ସମୟ ନାହିଁ

ସତ୍ୟନାରାୟଣ ଗନ୍ତାୟତ

ଆଜିକାଲି କଥାକଥାକେ ‘ସମୟ ନାଇଁ’ କହିବା ବେଶ୍ ଶୁଭୁଚି’, ବୋଲି ଆମେ କହିଲେ ଆପଣ ପଚାରି ପାରନ୍ତି, ‘କାଇଁ କ’ଣ ହେଲାକି?’

କଥା କଣ କି’ ଆଗେ ହଠାତ ରାମା ଯଦି ଦାମାକୁ ଗୋଟେ ଖବର ଦେବାକୁ ଭାବୁଥିଲା ତ ତାକୁ ଯେମିତି ହେଉ ଦାମା ସହିତ ମିଶିବାକୁ ପଡୁଥିଲା। ତ’ ଦାମା ପାଖକୁ ଯିବାକୁ ହେଉଥିଲା।

ରାମା ସହରର ଏ ମୁଣ୍ଡରେ ଥିବା ଲକ୍ଷ୍ମୀ ଟକିଜ୍ ପାଖେ ରହୁଥିଲା ବେଳେ ଦାମା ରହୁଥିଲା ସହରର ସେ ମୁଣ୍ଡରେ ଅଶୋକ ସିନେମା ହଲ ପାଖରେ। ସାଇକେଲ ଚଳାଇ ଗଲେ ବି ଗୁଡ଼େ ସମୟ ଲାଗି ଯାଉଥିଲା।

ରାମା ମାଟ୍ରିକ ପାସ୍‌ ହେବା ବେଳେ ତ ଦିନ ତମାମ ଟେଲିଫୋନ ଏକ୍ସଚେଞ୍ଜରେ ଠୁଳ ହୋଇ ଅଧିଆ ପଡ଼ିବା ପ୍ରାୟେ ରହିଥିଲେ ସିଏ ଓ ତା’ ସାଙ୍ଗମାନେ। ସେଥର ପ୍ରଥମ ଶ୍ରେଣୀରେ ରାମା ସହ ରାବଣା, ଫକଡ ଭଳି କିଛି ବାଳୁଙ୍ଗାଙ୍କ ନାମ ବି ଶୁଣାଗଲା, ଯେଉଁମାନେ ତୁଚ୍ଛା ପାସ୍‌ ହେବା ବି ଏକ ଗଡ଼ ଜିଣିବା ପ୍ରାୟେ ବୋଲି ମଣୁଥିଲେ। ତଥାପି ନିଜ ପୁଅର ସେଭଳି ଫଳାଫଳକୁ ସତ ମଣି ରାବଣାର ବେପାରୀ ବାପ ଅତ୍ୟୁଲ୍ଲାସ ଭରେ ମୁଖ୍ୟ ବଜାର ସାରା ଫି ଦୋକାନୀଙ୍କୁ ମିଠା ବାଣ୍ଟି ଚାଲିବା ଦେଖାଗଲା। ହେଲେ ହଠାତ ତହିଁରେ ଲଗାମ୍ ଲାଗିଲା, ଯେତେବେଳେ ତାଙ୍କର ଜଣେ ପୁତୁରାର ସୌଜନ୍ୟରୁ ପୁତ୍ର ରାବଣା ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି ବୋଲି ଖବର ଟେଲିଗ୍ରାମ ଯୋଗେ ଆସିଗଲା।

ଏସବୁ କଥାରୁ ଜାଣୁଥିବେ ସେତେବେଳେ ଖବର ଚଳାଚଳ କେତେ ସମୟ ସାପେକ୍ଷ ହୋଇ ନ ଥିଲା ସତରେ! ଫଳାଫଳ ପାଇଁ ଆମକୁ ଆଶୀର୍ବାଦ ଦେବାକୁ ରାଜ୍ୟ ବାହାରେ ଏକ ଦୂରନ୍ତ ସହରରେ ରହୁଥିବା ଆମର ଜେଜେ ଶ୍ରେଣୀୟ ଜଣେ ଗୁରୁଜନ ଆମ ସରକାରୀ କ୍ବାର୍ଟର୍‌ ସାମନାରେ ଥିବା ସହରର ଖ୍ୟାତନାମା ଲୁଗା ବ୍ୟବସାୟୀଙ୍କ ଘରର ଫୋନ ନମ୍ବରକୁ ଡାଏଲ କରି ଆମକୁ ଡକାଇ ଥିଲେ। ନୋହିଲେ ଟେଲିଫୋନ ନାମଧେୟ ସେ ମହାର୍ଘ ଚିଜଟି ହାତରେ ପକଡି କାନରେ ଲଗେଇବାର ଅପୂର୍ବ ସୁଯୋଗ ସମୟ ଆଉ କେବେ ଦେଇଥାନ୍ତା କେଜାଣି !

ଏମିତି ସେ ବେଳ କଥା। ସବୁ କାମ ଆପଣା ହାତରେ କରିବାକୁ ପଡୁଥିଲା। ନିଜେ ଯାଇ ହିଁ ଭେଟିବାକୁ ହେଉଥିଲା। ଆଖି ପିଛୁଳାକେ, ଛାଏଁ ଛାଏଁ, ବାଏଁ ବାଏଁ ସହଜେ ସୁସ୍ଥେ କୌଣସି କାମ ଆଦୌ ହୋଇ ଯାଉ ନ ଥିଲା। ଏସବୁ ପାଇଁ ଇଚ୍ଛା ସହିତ ସମୟ ବି ଜରୁର୍ ଲୋଡା ପଡୁଥିଲା। ଯଥା ସମୟରେ ସବୁ କାମ କରିବା ପ୍ରାୟତଃ ଗତାନୁଗତିକ ଥିଲା। ଅଯଥା କାମ କଥା ଉଠିଲେ ହିଁ କେହି ଅଗତ୍ୟା ‘ସମୟ ନାଇଁ’ ବୋଲି କହିବା ଶୁଣା ଯାଉଥିଲା।

ହଁ ଯେତେ ‘ସମୟ ନାଇଁ’ ବୋଲି କହିଲେ ବି ଭେଟଘାଟ, ଦେଖା ସାକ୍ଷାତ ପାଇଁ କିନ୍ତୁ ସମୟ ଥିଲା। ସମୟ ଥିଲା ବାଗୁଡିଠୁ ଆରମ୍ଭ କରି ଫୁଟବଲ ଭଲିବଲ ଭଳି ନାନା ଜାତି ଝାଳବୁହା ଖେଳ ନିତି ଖେଳିବା ପାଇଁ। ଘରେ ମହିଳାଏ ବଡ଼ି ପାରିବା, ଆଚାର କରିବା ଜାତୀୟ ଯାବତ ଘରୋଇ କର୍ମ ଯଥାରୀତି ସମ୍ପାଦନ ପରେ ସୁଦ୍ଧା ସମୟ ପାଉଥିଲେ କଉଡ଼ି, ସାପଶିଡ଼ି ଆଦି ଖେଳିବା ସହ ଉପନ୍ୟାସ ପଢିବାକୁ। ହଁ, ଆହୁରି ସମୟ ମିଳିଲେ କୁନାବୋଉ ସହିତ ମୁନାବାପାଙ୍କ ଗୁଣ ବଖାଣିବାରେ ମୁନା ବୋଉ ହେଳା କରୁ ନ ଥିଲା।

ଏବେ ଏ ସବୁ କିଛି ନାଇଁ। ଯେ ଝା ଭିତରେ ସଂଗୁପ୍ତ ଓ ସମାହିତ! ଏଇନେ ସବୁ କିଛି ଝଅଟ ଝଅଟ। ଏ ପଟେ ଅଙ୍ଗୁଳି ଟିପିଲେ ସେ ପଟେ ମିଳିଗଲା ଜଣେ, ଅଥଚ କାହା ପାଖରେ ସମୟ ନାହିଁ!

ସେଦିନ ଭେଟିଥିଲୁ ଜଣେ ମାତୃସମା ଆତ୍ମୀୟାଙ୍କୁ। ଭଦ୍ର ମହିଳା ସରକାରୀ ହାସପାତାଳରେ ଷ୍ଟାଫ ନର୍ସ ଥିଲେ। ଅବସର ପରେ ତାଙ୍କର ଏକମାତ୍ର ପୁଅ ବ୍ୟସ୍ତ ବ୍ୟବସାୟରେ ଓ ବୋହୂ ପାଖ ଗାଁ କଲେଜରେ ଅଧ୍ୟାପନାରେ। କୁନି ନାତୁଣୀ ପଢେ ଗୋଟେ ଦାମୀ ‘ଡେ ବୋର୍ଡିଂ ସ୍କୁଲ’ରେ। ସ୍ୱାମୀ ପୋଖତ ଚାଷୀ; ବ୍ୟସ୍ତ ତାଙ୍କ ଚାଷବାସ ନେଇ। ବୟସ୍କା ମାଉସୀଙ୍କ ଠେଇଁ ସମୟ ହିଁ ସମୟ। ହେଲେ ଦୁଃଖ, ତାଙ୍କ ସହ କଥା ହେବାକୁ ଆଉ କାହାର ସମୟ ନାହିଁ।

ମାଉସୀଙ୍କ ସହ ନିତି ଫୋନରେ ଟିକେ ଗପି ତାଙ୍କୁ ହାଲୁକା କରିବାକୁ ଦିନେ ଏ ଅଧମ ପତ୍ନୀଙ୍କୁ କହନ୍ତେ ସେ ଗମ୍ଭୀର ହୋଇ କହିଲେ,‘ଏତେ ଭାବୁକ ହୋଇ ଯାଅନି! ମଣିଷକୁ ସମୟ ଟିକେ ମିଳୁନି ସିରିଆଲ ଦେଖିବାକୁ,ଆଉ ଫେର୍ ନିତି ଫୋନ୍‌ରେ ଗପିବି! ପୁଣି ଏକଥା ଯଦି ତାଙ୍କ ବୋହୂ ଜାଣେ, ତେବେ ଦିନ କେତେଟା ପରେ ଗୋଟିକ ବୋଲି ବୋହୂ ସହ ତାଙ୍କ ସମ୍ପର୍କ ବିଗିଡିବ!’

ଲାଗିଲା, ପତ୍ନୀଙ୍କ କଥାରେ ଦମ୍‌ ଅଛି!

ସୁହାସିତମ୍, କସ୍ତୁରୀ ନଗର, ରାୟଗଡା-୭୬୫୦୦୧

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.