କମଳା ହାରିସଙ୍କୁ ନେଇ ଭାରତୀୟଙ୍କ ଦ୍ୱନ୍ଦ୍ୱ

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଆମେରିକାର ଆଗାମୀ ନଭେମ୍ବର ୩ ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ, ତାଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ କମଳା ହାରିସଙ୍କୁ ମନୋନୀତ କରିଛନ୍ତି। ଆମେରିକାର ଦଳୀୟ ରାଷ୍ଟ୍ରପତି ପ୍ରାର୍ଥୀମାନେ ନିଜେ ତାଙ୍କ ଦଳର ସଦସ୍ୟମାନଙ୍କ ଦ୍ବାରା ନିର୍ବାଚିତ ହେଉଥିଲା ବେଳେ ସେହି ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀମାନେ ରାଷ୍ଟ୍ରପ୍ରତି ପ୍ରାର୍ଥୀଙ୍କ ଦ୍ବାରା ମନୋନୀତ ହୋଇଥା’ନ୍ତି। ଦଳର ସମର୍ଥକମାନଙ୍କ ଦ୍ବାରା ସେମାନେ ନିର୍ବାଚିତ ହୁଅନ୍ତି ନାହିଁ। ଏଠାରେ ଏକ ମହତ୍ତ୍ବପୂର୍ଣ୍ଣ କଥା ହେଲା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ବେଳେ ଯେଉଁ ‘ପ୍ରାଇମେରିଜ’ ନିର୍ବାଚନ ହୁଏ, ଯେଉଁଥିରେ ଦଳୀୟ ସମର୍ଥକମାନେ ଭୋଟ ଦେଇ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣକୁ ବାଛିଥାନ୍ତି, ସେହି ନିର୍ବାଚନ ବେଳେ କମଳା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ ହିସାବରେ ନିର୍ବାଚନ ଲଢୁଥିଲେ, ଜୋ ବାଇଡେନଙ୍କ ବିରୋଧରେ। ଏହି ନିର୍ବାଚନ ବେଳେ ଯେଉଁ ଟି.ଭି ବିତର୍କମାନ ଅନୁଷ୍ଠିତ ହେଉଥିଲା, ସେହି ବିତର୍କରେ ଜୋ ବାଇଡେନଙ୍କ ବିରୋଧରେ କମଳା ହାରିସ ଅତି କଟୁ ମନ୍ତବ୍ୟମାନ ଦେଇଥିଲେ। ଏହି ମନ୍ତବ୍ୟ ଯୋଗୁଁ ବାଇଡେନଙ୍କ ପରାମର୍ଶତାଦା ଓ ଏପରିକି ତାଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଅତି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଏହି ଭଳି ପରିସ୍ଥିତିରେ ତାଙ୍କ ପ୍ରଚଣ୍ତ ବିରୋଧୀ କମଳା ହାରିସଙ୍କୁ ଜୋ ବାଇଡେନ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ମନୋନୀତ କରିବା ଏକ ଚମତ୍କାର ବୋଲି କୁହାଯାଇପାରିବ। ଆମେରିକାର ସମ୍ବିଧାନ ଅନୁସାରେ ଯଦି ଜଣେ ରାଷ୍ଟ୍ରପତି ତାଙ୍କର ୪ ବର୍ଷର କାର୍ଯ୍ୟକାଳର ସମାପ୍ତି ପୂର୍ବରୁ ମୃତ୍ୟୁବରଣ କରନ୍ତି ବା ଇସ୍ତଫା ଦିଅନ୍ତି ଅବା ସେଠାକାର କଂଗ୍ରେସ (ସ˚ସଦ) ତାଙ୍କୁ ମହାଭିଯୋଗ ପ୍ରକ୍ରିୟା ଦ୍ବାରା କ୍ଷମତାଚ୍ୟୁତ କରେ, ତେବେ ୪ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ ହେବା ପାଇଁ ଯେତେ ସମୟ ବଳିଥାଏ, ସେହି ସମୟ ପାଇଁ ଉପରାଷ୍ଟ୍ରପତି ହିଁ ରାଷ୍ଟ୍ରପତି ପଦ ଭାର ଗ୍ରହଣ କରିଥାନ୍ତି। ଅତୀତରେ ଅନେକ ଥର ଏପରି ଘଟଣାମାନ ଘଟିଛି।

କମଳା ହାରିସଙ୍କୁ ଜୋ ବାଇଡେନ ବାଛିବା ଅତି ମହତ୍ତ୍ବପୂର୍ଣ୍ଣ ଘଟଣା ଅଟେ। ଏହାର ମୁଖ୍ୟ କାରଣ ହେଲା ଜଣେ ଅଣଶ୍ବେତାଙ୍ଗ ମହିଳାଙ୍କୁ ଜୋ ବାଇଡେନ ତାଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ବାଛନ୍ତୁ ବୋଲି ଏକ ଦାବି ଆମେରିକାରେ ଜୋରଦାର ଭାବରେ ଉଠିଥିଲା। କାରଣ ଡେମୋକ୍ରାଟିକ ପାର୍ଟିର ସମର୍ଥକମାନେ ଭାବୁଛନ୍ତି ଯେ ଏହାଦ୍ବାରା ବାଇଡେନଙ୍କୁ ଉଭୟ ମହିଳା ଓ ଅଣଶ୍ବେତାଙ୍ଗ ଭୋଟ ମିଳିପାରିବ ଓ ସେ ଜିତିପାରିବେ। ଏହା ଅବଶ୍ୟ ସତ କଥା ଯେ ଶ୍ବେତାଙ୍ଗ ଓ ଶ୍ବେତାଙ୍ଗ ପ୍ରାଧାନ୍ୟ ଗୋଷ୍ଠୀମାନଙ୍କର ପସନ୍ଦ ହେଉଛନ୍ତି ଡୋନାଲ୍‌ଡ ଟ୍ରମ୍ପ୍‌। ଗତ ଥର ମୁଖ୍ୟତଃ ଏହି ଶ୍ବେତାଙ୍ଗମାନଙ୍କ ଭୋଟ ଯୋଗୁଁ ପ୍ରଥମରୁ ହିଲାରୀ କ୍ଲିଣ୍ଟନଙ୍କ ଠାରୁ ଜନ ସମର୍ଥନରେ ବହୁ ପଛରେ ପଡ଼ିଥିଲେ ମଧ୍ୟ ଶେଷକୁ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପରି ଜଣେ ଅଣରାଜନୈତିକ ବ୍ୟକ୍ତି ଶେଷକୁ ରାଷ୍ଟ୍ରପତି ନିର୍ବାଚନ ଜିତିଗଲେ।

ରାଷ୍ଟ୍ରପତି ପଦ ପାଇଁ ‘ପ୍ରାଇମେରିଜ’ ନିର୍ବାଚନରେ ବାଇଡେନଙ୍କୁ ପରାସ୍ତ ନ କରି ପାରିବା ପରେ ମଧ୍ୟ କମଳା ହାରିସ ଉପରାଷ୍ଟ୍ରପତି ପଦ ପାଇଁ ଇଚ୍ଛା ପ୍ରକଟ କରିଥିଲେ। ସେଥିପାଇଁ ସେ ବାଇଡେନଙ୍କ ପରାମର୍ଶଦାତା ଓ ପରିବାରର ସଦସ୍ୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଲାଗିଥିଲେ ଓ ସଫଳ ହୋଇଥିଲେ ମଧ୍ୟ। ତେବେ ତାଙ୍କ ଜନ୍ମ ସ୍ଥାନକୁ ନେଇ ଏବେ ଆମେରିକାରେ ପ୍ରବଳ ଦ୍ବନ୍ଦ୍ବ ଆରମ୍ଭ ହୋଇଛି। ଅଭିଯୋଗ କରାଯାଇଛି ଯେ ସେ ଆମେରିକାରେ ଜନ୍ମିତ ସ୍ବାଭାବିକ ନାଗରିକ ନୁହନ୍ତି। ଅଭିଯୋଗର କାରଣ ହେଲା ଯେ ତାଙ୍କ ମା’ ଶ୍ୟାମଳା ଗୋପୀନାଥନ ଭାରତର ଚେନ୍ନାଇରେ ଜନ୍ମିତା। ତାଙ୍କ ବାପା ହେଉଛନ୍ତି ଜାମାଇକାରେ ଜନ୍ମିତ ଜଣେ କୃଷ୍ଣକାୟ ବ୍ୟକ୍ତି। କମଳା ହାରିସଙ୍କ ଅଜା ହେଲେ ପି.ଭି. ଗୋପୀନାଥନ ଯିଏ କି ବ୍ରିଟିସ ସରକାର ବେଳେ ଆଇ.ସି.ଏସ. ପଦରେ ଥିଲେ। ଗୋପୀନାଥଙ୍କର ଚାରି ସନ୍ତାନସନ୍ତତିଙ୍କ ମଧ୍ୟରୁ ଶ୍ୟାମଳା ହେଉଛନ୍ତି ସବୁଠୁଁ ବଡ଼। ଶ୍ୟାମଳା ୧୯ ବର୍ଷ ବୟସରେ ଦିଲ୍ଲୀରେ ଗୃହ-ବିଜ୍ଞାନରେ ବି.ଏ. ପଢୁଥିଲା ବେଳେ ତାଙ୍କୁ କାଲିଫର୍ଣ୍ଣିଆର ବର୍କଲେ ବିଶ୍ବବିଦ୍ୟାଳୟରୁ ସେଠାରେ ପାଠ ପଢିବା ପାଇଁ ଗୋଟିଏ ବୃତ୍ତି ମିଳିଥିଲା। ଏହି ବୃିତ୍ତି ପାଇବା ପରେ ସେ ୧୯ ବର୍ଷ ବୟସରେ ଏକୁଟିଆ ଆମେରିକା ଚାଲି ଯାଇଥିଲେ ଓ ସେଠାରେ ‘ଏଣ୍ତୋକ୍ରାଇନୋଲୋଜି’ ଓ ‘ବାଇଓଟେକ୍‌ନୋଲୋଜି’ ପାଠ ପଢ଼ିଥିଲେ। ସେତେବେଳେ ଜାମାଇକା ଜନ୍ମିତ ହାରିସଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ଓ ସେମାନେ ବିବାହ କରିଥିଲେ। ଏମାନଙ୍କର ଦୁଇ କନ୍ୟା; ଜଣେ କମଳା ଓ ଅନ୍ୟ ଜଣକ ମାୟା। ସେତେବେଳେ ଷଷ୍ଠ ଦଶକ ଚାଲିଥିଲା ଓ ଆମେରିକାରେ ମୁଖ୍ୟତଃ କୃଷ୍ଣକାୟମାନେ ନାଗରିକ ଅଧିକାର (ସିଭିଲ ରାଇଟ୍‌ସ) ଆନ୍ଦୋଳନରେ ସ˚ପୃକ୍ତ ଥିଲେ। ବିଖ୍ୟାତ କୃଷ୍ଣକାୟ ନେତା ମାର୍ଟିନ ଲୁଥର କିଙ୍ଗ୍‌ ଏହି ଅନ୍ଦୋଳନର ନେତୃତ୍ବ ନେଉଥି‌ଲେ। ସେତେବେଳେ ଭାରତରୁ ଆମେରିକାକୁ ଯାଇଥିବା ଅଧିକା˚ଶ ବ୍ୟକ୍ତି ଏହି ଆନ୍ଦୋଳନରେ ସ˚ମ୍ପୃକ୍ତ ଥିଲେ।

କମଳା, ତାଙ୍କ ମା’ଙ୍କ ସାଙ୍ଗରେ ବାରମ୍ବାର ଚେନ୍ନାଇ ଆସୁଥିଲେ ଓ ତାଙ୍କ ଅଜା ତାଙ୍କୁ ସାଙ୍ଗରେ ନେଇ ନାନା ସ୍ଥାନ ବୁଲାଉଥି‌ଲେ। ୧୯୯୮ରେ ଗୋପୀନାଥଙ୍କର ମୃତ୍ୟୁ ହେଲା ବେଳେ କମଳା ତାଙ୍କ ମା’ଙ୍କ ସହ ଚେନ୍ନାଇ ଆସିଥିଲେ ତାଙ୍କ ଆଈଙ୍କୁ ସାକ୍ଷାତ କରିବାକୁ। ୨୦୦୯ ମସିହାରେ କମଳାଙ୍କ ମା’ ଶ୍ୟାମଳାଙ୍କ ମୃତ୍ୟୁ ହେଲା। ସେତିକିବେଳେ ଶେଷ ଥର ପାଇଁ କମଳା ଚେନ୍ନାଇ ଆସିଥିଲେ।

ଯେତେବେଳେ ୨୦୧୦ରେ କମଳା ହାରିସ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ଭାବରେ ନିର୍ବାଚିତ ହେଲେ, ସେତେବେଳେ ତାଙ୍କ ମାଉସୀ ଶାରଳା ଗୋପୀନାଥନ ତାଙ୍କ ବିଜୟ ପାଇଁ ଚେନ୍ନାଇ ବସନ୍ତ ନଗରର ଏକ ମନ୍ଦିରରେ ନଡ଼ିଆ ଭାଙ୍ଗିଥିଲେ। ସେତିକି ବେଳେ କମଳା ମନ୍ତବ୍ୟ ଦେଇଥିଲେ ଯେ ଏହି ନଡ଼ିଆ ଭଙ୍ଗା ଯୋଗୁଁ ସେ ନିର୍ବାଚିତ ହୋଇଥିଲେ। ଜୋ ବାଇଡେନଙ୍କ ପାଖରେ ଉପରାଷ୍ଟ୍ରପତି ପଦ ପାଇଁ ଆଉ ୪ ଜଣ ଅଣଶ୍ବେତାଙ୍ଗ ମହିଳା ଥିଲେ ମଧ୍ୟ ଉପରାଷ୍ଟ୍ରପତି ପଦ ପାଇଁ ଯେଉଁ ଯେଉଁ ଗୁଣ ଆବଶ୍ୟକ ବୋଲି ବାଇଡେନ ଭାବୁଥିଲେ, ସେ ସବୁ କମଳାଙ୍କ ନିକଟରେ ଥିବା ହେତୁ ତାଙ୍କୁ ହିଁ ମନୋନୀତ କରାଗଲା। କମଳା ପ୍ରତିଶ୍ରୁତି ଦେଲେ ଯେ, ବାଇଡେନଙ୍କ ପ୍ରତି ତାଙ୍କର ପୂର୍ଣ୍ଣ ଆନୁଗତ୍ୟ ରହିବ ଓ ବାଇଡେନଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକୁ ସେ ସର୍ତ୍ତହୀନ ଭାବେ ସମର୍ଥନ କରିବେ। ବାଇଡେନ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ନିର୍ବାଚନ ପ୍ରଚାର ବେଳେ ତଥା ଯଦି ନିର୍ବାଚିତ ହୁଅନ୍ତି, ତେବେ ତା’ ପରେ କମଳା ଯେଉଁ କର୍ମଚାରୀ (ଷ୍ଟାଫ୍‌)ମାନଙ୍କୁ ବାଛିବେ, ବାଇଡେନ ସେମାନଙ୍କୁ ଅନୁମୋଦନ କରିବେ। ବାଇଡେନ ଚାହୁଁଥିଲେ ଯେ ଉପରାଷ୍ଟ୍ରପତି ଜଣକ ପ୍ରଶାସନିକ ଦୃଷ୍ଟିରୁ ଜଣେ ଦକ୍ଷ ବ୍ୟକ୍ତି ହୋଇଥା’ନ୍ତୁ। କାଲିଫର୍ଣ୍ଣିଆ ରାଜ୍ୟର ଆଟର୍ଣ୍ଣି ଜେନେରାଲ ଓ ଜଣେ ସିନେଟର ହିସାବରେ କମଳା ହାରିସ ତାଙ୍କର ସମସ୍ତ ଯୋଗ୍ୟତା ପ୍ରତିପାଦନ କରିପାରିଛନ୍ତି। ବାଇଡେନଙ୍କ ପୁଅ ବିଉ ମଧ୍ୟ କମଳାଙ୍କ ବନ୍ଧୁ ଥିଲେ। ବିଉ ୨୦୧୫ ବେଳକୁ ଡେଲାୱାର ପ୍ର‌େଦଶର ଆଟର୍ଣ୍ଣି ଜେନେରାଲ ଥିଲାବେଳେ କମଳା କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ଥିଲେ। ଦୁର୍ଭାଗ୍ୟକୁ ବିଉ ବାଇଡେନ କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ।

ଶ୍ବେତାଙ୍ଗ ପ୍ରାଧାନ୍ୟ ଗୋଷ୍ଠୀମାନେ ପ୍ରଚାର କରୁଛନ୍ତି ଯେ ଯେତେବେଳେ କମଳା ଜନ୍ମ ନେଲେ, ସେତେବେଳେ ତାଙ୍କ ବାପା ଜାମାଇକାର ନାଗରିକ ଥିଲେ ଓ ତାଙ୍କ ମା’ ଭାରତର। ସେମାନେ ଦୁହେଁ କେହି ସେତେବେଳେ ଆମେରିକାର ନାଗରିକ ହୋଇ ନ ଥିଲେ। ତେଣୁ କମଳା ଆମେରିକାର ନାଗରିକ ହୋଇ ନ ପାରନ୍ତି। କିନ୍ତୁ ସମ୍ବିଧାନ ବିଶେଷଜ୍ଞମାନେ ଯୁକ୍ତି ବାଢୁଛନ୍ତି ଯେ ଆମେରିକାର ନାଗରିକ ଜଣେ ହୋଇପାରିବ ଯେତେବେଳେ ସେ ଆମେରିକାରେ ଜନ୍ମ ହୋଇଥିବ ଅବା ଅନ୍ୟତ୍ର ଜନ୍ମ ହୋଇ ଆମେରିକାର ନାଗରିକତ୍ବ ପାଇଥିବ। ଆମେରିକାରେ ଜନ୍ମିତ ଜଣେ ବ୍ୟକ୍ତିର ବାପ ମା’ କେଉଁଠି ଜନ୍ମ ହୋଇଥିଲେ, ତାହା ଏକ ପ୍ରସଙ୍ଗ ନୁହେଁ। ତାହା ଦ୍ବାରା ଆମେରିକାରେ ଜନ୍ମିତ ଜଣେ ବ୍ୟକ୍ତିର ନାଗରିକତ୍ବ ନଷ୍ଟ ହେବନାହିଁ। ଏହା ହେଉଛି ସେଠାକାର ସାମ୍ବିଧାନିକ ବ୍ୟବସ୍ଥା। ଜନ୍ମ ପ୍ରମାଣ ପତ୍ରରୁ ଜଣାପଡୁଛି ଯେ କମଳା କାଲିଫର୍ଣ୍ଣିଆର ଓକଲାଣ୍ତରେ ଜନ୍ମ ହୋଇଥି‌ଲେ। ଏଠାରେ କମଳାଙ୍କୁ ନେଇ ଭାରତୀୟ ମୂଳୋଦ୍ଭବ ଅବା ଅନ୍ୟ ଭାରତୀୟ ଖୁସି ହେବେ କି ନାହିଁ, ତାହା ଏକ ମୂଳ ପ୍ରଶ୍ନ। କାରଣ କମଳାଙ୍କ ଭାରତୀୟ ମୂଳକୁ ନେଇ ବାଇଡେନ ତାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ବାଛି ନାହାନ୍ତି। କାରଣ, ଆମେରିକାରେ ୩୫ ଲକ୍ଷ ଭାରତୀୟ ମ଼ୂଳର ବ୍ୟକ୍ତି ଥିଲେ ମଧ୍ୟ ସେମାନେ ଏମିତି କୌଣସି ରାଜ୍ୟମାନଙ୍କରେ ଠୁଳ ହୋଇ ନାହାନ୍ତି, ଯାହାଙ୍କ ଭୋଟରେ ଜଣେ ରାଷ୍ଟ୍ରପତି ପଦର ପ୍ରାର୍ଥୀ ଜିତିପାରିବେ। କିନ୍ତୁ, ଏହା ସତ୍ୟ ଯେ ପୃଥିବୀର ଯେଉଁ ବିଭିନ୍ନ ବର୍ଗର ଲୋକମାନେ ଯାଇ ଆମେରିକାକୁ ଗଢ଼ିଛନ୍ତି, ସେ ସବୁ ବର୍ଗମାନଙ୍କ ମଧ୍ୟରେ ଭାରତୀୟମାନେ ହେଉଛନ୍ତି ସବୁଠୁ ଅଧିକ ଶିକ୍ଷିତ। ସେମାନେ ଆମେରିକାରେ ସବୁଠୁ ଅଧିକ ରୋଜଗାରକ୍ଷମ ବର୍ଗ ମଧ୍ୟ। ଏହି ଲେଖକ ଆମେରିକାରେ ଭାରତୀୟ ମୂଳର ସର୍ବନିମ୍ନ ବ୍ୟକ୍ତିଙ୍କୁ ଟ୍ୟାକ୍‌ସି ଚଲାଇବା ଅବା ଛୋଟ ଦୋକାନ କରିବାର ‌େଦଖିଛି। କିନ୍ତୁ ପାକିସ୍ତାନର ଅବା କୃଷ୍ଣକାୟ ଅବା ଅନ୍ୟାନ୍ୟମାନଙ୍କ ପରି ଠେଲାଗାଡ଼ିରେ ଜଳଖିଆ ବିକିବା, ରାସ୍ତା କଡ଼ରେ ଜମା କରି ଲୁଗାପଟା ଅବା ଅନ୍ୟାନ୍ୟ ଦ୍ରବ୍ୟ ବିକିବା ଅବା ଭିକ ମାଗିବାର ଦେଖି ନାହିଁ। ତେବେ ଏଠାରେ ଭାରତୀୟମାନଙ୍କର ମୁଖ୍ୟ ସମସ୍ୟା ହେଲା, କମଳା ହାରିସ ନିଜକୁ ଭାରତୀୟ ମୂଳର ବୋଲି ଉପସ୍ଥାପନ ନ କରି କୃଷ୍ଣକାୟ (ବ୍ଲାକ୍‌) ହିସାବରେ ଉପସ୍ଥାପନ କରୁଛନ୍ତି। ବାଇଡେନ ମଧ୍ୟ କମଳାଙ୍କୁ ‘ବ୍ଲାକ୍‌’ ହିସାବରେ ପରିଗଣନା କରୁଛନ୍ତି, କାରଣ ତାଙ୍କ ବାପା ହେଲେ ‘ବ୍ଲ‌ାକ୍‌’। ଆମେରିକାରେ ‘ବ୍ଲାକ୍‌’ମାନଙ୍କ ସ˚ଖ୍ୟା ଅଧିକ ମହତ୍ତ୍ବପୂର୍ଣ୍ଣ। ଏହି ଦୃଷ୍ଟିରୁ ତାଙ୍କର ଭାରତୀୟପଣିଆ ପ୍ରତି ଅନ୍ୟ ଭାରତୀୟମାନଙ୍କର ବିଶେଷ ବିଶ୍ବାସ ନାହିଁ। କିନ୍ତୁ ତାଙ୍କର ଭାରତ ସହ ସମ୍ପର୍କକୁ କାଟିବା ସମ୍ଭବ ନୁହେଁ। ତାଙ୍କ ଅଜା ଓ ଆଈଙ୍କୁ ସାକ୍ଷାତ କରିବାକୁ କମଳା ନିକଟ ଅତୀତରେ (ମାତ୍ର ଦଶ ବର୍ଷ ତଳେ) ବାରମ୍ବାର ଚେନ୍ନାଇ ଆସିବା ଓ ଶାଢ଼ି ପିନ୍ଧିବା ଓ ତାଙ୍କ ଭଉଣୀଙ୍କ ସହ ଫଟୋ ଉଠାଇବା କଥା ତାଙ୍କ ଭାରତୀୟତାକୁ ପ୍ରମାଣିତ କରୁଛି। ଏବେ ମଧ୍ୟ ଗୋପୀନାଥଙ୍କ ପରିବାରର ସଦସ୍ୟ ତାଙ୍କ ମାଉସୀ ଓ ମାମୁମାନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି।

ଷଷ୍ଠ ଦଶକରେ ଗୋଟିଏ ସମୟ ଥିଲା, ଯେତେବେଳେ ଭାରତୀୟମାନେ କେବଳ ପାଠ ପଢ଼ିବାକୁ ଅବା ପଇସା ରୋଜଗାର କରିବାକୁ ଆମେରିକା ଯାଉଥି‌ଲେ। ସେମାନେ ଯେ ଦିନେ ସେଠାରେ ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବେ ଅବା କ୍ଷମତା ଦଖଲ କରିବେ, ଏ ସ୍ବପ୍ନ ସେମାନେ କେବେହେଲେ ଦେଖିନଥିଲେ। ଏବେ ତାହା ଧୀରେ ଧୀରେ ପୂର୍ଣ୍ଣ ହେବାକୁ ଯାଉଛି। ରାଷ୍ଟ୍ରପତି ପ୍ରାର୍ଥୀ ପଦ ପାଇଁ କେବଳ କମଳା ନୁହନ୍ତି, ନିଜକୁ ହିନ୍ଦୁ ବୋଲି ଘୋଷଣା କରୁଥିବା ଆଉ ଜଣେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ୍‌ର ପ୍ରତିନିଧି ତୁଳସୀ ଗାବାର୍ଡ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ। ଏବେ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭ୍‌ସ୍‌ରେ ପାଞ୍ଚ ଜଣ ଭାରତୀୟ ମୂଳର ପ୍ରତିନିଧି ଅଛନ୍ତି। ଜର୍ଜ ବୁଶ ଓ ବାରାକ ଓବାମାଙ୍କ ମନ୍ତ୍ରୀମଣ୍ତଳରେ ୬ ଜଣରୁ ଅଧିକ ଭାରତୀୟ ହିନ୍ଦୁ ପ୍ରତିନିଧି ଥିଲେ। ପୂର୍ବରୁ ଆମେରିକାରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଅନେକ ହିନ୍ଦୁ, ଖ୍ରୀଷ୍ଟଧର୍ମ ଗ୍ରହଣ କରୁଥିବା ବେଳେ ଏବେ ହିନ୍ଦୁମାନେ ଆଉ ତାହା କରୁନାହାନ୍ତି। ଏବେ କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଜଣେ ଶିଖ। ଏବେ ବ୍ରିଟିସ ଗୃହମନ୍ତ୍ରୀ ପ୍ରୀତି ପଟେଲ ଜଣେ ହିନ୍ଦୁ ଗୁଜୁରାଟୀ। ସେଠାକାର ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ହିନ୍ଦୁ। ଭାରତୀୟମାନେ ସେମାନଙ୍କ ଦକ୍ଷତା ଓ ସଂଖ୍ୟା ଦୃଷ୍ଟିରୁ ବିଶ୍ବରେ ଧୀରେ ଧୀରେ ପ୍ରଭାବ ବିସ୍ତାର କଲେଣି। ହୁଏତ ଦିନେ ବାରାକ ଓବାମାଙ୍କ ପରି ସେମାନେ ଆମେରିକାର ରାଷ୍ଟ୍ରପତି ପଦ ମଧ୍ୟ ମାଡି଼ ବସିପାରନ୍ତି।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର