ହାତୀ ସୁରକ୍ଷାର ଉପାୟ

ହସ୍ତୀ ଦିବସ ଅନୁଚିନ୍ତା - ଦେବବ୍ରତ ସ୍ୱାଇଁ

ହାତୀ ଆମର ଐତିହ୍ୟ ପ୍ରାଣୀ। କଳିଙ୍ଗ ବା ଏବର ଓଡ଼ିଶା ଯୁଗେ ଯୁଗେ ହାତୀ ପାଇଁ ପ୍ରସିଦ୍ଧି ଲାଭ କରିଅଛି। ମହାଭାରତର ସଭା ପର୍ବରେ ବର୍ଣ୍ଣିତ ଅଛି ଯେ କଳିଙ୍ଗ ନରପତି ଦୁର୍ଯ୍ୟୋଧନଙ୍କୁ ବହୁ ପରିମାଣରେ ହାତୀ ଦାନ୍ତ ଉପ‌ଢୌକନ ଭାବେ ପ୍ରଦାନ କରିଥିଲେ। ଧଉଳି ଠାରେ ଅଶୋକ ଶିଳାଲେଖର ପୂର୍ବରୁ ସେହି ସ୍ଥାନରେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ହସ୍ତୀ ଶୁଣ୍ଢ ସହିତ ମସ୍ତକର ବିଶ୍ୱର ପ୍ରଥମ ଖୋଦିତ ମୂର୍ତ୍ତି ବିଦ୍ୟମାନ। ଉତ୍କଳର ନରପତିମାନେ ‘ଗଜପତି’ ନାମେ ଖ୍ୟାତ। ଗଙ୍ଗ ବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗ ଦେବଙ୍କର ୯୯୦୦୦ ହାତୀ ଥିବାରୁ ତାଙ୍କୁ ‘ନବ ନବତୀସହସ୍ରକୁଞ୍ଜରାଧିଶ୍ୱର’ ନାମରେ ସମ୍ବୋଧିତ କରାଯାଉଥିଲା। ହସ୍ତୀ ଚିତ୍ର କୋଣାର୍କ ମନ୍ଦିର ଗାତ୍ରରେ ବହୁଳ ଭାବେ ପରିଦୃଷ୍ଟ ହୋଇଥାଏ।

ମାତ୍ର ଆଜି ଓଡ଼ିଶା ହାତୀ ସମସ୍ୟା ନେଇ ଜର୍ଜରିତ। ହାତୀ-ମଣିଷ ଲଢ଼େଇ ଯୋଗୁଁ ଉଭୟ ହାତୀ ଏବଂ ମଣିଷଙ୍କ ଅନେକ କ୍ଷତି ସାଧିତ ହେଲାଣି। ଯଦିଓ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଉଦୟଗିରି ଗୁମ୍ଫାରେ ହାତୀର ପଦ୍ମ ପୋଖରୀରେ ପ୍ରବେଶ ଏବଂ ଏଥିରେ ଆତଙ୍କିତ ନରନାରୀଙ୍କ ଚିତ୍ର ଖୋଦେଇ ହୋଇଛି, ମାତ୍ର ସେତେବେଳେ ହାତୀ ଯୋଗୁଁ କ୍ଷୟକ୍ଷତିର ହିସାବ କେଉଁଠି ହେଲେ ଉଲ୍ଲିଖିତ ନାହିଁ।

ବିଗତ ଦଶ ବର୍ଷରେ ଓଡ଼ିଶାରେ ହାତୀ ଯୋଗୁଁ ୭୪୪ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି। ସେହିଭଳି ସେହି ସମୟରେ ୭୪୦ଟି ହାତୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏକ ପରିସଂଖ୍ୟାନରୁ ଜଣାଯାଏ ଯେ ୨୦୦୫-୦୬ରୁ ୨୦୧୨-୧୩ ମଧ୍ୟରେ ଓଡ଼ିଶା ସରକାର ଜୀବନହାନି ପାଇଁ ୪୫୫ ଲକ୍ଷ ଟଙ୍କା ଅନୁକଂପାମୂଳକ ରାଶି ଭାବେ ପ୍ରଦାନ କରିବା ସହ ସେହି ସମୟରେ ଖାଦ୍ୟଶସ୍ୟ ହାନି ଏବଂ ଘରଭଙ୍ଗା ଆଦି ପାଇଁ ୧୫୧୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି।

ଏହି ବର୍ଷ ଜାନୁଆରି ୧୧ରୁ ୨୧ ମଧ୍ୟରେ ୧୧ ଦିନ ବ୍ୟାପୀ ‘ସେଭ ଏଲିଫାଣ୍ଟ ଫାଉଣ୍ଡେସନ’ ତରଫରୁ ମୟୂରଭଞ୍ଜର ଶିମିଳିପାଳ ଠାରୁ ଅନୁଗୁଳର ସାତକୋଶିଆ ପର୍ଯ୍ୟନ୍ତ ୪୦୦ କିଲୋମିଟରର ‘କରିଡର ପଦଯାତ୍ରା’ ଆୟୋଜିତ ହୋଇଥିଲା। ତହିଁରେ ଓଡ଼ିଶା ପରିବେଶ ସମିତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଡେରାଡୁନସ୍ଥିତ ବନ୍ୟ ଜୀବ ପ୍ରତିଷ୍ଠାନ ଏବଂ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ଗବେଷକମାନେ ଯୋଗ ଦେଇଥିଲେ। ଏହି ଲେଖକ ମଧ୍ୟ ତହିଁରେ ଅଂଶ ଗ୍ରହଣ କରିଥିଲା।

ଏବେ ଶିମିଳିପାଳ ଓ ସାତକୋଶିଆରେ ଯଥାକ୍ରମେ ୫୦୦ ଏବଂ ୨୦୦ ହାତୀ ରହିଛନ୍ତି। ଏହା ସହିତ ଏହି ଦୁଇ ରିଜର୍ଭ ବା ହାତୀ ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ବିଭିନ୍ନ ଜିଲ୍ଲାରେ ୫୦୦ରୁ ଅଧିକ ହାତୀ ବାସ କରୁଛନ୍ତି। ସେଥିପାଇଁ ଶିମିଳିପାଳରୁ ସାତକୋଶିଆ ହାତୀ ଚଲାପଥର ଗୁରୁତ୍ୱ ରହିଛି। କିନ୍ତୁ ଏହି ଚଲାପଥରେ ରହିଛି ଚାରିଟି ଜାତୀୟ ରାଜପଥ, ତିନି ରେଳଲାଇନ, ଲୌହ ବା କୋଇଲାଖଣି ଏବଂ ରେଙ୍ଗାଲି ତଥା ମଞ୍ଜୋର ଜଳସେଚନ ପ୍ରକଳ୍ପର କେନାଲମାନ। କେଉଁଠି ହେଲେ ହାତୀ ଚଳପ୍ରଚଳନ ପାଇଁ ଠିକ ମାର୍ଗ ତିଆରି ହୋଇନାହିଁ। ରେଙ୍ଗାଲି କେନାଲ ଉପରେ ହାତୀ ଯିବା ଆସିବା ପାଇଁ ଯେଉଁ ପୋଲ ନିର୍ମିତ ହୋଇଛି ତାହା ପ୍ରଶସ୍ତ ହୋଇ ନ ଥିବା କାରଣରୁ ହାତୀମାନେ ତାହାକୁ କ୍ବଚିତ ବ୍ୟବହାର କରୁଛନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ସୀମିତ ସ୍ଥାନରେ ହାତୀ ସବୁ ଆବଦ୍ଧ ହୋଇ ଅନେକ ଧନ ଜୀବନ କ୍ଷତି କରୁଛନ୍ତି।

ହାତୀ ଯଦିଓ ଏକ ଶହରୁ ଅଧିକ ବନସ୍ପତିକୁ ଖାଦ୍ୟ ରୂପେ ବ୍ୟବହାର କରିଥା’ନ୍ତି, ଜଙ୍ଗଲରେ ତାଙ୍କର ମୁଖ୍ୟ ଖାଦ୍ୟ ହେଉଛି ଶାଳିଆ ବାଉଁଶ। ଏହି ପ୍ରଜାତିର ବାଉଁଶର ଘୋର ଅଭାବ ରହିଛି। ଏଥିପାଇଁ ଶାଳିଆ ବାଉଁଶର ସଂରକ୍ଷଣ ଏବଂ ଅଭିବୃଦ୍ଧି ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଏହି ‘ହାତୀ କରିଡର’ ଯାତ୍ରା ଭିତରେ ଦେଖିବାକୁ ମିଳିଥିଲା ଯେ ଆଠମଲ୍ଲିକ ବନ ଡିଭିଜନର ଉତ୍ତର ସରଂକ୍ଷିତ ଜଙ୍ଗଲରେ ଖୋଲାରେଗଡ଼ା ନାମକ ଗାଁ ଲୋକେ ଆଖୁ, ଧାନ ଓ ବିଭିନ୍ନ ପନିପରିବା ଚାଷ ଜଙ୍ଗଲ ମଧ୍ୟସ୍ଥଳରେ କରୁଛନ୍ତି। ସେହି ଗ୍ରାମ ଦେଇ ହାତୀ ଦଳ ଯିବା ଆସିବା କରୁଥିବା ସତ୍ତ୍ବେ ଶସ୍ୟକ୍ଷେତ୍ର କିମ୍ବା ଘରଦ୍ୱାରକୁ କୌଣସି କ୍ଷତି କରୁନାହାନ୍ତି। ଜଙ୍ଗଲରେ ହାତୀ ପାଇଁ ଯଥେଷ୍ଟ ଖାଦ୍ୟ ଥିଲେ, ସେମାନେ ଜନବସତି ଆଡ଼କୁ ଆସିବେ ନାହିଁ, ଖୋଲାରେଗଡ଼ା ଗ୍ରାମ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ।

ଗତ ଦଶ ବର୍ଷରେ ହାରାହାରି ବର୍ଷକୁ ୭୪ ଜଣ ମଣିଷଙ୍କର ଜୀବନହାନି ହାତୀ ଯୋଗୁଁ ହୋଇଥିବାବେଳେ ସମ ସଂଖ୍ୟାର ହାତୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏଥିରୁ ଜଣାଯାଉଛି ଯେ ମନୁଷ୍ୟର ଜୀବନହାନି ସହିତ ହାତୀ ଜୀବନହାନିର ସିଧାସଳଖ ସମ୍ପର୍କ ରହିଛି। ସେଥିପାଇଁ ବନ ବିଭାଗ ପକ୍ଷରୁ ହାତୀ ଯୋଗୁଁ ହେଉଥିବା ମନୁଷ୍ୟର ମୃତ୍ୟୁକୁ ରୋକିବା ଦିଗ‌େର ଉଦ୍ୟମ କରିବା ଉଚିତ। ‘ସେଭ ଏଲିଫାଣ୍ଟ ଫାଉଣ୍ଡେସନ’ ପକ୍ଷରୁ ସେଥିପାଇଁ ଆଠଗଡ଼ ଡିଭିଜନରେ ଗାଁ ମାନଙ୍କରେ ହାତୀ ସାଥୀ ଗଠନ କରାଯାଇଛି। ଏହି ହାତୀ ସାଥୀମାନେ ଗ୍ରାମ ପରିସରକୁ ହାତୀ ଆସିଲେ ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ହାତୀ ପାଖକୁ ନ ଯିବା ପାଇଁ ସତର୍କ କରାଉଛନ୍ତି। ହାତୀମାନେ ଅବାଧିତ ଭାବେ ଖାଦ୍ୟଶସ୍ୟ ଖାଇଲେ କ୍ଷତି କମ କରୁଛନ୍ତି ଏବଂ ହାତୀ ସାଥୀ ତଥା ସରକାରଙ୍କ ଦ୍ୱାରା ନିୟୋଜିତ ଗଜବନ୍ଧୁମାନେ ବନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କ୍ଷୟକ୍ଷତି ଜନିତ ସହାୟତା ରାଶି କିଭଳି ଶୀଘ୍ର ମିଳିବ ତାର ବ୍ୟବସ୍ଥା କରୁଛନ୍ତି।

ତେଣୁ ପରିଶେଷରେ କହିବା ଯେ ହାତୀ ପାଇଁ ପ୍ରଥମ ସୁରକ୍ଷା କବଚ ହେଉଛି ହାତୀ ଚଲାପଥ ଉପରେ ରାଜପଥ ବା ରେଳପଥ ବା କେନାଲ ନିର୍ମାଣ କରାଗଲା ବେଳେ ସେମାନଙ୍କ ଅବାଧ ଚଳପ୍ରଚଳ ଲାଗି ବ୍ୟବସ୍ଥା କରିବା। ଦ୍ବିତୀୟଟି ହେଲା ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣରେ ଶାଳିଆ ବାଉଁଶର ବୀଜବପନ କରିବା। ତୃତୀୟଟି ହେଲା ହାତୀ ଜନିତ ମନୁଷ୍ୟ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟାଇବାର ଚେଷ୍ଟା କରିବା। ଚତୁର୍ଥଟି ହେଉଛି ଅଧିକରୁ ଅଧିକ ସ୍ବେଚ୍ଛାସେବୀ ବାହିନୀ ଗଠନ କରି ହାତୀମାନଙ୍କ ସଂପର୍କରେ ହାତୀ ଉପଦ୍ରୁତ ଅଞ୍ଚଳରେ ଠିକ ସଚେତନତାର ପ୍ରସାର କରିବା। ଏହା ହେଲେ ହାତୀ ଓ ମଣିଷ ଉଭୟଙ୍କ ଉପକାର ହେବ।

(ଅଗଷ୍ଟ ୧୨, ବିଶ୍ବ ହସ୍ତୀ ଦିବସ ଅବସରରେ)

ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ

ସମ୍ବନ୍ଧିତ ଖବର