‘ଥାଇରୋକେଆର୍’ ନାମକ ଏକ ଘରୋଇ ଲାବୋରେଟୋରି ଦ୍ବାରା ସାରା ଦେଶର ବିଭିନ୍ନ ସ୍ଥାନେର କରାଯାଇଥିବା ଏକ ବିଶାଳ ‘ଆଣ୍ଟିବଡି’ ପରୀକ୍ଷଣରୁ ଜଣାପଡ଼ିଛି ଯେ ଦେଶର ପ୍ରତି ଚାରି ଜଣରେ ଜଣଙ୍କ ନିକଟରେ କୋଭିଡ୍-୧୯ ଭୂତାଣୁ ପ୍ରତିରୋଧ ନିମନ୍ତେ ଆବଶ୍ୟକ ‘ଆଣ୍ଟିବଡି’ ସୃଷ୍ଟି ହୋଇ ସାରିଲାଣି। ଦେଶର ୨ ଲକ୍ଷରୁ ଅଧିକ ଲୋକଙ୍କ ଠାରେ କରାଯାଇଥିବା ଏହି ‘ସେରୋ’ ପରୀକ୍ଷାରେ ୨୪% ଲୋକଙ୍କ ଶରୀରରେ ଆଣ୍ଟିବଡି ଥିବା ଲକ୍ଷ୍ୟ କରାଯାଇଛି। ଦିଲ୍ଲୀ ଓ ମୁମ୍ବାଇ ଭଳି ସହର ଗୁଡ଼ିକେର ପ୍ରଥମେ ସଂକ୍ରମଣ ଆରମ୍ଭ ହୋଇ ଅଧିକ ଲୋକ ସଂକ୍ରମିତ ହୋଇଥିବାରୁ ସେଠାରେ ଯଥାକ୍ରମେ ୨୯ ପ୍ରତିଶତ ଓ ୨୭ ପ୍ରତିଶତ ଲୋକଙ୍କ ମଧ୍ୟରେ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇ ସାରିଛି। ସଂକ୍ରମଣ ହାର ୩୫ ପ୍ରତିଶତ ନିକଟତର ହେଲେ ଏହା ଶୀର୍ଷକୁ ଛୁଇଁଥାଏ ଓ ସଂକ୍ରମଣ ହାର କ୍ରମେ ୪୫ ପ୍ରତିଶତ ହେଲେ ସଂକ୍ରମଣର ପ୍ରକୋପ ନିମ୍ନଗାମୀ ହେବା ଆରମ୍ଭ କରିଥାଏ। ସଂକ୍ରାମକ ରୋଗ ବିଶେଷଜ୍ଞଙ୍କ ମତ ଅନୁଯାୟୀ ୫୦ ପ୍ରତିଶତ ସଂକ୍ରମଣ ବେଳକୁ ଭୂତାଣୁର ପ୍ରଭାବ ବହୁତ କମିଯାଏ। ମୁମ୍ବାଇର ଧରାବି ବସ୍ତି ଅଞ୍ଚଳରେ ୫୭ ପ୍ରତିଶତରୁ ଅଧିକ ସଂକ୍ରମଣ ପରେ ବର୍ତ୍ତମାନ ସେଠାରେ ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ଶୂନ ହୋଇଗଲାଣି।
ପାଶ୍ଚାତ୍ୟ ଦେଶଗୁଡ଼ିକରେ ପ୍ରତି ଦଶ ଲକ୍ଷ କରୋନା ସଂକ୍ରମିତଙ୍କ ମଧ୍ୟରୁ ୬୦୦ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ଭାରତରେ ଏହା ୩୯ରେ ସୀମିତ ରହିଛି। ଭାରତୀୟଙ୍କ ଠାରେ ଏପରି ଅପ୍ରତ୍ୟାଶିତ ରୋଗ ପ୍ରତିରୋଧକ ପଛରେ ଜନସଂଖ୍ୟାରେ ଯୁବବର୍ଗଙ୍କ ଅଧିକ ଭାଗ, ଟି-ସେଲ୍ର ଉପସ୍ଥିତି ଓ ବିଭିନ୍ନ ପ୍ରକାର ଜୀବାଣୁ-ବୀଜାଣୁ-ଭୂତାଣୁଙ୍କ ସହିତ ନିୟମିତ ସଂସ୍ପର୍ଶ ପ୍ରମୁଖ କାରକ ବୋଲି ଅନୁମାନ କରାଯାଉଛି। ଏହି କାରଣରୁ ଭାରତରେ ଅଧିକାଂଶ ସଂକ୍ରମଣ ଲକ୍ଷଣ-ବିହୀନ ରହିଛି। ତେବେ ଗୋଷ୍ଠୀ ରୋଗ ପ୍ରତିରୋଧକ ହାସଲ ଦୌଡ଼ରେ ଦିଲ୍ଲୀ ବା ମୁମ୍ବାଇ ଭଳି ସହର ଆଗୁଆ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/corona-1.jpeg)