ସମସ୍ତେ ‘ହିନ୍ଦୁ’

ଦେଶ ରାଜନୀତି - ରାଜାରାମ ଶତପଥି

ମହମ୍ମଦ ଫଏଜ ଖାଁ। ଘର ଚାନ୍ଦ୍‌ଖୁରୀ, ଛତିଶଗଡ଼। ଗାଁରୁ ଅଯୋଧ୍ୟା ପ୍ରାୟ ୮୦୦ କିଲୋମିଟର। ଫଏଜ ଚାଲି ଚାଲି ବାହାରିଲେ, ଯେମିତି ହେଲେ ପହଞ୍ଚିବାର ଅଛି ଅଯୋଧ୍ୟାରେ; ଅଗଷ୍ଟ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭ କରିବା ପୂର୍ବରୁ। ଫଏଜ ସାଙ୍ଗରେ ନେଇଥିଲେ ଗାଁରୁ କିଛି ମାଟି ଓ କେତେ ଖଣ୍ଡ ଇଟା। ଫଏଜ ମୁସଲମାନ, ରାମ ମନ୍ଦିର ନିର୍ମାଣରେ ସାମିଲ ହେବାକୁ ଆଗ୍ରହୀ; ପୁଣି ଏତେ କଷ୍ଟରେ ଚାଲି ଚାଲି ଯାଉଛନ୍ତି? ଅବିଶ୍ୱାସ ଲାଗିବ। ସେ କିନ୍ତୁ ନିଜ ନିଷ୍ଠାରେ ଅଟଳ। ବାଟରେ ଭୋପାଳରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାକ୍ଷାତ୍‌କାରରେ ଫଏଜଙ୍କ ଉତ୍ତର ଥିଲା ଏହି ଭଳି: ‘ଆମ ଗାଁ ରାମଙ୍କ ମା’ କୌଶଲ୍ୟାଙ୍କ ଜନ୍ମସ୍ଥାନ। ମୁଁ ଜଣେ ରାମ ଭକ୍ତ। ଆମ ପୂର୍ବ ପୁରୁଷ ଥିଲେ ହିନ୍ଦୁ। ଆମେ ଚର୍ଚ୍ଚ ବା ମସ୍‌ଜିଦ ଯାଉ ଥାଇପାରୁ, କିନ୍ତୁ ଆମେ ସମସ୍ତେ ହିନ୍ଦୁ ବଂଶୋଦ୍ଭବ’I ସାରା ବିଶ୍ୱରେ ଧର୍ମକୁ କେନ୍ଦ୍ର କରି ତମ୍ବିତୋଫାନ ଚାଲିଥିବା ବେଳେ ଫଏଜଙ୍କୁ କେହି ଯଦି ‘କକ୍ଷଚ୍ୟୁତ ବ୍ୟକ୍ତିତ୍ୱ’ ବୋଲି ଭାବୁଥିବେ, ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ସେମାନଙ୍କ ଆଖି ଖୋଲି ପାରେ। ଫୈଜାବାଦର ଜାମସେଦ ଖାଁଙ୍କ ମତରେ ‘ଧର୍ମ ବଦଳିଗଲେ ବଂଶ ପରିଚୟ ବଦଳିଯାଏନି। ଆମର ବିଶ୍ୱାସ ଆମେ ରାମଙ୍କ ବଂଶଧର ଏବଂ ଆମେ ହିନ୍ଦୁଙ୍କ ସହ ମିଶି (ମନ୍ଦିର ନିର୍ମାଣ) ଉତ୍ସବ ପାଳନ କରିବୁ।’ ସୟଦ ଅହମ୍ମଦ ଜଣେ ସଚ୍ଚା ମୁସଲମାନ, ହଜ ପାଇଁ ମକ୍କା ଯାଇଥିଲେ। ସେମିତି ମହମ୍ମଦ ଅଜମ ଖାଁ। ସମସ୍ତଙ୍କର ଏକା ମତ ‘ରାମ ଆମର ପୂର୍ବ ପୁରୁଷ।’ ମୁସଲମାନଙ୍କ ମୁହଁରେ ରାମ ନାମ? ସେହିମାନଙ୍କ ପାଇଁ ଏହା ନିଶ୍ଚୟ ଶ୍ରୁତିକଟୁ ହେଉଥିବ ଯେଉଁମାନେ ରାମଙ୍କୁ ହିନ୍ଦୁଙ୍କ ଦେବତା, ତାଙ୍କ ପାଇଁ ମନ୍ଦିର ତିଆରି କରିବାର ଅର୍ଥ ଭାରତକୁ ହିନ୍ଦୁ ଦେଶରେ ପରିଣତ କରିବା, ଏହା ଦେଶର ସମ୍ବିଧାନ ବିରୋଧୀ ଇତ୍ୟାଦି ଭଳି ଅନେକ ଯୁକ୍ତି ମାଧ୍ୟମରେ ସମାଜରେ ଧର୍ମ ନାମରେ ବିଦ୍ୱେଷର ଚାଦର ଢାଙ୍କିବାକୁ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ।

ଫଏଜ ଖାଁ ନିଜକୁ ରାମଙ୍କ ବଂଶଧର ବୋଲି କହୁଥିଲା ବେଳେ ପ୍ରଖ୍ୟାତ ଉର୍ଦ୍ଦୁ କବି ଆଲାମ ଇକବାଲଙ୍କ ଉଦାହରଣ ଦେଇଥିଲେ। ଇକବାଲ (ପୂର୍ବଜ- କାଶ୍ମୀରୀ ପଣ୍ଡିତ ବ୍ରIହ୍ମଣ) ପାକିସ୍ତାନର ଜାତୀୟ କବି। ୧୯୦୮ ମସିହାରେ ଇକବାଲ ତାଙ୍କ ରଚିତ ଏକ କବିତାରେ ଲେଖିଥିଲେ ଯେ ରାମଙ୍କୁ ଜ୍ଞାନ ଓ ଦୂରଦୃଷ୍ଟିରେ ଦେଖିଲେ ହିନ୍ଦୁଙ୍କ ଦେବତା ରୂପେ ନୁହେଁ, ବରଂ, ସବୁ ଭାରତୀୟଙ୍କ ଆଧ୍ୟାତ୍ମିକ ଗୁରୁ ଭଳି ଲାଗନ୍ତି। ଇକବାଲଙ୍କ ଦୃଷ୍ଟିରେ ରାମ ଭାରତର ଗର୍ବ, ତାଙ୍କୁ ବୈଷ୍ଣବ ବା ହିନ୍ଦୁ ଧର୍ମରେ ସୀମିତ ରଖା ଯାଇ ନପାରେ। କବିତାର ଅନ୍ୟ ଏକ ପଂକ୍ତିରେ ରାମ ଅନ୍ୟାୟ ବିରୋଧରେ ଯୁଦ୍ଧରେ ଧୁରୀଣ, ମାନବୀୟ ମୂଲ୍ୟବୋଧ ଓ ନୈତିକତାର ପ୍ରତୀକ (ମର୍ଯ୍ୟାଦା ପୁରୁଷୋତ୍ତମ) ବୋଲି ସେ ବର୍ଣ୍ଣନା କରିଛନ୍ତି। ଏହା ଏକ ଭିନ୍ନ ପ୍ରସଙ୍ଗ ଯେ ମହମ୍ମଦ ଅଲି ଜିନ୍ନାଙ୍କ (ପୂର୍ବଜ: ଧୂଧୀ ରାଜପୁତ, କାଠିଆୱାଡ଼, ହିନ୍ଦୁ) ସହ ପରେ ମିଶି ଇକବାଲ ପାକିସ୍ତାନ ଗଠନର ଅନ୍ୟତମ ମୁଖ୍ୟ ସୂତ୍ରଧର ପାଲଟି ଥିଲେ, କିନ୍ତୁ ତାଙ୍କ ରଚିତ ‘ସାରେ ଜହାଁସେ ଅଛା, ହିନ୍ଦୁସ୍ଥାନ ହମାରା’ ଉଦାର ଚେତା ଭାରତୀୟମାନେ ସମ୍ମାନର ସହ ଏବେ ବି ସାଇତି ରଖି ଗାଉଛନ୍ତି। ଅଯୋଧ୍ୟାରେ ବିବାଦୀୟ ୨.୭୭ ଏକର ଜାଗାର ମାଲିକାନା ଉପରେ ୧୩୪ ବର୍ଷ ହେଲା ଚାଲିଥିବା ମକଦ୍ଦମାର ଅନ୍ତ ସୁପ୍ରିମ କୋର୍ଟରେ ହେଲା ପରେ ଇକବାଲ ଆନସାରି ବହୁତ ଖୁସି। ଆନସାରିଙ୍କ ଘର ବାବ୍ରି ମସଜିଦରୁ ଡାକେ ବାଟ। ବାପା ଜଣେ ଦର୍ଜୀ ଥିଲେ ଏବଂ ମକଦ୍ଦମାରେ ପକ୍ଷ। ବାପା ଚାଲିଗଲା ପରେ ସେ ପକ୍ଷ ହେଲେ। ସୁପ୍ରିମ କୋର୍ଟ ରାୟ ପରେ ଅନେକ ଆନସାରିଙ୍କୁ ପୁନଃ ବିଚାର ମକଦ୍ଦମା ଦାୟର କରିବାକୁ ପ୍ରବର୍ତ୍ତାଇ ଥିଲେ। ସେ କିନ୍ତୁ ରାଜି ହେଲେନି। ତାଙ୍କର ଯୁକ୍ତି ଥିଲା- ହିନ୍ଦୁ-ମୁସଲିମ ଏକତା, ଭ୍ରାତୃତ୍ବଭାବ ବଜାୟ ରଖିବାକୁ ହେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ସମ୍ମାନ ଦେବାକୁ ହେବ। ଅତୀତର ସବୁ ତିକ୍ତତା ଓ ସଂକୀର୍ଣ୍ଣ ଧର୍ମୀୟ ଭାବନାରୁ ଉପରେ ରହି ଟ୍ରଷ୍ଟ ପକ୍ଷରୁ ରାମ ମନ୍ଦିର ଭୂମି ପୂଜା ସମାରୋହରେ ଯୋଗ ଦେବାକୁ ପ୍ରଥମ ନିମନ୍ତ୍ରଣ ପହଞ୍ଚିଥିଲା ଆନସାରିଙ୍କ ପାଖରେ। ନିମନ୍ତ୍ରଣ ପତ୍ର ପାଇଲା ପରେ ତାଙ୍କର ମନ୍ତବ୍ୟ ଥିଲା- ‘ସବୁ ରାମଙ୍କ ଇଛା।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଅବସରରେ ଉପହାର ଦେବା ପାଇଁ ଏକ ରାମାବଳୀ ଓ ରାମ ଚରିତ ମାନସ ପୁସ୍ତକ ଧରି ଆନସାରି ପହଞ୍ଚି ଥିଲେ ସଭା ସ୍ଥଳରେ।

ଅବଶ୍ୟ ଈଶ୍ୱରଙ୍କ ନାଁରେ ଧର୍ମକୁ ହିଂସା ଗଳିରେ ଶ୍ବାସରୁଦ୍ଧ କରି ବନ୍ଦୀ ରଖି ଗୁଜରାଣ ମେଣ୍ଟାଉଥିବା ପେସାଦାରମାନଙ୍କ ପାଇଁ ଫଏଜ ଖାଁ ଓ ଆନସାରିଙ୍କ ଭଳି ବ୍ୟକ୍ତି ନିଶ୍ଚୟ ବିପଦ। ବାବ୍ରି କେସ୍‌ ଅଦାଲତରେ ଥିଲା ବେଳେ ସେମାନେ ଖବରକାଗଜ, ଟେଲିଭିଜନ, ସୋସିଆଲ ମିଡିଆରେ ଧର୍ମ ଓ ସମ୍ବିଧାନର ବିକୃତ ଚିତ୍ରଣ, ଉତ୍ତେଜନାମୂଳକ ମନ୍ତବ୍ୟ, ଏପରି କି କାଁ ଭାଁ ହିଂସାକାଣ୍ଡ ଭିଆଇ ନିଜ ବେଉସା ଜାରି ରଖିଥିଲେ। ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ସେମାନେ ବହୁତ ହତୋତ୍ସାହିତ ହୋଇ ପଡ଼ିଛନ୍ତି, କାରଣ ଦେଶ ସାରା ଧର୍ମ ନିର୍ବିଶେଷରେ ଲୋକମାନେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ସାଦରରେ ଗ୍ରହଣ କରିଛନ୍ତି ଏବଂ କେଉଁଠି ବି ସାମ୍ପ୍ରଦାୟିକ ବିଦ୍ୱେଷର ଲକ୍ଷଣ ଦେଖା ଯାଇନାହିଁ।

ପ୍ରଧାନମନ୍ତ୍ରୀ ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭ କରିବା ଘଟଣା ଏହି ବିରୋଧୀମାନଙ୍କୁ ବହୁତ ବ୍ୟଥିତ କରିଛି। ଏହା ହିନ୍ଦୁ ରାଷ୍ଟ୍ର ଗଠନର ଭିତ୍ତିପ୍ରସ୍ତର ସ୍ଥାପନ; ସମ୍ବିଧାନରେ ଧର୍ମ ନିରପେକ୍ଷତା ବ୍ୟବସ୍ଥାର ଧର୍ଷଣ ଇତ୍ୟାଦି ବୋଲି ବର୍ଣ୍ଣନା କରି ସେମାନେ ଦେଶବିଦେଶରେ ଲେଖା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମନ୍ଦିର ଯିବା ଯଦି ସାମ୍ପ୍ରଦାୟିକ ତା’ ହେଲେ ମୋଦୀଙ୍କ ୟୁ.ଏ.ଇ.ର ରାଜଧାନୀ ଆବୁଧାବି (୨୦୧୫) ଏବଂ ଇନ୍ଦୋରରେ (୨୦୧୮) ମସଜିଦ ପରିଦର୍ଶନ, ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରI ହରିଦ୍ୱାରରେ ବିଶ୍ୱ ହିନ୍ଦୁ ପରିଷଦ ସହଯୋଗରେ ନିର୍ମିତ ଭାରତ ମାତା ମନ୍ଦିର ଉଦ୍‌ଘାଟନ (୧୯୮୩) ଅବା ଅନ୍ୟାନ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଧର୍ମ ପୀଠ ପରିଦର୍ଶନ କିପରି ଧର୍ମ ନିରପେକ୍ଷ କାର୍ଯ୍ୟ ବୋଲି କୁହାଯିବ? ସେମାନେ ନିରୁତ୍ତର। ବିରୋଧୀଙ୍କ ପାଇଁ ଜବାହର ଲାଲ ନେହରୁ ବର୍ତ୍ତମାନ ପରିସ୍ଥିତିରେ ଧର୍ମ ନିରପେକ୍ଷତାର ବଡ଼ ଉଦାହରଣ, କାରଣ ମୁସଲମାନ ଆକ୍ରମଣକାରୀଙ୍କ ଦ୍ୱାରା ବାରମ୍ବାର ଲୁଣ୍ଠିତ ଓ ଧ୍ୱସ୍ତ ହୋଇ ପୁନଃ ନିର୍ମିତ ହୋଇଥିବା ସୋମନାଥ ମନ୍ଦିର (ଜ୍ୟୋତିର୍ଲିଙ୍ଗ) ଉଦ୍‌ଘାଟନ ସମାରୋହକୁ ସେ ଯାଇ ନଥିଲେ ଏବଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଓ ଅନ୍ୟ ମନ୍ତ୍ରୀ ନ ଯିବାକୁ ବାରଣ କରିଥିଲେ। ରାଜେନ୍ଦ୍ର ପ୍ରସାଦ କିନ୍ତୁ ନେହରୁଙ୍କ ଚାପର ଉତ୍ତରରେ ଲେଖିଥିଲେ ‘ମୁଁ ମୋ ଧର୍ମକୁ ବିଶ୍ୱାସ କରେ, ସେଥିରୁ ଦୂରେଇ ଯାଇ ପାରିବି ନାହିଁ। ଏହା ହିଁ ଭାରତୀୟ ଧର୍ମ ନିରପେକ୍ଷତାର ପ୍ରକୃତ ଐତିହ୍ୟ। ଚର୍ଚ୍ଚ ବା ମସଜିଦ ପକ୍ଷରୁ ନିମନ୍ତ୍ରଣ ମିଳିଲେ ସେଠାକୁ ମଧ୍ୟ ଯିବି। ଆମ ଦେଶ ଧର୍ମହୀନ କିମ୍ବା ଧର୍ମ ବିରୋଧୀ ନୁହେଁ ।’ ସୋମନାଥ ମନ୍ଦିରର ପୁନରୁଦ୍ଧାର ‘ପୁରୁଣା ଘା’କୁ ଉଜ୍ଜୀବିତ କରିବା ନୁହେଁ’ ବରଂ ସମସ୍ତଙ୍କୁ ସ୍ୱାଧୀନତାର ସ୍ୱାଦ ପ୍ରାପ୍ତିରେ ସାହାଯ୍ୟ କରିବା ବୋଲି ସେଠାରେ ଅନୁଷ୍ଠିତ ସଭାରେ ରାଷ୍ଟ୍ରପତି କହିଥିଲେ। ଏଥିରେ ନେହରୁ କ୍ରୋଧାନ୍ୱିତ ହୋଇ ରାଜେନ୍ଦ୍ର ପ୍ରସାଦଙ୍କ ଗସ୍ତ ସରକାରୀ ନୁହେଁ ବୋଲି ରାଜ୍ୟମାନଙ୍କୁ ଲେଖିଥିଲେ। ମନ୍ଦିର ବିରୋଧୀଙ୍କ ମତରେ ଏ ସବୁ ଧର୍ମ ନିରପେକ୍ଷତାର ଲକ୍ଷଣ।

‘ସୋମନାଥ ମନ୍ଦିର କେବଳ ହିନ୍ଦୁ ନୁହେଁ, ଅଣ-ହିନ୍ଦୁଙ୍କ ପାଇଁ ମଧ୍ୟ ଖୋଲା। ମୁଁ ଦେଶର ସ୍ୱାଧୀନତାକୁ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ନୁହେଁ, ଯଦି ଏହା କୋଟି କୋଟି ଲୋକଙ୍କୁ ଭଗବତ ଗୀତାରୁ ବଞ୍ଚିତ କରେ କିମ୍ବା ସେମାନଙ୍କ ଆସ୍ଥା, ଯାହାର ପ୍ରତୀକ ସେମାନେ ମନ୍ଦିରରେ ଦେଖନ୍ତି, ତାର ମୂଳୋତ୍ପାଟନ କରି ଜୀବନର ମୌଳିକ ଉପାଦାନକୁ ନଷ୍ଟ କରେ’- ସେତେବେଳର କେନ୍ଦ୍ର ମନ୍ତ୍ରୀ କେ.ଏମ. ମୁନସିଙ୍କର ଏହା ଥିଲା ନେହରୁଙ୍କୁ ତାଙ୍କ ‘ହିନ୍ଦୁ ପୁନର୍ଜାଗରଣ’ ଅଭିଯୋଗର ଉତ୍ତର।

ତେବେ ଲୋକ ଅଛନ୍ତି ଯେଉଁମାନେ କସ୍ତୁରୀ ମୃଗ ଭଳି ନିଜ ଭିତରର ମହକକୁ ଚିହ୍ନି ନ ପାରି ଏଣେତେଣେ ଘୂରି ବୁଲନ୍ତି। ସେମାନଙ୍କ ଇଚ୍ଛା ହଜାର ହଜାର ବର୍ଷର ଅନନ୍ୟ ଭାରତୀୟ ସଭ୍ୟତାର ଜିନ୍‌ରେ ପରିବର୍ତ୍ତନ। ଭ୍ରଷ୍ଟ ମାନସିକତା ସେମାନଙ୍କ ଦୃଷ୍ଟିଶକ୍ତିକୁ ଏଭଳି କ୍ଷୀଣ କରିଦେଇଛି ଯେ ସେମାନେ ବିଶ୍ୱର ପ୍ରାଚୀନତମ ଧର୍ମ, ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି ଭଳି ନିଜର ଅମୂଲ୍ୟ ସମ୍ପଦକୁ ‘ସାମ୍ପ୍ରଦାୟିକତା’ର ପ୍ରିଜିମ୍‌ରେ ଦେଖିବାକୁ ବାଧ୍ୟ ହେଉଛନ୍ତି। ‘ଏଆଇଏମଆଇଏମ’ ସଭାପତି ଅସଦୁଦ୍ଦିନ ଓୱାଇସି କହିଛନ୍ତି ‘ବାବ୍ରି ମସଜିଦ ଥିଲା, ଅଛି ଓ ରହିବ।’ ତାଙ୍କ ସହ ତାଳ ମିଳେଇ ସର୍ବଭାରତୀୟ ଇମାମ ସଂଘର ସଭାପତି ସଜିଦ ରସିଦି ବାବରଙ୍କ ଭଳି ରାମ ମନ୍ଦିର ଭାଙ୍ଗି ମସଜିଦ ଗଢ଼ାଯିବ ବୋଲି ଧମକ ଦେଇଛନ୍ତି। ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ପାଦେ ଆଗେଇ ପରୋକ୍ଷରେ ରାମ ମନ୍ଦିରକୁ ଭବିଷ୍ୟତରେ କବ୍‌ଜା କରାଯିବ ବୋଲି ସୂଚନା ଦେଇଛି। ତୁର୍କୀର ହଜିୟା ସୋଫିଆର ଉଦାହରଣ ଦେଇ ବୋର୍ଡ କହିଛି ‘ଭାଙ୍ଗି ପଡ଼ିବାର ନାହିଁ, ଏ ସ୍ଥିତି ସବୁଦିନ ରହିବନି।’ ପୂର୍ବ ରୋମ ସାମ୍ରାଜ୍ୟର ସବୁଠାରୁ ବଡ଼ ‘ହଜିୟା ସୋଫିଆ’ ଚର୍ଚ୍ଚ ୫୩୭ ଖ୍ରୀଷ୍ଟାବ୍ଦରେ ସେତେବେଳର କନଷ୍ଟାନଟିନୋପଲ (ବର୍ତ୍ତମାନ ଇସ୍ତନବୁଲ) ସହରରେ ନିର୍ମିତ ହୋଇଥିଲା। ନିକଟରେ ତୁର୍କୀ ରାଷ୍ଟ୍ରପତି ଏହାକୁ ମସଜିଦରେ ପରିଣତ କରିଛନ୍ତି।

ପ୍ରଧାନମନ୍ତ୍ରୀ ରାମଙ୍କୁ ନିର୍ଦ୍ଦିଷ୍ଟ ଧର୍ମ ବା ଦେଶ ଭିତରେ ସୀମିତ ରଖି ନାହାନ୍ତି। ଭୂମି ପୂଜା ପରେ ଆୟୋଜିତ ସଭାରେ ଆଦର୍ଶର ଅବତାର ରାମ କିଭଳି ବିଶ୍ବବ୍ୟାପୀ ଏବଂ ସବୁ ଧର୍ମାବଲମ୍ବୀଙ୍କର ଶକ୍ତି ଓ ଏକତାର ପ୍ରତୀକ ତାହା ମୋଦୀ ବର୍ଣ୍ଣନା କଲା ବେଳେ ଇଣ୍ଡୋନେସିଆ, ମାଲେସିଆ, ଇରାନ ଭଳି ମୁସଲମାନ ବହୁଳ ଦେଶରେ ରାମ ଲୀଳା ତାଙ୍କ ଅମଳିନ ପ୍ରଭାବର ନିଦର୍ଶନ ବୋଲି କହିଥିଲେ। ‘ରାମ ସମସ୍ତଙ୍କର, ରାମ ସମସ୍ତଙ୍କଠାରେ ବିଦ୍ୟମାନ।’

ମୋ: ୯୮୫୩୨୫୨୬୨୬

ସମ୍ବନ୍ଧିତ ଖବର