ଏକ ବୁଲା କୁକୁରର ମୃତ୍ୟୁଲେଖ

ସୃଜନ ପ୍ରକାଶ ଦାସ

ଜୟଦେବ ବିହାର ସରକାରୀ ବାସଭବନ ଇଲାକାରେ ରହୁଥିବା ଗୁଡ଼ିଏ ବୁଲା କୁକୁରଙ୍କ ମଧ୍ୟରେ ସେ ଥିଲା ଭିନ୍ନ। ନା, ରଙ୍ଗରେ ନୁହଁ, ପ୍ରଜାତିରେ ମଧୢ ନୁହଁ। ସେହି ଚିରାଚରିତ ସାଧାରଣ କହରିଆ ରଙ୍ଗ, ଦେହରେ କର୍କଶ ଲୋମ। ନିଜ ସାଥୀମାନଙ୍କ ସହିତ କେତେବେଳେ ଖେଳେ ତ ପୁଣି କେତେବେଳେ ଝଗଡ଼ା କରେ ବିନା କାରଣରେ। ଅଧିକା˚ଶ ସମୟରେ ଥାଏ ଅପରିଷ୍କାର ଅପରିଚ୍ଛନ୍ନ। କେତେବେଳେ ମାଟି ବୋଳା ଦେହ ତ ପୁଣି କେତେବେଳେ ପାଉଁଶ କିମ୍ବା ପୁଣି କେତେବେଳେ ବର୍ଷାରେ ଭିଜି ସଫା ସୁତୁରା। ହେଲେ ତା’ ଚାଲିରେ, ଠାଣିରେ, ବ୍ୟବହାରରେ ସେ ଥିଲା ପୂରା ଅଲଗା। କହରିଆ ରଙ୍ଗ ଉପରେ କପାଳରେ ତାର ଥିଲା ଗୋଟାଏ ଧଳା ରଙ୍ଗର ମୋଟା ତିଳକ। ସେଥିପାଇଁ ତା’ ନାଁ ଆମେ ଦେଇଥିଲୁ ତିଲୁ। ସକାଳୁ ରାତି ଯାଏ ରାସ୍ତାରେ ଖାଲି ଦଉଡ଼ୁଥାଏ ଏପଟରୁ ସେପଟ- କେତେବେଳେ ଖାଦ୍ୟ ଅନ୍ବେଷଣରେ ତ କେତେବେଳେ ଅଚିହ୍ନା କାହାକୁ ଦେଖି ଭୁକି ତଡ଼ିବାରେ। ବୋଧହୁଏ ସେ ଥିଲା ତା ଦଳର ଦଳପତି। ଅନେକ କୁକୁର ତାକୁ ପଶ୍ଚାତଧାବନ କରନ୍ତି, ଯେଉଁମାନଙ୍କ ମଧ୍ୟରେ ଥିଲେ ତା’ର ପୁଅ-ଝିଅ ପୁଣି ନାତିନାତୁଣୀ। କିନ୍ତୁ ଘଟଣାଚକ୍ରରେ ବୁଲା ହୋଇଥିଲେ ମଧ୍ୟ କେତେବେଳେ ଯେ ସେ ଆମର ପୋଷା ପାଲଟି ଯାଇଥିଲା ଆମେ ଜାଣି ପାରିନଥିଲୁ।

ଠିକ୍‌ ପୋଷା ଅର୍ଥରେ ପୋଷା ନୁହଁ। ସରକାରୀ ଫ୍ଲାଟ୍‌ର ୧ମ ତାଲାରେ ରହୁ ବୋଲି ତାକୁ ଘରେ ରଖିବାର ସୁବିଧା ନ ଥିଲା। ଯଦିଓ କେତେବେଳେ କେମିତି ମନକୁ ମନ କହିଛୁ- ତଳ ତାଲାରେ କ୍ବାର୍ଟରଟା ମିଳିଥିଲେ ସେମାନଙ୍କ ପାଇଁ- ଅନ୍ତତଃ ତିଲୁ ପାଇଁ- ରହିବାର କିଛି ଗୋଟାଏ ବ୍ୟବସ୍ଥା କରାଯାଇପାରିଥାନ୍ତା। ନା, ତାହା ସମ୍ଭବ ନ ଥିଲା। ଅନ୍ୟ ପଡ଼ୋଶୀମାନଙ୍କର କଥା ଭାବି, ତା’କୁ ଉପର ତାଲାକୁ ଆଣିବାର ଦୁଃସାହସ କରିନାହୁଁ। ଯଦିଓ ଅନେକ ଥର ସେ ସୁଯୋଗ ଉଣ୍ତି ପାହାଚ ଚଢ଼ି ଆମ ଦୁଆର ପାଖରେ ଚୁପଚାପ ଶୋଇରହେ କିମ୍ବା କୁଁ କୁଁ କରି ଆମକୁ ଡାକେ। ସେତିକି ବେଳେ ତାକୁ ବାହାରକୁ ନେବା ଥିଲା କାଠିକର ପାଠ। କେତେବେଳେ ବଳ ପ୍ରୟୋଗ କରି ତ କେତେବେଳେ ଧମକ ଦେଇ ପୁଣି କେତେବେଳେ ଗେଲରେ ଭୁଲେଇ ତିଲୁକୁ ଗେଟ୍‌ ବାହାରକୁ ତଡ଼ିବାକୁ ବାଧ୍ୟ ହୋଇଛୁ।

କ୍ରମେ ତା’ ପ୍ରତି ଏକ ଦୁର୍ବାର ଦୁର୍ବଳତା ଆମ ଭିତରେ ଗଢ଼ି ଉଠିଥିଲା। ତା’ପାଇଁ ଏକ ନିର୍ଦ୍ଦିଷ୍ଟ ଶସ୍ତା ବ୍ରାଣ୍ତର ବିସ୍କୁଟ୍‌ ଆସେ। କାରଣ ତାକୁ ଭଲ ଦାମିକିଆ ବିସ୍କୁଟ, ପାଉଁରୁଟି ଭଲ ଲାଗେନା। ବିସ୍କୁଟ ଖାଇଲା ପରେ ଆମ ସହିତ ଖେଳେ, ଦଉଡ଼େ, ଗୋଡ଼ ମଝିରେ ପଶି ଘସି ହୁଏ। ଆକଟ କଲେ କ’ଣ ଗୁଡ଼ାଏ କହିଯାଏ। ତା’ର ସମସ୍ତ ସ୍ନେହ, ଆଦର, ଅଭିମାନ ସେ ତାରି ଭାଷାରେ ସେମିତି ପ୍ରକାଶ କରେ। ବେଳେ ବେଳେ ମନରେ ପ୍ରଶ୍ନ ଆସେ। ସତରେ ସେ କ’ଣ ଆମକୁ ବୁଝିପାରୁଥିଲା। ତା’ ନ ହେଲେ ଆମ ମନ ଉଦାସ ଥିଲେ ସେ କାହିଁକି ଚୁପଚାପ ଥାଏ? ମୋ ବାପାଙ୍କର ଦେହାନ୍ତର ପ୍ରାକ୍‌ ସୂଚନା ଆମେ ପାଇଥିଲୁ ତା’ରି ପାଖରୁ। ରାତିରେ କେମିତି ଅଲଗା ପ୍ରକାର କାନ୍ଦିଥିଲା ସେ।

କିଛି ବର୍ଷ ତଳର କଥା। ଦିନେ ସକାଳେ ତିଲୁର ଆର୍ତ୍ତଚିତ୍କାର ଶୁଣିଲୁ। ଆମ ଛାତିରେ ହୃତ୍‌ପିଣ୍ତ ଯେମିତି ହାତୁଡ଼ି ଭଳି ପିଟି ହେଉଥାଏ। ବାହାରେ ଦେଖିଲୁ କିଛି କର୍ମଚାରୀ ଏକ ନିର୍ଦ୍ଦିଷ୍ଟ କୌଶଳ ପ୍ରୟୋଗ କରି ତିଲୁ ଓ ତା’ର କିଛି ସାଥୀଙ୍କୁ ଜୋର ଜବରଦସ୍ତ ଗୋଟାଏ ଗାଡ଼ିରେ ଲଦୁଛନ୍ତି। ସମସ୍ତେ ପ୍ରାଣ ବିକଳରେ ଚିତ୍କାର କରୁଛନ୍ତି। କିଛି ବୁଝିବା ପୂର୍ବରୁ ତିଲୁକୁ ନେଇ ସେମାନେ ସେଠାରୁ ଚାଲିଯାଇଥିଲେ। ବୁଝିପାରିଲି ଯେ ବିଏମ୍‌ସି କର୍ମଚାରୀମାନେ ସେମାନଙ୍କୁ ନେଇ ଗଲେ। ଆଉ ଆଗକୁ ଭାବିବା ଲାଗି ସାହସ ହେଲା ନାହିଁ। ଛାତିରେ ହାହାକାର ସୃଷ୍ଟି ହୋଇଗଲା।

ମନେ ଅଛି ସେଦିନ ସବୁ କିଛି ଛାଡ଼ି ସିଧା ଧାଇଁଥିଲି ବିଏମ୍‌ସି ଅଫିସ। ଦୁଇ ତିନି ଜଣ ବାବୁଙ୍କ ପାଖରୁ ହତାଶ ହେବା ପରେ କେହି ଜଣେ ଜଣାଇଲେ ଯେ ସେମାନଙ୍କୁ ସହିଦ ନଗର ପଶୁ ଚିକିତ୍ସାଳୟକୁ ନିଆଯାଇଛି ବନ୍ଧ୍ୟାକରଣ ପାଇଁ। ଦୁଇ ତିନି ଦିନ ପରେ ସୁସ୍ଥ ହେଲେ ପୁଣି ସେହି ଅଞ୍ଚଳରେ ହିଁ ଛଡ଼ା ହେବେ। ସେହି ଠାରୁ ଧାଇଁଥିଲି ସହିଦନଗର ପଶୁ ଡାକ୍ତରଖାନା। ଦେଖିଲି ସେଠି ଗୋଟିଏ ଗୋଟିଏ ଖୁଆଡ଼ରେ ଅଛନ୍ତି ତିଲୁ, କାଲୁ, ଟୁକ୍‌ଟୁକ୍‌, ଚିନି ଇତ୍ୟାଦି। ସେଠାକାର ଜଣେ କର୍ମଚାରୀ ଜଣାଇଲେ- ଅପରେସନ ସରିଯାଇଛି। ନିଶା କଟି ନାହିଁ! ସେଥିଲାଗି ଶୋଇଛନ୍ତି। ଦୁଇ ତିନି ଦିନ ଭିତରେ ଠିକଣା ଜାଗାରେ ଛାଡ଼ିଦେବୁ। ସତ କଥା। ପୁଣି ଫେରିଥିଲା ତିଲୁ।

କିନ୍ତୁ ତିଲୁ ବୁଢ଼ା ହୋଇଆସୁଥିଲା। କ୍ରମେ ତାର ଦାନ୍ତ ସବୁ ପଡ଼ିବାକୁ ଆରମ୍ଭ କରିଦେଲା। ଦୃଷ୍ଟିଶକ୍ତି ମଧୢ ଦୁର୍ବଳ ହୋଇଯାଇଥିଲା। ଦଳପତିର ଠାଣି ନିଷ୍ପ୍ରଭ ହୋଇଆସୁଥିଲା। ସେହି ମଧୢରେ ଆସିଗଲା କରୋନା ମହାମାରୀ। ଆମେ ମଣିଷମାନେ ନିଜ ନିଜ ଜୀବନ ରକ୍ଷା ଉଦ୍ଦେଶ୍ୟରେ ଯଥା ସମ୍ଭବ ଘର ଭିତରେ ନିଜକୁ ବନ୍ଦୀ କରି ରଖିବା ବେଳେ ତିଲୁ ସହିତ ସାକ୍ଷାତ ଯେ କେତେବେଳେ କମି ଯାଇଛି ଲକ୍ଷ୍ୟ ରହିନାହିଁ। ଯେଉଁଦିନ ତାହା ହେଜକୁ ଆସିଲା ରାସ୍ତା ଉପରକୁ ଆସି ସେଇ ନିର୍ଦ୍ଦିଷ୍ଟ ସ୍ବରରେ ସୁଶୁରି ମାରିଲି, ଯାହା ଶୁଣିଲେ ସେ ତୀର ବେଗରେ ଛୁଟି ଆସେ। ଏଥର କିନ୍ତୁ ସେ ଆସିଲା ନାହିଁ। କାଳେ କୁଆଡ଼େ ଥିବ ବୋଲି ଭାବି ନେଲି। ଅଥଚ ଯେଉଁ ଦିନ ସକାଳେ ଅଧୈର୍ଯ୍ୟ ହୋଇ ଗଳି ଗଳି ବୁଲି ଖୋଜିଲି, ସେଦିନ ଭେଣ୍ତି˚ ଜୋନ୍‌ର ଜଣେ ଦୋକାନୀଙ୍କ ଠାରୁ ଶୁଣିଲି ଏହି ଭିତରେ ହିଁ ତିଲୁ ଆମକୁ ଛାଡ଼ି ଚାଲି ଯାଇଛି ଆର ପାରିକୁ।

ଏବେ ବି ତିଲୁ କଥା ମନେ ପଡ଼ିଗଲେ ହୃଦୟ ଭାରୀ ହୋଇ ଉଠେ। ସେ ପ୍ରକୃତରେ କାହାର ଥିଲା? ରାସ୍ତାର ନା ଆମର? ସଡ଼କରେ ରହି ବି ଫ୍ଲାଟ୍‌ରେ ରହୁଥିବା ମଣିଷଙ୍କ ସହିତ ସ˚ପର୍କ ଯୋଡ଼ିଥିଲା। କରୋନା ଯେତେବେଳେ ମଣିଷମାନଙ୍କୁ ସେମାନଙ୍କ ଘର ଭିତରେ ବୁଜି ଦେଲା, ହୁଏ’ତ ତିଲୁ ବୁଝିନେଲା ତାର ସ୍ଥାନଟି କେଉଁଠି! ତେଣୁ ସେ ବୋଧହୁଏ ନିଃସଙ୍ଗତା ଭିତରେ ଶେଷ ନିଃଶ୍ବାସ ତ୍ୟାଗ କରିବାକୁ ଖଣ୍ତେ ଦୂରକୁ ଚାଲିଗଲା। କିନ୍ତୁ ମୁଁ ଭାବୁଛି ତିଲୁକୁ କହିପାରନ୍ତି ଯେ ତୁ କେବଳ ରାସ୍ତାର ନ ଥିଲୁ। ଆମ ହୃଦୟରେ ବି ତୁ ରହିଥିଲୁ!

ଡି-୮୨, ଜୟଦେବ ବିହାର
ଭୁବନେଶ୍ବର-୧୩
ମୋ-୯୪୩୮୧୪୯୭୬୧

ସମ୍ବନ୍ଧିତ ଖବର