ସଂପ୍ରତି କୃତ୍ରିମ ମେଧା ସାହାଯ୍ୟରେ ‘ବୁଦ୍ଧିମାନ ଯନ୍ତ୍ର’ମାନ ତିଆରି କରିବାରେ ଅସଂଖ୍ୟ ବୈଜ୍ଞାନିକ ମଗ୍ନ ରହିଛନ୍ତି। ଏହି ସବୁ ବୁଦ୍ଧିମାନ ଯନ୍ତ୍ର ‘ରୋବୋଟ’ ଭାବେ ପରିଚିତ। ଏଥିସହ ଆମେ ରୋବୋଟ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ୁଛୁ; କାରଣ ଆମର ଅନେକ କାର୍ଯ୍ୟ ରୋବୋଟ ଦ୍ବାରା ଅଧିକ ସହଜରେ କରାଯାଇପାରୁଛି। ଏଣେ ଅମରତ୍ବ ହାସଲ, ନିଜର କ୍ଲୋନ୍ (ପ୍ରତିରୂପ) ସୃଷ୍ଟି, ଅଭିନବ ଜୀବ ସ˚ଶ୍ଳେଷଣ, ଡିଜାଇନର ବେବି (ପସନ୍ଦ ମୁତାବକ ଶିଶୁ ଜନ୍ମ) ପରି ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବାରେ ଉଦ୍ୟମ ଜାରି ରହିଛି। ଏବେ ସଜୀବ ବା ଜୀବନ୍ତ ରୋବୋଟ ସୃଷ୍ଟି କରାଯାଇଛି, ଯାହା ଯନ୍ତ୍ର ଓ ଜୀବ ଭିତରେ ଏକ ପ୍ରକାରର ‘ସଙ୍କର’ ବା ହାଇବ୍ରିଡ୍ ସଦୃଶ।
ଆଦ୍ୟ ଏକବି˚ଶ ଶତାବ୍ଦୀ (ଏପ୍ରିଲ, ୨୦୦୩)ରେ ମାନବ ଜିନୋମ (ସମସ୍ତ ଡି.ଏନ.ଏ.ର ସମାହାର) ନିରୂପିତ ହେଲା। ଏହା ଏକ ଯୁଗାନ୍ତକାରୀ ଉପଲବ୍ଧି ଭାବେ ବିବେଚିତ। ଏହାର ଅନ୍ୟତମ ପୁରୋଧା ଥିଲେ ଜନ କ୍ରେଗ ଭେଣ୍ଟର୍। ପରେ ସେ ଓ ତାଙ୍କର ସହଯୋଗୀବୃନ୍ଦ ମେ, ୨୦୧୦ରେ କମ୍ପ୍ୟୁଟର ପ୍ରସ୍ତୁତ ଡି.ଏନ.ଏ. ନକ୍ସା ସାହାଯ୍ୟରେ ସୃଷ୍ଟି କରିଥିଲେ ବିଶ୍ବର ପ୍ରଥମ ସ˚ଶ୍ଳେଷିତ ବୀଜାଣୁ, ‘ମାଇକୋପ୍ଲାଜମା ମାଇକଏଡିସ୍’। ଏହି ଅବସରରେ ଭେଣ୍ଟର୍ କହିଥିଲେ, ‘ଏହା ପୃଥିବୀର ପ୍ରଥମ ସ୍ବୟ˚ଭୂ କୋଷ ଯାହାର ପୂର୍ବଜ ହେଉଛି ଏକ କମ୍ପ୍ୟୁଟର’। ସେହିପରି ଏପ୍ରିଲ, ୨୦୧୯ରେ ବିଶ୍ବବିଖ୍ୟାତ ବିଶ୍ବବିଦ୍ୟାଳୟ ଇ.ଟି.ଏଚ., ଜ୍ୟୁରିକର ବିଜ୍ଞାନୀମାନେ କମ୍ପ୍ୟୁଟର ସାହାଯ୍ୟରେ ‘କଲୋବ୍ୟାକ୍ଟର ଇଥେନ୍ସିସ’ ନାମକ ବୀଜାଣୁର ସମ୍ପୂର୍ଣ୍ଣ ଜିନୋମ ସ˚ଶ୍ଳେଷଣ କରିଥିଲେ। ପ୍ରାୟ ମାସକ ପରେ (ମେ, ୨୦୧୯ରେ) ଇ˚ଲଣ୍ତର ମେଡିକାଲ ରିସର୍ଚ୍ଚ କାଉନସିଲ ଲାବୋରେଟରି ଅଫ ମଲିକ୍ୟୁଲାର ବାଇଓଲୋଜିରେ ‘ଇଶେରିକିଆ କୋଲାଇ’ ବୀଜାଣୁର ଏକ ପରିବର୍ତ୍ତିତ କିସମ ସ˚ଶ୍ଳେଷଣ କରାଯାଇଛି। ଏବେ ଜୀବବିଜ୍ଞାନ ଏବ˚ କୃତ୍ରିମ ମେଧା ତଥା ରୋବୋଟିକ୍ସର ଚମତ୍କାର ଯୁଗଳବନ୍ଦୀ ଯୋଗୁଁ ବିଶ୍ବର ସର୍ବପ୍ରଥମ ‘ସଜୀବ ରୋବୋଟ’ ସୃଷ୍ଟି କରାଯାଇଛି। ଏହା ‘ପ୍ରୋସେଡିଙ୍ଗ୍ସ ଅଫ ନେସନାଲ ଏକାଡେମି ଅପ ସାଇଁସେସ’ରେ ଗଲା ଜାନୁଆରି ୧୩ ତାରିଖରେ ପ୍ରକାଶ ପାଇଛି। ସାଧାରଣତଃ ଧାତୁ ଓ ପ୍ଲାଷ୍ଟିକରେ ନିର୍ମିତ ରୋବୋଟ ସହ ଆମେ ପରିଚିତ। କିନ୍ତୁ ଜୀବନ୍ତ ପ୍ରାଣୀକୋଷ ବ୍ୟବହାର କରି ସୃଷ୍ଟି କରାଯାଇଥିବା ଏହି ଅଭିନବ ସତ୍ତା ପାରମ୍ପରିକ ରୋବୋଟ ପରି ବା କୌଣସି ପ୍ରାଣୀ ପରି ନୁହେଁ। ମାତ୍ର ପ୍ରାୟ ୧ ମିଲିମିଟର (ମି.ମି.) ଆୟତନବିଶିଷ୍ଟ ଏହି ‘ମାନବ-ନିର୍ମିତ କୃତ୍ରିମ ସତ୍ତା’ (ଆର୍ଟିଫାକ୍ଟ) ହେଉଛି ଏକ ‘ସଜୀବ ପ୍ରୋଗ୍ରାମେବଲ ପ୍ରାଣୀ’। ଏହା ଅଳ୍ପ କେତୋଟି ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ଏହାକୁ ‘ଯନ୍ତ୍ରମାନବ’ ବଦଳରେ ‘ସଜୀବ ରୋବୋଟ’ (ହାଇବ୍ରିଡ ରୋବୋଟ) କହିବା ଉଚିତ।
ଯୁକ୍ତରାଷ୍ଟ୍ର ଆମେରିକାର ଭର୍ମଣ୍ଟ୍ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟରବିଜ୍ଞାନୀ ତଥା ରୋବୋଟିକ୍ସ ବିଶାରଦ ଜୋଶୁଆ ବୋନ୍ଗାର୍ଡ୍ ଓ ତାଙ୍କ ପି.ଏଚ୍.ଡି. ଛାତ୍ର ସାମ୍ କ୍ରିଗ୍ମାନ୍ ଏବ˚ ମାସାଚ୍ୟୁସେଟ୍ସସ୍ଥିତ ଟଫଟ୍ସ ବିଶ୍ବବିଦ୍ୟାଳୟର ‘ସେଣ୍ଟର ଫର ରିଜେନେରେଟିଭ ଏଣ୍ତ ଡେଭେଲପ୍ମେଣ୍ଟାଲ୍ ବାଇଓଲଜି’ର ନିର୍ଦ୍ଦେଶକ ବିଶିଷ୍ଟ ପ୍ରାଣୀଶାସ୍ତ୍ରୀ ମାଇକେଲ ଲେଭିନ ଓ ସୂକ୍ଷ୍ମଶଲ୍ୟ ଚିକିତ୍ସକ (ମାଇକ୍ରୋସର୍ଜନ) ଡଗ୍ଲାସ ବ୍ଲାକିନ୍ଷ୍ଟନ୍ଙ୍କ ମିଳିତ ଉଦ୍ୟମରେ ଏହି ସଜୀବ ରୋବୋଟ ସୃଷ୍ଟି କରାଯାଇଛି। ଏଥିପାଇଁ ସ˚ପୃକ୍ତ ବିଜ୍ଞାନୀମାନେ ସୁପର କମ୍ପ୍ୟୁଟର ଦ୍ବାରା ବିବିଧ କାର୍ଯ୍ୟ କରିପାରୁଥିବା ଅନେକ ସରଳ ପ୍ରାଣୀ ନକ୍ସା ପରଖିଥିଲେ। ସେମାନେ କୃତ୍ରିମ ମେଧା ଯୁକ୍ତ ବିବର୍ତ୍ତନଗତ ଆଲଗୋରିଦମ (କଳନାବିଧି) ବିନିଯୋଗ କରି କିଛି ସରଳ କାର୍ଯ୍ୟ କରିପାରୁଥିବା ପ୍ରାଣୀ ନକ୍ସାଟିଏ ନିର୍ଣ୍ଣୟ କଲେ। ଦକ୍ଷିଣ ଆଫ୍ରିକୀୟ ନଖଯୁକ୍ତ ବେଙ୍ଗ (ଜେନୋପସ୍ ଲେଭିସ୍)ର ଭ୍ରୂଣରୁ ସ˚ଗୃହୀତ କାଣ୍ତକୋଷରେ ଏହି କଳନାବିଧି ଖଞ୍ଜି ଏ ପ୍ରକାର ସଜୀବ ରୋବୋଟ୍ସମାନ ସୃଷ୍ଟି କରାଯାଇପାରିଛି। ବେଙ୍ଗର ନାମ ଅନୁସାରେ ଏଗୁଡ଼ିକୁ ‘ଜେନୋବୋଟ୍ସ’ କୁହାଯାଉଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ କୋଷ ବିଜ୍ଞାନ, ଅନୁବ˚ଶ ବିଜ୍ଞାନ, ଭ୍ରୂଣ ବିଜ୍ଞାନ ପରି ଅନେକ କ୍ଷେତ୍ରରେ ପରୀକ୍ଷଣ ଓ ଗବେଷଣା ପାଇଁ ଏହି ଜାତି (ସ୍ପିସିସ୍)ର ବେଙ୍ଗକୁ ବହୁଳଭାବେ ବ୍ୟବହାର କରାଯାଇଥାଏ। ୧୯୬୬ ମସିହାରେ ଜନ୍ ଗୁର୍ଡନ୍ ଜେନୋପସ୍ ଲେଭିସ୍ର ସନ୍ତରଣକ୍ଷମ ବେଙ୍ଗଫୁଲାର ବୟଃପ୍ରାପ୍ତ ଅନ୍ତ୍ରକୋଷରୁ ସ˚ଗୃହୀତ ନ୍ୟଷ୍ଟି ବ୍ୟବହାର କରି ଏହି ବେଙ୍ଗର କ୍ଲୋନ ସୃଷ୍ଟି କରିପାରିଥିଲେ।
ପ୍ରାୟ ୫୦୦-୧୦୦୦ ଭ୍ରୂଣୀୟ କାଣ୍ତକୋଷକୁ ନେଇ ଗୋଟିଏ ଜେନୋବୋଟ ଗଠିତ। ସ˚ପୃକ୍ତ କାଣ୍ତକୋଷଗୁଡ଼ିକ ଭବିଷ୍ୟତରେ ଚର୍ମକୋଷ ଓ ହୃତ୍ପେଶୀକୋଷ ଭାବେ ବିକାଶ ଲାଭ କରିଥାଆନ୍ତେ। କିନ୍ତୁ ବିଜ୍ଞାନୀମାନେ ସେଗୁଡ଼ିକୁ ଜେନୋବୋଟ ସୃଷ୍ଟିରେ ନିୟୋଜିତ କରି ସେଗୁଡ଼ିକର ‘ଭାଗ୍ୟ ଓ ଭବିତବ୍ୟ’ ବଦଳାଇ ଦେଲେ। ସୂକ୍ଷ୍ମ ଶଲ୍ୟ ଚିକିତ୍ସା ଜରିଆରେ ଯୋଡ଼ା ଯାଇଥିବା ଏହି ଦୁଇ ପ୍ରକାରର କୋଷର ସମାହାରରୁ ଏହିପରି ଏକ ଅଭୂତପୂର୍ବ ସତ୍ତା ସୃଷ୍ଟି ହୋଇଗଲା ଯାହା ଜଳୀୟ ମାଧ୍ୟମରେ ନିର୍ଦ୍ଦିଷ୍ଟ ଦିଗରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁଛି ଓ ବୃତ୍ତାକାର ଗତି ମଧ୍ୟ କରିପାରୁଛି। ଜେନୋବୋଟକୁ ଦେଖିଲେ ଲାଗିବ ଯେ ଏହାର ଗୋଟିଏ ‘ଛାତି’ ଅଛି ଯାହା ସହ ଦୁଇ ଯୋଡ଼ା ‘ଗୋଡ଼’ ଲାଗିଛି। ବାହାରୁ ଖାଦ୍ୟ ଗ୍ରହଣ କରି ବଢ଼ିବା ବା ପ୍ରଜନନ ଜରିଆରେ ବ˚ଶବୃଦ୍ଧି କରିବାର ପ୍ରଶ୍ନ ହିଁ ନାହିଁ; କିନ୍ତୁ ଦୈବାତ୍ କଟିଗଲେ ଯୋଡ଼ି ହୋଇଯିବାର କ୍ଷମତା ଏଗୁଡ଼ିକର ଅଛି। କୋଷସ୍ଥିତ ସ୍ବଳ୍ପ ପରିମାଣର ସଂଚିତ ଖାଦ୍ୟ ଦ୍ବାରା ୮-୧୦ ଦିନ ପାଇଁ ଶକ୍ତି ଆବଶ୍ୟକତା ମେଣ୍ଟିଥାଏ; ସେତକ ସରିଗଲେ ଏଗୁଡ଼ିକର ‘ଜୀବନର ଅନ୍ତ’ ଘଟିଥାଏ। ସେହିପରି ଏଗୁଡ଼ିକୁ ଓଲଟାଇ ଦେଲେ ମଧ୍ୟ ଏଗୁଡ଼ିକର ‘ମୃତ୍ୟୁ’ ହୋଇଯାଇଥାଏ। ଜୀବକୋଷରେ ଗଠିତ ହୋଇଥିବାରୁ ଏଗୁଡ଼ିକ ଜୈବ ବିଘଟନକ୍ଷମ (ବାଇଓଡିଗ୍ରେଡେବଲ) ଓ ଏମାନଙ୍କ ଦ୍ବାରା ପରିବେଶ ପ୍ରଦୂଷଣର ଆଶଙ୍କା ଆଦୌ ନାହିଁ।
ଏଠାରେ ରୋବୋଟିକ୍ସ କ୍ଷେତ୍ରରେ ହାସଲ କରାଯାଇଥିବା କେତେକ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ଉପରେ ସାମାନ୍ୟ ଦୃଷ୍ଟି ଦିଆଯାଇପାରେ। ଚେକୋସ୍ଲୋଭାକିଆର ନାଟ୍ୟକାର କାରେଲ୍ କ୍ୟାପେକ୍ଙ୍କ ନାଟକ ‘ରୋସମ୍ସ ୟୁନିଭର୍ସାଲ ରୋବୋଟ୍ସ’ରେ ଏହି ଶବ୍ଦ ପ୍ରଥମେ ୧୯୨୦ ମସିହାରେ ବ୍ୟବହାର କରାଯାଇଥିଲା। ତେବେ କ୍ୟାପେକ୍ଙ୍କ କଳ୍ପିତ ରୋବୋଟ ଆମର ପରିଚିତ ରୋବୋଟ ବା ଏବର ଜେନୋବୋଟ୍ଠାରୁ ଭିନ୍ନ ଥିଲା। ସେହିପରି ୧୯୪୦ ଦଶକରେ ଆଇଜାକ ଏସିମୋଭ ‘ରୋବୋଟିକ୍ସ’ ଶବ୍ଦର ପ୍ରଥମ ପ୍ରୟୋଗ କରିଥିଲେ। କିନ୍ତୁ ବିଧିବଦ୍ଧଭାବେ କୃତ୍ରିମ ମେଧା ସମ୍ପର୍କିତ ଅଧ୍ୟୟନ ୧୯୫୬ ମସିହାରେ ଆରମ୍ଭ ହୋଇଥିଲା ଯୁକ୍ତରାଷ୍ଟ୍ର ଆମେରିକାର ଡାର୍ମିଥ୍ କଲେଜରେ ଅନୁଷ୍ଠିତ ଏକ କର୍ମଶାଳାରେ। ୧୯୬୧ ମସିହାରେ ଜର୍ଜ ଡେଭୋଲ୍ ‘ୟୁନିମେଟ୍’ ନାମକ ପ୍ରଥମ ଶିଳ୍ପ-ରୋବୋଟ ନିର୍ମାଣ କରିଥିଲେ। ଏବେ ଆଧୁନିକ କୃତ୍ରିମ ମେଧା ତଥା ରୋବୋଟର ବ୍ୟବହାର ଔଷଧ ପ୍ରସ୍ତୁତିଠାରୁ ଆରମ୍ଭ କରି ଚାଳକବିହୀନ କାର୍ ପର୍ଯ୍ୟନ୍ତ ବହୁ କ୍ଷେତ୍ରରେ କରାଯାଉଛି। ଗତ ଫେବ୍ରୁଆରି ମାସରେ ମାସାଚ୍ୟୁସେଟ୍ସ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ଇନ୍ଷ୍ଟିଚ୍ୟୁଟ ଫର୍ ମେଡିକାଲ ଇଞ୍ଜିନିୟରି˚ ଏଣ୍ତ ସାଇନ୍ସର ଜେମ୍ସ କଲିନ୍ସ କୃତ୍ରିମ ମେଧା ବିନିଯୋଗପୂର୍ବକ ହାଲିସିନ ନାମକ ଏକ ଶକ୍ତିଶାଳୀ ତଥା ଫଳପ୍ରସୂ ଏଣ୍ଟିବାଇଓଟିକ ଆବିଷ୍କାର କରିଛନ୍ତି। ଏହା ବହୁ ପ୍ରକାରର ଏଣ୍ଟିବାଇଓଟିକ -ପ୍ରତିରୋଧୀ ବୀଜାଣୁକୁ ମାରିଦେବାରେ ଫଳପ୍ରସୂ ହେଉଛି ବୋଲି ଜଣାପଡ଼ିଛି।
ଏବେ ଅନେକ କ୍ଷେତ୍ରରେ ରୋବୋଟ ଦ୍ବାରା କାର୍ଯ୍ୟ ହାସଲ କରାଯାଉଛି। ଏପରିକି ଏବେ ‘ରୋବୋଟ ପ୍ରେମିକ’ର ଆବିର୍ଭାବ ଘଟିବା ଉପରେ। ଶିକ୍ଷା କ୍ଷେତ୍ରରେ ରୋବୋଟର ବ୍ୟବହାର କରାଯାଉଛି। ଭବିଷ୍ୟତରେ ଏହା ଏ’କ୍ଷେତ୍ରରେ ବିପ୍ଳବାତ୍ମକ ପରିବର୍ତ୍ତନ ଘଟାଇବାର ସୂଚନା ମିଳୁଛି। ୨୦୦୯ ମସିହାରେ ଜାପାନରେ ପ୍ରଥମ ରୋବୋଟ ଶିକ୍ଷୟିତ୍ରୀ ସାୟା ୫ମ ଶ୍ରେଣୀ ଛାତ୍ରଙ୍କୁ ବିଜ୍ଞାନ ପଢ଼ାଇଥିଲା। ଏବେ ସେଠାରେ ପେପ୍ପର ନାମକ ରୋବୋଟ ଶିକ୍ଷକଭାବେ କାର୍ଯ୍ୟରତ। ଦକ୍ଷିଣ କୋରିଆ, ଫିନଲାଣ୍ତ, ଚୀନ, ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆ ପରି ବହୁ ଦେଶରେ ଶିକ୍ଷା କ୍ଷେତ୍ରରେ ରୋବୋଟ ବ୍ୟବହାର କରାଯାଉଛି। ସେପ୍ଟେମ୍ବର, ୨୦୧୯ରେ ବେଙ୍ଗାଲୁରୁସ୍ଥିତ ଇଣ୍ତସ ଆନ୍ତର୍ଜାତିକ ସ୍କୁଲରେ ରୋବୋଟ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଅଟିଜିମଗ୍ରସ୍ତ (ଆତ୍ମମ୍ଭରି) ଶିଶୁମାନଙ୍କୁ ଶିକ୍ଷା ଦାନରେ ରୋବୋଟ ଶିକ୍ଷକ ବେଶ ଉପାଦେୟ ହେବ ବୋଲି ଜଣାପଡ଼ିଛି।
ଏ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହେଉଛି ଅକ୍େଟାବର, ୨୦୧୭ରେ ‘ସୋଫିଆ’ ନାମ୍ନୀ ଏକ ମହିଳା ରୋବୋଟକୁ ସାଉଦି ଆରବ ସେ ଦେଶର ନାଗରିକତ୍ବ ପ୍ରଦାନ କରିଛି। ଏହା ପରେ ସୋଫିଆ ୮୫ଟି ଦେଶ ଭ୍ରମଣ କରିସାରିଛି। ଡିସେମ୍ବର, ୨୦୧୭ରେ ସେ ମୁମ୍ବାଇ ଏବଂ ଏହି ବର୍ଷ ଫେବ୍ରୁଆରିରେ କଲିକତାରେ ପହଞ୍ଚିଥିଲା। ଏହି ଅବସରରେ ସେ ପାରମ୍ପରିକ ଶୈଳୀରେ ଲାଲ ବଙ୍ଗୀୟ ଶାଢ଼ି ପିନ୍ଧି ବେଶ ଆକର୍ଷଣୀୟ ଦିଶୁଥିଲା। ଇଞ୍ଜିନିୟରି˚ ଛାତ୍ରଙ୍କ ସହ ‘କଥାବାର୍ତ୍ତା’ ହେବାବେଳେ ସେ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ‘ପରାମର୍ଶ’ ଦେଇଥିଲା। ତା’ର ମେଧାକୁ ପ୍ରଶ˚ସା କରାଯିବାରୁ ସେ ଉତ୍ତର ଦେଇଥିଲା, ‘ମୋତେ ଈର୍ଷା କରନାହିଁ; ମାନବ ପରି ମେଧାବୀ ଆଉ କେହି ବି ହୋଇପାରିବେ ନାହିଁ।’ ଏଣେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ତରଫରୁ ‘ବ୍ୟୋମମିତ୍ରା’ ନାମ୍ନୀ ଏକ ମହିଳା ରୋବୋଟକୁ ମଣିଷବିହୀନ ମହାକାଶଯାନ (ଗଗନଯାନ)ରେ ପଠାଯିବାର ନିଷ୍ପତ୍ତି ନିଆଯାଇଛି।
ଏହି ପଟ୍ଟଭୂମିରେ ଜେନୋବୋଟ୍ସ ସୃଷ୍ଟି ବେଶ ଗୁରୁତ୍ବ ବହନ କରେ। ଏହାର ସମ୍ଭାବ୍ୟ ପ୍ରୟୋଗର ପରିସର ବ୍ୟାପକ ହେବ ବୋଲି ଆଶା କରାଯାଉଛି। ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣରେ ଏବ˚ ଅପହଞ୍ଚ, ବିପଜ୍ଜନକ ଇଲାକାରେ ବିଷାକ୍ତ ପଦାର୍ଥ ତଥା ତେଜଷ୍କ୍ରିୟ ବିକିରଣର ପରିଷ୍କରଣରେ ଏହା ସମର୍ଥ ହେବ। ତା’ଛଡ଼ା ଜୀବନ୍ତ ରୋବୋଟ ଦ୍ବାରା ଆମ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଔଷଧ ଯୋଗାଇବା, କର୍କଟ କୋଷକୁ ମାରିଦେବା ଓ ଧମନୀ ଭିିତରେ ଜମି ଥିବା ପ୍ଲାକ୍କୁ ସଫା କରିହେବ। ବିଶେଷ କରି ରୋଗୀର ନିଜସ୍ବ କୋଷରୁ ଗଠିତ ସଜୀବ ରୋବୋଟ ଏହି ସବୁ କାର୍ଯ୍ୟରେ ଅଧିକ ଫଳପ୍ରସୂ ହେବ। ଏଥିସହ ଏହା ଆମକୁ ସଜୀବଙ୍କ ବିଷୟରେ, ଜୀବନ ପ୍ରକ୍ରିୟା ସମ୍ବନ୍ଧରେ ଏବ˚ ରୋବୋଟ୍ସ ସମ୍ପର୍କରେ ଅଧିକ ଜ୍ଞାନ ହାସଲ କରିବାରେ ସହାୟକ ହେବ। ତେବେ ମନ୍ଦ ଉଦ୍ଦେଶ୍ୟରେ ଏହାର ପ୍ରୟୋଗର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଭବିଷ୍ୟତରେ ସଜୀବ ରୋବୋଟ ଆହୁରି ଉନ୍ନତ ହେବ, ଅଧିକ ଦିନ ସକ୍ରିୟ ରହିବ, ପ୍ରଜଜନକ୍ଷମ ହେବ ଏବ˚ ଜୀବନ ସ˚ଗ୍ରାମରେ ଅଧିକ ସଫଳ ହୋଇ ଅନ୍ୟ ଜୀବଜାତି ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି। ସୁତରାଂ, ଏ କ୍ଷେତ୍ରରେ ବିଶେଷ ଅଗ୍ରଗତି କରିବା ପୂର୍ବରୁ ବ୍ୟାପକ ଗବେଷଣା, ଅଧ୍ୟୟନ, ଅନୁଧ୍ୟାନ ଓ ନିରପେକ୍ଷ ମୂଲ୍ୟାୟନ ଦରକାର।
ମୋ- ୮୨୮୦୨୩୯୯୫୭