ଏକ ନୂଆ ପୃଥିବୀ ସମ୍ଭବ

ବ୍ରହ୍ମାକୁମାରୀ ସୁଲୋଚନା

ବିଶାଳ ସୋୖର ଜଗତ୍‌ରେ ଥିବା ନକ୍ଷତ୍ର, ଗ୍ରହ ଓ ଗ୍ରହାଣୁପୁଞ୍ଜ ମଧୢରୁ ପୃଥିବୀ ଏକମାତ୍ର ଗ୍ରହ ଯେଉଁଥିରେ ପ୍ରାଣୀ ଜଗତ୍‌ ତିଷ୍ଠି ପାରିଛି। ବର୍ତ୍ତମାନ ପୃଥିବୀର ଜନସ˚ଖ୍ୟା ପ୍ରାୟ ୭୬୦ କୋଟି। ଏକ ଆକଳନ କହିଥାଏ ଯେ ୨୧୦୦ ମସିହା ବେଳକୁ ବିଶ୍ବର ଜନସ˚ଖ୍ୟା ପ୍ରାୟ ୧୧୦୦ କୋଟିରେ ପହଞ୍ଚିବ। ଗତ ୫ ଦଶନ୍ଧି ମଧୢରେ ପୃଥିବୀର ଜନସ˚ଖ୍ୟା ୨ ଗୁଣ ବଢ଼ିଥିବା ବେଳେ ଜୀବଜନ୍ତୁଙ୍କ ସ˚ଖ୍ୟାରେ ଅଭୂୂତପୂର୍ବ ହ୍ରାସ ପରିଲକ୍ଷିତ ହୋଇଛି। ବନ୍ୟଜନ୍ତୁଙ୍କ ସ˚ଖ୍ୟା ଅଧା ହୋଇଯାଇଛି। ଠିକ ସେହିପରି ବୃକ୍ଷଜଗତ୍‌ ବା ଜଙ୍ଗଲ ଯାହାକୁ ଆମେ ପୃଥିବୀର ଫୁସ୍‌ଫୁସ୍‌ ବୋଲି କହିଥାଉ; ତାର ଅର୍ଧାଧିକ ଲୋପ ପାଇଗଲାଣି।

ଦିନ ଥିଲା ମନୁଷ୍ୟ ଜୀବଜନ୍ତୁଙ୍କ ସହ ସମନ୍ବୟ ରକ୍ଷା କରି ପ୍ରକୃତିର ମନୋରମ କୋଳରେ ଜୀବନ ଅତିବାହିତ କରୁଥିଲା। କିନ୍ତୁ ଧୀରେ ଧୀରେ ନଦୀକୂଳଗୁଡ଼ିିକରେ ସଭ୍ୟତା ଗଢ଼ିଉଠିଲା। ସଭ୍ୟତାର କ୍ରମ ବିକାଶରେ ମାନବ ବିଜ୍ଞାନ ଯୁଗରେ ପ୍ରବେଶ କରିବା ସହିତ ଭୋଗବାଦୀ, ବ୍ୟକ୍ତିକୈନ୍ଦ୍ରିକ ଓ ଅତ୍ୟନ୍ତ ସ୍ବାର୍ଥପର ହୋଇପଡ଼ିଲା। ଏଣିକି ପ୍ରକୃତି ସହିତ ସହାବସ୍ଥାନ ଓ ପ୍ରାକୃତିକ ସମ୍ପଦର ରକ୍ଷଣାବେକ୍ଷଣ କରିବାରେ ମନ ବଳାଇବା ତ ଦୂରର କଥା ପ୍ରକୃତିକୁ ନିଜର ପ୍ରତିପକ୍ଷ ବୋଲି ବିଚାର କରି ତାକୁ ନିୟନ୍ତ୍ରଣ କରିବା ବା ତା ଉପରେ ବିଜୟ ଲାଭ କରିବାରେ ଲାଗି ରହିଲା। ଯାହାର ପରିଣାମ ନଦୀବନ୍ଧ, ଶିଳ୍ପାୟନ, ଖଣି ଖନନ, ଜଙ୍ଗଲ କ୍ଷୟ, ଜଳ ପ୍ରଦୂଷଣ, ସୁଖ ବା ସଉକ ଲାଗି ଅଯଥାରେ ଜୀବଜନ୍ତୁ ଶିକାର ଇତ୍ୟାଦିରେ ଦେଖିବାକୁ ମିଳିଛି। ଏକବି˚ଶ ଶତାଦ୍ଦୀରେ ଜଳବାୟୁରେ ଘୋର ପରିବର୍ତ୍ତନ ସମଗ୍ର ବିଶ୍ବ ଲାଗି ଏକ ବଡ଼ ସ˚କଟ ରୂପେ ଉଭା ହେଲାଣି, ଯାହାର କାରଣ ଓ କାରକ ଉଭୟ ହେଉଛି ମନୁଷ୍ୟ।

ଏବେ ଅନେକ ପ୍ରାଣୀ ବିଲୁପ୍ତ ପ୍ରାୟ। ବିଭିନ୍ନ କାରଣରୁ ଜୀବଜନ୍ତୁ-ମେଧ ଯଜ୍ଞ ଚାଲିଛି। ତେବେ ମନୁଷ୍ୟର ବିକୃତ ଜିହ୍ବା ଲାଳସା ମଧୢ ଅନେକ ପ୍ରାଣୀଙ୍କ ବିଲୁପ୍ତି ସାଧନ କରିଛି। ପ୍ରକୃତି ମଧୢ ଏଥି ଲାଗି ମୁନଷ୍ୟକୁ ଏକ ବଡ଼ ଶାସ୍ତି ଦେଇଛି। ଆଜି ସେଥି ଲାଗି କରୋନା ମହାମାରୀ କବଳରେ ସମଗ୍ର ମାନବ ଜାତି ତ୍ରସ୍ତ ହୋଇ ଛିଡ଼ା ହୋଇଛି। ଅନେକ ପ୍ରାଣୀ ବିଶାରଦ କହନ୍ତି ଯେ ଯଦି ପୃଥିବୀରୁ ଅନ୍ୟ ସବୁ ପ୍ରାଣୀ ଲୋପ ପାଇଯାଆନ୍ତି, ତେବେ ମନୁଷ୍ୟ ଗୋଟିଏ ଦିନ ବି ତିଷ୍ଠି ରହି ପାରିବ ନାହିଁ। କିନ୍ତୁ ଏ ପୃଥିବୀରୁ ମନୁଷ୍ୟ ଜାତି ଲୋପ ପାଇଗଲେ ସବୁ ପ୍ରାଣୀ ପରମ ଶାନ୍ତିରେ ଖୁବ୍‌ ସୁନ୍ଦର ଜୀବନ ଜିଇବେ।

ଭାରତୀୟ ସ˚ସ୍କୃତିରେ ଆବହମାନ କାଳରୁ ପ୍ରକୃତି ଓ ପରିବେଶକୁ ବିଶେଷ ମହତ୍ତ୍ବ ଦିଆଯାଇଛି। ପ୍ରାଚୀନ କାଳରୁ ବୃକ୍ଷକୁ ଦେବତା ମନେ କରି ପୂଜା କରାଯାଇ ଆସୁଛି। ଆମ ଚିନ୍ତନରେ ସମୁଦ୍ର, ନଦୀ, ଜୀବଜଗତ୍‌ ସମସ୍ତେ ପୂଜନ ଯୋଗ୍ୟ। ଆମ ଧର୍ମରେ ଦେବଦେବୀଙ୍କ ବାହନ ରୂପେ ଆମ୍ଭେମାନେ ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବାକୁ ପାଉ। ଏହା ମୂଳରେ ଯେଉଁ ଚିନ୍ତନ ଥିଲା, ତାହା ହେଉଛି ସବୁ ପଶୁପକ୍ଷୀଙ୍କ ପ୍ରତି ସମ୍ମାନ ଓ ସେମାନଙ୍କ ସ˚ରକ୍ଷଣ। କିନ୍ତୁ ଆମେମାନେ କ୍ରମେ ସେ ଭାବନା ପାଶୋରି ଗଲୁଣି ଏବ˚ ଏବେ ଆମର ପୂଜା ବା ପ୍ରାର୍ଥନା କେବଳ ଅମନଯୋଗୀ ଗତାନୁଗତିକତାରେ ପରିଣତ ହୋଇଛି। ଆମ ବେଦ ଓ ଉପନିଷଦରେ ଥିବା ମନ୍ତ୍ର ଏବ˚ ତହିଁରେ ନିହିତ ଥିବା ଗୂଢ଼ ଅର୍ଥ ଆଧୁନିକ ଭାରତୀୟଙ୍କ ଲାଗି ମୂଲ୍ୟହୀନ ହୋଇ ପଡ଼ିଛି। କିନ୍ତୁ ଆମେମାନେ ହୃଦୟଙ୍ଗମ କରିବା ଉଚିତ ଯେ ସେହି ପ୍ରାଚୀନ ଧାରଣାରେ ଯେଉଁ ଧାରଣକ୍ଷମ ପୃଥିବୀ କଥା ନିହିତ ଥିଲା, ତାହା ହିଁ ଏକ ପରିତୃପ୍ତ ମାନବ ଜୀବନ ଲାଗି ଏକମାତ୍ର ବାଟ। ଏବ˚ ସେହି ଉପାୟରେ ଏକ ନୂଆ ପୃଥିବୀର ପରିକଳ୍ପନା ସମ୍ଭବ।

କଟକ

ସମ୍ବନ୍ଧିତ ଖବର