ବିପର୍ଯ୍ୟୟ ବେଳେ ଟାର୍ଗେଟ ବୋଝ

ସହଦେବ ସାହୁ

ଜଣେ ଅଫିସର କଥା ପ୍ରସଙ୍ଗରେ କହିଲେ, ଆମକୁ ଟାର୍ଗେଟ୍‌ ଦିଆଯାଇଛି, ଟାର୍ଗେଟ୍‌ରେ ପହଞ୍ଚିବାକୁ ସମୀକ୍ଷା କରାଯାଉଛି। ଏବେ ବେପାର ବଣିଜ ଠିକ୍‌ ଚାଲିନାହିଁ, ଆମେ କେମିତି ବ୍ୟବସାୟୀଙ୍କୁ ଅଧିକ ଟିକସ ଦେବାକୁ କହିବୁ? ଜଣେ ଓକିଲ ମଧୢ ସେହିକଥା କହୁଥିଲେ, ଖରିଦ ବିକ୍ରି ନାହିଁ, ଅଫିସର ତାଙ୍କ ମହକିଲଙ୍କୁ ଅଧିକ ଟିକସ ଦେବାକୁ କହୁଛନ୍ତି। ରାଜ୍ୟର ସମ୍ପୂର୍ଣ୍ଣ ଆୟର ସି˚ହଭାଗ ଆସେ ଟିକସ ରାଜସ୍ବରୁ, ରାଜ୍ୟର ନିଜସ୍ବ ଟିକସ ଏବ˚ କେନ୍ଦ୍ରୀୟ ଟିକସର ରାଜ୍ୟର ଅ˚ଶକୁ ମିଶାଇ, ସମ୍ପୂର୍ଣ୍ଣ ଆୟର ଟିକସ ରାଜସ୍ବ ହେଉଛି ୬୦%ରୁ ଅଧିକ। କରୋନା ପାଇଁ କଟକଣା ହେତୁ ସରକାରଙ୍କର ରାଜସ୍ବହାନି ହେଉଛି, ଏଣେ କରୋନା ମୁକାବିଲା ପାଇଁ ସରକାରଙ୍କର ବ୍ୟୟ ବୃଦ୍ଧି ଘଟିଛି। ତେଣୁ ଟିକସ ଆଦାୟ ପାଇଁ ଟାର୍ଗେଟ୍‌ ଦିଆଯାଉଛି।

କେବଳ ବିପର୍ଯ୍ୟୟ ପରିସ୍ଥିତିରେ ନୁହେଁ, ଯେ କୌଣସି ସମୟରେ କର ପ୍ରଶାସନରେ ଅଧିକ କର ଆଦାୟ ପାଇଁ ଟାର୍ଗେଟ୍‌ ଦେବା କେବେ ଉତ୍ତମ ଶାସନରୀତି ବିବେଚନା କରାଯିବନି। ଜଣେ ବ୍ୟବସାୟୀ ବା ଯୋଗାଣକର୍ତ୍ତା ନିଜ ଆୟରୁ ଜିଏସ୍‌ଟି ଦିଏ ନାହିଁ, ଦ୍ରବ୍ୟ ବା ସେବା ବିକ୍ରି କିମ୍ବା ଉପଭୁକ୍ତ ହେଲେ, ଦ୍ରବ୍ୟ ବା ସେବା ଯୋଗାଣରୁ ଉପଭୋକ୍ତାଠାରୁ ଜିଏସ୍‌ଟି ଆଦାୟ କରି ସେ ସରକାରଙ୍କୁ ପୈଠ କରେ। ଯେତେବେଳେ କରୋନା ପାଇଁ ବେପାର ବଣିଜ ହୋଇପାରୁ ନାହିଁ, ଖରିଦ ବିକ୍ରି ନାହିଁ, ସେହି ସମୟରେ ଅଧିକ କର ଆଦାୟ କରିବାକୁ ଟାର୍ଗେଟ୍‌ ଦେବା ଯୁକ୍ତିଯୁକ୍ତ ବା ବା˚ଛନୀୟ ନୁହେଁ।

କେବଳ ଜିଏସ୍‌ଟି ନୁହେଁ, ପରୋକ୍ଷ କର ବ୍ୟବସ୍ଥାରେ, ଯେ କୌଣସି ଟାକ୍‌ସ, ଉତ୍ପାଦ ଶୁଳ୍‌କ ହେଉ କିମ୍ବା ସୀମା ଶୁଳ୍‌କ, ସେଲ୍‌ସ ଟାକ୍‌ସ ହେଉ କିମ୍ବା ଭାଟ୍‌, ଉପରେ ଟାର୍ଗେଟ୍‌ ଦେବା କର ପ୍ରଶାସନ କିମ୍ବା ବ୍ୟବସାୟୀ ବା କରଦାତାଙ୍କ ପାଇଁ ଅନୁକୂଳ ନୁହେଁ, ବର˚ ତାହା ଉଭୟ କର ପ୍ରଶାସନ ଓ ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଏ। ଅବଶ୍ୟ ବ୍ୟବସାୟୀ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି। ତଥାପି ଟାର୍ଗେଟ୍‌ ଦିଆଯାଏ, ଟାର୍ଗେଟ୍‌ ପୂରଣ କରିବାକୁ ଅଫିସରଙ୍କ ଉପରେ ଚାପ ପଡ଼େ, ନିୟମିତ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ସମୀକ୍ଷା କରନ୍ତି। କ୍ଷେତ୍ରାଧିକାରୀଙ୍କ ତଳିଆ ଅଫିସର ବ୍ୟବସାୟୀ ବା ଯୋଗାଣ କର୍ତ୍ତାଙ୍କ ପାଖରେ ଦୋଷ ବାହାର କରିବାକୁ ଚେଷ୍ଟା କରନ୍ତି ଏବ˚ ଅଧିକ ଟିକସ ଓ ଅର୍ଥଦଣ୍ତ ସହିତ ଟିକସ ଦେବାକୁ ଦାବି କରନ୍ତି। ଅଧିକା˚ଶ କ୍ଷେତ୍ରରେ ଦାବି କରାଯାଇଥିବା ଟିକସ ଓ ଅର୍ଥଦଣ୍ତ ସୁବିଚାରିତ ହୋଇନଥାଏ।

୧୯୮୩ ମସିହାରେ ନାରାୟଣ ମୂର୍ତ୍ତି ଇନ୍‌ଫୋସିସ୍‌ ପାଇଁ କମ୍ପ୍ୟୁଟର ଆମଦାନି କଲେ। ତାଙ୍କର ଶୁଳ୍‌କ କାଟ ପ୍ରମାଣପତ୍ର ଥିଲା। ବାଙ୍ଗାଲୋରର ସୀମା ଶୁଳ୍‌କ ଅଧିକାରୀ ଇନ୍‌ଫୋସିସ୍‌କୁ ଲାଞ୍ଚ ମାଗିଲେ, ଇନ୍‌ଫୋସିସ୍‌ ଲାଞ୍ଚ ନ ଦେବାରୁ ସେହି ଅଧିକାରୀ ଇନ୍‌ଫୋସିସ୍‌ ପ୍ରମାଣପତ୍ରରେ ପାରିଭାଷିକ ତ୍ରୁଟି ଦର୍ଶାଇ ପ୍ରମାଣପତ୍ରକୁ ରବ୍ଦ କରି ଦଶ ଲକ୍ଷ ଟଙ୍କା ସୀମା ଶୁଳ୍‌କ ଦାବି କଲା। ଇନ୍‌ଫୋସିସ୍‌ ଏହି ଆଦେଶ ବିରୋଧରେ ଅପିଲ କରିଥିଲା, ଅପିଲ ଟ୍ରିବ୍ୟୁନାଲରେ ଏହି ମାମଲା ଫଇସଲା ହେବାକୁ ନଅବର୍ଷ ଲାଗିଥିଲା, ଯଦିଓ ଇନ୍‌ଫୋସିସ୍‌ ଏହି ମାମଲା ଜିତିଥିଲା। ଏହିପରି ବିଚାରହୀନ କର ନିର୍ଦ୍ଧାରଣ ସବୁ ରାଜ୍ୟରେ ସବୁ କର ଆଇନରେ ସ୍ବେଚ୍ଛାଚାରୀ କର ପ୍ରଶାସକଙ୍କ ଦ୍ବାରା ହୋଇଥାଏ। ସେପରି ନିର୍ଦ୍ଧାରିତ ଟିକସ ଅନାଦେୟ ହୋଇ ପଡ଼ିରୁହେ। ଏବେ ବାଣିଜ୍ୟ କର ବିଭାଗର ଅନାଦେୟ ବକେୟା କର ୧୧ ହଜାର କୋଟି ଟଙ୍କା ପାଖାପାଖି ଅଛି। ଅଧିକା˚ଶ ମାମଲା ସବୁ ଅପିଲ, ହାଇକୋର୍ଟ, ସୁପ୍ରିମକୋର୍ଟରେ ପଡ଼ି ରହିଛି। ବ୍ୟବସାୟୀ ବା ଯୋଗାଣକର୍ତ୍ତା କ୍ଷତିଗ୍ରସ୍ତ, ଅପିଲ ଓ ବିଭିନ୍ନ କୋର୍ଟରେ ତା’ର ଖର୍ଚ୍ଚ। ସରକାରଙ୍କର ମଧୢ ବିଭିନ୍ନ କୋର୍ଟରେ ମାମଲା ପରିଚାଳନା ପାଇଁ ଖର୍ଚ୍ଚ। ଏହି ଅନାଦାୟ ବକେୟା ପରିମାଣ ବର୍ଷକୁ ବର୍ଷ ବଢ଼ିଚାଲିଛି। ଏହି ଅନାଦାୟ ବକେୟା ସମ୍ପର୍କରେ ପ୍ରାୟ ପ୍ରତି ବିଧାନସଭା ଅଧିବେଶନରେ ପ୍ରଶ୍ନ ଉଠେ।

କର ନିର୍ଦ୍ଧାରଣ ସୁବିଚାରିତ ହୋଇଥାଉ କିମ୍ବା ବିଚାରହୀନ, କର ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଖୁସି ହୁଅନ୍ତି, କ୍ଷେତ୍ରାଧିକାରୀଙ୍କୁ ପ୍ରଶ˚ସା କରନ୍ତି। ବ୍ୟବସାୟୀ ବିରୁଦ୍ଧରେ ମାତ୍ରାଧିକ କର ନିର୍ଦ୍ଧାରଣ ହୋଇଥିଲେ, ଆଇନ ଅନୁସାରେ ସେ ପ୍ରଥମେ ଅପିଲ କରିବ। ଅପିଲ ଅଧିକାରୀମାନେ ବିଭାଗୀୟ ଅଫିସର। ସେମାନେ ପ୍ରାୟ ବିଭାଗୀୟ ଅଫିସର ଦ୍ବାରା ନିର୍ଦ୍ଧାରିତ ଟିକସ ଓ ଅର୍ଥଦଣ୍ତକୁ କାଏମ ରଖନ୍ତି। ତା’ପରେ ବ୍ୟବସାୟୀ ଟ୍ରିବ୍ୟୁନାଲ କିମ୍ବା ହାଇକୋର୍ଟ ଯିବ। ବ୍ୟବସାୟୀ ଅପିଲ କରିବାକୁ ଗଲେ ନିର୍ଦ୍ଧାରିତ ପରିମାଣରୁ କିଛି ପୈଠ କରିବାକୁ ପଡ଼ିଥାଏ, ଭାଟ ଆଇନ ଅନୁସାରେ ନିର୍ଦ୍ଧାରିତ ପରିମାଣର ୨୦% ଏବ˚ ଜିଏସ୍‌ଟି ଆଇନରେ ୧୦% ପ୍ରଥମେ ଦାଖଲ କରାଗଲେ ଅପିଲ ଶୁଣାଯାଏ। ପୁନଃ ନିରୀକ୍ଷଣ ବା ରିଭିଜନ କରିବାକୁ ବିଭାଗୀୟ ମୁଖ୍ୟଙ୍କ ପାଖକୁ ଗଲେ, ସେ ମଧୢ କିଛି ପରିମାଣ ପୈଠ କରିବାକୁ ଆଦେଶ ଦେଇ ଅବଶିଷ୍ଟ ସ୍ଥଗିତ (Stay) କରିଥାନ୍ତି। ବ୍ୟବସାୟୀ ତା’ପରେ ହାଇକୋର୍ଟକୁ ଯାଏ। ଅପିଲ ସ୍ତରରୁ କିମ୍ବା ବିଭାଗୀୟ ମୁଖ୍ୟଙ୍କ ସ୍ତରରୁ କିଛି ଟଙ୍କା ଆଦାୟ ହୋଇଯାଏ ଏବ˚ ଟାର୍ଗେଟ୍‌ରେ ପହଞ୍ଚିବାକୁ ସାହାଯ୍ୟ କରେ। କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟବସାୟୀ ମଧୢ ଫେରସ୍ତ ବା ରିଫଣ୍ତ ନେଇପାରେ। ହାଇକୋର୍ଟ, ସୁପ୍ରିମକୋର୍ଟରେ ମାମଲା ସ˚ଖ୍ୟା ବଢ଼ି ବଢ଼ି ଯାଏ। ଗୋଟିଏ ବର୍ଷରେ ଫେରସ୍ତ କେତେ ଗଲା କର୍ତ୍ତୃପକ୍ଷ କୁହନ୍ତି ନାହିଁ, କେବଳ କେତେ ଆଦାୟ ହେଲା ସେତିକି ସରକାରଙ୍କୁ ଦର୍ଶାଇଥାନ୍ତି, ଗଣମାଧୢମକୁ ଜଣାଇ ଦିଅନ୍ତି।

ଜିଏସ୍‌ଟି ନିୟମାନୁଯାୟୀ ଜଣେ ବ୍ୟବସାୟୀ ବା ଯୋଗାଣକର୍ତ୍ତା ବିକ୍ରି ବା ଯୋଗାଣ ଉପରେ ଆଦାୟ କର ପରିମାଣରୁ କ୍ରୟ ମୂଲ୍ୟ ଉପରେ ପୈଠ କର ପରିମାଣ ବାବଦରେ ଅବଶିଷ୍ଟ ପୈଠ କର, ଅନ୍ୟ ଅର୍ଥରେ ଇନ୍‌ପୁଟ ଟାକ୍‌ସ କ୍ରେଡିଟ ଯୋଗାଣକର୍ତ୍ତା ପାଏ। ୧୦୦ ଟଙ୍କାରେ ଦ୍ରବ୍ୟ କିଣି ପାଞ୍ଚ ଟଙ୍କା ଟିକସ ଦେଇଥିଲେ, ଯଦି ସେ ୧୫୦ ଟଙ୍କାରେ ବିକ୍ରି କରି ୭ ଟଙ୍କା ୫୦ ପଇସା ଆଦାୟ କରିଥିବ, ତେବେ ବ୍ୟବସାୟୀ ୫ ଟଙ୍କା ଇନ୍‌ପୁଟ୍‌ ଟାକ୍‌ସ କ୍ରେଡିଟ ପାଇବ, ସରକାରଙ୍କୁ ୨ ଟଙ୍କା ୫୦ ପଇସା ପୈଠ କରିବ। ଏହି ଇନ୍‌ପୁଟ ଟାକ୍‌ସ କ୍ରେଡିଟ ପାଇବାକୁ ହେଲେ ତା’ ପାଖରେ ବିଲ୍‌ ବା ଇନ୍‌ଭଏସ୍‌ ଥିବା ଦରକାର। ଏବେ ଅନ୍‌ଲାଇନ୍‌ରେ ରିଟର୍ଣ୍ଣ ଦାଖଲ ହେଉଛି ଏବ˚ ରିଟର୍ଣ୍ଣ ସହିତ କ୍ରେତା ଓ ବିକ୍ରେତାର ଇନ୍‌ଭଏସ ମଧୢ ଦିଆଯାଉଛି ଏବ˚ ଜିଏସ୍‌ଟିଏନ୍‌ (ଜିଏସ୍‌ଟି ନେଟଵାର୍କ)ରେ ବିକ୍ରେତାର ଇନ୍‌ଭଏସ୍‌ ସହିତ କ୍ରେତାର ଇନ୍‌ପୁଟ ଟାକ୍‌ସ କ୍ରେଡିଟ ଦାବିର ମେଳ/ଅମେଳ ରିପୋର୍ଟ ବାହାରୁଛି। ବ୍ୟବସାୟୀ ମଧୢ ଯାହା ଖରିଦ କରୁଛି, ଇ-େଵବିଲ୍‌ ମାଧୢମରେ ଆଣୁଛି ଏବ˚ ଇ-େଵବିଲ୍‌ର ବିବରଣୀ ମଧୢ ଜିଏସ୍‌ଟିଏନ୍‌ରେ ଉପଲବ୍‌ଧ। ଜଣେ ବ୍ୟବସାୟୀ କେତେ ଖରିଦ କଲା, କେତେ ବିକ୍ରି କଲା ସବୁ ତଥ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ଉପଲବ୍‌ଧ।

ଜିଏସ୍‌ଟିଏନ୍‌ରେ ଉପଲବ୍‌ଧ ଏହିସବୁ ତଥ୍ୟକୁ ଉପଯୋଗ କରି ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇପାରେ। କେତେ ଟଙ୍କା ଟିକସ ଆଦାୟ କରିବାକୁ କ୍ଷେତ୍ରାଧିକାରୀଙ୍କୁ ଟାର୍ଗେଟ୍‌ ନ ଦେଇ, ଜିଏସ୍‌ଟିଏନ୍‌ରୁ ମିଳୁଥିବା ତଥ୍ୟ ବା ରିପୋର୍ଟକୁ ବିଶ୍ଳେଷଣ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଟାର୍ଗେଟ୍‌ ଦେବା ଆବଶ୍ୟକ, ଯେମିତିକି ଯେଉଁମାନେ ରିଟର୍ଣ୍ଣ ଦାଖଲ କରୁନାହାନ୍ତି, ସେମାନଙ୍କୁ ରିଟର୍ଣ୍ଣ ଦେବାକୁ ବାଧୢ କରିବା, ଇନ୍‌ପୁଟ ଟାକ୍‌ସ କ୍ରେଡିଟ ଅଧିକ ଦାବି କରୁଥିଲେ, ସେହି ବ୍ୟବସାୟୀର ବି ଅଡିଟ୍‌ କରିବା ଏବ˚ ଉଚ୍ଚ କର୍ତ୍ତୃପକ୍ଷ ତାହାର ସମୀକ୍ଷା କରିବା ଉଚିତ, ଯେଉଁ ପ୍ରକ୍ରିୟାରେ ଟିକସ ଆଦାୟ ବୃଦ୍ଧି ଘଟିବ ଏବ˚ ପ୍ରକୃତ ଖିଲାପକାରୀ ଦଣ୍ତିତ ହେବ।

ଟିକସ ଆଦାୟ ଟାର୍ଗେଟ୍‌ ଦେଲେ, ବଡ଼ ଅଫିସର ତଳ ଅଫିସରକୁ ଏବ˚ ତଳ ଅଫିସର ବ୍ୟବସାୟ ଉପରେ କ୍ଷମତାର ଅପବ୍ୟବହାର କରିବାକୁ ସୁଯୋଗ ପାଇବ। ୨୦ ମେ’ ୨୦୨୦ ‘ସମ୍ବାଦ’ରେ ପ୍ରକାଶିତ ‘‘ଉଦାର କର ବ୍ୟବସ୍ଥା ଲୋଡ଼ା’’ ନିବନ୍ଧରେ ଦର୍ଶାଯାଇଥିଲା, କରୋନା ମୁକାବିଲା ପାଇଁ ଅଧିକ ସମ୍ବଳର ଆବଶ୍ୟକତା ଆଳରେ ଯେପରି କର ପ୍ରଶାସନଙ୍କୁ ଅଧିକ କ୍ଷମତା ନ ଦିଆଯାଏ ଏବ˚ ‘‘ଇନିସ୍‌ପେକ୍ଟର ରାଜ’’ ଫେରିନଆସେ। ଇନ୍‌ଫୋସିସ୍‌ର ଘଟଣା ପରି ‘‘ଇନିସ୍‌ପେକ୍ଟର ରାଜ’’ ବର୍ତ୍ତମାନ ଆର୍ଥିକ ପରିସ୍ଥିତିରେ ସରକାର, ରାଜ୍ୟ କିମ୍ବା ବ୍ୟବସାୟୀଙ୍କ ପ୍ରତି ଆଦୌ ଶୁଭଙ୍କର ନୁହେଁ।

କଳିଙ୍ଗ ବିହାର, ଭୁବନେଶ୍ବର
ମୋ: ୯୪୩୭୫୭୮୭୩୩

ସମ୍ବନ୍ଧିତ ଖବର