ବ୍ୟଥିତ ରବୀନ୍ଦ୍ର ମଣ୍ଡପର ସ୍ବଗତୋକ୍ତି

ପ୍ରତିବେଦନ - ପବିତ୍ର ମୋହନ କର

ରାଜଧାନୀ ଭୁବନେଶ୍ବରର କେନ୍ଦ୍ରସ୍ଥଳରେ ମୋର ଉପସ୍ଥିତି। ଗୋଟେ ପଟେ ଆସେମ୍ଲି , ଏମ.ଏଲ.ଏ, କଲୋନି ଓ ଅନ୍ୟ ପଟେ ବଡ଼ ଡାକଘର, ରିଜର୍ଭ ବ୍ୟାଙ୍କ୍‌ ଓ ଉତ୍କଳ ମଣ୍ଡପ। ମଣିଷର ଜୀବନ, ଯନ୍ତ୍ରଣା, ସ୍ବପ୍ନ, ସଂଘର୍ଷ, ବିଷାଦ ଓ ବାସ୍ତବତାକୁ ନାଟକ ରୂପରେ ଯେଉଁଠି ପ୍ରଦର୍ଶନ କରାଯାଏ, ମୁଁ ସେଇ ମଞ୍ଚ। ମୁଁ ରବୀନ୍ଦ୍ର ମଣ୍ଡପ।

ଗଲା ମାର୍ଚ୍ଚ ମାସ ଆରମ୍ଭରେ ‘ପୂର୍ବରଙ୍ଗ’ ନାଟ୍ୟ ଉତ୍ସବର ଭବ୍ୟ ଆୟୋଜନରେ ଝଲସି ଉଠିଥିଲି ମୁଁ। ବାସ୍‌, ତା’ ପରଠାରୁ ମୋ ପରିସରରେ ଶ୍ମଶାନର ନିରବତା। ସରକାରଙ୍କ ଆଦେଶାନୁସାରେ ମୋତେ ତାଲାବନ୍ଦ କରି ଦିଆଗଲା, ‘ଉତ୍ତର ପୁରୁଷ’ ସମେତ ଓଡ଼ିଶାର ଅନେକ ନାଟ୍ୟସଂସ୍ଥାଙ୍କର ବାର୍ଷିକ ନାଟ୍ୟ ମହୋତ୍ସବ ବାତିଲ ହେଇଗଲା। ପାଖାପାଖି ଛ’ମାସ ହେଲା ମୋ ରଙ୍ଗଶାଳା ଶୂନ୍ୟ, ମୋ ନାଟ ମଣ୍ଡପ କୋଳାହଳ ଶୂନ୍ୟ, ମୋ ଅଗଣା ଧୂଳି ଭରା।

ଇତି ମଧ୍ୟରେ ଚାଲିଗଲେ ଓଡ଼ିଆ ନାଟକର ପିତାମହ ବିଜୟ ମିଶ୍ର। ଯାହାଙ୍କ ରଚିତ ସଂଳାପ ଉଚ୍ଚାରଣରେ ମୁଁ ଝଂକୃତ ହେଉଥିଲି। ‘ମଣିଷ ହାଟ’ର ହାଟୁଆଙ୍କର ହାଟ ସଉଦା କ’ଣ ଏମିତି ଅଚାନକ ସରେ? ମୋ ଅଗଣା ଝୁରୁଥିଲା ତାଙ୍କ ଅନ୍ତିମ ଦର୍ଶନ ପାଇଁ। କିନ୍ତୁ କରୋନା କଟକଣା ବାଧକ ସାଜିଲା।

ବିନ୍ଦାସ ବିଜୟ ମହାନ୍ତି ବି ଚାଲିଗଲେ। ବିଶ୍ୱାସ କରି ପାରିଲିନି। ମଞ୍ଚ ଓ ଅଭିନୟ ଛାଡ଼ି ସିଏ କ’ଣ ଯାଇପାରନ୍ତି? ତାଙ୍କ ସାବଲୀଳ ସଂଳାପ ନିଶୂନ ରାତିର ପ୍ରଥମ ପ୍ରହରରେ ଏବେ ବେଶି ବେଶି ଶୁଭୁଛି। ତାଙ୍କ ସଦର୍ପ ଛାଇ ଏଇ ପାଖଆଖରେ ଘୂରି ବୁଲୁଛି ଯେମିତି!

ଦୀର୍ଘ ପଚାଶ ବର୍ଷ ଧରି ମୋ ପରିସରକୁ ନିଜ ଠିକଣା କରିଥିବା ମୋ ଆତ୍ମୀୟ ତଥା ପ୍ରଖ୍ୟାତ ଚିତ୍ରଶିଳ୍ପୀ, ମଞ୍ଚ ମଣିଷ ସ୍ବର୍ଗତ ଅସୀମ ବସୁଙ୍କ ପୂର୍ଣ୍ଣାବୟବ ପ୍ରତିମା ମୋ ହତା ଭିତରେ ପ୍ରତିଷ୍ଠା ହେଲା। କି ଦର୍ପିତ ଠାଣି! ସତେ ଯେମିତି ମତେ ପଚାରୁଛନ୍ତି ‘‘କ’ଣ ଚିହ୍ନି ପାରୁନୁ ମତେ? ମଞ୍ଚରେ ମୋ ହାତୁଡ଼ି ପିଟିବାର ଶବ୍ଦ ମନେ ପଡୁନି? ଘଡ଼ଘଡ଼ି ପରି ମୋ ସ୍ବର, ମଞ୍ଚ ସାମନା ଧାଡ଼ିର ସେଇ ନିର୍ଦ୍ଦିଷ୍ଟ ସିଟ୍…!’’ ତାଙ୍କ ଶ୍ୱାସ-କ୍ଳିଷ୍ଟ ନିଃଶ୍ବାସର ଶବ୍ଦ ଏବେ ବି ମୋ କାନ୍ଥରେ ବାଜି ପ୍ରତିଧ୍ବନି ସୃଷ୍ଟି କରୁଛି। କରୋନା ନଥିଲେ ପ୍ରତିମା ପ୍ରତିଷ୍ଠା ଦିବସଟି ଉତ୍ସବମୁଖର ହେଇଥାନ୍ତା ନିଶ୍ଚିତ।

ଛ’ମାସ ହେଇଗଲା ମୋ ଗେଟ୍‌ ଠାରେ ଗେଣ୍ଡୁମାଳଟିଏ ଝୁଲିନି। ମୋ ପାଚେରିରେ ବ୍ୟାନରଟିଏ ଲାଗିନି। ଛ’ମାସ ହେଇଗଲା ମୋ ଅବୟବରେ ରଙ୍ଗବେରଙ୍ଗର ଲିଚୁ ହାରଟିଏ ସଜା ହେଇନି। ରଜ ଗଲା, କୁଆଁର ପୁନେଇଁ ଗଲା। ଅଥଚ ମୋ ରଙ୍ଗଶାଳାରେ କୋଳାହଳ ନାହିଁ। ମାଇକ୍ ଓ ଲାଇଟ୍‌ର ଆୟୋଜନ ନାହିଁ। ବାଦ୍ୟଯନ୍ତ୍ରର ଗୁଞ୍ଜନ ନାହିଁ। ଗୀତ ନାହିଁ, ଗଜଲ ନାହିଁ। ଛ’ମାସ ହେଇଗଲା ମୋ ଛାତି ଉପରେ କେହି ନାଚିନି କିମ୍ବା ତାଳିମାଡ଼ରେ କମ୍ପିଉଠିନି ମୋ ସତ୍ତା। କ୍ଳାନ୍ତ ପଥିକଟିଏ ବାଟଭାଙ୍ଗି ପଶି ଆସିନି ମୋ ଭିତରକୁ ଟିକେ ଶୀତଳ ଆଶ୍ବାସନା ପାଇଁ। ପୁରସ୍କାର କି ମାନପତ୍ର ପ୍ରାପ୍ତିରେ ଆତ୍ମହରା ହୋଇ କେହି ମୋ ଛାତି ଉପରେ କୁଦିନି। ଖୁସିରେ ହଉ କି କୃତଜ୍ଞତାରେ କେହି ବି ମତେ ଥରେ ଛୁଇଁ ନିଜ ମଥାରେ ଟିପ ମାରିନି।

ଗୋଟେ ଅନାହୂତ ହାହାକାରରେ ମୁଁ ଯେମିତି ମୂକ ପାଲଟି ଯାଇଛି। ମଞ୍ଚ ସଜା, ଆଲୋକ ସଜା, ସ୍ବର ଓ ସଂଗୀତରେ ସହାୟତା କରି ଦି’ପଇସା ରୋଜଗାର କରିବାକୁ ଯେଉଁମାନେ ମୋ ଉପରେ ନିର୍ଭର କରନ୍ତି, ସେମାନଙ୍କ ଦୁରବସ୍ଥା ମତେ ବ୍ୟଥିତ କରୁଛି। ମନୋରଞ୍ଜନ ମାଧ୍ୟମରେ ମୁଁ ବିଷାଦ, ଅବସାଦ ଓ କର୍ମଜଞ୍ଜାଳଗ୍ରସ୍ତ ମଣିଷମାନଙ୍କୁ ସାମୟିକ ଆଶ୍ୱସ୍ତି ପ୍ରଦାନ କରେ। କିନ୍ତୁ ଏବେ ତ ମୋ ଦୁଆରେ ତାଲା!

ଏ କରୋନା ଏମିତି କେଉଁ ନାଟକର ଦୃଶ୍ୟଟିଏ ଯେ ବିନା ପ୍ରେକ୍ଷାଳୟ, ବିନା ମଞ୍ଚରେ ସାରା ଜଗତ୍‌ ନାଚୁଛି? କାହା ନିର୍ଦ୍ଦେଶନାରେ ସମଗ୍ର ବିଶ୍ବକୁ ମଞ୍ଚ କରି ସବୁ ମଣିଷ ଜଣେ ଜଣେ ଅଭିନେତା ସାଜି ଛ’ମାସ ହେଲା ନାଚୁଛନ୍ତି? କିଏ ଏହି କ୍ରୂର ନାଟକର ସୂତ୍ରଧର? କିଏ?

ଏକବିଂଶ ଶତାବ୍ଦୀର ଅନୁଶାସନହୀନ ମଣିଷକୁ ସମୁଚିତ ଶିକ୍ଷା ଦେବା ପାଇଁ ବିଶ୍ବନିୟନ୍ତାଙ୍କର ସମ୍ଭବତଃ ଇଏ ଏକ ଭୟଙ୍କର ବ୍ୟୂହ ରଚନା। ଜୀବନ ନାଟକର ଏକ ଅକଳ୍ପନୀୟ ମୋଡ଼ରେ ଏବେ ସମଗ୍ର ମଣିଷ ସମାଜ। ସବୁଠି ଭୟର ବାତାବରଣ। ତେବେ କ’ଣ ଦର୍ଶକଙ୍କ ତାଳି ସହ ତାଳ ଦେଇ ମୋ ଛାତି ଦୁଲୁକେଇ ଆଉ ନାଟକ ମଞ୍ଚସ୍ଥ ହେବନି?

ଯେଉଁ କବିଗୁରୁଙ୍କ ନାମରେ ମୁଁ ନାମିତ, ତାଙ୍କରି ଉକ୍ତିଟିକୁ ସ୍ମରଣ କରି ମୁଁ ନିଜକୁ ଆଉ କେତେଦିନ ପ୍ରବୋଧନା ଦେଉଥିବି? ରବୀନ୍ଦ୍ରନାଥ କହିଥିଲେ ‘ବିଶ୍ବାସ ଗୋଟେ ଏମିତି ପକ୍ଷୀର ନାଁ, ଯିଏ ଆଲୋକକୁ ଅନୁଭବ କରି ଭୋର ପୂର୍ବର ଅନ୍ଧାରରେ ବି ଗୀତ ଗାଏ’। ସେଇ ବିଶ୍ବାସକୁ ଆଧାର କରି ମୁଁ ଅପେକ୍ଷା କରିଛି କେବେ ଜୀବନ ନାଟକ ହେଇ ମଞ୍ଚକୁ ଫେରିବ, ପୁଣି ଥରେ ନାଟକ ଜୀବନ୍ୟାସ ପାଇବ ଓ ଜୀବନର ଜୟ ହେବ!

ଫକିରାବାଦ, ଠାକୁର ପାଟଣା, କେନ୍ଦ୍ରାପଡ଼ା

ସମ୍ବନ୍ଧିତ ଖବର