ପୂର୍ବ ଭାରତରେ ଦ୍ୱିତୀୟ ସବୁଜ ବିପ୍ଳବର ସ୍ୱପ୍ନ

ଶକ୍ତି ପ୍ରସାଦ ଦାସ

ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମୋଟ ଜନସଂଖ୍ୟାର ତିନି-ଚତୁର୍ଥାଂଶରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି, ଯହିଁରୁ ଅର୍ଧାଧିକ ଲୋକ ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ। ତେଣୁ, ଅନ୍ତର୍ଭୁକ୍ତୀ ବିକାଶ ପାଇଁ ଗ୍ରାମୀଣ ଅର୍ଥନୀତିର ବିକାଶ ଜରୁରୀ, ଯାହାର ଅର୍ଥ କୃଷି କ୍ଷେତ୍ରର ଉନ୍ନତି। ଜାତୀୟ ଦୃଶ୍ୟ-ପଟ ସହିତ ତୁଳନା କଲେ ୨୦୦୪ରୁ ଓଡ଼ିଶା ଓ ବିହାରରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର (ପଶୁପାଳନ ଓ ମତ୍ସ୍ୟଚାଷ)ରେ ଅଭିବୃଦ୍ଧି ହାର ଅତ୍ୟନ୍ତ ଦୁର୍ବଳ ହୋଇ ଆସିଛି। ୨୦୦୦-୦୧ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜି.ଡି.ପି.)ରେ କୃଷିର ଅବଦାନ ୨୧.୬% ଥିବା ବେଳେ ୨୦୧୯-୨୦ ବେଳକୁ ଏହି ଅନୁପାତ ପ୍ରାୟ ୧୬.୫%କୁ ଖସି ଆସିଛି। ଏହି ପରିପ୍ରେକ୍ଷୀରେ କୃଷିରେ ପଛରେ ପଡ଼ିଥିବା ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସ୍ଥିତି ବାବଦରେ ସଂକ୍ଷିପ୍ତ ଆଲୋଚନା କରାଯାଇପାରେ।

ଜନସଂଖ୍ୟା ବୃଦ୍ଧି କାରଣରୁ ଏହି ଅଞ୍ଚଳରେ କୃଷି ତଥା ଅନ୍ୟାନ୍ୟ କ୍ଷେତ୍ରର ଅଭିବୃଦ୍ଧି ସତ୍ତ୍ୱେ ମୁଣ୍ଡପିଛା ଆୟ କମି ଯାଇଛି। ପୁରୁଷ ପରେ ପୁରୁଷ ଚାଷ ଜମିର ନିୟମିତ ବିଭାଜନ ଚାଲି ବଡ଼ ଚାଷୀ କ୍ଷୁଦ୍ର ଚାଷୀରେ ଏବଂ କ୍ଷୁଦ୍ର ଚାଷୀ ନାମମାତ୍ର ଚାଷୀରେ ପରିଣତ ହେଉଛନ୍ତି। ଓଡିଶାର ୨୦୧୫-୧୬ କୃଷି ଜନଗଣନା ଅନୁଯାୟୀ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ‘ହୋଲ୍‌ଡିଂ’ ସଂଖ୍ୟା ମୋଟ ‘ହୋଲ୍‌ଡିଂ’ର ୯୨.୯୮ ପ୍ରତିଶତ। ଛୋଟ ଜମି ଚାଖଣ୍ଡକରେ ବହୁଫସଲୀ ଚାଷର ସୁଯୋଗ ନାହିଁ କି ପର୍ଯ୍ୟାପ୍ତ ରୋଜଗାର ସମ୍ଭାବନା ନାହିଁ। ଏହା ସହିତ ଭାଗ ଚାଷ ପରଂପରା ମଧ୍ୟ କୃଷି ଅଭିବୃଦ୍ଧିରେ ଏକ ବାଧକ। ସ୍ଥାବର ସମ୍ପତ୍ତିର ଅଭାବରେ ଭାଗଚାଷୀ କୌଣସି ଆନୁଷ୍ଠାନିକ ସଂସ୍ଥାରୁ ଋଣ ପାଆନ୍ତି ନାହିଁ। ସାହୁକାର ଠାରୁ ଚଢ଼ା ସୁଧରେ ଋଣ ନେଉଥିବାରୁ ଚାଷ କାର୍ଯ୍ୟ ଲାଭଜନକ ହେଉନାହିଁ। ଅବଶ୍ୟ, ଓଡ଼ିଶା ସରକାର ନିକଟରେ ଭୂମିହୀନ ଓ ଭାଗଚାଷୀଙ୍କୁ ‘ମିଳିତ ଦାୟିତ୍ୱ ଗୋଷ୍ଠୀ’ (ଜେଏଲ୍‌ଜି) ମାଧ୍ୟମରେ କୃଷି ଋଣ ଯୋଗାଇବାକୁ ‘ବଳରାମ ଯୋଜନା’ର ପ୍ରାରମ୍ଭ କରିଛନ୍ତି। ଏହା ଏକ ଉପାଦେୟ ଯୋଜନା ସତ, କିନ୍ତୁ ଏହାର ଉଚିତ ରୂପାୟନ ହେବା ଜରୁରୀ।

ଉତ୍ପାଦକତା ଦୃଷ୍ଟିରୁ ଧାନର ଉତ୍ପାଦକତା ସର୍ବଭାରତୀୟ ସ୍ତରରେ ପ୍ରାୟ ୨୫୦୦ କିଲୋଗ୍ରାମ (କେଜି) ପ୍ରତି ହେକ୍ଟର ଥିବା ବେଳେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସେହି ମୂଲ୍ୟ ପ୍ରାୟ ୨୧୦୦ କେଜି ରହିଛି। ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ରାଜ୍ୟଗୁଡ଼ିକର ଚାଉଳ, ଗହମ, ମକା, ଡାଲି ଇତ୍ୟାଦିର ଉତ୍ପାଦକତା ହାର ତୁଳନାରେ ପୂର୍ବ ରାଜ୍ୟଗୁଡ଼ିକର ଉତ୍ପାଦକତା ହାର ଖୁବ୍‍ କମ୍‍। ସେହିପରି ୨୦୧୮-୧୯ରେ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡର ମୁଣ୍ଡପିଛା ଦୁଗ୍‌ଧ ଉତ୍ପାଦନ ଯଥାକ୍ରମେ ୧୪୫, ୨୫୧ ଓ ୧୭୭ ହଜାର ଟନ୍‍ ଥିବା ବେଳେ ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ଏହି ପରିମାଣ ଯଥାକ୍ରମେ ୧୧୮୧ ଓ ୬୨୩ ହଜାର ଟନ୍‍।

କୃଷିର ବିକାଶ କଥା ଭାବିଲେ ଯାହା ପ୍ରଥମେ ଆସେ ତାହା ହେଲା ଜଳସେଚନ ବ୍ୟବସ୍ଥାରେ ଉନ୍ନତିର ବିଶେଷ ଆବଶ୍ୟକତା। କିନ୍ତୁ ପୂର୍ବାଞ୍ଚଳ ରାଜ୍ୟରେ ଏହାର ସ୍ଥିତି ଦୁର୍ବଳ। ୨୦୧୭-୧୮ ସୁଦ୍ଧା ଓଡ଼ିଶାର ଜଳସେଚିତ ଜମିର ପରିମାଣ ମାତ୍ର ୪୧.୧% ଥିଲା। ୨୦୧୬ ମାର୍ଚ୍ଚ ସୁଦ୍ଧା ପୂର୍ବାଞ୍ଚଳ ରାଜ୍ୟରେ କୃଷି କ୍ଷେତ୍ରରେ ବିଦ୍ୟୁତ୍ ବ୍ୟବହାର ୦.୫%ରୁ କମ୍‌; କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମୋଟ ଆନୁଷ୍ଠାନିକ ଋଣର ପରିମାଣ ୫%ରୁ କମ୍ ଏବଂ ଦେଶର ସମୁଦାୟ ଭୂପୃଷ୍ଠ-ରାସ୍ତାର ମାତ୍ର ୪.୫% ଏହି ଅଞ୍ଚଳରେ ଉପଲବ୍‌ଧ। ଏହି ସବୁ ଅନ୍ତରାୟ କୃଷିକ୍ଷେତ୍ରକୁ ଲାଭଜନକ କରିବା ଦିଗରେ ବାଧକ ସାଜିଛି।

ତେଣୁ, ପ୍ରଥମେ ଜଳସେଚନର ବିକାଶ ଓ ତାର ଆଧୁନିକୀକରଣ ନିହାତି ଜରୁରୀ। ଅଣ-ମୌସୁମୀ ଋତୁରେ ବୃହତ ଓ ମଧ୍ୟମ ପ୍ରକଳ୍ପଗୁଡ଼ିକ ରବି ଚାଷ ପାଇଁ ପର୍ଯ୍ୟାପ୍ତ ପାଣି ଯୋଗାଇ ନ ପାରନ୍ତି। ସେଥି ଲାଗି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଧାନକୁ ମୁଖ୍ୟତଃ ଏକ ଫସଲୀ ହିସାବରେ ଚାଷ କରାଯାଇଥାଏ। ରବି ଋତୁରେ ଏକ ବଡ଼ ଭାଗ ଜମି ପଡ଼ିଆ ପଡ଼େ। ତେଣୁ ରବି ଋତୁରେ ଭୂ-ତଳ ଜଳର ବିବେଚନାପୂର୍ଣ୍ଣ ବ୍ୟବହା‌ରକୁ ପ୍ରୋତ୍ସାହନ ଦେବାକୁ ହେବ। ଚେକ୍ ଡ୍ୟାମ, ଚାଷ ପୋଖରୀ, ନାଳ ଖନନ କରି ଜଳ ଅମଳ କରାଯିବା ସହିତ ଭୂ-ତଳ ଜଳର ‘ରିଚାର୍ଜ’ ଉପ‌େର ଗୁରୁତ୍ବ ଦେବାକୁ ହେବ। ତେବେ ଭୂତଳ ଜଳର ସର୍ବୋତ୍ତମ ବ୍ୟବହାର ସେତିକି ବେଳେ ସମ୍ଭବ ହେବ, ଯେତେବେଳେ ଗ୍ରାମାଞ୍ଚଳକୁ ବିଜୁଳି ସରବରାହ ବ୍ୟବସ୍ଥା ଦୋରସ୍ତ ହେବ। ‘ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା’ ଅଧୀନରେ ଉପଲବ୍‌ଧ ଅର୍ଥକୁ ଏ ଦିଗରେ ବ୍ୟବହାର କରାଯାଇପାରେ। ଏହା ସହିତ ସୌର-ଚାଳିତ ପମ୍ପ୍‌ର ବ୍ୟବହାରକୁ ଲୋକପ୍ରିୟ କରାଯିବା ଆବଶ୍ୟକ। ସେମିତି ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ନଷ୍ଟ ଭୟରୁ ତ୍ରାହି ପାଇବା ପାଇଁ ତୈଳବୀଜ, ଡାଲି, ପନିପରିବା ଓ ଚାରା ଇତ୍ୟାଦି ଦ୍ୱିତୀୟ ଫସଲ ହିସାବରେ କରାଯାଇପାରିବ। ମରୁଡ଼ି ଓ ବନ୍ୟା ଭଳି ପ୍ରାକୃତିକ ବିପତ୍ତିକୁ ବିଚାର କରି ବିହନ ଓ ଫସଲ କିସମ ବଦଳାଇବା ଦିଗରେ ଚିନ୍ତା କରାଯିବା ଜରୁରୀ। ମୃତ୍ତିକା, ବିହନ ଓ ଅନ୍ୟାନ୍ୟ ‘ଇନ୍‌ପୁଟ୍‌’ଗୁଡ଼ିକର ବିବେଚନାପୂର୍ଣ୍ଣ ଉପଯୋଗ କୃଷି ବାବଦ ଖର୍ଚ୍ଚରେ ହ୍ରାସ ଘଟାଇ ଚାଷକୁ ଲାଭପ୍ରଦ କରିବ। ଉଦାହରଣ ସ୍ବରୂପ ଆଜିକାଲି ଶ୍ୱେତସାରବହୁଳ ଖାଦ୍ୟ ବଦଳରେ ପୁଷ୍ଟିସାରଯୁକ୍ତ ଖାଦ୍ୟର ଚାହିଦା ଅଧିକ। ତେଣୁ, କେବଳ ଧାନ ଓ ଗହମ ଚାଷ ବଦଳରେ ଡାଲି ଜାତୀୟ ଚାଷ ଉପରେ ଧ୍ୟାନ ରଖିଲେ ବଜାର ଚାହିଦା ସହିତ ତାଳ ଦେଇ ହେବ।

ସେହିଭଳି ଦୁଗ୍‌ଧ ଉତ୍ପାଦନ‌େର ବୃଦ୍ଧି ପାଇଁ ଗୋରୁ-ଗୋଠରେ ଦେଶୀ-ବିଦେଶୀ ଦୁଧିଆଳୀ ଗାଈର ଅନୁପାତ ବଢ଼ାଇବା ଆବଶ୍ୟକ। ଦୁଗ୍‌ଧ ଉତ୍ପାଦକତା ବଢ଼ିଲେ ଦୁଗ୍‌ଧ ଚାଷୀ ଲାଭବାନ ହୋଇପାରିବେ। ଏବେ ସେମାନଙ୍କ ଉତ୍ପାଦ କ୍ରୟ କରିବା ଲାଗି ଓମ୍‌ଫେଡ୍‌ ସହିତ କିଛି ‌େବସରକାରୀ ଅନୁଷ୍ଠାନ ମଧ୍ୟ ବାହାରିଲେଣି। ସେମିତି ଜଳାଶୟ, ହ୍ରଦ, ଜଳଭଣ୍ଡାର, ନଦୀ, ପୋଖରୀ ଓ କେନାଲଗୁଡ଼ିକରେ ମତ୍ସ୍ୟ ଚାଷକୁ ଉତ୍ସାହିତ କରିବା ପାଇଁ ସରକାରୀ-ଘରୋଇ ଭାଗିଦାରି (ପିପିପି) ମଡେଲର ବହୁଳ ବ୍ୟବହାରର ଆବଶ୍ୟକତା ରହିଛି। ଦୀର୍ଘ ୪୮୦ କିଲୋମିଟର ବେଳାଭୂମି, ନଦୀ-ମୁହାଣ, ବିସ୍ତୀର୍ଣ୍ଣ ଖାର-ଜଳଯୁକ୍ତ ଅଞ୍ଚଳରେ ମତ୍ସ୍ୟ ଚାଷକୁ ଏକ ମିସନ ଭିତ୍ତିରେ ଆଗକୁ ‌େନବାକୁ ପଡ଼ିବ।

ଓଡିଶା ଓ ଝାଡଖଣ୍ଡ ଭଳି ପୂର୍ବାଞ୍ଚଳ ରାଜ୍ୟରେ ଶୀତଳ ଭଣ୍ଡାର ଓ ପ୍ରକ୍ରିୟାକରଣ ଶିଳ୍ପର ଅଭାବ ରହିଛି, ଯାହାର ବିକାଶ ଜରୁରୀ; କାରଣ ତାହା କୃଷି କ୍ଷେତ୍ରକୁ ଚଳଚଞ୍ଚଳ କରିବ। ଏ ସବୁ ସହିତ ସଡ଼କ ଯୋଗାଯୋଗରେ ବିକାଶ, କୃଷି ଉତ୍ପାଦକ ସଂଗଠନ, ମାଇକ୍ରୋ-କ୍ରେଡିଟ୍, ଉନ୍ନତ ବଜାର ବ୍ୟବସ୍ଥା, କୌଶଳ ଶିକ୍ଷା ଏବଂ ଡିଜିଟାଲ ସୂଚନା ପ୍ରଦାନ ବ୍ୟବସ୍ଥା ଇତ୍ୟାଦିକୁ ପ୍ରାଥମିକତା ଦେବାକୁ ହେବ। ମନେ ରଖିବାକୁ ହେବ ଯେ ଦକ୍ଷତା ବିକାଶ, ଭିତ୍ତିଭୂମିଗତ ଉନ୍ନତି, ସୁଯୋଗ ତଥା ନୂତନ ଚିନ୍ତନକୁ ସାର୍ବଜନୀନ କରାଯାଇପାରିଲେ ପୂର୍ବାଞ୍ଚଳ ରାଜ୍ୟରେ ଦ୍ବିତୀୟ ସବୁଜ ବିପ୍ଳବ ସମ୍ଭବ ହୋଇ ପାରିବ।

ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର
ମୋ: ୯୪୩୭୧୬୪୬୧୧
[email protected]

ସମ୍ବନ୍ଧିତ ଖବର