କରୋନା ମୁକାବିଲାରେ ଗାନ୍ଧୀଜୀଙ୍କ ଏଗାର ବ୍ରତ

ଡାକ୍ତର ଅଜୟ କୁମାର ନନ୍ଦ

ଆମ ଦେଶରେ କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଏକାଦଶ ବ୍ରତ ବିଷୟ ସ୍ମରଣକୁ ଆସିଥାଏ। କରୋନା ସଂକ୍ରମଣର ଭୟାବହ ପରିବେଶରେ ଏହା ଆମ ସମସ୍ତଙ୍କ ଲାଗି ଦିଗବାରେଣୀରେ ପରିଣତ ହୋଇପାରେ।

ତହିଁରୁ ପ୍ରଥମଟି ହେଲା ଅହିଂସା। ଏହା କେବଳ ହିଂସା ଶୂନ୍ୟତାକୁ ଦର୍ଶାଇ ନ ଥାଏ। ତା’ ସହିତ ଏହା ପ୍ରେମ ଓ ଦୃଢ଼ ଆତ୍ମବଳର ଶକ୍ତି ବାବଦରେ ଆମକୁ ସଚେତନ କରିଥାଏ। କାରଣ ଏହି ସବୁ ବିନା ଅହିଂସ ଆଚରଣ ଅସମ୍ଭବ। କରୋନାର ଉଦ୍‌ବେଗଜନକ ସ୍ଥିତିର ସାମନା କରିବା ଲାଗି ଏ ସବୁ ଗୁଣ ମଧ୍ୟ ଅପରିହାର୍ଯ୍ୟ।

ଦ୍ବିତୀୟରେ ଆସିବ ସତ୍ୟ। ମହାତ୍ମାଙ୍କର ଏହି ବ୍ରତ ଆମକୁ ମହାମାରୀର ବାସ୍ତବତାକୁ ସ୍ୱୀକାର କରିବାକୁ ପ୍ରେରଣା ଦେଇଥାଏ। ପରିସ୍ଥିତିର ସତ୍ୟତାକୁ ସ୍ବୀକାର କରାଯିବା ପରେ ହିଁ ଆପଣା ଦାୟିତ୍ବ ନିର୍ବାହନ କରିବା ଲାଗି ଅବକାଶ ମିଳିଥାଏ।

ତୃତୀୟ ବ୍ରତଟି ହେଉଛି ଅସ୍ତେୟ। ଏହାର ଅର୍ଥ ସଂପୂର୍ଣ୍ଣ ସଚ୍ଚୋଟତା। କରୋନା ସଂକ୍ରମଣ କାଳରେ ଦେଖିବାକୁ ମିଳୁଛି ଯେ ଆମ ମଧ୍ୟରୁ ଅନେକ ବିଭିନ୍ନ କାରଣରୁ ସୂଚନା ଲୁଚାଇବାକୁ ଉଦ୍‌ଗ୍ରୀବ। ଏପରିକି ଲକ୍ଷଣ ପ୍ରକାଶ ପାଇଲେ ମଧ୍ୟ ତାହା ପ୍ରକାଶ କରିବାକୁ ଅନିଚ୍ଛୁକ। ଗାନ୍ଧୀଙ୍କ ତୃତୀୟ ବ୍ରତ ଆମକୁ ତହିଁରୁ ନିବୃତ୍ତ କରିବ।

ଗାନ୍ଧୀଜୀଙ୍କର ଚତୁର୍ଥ ବ୍ରତ ବ୍ରହ୍ମଚର୍ଯ୍ୟର ପ୍ରକୃତ ଅର୍ଥ ଆତ୍ମ ଶୃଙ୍ଖଳାରେ ନିହିତ। ଏହାର ଗୂଢ଼ ଅର୍ଥ ହେଉଛି ଆତ୍ମ ନିୟନ୍ତ୍ରଣ ବା କଠିନ ଶୃଙ୍ଖଳା। କରୋନା ମହାମାରୀ କାଳରେ ସରକାର ନେଉଥିବା କିଛି ପଦକ୍ଷେପ ଆମମାନଙ୍କ ଠାରୁ ଶୃଙ୍ଖଳିତ ଆଚରଣ ଆଶା କରେ। ଗାନ୍ଧୀଜୀଙ୍କ ଏହି ବ୍ରତ ହିଁ ସେଭଳି ଆଚରଣ ଲାଗି ଅନୁପ୍ରେରଣା ସାଜିବ।

ମହାତ୍ମାଙ୍କ ପଞ୍ଚମ ବ୍ରତ ଅସଂଗ୍ରହ କହିଥାଏ- ‘ତୁମେ କମ ଚାହୁଁଛ, ସେତେ ଭଲ’। ଗାନ୍ଧୀଙ୍କ ମତରେ ଆବଶ୍ୟକତା ଠାରୁ ଅଧିକ ସଂଗ୍ରହ କରିବା ହେଉଛି ଏକ ପାପ। କାରଣ ତଦ୍ଦ୍ବାରା ଲୋଭ ଭଳି ମାୟାର କାୟା ବୃଦ୍ଧି ଘଟିଥାଏ। ଆଜିର କୋଭିଡ୍ ପାନ୍‌ଡେମିକ୍‌ ପରିସ୍ଥିତିରେ ଯେତେବେଳେ ସର୍ବତ୍ର ଆର୍ଥିକ ମାନ୍ଦାବସ୍ଥା ଏବଂ ଲୋକଙ୍କ ଆୟରେ ସଂକୋଚନ ଘଟିଛି, ସେତିକି ବେଳେ ଯେଉଁମାନେ ଗାନ୍ଧୀଜୀଙ୍କ ‘ଅସଂଗ୍ରହ’ ବ୍ରତକୁ ଜୀବନରେ ଧାରଣ କରିଥିବେ ସେମାନେ ଶାନ୍ତିରେ କାଳ କାଟି ପାରୁଥିବେ।

ଗାନ୍ଧୀଜୀଙ୍କ ଷଷ୍ଠ ବ୍ରତ ଥିଲା ଶରୀର ଶ୍ରମ। ଏହି ମନୋଭାବକୁ ବ୍ୟକ୍ତ କରୁଥିବା ତାଙ୍କର ମହତବାଣୀ ‘କୁଟି ଖାଅ କାଟି ପିନ୍ଧ’କୁ ଅନୁସରଣ କଲେ ଜୀବିକାଶୈଳୀ ଆପଣା ଛାଏଁ ଉନ୍ନତତର ହୋଇଥାଏ ଓ ଶରୀର ଶ୍ରମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଗାନ୍ଧୀଙ୍କର ସପ୍ତମ ବ୍ରତ ଥିଲା ଅସ୍ବାଦ। ଜିହ୍ବାର ଭୋଜନ ଲାଳସା ଶରୀରକୁ ରୋଗଗ୍ରସ୍ତ କରିଥାଏ ବୋଲି ଏବେ ସମସ୍ତେ ଏକ ମତ। ଶରୀରକୁ ସୁସ୍ଥ ରଖିବା ଲାଗି ଯାହା ଲୋଡ଼ା ତାହା ହେଲା ଅସ୍ବାଦ ବା ଜିହ୍ବା ଲାଳସାର ନିୟନ୍ତ୍ରଣ। କରୋନା ସଂକ୍ରମଣ କାଳରେ ସୁଷମ ଖାଦ୍ୟ ଉପରେ ଗୁରୁତ୍ବ ପ୍ରଦାନ କରାଯିବାର ଅର୍ଥ ହେଉଛି ଗାନ୍ଧୀଙ୍କ ସପ୍ତମ ବ୍ରତ ଅସ୍ବାଦକୁ ଗ୍ରହଣ କରିବା।

ଗାନ୍ଧୀଙ୍କ ଅଷ୍ଟମ ବ୍ରତ ହେଉଛି ସର୍ବତ୍ର ଭୟ। ଏହି ବ୍ରତ ଭୟ ପରିହାର କରିବାକୁ ଉପଦେଶ ଦେଇଥାଏ। କରୋନା ସଂକ୍ରମଣ ତା’ର ଉଗ୍ର ରୂପ ଧାରଣ କରିଥିବା ବେଳେ ଆମ ମଧ୍ୟରୁ ଅଧିକାଂଶ ଭୟରେ ଆତୁର ହୋଇପଡ଼ିଛେ। ଭୟ କାରଣରୁ ସବୁ ପ୍ରକାର ତ୍ରୁଟି ହୋଇଥାଏ ଏବଂ ଏହି ଭୟ କାରଣରୁ କରୋନା କାଳରେ ଆମ ମଧ୍ୟରୁ ଅନେକ ଅମାନବୀୟ ଆଚରଣ କରୁଥିବା ଦେଖିବାକୁ ମିଳୁଛି। ଅହେତୁକ ଭୟ କାରଣରୁ ଘର ମାଲିକମାନେ ଭଡ଼ାଟିଆମାନଙ୍କୁ ବିତାଡ଼ିତ କରୁଛନ୍ତି ବା ଶବକୁ କାନ୍ଧ ଦେବା ଲାଗି ପରିଜନମାନେ ରାଜି ହେଉ ନାହାନ୍ତି। ଏଭଳି ଅହେତୁକ ଭୟ ଦୂର ହେଲେ ଯାଇ କରୋନା ମୁକା‌ବିଲା ଲାଗି ଠିକଣା ଭାବେ ପ୍ରସ୍ତୁତ ହେବା ସମ୍ଭବ।

ଗାନ୍ଧୀଙ୍କ ନବମ ବ୍ରତ ସର୍ବ ଧର୍ମ ସମ ଭାବ କଥା କହିଥାଏ। ଧର୍ମ ଓ ଜାତିଗତ ପାର୍ଥକ୍ୟକୁ ଭୁଲି ଯଦି ସମସ୍ତେ ମମତ୍ବବୋଧରେ ବାନ୍ଧି ହୋଇ ପାରିବା ତେବେ ଏହି ମହାମାରୀର ମୁକାବିଲା ଯେ ଆମେମାନେ ଅଧିକ ଦକ୍ଷତାର ସହିତ କରିପାରିବା, ଏହା କହିବା ବାହୁଲ୍ୟ ମାତ୍ର।

ଗାନ୍ଧୀଙ୍କ ଦଶମ ବ୍ରତ ସ୍ବଦେଶୀ କଥା କହିଥାଏ। ଗାନ୍ଧୀଜୀଙ୍କ ଏହି ବ୍ରତ ଜୀବିକା ଉପରେ ଗୁରୁତ୍ୱ ଦେବା ସହ ଦେଶ ତଥା ରାଜ୍ୟର ମାନବ ସମ୍ବଳର ଶକ୍ତି ହୃଦୟଙ୍ଗମ କରିବାକୁ ପ୍ରେରିତ କରିଥାଏ। ଏହାକୁ ଠିକଣା ଭାବେ ବୁଝିଥିବା ପ୍ରତ୍ୟେକ ଭାରତୀୟ କରୋନା ସଂକ୍ରମଣ କାଳରେ ଦେଶ ଆଗରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରଖାଯାଇଥିବା ‘ଆତ୍ମନିର୍ଭର ଭାରତ’ ଯୋଜନାକୁ ସଫଳ କରିବାରେ ବ୍ରତୀ ହେବେ।

ଶେଷରେ ଆସିବ ଗାନ୍ଧୀଙ୍କ ଏକାଦଶ ବ୍ରତ ସ୍ପର୍ଶ ଭାବନା। ଏହା ସବୁ ପ୍ରକାର ଅସ୍ପୃଶ୍ୟତାକୁ ବିରୋଧ କରିଥାଏ। ସଂପ୍ରତି ପ୍ରବାସୀ ଶ୍ରମିକମାନେ ସ୍ବ-ଗ୍ରାମକୁ ଫେରିଥିବା ସ୍ଥିତିରେ ସେମାନଙ୍କୁ ଖୋଲା ହୃଦୟରେ ଆପଣାଇ ନେବାରେ ଏହି ଭାବନା ଗଭୀର ପ୍ରେରଣା ଯୋଗାଇପାରେ।

ଗାନ୍ଧୀ ମହାତ୍ମା ଏହି ଏଗାରଟି ବ୍ରତ କଥା କହିଥିବା ବେଳେ କରୋନାର କୌଣସି ଚିହ୍ନବର୍ଣ୍ଣ ନ ଥିଲା। ସେ ଏକ ଆଦର୍ଶ ଜୀବନ ଲାଗି ଏଗୁଡ଼ିକୁ ବ୍ରତ ରୂପେ ଧାରଣ କରିବାକୁ କହୁଥିଲେ। କିନ୍ତୁ ଆଜିର ପରିସ୍ଥିତିରେ ଏହା କିଭଳି ପ୍ରାସଙ୍ଗିକ ତାହା କହିବା ଅନାବଶ୍ୟକ।

ନୀଳକଣ୍ଠପୁର, ପୁରୀ
[email protected]

ସମ୍ବନ୍ଧିତ ଖବର