ଉତ୍ତର ଭାରତୀୟତା

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଭାରତ ସରକାରଙ୍କ ନୂଆ ଶିକ୍ଷାନୀତି ବର୍ତ୍ତମାନ ଲୋକକ୍ଷେତ୍ରରେ ସର୍ବୋଚ୍ଚ ସମକାଳୀନ ଚର୍ଚ୍ଚାର ବିଷୟ। ଏ ନୀତି ସମ୍ପର୍କରେ ଅନେକ କିଛି କହିବାର ଅଛି; ଶିକ୍ଷାବିତ୍‌ମାନେ ଅବଶ୍ୟ ଚର୍ଚ୍ଚା ଜାରି ରଖିବେ। କିନ୍ତୁ ଯେଉଁ କାରଣରୁ ଜଣେ ସାଧାରଣ ନାଗରିକ ଭାବରେ ମୁଁ ଗୋଟିଏ ବିଶେଷ ଦିଗକୁ ନେଇ ଚିନ୍ତିତ, ତାହା ହେଉଚି ଶିକ୍ଷାନୀତିର ଦାର୍ଶନିକ ଧରାତଳ। ସ୍ପଷ୍ଟ କରିଦିଏଁ ଯେ ଯେକୌଣସି ରାଷ୍ଟ୍ରୀୟ ନୀତିର ଦାର୍ଶନିକ ଧରାତଳ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ଓ ୟାର ଅଭାବରେ ବହୁ ସୁଚିନ୍ତିତ ମାର୍ଗଦର୍ଶିକା ପରିଶେଷରେ ବିଫଳ ବା ଅସନ୍ତୋଷଜନକ ସିଦ୍ଧ ହୋଇପାରନ୍ତି। ୟା ପୂର୍ବରୁ ୨୦୧୦ରେ ଭାରତ ସରକାର ସାମ ପିଟ୍ରୋଡାଙ୍କ ଅଧୢକ୍ଷତାରେ ଯେଉଁ ‘ନଲେଜ୍‌ କମିିସନ’ ଗଠିତ କରିଥିଲେ, ତାର ରିପୋର୍ଟ ଆମେ ଦେଖିଥିଲୁ ଓ ଏ ନିଷ୍କର୍ଷରେ ଉପନୀତ ହୋଇଥିଲୁ ଯେ ବହୁ ବିଦ୍ବାନ ଓ ଗୁଣୀ ବ୍ୟକ୍ତିଙ୍କ ମୌଳିକ ଚିନ୍ତନକୁ ବ୍ୟବହାର କରିବାରେ ବିଫଳ ହୋଇଥିବା ଏ କମିସନ ଗୋଟିଏ ବୈଷୟିକ କୌଶଳ-ସମ୍ବଳର ବ୍ୟାଖ୍ୟା ପ୍ରସ୍ତୁତ କରିଥିଲେ ଯାହା ଔପଚାରିକ ହୋଇ ରହିଯିବାରେ ବିସ୍ମିତ ହେବାର ନ ଥିଲା। ମୂଳ ପ୍ରସଙ୍ଗକୁ ଦେଖିନପାରି ନୀତି ନିର୍ଦ୍ଧାରଣ କରିବାର ଏକ ପ୍ରକାରର ବାଧୢବାଧକତା କାହିଁକି ଆମର ଶିକ୍ଷାବିତ୍‌ଙ୍କୁ ଅକ୍ତିଆର କରି ରଖିଚି, ତାହା ବୁଝି ହେଉନାହିଁ। ୨୦୨୦ର ଶିକ୍ଷାନୀତି ୨୦୧୦ର ‘ନଲେଜ୍‌ କମିସନ’ ରିପୋର୍ଟ ଠାରୁ ଅଲଗା। ଏଥିରେ କିଛି କିଛି ଭୂୟୋଦୃଷ୍ଟିର ଝଲକ ଦେଖିବାକୁ ମିଳୁଚି। କିନ୍ତୁ ମୁଁ ଯେଉଁ ଦାର୍ଶନିକ ଧରାତଳର ତଲାସ କରୁଚି, ତାହା ଆପାତତଃ ୨୦୨୦ର ଶିକ୍ଷାନୀତିରେ ବି ନାହିଁ।

ଶିକ୍ଷାନୀତି ଯଦି, ଏ ଯାବତ୍‌ ପ୍ରଚଳିତ ଶିକ୍ଷାନୀତି ସ୍ଥାନରେ ଏ ନୂଆ ପ୍ରତିମାନ ସ୍ଥାପିତ କରିବା ପାଇଁ ଅଭିପ୍ରେତ, ତେବେ ପ୍ରଥମ ଆବଶ୍ୟକତା ହେଉଚି, ଶିକ୍ଷା ମାଧୢମରେ ଉପଲବ୍‌ଧ ଜ୍ଞାନକ୍ଷେତ୍ରର ସାମର୍ଥ୍ୟ, ଦକ୍ଷତା ଓ ପ୍ରୟୋଗର ଅନୁଶୀଳନ ଓ ଆମେ କଳ୍ପନା କରିଥିବା ନୂଆଶିକ୍ଷାର ସାମର୍ଥ୍ୟ, ଦକ୍ଷତା ଓ ପ୍ରୟୋଗର ଆକଳନ। ଅଧୁନା ଶିକ୍ଷା ଦ୍ବାରା ବିକଶିତ ଜ୍ଞାନ କେଉଁ ଉତ୍ସରୁ ଆସିଚି, ଏବେ କି ଅବସ୍ଥାରେ ଅଛି ଓ ଭବିଷ୍ୟତରେ ଏହା କିଭଳି ରୂପ ଗ୍ରହଣ କରିବ; ତାର ଏକ ଅନୁମାନ (ନହେଉ ପଛେ ଆକଳନ) ନଥିଲେ, ନୂଆ ଶିକ୍ଷାନୀତି କାହାକୁ ବଦଳେଇବ, କି ନୂଆ ପ୍ରତିମାନ ସ୍ଥାପନ କରିବ ଜାଣିବା ସମ୍ଭବ ନୁହେଁ। ଅର୍ଥାତ୍‌ ‘ଜ୍ଞାନ’ର ବର୍ତ୍ତମାନ ସ୍ଥିତି (ଷ୍ଟେଟ୍‌ ଅଫ୍‌ ନଲେଜ୍‌) କ’ଣ ନ ଜାଣି, ଶିକ୍ଷାନୀତିର ନବୀକରଣ କରିବା ସବୁ ସମୟରେ ଦୁର୍ବଳ ଓ ବିତର୍କିତ ସିଦ୍ଧ ହେବ। ଶିକ୍ଷା ଜଗତ୍‌ରେ ‘ଷ୍ଟେଟ ଅଫ୍‌ ନଲେଜ୍‌’ ରିପୋର୍ଟର ଆବଶ୍ୟକତା ଏଇଥିପାଇଁ ଜରୁରୀ ଯେ ଶିକ୍ଷା ମାଧୢମରେ ଜ୍ଞାନ ଅର୍ଜନର ନୂଆ ସମ୍ଭାବନା ଏଇଥିରୁ ଖୋଲିବ।

୧୯୭୯ରେ କାନାଡାର କ୍ବେବେକ୍‌ ବିଶ୍ବବିଦ୍ୟାଳୟ ଟେକ୍ନୋଲୋଜି-ପ୍ରଧାନ ବିଶ୍ବବିଦ୍ୟାଳୟ ଶିକ୍ଷାରେ ପରିବର୍ତ୍ତନ ଆଣିବାକୁ ଯେତେବେଳେ ଫରାସୀ ଦାର୍ଶନିକ ଜ୍ୟାଁ ପ୍ରା˚ସୋଆ ଲ୍ୟୋତାଙ୍କୁ ଚୁକ୍ତିବଦ୍ଧ କଲେ, ସେତେବେଳେ ଏ କଥା କାହାରି କଳ୍ପନାରେ ନ ଥିଲା ଯେ ଏ ବିଶେଷଜ୍ଞ-ଦାର୍ଶନିକଙ୍କ ରିପୋର୍ଟ ଭବିଷ୍ୟତରେ ସାମ୍ପ୍ରତିକ ଆଧୁନିକତାକୁ ଏକ ଦାର୍ଶନିକ ଧରାତଳ ପ୍ରସ୍ତୁତ କରିବ। ୧୯୮୪ରେ ବହି ଇ˚ରେଜୀ ଅନୁବାଦ ବଜାରକୁ ଆସିଲା। ମାତ୍ର ଅଶୀ କି ନବେ ପୃଷ୍ଠା ଭିତରେ ଲ୍ୟୋତା ବିଶ୍ବବିଦ୍ୟାଳୟ ସ୍ତରର ବୈଷୟିକ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରି ଏକ ବହୁମୁଖୀ ବାସ୍ତବତାକୁ କେନ୍ଦ୍ରରେ ଆଣି ଠିଆ କରାଇଥିଲେ। ତାଙ୍କର ରିପୋର୍ଟ, ଯାହା ବର୍ତ୍ତମାନ ପୁସ୍ତକ ଆକାରରେ ବହୁ ଚର୍ଚ୍ଚିତ ଓ ବହୁ ଲୋକପ୍ରିୟ ହୋଇ ରହିଚି :‘ଦ ପୋଷ୍ଟ ମଡର୍ନ କଣ୍ତିସନ୍‌ ଅଫ୍‌ ମ୍ୟାନ୍‌: ଏ ରିପୋର୍ଟ ଅନ୍‌ ଦ ଷ୍ଟେଟ ଅଫ୍‌ ନଲେଜ୍‌’। ଏହି ରିପୋର୍ଟରେ ବ୍ୟବହୃତ ‘ପୋଷ୍ଟ ମଡର୍ନ’ (ଉତ୍ତରାଧୁନିକ) ପରବର୍ତ୍ତୀ କାଳରେ ସମକାଳୀନ ଦାର୍ଶନିକ ଚିନ୍ତନ ଓ ସୃଜନ-ବିଶ୍ଳେଷଣର ଏକ ବହୁ ବ୍ୟବହୃତ ଶବ୍ଦ ହୋଇଗଲା। ଏ ରିପୋର୍ଟରେ ଲ୍ୟୋତା ଯୋଡ଼ିଏ କଥା କହିଲେ ଯାହା ଆମର ଚଳନ୍ତି ଓ ନୂତନ ଶିକ୍ଷାନୀତିର ବିଚାର ପାଇଁ ଜରୁରୀ। ଗୋଟିଏ ଚଳନ୍ତି ଶିକ୍ଷାନୀତିକୁ ବଦଳାଇବାର ଅର୍ଥ ଯଦି ଏଇଆ ଯେ ଶିକ୍ଷାନୁଷ୍ଠାନମାନଙ୍କରେ ପାଠ୍ୟବସ୍ତୁ, ଶିକ୍ଷଣ ଓ ଶିକ୍ଷାଦାନ ପ୍ରକ୍ରିୟା, ତଥା ଶିକ୍ଷାଦାନର ଶୈଳୀକୁ ଅତିକ୍ରମ କରି ଆଗକୁ ଯିବାପାଇଁ ନୂଆ ପାଠ୍ୟବସ୍ତୁ, ନୂଆ ପଦ୍ଧତି ଓ ନୂଆ ଶୈଳୀର ଶିକ୍ଷାଦାନ ଜରୁରୀ, ତେବେ ସେ ଅତିକ୍ରମ କରିବାର କଳ୍ପନାଟି କ’ଣ ଓ ସେ ନୂତନତ୍ବର ଦୃଷ୍ଟିଟି କ’ଣ? ଯାହାକୁ ଅତିକ୍ରମ କରାଯିବ ତାର ଉଚ୍ଚତା ବା ଗତି କେତେ? ଯାହାକୁ ନାକଚ କରି ନୂଆର ପ୍ରତିଷ୍ଠା କରାଯିବ, ତାହାକୁ କାହିଁକି ନାକଚ କରାଯିବ ଓ ନୂଆର ପ୍ରତିଷ୍ଠା ହେଲେ କି ଫଳ ଫଳିବ। ଜ୍ୟାଁ ପ୍ରା˚ସୋଆ ଲ୍ୟୋତାଙ୍କ ଦୃଷ୍ଟି ଥିଲା ୟୁରୋପୀୟ ନବୋନ୍ମେଷ ଉଦ୍‌ଘାଟିତ କରିଥିବା ପାଠ (ନେଗେଟିଭ୍‌)ମାନଙ୍କ ଉପରେ ଗଢ଼ି ଉଠିଥିବା ମହାପାଠ (ମେଟା ନେଗେଟିଭ୍‌) ଉପରେ। ତାଙ୍କର ଦର୍ଶନ ଥିଲା ଯେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ପାଠଗୁଡ଼ିକ ସାମିଲ କରାଯାଇଚି ସେଗୁଡ଼ିକ ବସ୍ତୁତଃ ମହାପାଠ, ଅର୍ଥାତ୍‌ ନବୋନ୍ମେଷ ବା ଏନ୍‌ଲାଇଟେନ୍‌ମେଣ୍ଟ ମୁକ୍ତ କରିଥିବା ପାଠ ଉପରେ ପ୍ରସ୍ତୁତ ଟୀକା, ଟିପ୍ପଣୀ, ଆଲୋଚନା, ସମାଲୋଚନା, ସନ୍ଦର୍ଭ ଓ ବ୍ୟାଖ୍ୟାନ। ଏ ମହାପାଠଗୁଡ଼ିକ ୧୯୮୦ ବେଳକୁ ଅବିଶ୍ବାସ୍ୟ ମନେ ହେଉଚନ୍ତି। ମହାପାଠକୁ ଅବିଶ୍ବାସ କରିବା ବା ମହାପାଠ ଦ୍ବାରା ତାଜ୍ଜୁବ ହେବାର ଦୃଷ୍ଟିକୋଣଟି ଉତ୍ତରାଧୁନିକତା ବା ପୋଷ୍ଟ ମଡର୍ନିଟି। ୟୁରୋପୀୟ ଶିକ୍ଷାବ୍ୟବସ୍ଥା ଏ ମହାପାଠମାନଙ୍କୁ ପ୍ରଶ୍ରୟ ଦେଇଥିଲା, କାରଣ ବିଶ୍ବର ଜ୍ଞାନ ବ୍ୟବସ୍ଥାକୁ କବଳିତ କରିବାର ଗୋଟିଏ ଅସମାପ୍ତ ଆଜେଣ୍ତା ଏଥିରେ ଥିଲା। ଏବେ ଯେତେବେଳେ ଗୋଟିଏ ପ୍ରଶ୍ନର ଅସ˚ଖ୍ୟ ଅବଶ୍ୟମ୍ଭାବୀ ଉତ୍ତର ସମ୍ଭବ, ସେତେବେଳେ ୟୁରୋପୀୟଙ୍କର ଏନ୍‌ଲାଇଟେନ୍‌ମେଣ୍ଟର ପାଠ ବା ସତ୍ୟକୁ ନେଇ ମହାପାଠ ରଚନାର ଆବଶ୍ୟକତା ନାହିଁ। ଲକ୍ଷ୍ୟ କରନ୍ତୁ ଜଣେ ଦାର୍ଶନିକ ତାଙ୍କର ଶିକ୍ଷାବ୍ୟବସ୍ଥାର ଦର୍ଶନକୁ କିଭଳି ଭାବରେ ଆଧୁନିକତାର ପାଠ ଆଗକୁ ନେଇଗଲେ, କେବଳ ମହାପାଠକୁ ନାକଚ କରି। ସ୍ମରଣରେ ରହୁ ଯେ କାନାଡାର କ୍ବେବେକ୍‌ ବିଶ୍ବବିଦ୍ୟାଳୟ ଏକ ଫରାସୀ-ଭାଷୀ ବିଶ୍ବବିଦ୍ୟାଳୟ ଓ ଲ୍ୟୋତାଙ୍କ ଦ୍ବାରା ୟୁରୋପୀୟ ଜ୍ଞାନବିସ୍ତାର କାର୍ଯ୍ୟକ୍ରମର ବିଧ୍ବ˚ସ, ୟୁରୋପ ବାହାରେ କାନାଡାର ୟୁରୋପୀୟ ଶିକ୍ଷାକେନ୍ଦ୍ରରେ ସ˚ଘଟିତ ହୋଇଥିଲା।

ଆମର ନୂଆ ଶିକ୍ଷାନୀତିର ସନ୍ଦର୍ଭରେ ମୁଁ ଏ କଥା ଉଠାଇବାର କାରଣ ଏହି ଯେ ଆମେ ନୀତି ପ୍ରଣୟନ କରିଚାଲିଚେ, କିନ୍ତୁ ଏ ପର୍ଯ୍ୟନ୍ତ ଭାରତରେ ଜ୍ଞାନ ବା ଶୈକ୍ଷଣିକ ଜ୍ଞାନର ସ୍ଥିତି କ’ଣ ତାହା ଜାଣିବା ପାଇଁ କୌଣସି ସର୍ଭେ କରାଯାଇନାହିଁ। ଜଣେ ନାଗରିକ ଭାବରେ ମୁଁ ଚାହେଁ ଯେ ଶିକ୍ଷାନୀତି ବଦଳିବା ବେଳେ ‘ଷ୍ଟେଟ ଅଫ୍‌ ନଲେଜ୍‌’ ରିପୋର୍ଟ ମଧୢ ଲୋକାର୍ପିତ ହେବା ଉଚିତ, ବା ପାର୍ଲାମେଣ୍ଟରେ ଏହାର ଚର୍ଚ୍ଚା ହେବା ଉଚିତ। ଲୋକେ, ଲୋକପ୍ରତିନିଧି ଓ ଲୋକପ୍ରିୟ ସରକାର ସମସ୍ତେ ଜାଣିବା ଜରୁରୀ ଜ୍ଞାନର ସ୍ଥିତି କ’ଣ ଓ ନୂଆ ଶିକ୍ଷାନୀତି ଦ୍ବାରା ଜ୍ଞାନର ସ୍ଥିତି କିଭଳି ବଦଳିବ।

ମୁଁ ମୋର ନିଜର ଦୃଷ୍ଟିକୋଣ ଲୋକକ୍ଷେତ୍ରରେ ଉପସ୍ଥାପନ କରିବାକୁ ଚାହୁଁଚି। ସମସ୍ତେ ଜାଣନ୍ତି ଯେ ଭାରତରେ ଶିକ୍ଷାବ୍ୟବସ୍ଥା ଦ୍ବାରା ପ୍ରସାରିତ ଜ୍ଞାନର ସ୍ଥିତି ବିପଜ୍ଜନକ ଭାବରେ ଔପନିବେଶିକ। ଭାରତୀୟମାନଙ୍କ ଜ୍ଞାନ ସୀମା ଭିତରେ ଭାରତୀୟ ସଭ୍ୟତା-ପ୍ରସୂତ ଜ୍ଞାନ-ବିଜ୍ଞାନ, ଶାସ୍ତ୍ର, ପୁରାଣ, ତର୍କ, ସ˚ହିତା, ଧର୍ମ, ଅଧୢାତ୍ମ, ପରମ୍ପରା, ଲୋକାସ୍ଥା, ଲୋକବିଚାର, ସା˚ସ୍କୃତିକ ବୈଚିତ୍ର୍ୟ, ବହୁଭାଷିକତା, ବହୁଳତାବାଦ, ସମନ୍ବୟୀ ଚିନ୍ତା ଆସେ ନାହିଁ। ଭାରତର ଜଣେ ଛାତ୍ର ଶିକ୍ଷା ସମ୍ପୂର୍ଣ୍ଣ କରିପାରେ, ଏସବୁ ବିଷୟରେ କିଛି ନ ଜାଣି। ସେଇଠି ଜଣେ ୟୁରୋପୀୟ ଛାତ୍ର, ୟୁରୋପୀୟ ଛାତ୍ର ଜ୍ଞାନ ପାଠ ସହିତ ତା ଉପରେ ଗଢ଼ି ଉଠିଥିବା ମହାପାଠ ସହିତ ଊଣାଅଧିକେ ପରିଚିତ। ଲ୍ୟୋତାଙ୍କ ସନ୍ଦିଗ୍ଧତା ୟୁରୋପୀୟ ଜ୍ଞାନକେନ୍ଦ୍ର ମାନଙ୍କରେ ପାଠ ଓ ମହାପାଠକୁ ନେଇ ଚର୍ଚ୍ଚା ତୀବ୍ର କଲା, କେହି କେହି କହିଲେ ଯେ ୟୁରୋପର ଜ୍ଞାନ ଅଭିଯାନକୁ ପୋଷ୍ଟମଡର୍ନିଜମ୍‌ (ଉତ୍ତରାଧୁନିକତା) ରୁଦ୍ଧ କରିଦେଲା ଓ ଏକ ବିଧ୍ବ˚ସକ ଆସ୍ଥାହୀନତାର ଅପତଥ୍ୟ ଆଣି ଶିକ୍ଷାନୁଷ୍ଠାନରେ ପୂରାଗଲା। କିନ୍ତୁ ୟୁରୋପୀୟମାନେ ଲ୍ୟୋତାଙ୍କ ଉତ୍ତରାଧୁନିକତା ଦର୍ଶନ କ୍ଷେତ୍ରକୁ ଠେଲି ଦେଇ ତାଙ୍କର ଶିକ୍ଷା ବ୍ୟବସ୍ଥାକୁ ତାଙ୍କ ନବୋନ୍ମେଷୀ ଆଜେଣ୍ତା ଆଡ଼କୁ ମୋଡ଼ିନେଲେ।

ଆମର ସ୍ଥିତି ଠିକ୍‌ ଓଲଟା। ଆମର ରେନାସାଁ ଠିକ୍‌ ଅର୍ଥରେ ନାହିଁ। କମ୍ପାନି ବାହାଦୁର କଲିକତାରେ ମୁଖ୍ୟାଳୟ ସ୍ଥାପନ କରିବା ସହିତ ଯେଉଁ ୟୁରୋପୀୟ ଆଧୁନିକୀକରଣର ହାଵା ବହିଲା ତାକୁ ସେମାନେ ହିଁ ବେଙ୍ଗଲ୍‌ ରେନାସାଁ କରି ଭାରତୀୟଙ୍କ ଅବରୁଦ୍ଧ ଜ୍ଞାନମାର୍ଗର ଉନ୍ମୋଚନ ବୋଲି ଦାବି କଲେ ଓ ଆମେ ମାନିଗଲୁ। ‘ଭାରତରେ ପାଠ୍ୟପୁସ୍ତକ ରଚନାର ଇତିହାସ’ କାହିଁକି ଯେ ଏ ଯାବତ୍‌ ଲେଖା ହୋଇନାହିଁ ମୁଁ ଭାବି ପାରୁନାହିଁ। ଏ ଇତିହାସ ଯଦି ଆଞ୍ଚଳିକ ତଥ୍ୟମାନଙ୍କୁ ଏକାଠି କରି ସ˚କଳିତ କରାଯା’ନ୍ତା, ତେବେ ଜଣାପଡ଼ନ୍ତା ଆମର ପାଠ ବା ମହାପାଠ କିଛି ବି ରଚିତ ହୋଇନାହିଁ, ଅଥଚ ଆମର ଜ୍ଞାନର ଏକ ବିଶାଳ ପୃଷ୍ଠଭୂମି ରହିଚି। ଆମେ ଏ ବିଷୟରେ ଜାଣିଥାନ୍ତେ ଯଦି ପ୍ରତି ଶିକ୍ଷାନୀତି ସହିତ ଏକ ‘ଷ୍ଟେଟ ଅଫ୍‌ ନଲେଜ’ ରିପୋର୍ଟ ଲୋକାର୍ପିତ ହେଉଥାନ୍ତା। ବଜେଟ୍‌ ପୂର୍ବରୁ ‘ଷ୍ଟେଟ୍‌ ଅଫ୍‌ ଦ ଇକୋନୋମି’ ରିପୋର୍ଟ ଏକ ଔପଚାରିକତାରେ ପରିଣତ ହେଲେ ମଧୢ ତାର ପ୍ରଥମ ଢା˚ଚାଟି ତିିଆରି କରିବାରେ ଥିଲା ଦୂରଦର୍ଶିତା! ଶିକ୍ଷା ଓ ଅର୍ଥନୀତିଠାରୁ ଆହୁରି ଗଭୀର, ଆହୁରି ଘାତକ ଏକ କ୍ଷେତ୍ର। ଏଠି ଥରେ ‘ଷ୍ଟେଟ ଅଫ୍‌ ନଲେଜ’ ରିପୋର୍ଟର ଢା˚ଚା ତିଆରି ହୋଇଗଲେ ପ୍ରତି ଦଶବର୍ଷରେ ଥରେ ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ ଉପାଦାନ ମିଳନ୍ତା। ଜଣେ ନାଗରିକ ଭାବରେ ମୁଁ ଚାହେଁ ଯେ ମୋ ରାଷ୍ଟ୍ର ପାଖରେ ‘ଜ୍ଞାନର ସ୍ଥିତି’ ନେଇ ନିଦା, ସର୍ଭେ-ଆଧାରିତ, ତଥ୍ୟ ଓ ତର୍ଜମା ରହୁ। ସଭ୍ୟ ଦେଶର ଜ୍ଞାନ ହିଁ ପ୍ରକୃତ ସମ୍ବଳ।

ନୂଆ ଶିକ୍ଷାନୀତିରେ କେଉଁ ଭାରତର କଥା କୁହାଯାଉଚି? ଭାରତର ନାଗରିକ କି ପ୍ରକାରର ଭାରତୀୟ ହେବେ? ଆମେରିକାର ଶିକ୍ଷା-ଦାର୍ଶନିକ ଡିଵି ସ୍କୁଲ ସ୍ତରରୁୁ ଜ୍ଞାନ ସହିତ ସମାଜର ସ˚ଯୋଗ ତଲାସ କରି ସ୍କୁଲଗୁଡ଼ିକ ସମାଜର ସୂକ୍ଷ୍ମ ପ୍ରତିରୂପ ଭାବରେ ବିକଶିତ ହେବାର କଳ୍ପନା କରିଥିଲେ। ତାହା ସମ୍ଭବ ଥିଲା, କାରଣ ଆମେରିକାନ୍‌ ସମାଜ ସମସ୍ତ ଉଦାରବାଦୀ ବିଜ୍ଞାପନ ସତ୍ତ୍ବେ ବର୍ଣ୍ଣ ଓ ଧର୍ମ ପ୍ରଧାନ ସମାଜ ଯାହାର ସଭ୍ୟତାଗତ ପୃଷ୍ଠଭୂମି ନାହିଁ। ଏଠି ଭାରତରେ ବହୁଳତାବାଦର ସ˚ଶ୍ଳେଷଣ ଓ ସମନ୍ବୟ ଏତେ ଗଭୀର ଯେ ଭାରତୀୟତାର ସୂକ୍ଷ୍ମ ପ୍ରତିରୂପ ସ୍କୁଲ ସ୍ତରରେ ହିଁ ବିକଶିତ କରାଯାଇ ପାରିବ। ଭାରତୀୟତା, ସଭ୍ୟତା, ଶାସ୍ତ୍ର, ଅଧୢାତ୍ମ ଓ ବୌଦ୍ଧିକ ବିଚାରର ପୁନଃମୂଲ୍ୟାୟନର ଆଧାରରେ ଉତ୍ତର ଭାରତୀୟତା (ପୋଷ୍ଟଇଣ୍ତିଆନିଜ୍‌ମ୍‌, ବିନା ହାଇଫେନ୍‌ରେ)ପାଇଁ ଜ୍ଞାନମାର୍ଗକୁ ପ୍ରଶସ୍ତ କରିବାକୁ ହେବ। ଏଠି ଆମେ ନୂଆ କରି ଭାରତୀୟତାର ପାଠ ନିର୍ମାଣ କରିବା, ବହୁବର୍ଷ ପରେ ମହାପାଠ ନିର୍ମାଣ ହେବ, ତାକୁ ୟୁରୋପୀୟ ଦାର୍ଶନିକଙ୍କ ଭଳି ଆମର ସନ୍ଦେହ କରିବାର ଅବକାଶ ରହିବ ନାହିଁ। ଖ୍ରୀଷ୍ଟପୂର୍ବ ପାଞ୍ଚହଜାର ବର୍ଷରୁ ଏ ଦୁଇହଜାରକୁ ମିଶାଇ ସାତ ହଜାର ବର୍ଷ ଭିତରେ ନିର୍ମିତ ବିଶାଳ ଜ୍ଞାନ ପରମ୍ପରାକୁ ଅବରୋଧ ମୁକ୍ତ କରି ଆଧୁନିକତାର ପ୍ରବାହରେ ମିଶାଇବାକୁ ହେବ। ଆମ ପାଇଁ ଉତ୍ତରର ଅର୍ଥ ପାଶ୍ଚାତ୍ୟ ଆଧୁନିକତାକୁ ଅତିକ୍ରମ କରିବା, ଉତ୍ତର ଭାରତୀୟତାର ଜ୍ଞାନ ପିଢ଼ି ନିର୍ମାଣ କରିବା। ଇଣ୍ତିଆନ୍‌ କହିିଲେ ଯେଉଁ ବିଶ୍ବରେ ଆମେରିକାର ଆଦିମ ଅଧିବାସୀଙ୍କୁ ବୁଝାଯାଏ, ସେଠି ଆମ ଉତ୍ତରଭାରତୀୟତା (ପୋଷ୍ଟ ଇଣ୍ତିଆନିଜ୍‌୍‌ମ୍‌)କୁ ଚିହ୍ନେଇବା ପାଇଁ ଆମକୁ ଜ୍ଞାନ ପ୍ରକ୍ରିୟା ଓ ଜ୍ଞାନ ପାଠ ଉଭୟକୁ ବିଶ୍ବସ୍ତରୀୟ ମାନକ ଚିହ୍ନ ଭାବରେ ବିକଶିତ କରିବାକୁ ପଡ଼ିବ। ଏଥିପାଇଁ ଯେଉଁ ଶିକ୍ଷାନୀତି ଆବଶ୍ୟକ ତାର ବିକାଶ ପାଇଁ ଜ୍ଞାନରୁ ଆମେ କ’ଣ ଆଶା କରୁଚେ, ସେ ଜ୍ଞାନ ଭାରତୀୟ ଅସ୍ତିତ୍ବ ନିର୍ମାଣରେ ସହାୟକ ହେବ କି ନାହିଁ ତାର ବିଚାର କରିବାକୁ ହେବ।

ମୋର ମନେହେଲା ଯେ ୨୦୨୦ର ଶିକ୍ଷାନୀତିରେ ଶିକ୍ଷା ଦର୍ଶନର ଧରାତଳ ନାହିଁ, କି ଭାରତୀୟତା ନିର୍ମାଣର ଭବିଷ୍ୟତ ଦୃଷ୍ଟି ନାହିଁ କି ସଭ୍ୟତାର ଉଜ୍ଜ୍ବଳ ବିମ୍ବକୁ ବିଶ୍ବରେ ପ୍ରତିଫଳିତ କରାଇବାର ସ୍ବପ୍ନ ନାହିଁ। ସ୍ବୟ˚ ପ୍ରଧାନମନ୍ତ୍ରୀ ଏ ଶିକ୍ଷାନୀତିର ତର୍ଜମା କରାନ୍ତୁ, ଦେଖିବେ ଏଥିରେ ତାଙ୍କ ଦ୍ବାରା ଅଙ୍ଗୀକାରବଦ୍ଧ ଭାରତର ଭାବମୂର୍ତ୍ତି ହିଁ ନାହିଁ। ନିଜକୁ ଅତିକ୍ରମ କରିଥିବା ଏକ ଉତ୍ତରିତ ଭାରତୀୟତା ହିଁ ଆମ ଜ୍ଞାନ ପ୍ରତିଷ୍ଠାର ବାହକ ହେବା ଉଚିତ ବୋଲି ମୋର ବିଚାର। ରୋଜଗାର ପାଇଁ, ବିଜ୍ଞାନ ପାଇଁ, କୌଶଳ ପାଇଁ ଶିକ୍ଷା ରହୁ, କିନ୍ତୁ କ’ଣ ହେବ କଥା କହିପାରୁ ନଥିବା, ଚିନ୍ତା କରିପାରୁ ନଥିବା, ସ୍ବପ୍ନ ଦେଖି ପାରୁ ନଥିବା ଓ ଆଦର୍ଶ କ’ଣ ଜାଣୁନଥିବା ଅସ˚ଖ୍ୟ ତରୁଣତରୁଣୀଙ୍କର, ଯଦି ତାଙ୍କୁ ଜ୍ଞାନର ଚଳନ୍ତି ଅବରୋଧରୁ ମୁକ୍ତ କରାନଯାଏ!

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର