ଟିକା ବାହାରିବା ପରେ

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ନୂଆ କରୋନା ମହାମାରୀ ଆରମ୍ଭ ହେବାର ପାଖାପାଖି ନ’ ବର୍ଷ ତଳେ ହଲିଉଡ୍‌ରୁ ବାହାରିଥିଲା ଗୋଟିଏ ଇଂରେଜୀ ଭାଷାର ଚଳଚ୍ଚିତ୍ର, ଯାହାର ନାଁ ଥିଲା ‘କଣ୍ଟାଜିଅନ’। ଚଳଚ୍ଚିତ୍ରଟି ସେ ସମୟରେ ଯେତିକି ଲୋକପ୍ରିୟତା ହାସଲ କରିପାରିଥିଲା, ତାଠୁଁ ବେଶୀ କୌତୂହଳର ବିଷୟ ହୋଇ ଉଠିଲା କରୋନାର କରାଳ ରୂପ ସାମନାକୁ ଆସିବା ପରେ। ଆଜିର ମହାମାରୀର ସୃଷ୍ଟି, ସ୍ୱରୂପ, ସଂକ୍ରମଣ ଓ ସାଧାରଣ ମଣିଷ ତଥା କର୍ତ୍ତୃପକ୍ଷମାନଙ୍କର ପ୍ରସ୍ତୁତି, ଆଚରଣ ଓ ଚିନ୍ତାଧାରା ଇତ୍ୟାଦି ସବୁ କିଛିର ଅବିକଳ ଚିତ୍ରଣ ଦେଖିବାକୁ ମିଳେ ଏହି ଚଳଚ୍ଚିତ୍ରଟିରେ। ସତେ ଯେମିତି କଳ୍ପନାର ବୋଲ ମାନି ଆଜି ବାସ୍ତବତା ନିଜକୁ ଉନ୍ମୋଚିତ କରି ଚାଲିଛି।

ଚଳଚ୍ଚିତ୍ରଟିରେ ପ୍ରତିଷେଧକ ଟିକାର ଉଦ୍ଭାବନ ହେଲା ପରେ ଜନସାଧାରଣଙ୍କୁ ବିତରଣ କରାଯାଇଛି ଓ ଏଇ ଭାବରେ କାହାଣୀଟିର ସୁଖଦ ଅନ୍ତ ଦର୍ଶାଯାଇଛି। କଳାର ଅନୁଧାବନ କରୁଥିବା କରୋନା ମହାମାରୀର ବାସ୍ତବତା ଊଣା ଅଧିକେ ସେପରି ଏକ ସମାପ୍ତି ଆଡ଼କୁ ଇଙ୍ଗିତ କରୁଛି, କାରଣ ଟିକା ପ୍ରସ୍ତୁତିରେ ଆଗରେ ଥିବା ଦୁନିଆର ନାମଜାଦା ସଂସ୍ଥାଗୁଡ଼ିକ ଆସନ୍ତା କିଛି ମାସ ଭିତରେ ମାନବ ସମାଜକୁ ପ୍ରତିଷେଧକ ଯୋଗାଇ ଦେବାର ଆଶା ପୋଷଣ କରିଛନ୍ତି। ଟିକା ବାହାରିବା ପରେ କିନ୍ତୁ କଳା ଓ ଜୀବନର ପଥ ଅଲଗା ହୋଇଯିବାର ସମ୍ଭାବନା ଯଥେଷ୍ଟ। କାରଣ ‘କଣ୍ଟାଜିଅନ’ରେ ଟିକା ବିତରଣ ପାଇଁ ଜନ୍ମତିଥି ଅନୁସାରେ ଗୋଟିଏ ଲଟେରି କରି ଜନସାଧାରଣଙ୍କୁ ପ୍ରତିଷେଧକ ଟିକା ଦିଆଯାଇଛି ଓ ସ୍ବଚ୍ଛନ୍ଦରେ ଏ ପର୍ଯ୍ୟାୟଟି ସମାପିତ ହୋଇଛି। ଆଜିର ପରିସ୍ଥିତିରେ ଏହା ସମ୍ଭବ କି?

କରୋନା ମହାମାରୀର ପ୍ରତିଷେଧକର ବିକାଶ ଓ ପରୀକ୍ଷଣ ବର୍ତ୍ତମାନ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚି ଯାଇଛି। ଦେଢ଼ ଶହରୁ ଅଧିକ ପ୍ରତିଷେଧକର ପରୀକ୍ଷଣ ଚାଲୁଥିବା ବେଳେ ସେଥିରୁ ଛ’ ଗୋଟି ନୈଦାନିକ ଯାଞ୍ଚ ଚରଣରେ ଅଛନ୍ତି। ଆଉ କେଇ ମାସ ଉତ୍ତାରୁ କିଛି କିଛି ଟିକା ସଫଳକାମ ପ୍ରମାଣିତ ହେବା ପରେ ସାରା ବିଶ୍ୱକୁ ଏକ କଠିନ ସମସ୍ୟାର ସାମନା କରିବାକୁ ପଡ଼ିବ, ତାହା ହେଲା ଟିକାର ବିତରଣ, ଯାହାକି ସୁବ୍ୟବସ୍ଥିତ ଓ ନ୍ୟାୟସଙ୍ଗତ ହୋଇଥିବ। ଏମିତି ବ୍ୟକ୍ତିବିଶେଷ ବା ଗୋଷ୍ଠୀ ପାଖରେ ଟିକା ପ୍ରଥମେ ପହଞ୍ଚାଇବା ଦରକାର, ଯେଉଁମାନଙ୍କର ଜୀବନ ଏବେ ସଙ୍କଟାପନ୍ନ କିମ୍ବା ସେହି ଗୋଷ୍ଠୀର ଟିକାକରଣ ଦ୍ୱାରା ସମାଜ ଉପକୃତ ହେବ। ଏହି ନିୟମ ଅନୁସାରେ ବୟସ୍କ ତଥା ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ୟାନ୍‌ସର ଭଳି ରୋଗରେ ଆକ୍ରାନ୍ତ ବର୍ଗ ଏବଂ କରୋନା ଚିକିତ୍ସାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀ ଓ ଯୋଦ୍ଧାମାନେ ପ୍ରଥମେ ଟିକା ପାଇବା ଯୁକ୍ତିଯୁକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ମଧ୍ୟ ପ୍ରତିଷେଧକ ବିତରଣ ଉଦ୍ଦେଶ୍ୟରେ ଜାରି କରିଥିବା ଦିଶା ନିର୍ଦ୍ଦେଶିକା ଉପରୋକ୍ତ କ୍ରମକୁ ଅଗ୍ରାଧିକାର ଦେଇଅଛି। ‘ହୁ’ର ପ୍ରସ୍ତାବ ଅନୁସାରେ ପ୍ରତିଷେଧକର ପ୍ରଥମ ଡୋଜ୍‌ ଗୁଡ଼ିକ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ତଥା ତା’ ପରେ, ପ୍ରତିଷେଧକ ବିନା କୋଭିଡ-୧୯ ଦ୍ୱାରା ଯେଉଁମାନଙ୍କ ଜୀବନ ବିପନ୍ନ ସେମାନଙ୍କ ପାଇଁ ଶତକଡ଼‌‌ା ୨୦ ପହଞ୍ଚାଯିବା ଦରକାର।

ଏ ତ ଗଲା ନୈତିକତା ଓ ନିର୍ଦ୍ଦେଶାବଳୀର କଥା। ଟିକା ବିତରଣକୁ ନେଇ ଯେଉଁ ପ୍ରକାର ପ୍ରସ୍ତୁତି ଓ ଦଳାଚକଟା ଚାଲିଛି ତାକୁ ଦେଖି ଏବେ ଜୋର ଦେଇ କହିବା ଅସମ୍ଭବ ଯେ ବାସ୍ତବ କ୍ଷେତ୍ରରେ ଟିକା ବିତରଣ ସ୍ୱଚ୍ଛ, ନ୍ୟାୟସଙ୍ଗତ ଓ ମାନବୋଚିତ ହେବ। କୌଣସି ମହାସଙ୍କଟର ସମ୍ମୁଖୀନ ହେଲେ କିମ୍ବା କଥା ଯେବେ ଜୀବନ-ମୃତ୍ୟୁରେ ପହଞ୍ଚି ଯାଏ, ସେତେବେଳେ ସବୁ ଦେଶ ବିଶ୍ୱ ଭ୍ରାତୃତ୍ତ୍ୱଭାବ ଓ ଆଦର୍ଶକୁ ଅଚିରେ ପାଶୋରି ପକାନ୍ତି ଓ ନିଜର ସ୍ୱାର୍ଥରକ୍ଷାରେ ଲାଗିପଡ଼ନ୍ତି। ଆଜିର ମହାମାରୀ ସଙ୍କଟରେ ବଡ଼ ବଡ଼ ଦେଶ ଏମିତି ମନୋଭାବ ପୋଷଣ କରି ‘ନିଜ କଥା ନିଜେ ବୁଝ’ ନ୍ୟାୟରେ ଟିକା ଗୁଡ଼ିକୁ ପ୍ରଥମେ ହାତେଇବାକୁ ଚକ୍ରାନ୍ତ କଲେଣି। ଏହି ମନୋଭାବର ସର୍ବାଗ୍ରେ ରହିଥିବା ଆମେରିକା ବହୁତ ଅଗ୍ରଣୀ ଟିକା ନିର୍ମାଣକାରୀଙ୍କୁ ଗବେଷଣା ପାଇଁ ବିପୁଳ ଅର୍ଥ ପ୍ରଦାନ କରି ଟିକା ପାଇବାର ଗୁପ୍ତ ବୁଝାମଣା ଆରମ୍ଭ କରି ଦେଲାଣି। ଆମେରିକା ଅର୍ଥ ବଳରେ ହେଉ ବା ନାଲି ଆଖି ଦେଖାଇ ହେଉ ତାର ପ୍ରତ୍ୟେକ ନାଗରିକଙ୍କ ପାଇଁ ଟିକା ଯୋଗାଡ଼ ନ କରିବା ପର୍ଯ୍ୟନ୍ତ ଅନ୍ୟ କାହା କଥା ଚିନ୍ତା କରିବ ନାହିଁ। ଚୀନ ଓ ରୁଷିଆ ଭଳି ବାହୁବଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ତାଙ୍କ ଦ୍ୱାରା ବିକଶିତ ପ୍ରତିଷେଧକକୁ ପ୍ରଥମେ ତାଙ୍କ ନାଗରିକମାନଙ୍କୁ ବିତରଣ କରିବେ।

ଭାରତ ସବୁ ପ୍ରକାର ପ୍ରତିଷେଧକ ନିର୍ମାଣ ଓ ରପ୍ତାନି କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ଦେଶ। ଖୁସିର କଥା ଯେ ଦୁଇଟି ଟିକାର ପରୀକ୍ଷଣ ଏବେ ଭାରତରେ ଦ୍ରୁତ ଗତିରେ ଚାଲିଛି ଓ ଯଦି ଏଗୁଡ଼ିକ ସଫଳ ପ୍ରମାଣିତ ହୁଅନ୍ତି ତେବେ ବହୁଳ ଟିକା ନିର୍ମାଣ ହୋଇ ଦେଶର ଜରୁରୀ ଆବଶ୍ୟକତା ପୂରଣ କରି ପାରିବ। ବୟସ୍କ ଓ ସଙ୍କଟଗ୍ରସ୍ତ ବର୍ଗ ତଥା କରୋନା ଯୋଦ୍ଧାମାନଙ୍କୁ ଅଗ୍ରାଧିକାର ସୂତ୍ରରେ ପ୍ରତିଷେଧକ ଯୋଗାଇ ପାରିଲା ପରେ ପର୍ଯ୍ୟାୟ କ୍ରମେ ଅନ୍ୟମାନଙ୍କ ପାଇଁ ଟିକା ଯୋଗାଡ଼ କରିହେବ। ଭାରତରେ ମଧ୍ୟ ରାଜ୍ୟମାନେ ଟିକା ପ୍ରଥମେ ପାଇବା ପାଇଁ ଚେଷ୍ଟିତ ହେବେ। ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଅଗ୍ରଣୀ ଟିକା ନିର୍ମାତା ସିରମ ଇନ୍‌ଷ୍ଟିଚ୍ୟୁଟ୍‌ର ମାଲିକଙ୍କୁ ଓଡ଼ିଶାକୁ ଯଥେଷ୍ଟ ଟିକା ଯୋଗାଇବା ପାଇଁ ଅନୁରୋଧ କରିଥିଲେ।

ପ୍ରଭାବୀ ଭାବରେ ଟିକା ବିତରଣ କରିବା ଏକ ଜଟିଳ ପ୍ରକ୍ରିୟା, ଯାହା ପାଇଁ ଆବଶ୍ୟକ ଖୁବ ଉଚ୍ଚ ମାନର ପ୍ରାକ୍‌ ପ୍ରସ୍ତୁତି ଓ ସମନ୍ୱୟ। ଖୁସିର କଥା ଏହି ଯେ ଏ ବିଷୟରେ ପ୍ରସ୍ତୁତି ‘ନିତି ଆୟୋଗ’ ଦ୍ୱାରା ଆରମ୍ଭ କରାଗଲାଣି। ଆଜିର ପରିସ୍ଥିତିରେ ସମୟ ସବୁଠୁଁ ମହତ୍ତ୍ବପୂର୍ଣ୍ଣ ଗୁଣକ ହୋଇଥିବାରୁ ଏହାର ଯେମିତି ଅପଚୟ ନ ହୁଏ ଓ ବିତରଣ କ୍ଷେତ୍ରରେ ଯେମିତି ଦୁର୍ନୀତି ଓ କେଳେଙ୍କାରୀ ପଶି ନ ଯାଏ, ସେଥି ପ୍ରତି କଡ଼ା ନଜର ଦେବାକୁ ପଡିବ। ତା’ ହେଲେ ଯାଇ ଚଳଚ୍ଚିତ୍ରଟି ଭଳି ବାସ୍ତବ କ୍ଷେତ୍ରରେ ମଧ୍ୟ ସଙ୍କଟର ସୁଖଦ ଅନ୍ତ ଘଟିବ।

ସୌଭାଗ୍ୟ ନଗର, ଭୁବନେଶ୍ୱର, ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର