ଼ିବା ପୂର୍ବରୁ ନାଆଁଟା ହୁଏତ ଜାଣି ସାରିଥିବେ) ଏହି ମହିଳାମାନଙ୍କ ଭିତରୁ ସିନେଟର କମଳା ହାରିସଙ୍କର ନାଆଁ ବାରମ୍ବାର ଆସୁଛି। କମଳାଙ୍କର ମାଆ ଲକ୍ଷ୍ମୀ ହେଲେ ତାମିଲନାଡୁର ଝିଅ ଓ ବାପା ହେଲେ ଜାମାଇକାର ଲୋକ। ସେ ନିଜକୁ ଆମେରିକାର କଳା ଲୋକଙ୍କ ସହିତ ମିଶାଇ ଥାଆନ୍ତି। ସିନେଟର ହେବା ପୂର୍ବରୁ ସେ ଦୁଇଥର କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ଭାବରେ ନିର୍ବାଚିତ ହୋଇଥିଲେ ଓ ଏବେ ରାଷ୍ଟ୍ରପତି ପଦ ପାଇଁ ଡିମୋକ୍ରାଟିକ ଦଳର ଅନ୍ୟତମ ପ୍ରାର୍ଥୀ ଭାବରେ ସେ ଜୋ ବାଇଡେନଙ୍କ ସହିତ ପ୍ରତିଯୋଗିତା କରିଥିଲେ। ତାଙ୍କ ମାଆ ନୈଷ୍ଠିକ ହିନ୍ଦୁ ଘରର ଝିଅ ହୋଇଥିଲେ ବି ଓ ସେ ନିଜେ ପିଲାଦିନେ ଅଜା ଆଈଙ୍କ ଠାରୁ ଖୁବ୍ ସ୍ନେହ ପାଇଥିଲେ ବି କମଳା ନିଜକୁ ଖ୍ରୀଷ୍ଟିୟାନ ବୋଲି ପରିଚୟ ଦିଅନ୍ତି। କମଳା ହାରିସଙ୍କ ପରି ବବି ଜିନ୍ଦଲ ଓ ନିକି ହେଲି ମଧ୍ୟ ଆମେରିକାର ରାଜନୈତିକ କ୍ଷେତ୍ରରେ ଜଣାଶୁଣା। ଜିନ୍ଦଲ ଓ ହେଲି ଦୁଇଟି ଭିନ୍ନ ଭିନ୍ନ ପ୍ରଦେଶର ଗଭର୍ଣ୍ଣର ଥିଲେ। ଉଭୟଙ୍କର ଚେର ଭାରତୀୟ ପରିବାରରେ। ମାତ୍ର ଉଭୟେ ନିଜକୁ “ଗୂଢ଼ବାଦୀ ଖ୍ରୀଷ୍ଟିୟାନ” ବୋଲି ପରିଚୟ ଦିଅନ୍ତି। ଆମେରିକାର ଦକ୍ଷିଣାଞ୍ଚଳରେ ଲୋକଙ୍କ ଠାରୁ ଭୋଟ୍ ପାଇବାକୁ ହେଲେ “ଖାଣ୍ଟି ଖ୍ରୀଷ୍ଟିୟାନ୍” ବୋଲି କହିବା ଛଡ଼ା ସେମାନଙ୍କର ଉପାୟ ନାହିଁ। ଡୋନାଲ୍‌ଡ ଟ୍ରମ୍ପ୍‌ ନିକି ହେଲିଙ୍କୁ ରାଷ୍ଟ୍ରଦୂତ ଭାବରେ ଜାତିସଂଘକୁ ପଠାଇଥିଲେ। ୨୦୨୪ରେ ସେ ଓ କମଳା ହାରିସ ନିଜ ନିଜ ପାର୍ଟି ତରଫରୁ ରାଷ୍ଟ୍ରପତି ପଦ ପାଇଁ ଲଢ଼ିବା ଏକ ପ୍ରକାରେ ନିଶ୍ଚିତ। ସେତେବେଳେ ଆମେରିକାର ଭାରତୀୟମାନେ ଦୁହିଙ୍କୁ ଭାରତୀୟ ବୋଲି ନ ଦେଖି “ଅମୁକ ପାର୍ଟିର ପ୍ରତିନିଧି” ବୋଲି ଦେଖିବେ। କିନ୍ତୁ ଉଭୟଙ୍କ ପାଇଁ ଗର୍ବ କରିବେ ନିଶ୍ଚୟ। ବର୍ତ୍ତମାନ ଆମେରିକାରେ ରାଷ୍ଟ୍ରୀୟ ସ୍ତରର ବିଧାୟକ ଭାବରେ ଜଣେ ସିନେଟର ଓ ପାଞ୍ଚ ଜଣ ଲୋକ ପ୍ରତିନିଧି ଅଛନ୍ତି। ପୂର୍ବରୁ ଓଡ଼ିଆ ଘରର ବୋହୂ ଓ ଗୁଜୁରାତୀ ଝିଅ ନିଶା ବିଶ୍ୱାଳଓବାମା ସରକାରରେ ଅଣ୍ଡର ସେକ୍ରେଟାରି ଥିଲେ।

[email protected]

ସମ୍ବନ୍ଧିତ ଖବର