ଯୁଗେ ଯୁଗେ ମହାମାରୀ ଓ ସେଥିରୁ ଶିକ୍ଷା

ଡାକ୍ତର ଦିଲ୍ଲୀପ କୁମାର ମିଶ୍ର

ସଂପ୍ରତି ଚାଲିଥିବା ମହାମାରୀ ବିଶ୍ୱ ଇତିହାସରେ ପ୍ରଥମ ନୁହେଁ କିମ୍ବା ଏହା ପରେ ଆମ ସମାଜରେ ମହାମାରୀ ଆଉ ଆସିବ ନାହିଁ; ଏପରି ଚିନ୍ତା କରିବା ଏକ ମଧୁର ସ୍ୱପ୍ନ ଛଡ଼ା ଆଉ କିଛି ନୁହେଁ। କିନ୍ତୁ ସବୁଠାରୁ ବଡ଼କଥା ହେଲା ଆମ ସମାଜ ପ୍ରତ୍ୟେକ ମହାମାରୀରୁ କ’ଣ ଶିଖିଛି ଓ ଭବିଷ୍ୟତର ମହାମାରୀରେ ଏହି ଶିକ୍ଷାର ମହତ୍ତ୍ବ ଆମ ପାଇଁ କେତେ; ତାହା ହିଁ ଚିନ୍ତାର ବିଷୟ। ତେବେ ଏ ପରିପ୍ରେକ୍ଷୀରେ ଇତିହାସର ପୃଷ୍ଠା ଲେଉଟାଇ ଯୁଗେ ଯୁଗେ ମହାମାରୀର କରାଳ ଲୀଳା ସମାଜରେ ତାଣ୍ଡବ ରଚିବା ସମୟରେ ମନୁଷ୍ୟ ତାହାକୁ ସହିବା ସଙ୍ଗେ ସଙ୍ଗେ ସେଥିରୁ କ’ଣ ଶିଖିଛି, ତା’ର ଚର୍ଚ୍ଚା ଆବଶ୍ୟକ।

ଇତିହାସର ପୃଷ୍ଠାରୁ ମାନବ ସମାଜର ପ୍ରଥମ ମହାମାରୀର ଦୃଷ୍ଟାନ୍ତ ଖ୍ରୀଷ୍ଟପୂର୍ବ ୩୦୦୦ ବର୍ଷ ତଳେ ଚୀନ ଦେଶର “ହମିନ୍ ମାଂଗା” ସହରରେ ମିଳେ। ଏ ମହାମାରୀ କେଉଁ କାରଣରୁ ହୋଇଥିଲା ତା’ର ଠିକ୍ କୌଣସି ପ୍ରମାଣ ନଥିଲେ ମଧ୍ୟ ସେ ଜାଗାରୁ ମିଳିଥିବା ବିଶାଳ ନରକଂକାଳ ସ୍ତୂପ, ସେ ସମୟରେ ମଶାଣିର ଅଭାବ ପଡ଼ି ଯାଇଥିବା ବିଷୟର ସୂଚନା ଦିଏ। ସଂପ୍ରତି ମହାମାରୀରେ ଶବଦାହର ଅବ୍ୟବସ୍ଥା ଦେଖି ଏ କଥା ପୁଣି ମନକୁ ଆସେ।

ଏଥେନ୍‌ସ ସହରର ପ୍ଲେଗ୍ ମହାମାରୀ ଦେଖା ଦେଇଥିଲା ଖ୍ରୀଷ୍ଟପୂର୍ବ ୪୫୦ରେ। ଏ ମହାମାରୀ ଏଥେନ୍‌ସ ଓ ସ୍ପାର୍ଟା ମଧ୍ୟରେ ଚାଲିଥିବା ୫ ବର୍ଷିଆ ଯୁଦ୍ଧ ସମୟରେ ହୋଇଥିଲା। ଏଥେନ୍‌ସର ସୈନ୍ୟମାନେ ଉଚ୍ଚ ପ୍ରାଚୀର ପଛରେ ଲୁଚି ରହି କେବଳ ଯେ ସ୍ପାର୍ଟାର ସୈନିକମାନଙ୍କ ଠାରୁ ବଂଚିଗଲେ ତାହା ନୁହେଁ, ପ୍ଲେଗ୍ ରୋଗ ଠାରୁ ମଧ୍ୟ ରକ୍ଷା ପାଇଯାଇଥିଲେ। ପରିଶେଷରେ ସ୍ପାର୍ଟାର ଅସଂଖ୍ୟ ସୈନିକ ପ୍ଲେଗ୍ ରୋଗରେ ଆକ୍ରାନ୍ତ ହୋଇଥିଲେ। ଅବଶ୍ୟ ପରିଶେଷରେ ସ୍ପାର୍ଟା ଯୁଦ୍ଧରେ ବିଜୟ ଲାଭ କରିଥିଲା। ତେବେ, ଏଥିରୁ ସ୍ପଷ୍ଟ ହୁଏ ରୋଗୀଙ୍କ ପୃଥକ୍‌କରଣ ଏକାନ୍ତ ଆବଶ୍ୟକ; ଘରେ ଅଥବା ହସ୍‌ପିଟାଲରେ। ଏହା ମଧ୍ୟ ବିଚାରଯୋଗ୍ୟ ଯେ ସଂପ୍ରତି ଆପାତକାଳୀନ ପରିସ୍ଥିତିରେ ଦେଶ ରକ୍ଷାରେ କାର୍ଯ୍ୟରତ ସୈନ୍ୟ ବଳକୁ ମହାମାରୀରୁ ରକ୍ଷା କରିବା ଦେଶର ଏକ ବଡ଼ ଦାୟିତ୍ୱ।

ରୋମ ସହରର ଆଣ୍ଟୋନିନ ପ୍ଲେଗ୍ ହୋଇଥିଲା ୧୬୫-୧୮୦ ଖ୍ରୀଷ୍ଟାବ୍ଦରେ। ରୋମର ସୈନ୍ୟ ବଳ ବିଦେଶରୁ ବିଭିନ୍ନ ରାଜ୍ୟ ଜୟ କରି ବିପୁଳ ଧନସଂପତ୍ତି ଲୁଟି ନେଇଆସିବା ସହ ଏ ରୋଗଟିକୁ ମଧ୍ୟ ଆଣି ଦେଶରେ ପହଞ୍ଚାଇ ଥିଲେ। ରୋଗଟି ବୀଜାଣୁଜନିତ ଥିଲା, ସାରା ଦେଶରେ ଖୁବ ଶୀଘ୍ର ତାହା ବ୍ୟାପି ଗଲା। ଏଥିରୁ ସ୍ପଷ୍ଟ କରିଥିଲା ଯେ ଦେଶ ଭିତରେ କିମ୍ବା ବାହାରେ ଅତ୍ୟଧିକ ଚଳପ୍ରଚଳ ଯେ କୌଣସି ସଂକ୍ରାମକକୁ ବ୍ୟାପିବାରେ ସାହାଯ୍ୟ କରେ। ଏବେ ଆମେ ଭୋଗୁଥିବା କରୋନା‌ ପାନ୍‌ଡେମିକ୍‌ର କାରଣ ତ ତାହା।

ଷୋଡ଼ଶ ଶତାବ୍ଦୀରେ ଆମେରିକାରେ ପ୍ଲେଗ୍ ମହାମାରୀ ବ୍ୟାପିଲା। ୟୁରୋପୀୟ ଆକ୍ରମଣକାରୀଙ୍କ ସଂଗେ ଆସିଥିବା ବସନ୍ତ ଓ ପ୍ଲେଗ୍ ଦୁଇଟି ଯାକ ମହାମାରୀ ଆମେରିକାର ୯୦ ପ୍ରତିଶତ ଆଦିବାସୀଙ୍କୁ ନିପାତ କରି ଦେଇଥିଲା। ଏହି ମହାମାରୀର ପ୍ରକୋପରୁ ୟୁରୋପୀୟମାନେ ମଧ୍ୟ ବାଦ୍ ପଡ଼ି ନ ଥିଲେ।

ଆଧୁନିକ ଔଦ୍ୟୋଗିକ ଯୁଗର ପ୍ରାରମ୍ଭରେ ସାରା ବିଶ୍ୱରେ ଚଳପ୍ରଚଳ ଲାଗି ରହିବା ଦ୍ୱାରା ୧୮୮୯-୧୮୯୦ର ରୁଷିଆରୁ ଆରମ୍ଭ ଏକ ମହାମାରୀ ସାରା ବିଶ୍ୱରେ ଖେଳିଗଲା ଓ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଲା। ଆଧୁନିକ ଯୁଗର ଏହା ହେଉଛି ପ୍ରଥମ ଫ୍ଲୁ ମହାମାରୀ। ତା’ ପରେ ଆସିଥିଲା ପୋଲିଓ ମହାମାରୀ। ୧୯୧୬-୫୪ ସମୟ କାଳରେ ଏହା ଆମେରିକାକୁ ଆକ୍ରାନ୍ତ କରି ପକାଇଥିଲା। ନ୍ୟୁୟର୍କରେ ଆରମ୍ଭ ଏ କରାଳ ମହାମାରୀର ତାଣ୍ଡବ ୧୯୫୪ରେ “ସଲ୍‌କ” ଟିକା ବାହାରିବା ପରେ କମିଲା। ବର୍ତ୍ତମାନ ପରିସ୍ଥିତିରେ ଟିକାର ମହତ୍ତ୍ବ ଚିନ୍ତା କରିବା କଥା। ଏଥର ମଧ୍ୟ ଆମେରିକାରେ ନ୍ୟୁୟର୍କ ସହର ସବୁଠାରୁ ବେଶି ଆକ୍ରାନ୍ତ।

୧୯୧୮-୧୯୨୦ ସମୟ କାଳ ଭିତରେ ହୋଇଥିଲା ସ୍ପାନିସ ଫ୍ଲୁ ମହାମାରୀ। ଏଥିରେ ବିଶ୍ବରେ ୫ କୋଟି ଲୋକ ମୃତ୍ୟୁ ମୁଖରେ ପଡ଼ିଥିଲେ। କେବଳ ଭାରତରେ କୋଟିଏରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏବେ ବି ଏହା ଆତଙ୍କ ଓ ଶିହରଣ ଖେଳାଇ ଦିଏ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହାର ଆବିର୍ଭାବ ଘଟିଥିଲା। ଏହା ଥିଲା ପ୍ରକୃତ ଅର୍ଥରେ ଏକ ‘ପାନ୍‌ଡେମିକ୍‌’।

ସେମିତି ୧୯୮୧ରୁ ଆରମ୍ଭ ହୋଇଥିବା ଏଡ୍‌ସ ମଧ୍ୟ ଏକ ମହାମାରୀରେ ପରିଣତ ହୋଇଥିଲା।

ସିମ୍ପାନ୍‌ଜିରୁ ଆରମ୍ଭ ଏ ରୋଗ ଆଫ୍ରିକା ମହାଦେଶରୁ ବାହାରି ସାରା ବିଶ୍ୱରେ ଖେଳି ଯାଇଥିଲା। ଅଦ୍ୟାବଧି ଏହି ରୋଗ ଦ୍ବାରା ତିନି କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ, ୧୯୯୦ ମସିହାରେ ଔଷଧ ଉଦ୍ଭାବନ ପରେ ଏ ରୋଗ ଆୟତ୍ତକୁ ଆସିଲା।

୨୦୧୩ରେ ଆସିଥିଲା ସାର୍ସ (SARS) ମହାମାରୀ। କରୋନା ଭୂତାଣୁକୁ ସାର୍ସ ଭୂତାଣୁର ଭାଇ ବୋଲି କୁହାଯାଉଛି। ଏ ମହାମାରୀ ୨୦୦୩ରେ ସେହି ଚୀନ୍ ଦେଶରେ ଉତ୍ପନ୍ନ ହୋଇଥିଲା। ସମ୍ଭବତଃ ବାଦୁଡ଼ିରୁ ଏହା ମଣିଷକୁ ସଂକ୍ରମିତ ହେବା ପରେ ବିଶ୍ୱର କିଛି ଦେଶକୁ ବ୍ୟାପି ଯାଇଥିଲା। ଭାରତରେ ଏହାର ପ୍ରକୋପ ବିଶେଷ ଅନୁଭୂତ ହୋଇ ନ ଥିଲା।

ଏବର କରୋନା ଭାଇରସ୍‌କୁ ନଭେଲ ସାର୍ସ-୨ ଭାଇରସ୍‌ ବୋଲି କୁହାଯାଉଛି। ଏବେ ଏହି ମହାମାରୀ ଦ୍ବାରା ବିଶ୍ୱର ୯୯% ଜନସମାଜ ବିଭିନ୍ନ ଭାବେ ଆକ୍ରାନ୍ତ ହୋଇଛନ୍ତି। ଏଥି‌େର ବୟସ୍କ ତଥା ଅନ୍ୟାନ୍ୟ ଗୁରୁତର ରୋଗ ଭୋଗୁଥିବା ରୋଗୀମାନେ ଅଧିକ ସଂଖ୍ୟାରେ ମୃତ୍ୟୁ ବରଣ କରୁଛନ୍ତି।

ଇତିହାସରୁ ଆମେ ଏତିକି ଜାଣୁ ଯେ କୌଣସି ମହାମାରୀ ବର୍ଷେ କିମ୍ବା ତା’ ଠାରୁ କମ୍‌ ଦିନରେ ଆୟତ୍ତରେ ଆସିନାହିଁ। ସେ ହିସାବରେ କରୋନା ସଂକ୍ରମଣକୁ ଶୀଘ୍ର ରୋକିବାକୁ ହେଲେ କେବଳ ଟିକା ହିଁ ଏକମାତ୍ର ଉପାୟ। କିନ୍ତୁ ଟିକାର ଉଦ୍ଭାବନ ଏକ ସମୟସାପେକ୍ଷ ପ୍ରକ୍ରିୟା। କରୋନା କ୍ଷେତ୍ରରେ ବୈଜ୍ଞାନିକଙ୍କ ମତ ଯେ ଆଗାମୀ ବର୍ଷର ଆରମ୍ଭ ପୂର୍ବରୁ ଏଭଳି ଟିକା ସମ୍ଭବ ନୁହେଁ। ଯଦିଓ ରୁଷିଆ ଇତିମଧ୍ୟରେ ଟିକା ଧରି ଆସିଗଲାଣି ଓ ଅନ୍ୟାନ୍ୟ ଅନେକ ଦେଶ ଟିକା ପ୍ରୟୋଗର ଶେଷ ପର୍ଯ୍ୟାୟରେ ଅଛନ୍ତି, (ଭାରତ ମଧ୍ୟ ଟିକା ପ୍ରସ୍ତୁତି କ୍ଷେତ୍ରରେ ଆଗୁଆ ଅଛି), ତଥାପି ସାଧାରଣ ଲୋକଙ୍କ ପାଖରେ ଟିକା କେବେ ପହଞ୍ଚିବ କହିବା ମୁସ୍କିଲ୍।

ଦ୍ବିତୀୟରେ ଆମେ ଜାଣୁ ଯେ ଜନସାଧାରଣଙ୍କ ଚଳପ୍ରଚଳ ଯଦି ରୋକା ଯାଇପାରେ ତେବେ ସଂକ୍ରମଣର ସମ୍ଭାବନା କମ୍। କିନ୍ତୁ ତା’ ସହ ଏହା ମଧ୍ୟ ଦେଖିବା କଥା ଯେ ଚଳପ୍ରଚଳ ରୋକିବା ଦ୍ୱାରା ଆମ ଅର୍ଥନୈତିକ ପରିସ୍ଥିତି ଉପରେ ତାର ପ୍ରଭାବ କିଭଳି ପଡୁଛି। ‘ଲକଡାଉନ’ ପରେ ଦେଶରେ ଅର୍ଥନୈତିକ ପରିସ୍ଥିତି ଖରାପ ହୋଇ ଯାଇଥିଲା, ଯାହା ‘ଅନଲକ’ ପରେ ଟିକିଏ ବାଗେଇବାରେ ଲାଗିଛି। ତେଣୁ ସରକାର ଏ ବିଷୟରେ କ’ଣ କରୁଛନ୍ତି ଅଥବା କ’ଣ କରିବା ଉଚିତ; ସେ କଥା ବିଚାର ନ କରି ଚଳପ୍ରଚଳ ରୋକିବା ଦିଗରେ ଆମ ଭଳି ସାଧାରଣ ଲୋକଙ୍କ ଦାୟିତ୍ୱ ଯେ ବେଶି ତାହା ହୃଦୟଙ୍ଗମ କରିବା ଉଚିତ।

ଏ ମହାମାରୀ ଆମର ଏକ ବିରାଟ ଅଜ୍ଞତାକୁ ପରିପ୍ରକାଶ କରିଦେଇଛି। ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଦେଶର ୫୧% ଶ୍ରମିକ ବର୍ଗକୁ ଠିକ୍ ଚିହ୍ନଟ କରାଯାଇ ନଥିଲା କିମ୍ବା ସେମାନଙ୍କର କୌଣସି ତାଲିକା ସରକାରଙ୍କ ପାଖରେ ନଥିଲା। ମହାମାରୀର ତାଲାବନ୍ଦ ପରେ ପ୍ରବାସୀ ଶ୍ରମିକମାନେ ଯେତେବେଳେ ଘରକୁ ଫେରିଲେ, ସରକାର ଏହାର ସ୍ବରୂପ ଦେଖି ସ୍ତମ୍ଭୀଭୂତ ହେଲେ। ଏ ଶିକ୍ଷାର ସବୁଠାରୁ ବଡ଼ ଫଳ ହେଉଛି “ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଯୋଜନା” ଭଳି ଏକ ମହାତ୍ତ୍ବାକାଂକ୍ଷୀ ଯୋଜନାର ପ୍ରାରମ୍ଭ। ଶେଷରେ ଏବେ ଦେଶ ଶିକ୍ଷା ଲାଭ କରିଛି ଯେ ପ୍ରତ୍ୟେକ ବଜେଟ୍‌ରେ ସ୍ୱାସ୍ଥ୍ୟକୁ ଆଉ ଅବହେଳା କରାଯାଇ ପାରିବ ନାହିଁ। ବ୍ରିକ୍‌ସ (BRICS) ସଦସ୍ୟ ରାଷ୍ଟ୍ରମାନଙ୍କ ଭିତରେ ଭାରତର ସ୍ୱାସ୍ଥ୍ୟ ବଜେଟ୍ ସବୁଠାରୁ କମ।

କରୋନା ମହାମାରୀ ଆମ ସମସ୍ତଙ୍କ ଶ୍ବାସରୁଦ୍ଧ କରି ପକାଇଥିବା ବେ‌ଳେ ଏହା ଆମକୁ ଯେଉଁ ଶିକ୍ଷା ଦେଇଛି ତହିଁରୁ ସ୍ବାସ୍ଥ୍ୟ ସେବା ଓ ସଚେତନତା ନେଇ ଆମର ଭବିଷ୍ୟତ୍‌ ନିର୍ମିତ ହେବା ଉଚିତ।

ବରିଷ୍ଠ ହୃଦ୍ ବକ୍ଷଶଲ୍ୟ ଚିକିତ୍ସକ
ଆପୋଲ ମୁଖ୍ୟ ହସ୍‌ପିଟାଲ, ଚେନ୍ନାଇ
[email protected]

ସମ୍ବନ୍ଧିତ ଖବର