‘ବ୍ୟାକ୍‌ ଟୁ ବେସିକ୍‌ସ’

ଦିଗ୍‌ବଳୟର ଏ ପାଖରେ - ଜୟନ୍ତ କୁମାର ବିଶ୍ବାଳ

‘ଆଧୁନିକ ସଭ୍ୟତା ଏବ˚ ଅସହାୟ ଜୀବନ’ ପ୍ରବନ୍ଧଟିରେ ‘ବ୍ୟାକ୍‌ ଟୁ ବେସିକ୍‌ସ’ କଥା ଉଲ୍ଲେଖ କରିଥିଲି ଏବ˚ ତା’ପରେ ଅନେକ ବନ୍ଧୁ ପ୍ରଶ୍ନ କରିଥିଲେ ଯେ ‘ବ୍ୟାକ୍‌ ଟୁ ବେସିକ୍‌ସ’ କ’ଣ କିଛି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତକୁ ଉପସ୍ଥାପନ କରେ ନା ଏହା କିଛି ଅସ୍ପଷ୍ଟ ଓ ଝାପ୍‌ସା ଧାରଣା? ଏହା କ’ଣ କିଛି ବାସ୍ତବ ଅନୁଭବର କଥା କହେ ନା ଏହା କେବଳ ଏକ ରୋମାଣ୍ଟିକ ସ୍ଲୋଗାନ?

ଆନନ୍ଦରେ ନିଜେ ବଞ୍ଚିବା ପାଇଁ ନୁହେଁ, କେବଳ ଅନ୍ୟମାନଙ୍କ ପରି ହେବା ଏବ˚ ଅନ୍ୟମାନଙ୍କୁ ଦେଖେଇ ହେବାର ଉନ୍ମତ୍ତ ପ୍ରବୃତ୍ତି ଏବ˚ ସେହି ପ୍ରବୃତ୍ତିକୁ ଚରିତାର୍ଥ କରିବା ପାଇଁ ନୂଆ ନୂଆ ଟେକ୍‌ନୋଲୋଜିକୁ ନେଇ ଆମର ଜୀବନଶୈଳୀ, ଆମକୁ ଆମ ଜୀବନର ମୂଳ ଆଧାର ଏବ˚ ମୌଳିକ ଅନୁଭବଗୁଡ଼ିକରୁ ବିଚ୍ଛିନ୍ନ କରି ଦେଇଛି। ସ୍ବାଭାବିକ ଭାବରେ ତ ବୟସ୍କମାନେ ଏହି ପରିବର୍ତ୍ତିତ ଜୀବନଶୈଳୀରେ ଅସହାୟ ଅନୁଭବ କରୁଛନ୍ତି; ମାତ୍ର ଯେଉଁମାନଙ୍କୁ ଆମେ ‘ମିଲେନିଆଲ୍‌ ୟୁଥ୍‌’ କହୁଛୁ, ସେମାନେ ମଧୢ ଶ୍ବାସରୁଦ୍ଧ ହୋଇଯାଉଛନ୍ତି। ଗୋତି ଶ୍ରମିକର ଜୀବନ ପରି କର୍ପୋରେଟ୍‌ ଚାକିରିର ଜୀବନ, ପ୍ରତି ମୁହୂର୍ତ୍ତରେ ଅଧିକରୁ ଅଧିକ, ନୂଆରୁ ଆହୁରି ନୂଆ ଆବଶ୍ୟକ କରୁଥିବା ଏକ ଅସ୍ଥିର ଜୀବନଶୈଳୀ ଏପରି ଚାପଗ୍ରସ୍ତ କରି ରଖୁଛି ଯେ ଆଜିକାର ତରୁଣ ତରୁଣୀମାନେ ମଧୢ ଅନେକ ସମୟରେ ଏ ସବୁଥିରୁ ମୁକ୍ତ ହୋଇ ପରିବାର ସାଥିରେ ବା କେଉଁ ଅରଣ୍ୟ ନିବାସରେ ବା ବେଳାଭୂମିରେ ଏକାନ୍ତରେ କିଛି ସମୟ କଟେଇବା ପାଇଁ ବ୍ୟାକୁଳ ହୋଇପଡ଼ୁଛନ୍ତି। ତେଣୁ ମୂଳ ଆଧାରକୁ ଫେରିଯିବା କେତେକ ବୟସ-ଉତ୍ତୀର୍ଣ୍ଣ ପୁରାତନ ପନ୍ଥୀମାନଙ୍କର ଏକ ଉଦ୍ଭଟ, ଆଳସ୍ୟମୟ କଳ୍ପନା ନୁହେଁ; ଏହା ସମସ୍ତଙ୍କ ପାଇଁ ଏକ ସ୍ଥିତିଗତ ଆବଶ୍ୟକତା।

ପ୍ରତ୍ୟେକ ମଣିଷର ବଞ୍ଚିବାଟା ଦୁଇଟି ସ୍ତରରେ ହୋଇଥାଏ- ଗୋଟିଏ ତା’ର ସାମାଜିକ ସତ୍ତା, ଅନ୍ୟଟି ତା’ର ମୌଳିକ ସତ୍ତା। ମୌଳିକ ସତ୍ତାଟି ହେଲା ତା’ର ଏକାନ୍ତ ନିଜସ୍ବ- ସେ ଆନନ୍ଦ କେଉଁଥିରୁ ପାଉଛି, କ’ଣ ପିନ୍ଧିବାକୁ ଚାହୁଁଛି, କିପରି ଘରେ ରହିବାକୁ ଚାହୁଁଛି, କିପରି ସମ୍ପର୍କ ରଖିବାକୁ ଚାହୁଁଛି- ଇତ୍ୟାଦି ଜୀବନର ଯାବତୀୟ କଥା ସେ ନିଜର ଇଚ୍ଛାରେ, ନିଜର ଖୁସିରେ କରିବ। ଏଥିରେ ବାହାରର କାହାର ଚାପ ନ ଥିବ। ମାତ୍ର ତା’ର ସାମାଜିକ ସତ୍ତା ଯୋଗୁଁ ତା’ର ଉପରୋକ୍ତ ସମସ୍ତ ଇଚ୍ଛା, ସମସ୍ତ କାର୍ଯ୍ୟ, ସେ ଯେଉଁ ସମାଜରେ ରହୁଛି, ସେହି ସମାଜର ଆଦବ କାଇଦା, ରଙ୍ଗ ଢଙ୍ଗ ଦ୍ବାରା ନିର୍ଦ୍ଧାରିତ ହୁଏ। ମୌଳିକ ସତ୍ତାରେ ବଞ୍ଚିବାଟା ତା’ ପାଇଁ ଅପରିହାର୍ଯ୍ୟ, ଯଦିଓ ଅଧିକା˚ଶ ସମୟରେ ସେ ଏଥିପାଇଁ ସଚେତନ ନ ଥାଏ। ସେ ଉପରକୁ ଦୃଶ୍ୟମାନ ହେଉଥିବା ସାମାଜିକ ସତ୍ତା ପ୍ରତି ସବୁବେଳେ ସଚେତନ ଥାଏ। ଉଦାହରଣ ସ୍ବରୂପ, ଦେହ ତା’ର ଏକ ମୌଳିକ ସତ୍ତା। ମାତ୍ର ଦେହର ପୋଷଣ ପାଇଁ ସଚେତନ ଭାବେ ସେ ଯେତେ ଯତ୍ନବାନ ହୁଏ ନାହିଁ, ତା’ଠାରୁ ଅଧିକ ଯତ୍ନବାନ ହୁଏ ଦେହର ଉପର ଭାଗ, ରୂପ ପାଇଁ। ସେଥିପାଇଁ ସେ କେତେ କ’ଣ ମଧୢ କରେ। ମାତ୍ର ଯେତେବେଳେ କିଛି ରୋଗ ହୋଇଯାଏ ଏବ˚ ସେ କଷ୍ଟ ପାଏ, ସେତେବେଳେ ସେ ତା’ର ମୌଳିକ ସତ୍ତା, ଦେହକୁ ଫେରିବାକୁ ବାଧୢ ହୁଏ। ଜୀବିକା, ଅର୍ଥ, ସମ୍ପତ୍ତି, କ୍ଷମତା, ପ୍ରଶ˚ସା; ଏସବୁ ତା’ର ମୌଳିକ ସତ୍ତା ଉପରେ ମଣ୍ତିତ ହୋଇଥାଏ। ମାତ୍ର କରୁଣ ବିଡ଼ମ୍ବନାଟି ଘଟେ ଯେତେବେଳେ ଏହି ପ୍ରଲୁବ୍‌ଧକାରୀ ବାହ୍ୟ ଆଭୂଷଣ ଗୁଡ଼ିକ ଏତେ ବ୍ୟାପକ ଏବ˚ ପ୍ରଭାବଶାଳୀ ହୋଇଯାଆନ୍ତି ଯେ, ସେମାନେ ଜୀବନର ମୌଳିକ ସତ୍ତାଟିକୁ ରୁନ୍ଧି ଦିଅନ୍ତି। ମୁଁ କେତେ ବଡ଼ ଚାକିରି କରୁଛି, କେଉଁ ବ୍ରାଣ୍ତର କାର‌୍‌ ଚଢ଼ୁଛି, ‘ପୋସ୍‌’ ଏରିଆରେ ରହୁଛି ନା ନାହିଁ- ଏହିପରି କଥା ସବୁ ନିରୋଳା ‘ମୁଁ’ ପାଇଁ ନୁହେଁ; ଏହା ମୁଁ ବନାମ ମୋର ସମାଜ-ସତ୍ତା ପାଇଁ। ମାତ୍ର ଏହି ସବୁ କଥାଗୁଡ଼ିକ ଆମକୁ ସବୁବେଳେ ଘାରିଥାଏ। ଫଳରେ ମଣିଷର ଅସଲ ଜୀବନଟି ବା ଆତ୍ମିକ ଜୀବନଟି ଚିପି ହୋଇଯାଏ ତା’ର ବାହାରକୁ ଦେଖାଉଥିବା ଜୀବନ ଦ୍ବାରା। ସେଥିପାଇଁ ବେଳେ ବେଳେ ସେ ବ୍ୟାକୁଳ ହୋଇପଡ଼େ ତା’ର ମୂଳ ଆଧାର ଗୁଡ଼ିକ ପାଖକୁ ଫେରିଯିବା ପାଇଁ।

କ’ଣ ସେ ଆଧାର ଯାହାକୁ ନେଇ ଆମ ଜୀବନର ମୌଳିକ ସତ୍ତାଟି ଗଢ଼ି ହୋଇଥାଏ? ଆମ ସମସ୍ତଙ୍କ ଜୀବନର ଏକ ମୂଳ ଆଧାର ହେଉଛି, ପରିବାର। କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଅନେକଙ୍କ ପାଇଁ ପରିବାର ଆଉ ମୂଳ ହୋଇ ରହିନାହିଁ। କେତେବେଳେ ଜୀବିକାରୁ ମୁକ୍ତି ପାଇବା ସମ୍ଭବପର ହୋଇପାରୁନାହିଁ ଏବ˚ ପରିବାର ଗୌଣ ହୋଇଯାଉଛି; ପାରିବାରିକ ଜୀବନ ପାଇଁ ସମୟ ନାହିଁ। ପୁଣି କେତେବେଳେ ଚିକ୍‌ଚିକ୍‌ ସଭ୍ୟତାର ମୋହରେ ପଡ଼ି ମନୋବୃତ୍ତି ମଧୢ ବଦଳି ଯାଉଛି ଏବ˚ ବାପା, ମା’ଙ୍କ ପାଇଁ ସମୟ ନାହିଁ। ବାପା, ମା’ଙ୍କୁ ‘ବେସିକ୍‌’ (ମୂଳ) ବୋଲି ଭାବିବାଟା ମଧୢ ଆଉ ଗ୍ରହଣୀୟ ହେଉନାହିଁ। ଏହିପରି ବାପା, ମା’ଙ୍କ କରୁଣ କାହାଣୀ ତ ଏବେ ଅନେକ ଶୁଣିବାକୁ ମିଳୁଛି।

ଏହି ପ୍ରସଙ୍ଗରେ ଗୋଟିଏ ଘଟଣାକୁ ଉଲ୍ଲେଖ କରୁଛି। ମୋର ଜଣେ ଅଗ୍ରଜ ପରି ସହକର୍ମୀ, ଯେ ମଧୢ ଜଣେ ଯଶସ୍ବୀ ସାହିତ୍ୟିକ- ତାଙ୍କର ଗୋଟିଏ ପୁଅ ବାଙ୍ଗାଲୋର୍‌ର‌ ଏକ ପ୍ରତିଷ୍ଠିତ ଆଇନ ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ପ୍ରାପ୍ତ ହୋଇ ଦେଶ ବା ବିଦେଶରେ ଉଚ୍ଚ ଦରମାରେ ଚାକିରି କରିବାର ଲୋଭକୁ ପ୍ରତ୍ୟାଖ୍ୟାନ କରି ଦେଇ କଟକରେ ବାପା, ମା’ଙ୍କ ପାଖରେ ରହି ଏକ ଆଇନ ବିଶ୍ବବିଦ୍ୟାଳୟରେ ଅଧୢାପନା କରିବାର ନିଷ୍ପତ୍ତି ନେଲା। ତା’ର ବାପା ତା’କୁ ଏଥିରୁ ନିବୃତ୍ତ କରିବା ପାଇଁ କହିଲେ: ‘ସବୁ ପିଲା ଘର ଛାଡ଼ି ବଡ଼ ବଡ଼ ମେଟ୍ରୋରେ ଚାକିରି କରିବା ପାଇଁ ଯାଉଛନ୍ତି। ତୁ ଓଲଟି କହୁଛୁ, ଏଠି ବାପା, ମା’ଙ୍କ ପାଖରେ ରହିବୁ, ଏଇଠି ଚାକିରି କରିବୁ!’

ପୁଅ ଉତ୍ତର ଦେଲା, ‘କେଉଁଟା ଓଲଟା କଥା? ବାପା, ମା’ଙ୍କୁ ଛାଡ଼ି ଚାଲିଯିବାଟା, ନା ବାପା,ମା’ଙ୍କ ପାଖରେ ରହିବା? ତା ବାଦ୍‌, ମୋତେ ତ ଏଠି ଚାକିରି ବି ଭଲ ଲାଗିବ ବୋଲି ଭାବୁଛି।’

ଏ ଘଟଣା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ଏହି ଯେ ଆଧୁନିକ ସଭ୍ୟତାର ପ୍ରଥମ ଶରବ୍ୟ ପରିବାର ହିଁ ହୋଇଛି। ମାତ୍ର ପରିବାର ତ ଆମର ସମସ୍ତ ନିରୋଳା, ନିଷ୍ପାପ ଅନୁଭବର ଉତ୍ସ, ଆମ ଜୀବନର ସବୁଠାରୁ ନିଶ୍ଚିତ, ପ୍ରତିଶ୍ରୁତି ଭରା ଆଶ୍ରୟ ସ୍ଥାନ।

ପରିବାରର ଏକ ସଂପ୍ରସାରିତ କ୍ଷେତ୍ର ନିଜ ଗାଁ ବା ସାହି ବା ସାଙ୍ଗ, ସାଥୀମାନେ। ଏବେ ଅଧିକା˚ଶଙ୍କର ଚେତନା ପରିସରରେ ନିଜ ଗାଁ ତ ଆଉ ବିଲ୍‌କୁଲ୍‌ ନାହିଁ। ସେହିପରି ଅନେକ କାରଣରୁ ସାଙ୍ଗସାଥୀମାନଙ୍କ ସହ ମଧୢ ସମ୍ପର୍କ ରହିପାରୁ ନାହିଁ ଏବ˚ ସମ୍ପର୍କର ସେହି ସ୍ଥାନଟି ଶୂନ୍ୟ ହୋଇ ଗଲାଣି। ଗାଁର ସ୍ଥାନ ତ ଆପାଟ୍‌ମେଣ୍ଟ୍‌, ସାଙ୍ଗମାନଙ୍କ ସ୍ଥାନ ତ ସହକର୍ମୀମାନେ ନେଇ ପାରିବେନି। ଟିକିଏ ଗଭୀର ଭାବେ ବିଶ୍ଳେଷଣ କଲେ ଜଣାଯିବ ଯେ ଆମର ଜୀବନ ଯାହା ଦିନେ କେବଳ ନିରୋଳା ସମ୍ପର୍କଗୁଡ଼ିକରେ ସିକ୍ତ ଥିଲା, ସେ ଜୀବନ ଏବେ ଖାଲି ବ୍ୟାବହାରିକ ସମ୍ପର୍କ ଗୁଡ଼ିକ ଭିତରେ ବୁଡ଼ି କରି ରହିଛି। ମାତ୍ର ସମୟ କ୍ରମେ ଅନୁଭବ ହେଉଛି ଯେ ଜୀବନରେ ଯଦି କିଛି ପୁଞ୍ଜି ଥାଏ, ତେବେ ତାହା ହେଉଛି କିଛିଟା ନିରୋଳା ସମ୍ପର୍କ। ସେଥିପାଇଁ ଏବେ ପୁରାତନ ବନ୍ଧୁ, ସହପାଠୀମାନେ ବର୍ଷରେ କେତେଥର ଯେଉଁ ଏକାଠି ହେଉଛନ୍ତି, ତାହା ସେହି ନିରୋଳା ସମ୍ପର୍କକୁ ସାଉଁଟି ନେବାର ଏକ ପ୍ରୟାସ।

ମଣିଷ ଜୀବନର ଏକ ଶାଶ୍ବତ ଆଧାର ହେଉଛି ପ୍ରକୃତି। ଅତି ମୌଳିକ ସ୍ତରରେ ଆମର ଦେହ-ପଞ୍ଚଭୂତ-ତ ପ୍ରକୃତି ଭିତରୁ ଆସିଛି। ଏହା ବ୍ୟତୀତ ମୌଳିକ ସ୍ତରରେ ଆମର ବଞ୍ଚିବା ପାଇଁ, ଆମର ସ୍ବାସ୍ଥ୍ୟ ପାଇଁ ପବନ, ସୂର୍ଯ୍ୟାଲୋକ ତ ଅପରିହାର୍ଯ୍ୟ। ସେଥିପାଇଁ ପ୍ରକୃତି ସହ ଏକ ଅଦୃଶ୍ୟ ନାଭି ରଜ୍ଜୁରେ ଆମେ ବନ୍ଧା। ଆଦ୍ୟ ଜୀବନରୁ, ଶିଶୁଟି ପ୍ରଥମେ ପ୍ରକୃତିକୁ ହିଁ ଚିହ୍ନିଥାଏ, ଭାବ ସ୍ତରରେ ଆପଣାର କରିନେଇଥାଏ। ଶିଶୁଟିକୁ ତାର ବାପା, ମା’ ଆକାଶର ଜହ୍ନ, ତାରା, ବାଦଲ, ପକ୍ଷୀ ଏ ସବୁ ଦେଖାଇ ତା’ର ମନୋରଞ୍ଜନ କରିଥାନ୍ତି। କେଉଁ ଶିଶୁକୁ ବଡ଼ ବଡ଼ କୋଠା ବା ମେସିନ୍‌ ଦେଖାଇ କେହି ତା’ର ମନୋରଞ୍ଜନ କରେ ନାହିଁ। ପିଲାମାନଙ୍କ ପାଇଁ ଆମର ସମସ୍ତ ‘ଲୋରି’ରେ ପ୍ରକୃତିର ସୌନ୍ଦର୍ଯ୍ୟ, ରହସ୍ୟର ଗନ୍ତାଘର ଖୋଲି ଦିଆଯାଇଥାଏ। ସେଥିପାଇଁ ପିଲାବେଳରୁ ହିଁ ପ୍ରକୃତି ସହ ଏକ ଆବେଗିକ ସମ୍ପର୍କ ଅଙ୍କୁରିତ ହୋଇଯାଇଥାଏ; ଅବଚେତନରେ ପ୍ରକୃତି ପ୍ରତି ଏକ ଗଭୀର ମମତ୍ବବୋଧ ଆସିଯାଇଥାଏ।

ମାତ୍ର ଯେତେ ଯେତେ ଆମେ ବଡ଼ ହେଉ, ଆମର ଜୀବନ ସଭ୍ୟତା ଦ୍ବାରା ଏତେ ଭୟଙ୍କର ଭାବେ ସ˚କ୍ରମିତ ହୋଇଯାଇଥାଏ ଯେ ପ୍ରକୃତି ସହ ଏହି ଅନାବିଳ ସମ୍ପର୍କ କେତେବେଳେ ଜୀବନରୁ ଅପସରି ଯାଇଥାଏ। କିନ୍ତୁ ଏକ ଗଭୀର, ଆତ୍ମିକ ସ୍ତରରେ, ଅବଚେତନରେ, ପ୍ରତି ମଣିଷର ଏହି ଅନୁଭବ ଥାଏ ଯେ ସେ ପ୍ରକୃତିର ସନ୍ତାନ। ସେଥିପାଇଁ ସମୁଦ୍ର, ପାହାଡ଼ ପାଖରେ ଥିଲାବେଳେ ତା’ର ସମସ୍ତ ତଥାକଥିତ ସଭ୍ୟତାର ଆବରଣ, ଆଭରଣ ସବୁ ଖୋଲିଯାଏ ଏବ˚ ସେ କିଶୋରଟିଏ ପରି ତା’ର ନିରୀହ ସରଳ ପଣକୁ ଫେରିଯାଏ। ସୀମାହୀନ ସମୁଦ୍ର, ନଭଶ୍ଚୁମ୍ବୀ ପର୍ବତ, ରହସ୍ୟମୟ ଅରଣ୍ୟ ସାମନାରେ ଠିଆ ହେଲା ବେଳେ କିଏ କେବେ ସଚେତନ ଥାଏ ଯେ ସେ ଜଣେ ବଡ଼ ମନ୍ତ୍ରୀ, ବା ଜଣେ ବଡ଼ ଅଫିସର, ବା ଜଣେ ଧନୀ, ରୂପସୀ ମହିଳା ବା ଅଜସ୍ର ପୁରସ୍କାର ପ୍ରାପ୍ତ ଜଣେ ପ୍ରସିଦ୍ଧ ଲେଖକ! ସେତେବେଳେ ସେ ତା’ର ସମସ୍ତ ବାହ୍ୟ ପରିଚୟରୁ ମୁକ୍ତ ହୋଇଯାଇ ‘ନିଜେ’ ହୋଇଯାଏ ଏବ˚ ଯାହା କିଛି ସେତେବେଳେ ସେ ଭାବେ, କହେ ବା କରେ, ତାହା ତା’ର ହୃଦୟର ସରଳ, ସ୍ବତଃସ୍ଫୂର୍ତ୍ତ ପରିପ୍ରକାଶ ଅଟେ। ସ୍ବତଃସ୍ଫୂର୍ତ୍ତ ହେବା ମାନେ ‘ନିଜେ’ ହୋଇଯିବା। ମାତ୍ର ଆମର ଜୀବନରେ ଆଉ ସ୍ବତଃସ୍ଫୂର୍ତ୍ତତାର ସାମାନ୍ୟତମ ଚିହ୍ନ ମଧୢ ନାହିଁ, କାରଣ ଆମର ସମସ୍ତ କାର୍ଯ୍ୟ ବାହାରର ପ୍ରଭାବ ବା ଚାପରେ ପଡ଼ି କରୁଛୁ। ପ୍ରକୃତିରେ ହିଁ ଆମେ ଆମ ଜୀବନର ସରଳତା ଏବ˚ ସ୍ବତଃସ୍ଫୂର୍ତ୍ତତାକୁ ଫେରିପାଉ।

ଏଣୁ ଜୀବନର ସମସ୍ତ ମୌଳିକ ଆଧାର ଗୁଡ଼ିକୁ ଫିଙ୍ଗି ଦେଇ, ନିଜର ପ୍ରକୃତ ଜୀବନ ନ ବଞ୍ଚି, କେବଳ ବାହାର ପୃଥିବୀର ମୋ ବିଷୟରେ କ’ଣ ଧାରଣା ଏବ˚ ଏକ ବଜାର-ସଭ୍ୟତା ନିର୍ଦ୍ଧାରିତ କରୁଥିବା ମୂଲ୍ୟବୋଧକୁ ଜୀବନର ସାରମର୍ମ ବୋଲି ବୁଝି ଗୋଟିଏ ଫମ୍ପା, ନକଲି ଜୀବନ ବଞ୍ଚିବା ନିର୍ବୋଧତା ବ୍ୟତୀତ ଆଉ କିଛି ନୁହେଁ। ବୋଧହୁଏ ଅନ୍ୟ ସବୁ ପୂର୍ବ ପିଢ଼ି ଅପେକ୍ଷା ବର୍ତ୍ତମାନର ପିଢ଼ି, ସଭ୍ୟତାକୁ ନେଇ ସବୁଠାରୁ ଅଧିକ ପ୍ରଶ୍ନ କରୁଛି, କାରଣ ଆମ ଜୀବନର ମୂଳ ଅନୁଭବ ଗୁଡ଼ିକରୁ ବହୁ ଦୂରକୁ ବହୁ ଶୀଘ୍ର ଚାଲିଯାଉଛୁ। ଏ ସଭ୍ୟତା, ସମସ୍ତ ବିଗତ ସଭ୍ୟତା ତୁଳନାରେ ଅନେକ ଅସମ୍ଭବ ମନେ ହେଉଥିବା କଥାକୁ ସମ୍ଭବ କରିପାରିଛି; ମଷିଣକୁ ଅକଳନୀୟ ସୁବିଧା ଓ ସୁଖ ଦେଇଛି; ପ୍ରଯୁକ୍ତି କୌଶଳ ଜୀବନକୁ ପ୍ରାଚୁର୍ଯ୍ୟଭରା ଏବ˚ ଶକ୍ତିଶାଳୀ କରିପାରିଛି ଓ ପ୍ରତି ମୁହୂର୍ତ୍ତରେ ମଣିଷ ବିକାଶର ନୂଆ ନୂଆ ପ୍ରସ୍ଥକୁ ଆବିଷ୍କାର କରୁଛି। ମାତ୍ର ଏ ସଭ୍ୟତା ଯଦି ଜୀବନକୁ ତା’ର ମୌଳିକ ଅନୁଭବ, ଆନନ୍ଦ ଗୁଡ଼ିକରୁ ବଞ୍ଚିତ କରୁଛି, ତେବେ ସଭ୍ୟତାର ଏ ମିଥ୍‌, ଏ ମାୟା-ଛବିକୁ ଭାଙ୍ଗିଦେବା ଉଚିତ। ଏ ସଭ୍ୟତା ତାହା ଯେତେ ସମୃଦ୍ଧ, ଚିରନ୍ତନ ଭାବେ ପ୍ରତୀତ ହେଉଥିଲେ ମଧୢ, ମୋର ଜୀବନ ପାଇଁ ଏହାର ଯଥାର୍ଥତା ସମ୍ପର୍କରେ ପ୍ରଶ୍ନ କରିବାକୁ ମୋର ସାହସ ରହିବା କଥା; କାରଣ ଏହିଟି ମୋର ଏକମାତ୍ର ଜୀବନ। ମୋର ଏପରି ପ୍ରଶ୍ନରେ ବ୍ୟାପକ ସମାଜର କ୍ଷେତ୍ରରେ ହୁଏତ କିଛି ପରିବର୍ତ୍ତନ ହୋଇ ନ ପାରେ; ମାତ୍ର ଏପରି ପ୍ରଶ୍ନ କରି ଜଣେ ବ୍ୟକ୍ତିଗତ ସ୍ତରରେ ତ ତା’ର ନିର୍ବାଣ ସନ୍ଧାନ କରିପାରେ।

ମୋ: ୯୪୩୭୨୯୨୧୧୩

ସମ୍ବନ୍ଧିତ ଖବର