‘ଆତ୍ମନିର୍ଭର ଭାରତ’ ସଂପର୍କରେ

ଅର୍ଥନୀତି ଆଲୋଚନା - ଆଶିଷ କୁମାର ଦାସ

ଭାରତରେ କରୋନା ସଂକ୍ରମଣ ଏବଂ ତଜ୍ଜନିତ ସାରା ଦେଶରେ ହୋଇଥିବା ଲକ୍‌ଡାଉନ୍‌ କାରଣରୁ ଅର୍ଥନୀତି ଗମ୍ଭୀର ମାନ୍ଦାବସ୍ଥା ଭିତରକୁ ଠେଲି ହୋଇଯାଇଛି। ଏଭଳି ସ୍ଥିତିର ମୁକାବିଲା ପାଇଁ ‘ଆତ୍ମନିର୍ଭର ଭାରତ’ ଭଳି ଚିନ୍ତନ ଓ ଯୋଜନାର ସୂତ୍ରପାତ ହୋଇଛି, ଯାହାର ଠିକଣା ରୂପାୟନ ଏ ଦେଶର ଭାଗ୍ୟ ବଦଳାଇବାରେ ସହାୟକ ହୋଇପାରେ।

ଗତ ମେ ମାସ ୧୨ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ର ଘୋଷଣାରେ ଅଣ ଅର୍ଥନୈତିକ ଓ ଅଣ ବସ୍ତୁବାଦୀ ଉପାଦାନ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏହି ପରିକଳ୍ପନାରେ ଭାରତର ଅର୍ଥନୈତିକ ବିକାଶ ଦେଶର ଅନ୍ତର୍ନିହିତ ଓ ଆଭ୍ୟନ୍ତରୀଣ ଶକ୍ତି ଉପରେ ନିର୍ଭର କରି ଅଗ୍ରଗତି ଲାଭ କରିବ ବୋଲି ଧାରଣା ନିହିତ ଅଛି। ସ୍ଥାନୀୟ ଆବଶ୍ୟକତାରୁ ସ୍ଥାନୀୟ ବିକାଶ ଓ ସ୍ଥାନୀୟ ବିକାଶରୁ ବିଶ୍ବ ସ୍ତରରେ ବିକାଶ ଓ ବାଣିଜ୍ୟ ପାଇଁ କ୍ଷେତ୍ର ପ୍ରସ୍ତୁତି ନେଇ ଚିନ୍ତନ ପ୍ରାରମ୍ଭ ହୋଇଛି। ଏହା ହେବ ଏକ ଚାହିଦା ଭିତ୍ତିକ ଅର୍ଥନୈତିକ ବ୍ୟବସ୍ଥା, ଯାହା ଆମର ନିଜ ଉତ୍ପାଦନ ଦ୍ବାରା ମେଣ୍ଟିବା ସହିତ ବଳକା ଉତ୍ପାଦନ ଯେମିତି ବିଶ୍ବବାସୀଙ୍କ ଚାହିଦା କେତେକାଂଶରେ ପୂରଣ କରିପାରୁଥିବ।

‘ଆତ୍ମନିର୍ଭର ଭାରତ’ ୫ଟି ସ୍ତମ୍ଭ ଉପରେ ଦଣ୍ଡାୟମାନ। ସେଗୁଡ଼ିକ ହେଉଛି ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା ବା ‘ସିଷ୍ଟମ’, ଜନସଂଖ୍ୟା ଓ ମାନବସମ୍ବଳ ଏବଂ ବଜାର ଚାହିଦା। ତେଣୁ ଅର୍ଥନୀତିକୁ ସ୍ଥିତାବସ୍ଥାରୁ ବିକାଶ ଆଡ଼କୁ ଆଗେଇ ନେବା ଲାଗି ଭିତ୍ତିଭୂମିର ବିକାଶ ତଥା ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରୟୋଗ କରାଯାଇ ବ୍ୟବସ୍ଥାଗତ ପରିବର୍ତ୍ତନ ମାଧ୍ୟମରେ ମାନବସମ୍ବଳର ଦକ୍ଷତାର ଉପଯୋଗ ପୂର୍ବକ ଜନସଂଖ୍ୟାର ଚାହିଦା ପରିପୂରଣ ସକାଶେ ଏକ ଯୋଗାଣ ଶୃଙ୍ଖଳ ସୃଷ୍ଟି କରାଯିବ। କୋଭିଡ-୧୯ ସଂକ୍ରମଣଜନିତ ପରିସ୍ଥିତିରେ ଅର୍ଥନୈତିକ ପୁନଃ ଗଠନ ସ୍ୱରୂପ ପ୍ରଥମେ କୃଷି ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ ଏହାର ପ୍ରୟୋଗ ଆବଶ୍ୟକ। ଆମ ଦେଶରେ ବଜାର ଚାହିଦା ଅନୁସାରେ କୃଷି ଉତ୍ପାଦନର ବୃଦ୍ଧି ନ ଘଟିବାରୁ କୃଷି- ଅର୍ଥନୀତିରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି। ସରକାର ଏହି ଅବସ୍ଥାର ପ୍ରତିକାର ପାଇଁ କେତେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଗୁଡ଼ିକ ହେଲା କୃଷିଜାତ ଦ୍ରବ୍ୟ ଗୁଡ଼ିକର ବିକ୍ରୟ ପାଇଁ ଏକକ ବଜାର ଗଠନ, କୃଷିର ବିକାଶ ପାଇଁ ଅଧିକ ପୁଞ୍ଜିନିବେଶ, କୃଷକମାନଙ୍କୁ କୃଷି ଉତ୍ପାଦନର ଉପଯୁକ୍ତ ମୂଲ୍ୟ ପ୍ରଦାନ, କୃଷି ବୀମା-କରଣ, କୃଷିକ୍ଷେତ୍ରରେ ଉନ୍ନତ ପ୍ରଯୁକ୍ତିର ପ୍ରୟୋଗ ଏବଂ କୃଷି ଭିତ୍ତିଭୂମି ବିକାଶ ପାଣ୍ଠି ଗଠନ ଇତ୍ୟାଦି।

କୃଷି ଭଳି ସ୍ଥାନୀୟ ଉଦ୍ୟୋଗଗୁଡ଼ିକର ବିକାଶ ମଧ୍ୟ ଜରୁରୀ। ବେସାମରିକ ବିମାନ ସେବାର ସଂପ୍ରସାରଣ, ଶକ୍ତି କ୍ଷେତ୍ରରେ ଚାହିଦା ଅନୁସାରେ ଉତ୍ପାଦନ ବୃଦ୍ଧି, ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଇତ୍ୟାଦି କ୍ଷେତ୍ର ‘ଆତ୍ମ ନିର୍ଭରଶୀଳ ଭାରତ’ ଚିନ୍ତନରେ ଅଧିକ ଗୁରୁତ୍ବ ପାଇବା ଜରୁରୀ। ଇତିମଧ୍ୟରେ କେନ୍ଦ୍ର ସରକାର ସ୍ବଦେଶୀ ପ୍ରତିରକ୍ଷା ଯନ୍ତ୍ରପାତି ଉତ୍ପାଦନ ଲାଗି ନିଷ୍ପତ୍ତି ନେଇ ସାରିଲେଣି। ଏହା ସଫଳ ହେଲେ ଭାରତ ନିଜର ଚାହିଦା ପୂରଣ କରିବା ସହିତ ଏ ସବୁ ପ୍ରତିରକ୍ଷା ଯନ୍ତ୍ରପାତି ଓ ସରଞ୍ଜାମକୁ ବିଦେଶ ରପ୍ତାନି ମଧ୍ୟ କରିପାରିବ। ଏହାଦ୍ବାରା ଭାରତୀୟ ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟ ଲାଭବାନ ହେବେ।

ଲକ୍‌ଡାଉନ୍‌ ପ୍ରଭାବରେ ଭାରତୀୟ ଅର୍ଥନୀତିର ସୃଷ୍ଟ ମାନ୍ଦାବସ୍ଥା କାରଣରୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ଖୁବ୍ ପ୍ରଭାବିତ ହୋଇଛନ୍ତି। ‌େତଣୁ ‌େସଗୁଡ଼ିକୁ ସହଜରେ ଋଣ ଯୋଗାଇଦେବା ଉଚିତ। ସରକାରଙ୍କ ତରଫରୁ ଋଣ ପରିଶୋଧ ପ୍ରତିଶ୍ରୁତି ବ୍ୟାଙ୍କଗୁଡ଼ିକୁ ପ୍ରଦାନ କରି ଏହି ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ଏହି ସମୟରେ କ୍ଷତିରେ ଚାଲୁଥିବା ସରକାରୀ ଉଦ୍ୟୋଗଗୁଡ଼ିକର ଘରୋଇକରଣ କରାଯିବା ଆବଶ୍ୟକ। ତାହା ହେଲେ ସେଗୁଡ଼ିକର ଦକ୍ଷତା ବୃଦ୍ଧି ହେବା ସହିତ ସରକାର ଟିକସ ବାବଦରେ ଅଧିକ ରାଜସ୍ବ ସଂଗ୍ରହ କରିପାରିବେ। ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ ବେସରକାରୀ ସଂସ୍ଥାଗୁଡ଼ିକୁ ସରକାର ଅନୁମତି ପ୍ରଦାନ କରିପାରନ୍ତି।

ଆର୍ଥିକ କ୍ଷେତ୍ରରେ ଅଧିକ ସଂସ୍କାରର ଆବଶ୍ୟକତା ରହିଛି। ସମବାୟ ଓ ଅଣ ବ୍ୟାଙ୍କିଂ ଆର୍ଥିକ ସଂସ୍ଥାଗୁଡ଼ିକ ପାଇଁ କେତେକ ପରିବର୍ତ୍ତନ ସଂପର୍କରେ ସରକାର ଘୋଷଣା କରିଛନ୍ତି। ଏହି ସବୁ କମ୍ପାନିଗୁଡ଼ିକର ବାଣିଜ୍ୟିକ ଦସ୍ତାବିଜ ଏବଂ ବଣ୍ଡ୍‌ଗୁଡ଼ିକ ପ୍ରତିଶ୍ରୁତିପତ୍ର ଭାବେ ଗୃହୀତ ହେବ। କ୍ଷୁଦ୍ର ଅଣବ୍ୟାଙ୍କିଂ ଆର୍ଥିକ ସଂସ୍ଥାଗୁଡ଼ିକ ଏହାଦ୍ବାରା ବିଶେଷ ଭାବେ ଉପକୃତ ହୋଇପାରିବେ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ରହିଥିବା ‌େଦବାଳିଆ ଆଇନ‌େର କେତେକ ସଂଶୋଧନ କରାଯାଇଥିବାରୁ ଋଣ ଯୋଗାଇଥିବା ବ୍ୟାଙ୍କଗୁଡ଼ିକ ଆର୍ଥିକ କ୍ଷେତ୍ରରେ ଚାପ ମୁକ୍ତ ହେବେ।

ସେହିଭଳି ପ୍ରବାସୀ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ କର୍ମଯୋଗାଣ ମାଧ୍ୟମରେ ଥଇଥାନ କରିବା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ କୌଶଳ ଓ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯିବାର ଚିନ୍ତନ ସକାରାତ୍ମକ। ଏହାଦ୍ବାରା ଅନେକ ଶ୍ରମିକ ଅଣସଂଗଠିତ କ୍ଷେତ୍ରରୁ ଆସି ସଂଗଠିତ କ୍ଷେତ୍ରରେ ଆପଣା ଯୋଗଦାନ ଦେଇ ପାରିବେ।

କରୋନା ପାନ୍‌ଡେମିକ୍‌ ଯେଉଁ ଶିକ୍ଷା ଦେଇଛି ତାହା ହେଲା, ଏଭଳି ଏକ ସ୍ଥିତିରେ ପରନିର୍ଭରଶୀଳତା ଘାତକ ହୋଇପାରେ। ଭାରତର ଜନସଂଖ୍ୟା‌ କେବଳ ଏକ ବୃହତ୍‌ ମାନବ ସମ୍ବଳ ନୁହେଁ, ଏହା ଏକ ବିଶାଳ ବଜାର ମଧ୍ୟ। ତେଣୁ ‘ଆତ୍ମନିର୍ଭରଶୀଳ’ ଭାରତର ପରିକଳ୍ପନାରେ ଦେଶର ସଂସାଧନକୁ ବିନିଯୋଗ କରି ଦେଶର ଚାହିଦା ପୂରଣ କରିବା ପୂର୍ବକ ଭାରତର ଅର୍ଥନୀତି ସୁଧୁରି ପାରିବ। ତା’ ସହିତ ବିଶ୍ବ ବଜାରରେ ଭାରତ ନିର୍ମିତ ଦ୍ରବ୍ୟର ଉପସ୍ଥିତି ମଧ୍ୟ ଭାରତ ଲାଗି ଧନ ଉପାର୍ଜନରେ ସହାୟକ ହେବ।

ମୋ- ୯୪୩୭୩୮୩୫୫୭
asishdas1955gmail.com

ସମ୍ବନ୍ଧିତ ଖବର