‘ଘନ ଘନ’ ପଦ, ଘନ ଘନ ବିବାଦ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅମିୟ କୁମାର ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ଏଯାଏ ଅନୁପଲବ୍ଧ ଥିବା ‘ଦୁନ୍ଦୁଭି’ ବହିଟିକୁ ସେ ଲୋକଲୋଚନକୁ ଆଣିଛନ୍ତି। ଏହା ସହିତ ‘ରାଜ୍ୟ ସଂଗୀତ’ ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ର ଆଉ ଗୋଟିଏ ପାଠ ଆଲୋଚନାର ପରିସରକୁ ଆସିଛି।

ଏଇ ଅଗଷ୍ଟ ୭ ତାରିଖ ଦିନ ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାରେ ପ୍ରକାଶ ପାଇଥିବା ‘ବନ୍ଦେ ଉତ୍କଳ ଜନନୀ- କିଛି ତଥ୍ୟ’ ଶୀର୍ଷକ ଲେଖା ସହ, ସେ ‘ଦୁନ୍ଦୁଭି’ର ଯେଉଁ ପ୍ରଚ୍ଛଦ ପୃଷ୍ଠାର ଛବି ଦେଇଛନ୍ତି, ସେଥିରୁ ସୂଚିତ ଯେ ଏହା ‘ଜାତୀୟ ସଂଗୀତ’ର ଏକ ସଂକଳନ। ଏହି ପ୍ରଥମ ସଂସ୍କରଣର ପ୍ରକାଶକାଳ ୧୯୩୧। ମୁଦ୍ରକ- ଗୋପୀନାଥ ପ୍ରେସ୍‌, ଭଦ୍ରକ ଏବଂ ମୂଲ୍ୟ ଦୁଇଅଣା ମାତ୍ର। କିନ୍ତୁ ଏହି ଲେଖକ ଶ୍ରୀ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରି, ସେହି ପୁସ୍ତକଟିକୁ ପାଇ ପାରି ନାହିଁ। ଯାହା ସୂଚନା ମିଳିଛି, ସେ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ମଧ୍ୟ ତାଙ୍କ ନିକଟରେ ନାହିଁ। ଏପରିକି ‘ଦୁନ୍ଦୁଭି’ରେ ମୋଟ କେତୋଟି କବିତା ସଂକଳିତ ଏବଂ ଆଲୋଚ୍ୟ ‘ବନ୍ଦେ ଉତ୍କଳ ଜନନୀ’ର କ୍ରମ ସେଥିରେ କ’ଣ, ସେ ତଥ୍ୟ ବି ତାଙ୍କ ନିକଟରେ ଅନୁପଲବ୍ଧ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ‘ଜାତୀୟ ସଂଗୀତ’ ଶୀର୍ଷକରେ ‘କାନ୍ତ ସାହିତ୍ୟମାଳା’ର ଦ୍ୱିତୀୟ ଖଣ୍ଡରେ ଗୋଟିଏ ସ୍ୱତନ୍ତ୍ର ବିଭାଗ ଅଛି। ସେହି ବିଭାଗରେ ମୋଟ ୩୩ଟି ‘ଜାତୀୟ ସଂଗୀତ’ ସଂକଳିତ ହୋଇଛି। ସଂଗୀତଗୁଡ଼ିକର କ୍ରମ ୮୧ରୁ ୧୧୩ ଏବଂ ପୃଷ୍ଠା ସଂଖ୍ୟା ୧୧୭୫ରୁ ୧୧୮୪। ତାହାର ପ୍ରଥମ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’। କିନ୍ତୁ କ୍ରମ ୧୦୮ ଓ ପୃଷ୍ଠା ୧୧୮୩ରେ ‘ପ୍ରଳୟ ଦୁନ୍ଦୁଭି’ ଶୀର୍ଷକରେ ଗୋଟିଏ ସଂଗୀତ ସଂକଳିତ ହୋଇଛି। ତାହାର ପ୍ରଥମ ଧାଡ଼ି ‘ବାଜ ମୋ ଦୁନ୍ଦୁଭି ମନ୍ଦ୍ର ତାନେ’। ମନେହୁଏ, ‘ଦୁନ୍ଦୁଭି’ ପୁସ୍ତକଟିକୁ ସଂକଳିତ କଲାବେଳେ, ତାହାରି ଅନୁସାରେ କାନ୍ତକବି ପୁସ୍ତକଟିର ନାମକରଣ କରିଥିଲେ। ହୁଏତ ସେ ଯାଏ ‘ବନ୍ଦେ ଉତ୍କଳ ଜନନୀ’ ତାଙ୍କ ମାନସିକତାରେ ବି ଅଗ୍ରପ୍ରାଧାନ୍ୟ ପାଇ ନଥିଲା।

କିନ୍ତୁ ‘ଦୁନ୍ଦୁଭି’ ପ୍ରକାଶନର ପରବର୍ତ୍ତୀ ଘଟଣାକ୍ରମ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ, ୧୯୩୧ରେ ଏହା ପ୍ରକାଶ ପାଇବା ପରେ ହିଁ, ୧୯୩୨ରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତଟି ରେକର୍ଡ ପାଇଁ ଗୃହୀତ ହେଲା। ‘ହିଜ୍ ମାଷ୍ଟର୍ସ ଭଏସ୍‌’ (ଏଚ୍ ଏମ୍ ଭି) ଗ୍ରାମୋଫୋନ୍ କମ୍ପାନି ପାଇଁ ତାହାର ଗାୟକ ଥିଲେ ଗୋକୁଳ ମହାନ୍ତି। ଏହାହିଁ ହେଉଛି କାରଣ, ଯାହା ଓଡ଼ିଶାର ଗାୟନ ଧାରାରେ ‘ଘନଘନ ବନଭୂମି’କୁ ପରିଚିତ ଓ ଗୃହୀତ କରି ଦେଲା। ଏପରିକି ୧୯୬୧ ମସିହା ମାର୍ଚ୍ଚ ୨୮ ତାରିଖରେ କଟକ ଆକାଶବାଣୀ ପକ୍ଷରୁ ଏକ ସମବେତ ସଂଗୀତ ଭାବରେ ତାହାକୁ ପ୍ରସ୍ତୁତ କଲାବେଳେ, ସୁଖ୍ୟାତ ସଂଗୀତକାର ବାଳକୃଷ୍ଣ ଦାଶ ବି ଏହି “ଘନ ଘନ ବନଭୂମି”କୁ ଗ୍ରହଣ କରିନେଲେ।

କିନ୍ତୁ ‘ଦୁନ୍ଦୁଭି’ରେ ସଂକଳିତ ‘ବନ୍ଦେ ଉତ୍କଳ ଜନନୀ’ର ଏହି ଧାଡ଼ିଟି କ’ଣ ନିର୍ବିବାଦରେ ଗ୍ରହଣୀୟ? ଯଦି ଏହା ହିଁ ଅଭ୍ରାନ୍ତ, ତେବେ ‘କାନ୍ତ ସାହିତ୍ୟମାଳା’ରେ କିପରି ଧାଡ଼ିଟି “ଘନ ବନଭୂମି ରାଜିତ ଅଙ୍ଗେ” ବୋଲି ମୁଦ୍ରିତ ହେଲା?

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ‘ଦୁନ୍ଦୁଭି’କୁ ମିଶାଇ ‘ବନ୍ଦେ ଉତ୍କଳ ଜନନୀ’ର ମୋଟ ପାଞ୍ଚଟି ମୁଦ୍ରିତ ସୂତ୍ର ଆମ ନିକଟରେ ଉପଲବ୍ଧ। ୧. ୧୯୧୩ ମସିହା ଡିସେମ୍ବର ୨୮ ତାରିଖ ଦିନ ପୁରୀ ଜିଲ୍ଲାର ରାମଚଣ୍ଡୀଠାରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ଅଧିବେଶନ ଶେଷରେ ଏହା ପ୍ରଥମେ ଗାନ କରାଯାଇଥିଲା। ସେଥିରେ କିନ୍ତୁ “ଘନ ବନଭୂମି ରାଜିତ ଅଙ୍ଗେ” ବା “ଘନଘନ ବନଭୂମି ରାଜିତ ଅଙ୍ଗେ” ନଥିଲା; ଥିଲା “ଶ୍ୟାମଳ ବନରାଜି ରାଜିତ ଅଙ୍ଗେ”। ୨. ପ୍ରାୟ ସମକାଳରେ ‘ମୁକୁର’ ପତ୍ରିକାର ନଭେମ୍ବର-ଡିସେମ୍ବର ସଂଖ୍ୟାରେ ତାହା ହିଁ ମୁଦ୍ରିତ ହୋଇଥିଲା। ୩. ‘ଦୁନ୍ଦୁଭି’ରେ, ୧୯୩୧ରେ ପ୍ରଥମେ ସଂକଳିତ ହେଲା ‘ବନ୍ଦେ ଉତ୍କଳ ଜନନୀ’ ଏବଂ ସେଥିରେ ହିଁ ସର୍ବପ୍ରଥମେ ପଦଟି “ଘନ ଘନ ବନଭୂମି ରାଜିତ ଅଙ୍ଗେ” ଭାବରେ ମୁଦ୍ରିତ ହେଲା।

‘ବନ୍ଦେ ଉତ୍କଳ ଜନନୀ’ର ଚତୁର୍ଥ ଓ ପଞ୍ଚମ ମୁଦ୍ରିତ ସୂତ୍ର ହେଉଛି- ୪. ‘ଡଗର’, କାନ୍ତକବି ଶ୍ରାଦ୍ଧପର୍ବ, ମାର୍ଚ୍ଚ-ଅପ୍ରେଲ୍‌, ୧୯୫୬ ଓ ୫. ‘କାନ୍ତ ସାହିତ୍ୟ ମାଳା’, ଦ୍ୱିତୀୟ ଖଣ୍ଡ, ପହିଲା ଜାନୁଆରି, ୧୯୬୪। ଏ ଉଭୟ ମଧ୍ୟରୁ ପ୍ରଥମଟି, ଅର୍ଥାତ୍ ଚତୁର୍ଥ ସୂତ୍ରର ଦ୍ୱିତୀୟ ପଦଟି ଏହିପରି-
“ଘନ ଘନ କାନନ ରାଜିତ ଅଙ୍ଗେ
ଅଗଣନ ଗିରିଗଣ ନୀଳ ତରଙ୍ଗେ
କଳକଳ ମୁଖରିତ ଚାରୁ ବିହଙ୍ଗେ
ଜନନି! ଜନନି! ଜନନି!”

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ‘ଡଗର’ ପତ୍ରିକାର ମାର୍ଚ୍ଚ-ଅପ୍ରେଲ୍‌, ୧୯୫୩ ସଂଖ୍ୟାଟି ‘କାନ୍ତକବି ବିଶେଷ ସଂଖ୍ୟା’ ରୂପେ ପ୍ରକାଶ ପାଇଥିଲା। ତାହା ଥିଲା ସେହି ପତ୍ରିକାର ୧୬ଶ ବର୍ଷ, ନବମ-ଦଶମ ସଂଖ୍ୟା। କାରଣ, ୧୯୫୩ ମସିହା ଫେବ୍ରୁଆରି ୨୪ ତାରିଖ, ରାତି ୧ ଘଣ୍ଟା ୪୦ ମିନିଟ୍ ସମୟରେ କାନ୍ତକବିଙ୍କର ବିୟୋଗ ଘଟିଥିଲା ଏବଂ ସେହି ଉପଲକ୍ଷ୍ୟେ ସଂଖ୍ୟାଟି ସଂଯୋଜିତ ହୋଇଥିଲା ତାଙ୍କର ପୁତ୍ର ତଥା ‘ଡଗର’ର ସଂପାଦକ ନିତ୍ୟାନନ୍ଦ ମହାପାତ୍ରଙ୍କ ଦ୍ୱାରା। ସେଥିରେ ‘ଜାତୀୟ ସାହିତ୍ୟ’ ଶୀର୍ଷକରେ ମୁଦ୍ରିତ ହୋଇଛି, ‘ବନ୍ଦେ ଭାରତ ଜନନୀ’, ‘ସ୍ୱାଧୀନ ଭାରତ’ ଓ ‘ନୂତନ ପ୍ରଭାତ’ ନାମରେ ତିନିଟି ଜାତୀୟତାବାଦୀ ରଚନା। ‘ବନ୍ଦେ ଭାରତ ଜନନୀ’ ସଂଗୀତଟି ‘ବନ୍ଦେ ଉତ୍କଳ ଜନନୀ’ର ପ୍ରାୟ ଏକ ଅନୁକୃତି। ତାହାର ‘ଘୋଷା’ ଓ ‘ପ୍ରଥମ ପଦ’ ଏହିପରି-
“ବନ୍ଦେ ଭାରତ ଜନନୀ
ଚାରୁ ହାସମୟୀ ଚାରୁ ଭାଷମୟୀ
ଜନନୀ ଜନନୀ ଜନନୀ।
ଘନଘନ କାନନ ରାଜିତ ଅଙ୍ଗେ
ଅଗଣନ ଗିରିଗଣ ନୀଳ ତରଙ୍ଗେ
ସଙ୍ଗୀତ ମୁଖରିତ ଲଳିତ ବିହଙ୍ଗେ
ଜନନୀ ଜନନୀ ଜନନୀ।”

ଏଣୁ ଉପରୋକ୍ତ ସୂତ୍ର ବା ଉପରୋକ୍ତ ମୁଦ୍ରିତ ରୂପଗୁଡ଼ିକ ସୂଚାଏ, ଯେ କାନ୍ତକବି ନିଜ ଜୀବଦ୍ଦଶାରେ ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଅନେକ ପରୀକ୍ଷା ନିରୀକ୍ଷା କରିଥିଲେ। ଏପରିକି, ତାହାକୁ କିଂଚିତ୍ ପରିବର୍ତ୍ତନ କରି ‘ବନ୍ଦେ ଭାରତ ଜନନୀ’ ମଧ୍ୟ ରଚନା କରିଥିଲେ।

କିନ୍ତୁ ଆମକୁ ‘ବନ୍ଦେ ଉତ୍କଳ ଜନନୀ’ର ପଞ୍ଚମ ତଥା ଚୂଡ଼ାନ୍ତ ରୂପ ମିଳେ ‘କାନ୍ତ ସାହିତ୍ୟ ମାଳା’ର ଦ୍ୱିତୀୟ ଖଣ୍ଡରୁ।

ଏ ସଂପର୍କରେ ଓଡ଼ିଶା ବୁକ୍ ଏମ୍ପୋରିୟମ୍‌, କଟକର ପ୍ରକାଶକ ରାମଚନ୍ଦ୍ର କର ଲେଖିଛନ୍ତି, “କାନ୍ତକବିଙ୍କ ଲେଖାଗୁଡ଼ିକୁ ଗ୍ରନ୍ଥାବଳୀ ଆକାରରେ ପ୍ରକାଶ କରିବା ଲାଗି କବିଙ୍କ ସହିତ ଆମର ଚୁକ୍ତି ହେଲା ୧୯୪୯ ମସିହାରେ। ଲେଖାଗୁଡ଼ିକୁ ବିଭିନ୍ନ ବିଭାଗରେ ସଜାଇ ‘ରବୀନ୍ଦ୍ର ରଚନାବଳୀ’ ଭଳି ତାହାକୁ ପ୍ରକାଶ କରିବାକୁ କାନ୍ତକବି ସ୍ୱୟଂ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଏ ସଂସାର ଛାଡ଼ିବା ଆଗରୁ ଅନ୍ତତଃ ଗୋଟିଏ, ଦୁଇଟି ଭାଗକୁ ପ୍ରକାଶିତ ଅବସ୍ଥାରେ ଦେଖିବାକୁ ଖୁବ୍ ଆଶା କରିଥିଲେ। ମାତ୍ର ଆମ୍ଭେମାନେ ତାଙ୍କର ସେ ଆଶା ପୂରଣ କରିପାରିଲୁ ନାହିଁ।… ଆମ୍ଭେମାନେ ଯେଉଁସବୁ ଲେଖା ସଂଗୃହୀତ ଅବସ୍ଥାରେ ପାଇଲୁ, ତାହା ଯଥାଶୀଘ୍ର ଛପାଇବାର ବ୍ୟବସ୍ଥା କଲୁଁ, ମାତ୍ର ନାନା ଅସୁବିଧା ହେତୁ ପ୍ରକାଶନରେ ଅଯଥା ବିଳମ୍ବ ଘଟିଲା। … ବିଳମ୍ବରେ ହେଲେ ମଧ୍ୟ କବିଙ୍କ ସ୍ୱର୍ଗତ ଆତ୍ମାର ପରିତୃପ୍ତି ପାଇଁ ଆମ୍ଭେମାନେ କିଞ୍ଚିତ୍ ସମର୍ଥ ହୋଇଥିବାରୁ ନିଜକୁ କୃତକୃତ୍ୟ ମନେ କରୁଛୁଁ।”

ଏଣୁ, କାନ୍ତକବିଙ୍କ ଜୀବଦ୍ଦଶାରେ ଚୁକ୍ତିନାମା ହୋଇ, ତାଙ୍କ ଜୀବଦ୍ଦଶାରେ ପ୍ରସ୍ତୁତ ହୋଇଥିବା ‘କାନ୍ତ ସାହିତ୍ୟ ମାଳା’ର ‘ବନ୍ଦେ ଉତ୍କଳ ଜନନୀ’ ହିଁ ସଂଗୀତଟିର କବିଙ୍କଦ୍ୱାରା ପ୍ରସ୍ତୁତ ଚୂଡ଼ାନ୍ତ ରୂପ।

ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ଜଣେ ସର୍ଜନଶୀଳ କବି, ତାର ଜୀବଦ୍ଦଶାରେ ନିଜର ପ୍ରିୟ କୃତିଗୁଡ଼ିକୁ ବାରମ୍ବାର ସଂମାର୍ଜିତ କରିବାକୁ ଚାହିଁଥାଏ। ଉଦାହରଣ ସ୍ୱରୂପ, ବିଶ୍ୱର ବିଖ୍ୟାତ କବି ୱାଲଟ୍ ହ୍ୱିଟ୍‌ମାନ୍ (୧୮୧୯-୧୮୯୨)ଙ୍କ ‘ଲିଭ୍‌ସ ଅଫ୍ ଗ୍ରାସ୍‌’ ୧୮୫୫ରେ ପ୍ରଥମେ ପ୍ରକାଶ ପାଇଥିଲେ ମଧ୍ୟ, ସାରା ଜୀବନ ସେ ତାହାକୁ ବାରମ୍ବାର ସଂମାର୍ଜିତ ଓ ପୁନର୍ଲିଖିତ କରିଥିଲେ। ସେହିପରି ମହାଯୋଗୀ ଶ୍ରୀଅରବିନ୍ଦ ତାଙ୍କର ବିଖ୍ୟାତ ମହାକାବ୍ୟ ‘ସାବିତ୍ରୀ’କୁ ପ୍ରାୟ ୧୮ ଥର ପୁନର୍ଲିଖନ କରିଥିବାର ଦୃଷ୍ଟାନ୍ତ ଅଛି।

ଏ ଦୃଷ୍ଟିରୁ ‘ଦୁନ୍ଦୁଭି’ରେ ସଂକଳିତ ‘ବନ୍ଦେ ଉତ୍କଳ ଜନନୀ’ ଓ ‘କାନ୍ତ ସାହିତ୍ୟ ମାଳା’ରେ ସ୍ଥାନିତ ‘ବନ୍ଦେ ଉତ୍କଳ ଜନନୀ’ର ଦ୍ୱିତୀୟ ପଦରେ ବ୍ୟତିକ୍ରମ ରହିଛି। ‘ଦୁନ୍ଦୁଭି’ରେ ଏହି ପଦର ପ୍ରଥମ ଧାଡ଼ି ‘ଘନଘନ ବନଭୂମି’ ଥିବାବେଳେ ‘କାନ୍ତ ସାହିତ୍ୟ ମାଳା’ର ପ୍ରସ୍ତୁତି ସମୟକୁ ଏହା ‘ଘନ ବନଭୂମି’ରେ ପରିବର୍ତ୍ତିତ ହୋଇଛି। ତାହା ହିଁ ସଂଗୀତଟିର ଚୂଡ଼ାନ୍ତ ରୂପ। ତେଣୁ ଦୀର୍ଘ ବର୍ଷ ଧରି ଏ ନେଇ ବିବାଦ ରହିଆସିଛି।

ଏ ପ୍ରସଙ୍ଗରେ ଆମେ ଏହାର ‘ବାଚନିକ ଇତିହାସ’ ପ୍ରତି ଦୃଷ୍ଟିପାତ କରିପାରିବା। ୧୯୯୯ ମସିହା ବେଳକୁ ରାଜ୍ୟ ସରକାରଙ୍କ ପତ୍ରିକା ‘ଉତ୍କଳ ପ୍ରସଙ୍ଗ’ର ସଂପାଦକ ଥିଲେ ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ମହେଶ୍ୱର ମୂଳିଆ। ପଦଟି ‘ଘନ ଘନ ବନଭୂମି’ ନା ‘ଘନ ବନଭୂମି’ ସେ ନେଇ ନିଜର ସଂଶୟ ବିମୋଚନ ପାଇଁ ସେ ସେତେବେଳେ ଯୋଗାଯୋଗ କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଦୁଇ ସୁପୁତ୍ର ଗୌରଚନ୍ଦ୍ର ଓ ନିତ୍ୟାନନ୍ଦଙ୍କୁ। ଦୁହେଁ ତାଙ୍କୁ ଅତି ସ୍ପଷ୍ଟ ଭାବରେ ସୂଚାଇ ଥିଲେ ଯେ ‘ଘନ ଘନ ବନଭୂମି’ ନୁହେଁ, ‘ଘନ ବନଭୂମି’ ହିଁ ଠିକ୍। ସେହି ଅନୁସାରେ ସେ ‘ଉତ୍କଳ ପ୍ରସଙ୍ଗ’ରେ ‘ଘନ ବନଭୂମି’ ରୂପେ ହିଁ ପଦଟିକୁ ସଂଶୋଧନ କରି ଛାପିଥିଲେ। ୧୯୩୬ରେ ଜନ୍ମିତ ଶ୍ରୀ ମୂଳିଆ ଆଜି ବି ୮୪ ବର୍ଷ ବୟସରେ ସୁସ୍ଥ ଓ ସକ୍ରିୟ ଅଛନ୍ତି ଏବଂ ତାଙ୍କର ସ୍ମୃତି ଆଜି ବି ସତେଜ ଅଛି। ଏହି ଲେଖକକୁ ସେ କହିଛନ୍ତି, “ଘନଘନର ଅର୍ଥ ବାରମ୍ବାର। ଏଣୁ ଏହି ପ୍ରକୃତି ବର୍ଣ୍ଣନାରେ ‘ଘନ ବନଭୂମି’ ହିଁ ଠିକ୍ ବୋଲି ସେ ଦୁହେଁ ମୋତେ ସେଦିନ କହିଥିଲେ।”

କାନ୍ତକବିଙ୍କ ଜ୍ୟେଷ୍ଠ ପୌତ୍ର (ଗୌରଚନ୍ଦ୍ରଙ୍କ ପୁତ୍ର) ତଥା ‘ଉତ୍କଳ ପ୍ରସଙ୍ଗ’ର ପୂର୍ବତନ ସଂପାଦକ ଗୁରୁକଲ୍ୟାଣ ମହାପାତ୍ର ମଧ୍ୟ ଏହାକୁ ସ୍ୱୀକାର କରନ୍ତି। ସେ କହିଛନ୍ତି, “୧୯୪୬ରେ ପ୍ରକାଶିତ ‘କାନ୍ତ ସାହିତ୍ୟ ମାଳା’ ଗ୍ରନ୍ଥ ଦୁଇଟିକୁ ମୋର ପିତୃବ୍ୟ ନିତ୍ୟାନନ୍ଦ ଓ ପିତା ଗୌରଚନ୍ଦ୍ର ସଂପାଦନା କରିଥିଲେ। କାନ୍ତକବି ଚାହିଁଥିଲେ ଯେ ତାଙ୍କ ଜୀବିତାବସ୍ଥାରେ ‘ରବୀନ୍ଦ୍ର ରଚନାବଳୀ’ ପରି ‘କାନ୍ତ ସାହିତ୍ୟ ମାଳା’ ବିଭିନ୍ନ ଖଣ୍ଡରେ ପ୍ରକାଶ ପାଉ। ସେହି ଅନୁସାରେ ଦୁହେଁ ମିଶି ତାହାର ସଂପାଦନା କରିଥିଲେ ଏବଂ ସନ୍ଦେହ ହେଲେ କାନ୍ତକବିଙ୍କୁ ପଚରାଉଚୁରା କରୁଥିଲେ ବୋଲି ମୋର ପିତା ମୋତେ କହିଥିଲେ।”

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଅମିୟ କୁମାର ପଟ୍ଟନାୟକ ‘ସମ୍ବାଦ’ରେ ପ୍ରକାଶିତ ତାଙ୍କ ଅଗଷ୍ଟ ୭ ତାରିଖର ଲେଖାରେ କହିଛନ୍ତି, “ସ୍ଥାୟୀ ହେବାକୁ ଯାଉଥିବା କେତେକ ଭୁଲ୍‌କୁ ସୁଧାରିବା ଆବଶ୍ୟକ।” ଏଣୁ ‘ରାଜ୍ୟ ସଂଗୀତ’ ରୂପେ ସ୍ୱୀକୃତ ‘ବନ୍ଦେ ଉତ୍କଳ ଜନନୀ’ର ଦ୍ୱିତୀୟ ପଦକୁ ତାଙ୍କ ମତାନୁସାରେ ‘ଘନ ଘନ ବନଭୂମି’ କଲେ ଯେ ଭୁଲ୍‌ଟି ସ୍ଥାୟୀ ନ ହୋଇ ସୁଧୁରି ଯିବ, ତାହା ନୁହେଁ। କାରଣ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ପ୍ରଫେସର ପଠାଣି ପଟ୍ଟନାୟକଙ୍କ ମତ ହିଁ ସର୍ବୋପରି। ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୦ ମେ ୨୦୦୩ର ବୈଠକରେ ସଦସ୍ୟ ଭାବରେ ଯୋଗଦେଇ ସେ ମତ ଦେଇଥିଲେ, “କାନ୍ତକବିଙ୍କ ମୂଳ ରଚନାର ଯେଉଁ ବ୍ୟତିକ୍ରମ ବର୍ତ୍ତମାନର ପାଠରେ ଲକ୍ଷ୍ୟ କରାଯାଉଛି, ମାନ୍ୟବର ବାଚସ୍ପତି ସେ ଦିଗପ୍ରତି ଦୃଷ୍ଟିଦେଇ ମୂଳ ରଚନାଟିକୁ ହିଁ ଗ୍ରହଣ କରନ୍ତୁ।”

ଏଣୁ ଏ ପ୍ରସଙ୍ଗରେ ପ୍ରଶ୍ନ- ମୂଳ, ତଥା କବିଙ୍କ ଦ୍ୱାରା ପ୍ରସ୍ତୁତ ଚୂଡ଼ାନ୍ତ ରଚନା କେଉଁଟି? ‘ଦୁନ୍ଦୁଭି’ର ପାଠ ନା ‘କାନ୍ତ ସାହିତ୍ୟମାଳା’ର ପାଠ? ଏ ପ୍ରସଙ୍ଗରେ ଚିନ୍ତାଜନକ ବିଷୟ ଏହି ଯେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରଦତ୍ତ ‘ବନ୍ଦେ ଉତ୍କଳ ଜନନୀ’ର ପାଠ ଏବଂ ‘ଉତ୍କଳ ପ୍ରସଙ୍ଗ’ର ସଦ୍ୟତମ ରଥଯାତ୍ରା ସଂଖ୍ୟା (ଜୁଲାଇ, ୨୦୨୦)ରେ ମୁଦ୍ରିତ ପାଠ, କେଉଁଟି ବି ଏ ଦୁଇ ପାଠ ସହ ପୂର୍ଣ୍ଣ ଭାବରେ ମେଳ ଖାଉ ନାହିଁ।

ଏଣୁ ‘ଘନଘନ’ ପଦକୁ ନେଇ ଏ ‘ଘନ ଘନ ବିବାଦ’ର ସମାଧାନପାଇଁ, ସରକାର ତୁରନ୍ତ ଏକ ବିଶେଷଜ୍ଞ କମିଟି ଡାକି ଶୁଦ୍ଧପାଠଟିକୁ ହିଁ ଗ୍ରହଣ କରିବା ନିହାତି ଆବଶ୍ୟକ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର