ନିର୍ବାଚନ ଜିଣିବାର କୌଶଳ
ଯୋଗେନ୍ଦ୍ର ଯାଦବ
ପ୍ରଥମେ ହରିୟାଣା ଓ ମହାରାଷ୍ଟ୍ର ଏବ˚ ତା ପରେ ଝାଡ଼ଖଣ୍ତର ନିର୍ବାଚନ ଫଳାଫଳ ପ୍ରସଙ୍ଗରେ ମୁଁ ଲେଖିଥିଲି- ଆଶ୍ବସ୍ତି ତ ମିଳିଲା କିନ୍ତୁ ମାର୍ଗ ନୁହେଁ। ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବା ପରେ ପରିସ୍ଥିତି ଅଧିକ ଗମ୍ଭୀର ଲାଗୁଛି। ଅନ୍ୟ ନିର୍ବାଚନଗୁଡ଼ିକ ତୁଳନାରେ ଅଧିକ ଆଶ୍ବସ୍ତି ମିଳିଛି; ତେବେ, ମାର୍ଗ ନ ମିଳିବା ପୂର୍ବାପେକ୍ଷା ଅଧିକ ଯନ୍ତ୍ରଣାଦାୟକ। ଆଶ୍ବସ୍ତି କେବଳ ଏଥି ପାଇଁ ନୁହେଁ ଯେ, ଭାଜପାର ଏକଛତ୍ରବାଦୀ ଶାସନର ସ୍ବପ୍ନକୁ ପୁଣି ଥରେ ଝଟକା ଲାଗିଛି। ଲୋକସଭା ନିର୍ବାଚନରେ ଅଭୂତପୂର୍ବ ସଫଳତା ପରେ କ୍ଷମତାର ଅହ˚କାର ଉପରେ ଅଙ୍କୁଶ ଲାଗିବା ଦେଶ ପାଇଁ ଜରୁରି ଥିଲା। ଦିଲ୍ଲୀ ପୂର୍ବରୁ ଏହି କାମ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ତର ଜନତା କରିସାରିଥିଲେ। ଦିଲ୍ଲୀରେ ଏକ ନୂଆ କଥା ଘଟିଛି। ଦିଲ୍ଲୀର ଜନତା ହିନ୍ଦୁ-ମୁସଲମାନ ଧ୍ରୁବୀକରଣର ଉଲ˚ଗ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଦିଆଯାଇଥିବା ଭାଷଣ ଦେଶର ପ୍ରତ୍ୟେକ ସଚେତନ ନାଗରିକକୁ ବିଚଳିତ କରିଥିଲା। ଏହି ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଶାହୀନବାଗ ବାହାନାରେ ଦେଶର ମୁସଲମାନ ସମୁଦାୟକୁ ଟାର୍ଗେଟ୍ କରିଥିଲେ। ମନ୍ତ୍ରିମଣ୍ତଳରେ ଥିବା ତାଙ୍କର ଜଣେ ସହଯୋଗୀ ସର୍ବସାଧାରଣରେ ମଞ୍ଚ ଉପରେ ‘ଶଳାଙ୍କୁ ଗୁଳି ମାର’ ଭଳି ନିନ୍ଦନୀୟ ସ୍ଲୋଗାନ୍ ଦେଇଥିଲେ। ଜଣେ ନେତା ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କୁ ‘ଆତଙ୍କବାଦୀ’ କହିଥିଲେ। ଆଉ ଜଣେ ଏହି ନିର୍ବାଚନକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବୋଲି ଘୋଷଣା କରିଥିଲେ। ଏହି ରଣନୀତି ଯଦି ସଫଳ ହୋଇଯାଇଥାଆନ୍ତା, ସାରା ଦେଶରେ କେଉଁ ପ୍ରକାରର ତାଣ୍ତବ ଲୀଳା ଆରମ୍ଭ ହୋଇଥାଆନ୍ତା, ଅନୁମାନ କରାଯାଇପାରେ। ସବୁ ଛୋଟ-ବଡ଼ ନେତା ଏହା ଗ୍ରହଣ କରିନେଇଥାଆନ୍ତେ ଯେ, ସରକାରରେ ହେଉ ବା ବିପକ୍ଷରେ କୌଣସି କାମ କରିବାର ଆବଶ୍ୟକତା ନାହିଁ। କେବଳ ନିର୍ବାଚନ ବେଳେ ଘୃଣାର ପ୍ରସାର କର, ହି˚ସା ପାଇଁ ଉସକାଅ ଏବ˚ ନିର୍ବାଚନ ଜିତ। କିଏ ହିନ୍ଦୁ-ମୁସଲମାନ ଖେଳ ଖେଳନ୍ତା ତ କିଏ ଜାତିଆଣ ସ˚ଘର୍ଷ କରାନ୍ତା ତ ଆଉ କିଏ କରନ୍ତା କ୍ଷେତ୍ରୀୟ ହି˚ସାର ନଗ୍ନ ରାଜନୀତି। ଦିଲ୍ଲୀର ଜନତା ଏହି କୁକର୍ମକୁ ଖାରଜ କରି, ଦେଶରେ ଆରମ୍ଭ ହୋଇଥିବା ଉଲ˚ଗ ଧ୍ରୁବୀକରଣ ରାଜନୀତିକୁ ଭଲ କରି ପାନେ ଦେଲେ। ଏହା ଏକ ବଡ଼ ଆଶ୍ବସ୍ତି।
ବଡ଼ ନିର୍ବାଚନୀ ବିଜୟରୁ ବଡ଼ ଅର୍ଥ ଖୋଜିବାର ଇଚ୍ଛା ସ୍ବାଭାବିକ। ଆମ ଆଦମୀ ପାର୍ଟିର ବିଜୟ ଯେ ଉଲ୍ଲେଖନୀୟ, ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ପାଞ୍ଚ ବର୍ଷ ପରେ ପୁଣି ଥରେ ନିର୍ବାଚନ ଜିତିବା, କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ପଚାଶ ପ୍ରତିଶତରୁ ଅଧିକ ଭୋଟ୍ ପାଇବା ତଥା ପୁଣି ଥରେ ନବେ ପ୍ରତିଶତ ଆସନରେ ବିଜୟ ହାସଲ କରିବା, କିଛି କମ୍ କଥା ନୁହେଁ। ଆମ ଆଦମୀ ପାର୍ଟି, ମହିଳା ଓ ଗରିବଙ୍କ ଭୋଟ୍ ଅଧିକ ପାଇଥିବା ନିର୍ବାଚନ ପରବର୍ତ୍ତୀ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ଏହି ବିଜୟ ପାଇଁ ଆମ ଆଦମୀ ପାର୍ଟିର ନେତୃବୃନ୍ଦ ଅଭିନନ୍ଦନ ନିମନ୍ତେ ହକଦାର।
ଏଠାରେ ଏକ ବଡ଼ ପ୍ରଶ୍ନ ଉଠେ। ଏହି ନିର୍ବାଚନ ଫଳାଫଳ କ’ଣ ଦେଶର ରାଜନୀତିକୁ କୌଣସି ଏକ ନୂଆ ଦିଗ ଦେଖାଇପାରିବ? ରାଜନୀତି ସହ ରାଜନୈତିକ ବିଶ୍ଳେଷଣରେ ମଧ୍ୟ ‘ଜିଏ ଜିତିଲା ସିଏ ସିକନ୍ଦର’ ଫର୍ମୁଲା ଲାଗୁହୁଏ। ଏହି ସଫଳତା ପରେ ଏହା ମଧ୍ୟରେ ସୁଶାସନର ନୂଆ ମଡେଲ୍ ନିଶ୍ଚିତ ଖୋଜାଯିବ। ଯେମିତି ପୂର୍ବେ ଗୁଜରାଟ ମଡେଲ୍ ବାବଦରେ ଚର୍ଚ୍ଚା ହେଉଥିଲା, ଏବେ ଦିଲ୍ଲୀ ମଡେଲ୍ ବାବଦରେ ଆଲୋଚନା ହେବ। ଏଠାରେ ସାବଧାନତା ରକ୍ଷା କରିବାକୁ ହେବ। ଆମ ଆଦମୀ ପାର୍ଟିର ବିଜୟ ଉଲ୍ଲେଖନୀୟ; ତେବେ, ଏହି ବିଜୟର ଫର୍ମୁଲା ପରିଚିତ। ଏହା ହେଉଛି, ସେହି ଫର୍ମୁଲା ଯାହା ଦ୍ବିତୀୟ ଓ ତୃତୀୟ ଥର ଜିତିବା ପାଇଁ ନରେନ୍ଦ୍ର ମୋଦୀ, ଗୁଜରାଟରେ ପ୍ରୟୋଗ କରିଥିଲେ। ଯାହାକୁ ଭାଜପା ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଦୋହରାଇଥିଲା ଏବ˚ ଯାହାର ପ୍ରୟୋଗ ନବୀନ ପଟ୍ଟନାୟକ ମଧ୍ୟ କରିଚାଲିଛନ୍ତି। ନିର୍ବାଚନ ଜିତିବା ପାଇଁ ସୁଶାସନର କୌଣସି ନୂଆ ମଡେଲ୍ ଅନାବଶ୍ୟକ। ଏବେ ବି ଆମ ଦେଶର ଜନତା ସରକାରଠାରୁ ଯାହା ଆଶା କରୁଛନ୍ତି, ତାହା ଅତି ସାଧାରଣ। ଯଦି କୌଣସି ସରକାର ଜନତାର ଦୁଇ-ଚାରିଟି ଛୋଟ ଆବଶ୍ୟକତା ପୂରଣ କରିଦିଏ, କାମ ଶେଷ। ଅଳ୍ପ କିଛି ପାଇଗଲେ, ଜନତା ସନ୍ତୁଷ୍ଟ। ତାହା ଦେଇଥିବା ଦଳ ପାଖକୁ ଭୋଟ୍ ଆପେ ଚାଲିଯିବ। ଅବଶିଷ୍ଟ କାମ କରିବ, ପ୍ରଭାବଶାଳୀ ପ୍ରଚାର ତନ୍ତ୍ର ଓ ନିର୍ବାଚନୀ ଫଉଜ।
ଆମ ଆଦମୀ ପାର୍ଟିର ବିଜୟରୁ ଆମେ ଏହା ଧରିନେବା ଅନୁଚିତ ଯେ, ଏହା ଏକ ଉଲ୍ଲେଖନୀୟ ସରକାର ଚଳାଇଥିଲା। ହଁ, ଏହି ସରକାର ବିଜୁଳି ବିଲ୍ କମ୍ କରିଛି; ଏହା ଦ୍ବାରା ଦରିଦ୍ର ଓ ଆର୍ଥିକ ଅନଗ୍ରସର ନିମ୍ନ ମଧ୍ୟମ ବର୍ଗର ଲୋକେ ଆଶ୍ବସ୍ତ ହୋଇଛନ୍ତି। ପାନୀୟ ଜଳର ସ୍ଥିତି ଯଦିଓ ସୁଧୁରି ନାହିଁ, ତେବେ ବିଗିଡ଼ି ବି ନାହିଁ। ଶିକ୍ଷା ସୁଧୁରିନାହିଁ; ତେବେ, ଶିକ୍ଷାନୁଷ୍ଠାନଗୁଡ଼ିକର କୋଠା-ବାଡ଼ି ବଦଳିଛି। ମୋହଲ୍ଲା ବା ସାହି କ୍ଲିନିକ୍ ଦେଖି ଲୋକଙ୍କ ମନରେ ଉଚ୍ଚତର ସ୍ବାସ୍ଥ୍ୟ ସେବା ଆଶା ଜାଗ୍ରତ ହୋଇଛି। ଭ୍ରଷ୍ଟାଚାର, ପରିବେଶ ଓ ପରିବହନ ଦୃଷ୍ଟିରୁ ଦେଖିଲେ, ସ୍ଥିତି ପୂର୍ବପେକ୍ଷା କଦର୍ଯ୍ୟ। କିନ୍ତୁ, ପ୍ରଚାର ମାଧ୍ୟମରେ ତାହା ଢାଙ୍କିଦିଆଗଲା। ଯେହେତୁ ଗଣମାଧ୍ୟମ ଭାଜପା ସପକ୍ଷରେ ରହିଲା, ଆମ ଆଦମୀ ପାର୍ଟି ବେଶ୍ ମୋଟା ଅଙ୍କର ସରକାରୀ ଅର୍ଥ ପ୍ରଚାରରେ ଖର୍ଚ୍ଚ କଲା। ନିର୍ବାଚନ ପ୍ରଚାର ପାଇଁ ଦଳୀୟ ସ˚ଗଠନକୁ ଜୀବନ୍ତ ରଖିଲା ଏବ˚ ପ୍ରଶାନ୍ତ କିଶୋରଙ୍କ ମାଧ୍ୟମରେ ଦମ୍ଦାର ନିର୍ବାଚନୀ ରଣନୀତି ପ୍ରସ୍ତୁତ କଲା। ଏହି ଫର୍ମୁଲା ସଫଳ ହେଲା। ତେବେ, ଏଥିରେ କୌଣସି ନୂତନତ୍ବ ନାହିଁ। ଏହା ମଧ୍ୟ ସରକାର ଚଳାଇବାର କୌଣସି ନୂଆ ମଡେଲ୍ ନୁହେଁ।
ସବୁଠାରୁ ଗମ୍ଭୀର ପ୍ରସଙ୍ଗ ହେଉଛି, ରାଜନୀତିର ନୂଆ ମଡେଲ୍। ଆମ ଆଦମୀ ପାର୍ଟି ଏହି ଦେଶରେ ରାଜନୀତିକୁ ବଦଳାଇବାକୁ ଆସିଥିଲା। କିନ୍ତୁ, ନିର୍ବାଚନୀ ରାଜନୀତିରେ ପଶୁ ପଶୁ ଏହି ଦଳ ସେହି ସବୁ ଗୁଣ-ଦୁର୍ଗୁଣ ଶିଖିନେଲା, ଯାହା ରାଜନୀତିରେ କେବେଠାରୁ ଗଡ଼ିଆସିଲାଣି। ଏହି ଦଳରେ ଆଦର୍ଶବାଦୀ ଆନ୍ଦୋଳନକାରୀଙ୍କ ସ୍ଥାନ ନେଲେ ଚାଲୁ ରାଜ-ନେତା। ଦଳ ପକ୍ଷରୁ କିଛି କୁହାଗଲା, କରାଗଲା ଆଉ କିଛି। ପ୍ରତିଶ୍ରୁତି ରକ୍ଷା କରାଗଲାନାହିଁ। ବ୍ୟକ୍ତି-ପୂଜନ ସ˚ସ୍କୃତି ଗ୍ରହଣ କରାଗଲା। ଅନ୍ୟ ଦଳ ଢାଞ୍ଚାରେ ‘ହାଇ-କମାଣ୍ତ୍’ ଭଳି ସ୍ବେଚ୍ଛାଚାରୀ ପଦ ସୃଷ୍ଟି କରାଗଲା। ଅର୍ଥାତ୍, ଅନ୍ୟ ରାଜନୈତିକ ଦଳଗୁଡ଼ିକର ସମସ୍ତ ବେମାରି ଆମ ଆଦମୀ ପାର୍ଟି ଧୀରେଧୀରେ ଗ୍ରହଣ କରିନେଲା। ଆଦର୍ଶ ସହ ବିଚାର ମଧ୍ୟ କ୍ରମଶଃ ଗୌଣ ହୋଇଚାଲିଲା। ତେଣୁ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଦାବି କରୁଥିବା ଦଳ, ଜାମ୍ମୁ-କାଶ୍ମୀର ରାଜ୍ୟର ଅନ୍ତକୁ ସମର୍ଥନ ଦେବା ଦେଖାଗଲା।
ଆଜି ଗଣତନ୍ତ୍ର ସାମନାରେ ବହୁତ ବଡ଼ ଆହ୍ବାନ। ଏହି ଆହ୍ବାନ କେବଳ ଭାଜପାର ଅହ˚କାର ଭାଙ୍ଗିବା ପାଇଁ ନୁହେଁ କି ଏହି ଦଳକୁ ନିର୍ବାଚନ ରଣାଙ୍ଗନରେ ହରାଇବା ଲାଗି ନୁହେଁ। ଏହା ଗଣତନ୍ତ୍ରକୁ ବଞ୍ଚାଇବାର ଆହ୍ବାନ। ଏଥିରେ ନିର୍ବାଚନୀ ରଣନୀତି କୌଣସି କାମ ଦେବନାହିଁ। ଏଥି ପାଇଁ ଲୋଡ଼ା ନୂଆ ଦୃଷ୍ଟିକୋଣ। ସ୍ବାର୍ଥ-ସର୍ବସ୍ବ ରାଜନୀତି ପରିତ୍ୟାଗ ନ କଲା ଯାଏ ନୂତନ ନେତୃତ୍ବ ସୃଷ୍ଟି ହେବନାହିଁ। ପାଞ୍ଚ ବର୍ଷ ତଳେ ଆମ ଆଦମୀ ପାର୍ଟି ନିର୍ବାଚନ ଜିତିବା ପରେ ଏହି ସ˚ଭାବନା ଦେଖାଦେଇଥିଲା। କିନ୍ତୁ, ଏହାର ଦ୍ବିତୀୟ ବିଜୟ ଗଣତନ୍ତ୍ରକୁ ବଞ୍ଚାଇବା ଦିଗରେ କୌଣସି ମାର୍ଗ ଦେଖାଉନାହିଁ।