ନେତୃତ୍ୱ ଛାଡ଼ନ୍ତୁ ଗାନ୍ଧୀ ପରିବାର

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରୁଛନ୍ତି, ତାଙ୍କୁ ଓ ତାଙ୍କ ରାଜନୈତିକ ଦଳକୁ ହରାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ପ୍ରଥମେ ବୁଝିବାକୁ ପଡ଼ିବ ଯେ ସେ କାହିଁକି ଦୁଇ ଦୁଇଟି ମହତ୍ତ୍ବପୂର୍ଣ୍ଣ ନିର୍ବାଚନ ଜିତିଲେ ଏବ˚ ଭୋଟର‌୍‌ଙ୍କ ମଧ୍ୟରେ ସେ କାହିଁକି ଏତେ ପ୍ରିୟ। ଏହି ପ୍ରସଙ୍ଗରେ ଜଣେ ଜଣାଶୁଣା ବିଦ୍ବାନ୍‌ ମୋତେ ଏହି ମର୍ମରେ ଲେଖିଛନ୍ତି:

‘ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ସଫଳ ମୁକାବିଲା ପାଇଁ ସର୍ବ ପ୍ରଥମେ ଯତ୍ନର ସହ ତାଙ୍କ ଶକ୍ତି ଆକଳନ କରାଯିବା ଆବଶ୍ୟକ ବୋଲି ମୁଁ ଭାବେ। ମୋଦୀଙ୍କର ଅନେକ ଶକ୍ତି, ଅନେକ ପ୍ରତିଭା। ସର୍ବାଗ୍ରେ ଅଛି ତାଙ୍କର ସୁନିୟନ୍ତ୍ରିତ ସ୍ବାସ୍ଥ୍ୟକର ଜୀବନ-ଶୈଳୀ। ତାହା ପରେ ତାଙ୍କର ଶାରୀରିକ ଓ ମାନସିକ ଶକ୍ତି। ନିଜ ଅନ୍ବେଷଣରେ ସେ ସର୍ବଦା ନିଜକୁ ସ˚ପୂର୍ଣ୍ଣ ଭାବେ ହଜାଇଦିଅନ୍ତି। ସେ ସବୁବେେଳ କର୍ମ-ବ୍ୟସ୍ତ ଓ ଚଳ-ଚଞ୍ଚଳ; କର୍ମ ଭିତରେ ହିଁ ବିଶ୍ରାମ ପାଆନ୍ତି। ସେ ଛୁଟି ନିଅନ୍ତି ନାହିଁ।

ଦ୍ୱିତୀୟ ତଥା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତାଙ୍କର ନିଜ ତଥା କ୍ଷମତା ସହ ଅତି ସହଜିଆ ଭାବ। ରାସ୍ତା କଡ଼ର ଚା’ ଦୋକାନ ହେଉ କି ବିଶ୍ବସ୍ତରୀୟ ଶୀର୍ଷ ସମ୍ମିଳନୀ, ସେ ନିଜ ପାଇଁ ସ୍ଥାନ ଖୋଜିନିଅନ୍ତି।

ତୃତୀୟ, ସେ ଜଣେ ଚମତ୍କାର ବକ୍ତା। ଅବସ୍ଥା ଦେଖି ସେ ନିଜକୁ ସଙ୍ଗେସଙ୍ଗେ ପରିବର୍ତ୍ତନ କରିପାରନ୍ତି। ପରିସ୍ଥିତି ସହ ଖାପ ଖୁଆଇ ଚଳିବାରେ ସେ ପାରଙ୍ଗମ। ‘ମନ କୀ ବାତ୍‌’ ବେଳେ ଜେଜେବାପା, ନିର୍ବାଚନୀ ଶୋଭାଯାତ୍ରାରେ ଲୋକଙ୍କ ଅଭିଳାଷ ଓ ଭ୍ରାନ୍ତ ବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା ଜନନାୟକ, ଶୀର୍ଷ ସମ୍ମିଳନୀରେ ରାଷ୍ଟ୍ରନାୟକ ଇତ୍ୟାଦି, ଇତ୍ୟାଦି। ଭାଷା- ମୁଖ୍ୟତଃ ହିନ୍ଦୀ ଭାଷାରେ ତାଙ୍କର ଦକ୍ଷତା ଅପୂର୍ବ; କଥିତ ହିନ୍ଦୀ ସହ ପରିସ୍ଥିତି ଦେଖି ସାରସ୍ବତ ଭାଷା ପ୍ରୟୋଗରେ ନିପୁଣ। ତାଙ୍କ ତୁଣ୍ତରୁ ବାହାରୁଥିବା କଥା ଅନେକ ସମୟରେ ତଥ୍ୟ ଆଧାରିତ ନୁହେଁ। ବେଶ୍‌ ସହଜ ଭାବେ ମିଥ୍ୟା କହିପାରନ୍ତି। ତାହା ଶୁଣିଲେ ଲାଗିବ, ଯେମିତି ଶୁଦ୍ଧ ସତ୍ୟ ବୟାନ କରୁଛନ୍ତି।

ଚତୁର୍ଥ, ତାଙ୍କର ରୁଚି ଅନେକ। ଭିନ୍ନ ଭିନ୍ନ ବିଷୟରେ ତାଙ୍କର ଆଗ୍ରହ। ଖବର ଉପରେ ସର୍ବଦା ନଜର ରଖିଥାଆନ୍ତି।

ପଞ୍ଚମ, ତାଙ୍କର ଅଛନ୍ତି ଜଣେ ଦୁର୍ଜୟ, ଦୁର୍ଦ୍ଧର୍ଷ ସହାୟକ- ଗୃହ ମନ୍ତ୍ରୀ।’

ଏହି ବିଦ୍ୱାନ୍‌ ବନ୍ଧୁ ଜଣକ ଆଜୀବନ ଧାର୍ମିକ ମୌଳବାଦର ବିରୋଧୀ, ଗଣତନ୍ତ୍ର ଓ ବହୁବାଦର ସ୍ତାବକ ରହିଆସିଛନ୍ତି। ମୋ ଭଳି ସେ ମଧ୍ୟ ମୋଦୀ-ଶାହ ଶାସନକୁ ବିଭାଜକ ଓ ବିପଜ୍ଜନକ ଭାବେ ଦେଖୁଛନ୍ତି। ମୁଁ ତାଙ୍କର ଏହି କଥାରେ ସ˚ପୂର୍ଣ୍ଣ ଏକମତ ଯେ, ଆମେ ଗଣତନ୍ତ୍ରବାଦୀ ଓ ବହୁବାଦୀମାନେ ଯାହାଙ୍କୁ ବିରୋଧ କରୁଛେ ଏବ˚ ଯାହାଙ୍କ ଆବେଦନକୁ ଅନେକ ଭାରତୀୟ ଗ୍ରହଣ କରୁଛନ୍ତି, ତାଙ୍କୁ ପ୍ରଥମେ ଭଲ ଭାବେ ବୁଝିବା ଆବଶ୍ୟକ।

ହିନ୍ଦୁତ୍ବ ବିରୋଧରେ ଯୁଦ୍ଧ ପ୍ରକୃତରେ ଆଦର୍ଶ ବିରୋଧରେ ଯୁଦ୍ଧର ଏକ ଅ˚ଶ। ଏହା ଆମ ଧର୍ମ ନିରପେକ୍ଷ ସମ୍ବିଧାନକୁ ରକ୍ଷା କରିବା ପାଇଁ ଲଢ଼େଇ। ଧାର୍ମିକ ଓ ଭାଷାଗତ ବହୁବାଦିତା, ଲିଙ୍ଗ ଓ ଜାତିଗତ ସମାନତା, ରାଜ୍ୟର ସ୍ବାୟତ୍ତତା, ଅନ୍ୟ ସଭ୍ୟତା ଓ ସ˚ସ୍କୃତି ପ୍ରତି ସହନଶୀଳତା ଆଦି ଆମ ସାଧାରଣତନ୍ତ୍ରର ମୌଳିକ ନୀତି ଅନ୍ତର୍ଭୁକ୍ତ ଏବ˚ ହିନ୍ଦୁତ୍ବ ଏ ସମସ୍ତ ନୀତି ବିରୋଧୀ। ହିନ୍ଦୁତ୍ବ ଏ ସମସ୍ତ ନୀତିକୁ ଉଖାଡ଼ି, ଫୋପାଡ଼ିଦେବାକୁ ଚାହେଁ। ହିନ୍ଦୁତ୍ବ ବିରୋଧରେ ଯୁଦ୍ଧ ବି ଏତେ ସହଜ ନୁହେଁ। ଏହା ଏକ ବ୍ୟକ୍ତିତ୍ବ ଯୁଦ୍ଧ। ଭାରତରେ ନିର୍ବାଚନ ଏବେ ଅଧିକରୁ ଅଧିକ ବ୍ୟକ୍ତି-କୈନ୍ଦ୍ରିକ ହେବାରେ ଲାଗିଛି। ଯେଉଁ ବ୍ୟକ୍ତି ୨୦୧୪ ଓ ୨୦୧୯ରେ ନରେନ୍ଦ୍ର ମୋଦୀଙ୍କ ସଫଳ ମୁକାବିଲା କରିବାରେ ବିଫଳ ହେଲେ, ସେ ୨୦୨୪ରେ ସଫଳ ହୋଇପାରିବେ କି?

ଜାନୁଆରି ୨୦୧୩ରେ କେନ୍ଦ୍ରରେ କ˚ଗ୍ରେସ୍‌ କ୍ଷମତାରେ ଥିବା ବେଳେ, ଏହି ଦଳର ସ˚ଭାବ୍ୟ ଉତ୍ତରାଧିକାରୀଙ୍କ ସ˚ପର୍କରେ ‘କୋଲକାତା ଟେଲିଗ୍ରାଫ୍‌’ରେ ମୁଁ ଏକ ସ୍ତମ୍ଭ ଲେଖିଥିଲି। ସେ ରାଜନୀତିରେ ପ୍ରବେଶ କରିବା ପର ଠାରୁ ଯାହା ଯାହା କରିଛନ୍ତି, ତାହାର ସମୀକ୍ଷା କରିଥିଲି। ଲେଖିଥିଲି: ‘ରାହୁଳ ଗାନ୍ଧୀଙ୍କ ସ˚ପର୍କରେ ସବୁଠାରୁ ଚମତ୍କାର କଥାଟି ହେଲା, ସେ ଜଣେ ପଲ୍ଲବଗ୍ରାହୀ (ନାନା ବିଷୟରେ ଅଳ୍ପ ଓ ଅଗଭୀର ଜ୍ଞାନ ଥିବା ବ୍ୟକ୍ତି); କୌଣସି ବିଷୟକୁ ଗୁରୁତ୍ବର ସହ ଅଧ୍ୟୟନ କରନ୍ତିନାହିଁ, ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତିନାହିଁ, ଅତି ମାତ୍ରାରେ ସୌଖୀନ। ସେ ଏ ପର୍ଯ୍ୟନ୍ତ ନିଜର ପ୍ରଶାସନିକ ଦକ୍ଷତା ପ୍ରତିପାଦନ କରିନାହାନ୍ତି। ଗୁରୁତ୍ବପୂର୍ଣ୍ଣ ଭାର ଗ୍ରହଣ କରିବାକୁ ତାଙ୍କର ଆଗ୍ରହ ନାହିଁ। ଗୁରୁତ୍ବପୂର୍ଣ୍ଣ ସାମାଜିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ସହ ସେଗୁଡ଼ିକର ସମାଧାନ ପନ୍ଥା ବାହାରକରିବା ପାଇଁ ନା ତାଙ୍କଠାରେ ଶକ୍ତି ଅଛି ନା ଅଙ୍ଗୀକାରବଦ୍ଧତା।’

ମୁଁ ଆହୁରି ମଧ୍ୟ ଲେଖିଥିଲି: ‘ଶ୍ରୀମାନ୍‌ ଗାନ୍ଧୀ ଯଦି କଲେଜ୍‌ ଛାତ୍ର ଥାଆନ୍ତେ ବା ଘରୋଇ କ୍ଷେତ୍ରରେ ଚାକିରି କରୁଥାଆନ୍ତେ ବା ନିଜର କୌଣସି ଏକ ଛୋଟକାଟିଆ ବ୍ୟବସାୟ ଚଳାଉ ଥାଆନ୍ତେ, ତାଙ୍କର ପଲ୍ଲବଗ୍ରାହିତାକୁ ନେଇ କାହାର, କିଛି କହିବାକୁ ନ ଥାଆନ୍ତା। କିନ୍ତୁ, ସେ ଭାରତର ସର୍ବ-ବୃହତ୍‌, ପୁରାତନ ଓ ପ୍ରଭାବଶାଳୀ ରାଜନୈତିକ ଦଳର ଉପ-ସଭାପତି ଏବ˚ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ତେଣୁ, ତାଙ୍କ ବାବଦରେ ବହୁତ କିଛି କହିବାର ଅଛି।’

ଯେଉଁମାନେ ଭାରତୀୟ ରାଜନୀତି ଉପରେ ଲେଖାଲେଖି କରନ୍ତି, ସେମାନେ ବିଚାରବୋଧଶୂନ୍ୟତା ଓ ମୂଢ଼ତାର ଶିକାର ହେବାର ଆଶଙ୍କା ସର୍ବଦା ରହିଛି। ଭଗବାନ ଜାଣନ୍ତି, ମୁଁ ଏହି ଭାବର ଶିକାର କି ନୁହେଁ। ତେବେ, ମୁଁ ଯାହା ଲେଖିଛି, ତାହା ସପକ୍ଷରେ ଛିଡ଼ା ହେବି। ଏହା ଲେଖିବାର ସାଢ଼େ ସାତ ବର୍ଷ ପରେ ବି ରାହୁଳ ଗାନ୍ଧୀ ରାଜନୀତିରେ ପୂର୍ବ ପରି ପଲ୍ଲବଗ୍ରାହୀ ବ୍ୟକ୍ତିତ୍ବ ହୋଇ ରହିଛନ୍ତି। ଉତ୍ତର ପ୍ରଦେଶରୁ ତିନି ତିନି ଥର ସା˚ସଦ ରହିଥିବା ସତ୍ତ୍ବେ ଏ ପର୍ଯ୍ୟନ୍ତ ସେ ଶୁଦ୍ଧ ଓ ଅନର୍ଗଳ ହିନ୍ଦୀ କହିପାରୁନାହାନ୍ତି।

ସ˚ଖ୍ୟାବହୁଳ ଭାରତୀୟ ଯେଉଁ ଭାଷା କହନ୍ତି, ସେହି ଭାଷା କହିବାରେ ରାହୁଳ ଗାନ୍ଧୀଙ୍କର ଦକ୍ଷତାର ଅଭାବ, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳ ପରାଜିତ ହେବାର ଏକ ମୁଖ୍ୟ କାରଣ। ଏହି ଭାଷା ଉପରେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷତା ଜନତାକୁ ଆକର୍ଷିତ କରିଥିଲା। ଅପରପକ୍ଷେ ନିଜର ଭଙ୍ଗା ଭଙ୍ଗା ହିନ୍ଦୀ ଦ୍ବାରା ରାହୁଳ ଉପହସିତ ହୋଇଥିଲେ। ଏହାଛଡ଼ା ଅନ୍ୟ କାରଣ ବି ଅଛି। ଅନ୍ୟ ମୁଖ୍ୟ କାରଣଟି ହେଉଛି ରାଜନୀତିର ସେ ଏକ ବ˚ଶର ପଞ୍ଚମ ପିଢ଼ିର ପ୍ରତିନିଧିତ୍ବ କରୁଥିଲେ ସୁଦ୍ଧା, ତାଙ୍କ ପାଖରେ ପ୍ରଶାସନିକ ଅଭିଜ୍ଞତା ଓ ଦକ୍ଷତାର ଅଭାବ।

ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କର ପୁତ୍ର, ନାତି, ପଣ-ନାତି ଆଦି ହୋଇଥିଲେ ହେଁ, ତାଙ୍କର ଏହି ବୈଶିଷ୍ଟ୍ୟ ଅଧିକା˚ଶ ଭାରତୀୟଙ୍କୁ ଆକର୍ଷିତ କରିପାରୁନାହିଁ। ଜନ୍ମ ଓ ବ˚ଶ ଆଧାରରେ ତାଙ୍କର ନେତୃତ୍ବ ନେବାଟାକୁ ଅନେକ ପସନ୍ଦ କରିପାରୁନାହାନ୍ତି। ତାଙ୍କୁ ପସନ୍ଦ କରୁ ନ ଥିବା ଲୋକଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ତେଣୁ, ମୋଦୀ ସରକାରର ବିଭିନ୍ନ ନୀତିର ସମାଲୋଚନା ଓ ମୁକାବିଲା କଲା ବେଳେ, ତାଙ୍କୁ ଉପଯୁକ୍ତ ସମର୍ଥନ ମିଳୁନାହିଁ। ମୋଦୀ ସରକାର ଅସହମତିକୁ ଦମନ କରୁଥିବା, ଗଣମାଧ୍ୟମର ସ୍ବାଧୀନତା କାଟ-ଛାଣ୍ଟ କରୁଥିବା ପ୍ରସଙ୍ଗରେ ଯେତେବେଳେ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ କ˚ଗ୍ରେସ୍‌ ପ୍ରତିବାଦ କଲା, ଶାସକ ଦଳର ସ୍ବତଃସ୍ଫୂର୍ତ୍ତ ଉତ୍ତର ଥିଲା- ଇନ୍ଦିରା ଗାନ୍ଧୀ, ତାଙ୍କ ଜରୁରୀକାଳୀନ ପରିସ୍ଥିତି କାଳରେ କ’ଣ କରିଥିଲେ? ଯେତେବେଳେ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ କ˚ଗ୍ରେସ୍‌ ଅଭିଯୋଗ କଲା, ପ୍ରଧାନମନ୍ତ୍ରୀ ଚାଇନିଜ୍‌ମାନଙ୍କୁ ଆମ ଅଞ୍ଚଳ ମଧ୍ୟକୁ ପ୍ରବେଶ ଲାଗି ଅନୁମତି ଦେଉଛନ୍ତି, ଶାସକ ଦଳର ସ୍ବାଭାବିକ ପ୍ରତିକ୍ରିୟା ଥିଲା- ୧୯୬୨ରେ ଜଵାହରଲାଲ ନେହରୁ କ’ଣ କରିଥିଲେ? ୨୦୧୯ ନିର୍ବାଚନ ପ୍ରଚାର କାଳରେ ପ୍ରଧାନମନ୍ତ୍ରୀଙ୍କୁ ‘ଚୌକିଦାର ଚୋର ହୈ’ କହି ରାହୁଳ ଗାନ୍ଧୀ ସବୁଠାରୁ ବଡ଼ ନିର୍ବାଚନୀ ଭୁଲ୍‌ କରିଥିଲେ। ଏହା ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବରେ କୌଣସି ଆଞ୍ଚ ଆସି ନ ଥିଲା; କିନ୍ତୁ, କ˚ଗ୍ରେସ୍‌ ଦଳର ପ୍ରଭୂତ କ୍ଷତି ହୋଇଥିଲା। ଏହା ପରିବର୍ତ୍ତେ କ˚ଗ୍ରେସ୍‌, ୨୦୧୪ର ‘ଅଛେ ଦିନ’ ପ୍ରତିଶ୍ରୁତିର କ’ଣ ହେଲା ପ୍ରଶ୍ନ କରିଥିଲେ, ଅଧିକ ଭଲ ହୋଇଥାଆନ୍ତା। ବୋଫର୍ସ‌୍‌ ଦୁର୍ନୀତିରେ ଅପବାଦିତ ପ୍ରଧାନମନ୍ତ୍ରୀଙ୍କ ପୁତ୍ର, ଅନ୍ୟ ଉପରେ ଦୁର୍ନୀତିର ଅଭିଯୋଗ ଆଣିବା ମଧ୍ୟ ଏକ ମୂଢ଼ତା।

ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଘେରି ରହିଥିବା ଚାଟୁକାର ଦଳ, ଯେଉଁମାନେ ଗାନ୍ଧୀ ପରିବାରକୁ ଅନ୍ଧ ସମର୍ଥନ ଦେଇ ବର୍ଷ ବର୍ଷ ଧରି ରାଜ୍ୟସଭାକୁ ଯାଉଛନ୍ତି ଏବ˚ ଦଳର ସାଧାରଣ ସ˚ପାଦକ ହେଉଛନ୍ତି, ସବୁବେଳେ ଆମକୁ କହି ଆସିଛନ୍ତି, ସୋନିଆ କି˚ବା ତାଙ୍କର ଜଣେ କେହି ସନ୍ତାନ ନେତୃତ୍ବ ନ ନେଲେ ଏହି ଦଳ ରହିବନାହିଁ। ଅପରପକ୍ଷେ ବ୍ୟକ୍ତିଗତ ସ୍ବାର୍ଥ ଠାରୁ ଦୂରେଇ, ଭାରତୀୟ ଗଣତନ୍ତ୍ରର ସ୍ବାର୍ଥକୁ ପ୍ରାଧାନ୍ୟ ଦେଲେ, ଆମେ ଦେଖିବା ଯେ, ଦେଶର ମୁଖ୍ୟ ବିରୋଧୀ ଦଳ, ଗାନ୍ଧୀ-ନେହରୁ ପରିବାର ବାହାରୁ ଜଣେ ସଭାପତି ଆବଶ୍ୟକ କରୁଛି। ଏ ଭଳି ଜଣେ ସଭାପତି ଦଳର ନେତୃତ୍ବ ନେଲେ, ମୋଦୀ ସରକାର ଅକଳରେ ପଡ଼ିବ। ସରକାରୀ ନୀତିର ବିରୋଧ କରାଗଲେ, ପ୍ରତି-ସମାଲୋଚନା କରିବାକୁ ବାଟ ପାଇବନାହିଁ। ଗାନ୍ଧୀ-ନେହରୁ ପରିବାର ବାହାରର ଲୋକ ନେତୃତ୍ବ ନେଲେ, ଜଵାହରଲାଲ, ଇନ୍ଦିରା ଓ ରାଜୀବଙ୍କ ନାମ ନେଇ ତାଙ୍କୁ ସମାଲୋଚନା କରା ଯାଇପାରିବନାହିଁ। ଏ ଭଳି ଜଣେ କ˚ଗ୍ରେସ୍‌ ସଭାପତି ଦେଶର ଅର୍ଥନୈତିକ ଅବସ୍ଥା, ମହାମାରୀ, ବୈଦେଶିକ ନୀତି ଆଦି ବାବଦରେ ପ୍ରଶ୍ନ କଲେ, ଶାସକ ଦଳ ପକ୍ଷେ ଜବାବ ଦେବା କଷ୍ଟକର ହେବ। ସେମାନେ ନେହରୁ, ଇନ୍ଦିରା ବା ରାଜୀବ ନାମ ନେଇପାରିବେନାହିଁ। ଆଉ ଏହି କ˚ଗ୍ରେସ୍‌ ସଭାପତି ଯଦି ଶୁଦ୍ଧ ହିନ୍ଦୀ କହିପାରୁଥିବେ, ଅଚିରେ ଜନ ସମର୍ଥନ ଲାଭ କରିପାରିବେ। ସେ ଯୋଜନାବଦ୍ଧ ଭାବେ କଠିନ ଶ୍ରମ କଲେ, ଆସନ୍ତା ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିପାରିବା।

ରାହୁଳ ଗାନ୍ଧୀ ଏକ ସଙ୍ଗେ ପଲ୍ଲବଗ୍ରାହୀ ଏବ˚ ଉଚ୍ଚାଭିଳାଷୀ। ତେବେ, ତାଙ୍କ ଉଚ୍ଚାଭିଳାଷକୁ ସାକାର କରିବା ପାଇଁ ତାଙ୍କ ପାଖରେ ଦକ୍ଷତାର ଅଭାବ। ସେ, ତାଙ୍କ ପରିବାରର ଏକମାତ୍ର ବ୍ୟକ୍ତି ଯିଏ କିଛି ନିର୍ଦିଷ୍ଟ ମତ ରଖିପାରନ୍ତିନାହିଁ। ତାଙ୍କ ମାଆ ଓ ଭଉଣୀ ଉଭୟେ ବ˚ଶଜ ମୌଳିକତାକୁ ଗୁରୁତ୍ବ ଦିଅନ୍ତି। ପ୍ରିୟଙ୍କା ସବୁ ବେଳେ କହନ୍ତି- ମୁଁ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ। ପରିବାର ଦ୍ବାରା ପରିଚାଳିତ-ଶାସିତ ଦଳ ଓ ଦେଶ ପ୍ରତି ସୋନିଆଙ୍କ ଉତ୍ସର୍ଜିତ ମନୋଭାବ ଆହୁରି ଗଭୀର। ଏହି ଦୃଷ୍ଟିକୋଣରୁ ରାହୁଳ ଗାନ୍ଧୀ, ମାଆ ଓ ଭଉଣୀଙ୍କଠାରୁ ଭିନ୍ନ। ତେବେ, ସେ ପରିବାର ବାହାରର ଜଣେ ବ୍ୟକ୍ତିଙ୍କ ହାତରେ ଦଳର ମଙ୍ଗ ଦେବେ କି ନାହିଁ; ପୁଣି, ତାଙ୍କୁ ସ୍ବତନ୍ତ୍ରତାର ସହ ବିନା ଚାପରେ ପୂର୍ଣ୍ଣ କର୍ତ୍ତୃତ୍ବର ସହ କାମ କରିବାକୁ ଦେବେ କି ନାହିଁ; ନା ପରିବାର ବାହାରର ଜଣଙ୍କୁ ସଭାପତି ଆସନରେ ବସାଇ ନେପଥ୍ୟରୁ ସେ, ସୋନିଆ ଓ ପ୍ରିୟଙ୍କା ମିଶି ଦଳ ଚଳାଇବେ, ତାହା ଭିନ୍ନ ଏକ ପ୍ରଶ୍ନ।

ଦୁଇ ଦଶନ୍ଧିରୁ ଅଧିକ କାଳ ହେଲା ମୁଁ କ˚ଗ୍ରେସ୍‌ ଦଳର ବ˚ଶବାଦୀ ସ˚ସ୍କୃତିର ସମାଲୋଚକ ରହିଆସିଲିଣି। ମୁଁ ତାଜା ସମାଲୋଚନା କରିବାର କାରଣ, ପୂର୍ବାପେକ୍ଷା ଏହା ଅଧିକ ଜରୁରୀ ହୋଇପଡ଼ିଛି। ନରେନ୍ଦ୍ର ମୋଦୀଙ୍କର ଛଅ ବର୍ଷର ପ୍ରଧାନମନ୍ତ୍ରିତ୍ବ କାଳରେ ଭାରତ ଖୁବ୍‌ ଭୋଗିଲାଣି; ଅଶେଷ କ୍ଷତି ସହିଲାଣି। ସେ ଓ ତାଙ୍କ ସରକାର ଆମର ଅର୍ଥନୀତିକୁ ବିପର୍ଯ୍ୟୟ ମୁହଁରେ ପହଞ୍ଚାଇ ଦେଇଛନ୍ତି, ଆମ ସମାଜକୁ ବିଭାଜିତ କରିଛନ୍ତି ଏବ˚ ଅବଶିଷ୍ଟ ବିଶ୍ବ ସମ୍ମୁଖରେ ଆମକୁ ନ୍ୟୂନ କରିଛନ୍ତି। ତଥାପି ତାଙ୍କ ହାତରେ ଅଛି ଆହୁରି ଚାରି ବର୍ଷ। ଯେଉଁମାନେ ଭାରତର ବିତ୍ତୀୟ, ରାଜନୈତିକ ଓ ନୈତିକ ଅବସ୍ଥାର ପୁନଃ ଅଭ୍ୟୁଦୟ ଚାହାଁନ୍ତି, ୨୦୨୪ରେ ମୋଦୀ ତଥା ତାଙ୍କ ଦଳକୁ ସରକାରରୁ ହଟାଇବା ପାଇଁ ସେମାନେ କୌଣସି ଏକ ବଳିଷ୍ଠ ମାର୍ଗ ବାହାର କରିବା ଦରକାର। କ୍ରମାଗତ ଭାବେ ତୃତୀୟ ଥର ପାଇଁ ଜଣେ ପଲ୍ଲବଗ୍ରାହୀ ବ˚ଶାନୁକ୍ରମିକ ଉତ୍ତରାଧିକାରୀଙ୍କ ହାତରେ ନେତୃତ୍ବ ଛାଡ଼ିଲେ, କୌଣସି ଆଶାନୁରୂପ ସୁଫଳ ପ୍ରାପ୍ତ ହେବନାହିଁ।

ସମ୍ବନ୍ଧିତ ଖବର