ପାକିସ୍ତାନର ଭାବମୂର୍ତ୍ତି

ଝରକା

ଗଲା ରବିବାର ଠାରୁ ପ୍ୟାରିସରେ ଆରମ୍ଭ ହୋଇଯାଇଥିବା ‘ଫାଇନାନ୍‌ସିଆଲ୍‌ ଆକ୍‌ସନ ଟାସ୍କ ଫୋର୍ସ‌୍’ ବା ‘ଏଫ୍‌ଏଟିଏଫ୍‌’ର ବୈଠକର ଠିକ୍‌ ପୂର୍ବରୁ ‘ଏଫ୍‌ଏଟିଏଫ୍‌’ର ଧୂସର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ପାକିସ୍ତାନ ତାର କଳା ତାଲିକାରେ ଅନ୍ତର୍ଭୁକ୍ତ ହେବାର ଆଶଙ୍କାରୁ ମୁକୁଳିବା ଲାଗି ‘ଲସ୍କର-ଏ- ତୋଇବା’ର ମୁଖ୍ୟ ହଫିଜ ସଇଦକୁ ଏକ ଅଦାଲତୀ ବିଚାରରେ ଏଗାର ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି। ‘ଏଫ୍‌ଏଟିଏଫ୍‌’ର କଳା ତାଲିକା ଭୁକ୍ତ ହେଲେ ପାକିସ୍ତାନକୁ ଅର୍ଥ ସାହାଯ୍ୟ ବନ୍ଦ ହୋଇଯିବ, ଯାହା ସେ ଦେଶର ବିପର୍ଯ୍ୟସ୍ତ ଅର୍ଥନୀତିକୁ ବିଧ୍ବସ୍ତ କରିଦେବ। ଏବେ ପାକିସ୍ତାନ ଦାବି କରିଛି ଯେ ଆତଙ୍କବାଦ ବିରୋଧ ସଂଗ୍ରାମରେ ସେ ବେଶ୍ ନିଷ୍ଠାପର। ଏ କଥା ମଧ୍ୟ ସତ ଯେ ହଫିଜ ସଇଦକୁ ଜେଲ ଦଣ୍ଡାଦେଶ ପରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ପାକିସ୍ତାନର ଉଚ୍ଛ୍ବସିତ ପ୍ରଶଂସା କରାଯାଇଛି। କିନ୍ତୁ ଭାରତ ତାର ପଡ଼ୋଶୀ ରାଷ୍ଟ୍ରର ମତିଗତି ବାବଦରେ ଯଥେଷ୍ଟ ପରିଚିତ ଥିବାରୁ ଏ ନେଇ ବିଶେଷ ଉତ୍ସାହୀ ହେବା ପରିବର୍ତ୍ତେ ପ୍ରଶ୍ନ ଉଠାଇଛି ଯେ ତେବେ ପାକିସ୍ତାନରେ ଆତ୍ମଗୋପନ କରିଥିବା ଆତଙ୍କବାଦୀ ସଂଗଠନ ‘ଜୈସ ଇ ମହମ୍ମଦ’ର ମୁଖ୍ୟ ମାସୁଦ ଅଜହରକୁ ପାକିସ୍ତାନ ଦଣ୍ଡ ଦେଉନାହିଁ କାହିଁକି?

ଏ ସଂଦର୍ଭରେ ପାକିସ୍ତାନ କହିଛି ଯେ ମାସୁଦ ଅଜହରର କୌଣସି ପତ୍ତା ମିଳୁନାହିଁ; ସୁତରାଂ ସେ ପାକିସ୍ତାନ ମାଟିରେ ନାହିଁ। କିନ୍ତୁ ପୃଥିବୀର ସବୁଠାରୁ ଅଧିକ କୁଖ୍ୟାତ ଆତଙ୍କବାଦୀ ଭାବେ ଏକଦା ପରିଚିତ ଓସାମା ବିନ୍ ଲାଡ଼େନ୍‌ ପାକିସ୍ତାନରେ ଲୁଚି ରହିଥିବା ବେଳେ ପାକିସ୍ତାନ ଏହାକୁ ସର୍ବଦା ଅସ୍ବୀକାର କରି ଚାଲିଥିବାର ପୁରୁଣା ଟ୍ରାକ୍‌ ରେକର୍ଡରୁ ତାର ଏକଥା ବିଶ୍ବାସଯୋଗ୍ୟ ହୋଇପାରୁନାହିଁ।

କହିବା ବାହୁଲ୍ୟ ଯେ କାଶ୍ମୀରରେ ଜିହାଦ୍‌ ଆଳରେ ଏବଂ ଆଫଗାନିସ୍ତାନରେ ଆମେରିକାର ପ୍ରରୋଚନାରେ ପାକିସ୍ତାନ ଯେଉଁ ଆତଙ୍କବାଦୀ କାରଖାନା ଖୋଲିଥିଲା, ତାହା ଶୀଘ୍ର ବନ୍ଦ ହେବାର କୌଣସି ସମ୍ଭାବନା ନାହିଁ। ଏବେ ନିଜେ ପାକିସ୍ତାନ ଆତଙ୍କବାଦର ବାରୁଦ ଗଦା ଉପରେ ଛିଡ଼ା ହୋଇଛି। ତେଣୁ ନିଜକୁ ରକ୍ଷା କରିବା ଲାଗି ପାକିସ୍ତାନ କିଛି ପଦକ୍ଷେପ ନେଉଛି ସତ, ହେଲେ, ରାଷ୍ଟ୍ର ବ୍ୟବସ୍ଥାର ଗଭୀର ଅଭ୍ୟନ୍ତରରେ ନିଜର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ବାରା ଆତଙ୍କବାଦୀ କାର୍ଯ୍ୟମାନ ମଧ୍ୟ ଜାରି ରଖିଛି। ଏଭଳି ଶଠାଚାର ଦ୍ବାରା ପାକିସ୍ତାନ ଯେ ଆତଙ୍କବାଦର ମୁକାବିଲା କରିପାରିବ ନାହିଁ, ଏହା ସତ। ଏହା ମଧ୍ୟ ସତ ଯେ ତାର ଭାବମୂର୍ତ୍ତିରେ ମଧ୍ୟ ବି‌େଶଷ ଉନ୍ନତି ଆସିବ ନାହିଁ। କାରଣ ପାକିସ୍ତାନ ଆଉ ବିଶ୍ବ ସମୁଦାୟର ବିଶ୍ବାସଭାଜନ ହୋଇ ରହିନାହିଁ।

ସମ୍ବନ୍ଧିତ ଖବର