ସ୍ୱଦେଶୀ କହିବା କାହାକୁ?

ସରଳ ବିଚାର - ସରଳ କୁମାର ଦାସ

କିଛି ଦିନ ଧରି ‘ଆତ୍ମନିର୍ଭର’, ‘ସ୍ବଦେଶୀ’, ‘ଚାଇନା ସାମଗ୍ରୀ ବର୍ଜନ କର’ ଭଳି ଶବ୍ଦ ଓ ସ୍ଳୋଗାନମାନ ଅଧିକ ଶୁଣାଯିବା‌େର ଲାଗିଛି। ତେବେ, ବର୍ତ୍ତମାନ ସମଗ୍ର ବିଶ୍ବ ଯେତେବେଳେ ଗୋଟିଏ ବଜାରରେ ପରିଣତ ହୋଇ ସାରିଛି, ସେତେବେଳେ ସ୍ୱଦେଶୀ ପ୍ରସଙ୍ଗ ଉଠିଲେ ମନରେ ଯେଉଁ ପ୍ରଶ୍ନଗୁଡ଼ିକ ଉଙ୍କି ମାରୁଛି, ସେଗୁଡ଼ିକର ଉତ୍ତର ଖୋଜିବା ଉଚିତ ହେବ।

ଭାରତୀୟ କମ୍ପାନିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରତି ଆମର ଦୁର୍ବଳତା ଥିଲେ ବି ସବୁ କ୍ଷେତ୍ରରେ ସେହି ଉତ୍ପାଦଗୁଡିକୁ ସ୍ବଦେଶୀ ବୋଲି କହି ହେବ କି? ଆଇନ ଅନୁଯାୟୀ ଭାରତରେ ପଂଜିକୃତ କମ୍ପାନିଗୁଡ଼ିକୁ ଭାରତୀୟ କମ୍ପାନି ବୋଲି କୁହାଯାଇଥାଏ। ତଦନୁସାରେ ଯେ କୌଣସି ବିଦେଶୀ ନାଗରିକ ବା ସଂସ୍ଥା ଭାରତରେ କମ୍ପାନି ପ୍ରତିଷ୍ଠା କରି ପାରିବେ ଓ ତାହା ଭାରତୀୟ କମ୍ପାନି ଭାବେ ପରିଗଣିତ ହେବ। ଆଇନ ଦୃଷ୍ଟିରୁ ସେଗୁଡ଼ିକ ଭାରତୀୟ କମ୍ପାନି ହୋଇଥିଲେ ମଧ୍ୟ ସେଗୁଡ଼ିକୁ ନେଇ ଜଣେ ଭାରତୀୟ ପ୍ରକୃତ ଅର୍ଥରେ ସେତିକି ଗର୍ବ ଅନୁଭବ କରିଥାଏ କି? ଗୋଟିଏ କଂପାନିର ମାଲିକାନା ବଦଳି ଯାଇପାରେ, ହେଲେ କମ୍ପାନି ତା’ର ସତ୍ତା ହରାଇ ନ ଥାଏ। ଉଦାହରଣ ସ୍ୱରୂପ ଯଦି ‘ଏୟାର ଇଣ୍ଡିଆ’କୁ ବିଦେଶର କୌଣସି କମ୍ପାନି କିଣେ, ତେବେ ‘ଏୟାର ଇଣ୍ଡିଆ’ ତାର ସ୍ବଦେଶୀ ସତ୍ତା ରଖିପାରିବ କି?

ସେମିତି ଗୋଟିଏ କମ୍ପାନିର ମାଲିକ ଭାରତୀୟ ହୋଇଥିଲେ ଉତ୍ପାଦଟିକୁ ସ୍ୱଦେଶୀ କହି ହେବ କି? ଭାରତୀୟ ବା ଭାରତୀୟ ମୂଳର ଲୋକଙ୍କ ଦ୍ବାରା ଏବେ ବିଶ୍ବର ବିଭିନ୍ନ ଦେଶରେ କମ୍ପାନିମାନ ପ୍ରତିଷ୍ଠିତ ହୋଇଛି। ‘କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ’ (ସିଆଇଆଇ) ଦ୍ବାରା ୨୦୧୮ରେ ପ୍ରସ୍ତୁତ ‘ଗ୍ରୋଇଂ ଫୁଟ ପ୍ରିଣ୍ଟସ ଅଫ ଇଣ୍ଡିଆନ କମ୍ପାନିଜ ଇନ ଚାଇନା’ ରିପୋର୍ଟ ଅନୁଯାୟୀ କେବଳ ଚୀନର ସାଂଘାଇ, ବେଜିଂ, ଜିୟାଙ୍ଗସୁ, ଗୁଆଙ୍ଗଡଙ୍ଗ, ଝେଜିୟାଙ୍ଗ ଆଦି ସହରମାନଙ୍କରେ ଭାରତୀୟଙ୍କ ଦ୍ବାରା ୫୪ଟି କମ୍ପାନି ସ୍ଥାପିତ ହୋଇଛି। ଏଥିରେ ୫୦%ରୁ ଅଧିକ ସ୍ଥାନୀୟ ଚୀନ ଲୋକ କାମ କରିଥାଆନ୍ତି। ଭାରତକୁ ଆମଦାନି ହେଉଥିବା ସେହି କମ୍ପାନିଗୁଡ଼ିକର ଉତ୍ପାଦକୁ ଆଉ ସ୍ବଦେଶୀ ବୋଲି କୁହାଯିବ କି? ସେହିପରି ଭାରତୀୟ ବହୁରାଷ୍ଟ୍ରୀୟ କମ୍ପାନିଙ୍କ ଦ୍ବାରା ବିଦେଶରେ ପ୍ରସ୍ତୁତ ହୋଇ ଭାରତରେ ବିକ୍ରି ହେଉଥିବା ସାମଗ୍ରୀକୁ ଭାରତୀୟ କହିବାକୁ ମନ ବଳିବନି।

କେବଳ ଦେଶ ଭିତରେ ଉପଲବ୍‌ଧ କଞ୍ଚାମାଲ ବା ଯନ୍ତ୍ରାଂଶରେ ଉତ୍ପାଦଟିଏ ପ୍ରସ୍ତୁତ ହେଲେ ଯାଇ ତାକୁ ସ୍ୱଦେଶୀ କୁହାଯିବା ଉଚିତ କି? ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ବା ଯନ୍ତ୍ରାଂଶ ଦେଶ ଭିତରୁ ମିଳି ପାରୁ ନ ଥିବାରୁ ସ୍ଥଳ ବିଶେଷରେ ବିଦେଶରୁ ଆମଦାନି ଉପରେ ନିର୍ଭର କରିବାକୁ ହୋଇଥାଏ। କିନ୍ତୁ ଏପରି କିଛି କମ୍ପାନି ତ ନିର୍ଦ୍ଦିଷ୍ଟ କିଛି ଉତ୍ପାଦ ପାଇଁ ଅଧିକାଂଶ ଏପରିକି ଶତ ପ୍ରତିଶତ ଯନ୍ତ୍ରାଂଶ ବିଦେଶରୁ ଆଣି ଏଠାରେ କେବଳ ଖଞ୍ଜାଖଞ୍ଜି କରି ସେଥିରେ ‘ମେଡ ଇନ ଇଣ୍ଡିଆ’ ଛାପ ଲଗାଇଥାଆନ୍ତି। କିଛି କମ୍ପାନି ତ ଖାଲି ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଏଇ ରାସ୍ତାଟିକୁ ବାଛିଥା’ନ୍ତି। ତେଣୁ କେବଳ ‘ମେଡ ଇନ ଇଣ୍ଡିଆ’ ଛାପ ଲାଗିଛି ବୋଲି କ’ଣ ସେଗୁଡ଼ିକୁ ସ୍ୱଦେଶୀ ଜିନିଷ ଭାବେ ଗ୍ରହଣ କରାଯାଇପାରିବ?

କେବଳ ସ୍ବଦେଶୀ ଶ୍ରମବଳକୁ ଉପଯୋଗ କରି ଦେଶରେ ପ୍ରସ୍ତୁତ ଉତ୍ପାଦଟି ସ୍ୱଦେଶୀ ପର୍ଯ୍ୟାୟଭୁକ୍ତ ହେବ କି? ଭାରତରେ ଶ୍ରମଶକ୍ତିର ଅଭାବ ନ ଥିଲେ ବି କିଛି ବିଶେଷ ଧରଣର କାମ ପାଇଁ ଆବଶ୍ୟକ ଉନ୍ନତ ମାନର ଦକ୍ଷ ଶ୍ରମିକ ସକାଶେ ବାହାର ଦେଶ ବା ରାଜ୍ୟ ଉପରେ ନିର୍ଭର କରିବାକୁ ହୋଇଥାଏ। ‘ମ୍ୟାନ ପାୱାର ଟ୍ୟାଲେଣ୍ଟ ସର୍ଟେଜ ସର୍ଭେ’ର ରିପୋର୍ଟ ଅନୁଯାୟୀ ଭାରତର ଦୁଇ-ତୃତୀୟାଂଶ କମ୍ପାନି ଦେଶ ଭିତରେ ଆବଶ୍ୟକ ସଂଖ୍ୟକ ଉନ୍ନତ ଦକ୍ଷ ଶ୍ରମବଳ ମିଳିବାରେ ଅସୁବିଧା ହେଉଛି ବୋଲି ଦର୍ଶାଇଛନ୍ତି। ଦକ୍ଷ ଶ୍ରମିକଙ୍କ ଅଭାବ ଦେଖା ଦେଇଥିବାରୁ ଚୀନ ମଧ୍ୟ ବିଦେଶରୁ ପ୍ରତିଭାସମ୍ପନ୍ନ ଉଦ୍ୟମୀ ଶ୍ରମ ବଳଙ୍କୁ ନିଜ ଦେଶକୁ ଆକୃଷ୍ଟ କରି ଆଣିବା ପାଇଁ ୨୦୦୮ ମସିହାରେ ଚୀନ ଗ୍ରିନ କାର୍ଡ ଓ ଅନ୍ୟାନ୍ୟ ଲୋଭନୀୟ ଯୋଜନାମାନର ଘୋଷଣା କରିଥିଲା। ବିଶ୍ବର ପ୍ରାୟ ସବୁ ବିକଶିତ ଦେଶ ସେହି ପନ୍ଥା ହିଁ ଅନୁସରଣ କରିଥାଆନ୍ତି। ତେଣୁ ଭାରତର କମ୍ପାନିଗୁଡ଼ିକରେ ବିଦେଶୀ ଶ୍ରମ ବଳ ନିୟୋଜିତ ହୋଇ ସାମଗ୍ରୀ ପ୍ରସ୍ତୁତ କଲେ ତାକୁ ସ୍ବଦେଶୀ ବୋଲି କହି ପାରିବା କି?

ବିଦେଶୀ ଯନ୍ତ୍ରପାତି ଓ ଜ୍ଞାନକୌଶଳରେ ଦେଶରେ ନିର୍ମିତ ଉତ୍ପାଦଟିକୁ ସ୍ୱଦେଶୀ ବୋଲି କହି ହେବ କି? ସ୍ୱଦେଶୀ ଜ୍ଞାନକୌଶଳକୁ ବିଶ୍ୱସ୍ତରୀୟ କରିବା ପାଇଁ ଆମ ଦେଶରେ ଗବେଷଣା ଓ ଅନୁସନ୍ଧାନର ବିକାଶ ଉପରେ ଯଥୋଚିତ ଧ୍ୟାନ ଦିଆଯାଉନାହିଁ। ଫଳରେ ଆମକୁ ଏବେ ବି ବିଦେଶୀ ଜ୍ଞାନକୌଶଳ ଉପରେ ନିର୍ଭର କରିବାକୁ ହେଉଛି। ସ୍ୱଦେଶୀ ଜ୍ଞାନକୌଶଳର ଆଦୃତିକୁ ବଢ଼ାଇବା ପାଇଁ ଦୁଇଟି ସ୍ତରରେ ଉଦ୍ୟମ ହୋଇପାରେ। ପ୍ରଥମ, ଯେଉଁଥିପାଇଁ ବିଦେଶୀ ଜ୍ଞାନକୌଶଳ ଉପରେ ନିର୍ଭର କରିବାକୁ ହେଉଛି, ତାହା ତୁରନ୍ତ କିପରି ଭାରତରେ ବିକଶିତ ହୋଇପାରିବ ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବାକୁ ହେବ। ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ ଦେବାକୁ ହେବ। ଦ୍ୱିତୀୟ, ଉପଲବ୍‌ଧ ପାରମ୍ପରିକ ଜ୍ଞାନକୌଶଳଗୁଡ଼ିକୁ ଆଉ ଟିକେ ଘଷି ମାଜି ଉପଯୋଗୀ କରାଇବା; କାରଣ ସାଧାରଣତଃ ସେଗୁଡ଼ିକ ବ୍ୟୟବହୁଳ ନ ହୋଇ ଶ୍ରମଭିତ୍ତିକ ହୋଇଥିବାରୁ ଗ୍ରାମାଞ୍ଚଳରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।

ବିଦେଶୀ ପୁଞ୍ଜିରେ ଦେଶରେ ପ୍ରସ୍ତୁତ ହୋଇଥିବା ଉତ୍ପାଦଟିକୁ ସ୍ୱଦେଶୀ କହି ହେବ କି? ଶିଳ୍ପ ପ୍ରତିଷ୍ଠା ଓ ପରିଚାଳନା ପାଇଁ ଆବଶ୍ୟକ ପରିମାଣରେ ପୁଞ୍ଜି ଦେଶ ଭିତରେ ଉପଲବ୍‌ଧ ହୋଇ ପାରୁ ନ ଥିବାରୁ ବିଦେଶୀ ପୁଞ୍ଜି ଉପରେ ନିର୍ଭର କରିବାକୁ ପଡୁଛି। ଏହାର କୌଣସି ବିକଳ୍ପ ଥିବା ଭଳି ଲାଗୁ ନାହିଁ। ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ପାଇଁ ସରକାର ମଧ୍ୟ ଅଧିକ ଆଗ୍ରହ ଦେଖାଇ ନିୟମରେ ପରିବର୍ତ୍ତନ କରୁଛନ୍ତି। ଏହାଦ୍ବାରା ଗତ ଛଅ ବର୍ଷ ଭିତରେ ଦେଶକୁ ରେକର୍ଡ ପରିମାଣର ବିଦେଶୀ ପୁଞ୍ଜି ଆସିପାରିଛି। ଏଭଳି ସ୍ଥଳେ ସ୍ବଦେଶୀ ବୋଲି କାହାକୁ କହିବା?

ପ୍ରତିଟି ନାଗରିକ ଜଣେ ଖାଉଟି। ନାଗରିକ ଭାବେ ସେ ଦେଶ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିଲେ ମଧ୍ୟ ଖାଉଟି ଭାବେ ତା’ର ବ୍ୟକ୍ତିଗତ ସ୍ୱାର୍ଥକୁ ସେ ସର୍ବାଧିକ ଗୁରୁତ୍ବ ଦେଇପାରେ। ଅତୀତରେ ଇଟାଲି ଭଳି ଅନେକ ଦେଶରେ ଏହି ଜାତୀୟ ସ୍ୱାଭିମାନକୁ ଉଦ୍ରେକ କରି ସ୍ୱଦେଶୀ ଜିନିଷ ପ୍ରତି ଖାଉଟିଙ୍କୁ ଆକର୍ଷିତ କରିବାର ଉଦ୍ୟମ ସଫଳ ହୋଇପାରିନାହିଁ। ତହିଁର ଏକ ପ୍ରମୁଖ କାରଣ ହେଲା ଜିନିଷଟିଏ କିଣିଲା ବେଳେ ତା’ର ମୂଲ୍ୟ ଓ ଗୁଣବତ୍ତାକୁ ତଉଲି ଖାଉଟି ନିଜ ନିଷ୍ପତ୍ତି ନେଇଥାଏ। ଭାରତ ବଜାରରେ ବିଦେଶୀ ସାମଗ୍ରୀର ପ୍ରବେଶ ଉପରେ କଟକଣା ଥିଲା ବେଳେ ଭାରତୀୟ କମ୍ପାନିମାନେ ଖାଉଟିମାନଙ୍କୁ ଅପେକ୍ଷାକୃତ ନିମ୍ନ ମାନର ଦ୍ରବ୍ୟକୁ ଅଧିକ ଦାମରେ ବିକୁ ଥିବାର ଅଭିଯୋଗ ହେଉଥିଲା। ବିଦେଶୀ କମ୍ପାନିଙ୍କ ପ୍ରବେଶ ଫଳରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହେବାରୁ ଜଣେ ଖାଉଟି ଉଭୟ ମୂଲ୍ୟ ଓ ମାନ ଦୃଷ୍ଟିରୁ ଲାଭାନ୍ୱିତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ସ୍ୱଦେଶୀ କଥା କହିଲା ବେଳେ ଆମର ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷର ଉତ୍ପାଦନ ପାଇଁ ଆମେ ଯେତେ ଅଧିକ ଆତ୍ମନିର୍ଭର ହୋଇ ପାରିବା ତା’ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଚୀନ ଓ ବିଦେଶୀ ସାମଗ୍ରୀକୁ ବହିଷ୍କାର କରାଗଲେ, ତା’ ପରେ ସୃଷ୍ଟି ହେବାକୁ ଯାଉଥିବା ଶୂନ୍ୟସ୍ଥାନ ପୂରଣ କରିବାକୁ ପ୍ରସ୍ତୁତି ରହିବା ଆବଶ୍ୟକ। ଯେତେବେଳେ ଚୀନରୁ ଗଣେଶ ମୂର୍ତ୍ତି ତିଆରି ହୋଇ ନ ଆସିଲେ ଏଠି ପୂଜା ହୋଇପାରୁ ନାହିଁ, ସେତେବେଳେ ଭାରତରେ ସେହି ମାନର ମୂର୍ତ୍ତି କିପରି ସେହି ଦରରେ ମିଳିବ, ତାହା ପ୍ରାଥମିକତା ପାଇବା ଜରୁରୀ।

ଦେଶରେ ବିଭିନ୍ନ ଜିନିଷ ଉତ୍ପାଦନ କରୁଥିବା ଉଦ୍ୟୋଗଗୁଡ଼ିକୁ ବିଭିନ୍ନ ସୁବିଧା ଦେବା କଥା ବିଚାର କରାଯାଇପାରେ। ଅନ୍ୟ ପକ୍ଷରେ ଉନ୍ନତ ମାନର ଜୀବନ ପାଇଁ ବ୍ୟବହୃତ ହେଉଥିବା କମ୍ପ୍ୟୁଟର, ମୋବାଇଲ ଭଳି ଇଲେକ୍ଟ୍ରୋନିକ ଉପକରଣ ଓ ଅନ୍ୟାନ୍ୟ ସୌଖୀନ ସାମଗ୍ରୀଗୁଡ଼ିକର ଉତ୍ପାଦନ ଓ ବିକ୍ରିବଟା ପାଇଁ ଉଭୟ ସ୍ୱଦେଶୀ ଓ ବିଦେଶୀ କମ୍ପାନିଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଗଲେ ତାହା ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହ ଭାରତୀୟ କମ୍ପାନିମାନଙ୍କ ଠାରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ସୃଷ୍ଟି କରିିବ।

ସବୁ ସମୟରେ ସ୍ବଦେଶୀ ଓ ଭାରତୀୟ ଏକା କଥା ହୋଇ ନ ପାରେ। ଉଦାହରଣ ସ୍ବରୂପ, ଓଡ଼ିଶା ଲୋକଙ୍କ ପାଇଁ ତାମିଲନାଡୁର ପ୍ରିଣ୍ଟ ଲୁଙ୍ଗିଟି ଭାରତୀୟ ହୋଇପାରେ କିନ୍ତୁ ସମ୍ବଲପୁରୀ ଲୁଙ୍ଗିଟି ସ୍ବଦେଶୀ। ଏବେ ପାଇଁ ତିରୁପୁରରେ ତିଆରି ଗଞ୍ଜିଟି ସ୍ବଦେଶୀ ହୋଇପାରେ, କିନ୍ତୁ କାଲି ଯଦି ମୟୂରଭଞ୍ଜର ଗଞ୍ଜି କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଯିବ (ଏବେ ବନ୍ଦ ଅଛି), ତେବେ ତାହା ସ୍ବଦେଶୀ ହୋଇଯିବ ଆଉ ତିରୁପୁରର ଗଞ୍ଜି ଭାରତୀୟ। ସେହିପରି ସବୁବେଳେ ସ୍ବଦେଶୀ ଓ ସ୍ଥାନୀୟ ମଧ୍ୟ ସମାନ ହୋଇ ନ ପାରେ। ଯେମିତି ଯେ କୌଣସି ସ୍ଥାନରେ ଦେଶୀ ବିହନ ଓ ଦେଶୀ ପଦ୍ଧତିରେ ଉତ୍ପାଦିତ ଧାନକୁ ଦେଶୀ ଧାନ କହି ହେବ। ଅଥଚ ନିଜ ଗାଁରେ ଉତ୍ପାଦିତ ସ୍ବର୍ଣ୍ଣ ଜାତୀୟ ଧାନକୁ ଦେଶୀ ବୋଲି କହି ହେବନାହିଁ। ଗାନ୍ଧୀଜୀଙ୍କର ସ୍ବଦେଶୀ ସମ୍ପର୍କରେ ବିଚାରକୁ ଅନୁଶୀଳନ କଲେ ଜଣାଯାଏ ଯେ ସେ ଗ୍ରାମଗୁଡ଼ିକ ସ୍ବାବଲମ୍ବୀ ହେବା ଉପରେ ଗୁରୁତ୍ବ ଦେଉଥିଲେ ବି କୌଣସି ସାମଗ୍ରୀକୁ ଏପରିକି ବିଦେଶୀ ସାମଗ୍ରୀକୁ ଘୃଣା କରିବା ସପକ୍ଷରେ ନ ଥିଲେ।

କମ୍ପାନିର ଭାରତୀୟତା, ମାଲିକାନା, କଞ୍ଚାମାଲ, ଶ୍ରମବଳ, ଜ୍ଞାନକୌଶଳ, ପୁଞ୍ଜି ଏହିପରି ପ୍ରତିଟି କ୍ଷେତ୍ରରେ ଉତ୍ପାଦଟିଏ ଶତ ପ୍ରତିଶତ ସ୍ୱଦେଶୀ ହୋଇ ନ ପାରେ। ଉତ୍ପାଦଟିର ଭାରତୀୟତା ବିବେଚନା କରିବା ପାଇଁ ଉପରୋକ୍ତ ଛଅଟି ବର୍ଗରେ ସମୁଦାୟ ୧୦୦ ନମ୍ବରର ପ୍ରାବଧାନ କରି ପ୍ରତିଟି ଉତ୍ପାଦ ବର୍ଗୱାରି ପାଇଥିବା ନମ୍ବର ଆଧାରରେ କେତେ ପ୍ରତିଶତ ‘ମେଡ ଇନ ଇଣ୍ଡିଆ’ ତାହା ଉଲ୍ଲେଖ କରାଯିବାର ପ୍ରଥା ଆରମ୍ଭ ହେଉ, ଯାହା ଦ୍ରବ୍ୟର ସ୍ବଦେଶୀ ପଣର ପରିମାଣକୁ ନିର୍ଦ୍ଧାରଣ କରିପାରିବ। ଦେଖାଯାଏ ଯେ ସରକାର ମଧ୍ୟ ବିଦେଶୀ ଦ୍ରବ୍ୟ ଓ ସେବାର ଉପଯୋଗ କରନ୍ତି। ତେଣୁ ଯେଉଁ ସବୁ କାରଣରୁ ଉଭୟ ଖାଉଟି ଓ ସରକାର ସ୍ୱଦେଶୀ ଦ୍ରବ୍ୟ ଠାରେ ବୀତସ୍ପୃହ, ତାର କାରଣ ଖୋଜି ସେ ସବୁର ନିରାକରଣ ପାଇଁ ପଦକ୍ଷେପ ନିଆଯିବା ଜରୁରୀ। ଏ ସବୁ ଉପରେ ଧ୍ୟାନ ରହିଲେ ‘ସ୍ବଦେଶୀ’ ଶବ୍ଦଟି ଉଚିତ ଭାବେ ପରିଭାଷିତ ହୋଇପାରିବ।

ଭୁବନେଶ୍ବର
ମୋ- ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର