ଧର୍ମୀୟ ବିଶ୍ୱାସ ଓ ଶାନ୍ତି

ମନ ପରିଭାଷା - ଫକୀରମୋହନ ସାହୁ

ଆନୁଷ୍ଠାନିକ ଧର୍ମ ଏବ˚ ଧାର୍ମିକ ବିଚାର ଧାରା ଦ୍ବାରା ପ୍ରଦର୍ଶିତ ମାର୍ଗରେ ଚାଲିଲେ ସୁଖ ବା ଶାନ୍ତି ମିଳେ କି? ବି˚ଶ ଶତକର ପ୍ରାୟ ଅଷ୍ଟମ ଦଶକ ପର୍ଯ୍ୟନ୍ତ ମନୋବିଜ୍ଞାନୀମାନେ ଏ ପ୍ରଶ୍ନ ନେଇ ଉଦାସୀନ ଥିଲେ। ଏହାର ଉତ୍ତର ଦାର୍ଶନିକମାନେ ଦେବା ଉଚିତ ବୋଲି ସେମା‌େନ ବିଚାର କରୁଥିଲେ। ତେବେ, ପରେ ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ମଣିଷର ସୁଖାନୁଭୂତି ସହିତ ଧର୍ମ ବିଶ୍ବାସର ସଂପର୍କ ଉପରେ ଅଧିକ ବିଶ୍ଳେଷଣ ଆଦି ହେବାରୁ ମନୋବିଜ୍ଞାନୀମାନେ ଏ ପ୍ରଶ୍ନର ଉତ୍ତର ପାଇବାରେ ସଫଳ ହୋଇଛନ୍ତି।

ସେମାନେ ଦେଖିଛନ୍ତି ଯେ ଧାର୍ମିକ ବିଶ୍ବାସ ଓ ମାନସିକ ସ୍ବାସ୍ଥ୍ୟ ମଧ୍ୟରେ ଏକ ସକାରାତ୍ମକ ସମ୍ପର୍କ ରହିଛି। ତେବେ ଧର୍ମ ବିଶ୍ବାସ ବୋଇଲେ ଲୋକେ ଯାହା ବୁଝନ୍ତି, ତାହା ଦ୍ବାରା ଅନେକ ସ୍ଥଳରେ ମାନସିକ ଶାନ୍ତି ମିଳିବା ସମ୍ଭବ ହୋଇ ନ ଥାଏ। ସାଧାରଣତଃ ଜଣେ ବ୍ୟକ୍ତି ତାଙ୍କର ଧର୍ମୀୟ ଉପାସନା ସ୍ଥଳକୁ କେତେ ଥର ଯାଆନ୍ତି, ତହିଁରୁ ତାଙ୍କର ବିଶ୍ବାସର ଗଭୀରତାକୁ ମାପିବାର ଚେଷ୍ଟା କରାଯାଏ। ଏହାଦ୍ବାରା ଅଧିକାଂଶ ଧର୍ମବିଶ୍ବାସୀ ଲୋକ ଉପାସନା ପୀଠକୁ ଯିବା ଅଥବା କର୍ମକାଣ୍ଡ ଭଳି ବାହ୍ୟ ଉପଚାର ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିଥାଆନ୍ତି। ଅନ୍ୟ ପକ୍ଷରେ ଆଉ କେତେକ ଧର୍ମ ବିଶ୍ବାସକୁ ଏକ ଆଧ୍ୟାତ୍ମିକ ବିଶ୍ବାସ ରୂପେ ପରିଭାଷିତ କରନ୍ତି, ଯାହା ଅନ୍ତର୍ନିହିତ ଐଶ୍ବରୀୟ ମୂଲ୍ୟବୋଧ ଉପରେ ଆଧାରିତ ହୋଇଥାଏ। ଏଥିରେ ଉପାସନା ସ୍ଥଳୀକୁ ଯିବାଆସିବା କରିବା ବା ବାହ୍ୟ ଉପଚାର ଇତ୍ୟାଦି ସହିତ ବି‌େଶଷ ସଂପର୍କ ନ ଥାଏ। ଏଭଳି ଧାର୍ମିକ ଲୋକେ କରୁଣା ବା କ୍ଷମା ଅଥବା ଶାନ୍ତି ଭଳି ଚିରନ୍ତନ ମୂଲ୍ୟବୋଧକୁ ହିଁ ପାଥେୟ କରିଥାଆନ୍ତି। ମନସ୍ତାତ୍ତ୍ବିକ ବିଶ୍ଳେ‌ଷଣରୁ ସ୍ପଷ୍ଟ ଯେ ଦ୍ବିତୀୟ ପ୍ରକାରର ବ୍ୟକ୍ତିମାନେ ପ୍ରଥମ ପ୍ରକାରର ବ୍ୟକ୍ତିମାନଙ୍କ ତୁଳନାରେ ମାନସିକ ସ୍ତରରେ ଅଧିକ ସୁସ୍ଥ ରହନ୍ତି ଓ ଅଧିକ ସୁଖାନୁଭୂତି ଲାଭ କରନ୍ତି।

କର୍ମକାଣ୍ଡବାଦୀ ଲୋକେ ସାଧାରଣତଃ ତିନିଟି ଉପାଦାନ ଲାଗି କିଛି ମାନସିକ ଶାନ୍ତି ଅନୁଭବ କରନ୍ତି। ପ୍ରଥମତଃ ଉପାସନା ସ୍ଥଳୀକୁ ଯିବା, ସେଠାରେ ପ୍ରାର୍ଥନା ବା ଦୀପ ପ୍ରଜ୍ଜ୍ବଳନ ଭଳି କିଛି କାର୍ଯ୍ୟ କରିବା ତଥା ସତୀର୍ଥମାନଙ୍କ ସମାଗମଜନିତ ସଂସର୍ଗ ଲାଭ କରିବା ଦ୍ବାରା ସେମାନେ ଅନେକ ମାନସିକ ଶାନ୍ତି ଲାଭ କରିଥାଆନ୍ତି। ଦ୍ବିତୀୟରେ ଉପାସନା ସ୍ଥଳରେ ସେମାନେ ଈଶ୍ବରଙ୍କ ସହିତ ଏକାତ୍ମ ହେବା ଭଳି ଅନୁଭବ କରି ଅପାର ଆନନ୍ଦ ଲାଭ କରିପାରନ୍ତି। ତୃତୀୟରେ ଏହା ଏକ ଅଭ୍ୟାସରେ ପଡ଼ି ସେମାନଙ୍କ ଜୀବନ ଧାରାକୁ ଶୃଙ୍ଖଳିତ କରୁଥିବାରୁ ସେମାନେ ଶାନ୍ତି ଲାଭ କରିଥାଆନ୍ତି। କିନ୍ତୁ ଏହା ମଧ୍ୟ ଦେଖାଯାଏ ଯେ ଏଭଳି ବିଶ୍ବାସୀମାନେ ଅନେକ ସମୟରେ ସେମାନଙ୍କ ନିଜ ନିଜ ବିଶ୍ବାସକୁ ‌େନଇ ସଂକୀର୍ଣ୍ଣମନା ହୋଇପାରନ୍ତି। ଅନେକ ଲୋକେ କର୍ମକାଣ୍ଡ ଭିତରେ ଏଭଳି ବୁଡ଼ି ଯାଆନ୍ତି ଯେ ସେମାନଙ୍କ ମନରେ ଉଦାରତା ବା ନମନୀୟତା ହଜିଯାଏ; ବରଂ ଏକ କଠୋରତା ତାର ସ୍ଥାନ ନିଏ। ନିଜ ଦେହକୁ ଅସୁସ୍ଥ କଲା ଭଳି କାଷ୍ଠା ଉପବାସ କରିବା ହେଉଛି ଏଭଳି ଆଭିମୁଖ୍ୟର ଏକ ଅତି ସାଧାରଣ ଉଦାହରଣ। କିନ୍ତୁ ଯେଉଁମାନେ ଏଭଳି ଧାରଣାର ବଶବର୍ତ୍ତୀ ନ ହୋଇ ଈଶ୍ବରୀୟ ଗୁଣଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତି ଓ ତାକୁ ଜୀବନର ମୂଳ ମନ୍ତ୍ର କରନ୍ତି, ସେମାନେ ସାରା ବିଶ୍ବକୁ ଭ୍ରାତୃତ୍ବ ବନ୍ଧନରେ ଏବଂ ମମତ୍ବବୋଧରେ ବାନ୍ଧି ପାରନ୍ତି। ସେମାନେ ଯେଉଁ ଶାନ୍ତି ଲାଭ କରନ୍ତି ତହିଁରେ ଏକ ଚିରନ୍ତନତା ରହିଥାଏ।

ଜାଭିୟର‌୍‌ ବିଶ୍ବବିଦ୍ୟାଳୟ
ଭୁବନେଶ୍ବର-୧୩

ସମ୍ବନ୍ଧିତ ଖବର