ଚୀନ୍‌ର ଅଭିଳାଷ

ଶରତ ଚନ୍ଦ୍ର ମିଶ୍ର

ଚୀନ୍‌ ଏକ ପୁରାତନ ସଭ୍ୟତା ଓ ଏସିଆର ଚିର ସ୍ବାଧୀନ ଦେଶ। ଔପନିବେଶବାଦ ସମୟରେ ଇଉରୋପୀୟ ଶକ୍ତିମାନେ ଚୀନ୍‌କୁ ନାନା ଅପମାନଜନକ ଚୁକ୍ତିରେ ସ୍ବାକ୍ଷର କରିବାକୁ ବାଧୢ କରିଥିଲେ ଓ ଜାପାନ ମାଞ୍ଚୁରିଆ ଦଖଲ କରି ନେଇଥିଲା। କିନ୍ତୁ ଚୀନ୍‌ର ସ୍ବାଧୀନତା ଅଖଣ୍ତ ରହିଥିଲା। ଚୀନ୍‌ ଦେଶର ଲୋକଗାଥା ଇଉରୋପ (ବିଶେଷତଃ ବ୍ରିଟିସ) ଓ ଜାପାନ ବିରୋଧରେ ଭରପୂର। ସର୍ଦ୍ଦାର କେ.ଏମ ପାନିକର ତାଙ୍କର ପୁସ୍ତକ ‘‘Asian under western dominance’’ରେ ଅଷ୍ଟାଦଶ ଶତାବ୍ଦୀରେ ଔପନିବେଶକ ଶକ୍ତିଙ୍କ ପ୍ରଭାବରେ ଚୀନ୍‌ର ଅବକ୍ଷୟ ବର୍ଣ୍ଣନା କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ପୃଥିବୀରେ ସମୁଦାୟ ଉତ୍ପାଦନର ୩୦ ଭାଗ ଚୀନ୍‌ରେ ହେଉଥିଲା ବୋଲି Paul Kennedy ତାଙ୍କର ପୁସ୍ତକ ‘‘Rise and Fall of Empires’’ରେ ଅବତାରଣା କରିଛନ୍ତି।

ଗୃହଯୁଦ୍ଧ, ଜାପାନୀ ଆକ୍ରମଣରେ କ୍ଳାନ୍ତ, ଶ୍ଳାନ୍ତ ଓ ଆହତ ଚୀନ୍‌ର ପୁନଃ ଅଭ୍ୟୁଥାନ ୧୯୪୯ରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ସହିତ ଆରମ୍ଭ ହୁଏ। ନିଜର ହୃତ ଗୌରବ ଫେରି ପାଇ ପୃଥିବୀରେ ଅନ୍ତତଃ ପକ୍ଷେ ଏସିଆରେ ନିଜକୁ ଶ୍ରେଷ୍ଠ ଦେଶ ରୂପେ ପ୍ରତିଷ୍ଠିତ କରିବାର ଅଭିଳାଷ ଜାଗ୍ରତ ହେଲା। ଚୀନ୍‌ର କେନ୍ଦ୍ର ସରକାର ଦୁର୍ବଳ ହେଲେ। ତିବ୍ବତ, ସିକିୟାଙ୍ଗ ଓ ମଙ୍ଗୋଲିଆ ଆଦି ସ୍ବାଧୀନ ହେବାର ଉଦ୍ୟମ କଲେ। ଚୀନ୍‌ ସେ ଅଞ୍ଚଳ ଗୁଡ଼ିକୁ ନିଜର ଆୟତ୍ତକୁ ଆଣିଲା ଓ ସିକିୟାଙ୍ଗର ଉରୁମୁଚି ଠାରେ ବ୍ରିଟିସ ଅମଳର ଥିବା ଭାରତୀୟ କନସୁଲେଟକୁ ବନ୍ଦ କରିଦେଲା।

ଚୀନ୍‌ ସଭ୍ୟତା ଓ ଭାରତୀୟ ସଭ୍ୟତା ଯୁଗ ଯୁଗ ଧରି ଏସିଆରେ ପ୍ରଭାବ ବିସ୍ତାର ନିମନ୍ତେ ପ୍ରତିଦ୍ବନ୍ଦ୍ବୀ। ଚୀନ୍‌ରେ କମ୍ୟୁନିଷ୍ଟ ସରକାର ସ୍ଥିରତା ସୃଷ୍ଟି କଲା ପରେ ପ୍ରଭାବ ବିସ୍ତାର ଦିଗରେ ମନଯୋଗୀ ହେଲାରୁ ଭାରତ ସହିତ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଗଲା। ଭାରତ ସରକାର କମ୍ୟୁନିଷ୍ଟ ଚୀନ୍‌କୁ ସ୍ବୀକୃତି ଦେଇ ଜାତିସ˚ଘରେ ସଭ୍ୟ ପଦ ନିମନ୍ତେ ସମର୍ଥନ କଲେ ମଧୢ ଦୁଇ ଦେଶ ମଧୢରେ ସମ୍ପର୍କ ସହଜ ହୋଇପାରିଲା ନାହିଁ। ୧୯୫୪ ମସିହାରେ ଏକ ପଞ୍ଚଶୀଳ ଚୁକ୍ତି ହୋଇ ଏକ ବୁଝାମଣାର ବାତାବରଣ ସୃଷ୍ଟି କରିବା ନିମନ୍ତେ ଦୁଇ ଦେଶ ମଧୢରେ ଉଦ୍ୟମ ହେଲା। ଏ ପଞ୍ଚଶୀଳ ବୁଝାମଣା ସମୟରେ ବ୍ରିଟିସ ସମୟର ମ୍ୟାକମୋହନ-ସୀମାରେଖା ଆଲୋଚନା ପରିସରଭୁକ୍ତ ହୋଇନଥିଲା। ଭାରତ ଓ ତିବ୍ବତ ମଧୢରେ ଚୁକ୍ତି ହୋଇଥିବା ମ୍ୟାକମୋହନ ସୀମାରେଖାକୁ ଚୀନ୍‌ ସ୍ବୀକୃତି ଦେଉନଥିଲା ଓ ସେଇପରି ଜାମ୍ମୁ ଓ କାଶ୍ମୀରର ସେନାପତି ଜୋରାବର ସି˚ହ ଆକସାଇ ଚୀନ୍‌ର ଯେଉଁ ଅଞ୍ଚଳକୁ ଲାଦାଖରେ ମିଶାଇଥିଲେ, ତାହା ମଧୢ ଚୀନ ଗ୍ରହଣ କରିନଥିଲା। ପଞ୍ଚଶୀଳର ଚୀନ-ଭାରତ ଭାଇ ଭାଇ ସ୍ଲୋଗାନରେ ସୀମା ବିବାଦ ସମାଧାନର କୌଣସି ସ୍ଥାନ ରହିଲା ନାହିଁ। ୧୯୫୭ ମସିହାରେ କେରଳରେ କମ୍ୟୁନିଷ୍ଟ ଦଳ ଶାସନକୁ ଆସେ ଓ ସେ ସରକାର ୧୯୫୯ରେ ବରଖାସ୍ତ ହୁଏ।

ଆମେରିକା ସରକାରଙ୍କ ଅନୁରୋଧ କ୍ରମେ ଭାରତ ସରକାର ୧୯୫୯ରେ ଦଲାଇ ଲାମା ଓ ତାଙ୍କ ଅନୁଗତଙ୍କୁ ଭାରତରେ ଆଶ୍ରୟ ଦିଅନ୍ତି। ଏହାର ପ୍ରତିବଦଳରେ ଆମେରିକା, କାନାଡାରୁ ମିଳିଥିବା ଇନ୍ଧନକୁ ତାରାପୁର ଆଣବିକ ରିଆକ୍‌ଟର ଲାଗି ଯୋଗାଇ ଦେବାକୁ ରାଜି ହୁଏ। ଭାରତ ବ୍ରିଟିସ ରାଜ୍ୟଗୋଷ୍ଠୀର ସଦସ୍ୟ ହେବାଟାକୁ ମଧୢ ଚୀନ୍‌ ସନ୍ଦେହ ଦୃଷ୍ଟିରେ ଦେଖୁଥାଏ। ବାନ୍ଦୁଙ୍ଗ ସମ୍ମିଳନୀ (୧୯୫୫) ସମୟରେ ନେହରୁଙ୍କ ପ୍ରାଧାନ୍ୟ ଓ ଏସିଆର ନେତା ଭାବରେ ଆଚାର ବ୍ୟବହାର ତତ୍‌କାଳୀନ ଚୀନ୍‌ ପ୍ରଧାନମନ୍ତ୍ରୀଙ୍କୁ ମାନସିକ ଆଘାତ ପ୍ରଦାନ କରିଥାଏ। ୧୯୫୯ ଘଟଣାବଳୀରୁ ସେ ସନ୍ଦେହ ଘନୀଭୂତ ହୁଏ। ଏହାର ପରବର୍ତ୍ତୀ କାଳରେ ଦୁଇ ଦେଶ ମଧୢରେ (୧୯୬୨) ଯୁଦ୍ଧ ହୁଏ। ଚୀନ୍‌ ଭାରତର ଚିର ଶତ୍ରୁ ହୋଇ ରହେ। ଶତ୍ରୁର ଶତ୍ରୁ ନ୍ୟାୟରେ ଚୀନ୍‌ ଓ ପାକିସ୍ତାନ ଭିତରେ ସମ୍ପର୍କ ଦୃଢ଼ ହୁଏ। ଆମର ବୈଦେଶିକ ନୀତି ଚୀନ୍‌ ଓ ପାକିସ୍ତାନ ବିରୋଧରେ କେନ୍ଦ୍ରୀଭୂତ ରହେ ଓ ଆନ୍ତର୍ଜାତିକ କ୍ଷେତ୍ରରେ ଏକ ପ୍ରଭାବଶାଳୀ ଖେଳୁଆଡ଼ ହେବାର ସୁଯୋଗରୁ ଭାରତ ବଞ୍ଚିତ ହୁଏ।

କଠୋରପନ୍ଥୀ ନେତା ମାଓ ଓ ଚାଓଙ୍କ ପରେ ଡେଙ୍ଗ ସି ପିଆଙ୍ଗ ନେତୃତ୍ବ ଅଧିକାର କରି ଯୁଦ୍ଧ ଓ କମ୍ୟୁନିଜିମ ରତ୍ପାନି ଅପେକ୍ଷା ଦେଶର ଆର୍ଥିକ ପ୍ରଗତି ଉପରେ ଅଧିକ ଦୃଷ୍ଟି ଦେଲେ। ଚୀନ୍‌ର ଅଭୂତପୂର୍ବ ଆର୍ଥିକ ପ୍ରଗତି ଘଟି ଏହା ପୃଥିବୀର ଦ୍ବିତୀୟ ବୃହତମ ଅର୍ଥନୈତିକ ଶକ୍ତିରେ ପରିଣତ ହେଲା। ଭାରତର ବିରାଟ ବଜାରକୁ ଦୃଶ୍ୟପଟରେ ରଖି ଚୀନ୍‌ ଆମ ସହିତ ସମ୍ପର୍କରେ କିଛିଟା କୋହଳ ମନୋଭାବ ପ୍ରଦର୍ଶନ କଲା। ସୀମା ବିବାଦ ନ ତୁଟିଲେ ମଧୢ, ସୀମା ଶାନ୍ତ ରହିଲା, ଭାରତ ସହିତ ବାଣିଜ୍ୟ ବୃଦ୍ଧି ହେଲା। ଭାରତରେ ପୁଞ୍ଜିନିବେଶ ହେଲା ଓ ଏକାଠି ଗୋଟିଏ ବ୍ୟାଙ୍କ୍‌ ପ୍ରତିଷ୍ଠା କଲେ। ଏ ସମସ୍ତ ସହଯୋଗ ସତ୍ତ୍ବେ ପାକିସ୍ତାନକୁ ସବୁ ପ୍ରକାର ସାହାଯ୍ୟ ପ୍ରଦର୍ଶନ ଓ ଭାରତର ନିରାପତ୍ତା ପରିଷଦ ସଭ୍ୟ ହେବା ପ୍ରଚେଷ୍ଟାକୁ ବିରୋଧ କରିବାର ଚୀନା ମନୋଭାବ ଊଣା ପଡ଼ିନାହିଁ। ଭାରତର କ୍ଷୁଦ୍ର ପଡ଼ୋଶୀ ଦେଶମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରି ସେମାନଙ୍କୁ ଭାରତ ବିରୋଧରେ ଉସୁକେଇ ଭାରତକୁ ପଡ଼ୋଶୀମାନଙ୍କ ସହିତ ବିବାଦରେ ବ୍ୟସ୍ତ ରଖି ଏସିଆ ଓ ଆନ୍ତର୍ଜାତିକ କ୍ଷେତ୍ରରେ କୌଣସି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ନ ଦେବା ହେଉଛି ଚୀନର ମୂଳ ଉଦ୍ଦେଶ୍ୟ।

ଚୀନ୍‌ର ଆଶା, ଆକା˚କ୍ଷା ବର୍ତ୍ତମାନ ଏସିଆର ନେତୃତ୍ବର ଊର୍ଦ୍ଧ୍ବକୁ ଆରୋହଣ କରି ବିଶ୍ବର ଦ୍ବିତୀୟ ମହାଶକ୍ତି ହେବା ଓ ଆମେରିକାର ଏକଚାଟିଆ ନେତୃତ୍ବକୁ ଆହ୍ବାନ କରି ସୋଭିଏତ୍‌ ରୁଷିଆର ଶୂନ୍ୟସ୍ଥାନ ପୂରଣ କରିବା। ପୃଥିବୀର ଯେ କୌଣସି ସ୍ଥାନରେ ଅର୍ଥନୈତିକ ଓ ସାମରିକ ହସ୍ତକ୍ଷେପ କରିବାର ଶକ୍ତି ଯାହାର ଥାଏ, ତାହାକୁ ମହାଶକ୍ତି ବୋଲି ବିବେଚନା କରାଯାଏ। ଆର୍ଥିକ ଦିଗରୁ ଚୀନ୍‌ ଏକ ପ୍ରକାର ମହାଶକ୍ତି ହୋଇ ସାରିଲାଣି ଯଦିଓ ସାମରିକ ଦିଗରେ ସେତେଟା ଅଗ୍ରଗତି ଲାଭ କରି ପାରିନାହିଁ। ଏସିଆ ମହାଦେଶରେ ଅନ୍ୟ ତିନି ପ୍ରଧାନ ଶକ୍ତି ହେଲେ ରୁଷିଆ, ଜାପାନ ଓ ଭାରତ। ବର୍ତ୍ତମାନ ରୁଷିଆର ଋଣ ପରିଶୋଧ କରି, ତାକୁ ଆର୍ଥିକ ସ˚କଟରୁ ମୁକ୍ତ କରି ଓ ସେ ଦେଶରୁ ବିପୁଳ ପରିମାଣରେ କଞ୍ଚାମାଲ ଆମଦାନି କରି ଚୀନ ରୁଷିଆକୁ ଆର୍ଥିକ ଭାବେ ଏକ ପ୍ରକାର ନିର୍ଭରଶୀଳ କରାଇ ପାରିଛି। ଅନ୍ୟ ଦୁଇ ଦେଶ ଜାପାନ ଓ ଭାରତର ଆମେରିକା ସହିତ ବନ୍ଧୁତା, ନିରାପତ୍ତା ଜନିତ ସମ୍ପର୍କ ହେତୁ ସେମାନଙ୍କୁ ଚାପରେ ରଖିବାକୁ ଚୀନ୍‌ ଉଦ୍ୟମ କରୁଛି। ଅନ୍ୟ ଦେଶମାନଙ୍କ ସହିତ ସୀମାବିବାଦ ତୁଟାଇ ଥିଲେ ମଧୢ, ଭାରତ ସହିତ ସୀମା ବିବାଦର ସମାଧାନ ନ କରି ମଝିରେ ମଝିରେ ସୀମାରେ ଗଣ୍ତଗୋଳ କରି ଚାପ ସୃଷ୍ଟି କରିବା ଓ ଭାରତକୁ ୧୯୬୨ ମସିହାର ପରାଜୟ ଚେତାଇ ଦେବା ଚୀନ୍‌ର ଉଦ୍ଦେଶ୍ୟ। ନିକଟରେ ଘଟିଥିବା ଲାଦାଖରେ ସ˚ଘର୍ଷ ସେଇ ମନୋବୃତ୍ତିର ପରିପ୍ରକାଶ।

ଚୀନ୍‌ର ଏ ମନୋବୃତ୍ତିକୁ ଆମେରିକା ଗ୍ରହଣୀୟ ବୋଲି ମନେ କରୁନାହିଁ। ବାରାକ ଓବାମାଙ୍କ ସମୟରେ ଆମେରିକା ସରକାର ଚୀନ୍‌ ପ୍ରତି କିଛିଟା କୋହଳ ମନୋଭାବ ପ୍ରକାଶ କରୁଥିଲେ। ଟ୍ରମ୍ପ୍‌ ରାଷ୍ଟ୍ରପତି ହେଲା ପରେ ଅବସ୍ଥାରେ ପରିବର୍ତ୍ତନ ଘଟି ବାଣିଜ୍ୟ କଟକଣା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ସହିତ ସମରାଭ୍ୟାସ ଓ ଦକ୍ଷିଣ ଚୀନ୍‌ ସାଗରକୁ ରଣତରୀ ଆଦି ପ୍ରେରଣ କରି ଚୀନ୍‌ର ପ୍ରଭାବକୁ ହ୍ରାସ କରିବାକୁ ଉଦ୍ୟମ କରୁଛନ୍ତି। ପଶ୍ଚିମ ଇଉରୋପର ରାଷ୍ଟ୍ରମାନେ ଆମେରିକାକୁ ଏ ଦିଗରେ ସହଯୋଗ କରିବାରୁ ଚୀନ୍‌ ଏକରକମ କୋଣଠେସା ହୋଇଯାଇଛି ଓ ତାର ଆର୍ଥିକ ପ୍ରଗତି ହ୍ରାସ ପାଇଛି। ଆମେରିକାରେ ଆସନ୍ତା ନଭେମ୍ବର ମାସରେ ନିର୍ବାଚନ ହେବ। ଟ୍ରମ୍ପ୍‌ଙ୍କ ପ୍ରତିପକ୍ଷ ହେଲେ ବାରାକ ଓବାମାଙ୍କ ସହ ଉପରାଷ୍ଟ୍ରପତି ଭାବରେ ଆଠବର୍ଷ କାର୍ଯ୍ୟ କରିଥିବା ବାଇଡେନ। ତାଙ୍କର ବିଜୟର ଅନେକ ସମ୍ଭାବନା ଅଛି। ଯଦି ସେ ବିଜୟୀ ହୁଅନ୍ତି, ତେବେ ଆମେରିକା ସରକାରଙ୍କର କଠୋର ଚୀନ୍‌ ବିରୋଧୀ ନୀତି ବଳବତ୍ତର ରହିବ କି ନାହିଁ ତାହା ସମୟ ହିଁ କେବଳ କହିବ।

ଚୀନ୍‌ବାସୀ କନଫୁସିଅସଙ୍କର ବଡ଼ ଭକ୍ତ। ତେଣୁ ସେମାନେ ସରକାର, ଆଇନ କାନୁନ ଓ ଗୁରୁଜନଙ୍କୁ ମାନନ୍ତି ଓ ଶୃଙ୍ଖଳିତ ଜୀବନ ଯାପନ କରନ୍ତି। ଗତ କେତେ ବର୍ଷର ଅଭୂତପୂର୍ବ ଆର୍ଥିକ ପ୍ରଗତି ହେତୁ, ସେମାନଙ୍କର ଜୀବନଯାପନର ମାନ ବୃଦ୍ଧି ପାଇଛି ଓ ନିଜର ସ୍ବଚ୍ଛଳ ଜୀବନ ଛାଡ଼ି ସେନାବାହିନୀରେ ଯୋଗ ଦେବାକୁ ଆଗଭର ନୁହନ୍ତି। ଅନେକ ବର୍ଷ ଧରି ମାତ୍ର ଗୋଟିଏ ସନ୍ତାନ ଜନ୍ମ ଆଇନସିଦ୍ଧ ହୋଇଥିବାରୁ, ଦେଶରେ ଯୁବକଙ୍କ ସ˚ଖ୍ୟା ହ୍ରାସ ପାଉଛି ଓ ବୟସ୍କଙ୍କ ସ˚ଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ଗୋଟିଏ ପରିବାରକୁ ନିଜର ସନ୍ତାନ ସହିତ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କର ପିତାମାତାଙ୍କ ଦାୟିତ୍ବ ନେବାକୁ ପଡ଼ୁଛି। ଚୀନ୍‌ର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଆମେରିକାରେ ଶିକ୍ଷାପ୍ରାପ୍ତ ହେଉଛନ୍ତି ଓ ବହୁ ସ˚ଖ୍ୟାରେ ଶିିକ୍ଷାପ୍ରାପ୍ତ ହୋଇ ଦେଶକୁ ଫେରିଛନ୍ତି। ଏଇ ଆମେରିକା ଶିକ୍ଷା ପ୍ରାପ୍ତ ଯୁବକଯୁବତୀ ରାଜନୈତିକ ସ୍ବାଧୀନତା ନିମନ୍ତେ ଆଗ୍ରହୀ ଓ କୌଣସି ଯୁଦ୍ଧ ବିଗ୍ରହ ପ୍ରତି ଅନାସକ୍ତ ଭାବ ପ୍ରଦର୍ଶନ କରୁଛନ୍ତି।

ଆମେରିକାର ପ୍ରତିଯୋଗୀ ହେବା ନିମନ୍ତେ ଚୀନ୍‌ର ସମୟ ହୋଇନାହିଁ କି ସାମର୍ଥ୍ୟ ଲାଭ ହୋଇନାହିଁ। ଚୀନ୍‌ କିନ୍ତୁ ଆମ ତୁଳନାରେ ଅଧିକ ଶକ୍ତିଶାଳୀ ଓ ଆମେରିକା ନିର୍ବାଚନ ପରେ ସେଠାରେ ଯଦି ସରକାର ପରିବର୍ତ୍ତନ ହୁଏ ଓ ସେ ସରକାର ଚୀନ୍‌ର ଚାପରୁ ମୁକ୍ତ ହେବା ନିମନ୍ତେ ଆମକୁ ସାହାଯ୍ୟ ନ କରନ୍ତି, ଆମକୁ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ହେବ।

ମୋ: ୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର

Comments are closed.