କରୋନା ସଂକ୍ରମଣରୁ ସୃଷ୍ଟ ପରିସ୍ଥିତିରୁ ମୁକୁଳିବା ପାଇଁ ସାରା ମାନବ ସମାଜ ଏବେ ବ୍ୟସ୍ତ ରହିଛି। ଏହି ସମୟରେ ଅନ୍ୟ କିଛି ଘଟଣା ଯେ ଘଟୁନି, ତାହା ନୁହେଁ। ମାତ୍ର କରୋନାର କାଳ ରୂପରେ ଏହିସବୁ ଘଟଣା ଲଘୁ ହୋଇଯାଇଛି। ସେହି ପରିପ୍ରେକ୍ଷୀରେ କିଛି ଦିନ ତଳର ଗୌହାଟୀ ହାଇକୋର୍ଟଙ୍କ ଏକ କୌତୂହଳପୂର୍ଣ୍ଣ ରାୟ ଏହି କରୋନା କାଳରେ ବିଶେଷ ଚର୍ଚ୍ଚିତ ହୋଇପାରିନାହିଁ। ତେବେ କଥାଟି ହେଲା, ଜଣେ ବିବାହିତା ହିନ୍ଦୁ ମହିଳା ଶଙ୍ଖା ଓ ସିନ୍ଦୂର ପିନ୍ଧିବାକୁ ମନା କରିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଛାଡ଼ପତ୍ର ଦିଆଯାଇଛି। ଅବଶ୍ୟ ୨୦୧୨ ମସିହାରେ ବିବାହ କରିଥିବା ଏହି ମହିଳା କିଛି ବର୍ଷ ଧରି ବିବାହକୁ ଅସ୍ବୀକାର କରି ଆସୁଥିଲେ ଏବଂ ଶଙ୍ଖା, ସିନ୍ଦୂର ପିନ୍ଧୁନଥିଲେ। ୨୦୧୩ ମସିହାରୁ ସେ ସ୍ବାମୀଙ୍କ ଠାରୁ ଅଲଗା ରହି ଆସୁଥିଲେ।
ହିନ୍ଦୁ ବିବାହର କେତେକ ପରଂପରାକୁ ମାନୁ ନ ଥିବା କାରଣରୁ ଏହି ଦଂପତିଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା, ଯାହା ବିଚ୍ଛେଦରେ ସମାପ୍ତ ହୋଇଛି। କିନ୍ତୁ ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ପରଂପରାକୁ ଅସ୍ବୀକାର କରି ନିଜର ମୁକ୍ତ ଇଚ୍ଛା ପ୍ରକଟ କରୁଥିବା ଜଣେ ବ୍ୟକ୍ତିକୁ ଦୋଷୀ ବୋଲି ବିବେଚନା କରାଯିବ କାହିଁକି?
ଏ ପରିପ୍ରେକ୍ଷୀରେ ଦୁଇ ବର୍ଷ ତଳେ ବମ୍ବେ ହାଇକୋର୍ଟ ପ୍ରଦାନ କରିଥିବା ଏକ ରାୟକୁ ଦେଖାଯାଇପାରେ ଯହିଁରେ ଉପରୋକ୍ତ ରାୟର ବିପରୀତ କଥା ଶୁଣିବାକୁ ମିଳିଥିଲା। ୨୦୧୭ ମସିହାରେ ଜଣେ ବ୍ୟକ୍ତି ଅଦାଲତଙ୍କ ଠାରେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ତାଙ୍କୁ ଚିଡ଼େଇବା ପାଇଁ ଅନେକ ସମୟରେ ସିନ୍ଦୂର ଧାରଣ କରୁ ନାହାନ୍ତି କି ମଙ୍ଗଳସୂତ୍ର ପିନ୍ଧୁ ନାହାନ୍ତି। ଏଣୁ ସେ ନିଜ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ଚାହାନ୍ତି। ମାତ୍ର, ମୁମ୍ବାଇ ହାଇକୋର୍ଟଙ୍କ ନାଗପୁର ବେଞ୍ଚ୍ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ ଯେ ସିନ୍ଦୂର ଧାରଣ ନ କରିବା କି ମଙ୍ଗଳସୂତ୍ର ନ ପିନ୍ଧିବା ଛାଡ଼ପତ୍ର ସକାଶେ କାରଣ ହୋଇ ନ ପାରେ। ରାୟରେ ଆହୁରି କୁହାଯାଇଥିଲା ଯେ ଏକବିଂଶ ଶତାବ୍ଦୀରେ ପାଦ ଦେଇଥିବା ଜଣେ ମହିଳାଙ୍କୁ ସିନ୍ଦୂର ପିନ୍ଧିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ।
ପରଂପରା ନାମରେ କିଭଳି ‘ବ୍ୟକ୍ତି ସ୍ବାଧୀନତା’କୁ ହନନ କରାଯାଇଥାଏ, ତାହାର ଅନେକ ଉଦାହରଣ ରହିଛି। ଗତ ବର୍ଷ ଜୁନ୍ ୨୫ ତାରିଖରେ ଶପଥ ଗ୍ରହଣ ଉତ୍ସବରେ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ମଥାରେ ସିନ୍ଦୂର ଏବଂ ହାତରେ ଶଙ୍ଖା ନାଇବାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। କହିବା ବାହୁଲ୍ୟ, ନୁସରତ ମୁସଲିମ ସଂପ୍ରଦାୟର ହୋଇଥିଲେ ମଧ୍ୟ ନିଖିଲ ଜୈନ ନାମକ ଜଣେ ହିନ୍ଦୁଙ୍କୁ ବିବାହ କରିଥିବାରୁ ସେଭଳି କରିଥିଲେ। କିନ୍ତୁ ତାଙ୍କୁ ସମାଲୋଚନା କରାଯାଇ ତାଙ୍କ ବିରୋଧରେ ‘ଫତୱା’ ଜାରି କରାଯାଇଥିଲା।
ସେହିଭଳି ଆମ ରାଜ୍ୟରେ ଘଟିଥିବା ଏକ ଘଟଣା ମଧ୍ୟ ଏକ ଜ୍ବଳନ୍ତ ଉଦାହରଣ। କିଛିଦିନ ତଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ସାମସିଙ୍ଗା ଗ୍ରାମରେ ଭୀମସେନ ପ୍ରଧାନ ମାଛ ଧରିବାକୁ ଯାଇ ଆଉ ଫେରିନଥିଲେ। ପତ୍ନୀ ବିଶ୍ବାସ କରିଥିଲେ ଯେ ତାଙ୍କ ସ୍ବାମୀ ନିଶ୍ଚୟ ଫେରିବେ। ତେଣୁ ସେ ଅପେକ୍ଷା କରିବେ। କିନ୍ତୁ, ଜାତି ସମାଜ ସେତିକି ସମୟ ଦେବାକୁ ରାଜି ନଥିଲେ। ଶେଷରେ, ସେମାନଙ୍କ ତାଗିଦରେ ଭୀମସେନଙ୍କ ପତ୍ନୀଙ୍କୁ ମଥାରୁ ସିନ୍ଦୂର ପୋଛିବାକୁ ପଡ଼ିଥିଲା।
ଏହା ସତ ଯେ ଭାରତ ଭଳି ଏକ ପରଂପରାବାଦୀ ରାଷ୍ଟ୍ର ଓ ସମାଜରେ ଅନେକ ସମୟରେ ପରଂପରା ଆଗରେ ବ୍ୟକ୍ତି ସ୍ବାଧୀନତା ଗୌଣ ହୋଇପଡ଼େ। ସେଥି ଲାଗି ତ ଆମ ଦେଶରେ ବିଭିନ୍ନ ଜାତି ସମାଜ ବା ଖାପ୍ ପଞ୍ଚାୟତଗୁଡ଼ିକ ଅମିତ କ୍ଷମତାଶାଳୀ ହୋଇପଡ଼ିଛନ୍ତି। କିନ୍ତୁ ବିଡ଼ମ୍ବନା ହେଲା, ଅନେକ ସମୟରେ ନ୍ୟାୟାଳୟ ମଧ୍ୟ ରୁଢ଼ିବାଦୀ ଆଭିମୁଖ୍ୟ ପ୍ରଦର୍ଶନ କରି ପ୍ରାଚୀନତାବାଦୀଙ୍କ ପ୍ରାଧାନ୍ୟକୁ ସ୍ବୀକାର କରନ୍ତି, ଯାହା ଗୌହାଟୀ ଉଚ୍ଚ ଅଦାଲତଙ୍କ ରାୟରେ ଦେଖିବାକୁ ମିଳିଛି।
ଗୌହାଟୀ ହାଇକୋର୍ଟଙ୍କ ରାୟ ପରେ ଅନେକ କହନ୍ତି ଯେ ଯଦି ଶଙ୍ଖା, ସିନ୍ଦୂର ପାଇଁ ଛାଡ଼ପତ୍ର ଦିଆଯାଇଥାଏ, ତେବେ ତାହା ହେଲେ ତାହା ଆମ ପ୍ରଗତିଶୀଳ ଚିନ୍ତାଧାରାର ପରିପନ୍ଥୀ। ସେମାନେ କହନ୍ତି ଯେ ବିବାହର ପବିତ୍ରତାକୁ ଯେ ପର୍ଯ୍ୟନ୍ତ ସ୍ନେହଶୀଳ ସଂପର୍କ ଆଧାରରେ ନ ମାପି, ଶଙ୍ଖା ସିନ୍ଦୂର ନାଇବାର ଗୁରୁତ୍ବ ଆଧାରରେ ବିଚାର କରାଯାଉଥିବ, ସେ ପର୍ଯ୍ୟନ୍ତ ପରିବାରରେ ମନୋମାଳିନ୍ୟ ଘଟୁଥିବ ଏବଂ ଏହି ଘଟଣା ଲାଗି ଲୋକେ ଅଦାଲତର ଆଶ୍ରୟ ନେଉଥିବେ। ଯେଉଁମାନେ ପରଂପରାକୁ ବିଶେଷ ଗୁରୁତ୍ବ ଦିଅନ୍ତି ନାହିଁ, ସେମାନେ ବ୍ୟକ୍ତି ସ୍ବାଧୀନତାର ପ୍ରସଙ୍ଗ ଉଠାଇ ପରଂପରାକୁ ମାନିବାର ବାଧ୍ୟବାଧକତା ବ୍ୟକ୍ତି ସ୍ବାଧୀନତାର ହନନ ବୋଲି କହିଥାଆନ୍ତି। ସେହି ଭଳି ପରଂପରାବାଦୀମାନେ ବ୍ୟକ୍ତି ସ୍ବାଧୀନତାକୁ ପରଂପରା ପାଳନ ଠାରୁ ଅଧିକ ଉଚ୍ଚତର ବୋଲି ବିବେଚନା କରନ୍ତି ନାହିଁ। ସେଥିଲାଗି ତ ଗୌହାଟୀ ଓ ମୁମ୍ବାଇ ଉଚ୍ଚ ଅଦାଲତର ରାୟ ପରସ୍ପରର ବିପରୀତ ହୋଇଛି। ସତ କହିଲେ ଏ ଦ୍ବନ୍ଦ୍ବର ସମାଧାନ ଲାଗି କୌଣସି ଗୋଟିଏ ଉତ୍ତର ମିଳିବା ହୁଏ ତ’ ଭାରତ ଭଳି ରାଷ୍ଟ୍ରରେ ସମ୍ଭବ ହୋଇ ନ ପାରେ।