‘କୁଳାଙ୍ଗାର’ ବନାମ ‘କୁଳ ଦୀପକ’

ଶ୍ୟାମସୁନ୍ଦର ଅଗ୍ରୱାଲା

ମାଟ୍ରିକ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ବାହାରିଛି। ଯୌବନର ପାଦଦେଶରେ ପହଞ୍ଚି ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନର ଲକ୍ଷ୍ୟ ଓ ଅଭିଳାଷ ଖବରକାଗଜ ମାଧ୍ୟମରେ ପ୍ରକାଶ କରିଛନ୍ତି। ଯଦିଚ ଏହା ମୁଷ୍ଟିମେୟ ମେଧାବୀ ଓ ସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ, ତଥାପି ଏହା ସମଗ୍ର ଆଧୁନିକ ଯୁବକ ସମାଜର ଉଚ୍ଚାଭିଳାଷର ସୂଚନା ଦେଉଛି। ଆସନ୍ତୁ ତେବେ ଦେଖିବା, କ’ଣ ଏମାନଙ୍କର ଆଶା ଓ ଆକାଂକ୍ଷା?

ଅମୃତା କହନ୍ତି ଯେ ସେ ଜଣେ ଆଇଏଫ୍‌ଏସ୍ ଅଫିସର ହୋଇ ଦେଶ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି। ମୌସୁମୀ ଆଇଏଏସ୍‌ରେ ଯୋଗ ଦେବାକୁ ଚାହିଁଛନ୍ତି। ଅଭିଷେକ ମଲଟିନ୍ୟାସନାଲ କମ୍ପାନିରେ ମ୍ୟାନେଜର ହେବେ। ଆଇଟି ଇଂଜିନିୟର ହେବାକୁ ଆଶା ବାନ୍ଧିଛନ୍ତି ଜୀବନ କୁମାର ରାୟ। ସୁବର୍ଣ୍ଣପୁର ଜିଲ୍ଲାର ବାବାଜୀ ସାହୁଙ୍କ ପିତା ଜଣେ ଚାଷୀ। ବାବାଜୀ କିନ୍ତୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଗରିବମାନଙ୍କ ପାଇଁ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଶ୍ରୀଲେଖା ମିଶ୍ର ଅର୍ଥନୀତି ବିଜ୍ଞାନ ପଢ଼ି ବ୍ୟାଙ୍କିଂ ସର୍ଭିସରେ ଯୋଗ ଦେବାକୁ ଚାହିଁଛନ୍ତି। ‘‘ବଡ଼ ହେଲେ, ମୁଁ ବିଚାରପତି ହେବି’’ ବୋଲି କହନ୍ତି ମାନସୀ ପ୍ରଧାନ। ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ଛାତ୍ରୀ ଅର୍ପିତା ମହାନ୍ତି। ଜୀବନରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ଛାତ୍ରୀ ଅମ୍ରିତା ଦାସ। ମନୀଷ ଅଗ୍ରୱାଲାଙ୍କ ପିତା ଜଣେ ବ୍ୟବସାୟୀ ମଣିଷ କିନ୍ତୁ ଆଇଏଏସ ହୋଇ ଦେଶ ସେବା କରିବାକୁ ଇଛା ପ୍ରକାଶ କରିଛନ୍ତି।

ଭଗବାନ କରନ୍ତୁ, ଏମାନେ ସମସ୍ତେ ନିଜ ନିଜର ଅଭିଳାଷ ପୂର୍ଣ୍ଣ କରି ଜୀବନରେ ସଫଳ ହୁଅନ୍ତୁ। ଏମାନଙ୍କର ପ୍ରକାଶିତ ଅଭିଳାଷ ଗୁଡ଼ିକର ଯଦି ଏକ ବୌଦ୍ଧିକ ବିଶ୍ଳେଷଣ କରିବେ ତେବେ ଦେଖିବେ ଯେ ଏମାନେ ସମସ୍ତେ ଏକ ଧରାବନ୍ଧା ଜୀବନ ପାଇଁ ଲାଳାୟିତ ଯାହାକୁ ଏକ ନିର୍ଦ୍ଦିଷ୍ଟ ପାରିଶ୍ରମିକ ପାଉଥିବା ସରକାରୀ ବା ବେସରକାରୀ ଜୀବନ ବୋଲି ଆପଣ କହିପାରନ୍ତି। ଛାତ୍ରଛାତ୍ରୀମାନେ ଏହି ସବୁ ବୃତ୍ତି ପସନ୍ଦ କରିଛନ୍ତି; କାରଣ ଏହି ସବୁ ବୃତ୍ତିରେ ଯେଉଁ ସାମାଜିକ ସ୍ବୀକୃତି, ସମ୍ମାନ ଓ ସୁରକ୍ଷା ରହିଛି ତାହା କୃଷି, ବ୍ୟବସାୟ ଓ ଶିଳ୍ପ ଭଳି ଅନ୍ୟାନ୍ୟ ସ୍ୱାବଲମ୍ବୀ ବୃତ୍ତିମାନଙ୍କରେ ନାହିଁ। ଏହି କରୋନା କାଳରେ ଏମାନଙ୍କର ଦୁରବସ୍ଥା ମଧ୍ୟ କାହାକୁ ଅଛପା ନାହିଁ। ତେଣୁ ଏମାନଙ୍କ ଭିତରୁ କେହି ଜଣେ ବି ହେଲେ କହି ନାହାନ୍ତି ଯେ ସେ ଉଚ୍ଚ ଶିକ୍ଷା ଲାଭ କରି କୃଷି, ବ୍ୟବସାୟ କିମ୍ବା ଶିଳ୍ପାୟ‌ନ କ୍ଷେତ୍ରରେ ଏକ ସଫଳ ଉଦ୍ୟୋଗପତି ହେବାକୁ ଚାହୁଁଛନ୍ତି।

ଥରେ ଭାବନ୍ତୁ ତ, ସମାଜରେ ସମସ୍ତେ ଯଦି କେବଳ ଉପରୋକ୍ତ ବେତନଭୋଗୀ ବୃତ୍ତି ଆଦରି ନେବେ ତେବେ କୃଷି, ଶିଳ୍ପ ଓ ବ୍ୟବସାୟ ଆଦି କରିବ କିଏ? ଆଉ ଯଦି ୟାକୁ କେହି ନ କରନ୍ତି ତେବେ ଏମାନଙ୍କୁ ମାସିକ ପାରିଶ୍ରମିକ ବା ବେତନ ଦେବ କିଏ? ଭାରତର ଅର୍ଥନୀତି ଯଦି କୃଷି, ବାଣିଜ୍ୟ ଓ ଶିଳ୍ପ ଉପରେ ପ୍ରତିଷ୍ଠିତ, ତେବେ ଏହି ସମ୍ବନ୍ଧୀୟ ବୃତ୍ତି ପାଇଁ ପିଲାମାନେ ନ ଆସିବାର କାରଣ କ’ଣ? ଏହା ନିଃସନ୍ଦେହ ଯେ ଏହି ବୃତ୍ତି ଗୁଡ଼ିକ ପ୍ରତି ଯଥେଷ୍ଟ ସାମାଜିକ ସ୍ବୀକୃତି ନାହିଁ। ପୁଣି ପ୍ରଶ୍ନ ଉଠେ ‘‘କାହିଁକି ନାହିଁ?’’ ବୋଧହୁଏ ଏହି ବୃତ୍ତି ଗୁଡ଼ିକରେ ଯଥେଷ୍ଟ ସମ୍ମାନ ମିଳେ ନାହିଁ; ଆଉ ଯଦି ବା କିଏ ସମ୍ମାନକୁ ଖାତିର ନ କରି ଏହି ବୃତ୍ତିଗୁଡ଼ିକୁ ଆବୋରିବାକୁ ବସେ ତେବେ ତାକୁ ଯଥେଷ୍ଟ ସୁରକ୍ଷା ମିଳେ ନାହିଁ। ତା’ ନ ହୋଇଥଲେ ରାସ୍ତାକଡ଼ରେ ଡାଲିଚାଉଳ ଦୋକାନଟିଏ କରି ମାସକୁ ତିରିଶ ଚାଳିଶ ହଜାର ଟଙ୍କା ରୋଜଗାର କରୁଥିବା ଯୁବକକୁ ମାସକୁ ମାତ୍ର ଦଶ ବାର ହଜାର ଟଙ୍କା ପାଉଥିବା ପିଅନଟିଏ ସାମନାରେ ସାମାଜିକ ସମ୍ମାନ କ୍ଷେତ୍ରରେ ହାର ମାନିବାକୁ ପଡ଼ନ୍ତା ନାହିଁ।

ଥରେ ଆପଣ ଚିନ୍ତା କରି ଦେଖନ୍ତୁ ତ, ଆମ ସମାଜ ଏଇ ଦୁଇଜଣଙ୍କୁ ସମାନ ସ୍ବୀକୃତି ଓ ସୁରକ୍ଷା ଦେଇଛି କି? ଯଦି ଚିନ୍ତା କରିବାକୁ ସମୟ ନାହିଁ ତେବେ ବିଭାଘର ବଜାରରେ ଗୋଟିଏ ପ୍ରାପ୍ତ ବୟସ୍କା ଝିଅର ବାପାକୁ ପଚାରିକି ଦେଖନ୍ତୁ ଓ ୟା’ର ଉତ୍ତର ‘ହଁ’ କି ‘ନାହିଁ’ ତାହା ତତ୍‌କ୍ଷଣାତ୍ ହୃଦୟଙ୍ଗମ କରନ୍ତୁ।

ବନ୍ଧୁଗଣ, ସାଧାରଣ ବ୍ୟବସାୟୀ ମାନଙ୍କର ଗୋଟେ ଜମାଖର୍ଚ୍ଚ ବହି ଥାଏ। ଏହାର ବାଁ ପଟେ ବିଭିନ୍ନ ପ୍ରକାର ଆମଦାନିର ବିବରଣୀ ନେଳି ସ୍ୟାହିରେ ଲେଖାଥାଏ ଓ ଡାହାଣ ପଟେ ବିଭିନ୍ନ ପ୍ରକାର ଖର୍ଚ୍ଚର ବିବରଣୀ ନାଲି ସ୍ୟାହିରେ ଲେଖା ହୋଇଥାଏ। ଆମଦାନିଠୁ ଯଦି ଖର୍ଚ୍ଚ ଅଧିକ ହୋଇଯାଏ ତେବେ ବ୍ୟବସାୟରେ କ୍ଷତି ହୋଇଥାଏ, ଯାହାକୁ କହନ୍ତି ‘‘ଆମଦାନି ଅଠନି ୱର୍ ଖର୍ଚ୍ଚା ରୂପେୟା।’’ ବ୍ୟବସାୟ ଭଳି ଆମ ଦେଶର ଗୋଟେ ଜମା ଖର୍ଚ୍ଚ ବହି ଅଛି, ଯେଉଁଥିରେ ଜମା ପଟେ କୃଷି, ଶିଳ୍ପ ଓ ବାଣିଜ୍ୟ ଓଗେରା ଥାଏ ଓ ଖର୍ଚ୍ଚ ପଟେ ବିଭିନ୍ନ ପ୍ରକାର ସୁଧ, ହାକିମମାନଙ୍କର ବେତନ ଓ ପେନସନ ଆଦି ଥାଏ। ଦୁଃଖର କଥା ଆଜି ଆମର ଜମା ଅପେକ୍ଷା ଖର୍ଚ୍ଚକୁ ବେଶୀ ସୀକୃତି ମିଳୁଛି। ନେଳି ସ୍ୟାହି ଅପେକ୍ଷା ନାଲି ସ୍ୟାହିକୁ ସମସ୍ତେ ପସନ୍ଦ କରୁଛନ୍ତି। ଏଥିରେ ଦେଶ ଲକ୍ଷ୍ମୀଛଡ଼ା ହେବନି ତ ଆଉ କ’ଣ ହେବ?

ଏହି ପରିପ୍ରେକ୍ଷୀରେ କଥାଟିଏ କହୁଛି। ପଣ୍ଡିତଙ୍କ ବାଲ୍ୟବନ୍ଧୁ ଦିନେ ତାଙ୍କ ଘରକୁ ଆସିଥିଲେ। ଦ୍ବିପ୍ରହର ଭୋଜନ ପରେ ଦୁଇ ବନ୍ଧୁ ସୁଖଦୁଃଖ ହେଲେ। ପଣ୍ଡିତ ତାଙ୍କ ତିନି ପୁଅଙ୍କ ପରିଚୟ ବନ୍ଧୁଙ୍କୁ ଦେଲେ। ବଡ଼ପୁଅ ଭାରତୀୟ ବିଦେଶ ସେବାରେ ଯୋଗ ଦେଇ ବିଦେଶରେ ଭାରତର ରାଷ୍ଟ୍ରଦୂତ ଭାବେ କାମ କରୁଛି। ମଝିଆଁ ପୁଅ କମ୍ପ୍ୟୁଟର ସାଇନ୍‌ସରେ ଉଚ୍ଚତର ଗବେଷଣା କରି ନାସାର ଆଣବିକ କେନ୍ଦ୍ରରେ କାମ କରୁଛି। ଏମାନଙ୍କ ବିଷୟ ଗର୍ବରେ ବର୍ଣ୍ଣନା କରି ସାରିବା ପରେ ପଣ୍ଡିତେ ଟିକେ ଚୁପ୍ ହୋଇଗଲେ। ବନ୍ଧୁ ପଣ୍ଡିତଙ୍କ ସାନପୁଅ ବିଷୟ ଜାଣିବାକୁ ଚାହିଁବାରୁ ପଣ୍ଡିତେ ମନଟା ଶୁଖିଲା କରିଦେଇ କହିଲେ ‘‘ଛାଡ଼ନ୍ତୁ ଆଜ୍ଞା, ସେଇଟା ବାଳୁଙ୍ଗା ହୋଇଗଲା। କୁଳାଙ୍ଗାରଟେ ଆଜ୍ଞା! ପାଠଶାଠ କିଛି ପଢ଼ିଲା ନାହିଁ। ମୋ ନାଁ ମାଟିରେ ମିଶେଇଦେଲା।’’ ଅଳ୍ପ କଥୋପକଥନ ପରେ ବନ୍ଧୁ ଜାଣିପାରିଲେ ଯେ ବଡ଼ ଓ ମଝିଆ ଦୁହେଁ କେବେ ଗାଁକୁ ଆସନ୍ତି ନାହିଁ; ତେଣୁ ଘର ଖର୍ଚ୍ଚ କେମିତି ଉଠୁଛି ବୋଲି ପଚାରିଲେ। ପଣ୍ଡିତେ ଉତ୍ତର ଦେଇ କହିଲେ ‘‘ସେଇ ସାନଟା ବସ୍‌ଷ୍ଟାଣ୍ଡ୍‌ରେ ଗୋଟେ ବରା ପିଆଜି ଦୋକାନଟିଏ କରିଛି। ସେଇଥିରୁ ଯୋଉ ଦିପଇସା ମିଳୁଛି ସେଥିରେ ଆମେ ଚାରିପ୍ରାଣୀ କୁଟୁମ୍ବ ଖାଇପିଇ ଚଳିଯାଉଛୁ।’’

ଦେଖିଲେ ତ ଆଜ୍ଞା, ଯାହାର ଆମଦାନି ଚାରିପ୍ରାଣୀ କୁଟୁମ୍ବ ଖାଇ ବଞ୍ଚିଛନ୍ତି ସିଏ ହେଉଛି ‘‘କୁଳାଙ୍ଗାର’’ ଆଉ ଜୀବନଯାକ ପଣ୍ଡିତଙ୍କ ଅନ୍ନ ଧ୍ବଂସ କରି ଯେଉଁମାନେ ବିଦେଶ ଚାଲିଯାଇଛନ୍ତି, ସିଏ ହେଲେ ‘‘କୁଳ ଦୀପକ’’। ତେଣୁ କିଏ କାହିଁକି ଆମଦାନି କରି ‘‘କୁଳାଙ୍ଗାର’’ ତାଲିକାରେ ନାଁ ଲେଖେଇବ?

୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର