ଧାରା ୩୭୦ ହଟିବାର ବର୍ଷକ ପରେ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

୫ ଅଗଷ୍ଟ ୨୦୧୯ରେ ଭାରତ ସରକାର ସମ୍ବିଧାନର ୩୭୦ ଧାରା ଉଚ୍ଛେଦ କରିଥିଲେ। ପର ଦିନ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କଲେ: ‘ଜାମ୍ମୁ, କାଶ୍ମୀର ଓ ଲଦାଖବାସୀ ଭାଇ-ଭଉଣୀମାନଙ୍କୁ, ସେମାନଙ୍କ ସାହସ ଓ ଦକ୍ଷତା ପାଇଁ ଅଭିବାଦନ ଜଣାଉଛି। ବର୍ଷ ବର୍ଷ ଧରି ସ୍ବାର୍ଥବାଦୀମାନେ ଏଠାକାର ଲୋକଙ୍କର ସଶକ୍ତୀକରଣ ପାଇଁ କିଛି କରିନାହାନ୍ତି। ଏବେ ଜାମ୍ମୁ-କାଶ୍ମୀର, ସେମାନଙ୍କ ଶିକୁଳିରୁ ମୁକ୍ତ। ଏକ ନବ ପ୍ରଭାତ ଏବ˚ ଉଜ୍ଜ୍ବଳ ଭବିଷ୍ୟତ୍‌ ଅପେକ୍ଷା କରିଛି!’

କିଛି ସମୟ ପରେ ପ୍ରଧାନମନ୍ତ୍ରୀ ଆଉ ଥରେ ଟ୍ବିଟ୍‌ କରିଥିଲେ। ଏଥିରେ ସେ ଜାମ୍ମୁ-କାଶ୍ମୀର ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିବା ବ୍ୟକ୍ତିଙ୍କର ଭୂୟସୀ ପ୍ରଶ˚ସା କରିଥିଲେ। ସେ କହିଥିଲେ: ‘ଆମର ଗୃହମନ୍ତ୍ରୀ ଅମିତ ଶାହ, ଜାମ୍ମୁ, କାଶ୍ମୀର ଓ ଲଦାଖବାସୀଙ୍କ ମଙ୍ଗଳ ପାଇଁ ପ୍ରଯତ୍ନ ଜାରି ରଖିଛନ୍ତି। ଧାରା ୩୭୦ ଉଚ୍ଛେଦନ ବିଲ୍‌ରେ ଏହାର ପ୍ରତିଫଳନ ସ୍ପଷ୍ଟ ଦୃଶ୍ୟ ହେଉଛି। ଏଥିପାଇଁ ଅମିତ ଭାଇଙ୍କୁ ବିଶେଷ ଅଭିନନ୍ଦନ!’

ଉକ୍ତ ଘୋଷଣାଗୁଡ଼ିକ ପରେ ଇତି ମଧ୍ୟରେ ଏକ ବର୍ଷ ବିତିସାରିଲାଣି। କାଶ୍ମୀରବାସୀ କେଉଁ ପ୍ରକାରର ‘ନବ ପ୍ରଭାତ’, ‘ଉଜ୍ଜ୍ବଳ ଭବିଷ୍ୟତ୍‌’ ପ୍ରତ୍ୟକ୍ଷ କଲେଣି? କାଶ୍ମୀରର ପରିସ୍ଥିତି ସ˚ପର୍କରେ ଏକ ନୂତନ ରିପୋର୍ଟ‌୍‌ ପ୍ରକାଶ ପାଇଛି। ମାନବିକ ଅଧିକାର ଉପରେ ତାଲାବନ୍ଦୀର ପ୍ରଭାବ ସ˚ପର୍କିତ କିଛି ପ୍ରଶ୍ନର ଉତ୍ତର ଏହି ରିପୋର୍ଟ‌୍‌ରୁ ମିଳୁଛି। ଏହି ରିପୋର୍ଟ‌୍‌ କ୍ଷେତ୍ରୀୟ ଅଧ୍ୟୟନ ଓ ସାକ୍ଷାତ୍‌କାର ଭିତ୍ତିକ। ଏହାକୁ ପ୍ରସ୍ତୁତ କରିଛି, ‘ଫୋରମ୍‌ ଫର‌୍‌ ହ୍ୟୁମାନ୍‌ ରାଇଟ୍‌ସ ଇନ୍‌ କାଶ୍ମୀର’ ନାମକ ସ୍ବାଧୀନ ନାଗରିକ ସ˚ସ୍ଥା। ଏହି ଫୋରମ୍‌ର ଯୁଗ୍ମ-ଅଧ୍ୟକ୍ଷ ଜଷ୍ଟିସ୍‌ ମଦନ ଲୋକୁର ଏବ˚ ଡ. ରାଧା କୁମାର। ଏଥିରେ ଅଛନ୍ତି ଅନେକ ଆଇନଜ୍ଞ, ପ୍ରତିରକ୍ଷା ବାହିନୀର ପଦସ୍ଥ କର୍ମଚାରୀ, ପ୍ରଶାସକ ଏବ˚ ଲେଖକ; ଯେଉଁମାନଙ୍କର ଅନେକ କାଳ ଧରି ଜାମ୍ମୁ-କାଶ୍ମୀର ସହ ସ˚ପର୍କ ରହିଛି। ଏହି ଲେଖକ ମଧ୍ୟ ଉକ୍ତ ଫୋରମ୍‌ର ସଭ୍ୟ। ତେବେ, ଏହି ରିପୋର୍ଟ‌୍‌ ପାଇଁ ମୋର କୌଣସି ଅବଦାନ ନାହିଁ।

ମୁଁ ଜଣେ ଶିକ୍ଷକ ହୋଇଥିବାରୁ ଶିକ୍ଷା କ୍ଷେତ୍ରରୁ ଆରମ୍ଭ କରିବି। ଗତ ବର୍ଷ ଅଗଷ୍ଟରେ ଏଠାରେ ତାଲାବନ୍ଦୀ ପରେ ଶିକ୍ଷା କ୍ଷେତ୍ରର ଅବସ୍ଥା ଅତି ଗୁରୁତର ବୋଲି ଏହି ରିପୋର୍ଟ‌୍‌ରେ ଦର୍ଶାଯାଇଛି। ୨୦୧୯ର ଶେଷ ପାଞ୍ଚ ମାସ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିଲା। ଚଳିତ ବର୍ଷ ଆଦ୍ୟ ଭାଗରେ ‘କୋଭିଡ୍‌ ୧୯’ ଯୋଗୁଁ ଶିକ୍ଷାନୁଷ୍ଠାନ ପୂର୍ବ ଭଳି ବନ୍ଦ ରହିଛି। ଏଠାରେ ଇଣ୍ଟରନେଟ୍‌ ସେବାକୁ ନେଇ କଟକଣା ବଳବତ୍ତର ଥିବାରୁ ଅନ୍‌ଲାଇନ୍‌ରେ ପଢ଼ା ମଧ୍ୟ ସ˚ଭବ ହୋଇପାରୁନାହିଁ।

ଶିକ୍ଷକ ଓ ଅଭିଭାବକମାନଙ୍କ ସୂତ୍ରରୁ ପ୍ରକାଶ ଯେ ପିଲାମାନେ ଏକଲା ଅନୁଭବ କରୁଛନ୍ତି ଏବ˚ ମାନସିକ ଅବସାଦ ଭୋଗୁଛନ୍ତି। ଜଣେ ଅଭିଭାବକଙ୍କ ଭାଷାରେ- ଏହି ଡିଜିଟାଲ୍‌ ବିଶ୍ବରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କୁ ଇଣ୍ଟ‌ରନେଟ୍‌ ସୁବିଧାରୁ ବଞ୍ଚିତ କରିବା, ସେମାନଙ୍କର ବଞ୍ଚିବାର ଅଧିକାର ଛଡ଼ାଇ ନେବା ସହ ସମାନ। ଭାରତର ଅନ୍ୟ ସମସ୍ତ ଅଞ୍ଚଳରେ ‘ଜୁମ୍‌’ ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ବ୍ୟବହାର ହେଉଛି। ଏହା ୨ଜି ସ˚ଯୋଗରେ ଚାଲିବା ସ˚ଭବ ନୁହେଁ। ୨ଜି ସ˚ଯୋଗ ମାଧ୍ୟମରେ ଅନ୍‌ଲାଇନ୍‌ ପଢ଼ା ପାଇଁ ଉଦ୍ୟମର କୌଣସି ସୁଫଳ ମିଳୁନାହିଁ। ଶ୍ରୀନଗରର ଜଣେ ଛାତ୍ରୀ କହିଛନ୍ତି- ସ୍ବର ସ୍ପଷ୍ଟ ହେଉନାହିଁ, ବାରମ୍ବାର ସ˚ଯୋଗ କଟୁଛି, ପୃଷ୍ଠଭୂମିରୁ ବିରକ୍ତିକର ଶବ୍ଦ, ଧ୍ବନିର ମାନ ନ୍ୟୂନ; ଏପରିକି କଳାପଟାରେ କ’ଣ ଲେଖାହେଉଛି, ତାହା ମଧ୍ୟ ଦିଶୁନାହିଁ। ଏହାକୁ ଅନ୍‌ଲାଇନ୍‌ ପଢ଼ା କୁହାଯାଇପାରିବନାହିଁ। ଏହା ଏକ ଯନ୍ତ୍ରଣାଦାୟକ ଅନୁଭବ। ଅନ୍ୟ ଜଣେ ଛାତ୍ରୀ ଅଧିକ ଶାଣିତ ଭାଷାରେ କହିଛନ୍ତି- କାଶ୍ମୀରୀମାନେ ଭିକ ମାଗନ୍ତୁ ବୋଲି ଏ ସରକାର ଚାହୁଁଛି। ଏହା ଆମକୁ ସ୍ପଷ୍ଟ କହୁଛି ଯେ, ଭିକାରିମାନେ କିଛି ବାଛ-ବିଚାର କରିପାରିବେନାହିଁ। ଯାହା ଦିଆଯିବ, ଗ୍ରହଣ କରିବେ।

ଦଶନ୍ଧି ଦଶନ୍ଧି ଧରି ଭୟ ଓ ଆତଙ୍କର ବାତାବରଣର ପ୍ରଭାବ ପ୍ରତ୍ୟେକ କାଶ୍ମୀରୀ ଉପରେ ପଡ଼ିଛି। ଏହା ସେମାନଙ୍କର ମାନସିକ ଅବସ୍ଥାକୁ ପ୍ରଭାବିତ କରୁଛି। ଅବସ୍ଥା ପୂର୍ବରୁ ଗୁରୁତର ଥିଲା ଏବ˚ ଅଗଷ୍ଟ ୨୦୧୯ ପରେ ଅଧିକ ଗୁରୁତର ହୋଇଛି। ଫୋରମ୍‌ର ରିପୋର୍ଟ‌୍‌ରେ ଥିବା ଉପତ୍ୟକାର ଜଣେ ମନୋବିଜ୍ଞାନୀଙ୍କ ବୟାନ ଏହି ପରି- ଧାରା ୩୭୦ ଉଚ୍ଛେଦନ ପରବର୍ତ୍ତୀ ତାଲାବନ୍ଦୀ ଯୋଗୁଁ ମଣିଷଙ୍କଠାରେ ଉଦ୍‌ବେଗ, ଅବସାଦ ହଠାତ୍‌ ବହୁତ ବଢ଼ିଯାଇଛି। ଅନେକଙ୍କଠାରେ ଆତ୍ମହତ୍ୟାପ୍ରବଣତା ପ୍ରକାଶ ପାଉଛି। ଉଦ୍‌ବେଗ ଓ ଅବସାଦରୁ ରକ୍ଷା ପାଇବା ପାଇଁ ଅନେକ କିଶୋର ଓ ଯୁବକ ଅବୈଧ ନିଶା ବା ଡ୍ରଗ୍‌ସ ସେବନ କରୁଛନ୍ତି।

ଫୋର୍‌-ଜି ସୁବିଧା ମିଳୁ ନ ଥିବାରୁ ଇଣ୍ଟରନେଟ୍‌ ଉପରେ ନିର୍ଭରଶୀଳ ବ୍ୟବସାୟ ମଧ୍ୟ ନକାରାତ୍ମକ ଭାବେ ପ୍ରଭାବିତ ହୋଇଛି। ଇଣ୍ଟରନେଟ୍‌ ଜନିତ କଟକଣା ଯୋଗୁଁ ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟବସାୟ ଓ ଉଦ୍ୟୋଗ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ‌୍‌ରେ ଦର୍ଶାଯାଇଛି। ଯେକୌଣସି ଗଣତନ୍ତ୍ର ପାଇଁ ଏହା ସବୁଠାରୁ ଲମ୍ବା ଅବଧିର ଇଣ୍ଟରନେଟ୍‌ କଟକଣା। କେବଳ ଚାଇନା ଓ ମିଆଁମାର ପରି ପ୍ରଭୁବାଦୀ ଶାସନ ବ୍ୟବସ୍ଥାରେ ଏ ଭଳି ଲମ୍ବା ଅବଧିର କଟକଣା କଳ୍ପନା କରାଯାଇପାରେ।

ତାଲାବନ୍ଦୀର କୌଣସି ସୁଫଳ ମିଳିନାହିଁ। ଏହାଦ୍ବାରା ଉପତ୍ୟକାର ନିରାପତ୍ତା ପରିସ୍ଥିତିରେ ମଧ୍ୟ କୌଣସି ଉନ୍ନତି ଆସିନାହିଁ। ୨୦୧୯ରେ ୧୩୫ଟି ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ୨୦୨୦ର ପ୍ରଥମ ଭାଗରେ ୮୦ଟି ଘଟିଛି। ଏସବୁ ଘଟନାରେ ଆନୁପାତିକ ଭାବେ ଅଧିକ ସ˚ଖ୍ୟକ ସ୍ଥାନୀୟ କାଶ୍ମୀରୀ ମରିଛନ୍ତି। ସାତ ଦଶନ୍ଧି ହେଲା ପାକିସ୍ତାନ, କାଶ୍ମୀରରେ ଯାହା କରିଆସିଥିଲା, ତାହା ଜାରି ରହିଛି। ଅଗଷ୍ଟ ୨୦୧୯ ପରେ ଉପତ୍ୟକାରେ ପାକିସ୍ତାନର କାର୍ଯ୍ୟକଳାପ ବଢ଼ିଛି। ଅଧିକ ସ˚ଖ୍ୟକ ଆତଙ୍କବାଦୀ ଅନୁପ୍ରବେଶ କରୁଛନ୍ତି; ନିୟନ୍ତ୍ରଣ ସୀମା ରେଖାରେ ଗୁଳି-ଗୋଳା ବର୍ଷଣ ବଢ଼ିଛି। ସାମାଜିକ ଗଣମାଧ୍ୟମ ମାଧ୍ୟମରେ କାଶ୍ମୀରୀମାନଙ୍କୁ ଅଧିକରୁ ଅଧିକ ତତା ଯାଉଛି ଏବ˚ ଭାରତ-ବିରୋଧୀ କରାଯାଉଛି। ଭାରତ ସରକାରଙ୍କ କାର୍ଯ୍ୟକଳାପ ଯୋଗୁଁ ଏବେ ଚୀନ ପାକିସ୍ତାନର ପକ୍ଷ ନେବାରେ ଅଧିକ ସକ୍ରିୟ ହୋଇଛି।

ଅଗଷ୍ଟ ୨୦୧୯ ପରେ ସରକାର ଦ୍ବାରା କାଶ୍ମୀରରେ ମାନବିକ ଅଧିକାର ଉଲ୍ଲ˚ଘନ ଘଟନା ବହୁତ ବଢ଼ିଛି। ସରକାର ଭାରତର ସମ୍ବିଧାନର ବିଭିନ୍ନ ବ୍ୟବସ୍ଥାର ଉଲ୍ଲ˚ଘନ କରୁଛନ୍ତି। ଅନ୍ତର୍ଜାତୀୟ ଆଇନ ମଧ୍ୟ ପାଳନ କରାଯାଉନାହିଁ। ଗତ ବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ସମେତ ବହୁ କାଶ୍ମୀରୀ ନେତାଙ୍କୁ ବନ୍ଦୀ କରାଯାଇଥିଲା। ପୁଣି, ସେହିମାନଙ୍କୁ ଯେଉଁମାନେ କେବେ ହେଲେ ଆଇନ ଭାଙ୍ଗି ନାହାନ୍ତି। ଏହା ରାଷ୍ଟ୍ରର ଏକ ମୁଖ୍ୟ ଅବୈଧ କାର୍ଯ୍ୟ। ଶିଶୁମାନଙ୍କୁ ଅଟକ, ମନ ଇଚ୍ଛା ୧୪୪ ଧାରା ଲାଗୁ, ଶିଶୁଙ୍କ ସମେତ ନିରୀହ ଲୋକଙ୍କୁ ମାରିବା-ପିଟିବା, ହତ୍ୟା କରିବା, ଘର ଭାଙ୍ଗିବା, ସାମ୍ବାଦିକମାନଙ୍କୁ ଧମକାଇବା, ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିବା ଭଳି ଘଟନା ପରିସ୍ଥିତିକୁ ଦୁର୍ବିଷହ କରିଛି।

କାଶ୍ମୀରରେ ଅନେକ ବର୍ଷ ହେଲା ରାଜନୈତିକ ସମସ୍ୟା ଲାଗିରହିଛି। ତେବେ, ଅଶାନ୍ତି ସତ୍ତ୍ବେ ସେଠାକାର ଅର୍ଥନୀତି କେବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନ ଥିଲା। ଏହା ଅନ୍ୟ କିଛି ରାଜ୍ୟ ଭଳି ବେଶ୍‌ ସମୃଦ୍ଧ ଥିଲା। ୨୦୧୯ରେ ଏହା ଏପରିକି ଗୁଜରାଟ ତୁଳନାରେ ମଧ୍ୟ ଅଧିକ ସମୃଦ୍ଧ ଥିଲା। କିନ୍ତୁ, ଅଗଷ୍ଟ ମାସ ପରେ ମୋଦୀ-ଶାହଙ୍କ କାର୍ଯ୍ୟକଳାପ ସବୁ କିଛି ନଷ୍ଟ କରିଦେଲା। ଏହାର ଅର୍ଥନୀତି ସ˚ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ। ୨୦୧୯ ଅଗଷ୍ଟ-ଡିସେମ୍ବର‌ ମଧ୍ୟରେ କାଶ୍ମୀରର ଔଦ୍ୟୋଗିକ କ୍ଷତିର ପରିମାଣ ପ୍ରାୟ ଅଠର ହଜାର କୋଟି ଟଙ୍କା। ପାଞ୍ଚ ଲକ୍ଷରୁ ଅଧିକ କାଶ୍ମୀରୀ ଜୀବିକା ହରାଇଛନ୍ତି। ଜାମ୍ମୁର ସବିଶେଷ ତଥ୍ୟ ମିଳିନାହିଁ। ତଥାପି ଏଠାରେ ମଧ୍ୟ ଲୋକଙ୍କ ଆୟ ଯଥେଷ୍ଟ ହ୍ରାସ ପାଇଛି ଏବ˚ ବେରୋଜଗାରି ବଢ଼ିଛି। କେନ୍ଦ୍ର ସରକାରଙ୍କ ନୀତି ଯୋଗୁଁ ଉଭୟ ଜାମ୍ମୁ ଓ ଉପତ୍ୟକାର ଉଦ୍ୟାନ କୃଷି ଏବ˚ ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ିପଡ଼ିଛି।

ଧାରା ୩୭୦ର ଉଚ୍ଛେଦନର ଏକ ବର୍ଷ ପରେ ଜାମ୍ମୁ ଓ କାଶ୍ମୀରର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଅବସ୍ଥା ସ˚ପୂର୍ଣ୍ଣ ବିପର୍ଯ୍ୟସ୍ତ ବୋଲି ଫୋରମ୍‌ ରିପୋର୍ଟ‌୍‌ର ଉପସ˚ହାରରେ ଲେଖାଯାଇଛି। ରାଜ୍ୟର ସମସ୍ତ ଉଦ୍ୟୋଗ ଗୁରୁତର କ୍ଷତି ସହିଛନ୍ତି। ଋଣ ଶୁଝି ନ ପାରି ଅନେକ ବନ୍ଦ ହୋଇଗଲାଣି। ହଜାର ହଜାର ପେସାଦାର ଚାକିରି ହରାଇଛନ୍ତି। ଅନେକ ପୂର୍ବାପେକ୍ଷା କମ୍‌ ଦରମା ପାଉଛନ୍ତି। ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ବନ୍ଦ ରହିବାରୁ ଶିକ୍ଷା ଗୁରୁତର ଭାବେ ବାଧାପ୍ରାପ୍ତ। ଏହାର ପ୍ରତିକୂଳ ପ୍ରଭାବ ପିଲା ଓ ଅଭିଭାବକଙ୍କ ଉପରେ ପଡ଼ିଛି। କର୍ଫ୍ୟୁ ଓ ରୋଡ୍‌ ବ୍ଲକ୍‌ ଯୋଗୁଁ ସ୍ବାସ୍ଥ୍ୟ ସେବା ଅତି ମାତ୍ରାରେ ସୀମିତ। ସ୍ଥାନୀୟ ଓ ଆଞ୍ଚଳିକ ଗଣମାଧ୍ୟମ ପାଉଥିବା ଯତ୍‌ କିଞ୍ଚିତ୍‌ ସ୍ବାଧୀନତା, ହରାଇସାରିଛନ୍ତି।

ବର୍ଷେ ତଳେ ପ୍ରଧାନମନ୍ତ୍ରୀ କାଶ୍ମୀରବାସୀଙ୍କୁ ଯେଉଁ ‘ନବ ପ୍ରଭାତ’ ଏବ˚ ‘ଉଜ୍ଜ୍ବଳ ଭବିଷ୍ୟତ୍‌’ର ପ୍ରତିଶ୍ରୁତି ଦେଇଥିଲେ, ତାହାର ବାସ୍ତବତା ଏହି ପରି। ଇତି ମଧ୍ୟରେ କେନ୍ଦ୍ର ସରକାର ଓ ଗୃହ ମନ୍ତ୍ରାଳୟ କାଶ୍ମୀର ବାବଦରେ ନିଜର ନିଷ୍ଠା ଓ ଅଙ୍ଗୀକାର ଭାବ ଦେଖାଇଛନ୍ତି। ତେବେ, ତାହା କାଶ୍ମୀରୀଙ୍କ ଦମନ ମଧ୍ୟରେ ସୀମିତ। ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ମଙ୍ଗଳ ପାଇଁ କିଛି ବି କରାଯାଇନାହିଁ।

କାଶ୍ମୀରୀଙ୍କ ପାଇଁ ଦୁର୍ଦଶା କିଛି ନୂଆ କଥା ନୁହେଁ। ଅଗଷ୍ଟ ୨୦୧୯ ପୂର୍ବରୁ ମଧ୍ୟ ସେମାନେ କୌଣସି ସ୍ବର୍ଗରେ ବାସ କରୁ ନ ଥିଲେ। ପାକିସ୍ତାନର ଆତଙ୍କବାଦୀ ପୃଷ୍ଠପୋଷକତା, ଇସଲାମୀୟ ମୌଳବାଦୀ, କାଶ୍ମୀର ମଧ୍ୟରେ ଦୁର୍ବଳ ଏବ˚ ବେଳେ ବେଳେ ଦୁର୍ନୀତି-ପରାୟଣ ନେତୃତ୍ବ ଆଦି କାଶ୍ମୀରୀଙ୍କ ଦୁରବସ୍ଥା ପାଇଁ ଦାୟୀ। ଦିଲ୍ଲୀ ବି କିଛି କମ୍‌ ଦାୟୀ ନୁହେଁ। ଅଗଷ୍ଟ ୨୦୧୯ ପୂର୍ବରୁ ମଧ୍ୟ ଦିଲ୍ଲୀ ପକ୍ଷରୁ ଅନେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନେହରୁ, ଶାସ୍ତ୍ରୀ, ଇନ୍ଦିରା ଓ ରାଜୀବ ସରକାର କାଶ୍ମୀରବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ ହେଁ ପୂରଣ କରି ନ ଥିଲେ। ସେମାନଙ୍କ କାର୍ଯ୍ୟକାଳରେ ମଧ୍ୟ ଅନେକ ଥର ମାନବିକ ଅଧିକାର ଭଙ୍ଗ ହୋଇଥିଲା।

ତେବେ, ଗତ ବର୍ଷ ମୋଦୀ-ଶାହ ଯାହା କଲେ, ତାହା ନିମ୍ନତମ। ଜାଣିଶୁଣି ଏବ˚ ଯୋଜନାବଦ୍ଧ ଭାବେ ସେହି ପରି କରାଗଲା, ଯାହା ଦ୍ବାରା କାଶ୍ମୀରୀବାସୀ ଅଧିକ ନିର୍ଯାତିତ ହେଲେ। ଆମେ ଯେଉଁ ଧର୍ମର ହୋଇଥାଉ ନା କାହିଁକି, ଯେଉଁ ରାଜନୈତିକ ଦଳକୁ ସମର୍ଥନ ଦେଉଥାଉ ନା କାହିଁକି, ଯଦି ଆମ ଭିତରେ ସାମାନ୍ୟ ନୈତିକ ବିଚାରବୋଧ ବଞ୍ଚିଥିବ, ସରକାରର କାର୍ଯ୍ୟ-କଳାପ ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି ଆମେ କହିବା।

ସମ୍ବନ୍ଧିତ ଖବର