ଗୀତର ନାଁରେ ଗାଁର ନାଁ

ଅଭିରାମ ବିଶ୍ୱାଳ

ଆଗରୁ ଯେଉଁ ଗାଁଟିର ନାଁ ବିଲୁଙ୍ଗ ଥିଲା ପୁନଃ ନାମକରଣ ପରେ ତାହା ହେଲା ରଙ୍ଗବତୀ ବିଲୁଙ୍ଗ। ଘୋଷଣା ମୁତାବକ ପ୍ରସିଦ୍ଧ ଲୋକଗୀତ ରଙ୍ଗବତୀର ଲୋକପ୍ରିୟତା ଦୃଷ୍ଟିରୁ ସେଭଳି କରାଯାଇଛି। ରାଜ୍ୟର ଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧୢ କେନ୍ଦ୍ର ତରଫରୁ ବିନା ଆପତ୍ତିର ପ୍ରମାଣପତ୍ର ଲାଭ କରିଛି। ଚାଳିଶ ବର୍ଷରୁ ଅଧିକ ସମୟ ଜନମାନସରେ ଆସ୍ଥାନ ଅତୁଟ ରଖିପାରିଥିବା ଏକ ଗୀତର ଅମରତ୍ବ ବାବଦରେ ପ୍ରମାଣ ଖୋଜିଲେ ରଙ୍ଗବତୀ ଗୀତକୁ ଅନ୍ୟତମ ସଫଳ ଦୃଷ୍ଟାନ୍ତ ଭାବେ ନିଶ୍ଚୟ ନିଆଯାଇପାରିବ। ସ˚ଯୋଗ କ୍ରମେ ରଙ୍ଗବତୀ ବିଲୁଙ୍ଗ ଗାଁ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ। କୁହାଯାଏ ଏଇ ଗାଁର ଲୋକମାନେ ସେମାନଙ୍କ ତରଫରୁ ପ୍ରାୟ ଷୋହଳ ବର୍ଷ ତଳେ ଗାଁର ନାଁ ରଙ୍ଗବତୀ ବିଲୁଙ୍ଗ ବୋଲି କହିସାରିଥିଲେ ଯେତେବେଳେ କି ଗାଁରେ ଗୀତଟିର ରୌପ୍ୟ ଜୟନ୍ତୀ ପାଳିତ ହେଉଥିଲା। ବିଭିନ୍ନ ମାଧୢମରୁ ଜାଣିବାକୁ ଓ ଦେଖିବାକୁ ମିଳେ ଯେ ସେ ଗାଁରେ ଠାଏ ଏକ ନାମଫଳକ ବା ବୋର୍ଡ ଲାଗି ସାରିଥିଲା ଯେଉଁଥିରେ ଲେଖାଥିଲା ରଙ୍ଗବତୀ ବିଲୁଙ୍ଗ ଆପଣଙ୍କୁ ସ୍ବାଗତ ଜଣାଉଛି। ରାସ୍ତା, ବଜାର, ଛକ, ସହର, ବିମାନଘାଟି, ଷ୍ଟାଡିୟମ, ମୀନାର, ଅନୁଷ୍ଠାନ ଓ ସ˚ସ୍ଥାଦିର ନାମକରଣ ବେଳେବେଳେ ମହାପୁରୁଷ, ସମାଜସ˚ସ୍କାରକ, ସ୍ବାଧୀନତା ସ˚ଗ୍ରାମୀ, ଜନନାୟକ ଓ ଆସ୍ଥାବିଶ୍ବାସର ପ୍ରତୀକଙ୍କୁ ନେଇ ହୋଇଥାଏ। ଏକ ଗୀତର ନାଁକୁ ଏକ ଗାଁର ପୁନଃନାମକରଣ ବେଳେ ଯୋଡ଼ିବା ଗୀତ ସାଙ୍ଗକୁ ସେ ଗୀତ ସହ ଜଡ଼ିତ ସାହିତ୍ୟ, ସ˚ସ୍କୃତି, ସ୍ରଷ୍ଟା, ଅଭିଳାଷ ଓ ଅସ୍ମିତା ପ୍ରଭୃତି ପ୍ରତି ଗଭୀର ଆଦର ତଥା ସମ୍ମାନ ନିଶ୍ଚୟ।

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ବ୍ୟକ୍ତିଗତ ବିଶ୍ବାସ ଏଇଭଳି- ଗୀତଟିର ଜନ୍ମ ସ୍ବତଃସ୍ଫୂର୍ତ୍ତ ଭାବେ ଏମିତି ଲଗ୍ନରେ ଯେ ତାହା ନିଜ ଦୀର୍ଘ ଜୀବନ ପଥର ଯାତ୍ରା କାଳରେ ସାମ୍ନା କରିଥିବା ସକଳ ବାଧାବିଘ୍ନ ଓ ବିବାଦ ଅତିକ୍ରମ କରିପାରିଛି। ଗଲା ଶତାବ୍ଦୀର ସତୁରି ଦଶକର ଶେଷ କେଇ ବର୍ଷର କଥା। ପ୍ରଥମେ ଗୀତଟିର ରେକର୍ଡିଂ ହୋଇ ବାଜିଥିଲା ସମ୍ବଲପୁର ଆକାଶବାଣୀ ତରଫରୁ। ସେତେବେଳେ ସମ୍ବଲପୁର ଷ୍ଟେସନ୍‌ର ଅଫିସ୍‌ ଓ ଷ୍ଟୁଡିଓ ଚାଲିଥିଲା ସାକ୍ଷୀପଡ଼ାରେ ଭଡ଼ାଘରେ। ପରେ ସେ ଗୀତର ଡିସ୍କ ତିଆରି କରିଥିଲେ କଲିକତାର ଇନରକୋ କମ୍ପାନି। କିନ୍ତୁ ସମ୍ବଲପୁର ଆକାଶବାଣୀର ଦୁଇ ଜଣ କର୍ମଚାରୀ ପ୍ରଭୁଦତ୍ତ ପ୍ରଧାନ ଓ ପ୍ରଦୀପ୍ତ ପାତ୍ରଙ୍କ ଅସଲ ଅବଦାନ ନେଇ ବିବାଦ ଉପୁଜିବାରୁ ଡିସ୍କ ଫର୍ମାଟ୍‌ର ରେକର୍ଡ ବଜାରକୁ ସାଙ୍ଗେ ସାଙ୍ଗେ ଆସିପାରି ନ ଥିଲା ବୋଲି ଶୁଣିବାକୁ ମିଳେ। ସେତେବେଳେ ଷ୍ଟେସନ୍‌ ନିର୍ଦ୍ଦେଶକ ଥାଆନ୍ତି ନୟନ ମହାନ୍ତି ଓ ସଙ୍ଗୀତ ବିଭାଗର ଦାୟିତ୍ବରେ କାର୍ତ୍ତିକେଶ୍ବର ନାୟକ। ଦୁର୍ଭାଗ୍ୟବଶତଃ ବିବାଦ ବାବଦରେ ତଥ୍ୟ ପରଖ ନିମନ୍ତେ ଆମ ଗହଣରେ ଆଉ ସେ ଚାରି ସର୍ବ ଶ୍ରୀ ପ୍ରଧାନ, ପାତ୍ର, ମହାନ୍ତି ଓ ନାୟକ କେହି ନାହାଁନ୍ତି। ହେଲେ ଅନେକ କହନ୍ତି ଯେ ସେ ଚହଳ ପକେଇଥିବା ଗୀତର ସଙ୍ଗୀତ ସ˚ଯୋଜନାରେ ପ୍ରମୁଖ ଅବଦାନ ଥିଲା ଶ୍ରୀଯୁକ୍ତ ପ୍ରଧାନଙ୍କର। ଅବଶ୍ୟ ଷ୍ଟେସନରେ ପଦବି ଦୃଷ୍ଟିରୁ ଶ୍ରୀଯୁକ୍ତ ପାତ୍ରଙ୍କ ସ୍ଥାନ ଥିଲା ଉପରେ। ତାଙ୍କ ଦାବିର ଦାପ୍ତରିକ କାରଣ।

ସମ୍ବଲପୁରୀ ଭାଷା, ସାହିତ୍ୟ, ସ˚ସ୍କୃତି, ଗୀତ ଓ ସଙ୍ଗୀତ ଆଦି ପାଇଁ ସମ୍ବଲପୁର ଆକାଶବାଣୀ ଜାଗା ଓ ଉତ୍ସାହ ଦେଇ ଆସିଲା ଯେଉଁଥିପାଇଁ ଶ୍ରୋତାମାନେ ଅନ୍ୟ ଅନେକଙ୍କ ସାଙ୍ଗକୁ ବିନୋଦ ପଶାୟତ, ମଙ୍ଗଳୁ ବିଶ୍ବାଳ, ଲାଲ ରତ୍ନାକର ସି˚, ଶ୍ରୀପତି ପାଣିଗ୍ରାହୀ, ରାମ ପ୍ରସାଦ ପୁରୋହିତ, ମିତ୍ରଭାନୁ ଗୌନ୍ତିଆ, ଫକୀର ପଟ୍ଟନାୟକ, ବିଭୂତି ପଟ୍ଟନାୟକ, ଅଟଳ ପଣ୍ତା ଓ ଜିତେନ୍ଦ୍ରୀୟ (ଜିତେନ୍ଦ୍ର) ହରିପାଲ୍‌ ପ୍ରମୁଖଙ୍କ ପ୍ରତିଭା ସହ ପରିଚିତ ହୋଇପାରିଥିଲେ (ଏ ନାମ ତାଲିକା ସୂଚକ ମାତ୍ର; ସମ୍ପୂର୍ଣ୍ଣ ନୁହେଁ)। ରଙ୍ଗବତୀ ଗୀତର ଖ୍ୟାତି, ସଫଳତା ଓ ଜନପ୍ରିୟତା ପଛରେ ଥିଲା ସାମୂହିକତାର ଭୂମିକା। ଗୀତଟି ଲେଖିଥିଲେ ମିତ୍ରଭାନୁ। ଗାଇଥିଲେ ଜିତେନ୍ଦ୍ରୀୟ ହରିପାଲ (ପରେ ପଦ୍ମଶ୍ରୀ) ଓ କୃଷ୍ଣା ପଟେଲ୍‌। ସଙ୍ଗୀତ ଦେଇଥିଲେ ପ୍ରଭୁଦତ୍ତ ପ୍ରଧାନ ଯିଏ ବି ଢୋଲ ବଜେଇଥିଲେ। ଏ ସଭିଁଙ୍କ ସାମାଜିକ ଓ ବୃତ୍ତିଗତ ପୃଷ୍ଠଭୂମି ଦେଖିଲେ ଗୀତ ସଙ୍ଗୀତ ସ˚ସ୍କୃତି ଅନୁକୂଳ ଏକ ପରିବ୍ୟାପ୍ତ ପରିମଣ୍ତଳ ପ୍ରତିଭାତ ହୁଏ। ଜଣେ ଗୌନ୍ତିଆ, ପଟେଲ୍‌, ଶିକ୍ଷକ ଓ ଲେଖକ। ଆଉ ଜଣେ ଗୀତ-ସଙ୍ଗୀତ ପ୍ରତି ଷୋହଳ ଅଣା ସମର୍ପିତ ଶିଳ୍ପୀ ଓ ଏକ ନିର୍ଦ୍ଦିଷ୍ଟ ସାମାଜିକ ବର୍ଗର। ପୁଣି ଆଉ ଜଣେ ମହିଳା ପଟେଲ ଓ ପୁଲିସ ବିଭାଗର ଏବ˚ ଯାହାଙ୍କ ପାଇଁ ସ୍ବର ଓ ସଙ୍ଗୀତ ସାଧନାର ବିଷୟ। ଅନ୍ୟ ଜଣେ ଖ୍ରୀଷ୍ଟଧର୍ମାବଲମ୍ବୀ (ଏପରିକି ଶ୍ରୀଯୁକ୍ତ ପାତ୍ର ମଧୢ)। ସେମାନଙ୍କ ଜୀବନବିଶ୍ବର ବିବିଧତା ସୃଷ୍ଟି, କଣ୍ଠ, ସଙ୍ଗୀତ, ବାଦ୍ୟ ଓ ସ˚ଯୋଜନା ବାଟେ ରସ, ସାର ଓ ପାଣି ଯୋଗାଇ ଗୀତଟିକୁ ବେଶ୍‌ ସମୃଦ୍ଧ, ମନଛୁଆଁ, ଶ୍ରୁତିମଧୁର, ପରିବେଷଣଧର୍ମୀ ଓ ସୁଦୂରପ୍ରସାରୀ କରିପାରିଥିଲା। ଗୀତଟିକୁ ଯିଏ ଶୁଣିଲେ ସିଏ କହିଲେ- ଆଉ ଥରେ ଶୁଣାନ୍ତୁ। ସିଏ ନିଜେ ବି ପ୍ରକାଶ୍ୟରେ ହେଉ କି ଗୋପନରେ ହେଉ (ଉଭୟବାଟେ ବି) ଗୀତଟି ଗାଇବା ସାଙ୍ଗକୁ ତା’ର ତାଳେ ତାଳେ ନାଚିଲେ। ଲୋକେ ପାଟି ସାଙ୍ଗକୁ ପାଦରେ ଗାଇଲେ ଗୀତଟିକୁ।

ପୂଜା ବଜାର, ମୂର୍ତ୍ତି ବିସର୍ଜନ, ବା’ ଘର ଶୋଭାଯାତ୍ରା, ଶିକ୍ଷାନୁଷ୍ଠାନୀୟ ମେଲୋଡି, ପଥପ୍ରାନ୍ତର ଢାବା ଓ ହୋଟେଲ୍‌, ଟ୍ରକ୍‌ ଓ ବସ୍‌ରେ ଖଞ୍ଜା ହୋଇଥିବା କ୍ୟାସେଟ୍‌ ଏବ˚ ଅଭିଜାତ ସମାବେଶ ସବୁଠି ଶୁଭୁଥିଲା ରଙ୍ଗବତୀ। ଏବେକାର ବାସ୍ତବତାର ପ୍ରେକ୍ଷାପଟର ଏକ ପରିଭାଷା ଓ ଆଉ ଏକ ପ୍ରତି-ପରିଭାଷାରେ କହିଲେ ପ୍ରାକ୍‌-ଡିଜିଟାଲ୍‌ ପ୍ଲାଟଫର୍ମ କାଳରେ ସୁସ୍ଥ ଓ ଚିତ୍ତାକର୍ଷକ ସ˚କ୍ରମଣ ସୃଷ୍ଟି କରି ବେଶ୍‌ ଭାଇରାଲ୍‌ ହୋଇପାରିଥିଲେ ରଙ୍ଗବତୀ ଓ ଯା’ ଯା’ରେ ଭାସି ଭାସି ଯା’ ଗୀତ ଦ୍ବୟ। ବାରାତ୍‌ରେ ଗଲାବେଳେ ଅନେକ ଦାବି କରୁଥିଲେ- ନାଗିନ୍‌ ଗାନା ପରେ ବାଜିବ, ଏବେ ଆମର ଦରକାର କେବଳ ରଙ୍ଗବତୀ ଗୀତ। ନିଜ ଆଡ଼ୁ ଗାଉଥିଲେ- ବଜାଅ ରଙ୍ଗବତୀ ଗୀତ ସଅଳ, ନାଚିବେ ଆମ ସାହି ଯୁବ ଦଳ। ସେ ଗୀତଟି ପାଲଟି ଯାଇଥିଲା ଏକ ପ୍ରକାରର ସର୍ବାଦୃତ ଆନ୍‌ଥେମ୍‌, ସଭିଁଙ୍କ ହୃଦୟର ପ୍ରଲମ୍ବିତ ରି˚ଟୋନ୍‌। ଗୀତଟିର ରୌପ୍ୟଜୟନ୍ତୀ ଅବସର ପାଖାପାଖି ଆଉ ଥରେ ରେକର୍ଡି˚ କରାଯାଇଥିଲା ସମ୍ବଲପୁର ଆକାଶବାଣୀ ତରଫରୁ ନିର୍ଦ୍ଦେଶକ ପଦ୍ମଲୋଚନ ଦାଶଙ୍କ ସମୟରେ। ଏକ ତ୍ରୈମାସିକୀ ସମୀକ୍ଷା କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଆକାଶବାଣୀକୁ ଯାଇଥିବା କଟକ ଷ୍ଟେସନର ନିର୍ଦ୍ଦେଶକ ବରାହ ମହାନ୍ତି ଗୀତଟିର ପୁନଃ ରେକର୍ଡି˚ ଶୁଣି ବେଶ୍‌ ମୁଗ୍‌ଧ ହୋଇ ପରାମର୍ଶ ଦେଇଥିଲେ ଆକାଶବାଣୀର ରେକର୍ଡି˚ ହିଁ ସବୁ ଷ୍ଟେସନରେ ବାଜୁ। ଥରେ ଶ୍ରୀଯୁକ୍ତ ହରିପାଲ୍‌ଙ୍କୁ ଏକ ରେଳ ଷ୍ଟେସନରେ ଯାତ୍ରୀମାନେ ଚିହ୍ନି ଅନୁରୋଧ କଲେ- ଆପଣ ‘ରଙ୍ଗବତୀ’ ନ ଗାଇବା ଯାଏ ଏ ଟ୍ରେନ୍ ଛାଡ଼ିବନି।

ରଙ୍ଗବତୀ ଗୀତର ଯାଦୁ ଓ ଚାହିଦା ଖାଲି ପଶ୍ଚିମ ଓଡ଼ିଶା କି ସାରା ଓଡ଼ିଶାରେ ସୀମିତ ରହିଲାନି। ତା’ର ଗାୟନ ଓ ଗୁଞ୍ଜନ ବଙ୍ଗ, ବିହାର, ମଧୢପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ତ, ଆନ୍ଧ୍ର ଓ ତେଲେଙ୍ଗାନାରେ ଶୁଣିବାକୁ ମିଳିଲା। ଦେଶବିଦେଶର ବିଭିନ୍ନ ଆଡ଼େ ବି। ୨୦୦୭ ମସିହାର ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରୁ ଓ ପରେ ୨୦୧୫ ମସିହାରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ସପ୍ତମ ବିଶ୍ବ ଜଳମଞ୍ଚରୁ ଗୀତଟିକୁ ଶୁଣିବାକୁ ମିଳିଲା। ତେଲୁଗୁ ଓ ବଙ୍ଗଳା ପ୍ରଭୃତି ଅନ୍ୟ ଭାରତୀୟ ଭାଷାରେ ଗୀତ ଓ ଗୀତର ସୁର ପୁନଃ ଜନ୍ମ, ନବଜନ୍ମ ଲାଭ କଲା। ବମ୍ବେର ଗାୟିକା ସୋନା ମହାପାତ୍ର ବି ରଙ୍ଗବତୀ ଗାଇଲେ; କିନ୍ତୁ ତାଙ୍କ ଗାୟନକାଳୀନ ଶବ୍ଦ ଉଚ୍ଚାରଣ ପୁଣି ବିତର୍କ ଓ ବିବାଦ ସୃଷ୍ଟି କଲା। ପ୍ରତିଭାବାନ୍‌ ନିର୍ଦ୍ଦେଶକ ନୀଳ ମାଧବ ପଣ୍ତାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘‘କୌନ୍‌ କିତ୍‌ନେ ପାନୀ ମେଁ’’ (୨୦୧୫)ରେ ରଙ୍ଗବତୀ ଗାଇଥିଲେ ସୁଫି ଗୀତ ପାଇଁ ଜଣାଶୁଣା କୃଷ୍ଣା ବେଉରା। ପୁଣି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ୍‌ଠାରେ ଅନୁଷ୍ଠିତ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ ଶଙ୍କର ମହାଦେବନ୍‌ ଗାଇଥିଲେ ସେ ଗୀତ। ଗାଇବା ପୂର୍ବରୁ ଚରଣସ୍ପର୍ଶ ପୂର୍ବକ ଅନୁମତି ଓ ଆଶୀର୍ବାଦ ନେଇଥିଲେ କୃଷ୍ଣା, ଜିତେନ୍ଦ୍ରୀୟ, ମିତ୍ରଭାନୁ ଓ ପ୍ରଭୁଦତ୍ତଙ୍କ ଠାରୁ ଯେଉଁମାନଙ୍କୁ ସିଏ ପରିଚିତ କରାଇଥିଲେ ଯଥାକ୍ରମେ ଗୀତର ଗାୟିକା, ଗାୟକ, ଗୀତିକାର ଓ ସଙ୍ଗୀତକାର ଭାବେ।

ଜନଶ୍ରୁତି, ବିବରଣୀ, ରେକର୍ଡ, ନଥିପତ୍ର, କାଗଜାତ୍‌, ଦସ୍ତାବିଜ୍‌, ପଟ୍ଟା ଓ ଅନୌପଚାରିକ ଦୂରଭାଷ ଆଳାପ ଭଳି ବିଭିନ୍ନ ସୂତ୍ରରୁ ରଙ୍ଗବତୀ ବିଲୁଙ୍ଗ ଗାଁଟି ବାବଦରେ ଅନେକ ଚମତ୍କାର କଥା ଜାଣିହୁଏ। ଜନଶ୍ରୁତି ଆଧାରରେ କେତେକ କହନ୍ତି- ଆମ ଗାଁର ସୃଷ୍ଟିତତ୍ତ୍ବ, ଆଦି କଥା ଏଇଭଳି। ଶହ ଶହ ବର୍ଷ ତଳର କଥା। ଥରେ ଗାଁର ପ୍ରତିଷ୍ଠା ହେଉଥାଏ। ସେ ପ୍ରତିଷ୍ଠା କିନ୍ତୁ ଠିକଣା ସମୟରେ ହୋଇପାରିଲାନି, ସରିପାରିଲାନି। ବିଳମ୍ବ ହୋଇଗଲା। ସେଇଥିପାଇଁ ଲୋକସ୍ମୃତିରେ ଗାଁର ନାଁ ହେଲା ବିଲମ୍‌। ଏଭଳି ମତର ଐତିହାସିକ ପ୍ରାମାଣିକତା ଅବଶ୍ୟ ପ୍ରାର୍ଥନୀୟ। ଅନେକ ରେକର୍ଡ ଅନୁସାରେ ଗାଁର ନାଁ ଥିଲା ବିଲୁଙ୍ଗ। ବିଲୁଙ୍ଗ ଏକ ଖଡ଼ିଆ ଜନଜାତୀୟ ଶବ୍ଦ ଯାହାର ଅର୍ଥ ଲୁଣ। ଜନଜାତୀୟ ମାନ୍ୟତା ମୁତାବକ ଲୁଣ ପବିତ୍ର କୁଳ ସନ୍ତକ (ଟୋଟେମ୍‌)।

ନିଜ ଗାଁ, ଅଞ୍ଚଳ ଓ ରଙ୍ଗବତୀର ସାମାଜିକ ଇତିହାସ ବଖାଣି ମିତ୍ରଭାନୁ ବାବୁ କହନ୍ତି- ଏବେ ମତେ ପ୍ରାୟ ୮୦ ଛୁଇଁବାକୁ ବସିଲାଣି। ଦିନେ ମୁଁ ସ˚ସାର, ମନପବନରେ ବି ଲେଖୁଥିଲି। ଜଣେ ଶିକ୍ଷକ ଭାବେ ମୁଁ ମୁଖ୍ୟତଃ ଗଣିତ ଓ ବିଜ୍ଞାନ ପଢ଼େଇଛି। ହେଲେ ଆମ ପିଲାଦିନେ ଅଙ୍କ କଷିବାକୁ ଓ ବିଜ୍ଞାନ ବିଷୟ ଲେଖି ବୁଝିବାକୁ ଏବେକା ଭଳିଆ ସିଲଟ ପାଉନଥିଲୁ। ରଙ୍ଗବତୀ ଶବ୍ଦଟି ଏକ ସମ୍ମାନସୂଚକ ସମ୍ବୋଧନ। ସେମିତି ଯେମିତି କଳାବତୀ, ଲାଜବତୀ, ରସବତୀ। ଆମ ଅଞ୍ଚଳର ରାଜା ମୋ ଜେଜେବାପାଙ୍କୁ କହୁଥିଲେ ଯଦି ଗୌନ୍ତି ବଞ୍ଚେଇ ରଖିବାକୁ ଚାହଁ ତେବେ ନିଜ ପିଲାଙ୍କୁ ନିଶ୍ଚେ ପାଠ ପଢ଼େଇବ, ଶିକ୍ଷିତ କରେଇବ। ସେଇଥିପାଇଁ କଟକ ଆଡୁ ମାଷ୍ଟର ଆଜ୍ଞା ଅଣାଯାଇଥିଲେ ଯାହାଙ୍କ ଯୋଗୁଁ ଅ, ଆ, ଏକ, ଦୁଇ ଓ ବର୍ଣ୍ଣବୋଧ ଶିଖିବା ସମ୍ଭବ ହୋଇପାରିଥିଲା। ଗୌନ୍ତିଆ ମାନେ ଗୋଟିଏ ବା କେଇଖଣ୍ତ ଗାଁର ମୁଖିଆ ଯିଏ କି ରାଜାଙ୍କ ପାଇଁ ଗାଁ ବା ଅଞ୍ଚଳର ଜମିଜମିା କଥା ବୁଝନ୍ତି, ଖଜଣା ଆଦାୟ କରି ପୈଠ କରନ୍ତି ଓ ନିଜେ ଜମି ତଥା ଅନ୍ୟ ଆକାରରେ ଭାଗ ପାଇଥାନ୍ତି।

ଆଦିବାସୀ ବହୁଳ ରଙ୍ଗବତୀ ବିଲୁଙ୍ଗ ଗାଁରେ ଆଦିବାସୀଙ୍କ ଛଡ଼ା ଦଳିତ ଓ କୌଳିକ ବୃତ୍ତି ସମ୍ପନ୍ନ ଜାତିର ଲୋକେ ବାସ କରନ୍ତି। ଏଇ ଯେମିତି- କିଷାନ, ଗୋଁଣ୍ତ, ଲହୁରା, ଗୋପାଳ, କେଉଟ, ଚର୍ମକାର, କୁମ୍ଭକାର ଓ ଅଘ୍ରିଆ ପ୍ରଭୃତି। ଗାଁର ଲୋକେ ସ୍ବଭାବସୁଲଭ ସହୃଦୟତା ମିଶା ସ୍ବରରେ କହନ୍ତି- କରୋନା ଯାଉ। ଆମର ଏଠିକି ନିଶ୍ଚେ ଆସିବେ। ଆମ ଗାଁ ଧାନ, ଲଙ୍କା, ସୋରିଷ ଓ ରଙ୍ଗବତୀ ପାଇଁ ପ୍ରସିଦ୍ଧ। ଏଠି ଆସି ଆମ ଗାଁ ଭାତ ଖାଇବେ। ରାଗ (ବିଖ୍ୟାତ ବାମଡ଼ିଆ ଲଙ୍କା ମରିଚ) ଚାଖିବେ। ସୋରିଷ ତେଲ ପ୍ରସ୍ତୁତ ବ୍ୟଞ୍ଜନ ଆହରଣ କରିବେ। ତା’ପରେ ରଙ୍ଗବତୀ ଗୀତ ଶୁଣେଇବୁ ଯାହା ଆପଣଙ୍କ ମନ ମୋହିନେବ। ଆମ ଗାଁ ମାଟି ସେ ଗୀତର ଅନ୍ତୁଡ଼ିଶାଳ ଆଉ ଏବେ ସେ ଗୀତର ନାଁରେ ଆମ ଗାଁର ନା। ସେମାନେ ନିଜ ଗାଁ ବିଷୟରେ ଆଉ ଗୋଟେ କଥା ବି କହନ୍ତି। ଏଇଭଳି- ଆଗରୁ ଆମ ଗାଁରୁ ଯଦି କିଏ କୁଚିନ୍ଦା କି ବାମରା କି ଦେବଗଡ଼ ଯାଉଥିଲେ ସେଠାକାର ଅନେକ ଭ୍ରମର ବଶବର୍ତ୍ତୀ ହୋଇ କହନ୍ତି ଆପଣମାନେ ତେବେ ଖୋଲ ବିଲୁଙ୍ଗ ଗାଁରୁ ଆସିଛନ୍ତି! ଏବେ ଆଉ ହାତୀ ଉପଦ୍ରବ କରୁଛନ୍ତି? ଖୋଲ ବିଲୁଙ୍ଗ ନାଁରେ ରଙ୍ଗବତୀ ବିଲୁଙ୍ଗ ଗାଁର କିଛି ଦୂରରେ ଏକ ଗାଁ ଅଛି ଯେଉଁଠୁ ଏକଦା ରାଜାଙ୍କ ପାଇଁ ହାତୀ ଧରା ହୋଇ ଯାଉଥିଲେ। ରଙ୍ଗବତୀ ବିଲୁଙ୍ଗ ନାଁରେ ଗାଁର ପୁନଃ ନାମକରଣ ପରେ ସେମାନଙ୍କ ଗ୍ରାମବାସୀଙ୍କୁ ଆଉ କେହି ପରିଚୟ ସ˚କଟରେ ପକେଇ ପଚାରିବେନି- ଆପଣମାନେ ଖୋଲ ବିଲୁଙ୍ଗର କି?

ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର