ପିଲାଦିନର କଥା।

Advertisment

ଆମ ଗାଁ’ଟା ଥିଲା ନିପଟ ମଫସଲ। ଗାଁର ତିନି ପଟକୁ ଘେରି ରହିଥାଏ ପାହାଡ଼, ଜଙ୍ଗଲ, ଆଉ ପୂର୍ବ ପଟେ ଦିଗ୍‌ବଳୟ ଛୁଇଁଥାଏ ଗହୀରମଥା। ତା’ ମଝି ଦେଇ ସାପ ପରି ଲମ୍ବି ଯାଇଥାଏ ଦକ୍ଷିଣ ପୂର୍ବ ରେଳପଥ। ବିଜୁଳି ବତି କେମିତି, ଆମେ ଜାଣି ନଥିଲୁ। ଏପରିକି ପାଖ ନିରାକାରପୁରରେ ମଧ୍ୟ ବିଜୁଳି ବତି ନ ଥିଲା। ସନ୍ଧ୍ୟା ସାତଟା ବାଜିଲା ‌ବେଳକୁ ଗାଁରେ ତାଟି କବାଟ ପଡ଼ିଯାଉଥିଲା। ଭୋର ଚାରିଟା ବେଳକୁ ଦୂରରୁ ଭାସି ଆସେ ଦୁମ୍‌ଦୁମ୍ ଶବ୍ଦ। ବୋଉ ଡାକ ପକାଏ- ‘ଉଠିପଡ଼ରେ! କେଉଟ ଘରେ ଚୁଡ଼ା ପାହାର ପଡ଼ିଲାଣି। ସକାଳ ହେଇଗଲା।’

ଏଇ ଚୁଡ଼ା ପାହାର ହେଉଛି ଢିଙ୍କିର ଶବ୍ଦ।

ସେ ସମୟର ପଲ୍ଲୀ ଜୀବନରେ ଢିଙ୍କିର ମହତ୍ତ୍ବ ଥିଲା ସର୍ବାଧିକ। ଧାନ କୁଟି ଚାଉଳ କରିବା ଏବଂ ଚୁଡ଼ା ପ୍ରସ୍ତୁତ କରିବା, ସବୁଥିରେ ବ୍ୟବହାର ହେଉଥିଲା ଢିଙ୍କି। ତା’ ଛଡ଼ା ପର୍ବପର୍ବାଣିରେ ମଧ୍ୟ ଢିଙ୍କି ପୂଜା ହେବାର ବିଧି ଥିଲା। ଚାଳ ଘରର ପଛ ଆଡ଼କୁ ଲମ୍ବି ଆସିଥିବ ଖଣ୍ଡେ ଚାଳିଆ, ଚାରିପଟେ ଉଠିଥିବ ମାଟି ତିଆରି ଅଧା କାନ୍ଥି; ଏବର ପାରାପିଟ୍ ପରି। ଏହାର ନାଁ ଥିଲା ଢିଙ୍କି ଚାଳି। ଚାଳି ଉପରେ ମାଡ଼ିଥିବ ପୋଇ ଆଉ କଖାରୁ ଡଙ୍କ। ତଳେ ଗୋବର ଲିପା ଚଟାଣରେ ଶୋଭା ପାଉଥିବ ଢିଙ୍କି। ଘରର କାମଦାମ ସାରି ଶାଶୂ, ବୋହୂ ଆସିବେ ଢିଙ୍କିଶାଳକୁ। ବୋହୂ ଢିଙ୍କି ଲାଞ୍ଜିରେ (ଢିଙ୍କିର ଶେଷ ଭାଗ) ଠିଆ ହୋଇ ଧାନ କୁଟିବ ଆଉ ଶାଶୂ ଢିଙ୍କିର ଭରାଣ୍ଡି (ଅଗ୍ର ଭାଗରେ ଥିବା ଗାତ, ଯେଉଁଠି ଧାନ ଭର୍ତ୍ତି କରାଯାଇ ଢିଙ୍କି ସମାର ପାହାର ପଡ଼େ) ପାଖରେ ବସି ଧାନ ଭର୍ତ୍ତି କରିବ ଓ ଓଲଟ ପାଲଟ କରିବ।

ଆମର ତ ଜମି ସେମିତି କିଛି ନ ଥିଲା; ତେଣୁ ଢିଙ୍କି ନ ଥିଲା। ପଡ଼ିଶା ବାଲିଆ ମାମୁଁ ଘର ଢିଙ୍କି ଥିଲା। ଏବେ ଯେମିତି ଖାଲି ଅଙ୍କଲ ଆଣ୍ଟି ସମ୍ପର୍କ, ସେତେବେଳେ ସେମିତି ନ ଥିଲା। ଗାଁ ସାରା ଗୋଟିଏ ପରିବାର ପରି। ମୋ ବୋଉକୁ ଯିଏ ଅପା ଡାକିବ, ତାକୁ ମୁଁ ମାମୁଁ ଡାକିବି- ଆଉ ଏଇ କ୍ରମରେ ସମ୍ପର୍କର ଡୋରି ଲମ୍ବି ଥିବ। ପଡ଼ିଶା ଘର ଆଈ ଓ ମାଈଁମାନେ କାମଦାମ ସାରି ଗୁଣ୍ଡିଦିଆ ପାନ ଖଣ୍ଡେ ଖଣ୍ଡେ କଳରେ ଜାକି ବାଡ଼ି ପଟ ଢିଙ୍କିଶାଳକୁ ଆସନ୍ତି। ମାଈଁ ଢିଙ୍କି ଲାଞ୍ଜିରେ ଠିଆ ହୋଇ ଧାନ କୁଟେ ଆଉ ଆଈ ଭରାଣ୍ଡି ପାଖରେ ବସି ଧାନ ଭୁଞ୍ଜେଇ ଦିଏ। ଆଉ ଜଣେ ମାଈଁ କୁଟା ଧାନକୁ ପାଛୁଡ଼େ। କୁଟି କୁଟି ହାଲିଆ ହୋଇଗଲେ ଦୁଇ ମାଈଁ କାମ ଅଦଳବଦଳ କରି ଦିଅନ୍ତି।

ଶ୍ରମ ଲାଘବ ହେବା ପାଇଁ ଆଈ ଓ ମାଈଁମାନେ ମିଶି ଢିଙ୍କିକୁ ଉପଲକ୍ଷ୍ୟ କରି ବିଭିନ୍ନ ଗୀତ ମଝିରେ ମଝିରେ ଗାଉଥାନ୍ତି, ଯେମିତିକି :
‘ଢିଙ୍କି ଦେ ଚମକେଇ ଲୋ...
ସମା କୁଟଇ ଧାନ,
ଢିଙ୍କି ଉପରେ ଦି’ ସଉତୁଣୀ ଖାଆନ୍ତି ବଙ୍ଗାଳି ପାନ।
ଢିଙ୍କି ଦେ ଚମକେଇ ଲୋ...।’

ଶାଶୂବୋହୂଙ୍କର ସବୁ ମନୋମାଲିନ୍ୟ ଓ ଝଗଡ଼ା ଏଇ ଢିଙ୍କି ଶାଳରେ ସମାଧାନ ହୋଇଯାଏ। ପୂର୍ବ ଦିନ ଠୁ ଅବିରାମ କଳି ଲାଗି ସାହିକୁ ଉଠାପକା କରିଥିବେ, ଏଣେ ଧାନ କୁଟିଲା ବେଳେ ମାଈଁ ହାଲିଆ ହେଇଗଲେ ଆଈ ଆସିକି ପଣତ କାନିରେ ତା’ ମୁହଁ ପୋଛି ଦେଉଥିବ। ଥରେ ଢିଙ୍କି ସମାରେ ଆଈର ଆଙ୍ଗୁଠି ଛେଚି ହେଇଗଲା। ଆଃ, ମାଈଁର କି କାନ୍ଦ!
ସେତେବେଳେ ସ୍ତ୍ରୀଲୋକମାନେ ଗୋଟେ ଢଗ କହୁଥିଲେ-
‘ଢିଙ୍କିରେ କୁଟିଲି ଚଷୁ, କଳି କରୁଥିବେ ଶାଶୂ।’

ଅର୍ଥ ହେଉଛି, ଚଷୁ କୁଟିବା ଯେମିତି ନିଷ୍ଫଳ, ଶାଶୂବୋହୂ କଳି ସେମିତି ମୂଲ୍ୟହୀନ।

ଧାନ କୁଟାହେଇ ଶେଷ ଥର ପାଛୁଡ଼ା ହେଲା ପରେ ଯେଉଁ ସରୁ କୁଣ୍ଡା ବାହାରେ, ତା’ ନାଁ ହେଉଛି କାଣ୍ଡିଆ କୁଣ୍ଡା। ଅରୁଆ ଧାନର କାଣ୍ଡିଆ କୁଣ୍ଡା ଖାଲିରେ ଖାଇଲେ ମିଠା ଲାଗେ। ସେଥିରେ ଚାଉଳ, କଦଳୀ, ଛେନା, ନଡ଼ିଆ, ଗୁଡ଼ ଆଦି ପକେଇ ଛଣା ପିଠା ତିଆରି ହୁଏ ଓ ଲକ୍ଷ୍ମୀଙ୍କ ପାଖରେ ଭୋଗ ଲାଗେ। ଏହି ପିଠା ଏତେ ପୁଷ୍ଟିକର ଥିଲା ଯେ ସେତେବେଳେ କହୁଥିଲେ, ବୁଢ଼ୀ ବି ଯଦି ଏ ପିଠା ଖାଏ, ସେ ଯୁବତୀଟିଏ ପରି ସୁନ୍ଦରୀ ହୋଇଯିବ।

ସବୁବେଳେ ତ’ ଧାନକୁଟା ହୁଏନି! ତେଣୁ ଢିଙ୍କିଶାଳ ପାଲଟିଯାଏ ବିବାହଯୋଗ୍ୟା ଝିଅମାନଙ୍କର ବୈଠକଖାନା। ପଡିଶାଘରର ଟିକନ ମାଉସୀ ତା’ ସାଙ୍ଗମାନଙ୍କୁ ଧରି ଦି’ ପହର ସାରା ଆଡ଼୍ଡା ଜମେଇ ଥାଏ ଢିଙ୍କିଶାଳରେ। ସେଠାକୁ ତ କୌଣସି ପୁଅ ପିଲାର ଆତଯାତ ମନା; ତେଣୁ ଝିଅମାନେ ଅଧା କାନ୍ଥିରେ, ଢିଙ୍କି ଉପରେ ବସି ଗପସପ କରନ୍ତି। ଛାନ୍ଦ ରତ୍ନାକର, ମଥୁରାମଙ୍ଗଳ ବୋଲନ୍ତି। କଉଡ଼ି, କାଞ୍ଜିଗାତି ଖେଳନ୍ତି। କାନ୍ଦଣା ବହି ମୁଖସ୍ଥ କରନ୍ତି। ସେତେବେଳେ ଝିଅମାନଙ୍କୁ ବାହା ହେଲା ବେଳେ ଲହର ଲଗେଇ କାନ୍ଦିବାକୁ ପଡ଼ୁଥିଲା। ବାପାଙ୍କୁ ଧରି କ’ଣ କାନ୍ଦିବ, ମା’କୁ ଧରି, ଭାଇଭଉଣୀ, ଦାଦା ଖୁଡ଼ୀ- ସମସ୍ତଙ୍କ ପାଇଁ ଅଲଗା ଅଲଗା କାନ୍ଦ ଏଇ ଢିଙ୍କିଶାଳରେ ଟିକନ ମାଉସୀ ଓ ତାର ସାଙ୍ଗମାନେ ଅଭ୍ୟାସ କରୁଥିଲେ। ମୋର ବୟସ ପାଞ୍ଚ କି ଛଅ ହେଇଥିବ। ମୋର କୋଳି କି ଆମ୍ବସଡ଼ା ଦରକାର ହେଲେ ମାଉସୀକୁ ଖୋଜେ। ଢିଙ୍କିଶାଳକୁ ଗଲେ ମୋ କାମ କରିଦେଇ ମାଉସୀ ମୋତେ ବିଦା କରିଦେଇ ପୁଣି କାନ୍ଦଣା ମୁଖସ୍ଥ କରିବାରେ ଲାଗିପଡ଼େ। ମନେ ଅଛି, ବାହା ହେଇ ଗଲା ବେଳେ ସେ କାନ୍ଦିଥିଲା-
‘ପାନ ପିକଦାନୀ ମୁଣ୍ଡ ପାଖକୁ, ମାଆଲୋ ମୋର,
ମୋ ଜନମ ତ’ ଢିଙ୍କି ଶାଳକୁ, ମାଆଲୋ ମୋର’

ଚୈତ୍ରମାସ ପୂର୍ଣ୍ଣିମା ଦିନ କେଉଟ ଘରେ ଢିଙ୍କି ପୂଜା ହୁଏ। ସେଦିନ ସକାଳୁ କେଉଟ ଘରର ବୋହୂ ଢିଙ୍କିକୁ ହଳଦୀ ପାଣିରେ ଗାଧୋଇ ଦେଇ ଫୁଲ, ଚନ୍ଦନ ଲଗେଇ ଦିଏ। ପାଖରେ ସଜ ବସି ଢିଙ୍କିକୁ ପୂଜା କରାଯାଏ। ଘରର ସମସ୍ତେ ସେ ଦିନ ହବିଷ୍ୟାନ୍ନ ଖାଆନ୍ତି। ଆମ ଅବିଭକ୍ତ ପୁରୀ ଜିଲ୍ଲାରେ ସେତେବେଳେ ପହିଲି ରଜ ଦିନ ଢିଙ୍କି ପୂଜା ହେଉଥିଲା। ବାହାଘର ମଙ୍ଗନ ଦିନ ଢିଙ୍କିକୁ ଧୁଆପୋଛା କରି ହଳଦୀ, ସିନ୍ଦୂର ଓ ସାଲୁ କନା ପିନ୍ଧେଇ ପୂଜା କରାଯାଉଥିଲା। ଖୁଦୁରୁକୁଣୀରେ ମଧ୍ୟ କେତେକ ସ୍ଥାନରେ ଝିଅମାନେ ଢିଙ୍କି ପୂଜା କରୁଥିଲେ। ଆମ ଗାଁକୁ ବେଳେ ବେଳେ କୋରାପୁଟ, ଗଞ୍ଜାମ ଅଞ୍ଚଳରୁ କିଛି ଲୋକ ଶୀତ ଦିନେ ଲାଉତୁମ୍ବାରେ ତିଆରି ‘ରାମଘୋଟା’ ବାଦ୍ୟ ଯନ୍ତ୍ର ବଜାଇ ଭିକ୍ଷା ମାଗିବାକୁ ଆସନ୍ତି। ‘ରାମଘୋଟା’ରେ ସୁର ଧରି ସେମାନେ ଯେଉଁ ଗୀତ ସବୁ ଗାଆନ୍ତି, ସେଥିରେ ମଧ୍ୟ ଢିଙ୍କିର ମାହାତ୍ମ୍ୟ ଥାଏ :
‘ମାର ଝମକେଇଲୋ ଢେଙ୍କି ସମା କୁଟଇ ଧାନ,
ଢେଙ୍କିର ଉପରେ ଦୁଇ ସଉତା ପଡ଼େ ଧମାଧମ।
ଢେଙ୍କି ବାପୁଡ଼ା ବୋଲୁଚି ବସି ମୁଇଁ ତ ମୁଷଳ ମୁଣ୍ଡା,
ପାଞ୍ଚ ମାଣ ଧାନ କୁଢ଼େଇ ଦେଲେ କରିବି ଗୁଣ୍ଡ ଗୁଣ୍ଡା’।

ମୁଁ ଷଷ୍ଠ ଶ୍ରେଣୀରେ ପଢ଼ିଲାବେଳେ ପାଖ ଗାଁ କନ୍ତଳବାଈ ଠାରେ ଆମ ସ୍କୁଲ ‘ସ୍ବପ୍ନତାରା ବିଦ୍ୟା ପୀଠ’ ସାମନାରେ ଜଣେ ପ୍ରଥମେ ଧାନ କଳଟିଏ ବସେଇଲେ। ଇଲେକ୍ଟ୍ରିକ ତ ନଥିଲା, ଡିଜେଲ ଚାଳିତ ମୋଟରରେ ଧାନକଳ ଚାଲୁଥିଲା। ପ୍ରଥମେ ତ ଖାଲି ଧାନକଳଟା କେମିତି, ତାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଲା। ଆମେ ସବୁ ପିଲା ରିସେସ୍‌ରେ ଆସି କଳ ଦେଖୁଥିଲୁ। ତା’ ପରେ ତ ଧାନ ଚୂରେଇବାକୁ ଏମିତି ଭିଡ଼ ହେଲା ଯେ ଶଗଡ଼ରେ ଧାନ ଲଦି ଦିନ ଦିନ ଧରି ଲୋକ ଅପେକ୍ଷା କରି ରହିଲେ।

ଧୀରେ ଧୀରେ ଢିଙ୍କି କେତେବେଳେ ଉଭେଇ ଯାଇଛି ଜଣାନାହିଁ। ଶେଷ ଥର ପାଇଁ ଢିଙ୍କି ସହିତ ଦେଖା ହୋଇଥିଲା ୧୯୯୯ ମସିହାରେ, ପାଲଲହଡ଼ାର ଏକ ପଲ୍ଲୀ ଗାଁରେ। ଶୀର୍ଣ୍ଣକାୟ ଢିଙ୍କିଟି ଶୋଇ ରହି ଯେମିତି ତା’ର ଅତୀତର ଗୌରବମୟ ସ୍ମୃତିକୁ ମନେ ପକାଉଥିଲା।

ମୋ ପୁଅମାନେ ତ ଢିଙ୍କି କ’ଣ ଜାଣି ବି ନାହାନ୍ତି, ପାଞ୍ଚ ବର୍ଷର ନାତୁଣୀ କଥା ଛାଡ଼। ତାକୁ ଯଦି ଢିଙ୍କିର ଏ ଫଟୋଟି ଦେଖେଇ କ’ଣ ବୋଲି ପଚାରିବି, ହୁଏ ତ କହିବ- “ Daddu, it looks like an antique missile”!

ଏସ୍-୧/୯୨, ନୀଳାଦ୍ରି ବିହାର
ଭୁବନେଶ୍ୱର-୭୫୧୦୨୧