ଆମ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଶିକ୍ଷକ

ଶିକ୍ଷା ଆଲୋଚନା - ପ୍ରଫେସର ବାଉରୀବନ୍ଧୁ କର

ବିଶ୍ବବିଦ୍ୟାଳୟ ହେଉଛି ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ। ଏଠାରେ ଉଚ୍ଚତର ଶିକ୍ଷା, ଗବେଷଣା, ପ୍ରଶିକ୍ଷଣ, ସମ୍ମାନସୂଚକ ଡିଗ୍ରୀ, କୃତବିଦ୍ୟ ଲେଖକଙ୍କ ଗ୍ରନ୍ଥ ପ୍ରକାଶନ, ଆନ୍ତର୍ଜାତିକ ସ୍ତରର ଅଧୢାପନା, ମୌଳିକ ଚିନ୍ତନ ପରି ଉଚ୍ଚକୋଟୀର କାର୍ଯ୍ୟ ପାଇଁ ପ୍ରଶସ୍ତ ଭିତ୍ତିଭୂମି ଥାଏ। ସ˚କ୍ଷେପରେ କହିଲେ ବିଶ୍ବବିଦ୍ୟାଳୟରୁ ସଭ୍ୟତା, ସ˚ସ୍କୃତି ଓ ମଣିଷପଣିଆ ସମ୍ପର୍କରେ ବହୁ କଥା ଜାଣିହୁଏ। ବିଶ୍ବବିଦ୍ୟାଳୟ ଶିକ୍ଷା ବିଦ୍ୟାର୍ଥୀର ଶାରୀରିକ, ମାନସିକ ଓ ଆତ୍ମିକ ଅଭିବୃଦ୍ଧିରେ ସହଯୋଗ ପୂର୍ବକ ତାକୁ ପୂର୍ଣ୍ଣାଙ୍ଗ ମଣିଷ କରି ଗଢ଼ି ତୋଳେ।

ଓଡ଼ିଶାରେ କୃଷି, ବୈଷୟିକ, ସ˚ସ୍କୃତ, ସ˚ସ୍କୃତି, ସାଧାରଣ କଳା, ବିଜ୍ଞାନ ଓ ବାଣିଜ୍ୟ ଶିକ୍ଷାକୁ ନେଇ ଏକାଧିକ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ରହିଛି। ଏଠାରେ ସବା ଆଗ ହେଉଛି ଶିକ୍ଷାର୍ଥୀ, ତା’ପରେ ଶିକ୍ଷକ। ଉଭୟ ହେଉଛନ୍ତି ଏହି ଶିକ୍ଷାର ମୂଳପିଣ୍ତ ଓ ମେରୁଦଣ୍ତ। ଏମାନଙ୍କ ସୁବିଧା ପାଇଁ ଅଫିସର, କିରାଣି, ଚପରାସୀ, ହଷ୍ଟେଲ ପରିଚାଳକ ଭଳି ବିଭିନ୍ନ କିସମର କର୍ମଚାରୀ ରହିଥାଆନ୍ତି। ଶିକ୍ଷାର୍ଥୀମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଏମାନଙ୍କର କର୍ତ୍ତବ୍ୟ।

ପ୍ରଥମେ ଶିକ୍ଷାର୍ଥୀ ରହୁଥିବା ଛାତ୍ରାବାସ କଥା ବିଚାର କରାଯାଇପାରେ। ଛାତ୍ରାବାସରେ ପାଠ ପଢ଼ିବାକୁ ଆସିଥିବା ଛାତ୍ରମାନେ ରହନ୍ତି। ମେଧା ତାଲିକା ଅନୁଯାୟୀ ଦୂରରୁ ଆସିଥିବା ବିଦ୍ୟାର୍ଥୀମାନଙ୍କୁ ହଷ୍ଟେଲରେ ସାଧାରଣତଃ ସ୍ଥାନ ଦିଆଯାଏ। କିନ୍ତୁ ଏବେ ଛାତ୍ରମାନଙ୍କ ପରିବର୍ତ୍ତେ ଅଣ ଛାତ୍ରମାନଙ୍କ ଦୌରାତ୍ମ୍ୟ ସେଠାରେ କିଛି କମ୍‌ ନୁହେଁ। ସେହି ଅଣଛାତ୍ରମାନେ ଜବରଦସ୍ତ ହଷ୍ଟେଲ ପ୍ରକୋଷ୍ଠ ଅଧିକାର କରି ବର୍ଷ ବର୍ଷ ଧରି ରହନ୍ତି। ନାମକୁ ମାତ୍ର ଅଣଛାତ୍ରମାନଙ୍କୁ କୁଳପତିମାନେ ବାହାର କରିବାକୁ ଉଦ୍ୟମ କରିଥାଆନ୍ତି। ଏପରିକି କେତେକ କୁଳପତି ସେମାନଙ୍କୁ ରହିବା ପାଇଁ ଉତ୍ସାହିତ କରନ୍ତି। କାରଣ ସେମାନଙ୍କ ମଧୢରୁ ଅନେକ ବଳୁଆ ପିଲା, ଆଉ କେତେକ ରାଜନୈତିକ ଦଳର ଯୁବବାହିନୀ। କେତେକ ବିଶ୍ବବିଦ୍ୟାଳୟର ପୁରୁଣା ଛାତ୍ରନେତା। ଏପରିକି ବିଷାକ୍ତ ମଦ କାରବାର କରିଥିବା ଜଣେ ବେପାରୀ ମଧୢ ଏକ ହଷ୍ଟେଲରେ ରହିବାର ଦୃଷ୍ଟାନ୍ତ ରହିଛି। ନିୟମିତ ଭାବରେ ନାମ ଲେଖାଇ ହଷ୍ଟେଲରେ ରହୁଥିବା ଶିକ୍ଷାର୍ଥୀମାନେ ଏମାନଙ୍କ ଛାତ୍ରାବାସରୁ ଅପସାରଣ ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରନ୍ତି। ଫଳ ହୁଏ ଏମାନଙ୍କୁ ଅଣଛାତ୍ରମାନେ ଆକ୍ରମଣ କରି ଲହୁଲୁହାଣ କରନ୍ତି। ପୁରୁଷଙ୍କ ପାଇଁ ରହିଥିବା ହଷ୍ଟେଲରେ ଆଦୌ ମେସ୍‌ ଚାଲେ ନାହିଁ। କାରଣ ଅଣଛାତ୍ରମାନେ ସାଙ୍ଗସାଥୀ ଧରି ଜୋରଜବରଦସ୍ତ ମେସ୍‌ରେ ପଶି ଖାଇଦିଅନ୍ତି। ଫଳରେ ପିଲାମାନେ ପ୍ରତ୍ୟେକ ରୁମ୍‌ରେ ହିଟର‌୍‌ ଲଗାଇ ରୋଷେଇ କରି ଖାଆପିଅ କରନ୍ତି। ହଷ୍ଟେଲ ସାରା ପେଜ, ଅଇଁଠା ଭାତ, ତରକାରିର ଅବଶେଷ, ଅଣ୍ତାଖୋଳ, କୁକୁଡାହାଡ଼, ମାଛକଣ୍ଟା ଆଦି ପଡ଼ି ପରିବେଶକୁ ଦୂଷିତ କରିଥାଏ। ଅବଶ୍ୟ ଝିଅମାନଙ୍କ ହଷ୍ଟେଲର ପରିବେଶ ଟିକେ ଭିନ୍ନ। ସେଠାରେ ମେସ୍‌ ଚାଲେ ଏବ˚ ମେସ୍‌ ମ୍ୟାନେଜର ଚଢ଼ା ଦରରେ ସେମାନଙ୍କୁ ଖାଇବାକୁ ଦିଏ।

ବିଶ୍ବବିଦ୍ୟାଳୟରେ ପ୍ରାୟ କ୍ୟାଣ୍ଟିନ୍‌ ନ ଥାଏ। ଯେଉଁଠି ଥାଏ ତାହା ବର୍ଷରେ ଦଶ ମାସ ବନ୍ଦ। ଫଳରେ କ୍ୟାବିନ୍‌ ପକାଇ ଚା’, ଜଳଖିଆ, ଛୋଟ ଛୋଟ ହୋଟେଲ କରି ବେପାରୀମାନେ ବସନ୍ତି। ଏହି ଦୋକାନମାନଙ୍କରେ ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌ ଠାରୁ ଆରମ୍ଭ କରି ମୃଦୁ ପାନୀୟ, ତୀବ୍ର ପାନୀୟ ସବୁ କିଛି ମିଳେ। ଆଉ କିଛି ନିଶା ଉଦ୍ରେକକାରୀ ଜିନିଷ ମଧୢ ସେଠାରେ ବିକ୍ରି ହୁଏ। ଏଣେ ଆମର କୁଳପତିମାନେ କହନ୍ତି, ଆମ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ଧୂମମୁକ୍ତ। ଏପରି ଦେଖାଯାଏ, କେତେକ ବିଶ୍ବବିଦ୍ୟାଳୟ ଶିକ୍ଷକ ଚା’, ସିଗାରେଟ୍‌ ପିଇ ବିଦ୍ୟାର୍ଥୀମାନଙ୍କୁ ପାଠ ପଢ଼ାନ୍ତି। କେବଳ ସେତିକି ନୁହେଁ, ଫ୍ରି ଷ୍ଟାଇଲରେ ସିଗାରେଟ୍‌ ପିଉଥିବା କତିପୟ ଶିକ୍ଷକ ସ୍ନାତକୋତ୍ତର ପରିଷଦ ଅଧୢକ୍ଷଙ୍କ ପ୍ରକୋଷ୍ଠକୁ ଏପରି ଅବସ୍ଥାରେ ପ୍ରବେଶ କରନ୍ତି।

ବିଶ୍ବବିଦ୍ୟାଳୟର ଶିକ୍ଷକ ମନୋନୟନ ଅଦ୍ଭୁତ ଭାବରେ ହୁଏ। ସବୁ ବିଶ୍ବବିଦ୍ୟାଳୟ ପାଇଁ ମନୋନୟନ ପ୍ରକ୍ରିୟା ଅଲଗା ଅଲଗା। ଏଠାରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇଁ ବିଶ୍ବବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି କମିସନ ନାହିଁ। ଅଧିକା˚ଶ ଶିକ୍ଷକ ପି.ଏସ.ସି ଓ ସିଲେକ୍‌ସନ୍‌ ବୋର୍ଡ ଦ୍ବାରା ପରିତ୍ୟକ୍ତ ହୋଇ କଳେବଳେ କୌଶଳେ ଗଳାବାଟ ଦେଇ ବିଶ୍ବବିଦ୍ୟାଳୟରେ ପ୍ରବେଶ କରନ୍ତି। ଥରେ ବିଶ୍ବବିଦ୍ୟାଳୟରେ ପ୍ରବେଶ କଲେ ସେମାନଙ୍କ ମୁହଁ ଉପରକୁ ହୋଇଯାଏ। ସେମାନେ ପାଠପଢ଼ା ଅପେକ୍ଷା ବଡ଼ ବଡ଼ କ୍ଲବ୍‌ର ସଦସ୍ୟ ହେବାକୁ ଅଧିକ ପସନ୍ଦ କରନ୍ତି। ବିଶ୍ବବିଦ୍ୟାଳୟରେ ବସିବା ପାଇଁ ଶିକ୍ଷକମାନଙ୍କୁ ଭଲ ପ୍ରକୋଷ୍ଠ ମିଳେ। ସେହି ପ୍ରକୋଷ୍ଠରେ ମୋଟା ଅଙ୍କର ଦରମା ପାଉଥିବା କେତେକ ଶିକ୍ଷକ ମଦ୍ୟ ପାନ କରିବାକୁ ସଙ୍କୋଚବୋଧ କରନ୍ତି ନାହିଁ। ଜଣେ ଜଣେ କୁଳପତି ସଦାସର୍ବଦା ମଦ୍ୟ ପାନ କରି କୁଳପତି ପରି ପବିତ୍ର ଆସନରେ ବସନ୍ତି। ଦରକାର ପଡ଼ିଲେ ସେମାନେ କିଛି ସରଳ ଶିକ୍ଷକଙ୍କୁ ଆପତ୍ତିଜନକ ଶବ୍ଦରେ ସମ୍ବୋଧନ କରନ୍ତି। ଏବେ ଶିକ୍ଷକମାନଙ୍କ ପୋଷାକ ସ˚ହିତା ସମ୍ପର୍କରେ କିଛି ଆଲୋଚନା କରାଯିବା ବିଧେୟ। ବିଦ୍ୟାୟତନରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ମନକୁ ଛୁଇଁବା ପରି ସରଳ ପୋଷାକ ପିନ୍ଧିବା ଦରକାର। ଅଧିକା˚ଶ ବିଶ୍ବବିଦ୍ୟାଳୟ ଶିକ୍ଷକ ଖେଳପଡ଼ିଆକୁ ଯିବା ପରି ପୋଷାକ ପିନ୍ଧନ୍ତି। ଏବେ ପାଠପଢ଼ା ଦିଗକୁ ଦେଖିବା। ଏଠି ପିରିୟଡ୍‌ ଅନୁଯାୟୀ ଘଣ୍ଟା ବାଜେ ନାହିଁ। କେତେକ ଶିକ୍ଷକ ନିଜର ସୁବିଧା ଅନୁଯାୟୀ କ୍ଲାସ୍‌କୁ ଯାଆନ୍ତି ଓ ଇଚ୍ଛା ଅନୁଯାୟୀ ପାଠ ପଢ଼ାଇ ଫେରନ୍ତି। ପାଠପଢ଼ାର କୌଣସି ଶୃଙ୍ଖଳା ଅନେକ ଶିକ୍ଷକ ମାନନ୍ତି ନାହିଁ। ଲେସନ୍‌ ନୋଟ୍‌ସ୍‌, ଲେସନ୍‌ ପ୍ଲାନ୍‌ କିମ୍ବା କୌଣସି ପାଠ୍ୟ ଉପକରଣ ସେମାନେ ଶିକ୍ଷାର୍ଥୀଙ୍କୁ ଦିଅନ୍ତି ନାହିଁ।

ଏସବୁ ହେଉଛି ଏହି ପ୍ରବନ୍ଧ ଲେଖକର ଅନୁଭବର କଥା। ଅନେକତ୍ର ଯୁକ୍ତି ଅପେକ୍ଷା ଅନୁଭବ ସାଧାରଣ ସ୍ତରରେ ଗୃହୀତ ହୁଏ। ସେଥିପାଇଁ ଏଇ ଲେଖକ ଆପଣାର ବିଶ୍ବବିଦ୍ୟାଳୟ ଶିକ୍ଷକ ରୂପେ କାଳାତିପାତ କରିଥିବା ଦୀର୍ଘ ଅଭିଜ୍ଞତା ଓ ଅନୁଭବକୁ ନେଇ ଲେଖିଅଛି।

(ଲେଖାଟିରେ ପ୍ରକାଶିତ ମତ ସମ୍ପୂର୍ଣ୍ଣ ଭାବରେ ନିଜସ୍ବ)

ମୋ-୯୪୩୭୩୦୬୨୭୦

ସମ୍ବନ୍ଧିତ ଖବର