କରୋନା ବଜେଟ୍‌

କହିବାର ଅଛି - ଦାଶ ବେନହୁର

କେବଳ ମଣିଷ କ’ଣ ବଜେଟ୍‌ କରେ?

ବଜେଟ୍‌ କହିଲେ ଆୟବ୍ୟୟ ଅଟକଳ। ହେଲେ ସାଧାରଣରେ ବଜେଟ୍‌କୁ ଆମେ ଦେଶର ବାର୍ଷିକ ଆୟବ୍ୟୟ ଅଟକଳ ଭାବରେ ବୁଝୁ। ଏତିକି ଆୟ, ଏଇ ଏଇ ବାଟରେ ଆସିବ ଓ ଏତିକି ବ୍ୟୟ ଅମୁକ ଅମୁକ ଦିଗରେ ଖର୍ଚ୍ଚ ହେବ। ଏ କଥା ସରକାରଙ୍କ ବିତ୍ତ-ବିଭାଗର କାମ।

ମାତ୍ର ପ୍ରକୃତରେ ବଜେଟ୍‌ ଏକ ବ୍ୟାପକ ଶବ୍ଦ। ଏ କଥା ସତ ଯେ ବଜେଟ୍‌ ଶବ୍ଦଟି ବହୁଦିନର ନୁହେଁ। ଅଷ୍ଟାଦଶ ଶତାବ୍ଦୀରୁ ଏହାର ଆରମ୍ଭ। ଫରାସୀ ଶବ୍ଦ ‘‘ବୋଗେଟ’’ରୁ ଏହାର ଜନ୍ମ। ବୋଗେଟର ଅର୍ଥ କାଗଜପତ୍ର ବା ଟଙ୍କା ରଖିବାର ମୁଣା। ଅତଏବ ଦେଶର ଆୟବ୍ୟୟ ହିସାବ ଗୋଟିଏ ମୁଣାରେ ପୂରାଇ ଆଣି ବିଧାନ-ସଦନରେ ସମସ୍ତଙ୍କର ଅବଗତି ଓ ସୁପାରିସ ସକାଶେ ଉପସ୍ଥାପନ କରାଯାଉଥିବାରୁ ମୁଣାଟି ପ୍ରାଧାନ୍ୟ ଲାଭ କଲା।

ମୁଣା ବା ବୋଗେଟ, ସେଇଥିରୁ ଇ˚ରେଜୀ ଶବ୍ଦ ବଜେଟ୍‌।

ଆଜି ସାରା ବିଶ୍ବରେ ବଜେଟ୍‌ ଏକ ପରିଚିତ ବ୍ୟାବହାରିକ କଥା। ଦେଶ କ୍ଷେତ୍ରରେ ଏହା ଗୋଟାଏ ବର୍ଷର ଆୟ ଓ ଖର୍ଚ୍ଚର ହିସାବ-ଫର୍ଦ୍ଦକୁ ବୁଝାଏ। କିନ୍ତୁ ଏ ଶବ୍ଦଟି ବର୍ତ୍ତମାନ ଏତେ ସାଧାରଣ ପାଲଟିଛି ଯେ ଭୋଜିଟିଏ କଲେ କୁହାଯାଉଛି, ‘‘ପହିଲେ ବଜେଟ୍‌ଟିଏ କର’’। ଗାଡ଼ି ବା କିଛି ଦାମୀ ଉପକରଣ ବିକୁଥିବା କମ୍ପାନି ମଧୢ ବିଜ୍ଞାପନ ଦେଉଛନ୍ତି- ‘‘ଏହାର ମୂଲ୍ୟ ଆପଣଙ୍କ ବଜେଟ୍‌କୁ ସୁହାଇଲା ଭଳି।’’

ଯେ କୌଣସି ହିସାବ ସହ ଯୋଡ଼ି ହୋଇଯାଉଛି ବଜେଟ୍‌। ବ୍ୟକ୍ତିଗତ ଖର୍ଚ୍ଚରେ, ପରିବାରରେ, ସ˚ଗଠନରେ, ପ୍ରଦେଶ ସ୍ତରରେ, ଦେଶ ସ୍ତରରେ ସବୁଠାରେ ଏଇ ଅଟକଳ ଆଧାରରେ ଏବେ ସମସ୍ତେ ବନ୍ଧା। ଆଲୋଚନା କଲେ ଦେଖାଯିବ ଯେ ଗଣତନ୍ତ୍ରରେ ଯେତେ ଯେତେ ବ୍ୟବସ୍ଥାପକୀ କାର୍ଯ୍ୟାବଳୀ ଅଛି ତା’ ଭିତରେ ବଜେଟ୍‌ ଉପସ୍ଥାପନ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭଲ ବଜେଟ୍‌ ତ ଭଲ ସରକାର। ଖରାପ ବଜେଟ୍‌ ତ ଖରାପ, ଅପାରଗ ସରକାର। ସେଥିରେ ପୁଣି ଆୟଠାରୁ କମ୍‌ ଖର୍ଚ୍ଚର ଅଟକଳ ବା ବଳକା ବଜେଟ୍‌କୁ ପଛୁଆ ଓ ଯେତିକି ମିଳିବ ତା’ଠାରୁ ଅଧିକ ବ୍ୟୟ କରିବା ନିଅଣ୍ଟିଆ ବଜେଟ୍‌କୁ ପ୍ରଗତିଶୀଳ ବଜେଟ୍‌ ବୋଲି କୁହାଯାଉଛି। ଅଧିକ ଖର୍ଚ୍ଚ କଲେ ସିନା ପ୍ରଗତି ଅଧିକ ହେବ, ସେଇବାଟେ ଆଗାମୀ ସମୟରେ ଆୟ ଆପେ ବଢ଼ିଯିବ।

ଏ ସବୁ କଥା ମଣିଷମାନଙ୍କ ଅଟକଳର କଥା। ଦେଶ ଦେଶର କଥା। ହେଲେ ଅନ୍ୟାନ୍ୟ ଜୀବଜନ୍ତୁ, ଗଛଲତା କ’ଣ ଏମିତି ଗୋଟେ ହିସାବ କିତାବ ଭିତରେ ବଞ୍ଚନ୍ତି? ଏପରି କି ମଣିଷମାନେ ସୁଦ୍ଧା ପ୍ରାଚୀନ କାଳରେ ଆୟ-ବ୍ୟୟ ଅଟକଳ ଅନୁସାରେ ଜୀବନ ଯାପନ କରୁ ନଥିଲେ। ବର୍ତ୍ତମାନ ବଜେଟ୍‌ ପାଲଟିଛି ବିତ୍ତୀୟ ବ୍ୟବସ୍ଥାର ଏକ ମହତ୍ତ୍ବପୂର୍ଣ୍ଣ ଅଙ୍ଗ। ବିନା ବଜେଟ୍‌ରେ ଘରଠାରୁ ଆରମ୍ଭ କରି ସାଧାରଣ ଉଦ୍ୟୋଗ, ଲଘୁଶିଳ୍ପ, ଦେଶ-ଶାସନ ଚାଲୁ ରଖିବା କଷ୍ଟକର।

ପ୍ରଶ୍ନ ହେଉଛି ମଣିଷ ସିନା ବଜେଟ୍‌ ଅନୁସାରେ ଚାଲେ, ମାତ୍ର ସାରା ବିଶ୍ବ କ’ଣ ବଜେଟ୍‌ ପ୍ରସ୍ତୁତ କରେ? କେମିତି ଚାଲିଛି ଏ ପୃଥିବୀ? ଏ ମାଟି, ପାଣି, ପବନ, ଆଲୋକ, ଆକାଶ? ପୃଥିବୀ କ’ଣ କିଛି ଅଟକଳ କରେ? ଯଦି ହଁ ତେବେ କିଏ କରେ ସେଇ ଅଟକଳ?

ଆଶ୍ଚର୍ଯ୍ୟର କଥା ଯେ ପୃଥିବୀ ଗୋଟାଏ ଅଟକଳରେ ହିଁ ଚାଲେ। ସେ ଅଟକଳ କରେ ପ୍ରକୃତି। ପ୍ରକୃତି ତା’ର ଆୟ ବ୍ୟୟ ଅନୁସାରେ ଅଟକଳ ପ୍ରସ୍ତୁତ କରେ। ଏତିକି ଅମ୍ଳଜାନରେ ଏତିକି ଜୀବନ। ଏତିକି ଭାଗ ଜଳ, ଏତିକି ଭାଗ ସ୍ଥଳ। ଭାଗବତରେ ଅଛି- ‘‘ବ୍ରହ୍ମା ଯେ ସୃଷ୍ଟି ଭିଆଇଲା/ଜୀବକୁ ଜୀବରେ ଖଞ୍ଜିଲା’’। ଏ ବ୍ରହ୍ମା ସ୍ବୟ˚ ପ୍ରକୃତି। ଅଟକଳ ଗୋଟାଏ ସନ୍ତୁଳନ ଅନୁସାରେ କାର୍ଯ୍ୟ କରେ। କେଉଁଠି ଅଭାବ ହୋଇଗଲେ ତାହା ପ୍ରକୃତି ହିଁ ପୂରଣ କରେ। କେଡ଼େ ସୁନ୍ଦର କରି ପ୍ରକୃତି ଗଢ଼ିଛି ମଣିଷକୁ ଠିକ୍‌ ପୃଥିବୀ ପରି। ମଣିଷ ଦେହରେ ବି ରକ୍ତ ଓ ମେଦର ଅନୁପାନ ସେତିକି। ପ୍ରତ୍ୟେକ ପ୍ରାଣୀ ଲାଗି ତା’ର ଆବଶ୍ୟକତା ଅନୁସାରେ ସବୁ ଖଞ୍ଜି ଦେଇଛି ପ୍ରକୃତି।

ସବୁ କଥା ସନ୍ତୁଳନରେ ଚାଲେ। ଦେହରୁ ଜଳୀୟ ଅ˚ଶ କମି ଗଲେ ଆମକୁ ଶୋଷ ହୁଏ। ପେଟରୁ ଖାଦ୍ୟ କମିଗଲେ ଭୋକ ଲାଗେ। କେଉଁଠାରେ ତାପ ଯୋଗୁଁ ପବନ ଗରମ ହୋଇ ଉପରକୁ ଉଠିଗଲେ ଚାରିଆଡ଼ୁ ପ୍ରକୃତି ଥଣ୍ତାପବନ ଭିଡ଼ିଆଣେ ସେଠାକୁ ବାୟୁର ଅଭାବ ପୂରଣ କରିବା ପାଇଁ। ପାହାଡ଼, ପର୍ବତ, ନଦୀ, ହ୍ରଦ ଏ ସମସ୍ତ ପ୍ରାକୃତିକ ସନ୍ତୁଳନର ଅଟକଳ।

ପୃଥିବୀ, ପ୍ରକୃତିର ଅଦୃଶ୍ୟ ଅଟକଳ ସହିତ ନିବିଡ଼ ଭାବରେ ସଂପର୍କିତ।

ହେଲେ ଏ ସାରା ଧରିତ୍ରୀରେ ମଣିଷ ଏକମାତ୍ର ପ୍ରାଣୀ ଯେ ପ୍ରାକୃତିକ ସନ୍ତୁଳନ ବିରୋଧରେ ବାରମ୍ବାର ଯୁଦ୍ଧ ଘୋଷଣା କରେ, ବିନା ବିଚାରରେ, ବିନା ସ˚ଯମରେ। ଆହାର, ନିଦ୍ରା, ମୈଥୁନର ଧାରା ପୃଥିବୀର ସମସ୍ତ ସଜୀବ ପ୍ରାକୃତିକ ନିୟମ ଅନୁସାରେ ପାଳନ କରନ୍ତି ହେଲେ ମଣିଷ ସେ କଥାର ବିରୋଧାଚରଣ କରେ। ଯାହା ମନ ତାହା ଖାଏ, ଯେତେବେଳେ ମନ ସେତେବେଳେ ଶୁଏ, ଉଠେ। ମୈଥୁନରେ ତା’ର ମୋଟେ ଶୃଙ୍ଖଳା ନ ଥାଏ।

ଆଣବିକ ବିସ୍ଫୋରଣ, ଅବିଶ୍ବାସ୍ୟ ଅଙ୍ଗାରକାମ୍ଳ ଉତ୍ପାଦନ ଯେ ବିଶ୍ବତାପନ ଠାରୁ ଆରମ୍ଭ କରି, ଋତୁ ଅସନ୍ତୁଳନ, ଘନ ଘନ ଲଘୁଚାପ, ସୁନାମି, ଭୂମିକମ୍ପ ଆଦିର ମୂଳ କାରଣ ସେ କଥା କିଏ କାହାକୁ ବୁଝାଇବ? ସବୁ ଦେଶ ସ୍ବାଧୀନ, ସବୁ ମଣିଷ ସ୍ବାଧୀନ। ପ୍ରକୃତରେ କିନ୍ତୁ ଏହା ସ୍ବାଧୀନପଣ ନୁହେଁ, ସ୍ବେଚ୍ଛାଚାରିତା। ମାତ୍ରାଧିକ ଦେଶ ସ୍ବେଚ୍ଛାଚାରୀ, ମାତ୍ରାଧିକ ମଣିଷ ଅବିଚାରିତ ଭାବେ ମଦମତ୍ତ ସ୍ବେଚ୍ଛାବିଳାସୀ। ଟିକି କୁନି ଦେଶଟିଏ- ଉତ୍ତର-କୋରିଆ, ସାରା ପୃଥିବୀର ପ୍ରାକୃତିକ ଅଟକଳକୁ ଗୋଟାଏ ମୁହୂର୍ତ୍ତରେ ଆଜି ଅସନ୍ତୁଳନ ଭିତରକୁ ଠେଲିଦେବା ଲାଗି ପ୍ରସ୍ତୁତ ହେଉଛି।

ହେଲେ ମନେ ରଖିବା ଦରକାର ଯେ ସେ ପରି ପରିସ୍ଥିତିରେ ହୁଏତ ପୃଥିବୀ ଛାରଖାର ହୋଇଯାଇପାରେ ମାତ୍ର ତା’ର ସ୍ଥିତି ଚାଲିଯିବ ନାହିଁ। ପ୍ରକୃତିର ଏ ବର୍ତ୍ତମାନିକ ସ୍ବରୂପ ହୁଏତ ନଷ୍ଟ ହୋଇଯାଇପାରେ ହେଲେ ପ୍ରକୃତି ଅନ୍ୟ ରୂପରେ ରହିବ। ମଣିଷମାନେ ସମ୍ଭବତଃ ଲୋପ ପାଇଯିବେ।

କହିବାର ଅଛି, ପ୍ରକୃତି ସମୟ ଅନୁସାରେ ଆବଶ୍ୟକତା ଦେଖି ପୃଥିବୀ ଲାଗି ତା’ର ବଜେଟ୍‌ ପ୍ରସ୍ତୁତ କରେ। ଏବେ ସେ ଆସିଛି ‘‘କରୋନା ବଜେଟ୍‌’’ ଧରି। ହୁଏ ତ ଏ ଭଳି ବଜେଟ୍‌ କେ‌େବ ବି ଆସି ନ ଥିଲା ଆଗରୁ। ପୃଥିବୀ ବର୍ତ୍ତମାନ ଦରକାର କରୁଛି ଗୋଟେ ଘୋରତର ଅଟକଳ। ଏହା ନିଅଣ୍ଟିଆ ନୁହେଁ କି ବଳକା ବଜେଟ୍‌ ନୁହେଁ। ପ୍ରକୃତି ଆଣି ଆସିଛି ଗୋଟେ ଟାକ୍ସି˚ ବଜେଟ୍‌, ବେଶ୍‌ କେତେ ଦଶନ୍ଧି ପାଇଁ। ଏକ କଠିନ କରଭାରର ଅଟକଳ। ସବୁ ସେ କଡ଼ାଗଣ୍ତାରେ ଆଦାୟ କରିନେବ ପ୍ରତିଟି ମଣିଷ ପାଖରୁ, ପ୍ରତିଟି ଦେଶରୁ। ନାଆଁ ‘‘କରୋନା ବଜେଟ୍‌’’।

ଏ ଯେ ଭୟାନକ କରୋନା ପରିସ୍ଥିତି ସେଥିପାଇଁ ମଣିଷ ହିଁ ଦାୟୀ। ମଣିଷ ବିଗାଡ଼ି ସାରିଛି ପଶୁପକ୍ଷୀ, ଗଛଲତା, କୀଟପତଙ୍ଗ, ଆକାଶ, ମାଟି, ପାଣି, ପବନ, ଆଲୋକର ସମସ୍ତ ପ୍ରାକୃତିକ ସନ୍ତୁଳନକୁ। ଅବାଟରେ, ଅବାଗରେ, ଖୁବ୍‌ ନୃଶ˚ସତାର ସହ ସେ ଖର୍ଚ୍ଚ କରି ଚାଲିଛି ପ୍ରାକୃତିକ ଆୟର ସମସ୍ତ ପୁଞ୍ଜି। ପ୍ରକୃତି ଦେବାଳିଆ। ରାଜା ଦେବାଳିଆ ହେଲେ ପ୍ରଜାଏ ହାଡ଼ଭଙ୍ଗା କରଭାର ସହି ତାହା ଭରଣା କରିବାକୁ ବାଧୢ ହୁଅନ୍ତି। ଏବେ ସେଇ ଅବସ୍ଥା।

ମଣିଷ ବଦ୍‌ଖର୍ଚ୍ଚ କରିଛି ପ୍ରକୃତିର ସମସ୍ତ ଆୟ, କୋଠ-ସମ୍ପତ୍ତି। ଏଣିକି ଏ କରୋନା ବଜେଟ୍‌ ବସେଇ ଚାଲିବ କର।

ପ୍ରକୃତିକୁ ବୁଝିଯିବା ଏତେ ସହଜ କଥା ନୁହେଁ। ମଣିଷ ଚନ୍ଦ୍ରରେ, ମଙ୍ଗଳ ଗ୍ରହରେ ପହଞ୍ଚିବାରେ ଲାଗିଛି। ଅଣୁରୁ ପରମାଣୁ, ପ୍ରାକୃତିକ ଜ୍ଞାନରୁ ଡେଇଁ ଅପ୍ରାକୃତିକ ଜ୍ଞାନର କବାଟ ପରେ କବାଟ ଖୋଲୁଛି, ଅଥଚ ଜାଣିପାରୁନି ପ୍ରକୃତି ଫିଟେଇ ସାରିଛି ତା’ର ଭୂତାଣୁ ପେଡ଼ି। ସମସ୍ତ ଭୂତାଣୁ ସ˚କ୍ରମଣ ପ୍ରାକୃତିକ ଅସନ୍ତୁଳନରୁ ଯେ ଉଦ୍‌ଭବ ଏ କଥା ସେଇ ଅଯଥା ଜ୍ଞାନଖୋର ମଣିଷମାନେ ବି ସ୍ବୀକାର କରିବାକୁ ଆରମ୍ଭ କଲେଣି।

ଦେଖିବାର କଥା ଯେ କରୋନା ବଜେଟ୍‌ ଆମ ଲାଗି ଆଣି ଆସୁଛି କ’ଣ? କେମିତି ଅଟକଳ ପ୍ରସ୍ତୁତ ହୋଇଛି ପ୍ରାକୃତିକ ସନ୍ତୁଳନକୁ ଫେରାଇ ଆଣିବା ପାଇଁ।

ପ୍ରଥମ କଥାଟି ହେଲା ମଷିଣର ଆବଶ୍ୟକତାରେ ହିଁ ଘୋର ପରିବର୍ତ୍ତନ ଆଣିବ ଏ ବଜେଟ୍‌। ଉତ୍ପାଦର ପ୍ରାଥମିକତାରେ ଗୋଟାଏ ବଡ଼ ବଦଳ ଆସିବ। ଆମେ ସାଧାରଣତଃ ଦୁଇପ୍ରକାରର ଉତ୍ପାଦ ଦେଖୁ। ଗୋଟିଏ ମୌଳିକଭାବେ ଆବଶ୍ୟକ, ଅନ୍ୟଟି ମୌଳିକରୂପେ ଅନାବଶ୍ୟକ। ଆମ ଆଗରେ ବିଜ୍ଞାପିତ ହେଉଥିବା ଅଧିକା˚ଶ ସାମଗ୍ରୀ ପ୍ରକୃତରେ ମୌଳିକ ଆବଶ୍ୟକତା ଭିତରର କଥା ନୁହନ୍ତି। ଯେମିତି କି ପ୍ରସାଧନ ସାମଗ୍ରୀ, ଦାମୀ ପୋଷାକ ପତ୍ର, ଗାଡ଼ି ମଟର, ମଟର ସାଇକେଲ୍‌, ଚକ୍‌ମକ୍‌ ଘର, ଘର କରଣା, ଗହଣା, ଅଧିକା˚ଶ ସ˚ରକ୍ଷିତ ଖାଦ୍ୟପେୟ ଓ ଅନାବଶ୍ୟକ ଆତ୍ମଘାତୀ ଗବେଷଣା। ଏ ସବୁରେ ଲଗାମ ଲାଗିବ। ସାରା ପୃଥିବୀର ଶ୍ରମିକଶ୍ରେଣୀ ଗୋଟାଏ ଅକଳ୍ପନୀୟ ପରିବର୍ତ୍ତନ ଅନୁଭବ କରିବେ। ଶିଳ୍ପ ଜଗତ୍‌ ଉପରେ ଏ ପ୍ରଭାବ ଅଧିକ ଅନୁଭୂତ ହେବ। ‘‘ଘରେ ଥାଇ କାମ’’ର ଅଭିନବ ପରମ୍ପରା ବୃଦ୍ଧି ପାଇବ। ଗମନାଗମନରେ କଟକଣା ଆସିବ। ବଡ଼ ବଜାର, ଅସମ୍ଭାଳ ସହର, ନଭଶ୍ଚୁମ୍ବୀ ପ୍ରାସାଦମାଳା କ୍ଷତିଗ୍ରସ୍ତ ହେବେ। କାରଣ ଲୋକଗହଳି ହିଁ ଆଗକୁ ପ୍ରାଣଘାତୀ ସାବ୍ୟସ୍ତ ହେବ। ସହରମାନଙ୍କରେ କୋଠାବାଡ଼ିର ନିର୍ମାଣ ଓ ମୂଲ୍ୟରେ ଦ୍ରୁତ ଅବନତି ଆସିବ। ଛୋଟ ଛୋଟ ଗୋଷ୍ଠୀଜୀବନ, ସୀମିତ ପରିସୀମା ବା ନିୟନ୍ତ୍ରଣ-ସାପେକ୍ଷ ପରିସରକୁ ସରକାର ଓ ଲୋକେ ଅଧିକ ପସନ୍ଦ କରିବେ। ସମସ୍ତେ ଚାହିଁବେ ବଞ୍ଚିଯିବା ଭଳି ଖୋଲା ଜାଗା, ପରିଷ୍କାର ପରିଚ୍ଛନ୍ନର ପରିବେଶ। ଦୂର-ଶିକ୍ଷା ପାଠପଢ଼ାରେ ଅସମ୍ଭବ ଉନ୍ନତି ପରିଲକ୍ଷିତ ହେବ। ବାହା, ବ୍ରତ, ସଭା, ସମିତି, ଭୋଜି ଭାତ, ପଟୁଆର, ମେଳଣ ଏ ସମସ୍ତ ସୀମିତ ହୋଇ ଆସିବ। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ପର୍ଯ୍ୟଟନ ଶିଳ୍ପ। ଦେଶ ଦେଶ ଭିତରେ ଉଡ଼ାଣର ଯେ ଅବାଧ ପ୍ରତିଯୋଗିତା ତାହା ନିୟନ୍ତ୍ରିତ ହେବାକୁ ବାଧୢ। ଦେଶମାନେ ଭିସା ବା ଦେଶ ଭିତରକୁ ଅନୁମତି-ପ୍ରବେଶପତ୍ର ଦେବାକୁ ଡରିବେ। କଟକଣା ବଢ଼ିଯିବ। ଦୁଃଖର କଥା ହେଲା ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ଦେଶଗୁଡ଼ିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ।

ଶିଳ୍ପ-ବିପ୍ଳବ ପରେ ସବୁଆଡ଼େ ଶିଳ୍ପ ହିଁ ପାଲଟିଥିଲା ପ୍ରଗତିର ଅସଲ ମାପକାଠି ଏବ˚ ଏଇ ଶିଳ୍ପ ହିଁ ପ୍ରକୃତ କାରଣ ହୋଇଥିଲା ପୁଞ୍ଜିବାଦକୁ ତ୍ବରାନ୍ବିତ କରିବାରେ। ଶିଳ୍ପ ଚାହେଁ ଅଧିକରୁ ଅଧିକ ଉତ୍ପାଦ। ଅଧିକ ଉତ୍ପାଦ ଚାହେଁ ବିଶ୍ବବ୍ୟାପୀ ବଜାର। ସେଇଥିରୁ ଜନ୍ମନିଏ ଅର୍ଥନୈତିକ ସାମ୍ରାଜ୍ୟବାଦର ପରିକଳ୍ପନା, ବିଶ୍ବୀକରଣ, ଗ୍ଲୋବାଲାଇଜେସନ୍‌। ମାଛ-ପୋଖରୀରେ ରାଘବା ମାଛ ସାଜିବାର ସ୍ବପ୍ନ।

କରୋନା ବଜେଟ୍‌ ଏ ସ୍ବପ୍ନକୁ ବ୍ୟାହତ କରିବ। ତା’ର ମୂଳ କାରଣ ହେବ ମୁକ୍ତ ଗମନାଗମନରେ କଟକଣା। ଆକାଶରେ ଉଡ଼ାଜାହାଜ, ଜଳରେ ଜଳଜାହାଜ ନିୟନ୍ତ୍ରଣରେ ନୂଆ ନୀତି ପ୍ରଣୟନ ହେବ। ବିଶ୍ବ ଅର୍ଥନୀତି ସଙ୍କୁଚିତ ହେବ। ପ୍ରତ୍ୟେକ ଦେଶ ଆପଣା ଆପଣା ବଜେଟ୍‌ରେ ସ୍ବାସ୍ଥ୍ୟ, କୃଷି ଓ ଶିକ୍ଷା ସଙ୍ଗକୁ କୁଟୀର ଶିଳ୍ପ ଉପରେ ଅଧିକରୁ ଅଧିକ ଧୢାନ ଦେବାକୁ ବାଧୢ ହେବେ।

କରୋନା ବଜେଟ୍‌ର ପ୍ରଣିଧାନଯୋଗ୍ୟ ଭଲ ଦିଗଟି ହେଲା- ବିଶ୍ବତାପନର ମାତ୍ରା କମିବାକୁ ଲାଗିବ। କୃଷି ଓ କୁଟୀର ଶିଳ୍ପର ପ୍ରାଧାନ୍ୟ ବଢ଼ିବ। ନିକଟ ଅତୀତରେ ଅହଲ୍ୟା ହୋଇ ପଡ଼ିରହିଥିବା ଗହୀରମାଳ ହଳଯୋଗ୍ୟା ହେବେ। ବନସମ୍ପଦରେ ଉନ୍ନତି ଘଟିବ। ଗୋଷ୍ଠୀ ଜୀବନ ଓ ଗ୍ରାମ୍ୟ ଜୀବନର ଆଦର ବଢ଼ିବ। ମଣିଷମାନେ ଅଧିକ ଆତ୍ମସ୍ଥ ଓ ରଚନାତ୍ମକ ହେବେ। ଅଯଥା ସାମଗ୍ରୀର ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ ନାହିଁ। ପଶୁପକ୍ଷୀମାନେ ଅଧିକ ସ୍ବାଚ୍ଛନ୍ଦ୍ୟର ଜୀବନ ବଞ୍ଚିବେ। ସହରର କେନ୍ଦ୍ରୀଭୂତ ଜୀବନ ଓ ନିୟନ୍ତ୍ରଣ ବଦଳରେ ସ୍ବଚ୍ଛ, ବିସ୍ତାରିତ ଗ୍ରାମ୍ୟ ଜୀବନ ପ୍ରତି ଆଭିମୁଖ୍ୟ ବଦଳିଯିବ।

ବଦଳିଯିବ କୋଳାକୋଳି ସମ୍ଭାଷଣ। ହାତହଲା, ନମସ୍ତେ, ଓଳଗିର ପରମ୍ପରା ବଢ଼ିବ। କହିବାର ଅଛି ଏ ‘କରୋନା ବଜେଟ୍‌’ ଭୀତିପ୍ରଦ ହେଲେ ବି ବହୁଳ ପ୍ରାଣଘାତୀ ହେବ ନାହିଁ। ପ୍ରକୃତି ଜିଣିବ। ମଣିଷ ବଂଚିବାର ନୂଆ ରାହା ପାଇବ।

[email protected]

ସମ୍ବନ୍ଧିତ ଖବର